ଆଜିର ଖାସ ଖବର
Thu. Apr 16th, 2026

ଅନଲାଇନ ସମ୍ୱାଦ ବିତରଣ

By Dainikasha Jul12,2024

‘ଟେଲକମ ରେଗୁଲେଟରୀ ଅଥାରିଟି ଅଫ ଇଣ୍ଡିଆ’ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଦେଶରେ ୮୨ କୋଟି ୫୦ ଲକ୍ଷ ଇଣ୍ଟରନେଟ ଗ୍ରାହକଙ୍କୁ ସେବା ଯୋଗାଇ ଦିଆଯାଉଥିଲା । ଏଥିମଧ୍ୟରେ ୭୯ କୋଟି ୯୦ ଲକ୍ଷ ୱାଏରଲେସ ଥିବା ସ୍ଥଳେ ୨ କୋଟି ୬୦ ଲକ୍ଷ ୱାଇରଡ଼ ଏବଂ ୭୭ କୋଟି ୮୦ ଲକ୍ଷ ବ୍ରଡ଼ବ୍ୟାଣ୍ଡ ଓ ୪ କୋଟି ୭ ଲକ୍ଷ ନେରୋବ୍ୟାଣ୍ଡ ସଂଯୋଗ ଅନ୍ତର୍ଭୁକ୍ତ ।

ଅଗ୍ରଣୀ ବାଣିଜ୍ୟ-ବ୍ୟବସାୟ ଗବେଷଣା ପ୍ରତିଷ୍ଠାନ ‘କାନ୍ତାର’ ପକ୍ଷରୁ ପ୍ରକାଶିତ ‘ଆଇକ୍ୟୁବ ୨୦୨୦’ ରିପୋର୍ଟ ଆକଳନରେ ଭାରତରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୨୦୨୦ରୁ ୨୦୨୫ ପାଞ୍ଚ ବର୍ଷ ମଧ୍ୟରେ ୪୫ ପ୍ରତିଶତ ବୃଦ୍ଧିପ୍ରାପ୍ତ ହୋଇ ୯୦ କୋଟିରେ ପହଞ୍ଚିବ । ଏଥିରେ ଦର୍ଶାଯାଇଛି ଯେ ୨୦୨୫ ସୁଦ୍ଧା ଗ୍ରାମାଞ୍ଚଳରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ସହରାଞ୍ଚଳକୁ ଟପିବ ।

ଦୁଇ ମାର୍କିନ ଗଣମାଧ୍ୟମ ଇ-କମର୍ସ ପରାମର୍ଶଦାତା ‘ମାସ’ ଓ ‘ସେନସର’ ଆନୁକୂଲ୍ୟରେ ଦକ୍ଷିଣ-ପୂର୍ବ ଏସିଆ ଓ ଭାରତରେ ମହାମାରୀ-ପର ଅବସ୍ଥାରେ ଅନଲାଇନ ବ୍ୟବସାୟ ସଂପର୍କରେ ‘ଦି ଡ଼ାନ ଅଫ ନ୍ୟୂ-ଏଜ ସପର ଇନ ଦି ନ୍ୟୂ-ନରମାଲ’ ବିବରଣୀରେ ଭାରତରେ ଇଣ୍ଟରନେଟ ବ୍ୟବହାର ସଂପର୍କୀତ ହିସାବ ୨୦୨୧ ଚ଼ତୁର୍ଥ ତ୍ରୟମାସରେ ପ୍ରକାଶିତ ହୋଇଛି । ଏଥିରେ ଭାରତୀୟମାନେ ଦୈନିକ ହାରାହାରି ୪.୯ ଘଣ୍ଟା ଲକଡ଼ାଉନ ପୂର୍ବରୁ ଅନଲାଇନରେ ସମୟ ଅତିବାହିତ କରୁଥିବା ସ୍ଥଳେ ତାହା ଲକଡ଼ାଉନ ସମୟରେ ୬.୯ ଘଣ୍ଟାକୁ ବୃଦ୍ଧି ପାଇ ଲକଡ଼ାଉନ-ପର ଅବସ୍ଥାରେ ୫.୨ ଘଣ୍ଟା ହିସାବ କରାଯାଇଛି ।

