ଆଜିର ଖାସ ଖବର
Thu. Apr 16th, 2026

ସବୁଜ ଶକ୍ତିରେ ଚାଲୁଛି ଟିପିଏସ୍ଓଡିଏଲର କର୍ପୋରେଟ କାର୍ଯ୍ୟାଳୟ

By Admin_Dainkasha Jan2,2025
TPSODL Corporate Office Transformed into a Green Office
TPSODL Corporate Office Transformed into a Green Office

— ବ୍ରହ୍ମପୁରରେ ଟିପିଏସ୍ଓଡିଏଲର ଗ୍ରୀନ୍ ଅଫିସ
— ୧୦୦ କିଲୋୱାଟ୍ ସୋଲାର ପ୍ଲାଣ୍ଟ କାର୍ଯ୍ୟକ୍ଷମ
— ସୌର ଶକ୍ତିକୁ ଆପଣାଇ ଉଦାହରଣ ସାଜିଛି ଟିପିଏସ୍ଓଡିଏଲ୍
 
ବ୍ରହ୍ମପୁର, ଜାନୁଆରୀ:
ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ଏହାର କର୍ପୋରେଟ କାର୍ଯ୍ୟାଳୟରେ ସୋଲାର ପ୍ୟାନେଲ ସ୍ଥାପନ କରି ସବୁଜ ଶକ୍ତିକୁ ଆପଣାଇଛି। ପୂର୍ବରୁ କମ୍ପାନୀର କର୍ପୋରେଟ ଅଫିସ ପାରମ୍ପରିକ ଶକ୍ତି ଉତ୍ସ ଦ୍ଵାରା ଚାଳିତ ହେଉଥିବା ବେଳେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ସୌର ଶକ୍ତି ଦ୍ଵାରା ଚାଲୁଅଛି। ଦକ୍ଷିଣ ଓଡ଼ିଶାରେ ପରିବେଶ ଅନୁକୂଳ ଅଭ୍ୟାସ ଏବଂ ଅକ୍ଷୟ ଶକ୍ତି ଆପଣାଇବା ଦିଗରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଏହା ଏକ ବଳିଷ୍ଠ ପଦକ୍ଷେପ।
  
ଟିପିଏସ୍ଓଡିଏଲ୍ ବ୍ରହ୍ମପୁର ସ୍ଥିତ କର୍ପୋରେଟ ଅଫିସ ଛାତରେ ୧୦୦ କିଲୋୱାଟ କ୍ଷମତା ବିଶିଷ୍ଟ ସୋଲାର ପ୍ଲାଣ୍ଟ ସ୍ଥାପନ କରିଛି। ଏହି ସୋଲାର ପ୍ଲାଣ୍ଟରୁ ପ୍ରତି ମାସରେ ପାଖାପାଖି ୧୨ ହଜାର ୟୁନିଟ୍ ବିଦ୍ୟୁତ ଉତ୍ପାଦନ ହୁଏ, ଯାହା ଦ୍ୱାରା ଅଫିସର ଦୈନିକ ଚାହିଦା ପୂରଣ ହେବା ସହ ବଳକା ଶକ୍ତି ସଞ୍ଚୟ ହୋଇପାରିବ। ଆଗାମୀ ୨୫ ବର୍ଷରେ ଏହି ପଦକ୍ଷେପ ମାଧ୍ୟମରେ ପାଖାପାଖି ୨୮ ଶହ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ହେବ ବୋଲି ଆଶା କରାଯାଉଛି। ଏହି ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ପଦକ୍ଷେପ ଟିପିଏସ୍ଓଡିଏଲର ସ୍ଥାୟୀ ଶକ୍ତି ବିକଳ୍ପ ଆପଣାଇବା ପ୍ରତିବଦ୍ଧତାକୁ ଦର୍ଶାଉଛି।
 
ଏହି ସଫଳ ପଦକ୍ଷେପ ସମ୍ପର୍କରେ ମତ ଦେଇ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଆମ କର୍ପୋରେଟ ଅଫିସ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ସବୁଜ ଶକ୍ତି ଦ୍ଵାରା ପରିଚାଳିତ ହେଉଥିବାରୁ ଆମେ ଗର୍ବିତ। ସୌର ଶକ୍ତିର ଉପଯୋଗ କରି ଆମେ ପରିବେଶ ଅନୁକୂଳ ଜୀବନ ଶୈଳୀ ଏବଂ ସୁଲଭ ଶକ୍ତି ସମାଧାନ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିଛୁ। ଦକ୍ଷିଣ ଓଡ଼ିଶାରେ ସୌର ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଟିପିଏସ୍ଓଡିଏଲ୍ ସମର୍ପିତ ମନୋଭାବ ନେଇ କାମ କରୁଛି ଏବଂ ଏକ ସବୁଜ ଭବିଷ୍ୟତ ନିର୍ମାଣ କରିବା ଦିଗରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି।”
 
ସରକାରୀ ଯୋଜନା ଅଧିନରେ ଚଳିତ ଆର୍ଥିକ ବର୍ଷ ପାଇଁ ଟିପିଏସ୍ଓଡିଏଲର ଅନୁମୋଦିତ ପୁଞ୍ଜି ବିନିଯୋଗର ଏକ ଅଂଶ ଭାବରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ଟିପିଏସ୍ଓଡିଏଲର ସମସ୍ତ କାର୍ଯ୍ୟାଳୟକୁ ସୌର ଶକ୍ତି ଦ୍ଵାରା ପରିଚାଳିତ କରିବା ପାଇଁ ଏଥିରେ ଯୋଜନା ରହିଛି। ଏଭଳି ପ୍ରୟାସ ମାଧ୍ୟମରେ ଟିପିଏସ୍ଓଡିଏଲ୍ ପାରମ୍ପରିକ ଶକ୍ତି ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ ଅକ୍ଷୟ ଶକ୍ତି ଏବଂ ପରିବେଶ ଅନୁକୂଳ ଅଭ୍ୟାସ ଆପଣାଇବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ହେଉଛି ଟିପିଏସ୍ଓଡିଏଲର ଲକ୍ଷ୍ୟ । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ସୌର ପ୍ଲାଣ୍ଟର ୪୮.୯ କିଲୋୱାଟ କାର୍ଯ୍ୟକ୍ଷମ ହୋଇଥିଲା ଏବଂ ବର୍ତ୍ତମାନ ଏହି ପ୍ଲାଣ୍ଟ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟକ୍ଷମ ହୋଇଛି ।

Related Post