ଆଜିର ଖାସ ଖବର
Fri. Sep 11th, 2026

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏବଂ ଆଦିବାସୀ ମିଳିତ ମଞ୍ଚ ପକ୍ଷରୁ ଅନ୍ତର୍ଜାତୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ

By Admin_Dainkasha Aug9,2026

~ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ୱ ଲୋକ ସାମିଲ

କଳିଙ୍ଗନଗର, ଅଗଷ୍ଟ ୯,୨୦୨୬ : ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏବଂ ଆଦିବାସୀ ମିଳିତ ମଞ୍ଚ, ସୁକିନ୍ଦା, କଳିଙ୍ଗନଗରର ମିଳିତ ଆନୁକୂଲ୍ୟରେ ରବିବାର କଳିଙ୍ଗନଗର ନିକଟସ୍ଥ ଜାମପୋସି ନଡ଼ିଆଭଙ୍ଗା ଫୁଟବଲ୍ ପଡ଼ିଆଠାରେ ଅନ୍ତର୍ଜାତୀୟ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଚଳିତ ବର୍ଷର ବିଷୟବସ୍ତୁ “ଆଦିବାସୀ ଧାତ୍ରୀମାନଙ୍କୁ ସମ୍ମାନ: ଜୀବନ ଓ ସୁସ୍ଥତାର ସୁରକ୍ଷା” ଆଧାରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜନଜାତିଙ୍କ ପରିଚୟ, ସଂସ୍କୃତି, ପାରମ୍ପରିକ ଜ୍ଞାନ ଓ ସାଂସ୍କୃତିକ ଐତିହ୍ୟର ଉତ୍ସବ ପାଳନ ପାଇଁ ପ୍ରାୟ ୧୫୦୦ ଆଦିବାସୀ ସମ୍ପ୍ରଦାୟର ଶ୍ରଦ୍ଧାଳୁ ଓ ଜନସାଧାରଣ ଏକତ୍ରିତ ହୋଇଥିଲେ ।

ଏହି ସମାରୋହରେ ଭୁବନେଶ୍ୱରର ଅବସରପ୍ରାପ୍ତ ଡିଆଇଜି ସ୍ୟାମ ସୁନ୍ଦର ହାଁସଦା, ଟାଟା ଷ୍ଟିଲ୍ କଳିଙ୍ଗନଗରର ଭାଇସ ପ୍ରେସିଡେଣ୍ଟ, ଅପରେସନ୍ସ, ଉତ୍ତମ ସିଂ, ଯାଜପୁର ବିଶେଷ ଉନ୍ନୟନ ପରିଷଦ (ଏସଡ଼ିସି)ର ଅଧ୍ୟକ୍ଷ ରାଜେନ୍ଦ୍ର କାଲୁଣ୍ଡିଆ, ବିଶେଷ ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଦଶମା ଜାରିକା, ଟାଟା ଷ୍ଟିଲ୍ କଳିଙ୍ଗନଗର ୱାର୍କର୍ସ ୟୁନିଅନର ସଭାପତି ରବୀନ୍ଦ୍ର କୁମାର ଜାମୁଦା, ଟାଟା ଷ୍ଟିଲ୍ କଳିଙ୍ଗନଗରର କର୍ପୋରେଟ୍ ସର୍ଭିସେସ୍ ଚିଫ୍, ରବି ମାରିକ୍ ଏବଂ ନଡ଼ିଆଭଙ୍ଗା ସରପଞ୍ଚ ରଶ୍ମିତା ସାହୁ ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ ।

ଏହି ଅବସରରେ ଅତିଥିମାନେ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ଜ୍ଞାନ, ସଂସ୍କୃତି, ଭାଷା ଓ ସ୍ୱାଭିମାନର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହ ଆଗାମୀ ପିଢ଼ି ପାଇଁ ନିଜର ସାଂସ୍କୃତିକ ଐତିହ୍ୟକୁ ବଜାୟ ରଖିବାରେ କମ୍ୟୁନିଟିର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ସମାରୋହ ପୂର୍ବରୁ ଆଦିବାସୀ ଅଞ୍ଚଳ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ଚଳଚ୍ଚିତ୍ର ପ୍ରଦର୍ଶନ, କୁଇଜ୍, ପ୍ରବନ୍ଧ ଲିଖନ ଏବଂ ପୋଷ୍ଟର ତିଆରି ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ବିଭିନ୍ନ ଆଦିବାସୀ ଭାଷା କେନ୍ଦ୍ରର ଛାତ୍ରଛାତ୍ରୀ ଓ ଜନଜାତି ଯୁବକଯୁବତୀମାନେ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଆଦିବାସୀ ସଂସ୍କୃତି ଓ ଐତିହ୍ୟ ବିଷୟରେ ସଚେତନତା ସୃଷ୍ଟି କରିଥିଲେ ।

କଳିଙ୍ଗନଗର ଏବଂ ଏହାର ଆଖପାଖ ଆଦିବାସୀ ଗ୍ରାମଗୁଡ଼ିକର ଆଦିବାସୀ ଧାତ୍ରୀମାନଙ୍କୁ ମାତୃତ୍ଵ ଓ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ସେବାରେ ସେମାନଙ୍କ ଅମୂଲ୍ୟ ଯୋଗଦାନ ଏବଂ ପାରମ୍ପରିକ ଚିକିତ୍ସା ପଦ୍ଧତିର ସଂରକ୍ଷଣ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ପ୍ରତିଯୋଗିତାର ବିଜେତା, ପ୍ରତିଭାବାନ ଆଦିବାସୀ ଯୁବକ, ‘ଟ୍ରାଇବାଲ୍ ଲିଡରସିପ୍ ପ୍ରୋଗ୍ରାମ୍’ର ପୁରାତନ ଛାତ୍ରଛାତ୍ରୀ ଏବଂ ‘ଓଲ୍ ଚିକି’ ଓ ‘ୱାରାଙ୍ଗ ଚିଟି’ ଭାଷା ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ସମାରୋହରେ ପାରମ୍ପରିକ ସଙ୍ଗୀତ, ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ସଂସ୍କୃତିର ମନୋରମ ଝଲକ୍ ଦେଖିବାକୁ ମିଳିଥିଲା । ଏହି ଅବସରରେ ମିର୍ଗିଚାରାର ଆଦିବାସୀ ୟୁଥ୍ କ୍ଲବ୍ ପକ୍ଷରୁ ବାଲ୍ୟବିବାହ ଏବଂ ଅନ୍ଧବିଶ୍ୱାସ ବିରୋଧରେ ଏକ ସାମାଜିକ ନାଟକ ପରିବେଷଣ କରାଯାଇଥିଲା, ଯାହାକୁ ଅତିଥି ଓ ଦର୍ଶକମାନେ ବେଶ୍ ପ୍ରଶଂସା କରିଥିଲେ । ଏଥିସହ ପାରମ୍ପରିକ ଆଦିବାସୀ ଖାଦ୍ୟ, ପୋଷାକ ଏବଂ ବାଦ୍ୟଯନ୍ତ୍ରର ପ୍ରଦର୍ଶନୀ ସହ ସଂସ୍କୃତି ଓ ଭାଷାର ସୁରକ୍ଷା ପାଇଁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ଶେଷରେ ଆଦିବାସୀ ଜ୍ଞାନ, ସଂସ୍କୃତି, ଭାଷା ଓ ପରିଚୟର ସୁରକ୍ଷା କରି ଏହି ସଜୀବ ପରମ୍ପରାକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ପାଇଁ ସମସ୍ତେ ସଂକଳ୍ପ ଗ୍ରହଣ କରିଥିଲେ।

Related Post