ଏହି ତିନିଗୋଟି ବିଶ୍ୱାସଯୋଗ୍ୟ ପ୍ରତିଷ୍ଠାନର ପରିସଂଖ୍ୟାନରୁ ସ୍ପଷ୍ଟ ଜଣାଯାଏ ଯେ ଭାରତରେ ଇଣ୍ଟରନେଟ ଉପଭୋକ୍ତା ସଂଖ୍ୟା ୮୨ କୋଟିରେ ପହଞ୍ଚିଥିବା ସ୍ଥଳେ ୨୦୨୫ ସୁଦ୍ଧା ୯୦ କୋଟିରୁ ଉର୍ଦ୍ଧ୍ୱ ଉପଭୋକ୍ତା ଅନଲାଇନରେ ଉପଲବ୍ଧ ହେବେ । ଏମାନଙ୍କ ମଧ୍ୟରେ ଗ୍ରାମାଞ୍ଚଳ ଓ ବ୍ରଡ଼ବ୍ୟାଣ୍ଡ ବ୍ୟବହାରକାରୀ ସଂଖ୍ୟା ଅଧିକ ରହିବ । ସ୍ଥାନୀୟ ପରିବେଶରେ ଇଣ୍ଟରନେଟ ଉପଭୋକ୍ତା ହାରାହାରି ଦୈନିକ ପାଞ୍ଚ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅନଲାଇନରେ କାଟୁଛନ୍ତି ।

ଭାରତରେ ଅର୍ଦ୍ଧାଧିକ ଜନସାଧାରଣ ଇଣ୍ଟରନେଟ ସୁବିଧାସୁଯୋଗ ହାସଲ କରିସାରିଥିବା ଏବଂ ଦୈନିକଭିତ୍ତିରେ ଏକଚ଼ତୁର୍ଥାଂଶ ସମୟ ଅନଲାଇନରେ ଉପସ୍ଥିତି ସ୍ୱାଭାବିକଭାବେ ସେମାନଙ୍କ ବ୍ୟାବହାରିକ ଜୀବନଯାତ୍ରାକୁ ପ୍ରଭାବିତ କରୁଛି । ‘ଆଇକ୍ୟୁବ ୨୦୨୦’ ରିପୋର୍ଟ ଅନୁଯାୟୀ ଦେଶରେ ଇଣ୍ଟରନେଟ ଉପଭୋକ୍ତାମାନଙ୍କ ମଧ୍ୟରୁ ୮୨ ପ୍ରତିଶତ ସୋସିଆଲ ମିଡ଼ିଆ ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ପାରସ୍ପରିକ ଯୋଗାଯୋଗସହ ସମ୍ୱାଦ ଓ ସୂଚ଼ନା ବିତରଣ ତଥା ମନୋରଞ୍ଜନ ମୁଖ୍ୟ ସ୍ଥାନ ଅଧିକାର କରିଥାଏ ।

ଅନଲାଇନ ପରିବେଶର ବ୍ୟାପ୍ତି, ଉପଭୋକ୍ତାଙ୍କ ସଂଖ୍ୟା ଓ ବ୍ୟବହାର ସମୟସୀମା ବୃଦ୍ଧି ତଥା ସୋସିଆଲ ମିଡ଼ିଆରେ ଉପସ୍ଥିତି ପାରମ୍ପରିକ ସମ୍ୱାଦ ବିତରଣ ପ୍ରକ୍ରିୟାକୁ ପ୍ରଭାବିତ କରିବାରେ ଲାଗିଛି । ଏ ସଂପର୍କରେ ଭାରତକେନ୍ଦ୍ରୀକ ତଥ୍ୟ ସଂକଳିତ ହୋଇନପାରିଥିଲେ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ଖ୍ୟାତନାମା ‘ପିଉ ରିସର୍ଚ୍ଚ ସେଣ୍ଟର’ ପକ୍ଷରୁ ୨୦୨୧ ଜୁଲାଇ ୨୬ରୁ ଅଗଷ୍ଟ ୮ ମଧ୍ୟରେ ଏଗାର ହଜାରରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀଙ୍କୁ ନେଇ ଆୟୋଜିତ ଏକ ସର୍ବେକ୍ଷଣରେ ପ୍ରାୟ ଅର୍ଦ୍ଧେକ, ୪୮ ପ୍ରତିଶତ ମାର୍କିନ ପ୍ରାପ୍ତବୟସ୍କ ସୋସିଆଲ ମିଡ଼ିଆରୁ ସମ୍ୱାଦ ଆହରଣ କରୁଥିବା ସ୍ୱୀକାର କରିଥିଲେ ।

ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ମଧ୍ୟରେ ଫେସବୁକରେ ସର୍ବାଧିକ ୩୧ ପ୍ରତିଶତ, ୟୁଟ୍ୟୁବରେ ୨୨ ପ୍ରତିଶତ, ଟୁଇଟରରେ ୧୩ ପ୍ରତିଶତ ଓ ଇନଷ୍ଟାଗ୍ରାମରେ ୧୧ ପ୍ରତିଶତ ସମ୍ୱାଦ ସୂତ୍ରଭାବେ ଗ୍ରହଣ କରିଥାନ୍ତି । ଅନ୍ୟାନ୍ୟ ସୋସିଆଲ ମିଡ଼ିଆ ମଞ୍ଚ ମଧ୍ୟରେ ରିଡିଟରେ ୭ ପ୍ରତିଶତ, ଟିକଟକରେ ୬ ପ୍ରତିଶତ, ଲିଙ୍କଡ଼ଇନରେ ୪ ପ୍ରତିଶତ, ସ୍ନାପଚାଟରେ ୪ ପ୍ରତିଶତ, ହ୍ୱାଟସଆପରେ ୩ ପ୍ରତିଶତ ଓ ଟୁଇଟରରେ ଏକ ପ୍ରତିଶତ ଉପଭୋକ୍ତା ସମ୍ୱାଦ ଗ୍ରହଣ ପାଇଁ ନିର୍ଭରଶୀଳ ।

‘ପିଉ ରିସର୍ଚ୍ଚ’ ଗବେଷଣାରୁ ଜଣାଯାଇଛି ଯେ ସୋସିଆଲ ମିଡ଼ିଆରେ ସମ୍ୱାଦ ଖୋଜିବା ଧାରା ୨୦୨୦ ତୁଳନାରେ ୨୦୨୧ରେ ପ୍ରାୟତଃ ସମାନ ରହିଥିଲା । କେବଳ ଫେସବୁକ ମଞ୍ଚକୁ ୨୦୨୦ରେ ୩୬ ପ୍ରତିଶତ ସମ୍ୱାଦ ସୂତ୍ରଭାବେ ବ୍ୟବହାର କରୁଥିବା ସ୍ଥଳେ ୨୦୨୧ରେ ପାଞ୍ଚ ପ୍ରତିଶତ ଖସି ୩୧ ପ୍ରତିଶତରେ ପହଞ୍ଚିଥିଲା । ଫେସବୁକରେ ୩୫ ପ୍ରତିଶତ ପୁରୁଷ ଏବଂ ୬୪ ପ୍ରତିଶତ ମହିଳା ସମ୍ୱାଦ ଆହରଣ ନିମନ୍ତେ ନିର୍ଭରଶୀଳ ।

