ଆଜିର ଖାସ ଖବର
Sat. Apr 25th, 2026

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ରୁଫଟପ୍ ସୋଲାର ପ୍ୟାନେଲ ସ୍ଥାପନ ପାଇଁ ପ୍ରକ୍ରିୟାକରଣ ଦେୟ (ପ୍ରୋସେସିଂ ଫି) ୫୦୦ ଟଙ୍କା ଛାଡ଼ କରାଗଲା

By Admin_Dainkasha Jun11,2025

ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା (ପିଏମ୍ଏସଜିଏମବିୱାଇ) ଅଧିନରେ ସମଗ୍ର ପଶ୍ଚିମ ଓଡ଼ିଶାରେ ରୁଫଟପ୍ ସୋଲାର୍ ସ୍ଥାପନ ପ୍ରକ୍ରିୟାକୁ ତ୍ୱରାନିତ କରିବା ପାଇଁ ଏକ ଅଭିନବ ନିଷ୍ପତ୍ତି ନିଆଯାଇଅଛି ।

ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ଗ୍ରାହକଙ୍କ ସୁବିଧା ନିମନ୍ତେ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ ରୁଫଟପ୍ ସୋଲାର ସିଷ୍ଟମ୍ ସ୍ଥାପନ ପାଇଁ ନେଟ୍ ମିଟରିଂ ପ୍ରକ୍ରିୟାକରଣ (ପ୍ରୋସେସଂ ଫି) ବାବଦକୁ ଦେୟ ୫୦୦ ଟଙ୍କା ଛାଡ଼ କରି ଦିଆଯାଇଅଛି । ଏହା ଦ୍ୱାରା ପେମେଣ୍ଟ ଗେଟୱେ ମାଧ୍ୟମରେ ଅନଲାଇନ୍ ଡିମାଣ୍ଡ ନୋଟ୍ ଜେନେରେସନ୍ ଏବଂ ପେମେଣ୍ଟର ଆବଶ୍ୟକତାକୁ ଦୂର କରିବା ସହ ଆବେଦନ ପ୍ରକ୍ରିୟାକୁ ଅଧିକ ସହଜ କରାଯାଇଅଛି । ତେବେ ଏହାକୁ ଟିପିଡବ୍ଲୁଓଡିଏଲ୍ କତୃପକ୍ଷ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାଇ ଯେକୌଣସି ବିଦ୍ୟୁତ୍ ଗ୍ରାହକ ଅନଲାଇନ୍ ମାଧ୍ୟମରେ ରୁଫଟଫ୍ ସୋଲାର ସିଷ୍ଟମ ସ୍ଥାପନ ପାଇଁ ଆବେଦନ କଲେ ଆଉ ପ୍ରୋସେସିଂ ଫି ଦେବାକୁ ପଡ଼ିବ ନାହିଁ । ଏହାକୁ ମାନ୍ୟବର ବିଦ୍ୟୁତ୍ ନିୟାମକ ଆୟୋଗ ମଧ୍ୟ ଅନୁମୋଦିତ କରିଅଛନ୍ତି ।

ସୂଚନାଥାଉ କି, ପୂର୍ବରୁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ୧୦ କିଲୋୱାଟ୍ ପର୍ଯ୍ୟନ୍ତ ରୁଫଟପ୍ ସୋଲାର ସିଷ୍ଟମ୍ ସ୍ଥାପନ ପାଇଁ ଟେକ୍ନିକାଲ୍ ଫିଜିବିଲିଟି ଷ୍ଟଡିର ଆବଶ୍ୟକତା ଛାଡ଼ କରିଦିଆ ଯାଇଥିଲା । ସେହିପରି ସାଇଟ୍ ନିରୀକ୍ଷଣ, ନେଟ୍ ମିଟରିଂ ଚୁକ୍ତିନାମା ସ୍ୱାକ୍ଷର, ନେଟ୍ ମିଟର ସ୍ଥାପନ ଇତ୍ୟାଦି ପାଇଁ ଲାଗୁଥିବା ସମୟକୁ ମଧ୍ୟ ହ୍ରାସ କରାଯାଇଥିଲା ।

ଏହି ଯୋଜନାକୁ ଅଧିକରୁ ଅଧିକ ଗ୍ରାହକ ଅନୁକୂଳ କରିବା ପାଇଁ, ଟିପିଡବ୍ଲୁଓଡିଏଲ୍ ନିୟାମକ ଢାଞ୍ଚା ମଧ୍ୟରେ ପ୍ରକ୍ରିୟା ଗୁଡ଼ିକୁ ସରଳ କରିବାକୁ ନିରନ୍ତର ଚେଷ୍ଟା କରୁଅଛି । ଏହି ପରିପ୍ରେକ୍ଷୀରେ, ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ପ୍ରକାଶ କରିଛନ୍ତି ଯେ, ଟିପିଡବ୍ଲୁଓଡିଏଲ୍ ଗ୍ରାହକ-କେନ୍ଦ୍ରିକ ଉପାୟରେ ସବୁଜ ଶକ୍ତି ଗ୍ରହଣକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ ରହିଛି । ମୂଲ୍ୟ ଏବଂ ପ୍ରକ୍ରିୟାଗତ ପ୍ରତିବନ୍ଧକ ଗୁଡ଼ିକୁ ଦୂର କରି, ଆମେ ଅଧିକ ଗ୍ରାହକଙ୍କୁ ସୌର ଶକ୍ତି ବ୍ୟବହାର କରିବାକୁ ଏବଂ ଏକ ସବୁଜ ଭବିଷ୍ୟତ ପାଇଁ ଯୋଗଦାନ ଦେବା ସହିତ ସେମାନଙ୍କର ମାସିକ ବିଦ୍ୟୁତ୍ ବିଲ୍ ହ୍ରାସ ଘଟାଇବାକୁ ଲକ୍ଷ୍ୟ ରଖିଛୁ ।

ପ୍ରକଶାଥାଉ କି, ଏହି ଯୋଜନା ଅନୁଯାଇ ଗ୍ରାହକମାନଙ୍କୁ ଭାରତ ସରକାରଙ୍କ ତରଫରୁ ୭୮ ହଜାର ଟଙ୍କା ପର୍ଯ୍ୟନ୍ତ ଏବଂ ରାଜ୍ୟ ସରକାରଙ୍କ ତରଫରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ସମସ୍ତ ଗ୍ରାହକଙ୍କୁ ଏତଦ୍ ଦ୍ୱାରା ସୂଚାଇ ଦିଆଯାଉଅଛି ଯେ, ଏହି ଯୋଜନାର ଲାଭ ଉଠାନ୍ତୁ ଏବଂ ସୌର ଶକ୍ତି ଉତ୍ପାଦନ କରି ମାସିକ ବିଦ୍ୟୁତ୍ ବିଲ୍ ହ୍ରାସ କରନ୍ତୁ ।

ଅଧୂକ ବିବରଣୀ ପାଇଁ ଟିପିଡବ୍ଲୁଓଡିଏଲ୍ ଦେୟମୁକ୍ତ ନମ୍ବର ୧୮୦୦-୩୪୫୬-୭୯୮ ରେ କଲ କରିପାରିବେ କିମ୍ବା ଅନଲାଇନ ମାଧ୍ୟମ www.pmsuryaghar.gov.in ରେ ଆବେଦନ କରିପାରିବେ।

Related Post