ଆଜିର ଖାସ ଖବର
Fri. Sep 11th, 2026

ଟାଟା ଷ୍ଟିଲ୍ କଳିଙ୍ଗନଗର ଓ କଳିଙ୍ଗନଗର ପୁଲିସ୍‌ ପକ୍ଷରୁ ମିଳିତ ଭାବେ ‘ମୌସୁମୀ ସଡ଼କ, ସ୍ୱାସ୍ଥ୍ୟ ସୁରକ୍ଷା’ ଏବଂ ‘ସାଇବର ସୁରକ୍ଷା’ ସଚେତନତା ଅଭିଯାନ

By Admin_Dainkasha Aug11,2026

କଳିଙ୍ଗନଗର, ଅଗଷ୍ଟ ୧୧ , ୨୦୨୬ : ସ୍ଥାନୀୟ ଜନସାଧାରଣ, ଗାଡ଼ି ଚାଳକ ଏବଂ କର୍ମଚାରୀମାନଙ୍କ ମଧ୍ୟରେ ମୌସୁମୀ ସମୟରେ ସଡ଼କ ସୁରକ୍ଷା, ସ୍ୱାସ୍ଥ୍ୟ ସଚେତନତା ଏବଂ ସାଇବର ସୁରକ୍ଷା ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟରେ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ) ସୁରକ୍ଷା ବିଭାଗ ଏବଂ କଳିଙ୍ଗନଗର ପୁଲିସ୍‌ର ମିଳିତ ଆନୁକୂଲ୍ୟରେ ଏକ ତିନିଦିନିଆ ସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି । ମଙ୍ଗଳବାର ଡୁବୁରୀସ୍ଥିତ ଟାଟା ଷ୍ଟିଲ୍ କଳିଙ୍ଗନଗରର ମୁଖ୍ୟ ଫାଟକ ନଂ-୧ ନିକଟରେ ‘ମୌସୁମୀ ସଡ଼କ ଓ ସ୍ୱାସ୍ଥ୍ୟ ସୁରକ୍ଷା’ ଏବଂ ‘ସାଇବର ସୁରକ୍ଷା’ ଶୀର୍ଷକରେ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଏହି କାର୍ଯ୍ୟକ୍ରମକୁ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁପ୍ରସନ୍ନ ମଲ୍ଲିକ ଏବଂ କଳିଙ୍ଗନଗର ଥାନା ଆଇଆଇସି ପ୍ରକାଶ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ୍ କଳିଙ୍ଗନଗର ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ଚିଫ୍ ସିକ୍ୟୁରିଟି ପ୍ରକାଶ ସଞ୍ଜୟ, ଟିଏସ୍‌କେ ଚିଫ୍ କୋର୍ପୋରେଟ୍ ସର୍ଭିସେସ୍ ରବି ମାରିକଙ୍କ ସମେତ ସଂସ୍ଥାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟର ଖରାପ ଅବସ୍ଥା ହେତୁ ସୃଷ୍ଟି ହେଉଥିବା ବିପଦକୁ ଏଡ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ମୌସୁମୀ ଫଳରେ ଉପୁଜୁଥିବା ସମସ୍ୟାର ମୁକାବିଲା, ସଡ଼କ ସୁରକ୍ଷା ନିୟମ ପାଳନ, ସ୍ୱାସ୍ଥ୍ୟ ସଚେତନତା ସହ ବର୍ତ୍ତମାନର ପ୍ରମୁଖ ସମସ୍ୟା ପାଲଟିଥିବା ସାଇବର ସୁରକ୍ଷା ପ୍ରତି ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଚାରିଚକିଆ ଯାନ ଚାଳକମାନଙ୍କୁ ସିଟ୍‌ବେଲ୍ଟ ବାନ୍ଧିବା ଏବଂ ଦୁଇଚକିଆ ଯାନ ଚାଳକ ଓ ପଛରେ ବସୁଥିବା ବ୍ୟକ୍ତିଙ୍କୁ ହେଲ୍‌ମେଟ୍ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏଥିସହ ସଡ଼କ ଓ ସାଇବର ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଲିଫ୍‌ଲେଟ୍ ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମ ଆରମ୍ଭରେ ବର୍ଷା ଦିନେ ଗାଡ଼ି ଚାଳନାର ସୁରକ୍ଷା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।

ଏଥି ସମେତ କାର୍ଯ୍ୟକ୍ରମରେ ଫିସିଂ ଆଟାକ୍, ମାଲୱେୟାର, ରାନ୍ସମ୍‌ୱେୟାର ଏବଂ ଡାଟା ଚୋରି ଭଳି ବୃଦ୍ଧି ପାଉଥିବା ସାଇବର ଅପରାଧ ସମ୍ପର୍କରେ ସଚେତନ କରାଯାଇଥିଲା। ସନ୍ଦେହଜନକ ଲିଙ୍କ୍‌ ଚିହ୍ନଟ କରିବା, ନିଜର ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖିବା ଏବଂ ସାଇବର ଠକେଇର ଶିକାର ହେଲେ ତୁରନ୍ତ ସାଇବର ଥାନାରେ ଅଭିଯୋଗ କରିବା ସମ୍ପର୍କିତ ସୂଚନା ଲିଫ୍‌ଲେଟ୍ ମାଧ୍ୟମରେ ଲୋକଙ୍କୁ ବଣ୍ଟାଯାଇଥିଲା।

Related Post