ଯୁକ୍ତରାଷ୍ଟ୍ର ଆମେରିକାରେ ସୋସିଆଲ ମିଡ଼ିଆରେ ସମ୍ୱାଦ ବିତରଣ ସଂପର୍କୀତ ପରିସଂଖ୍ୟାନ ଭାରତ ପାଇଁ ଊଣାଅଧିକେ ପ୍ରଯୁଜ୍ୟ ବିଚାର କରାଯାଇପାରେ । ମହାମାରୀ-ପର ଅବସ୍ଥାରେ ଦେଶର ପାରମ୍ପରିକ ଗଣମାଧ୍ୟମ ମୁଦ୍ରଣ, ଟେଲିଭିଜନ, ସିନେମା ଓ ରେଡ଼ିଓ ବ୍ୟାବସାୟିକ ଦୁଃସ୍ଥିତିରେ ସମ୍ମୁଖୀନ ହୋଇଛନ୍ତି । ମୁଖ୍ୟତଃ, ସମ୍ୱାଦ ଶିଳ୍ପ ବ୍ୟାପକ ପ୍ରଭାବିତ ହୋଇଛି । ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ ଏକ ପକ୍ଷରେ କାଗଜ, ପରିବହନ ଓ ଆନୁସଙ୍ଗିକ ଖର୍ଚ୍ଚ ବଢ଼ି ଚାଲିଥିବା ସ୍ଥଳେ ଅପରପକ୍ଷରେ ଉଭୟ ବିଜ୍ଞାପନ ଓ ପ୍ରସାର ସଂଖ୍ୟା ୨୫ରୁ ୪୦ ପ୍ରତିଶତ ଯାଏଁ ହ୍ରାସ ପାଇଛି । ନିବେଶ ଅଭାବରୁ ପ୍ରସ୍ତୁତ ଭିତ୍ତିଭୂମିର ପୂର୍ଣ୍ଣ ଉପଯୋଗ କିମ୍ୱା ଡ଼ିଜିଟାଲ ମିଡ଼ିଆର ମୁକାବିଲା ସଂଭବ ହୋଇପାରୁ ନାହିଁ ।

ଅନ୍ୟତମ ନିର୍ଭରଶୀଳ ବାଣିଜ୍ୟ ଗବେଷଣା ପ୍ରତିଷ୍ଠାନ ‘ଡ଼େଣ୍ଟସୁ’ର ରିପୋର୍ଟ ଅନୁଯାୟୀ ମହାମାରୀ ହେତୁ ୨୦୨୦ରେ ଭାରତୀୟ ବିଜ୍ଞାପନ ବ୍ୟୟ ୧୩ ପ୍ରତିଶତ ହ୍ରାସ ପାଇଥିଲା ଏବଂ ୨୦୨୧ରେ ୧୦ ପ୍ରତିଶତ ଅଭିବୃଦ୍ଧି ସମ୍ଭବ । ତେବେ ବିଜ୍ଞାପନ ବ୍ୟୟ ମୁଖ୍ୟତଃ ମନୋରଞ୍ଜନ ମୁହାଁ ହେଉଥିବା ହେତୁ ସମ୍ୱାଦ ଭାଗକୁ ମାତ୍ର ୮ ପ୍ରତିଶତ ପଡ଼ିଥାଏ । ଏହି ପରିବେଶରେ ମୁଦ୍ରିତ ସମ୍ୱାଦପତ୍ର ବିଜ୍ଞାପନ ଦର ୪୦ ପ୍ରତିଶତ ଯାଏଁ କମାଇ ଦେଲେ ସୁ୍ଦ୍ଧା ଆୟ ଓ ବ୍ୟୟରେ ସମତୁଲ ରକ୍ଷା ହୋଇପାରୁ ନାହିଁ ।

ଜାତୀୟସ୍ତରର ଗଣମାଧ୍ୟମ ସମୀକ୍ଷକମାନେ କହୁଛନ୍ତି ଯେ ମୁଦ୍ରିତ ସମ୍ୱାଦପତ୍ର ଓ ସମ୍ୱାଦ ଟେଲିଭିଜନ ଶିଳ୍ପ ବିଗତ ଦଶକରେ ଲାଭ ପ୍ରାୟ ୯୦ ପ୍ରତିଶତ କମି ଆସିଛି । ମୁଖ୍ୟତଃ ୨୦୦୩ରୁ ୨୦୦୮ ମଧ୍ୟରେ ବିଭିନ୍ନ କାରଣରୁ ଯେଭଳି ଅବିଚାରିତ ଭାବେ ସମ୍ୱାଦ ମଞ୍ଚ ସଂଖ୍ୟା ବଢ଼ି ଚାଲିଥିଲା ତାହା ୨୦୦୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ସୃଷ୍ଟ ମାନ୍ଦାବସ୍ଥା ଓ ପରବର୍ତ୍ତୀ ପର୍ଯ୍ୟାୟରେ ଆନ୍ତର୍ଜାତିକସ୍ତରରେ ପ୍ରଭାବ ହେତୁ ଦୁର୍ଦ୍ଦଶାର କାରଣ ପାଲଟିଛି । ପ୍ରଥମେ ବିଚାର କରାଯାଉଥିଲା ଯେ ପାଶ୍ଚାତ୍ୟ ଗଣମାଧ୍ୟମରେ ସୃଷ୍ଟ ସଂକଟରେ ଭାରତ, ମୁଖ୍ୟତଃ ଆଞ୍ଚଳିକ ଭାଷାରେ ଗଣମାଧ୍ୟମ ଶିଳ୍ପ ପ୍ରଭାବିତ ହେବ ନାହିଁ । କିନ୍ତୁ ମହାମାରୀ-ପୂର୍ବାବସ୍ଥାରୁ ଏହା ଭୂଲ ପ୍ରମାଣିତ ହୋଇଛି । ଫଳସ୍ୱରୂପ ୨୦୨୧ ଶେଷ ସୁଦ୍ଧା ବହୁ ପାରମ୍ପରିକ ସମ୍ୱାଦ ଶିଳ୍ପ ମିଶ୍ରଣ ‘କନସୋଲଡ଼େସନ’ କିମ୍ୱା ଅଧିଗ୍ରହଣ ‘ଟେକ ଓଭର’ ନିମନ୍ତେ ପ୍ରସ୍ତୁତ ହେବାରେ ଲାଗିଛନ୍ତି ।

ଶୁଣାଯାଉଛି ଯେ ଆଦାନୀ ଏଣ୍ଟରପ୍ରାଇଜର୍ସ ଗଣମାଧ୍ୟମ ପରିସରରେ ଅବତୀର୍ଣ୍ଣ ହେବ । ନିବେଶ ଅଭାବରୁ ସଂଘର୍ଷ କରୁଥିବା କେତେକ ପାରମ୍ପରିକ ସମ୍ୱାଦ ଶିଳ୍ପକୁ ଅଧିଗ୍ରହଣ ଏବଂ କୌଣସି ବୈଦେଶିକ ସମ୍ୱାଦ ସଂସ୍ଥା ସହଯୋଗରେ ନୂତନ ମଞ୍ଚ ସୃଷ୍ଟି ବିକଳ୍ପ ସୁଯୋଗ ରହିଛି । ଆଦାନୀ ପକ୍ଷରୁ ସଞ୍ଜୟ ପାଗାରିଆଙ୍କୁ ମୁଖ୍ୟ ସମ୍ପାଦକଭାବେ ନିଯୁକ୍ତ କରାଯିବା ଘଟଣାକ୍ରମ ସଂଗଠନର ଭବିଷ୍ୟତ ଗଣମାଧ୍ୟମ କାର୍ଯ୍ୟକ୍ରମକୁ ସୂଚ଼ିତ କରିଥାଏ । ପାଗାରିଆ ଡିଜିଟାଲ ମଞ୍ଚ ‘ଦି କୁଇଣ୍ଟ’ର ଅଧ୍ୟକ୍ଷଭାବେ ଦୀର୍ଘଦିନ କାର୍ଯ୍ୟ କରିଆସିଥିଲେ । ତାଙ୍କରି ଅଭିଜ୍ଞତା ଆଦାନୀ ଏଣ୍ଟରପ୍ରାଇଜର୍ସଙ୍କୁ ଅତ୍ୟାଧୁନିକ ଗଣମାଧ୍ୟମ ଉତ୍ପାଦ ସୃଷ୍ଟିରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ଭାରତରେ ଅନଲାଇନ ସମ୍ୱାଦ ପରିବେଶ ପାରମ୍ପରିକ ସମ୍ୱାଦ ଶିଳ୍ପକୁ ଗଭୀର ପ୍ରଭାବିତ କରିବା ନିଶ୍ଚିତ । ସ୍ଥାନୀୟ ସମ୍ୱାଦ ଉପଭୋକ୍ତାଙ୍କ ସମ୍ୱାଦ ଆହରଣ ଅଭ୍ୟାସ ପ୍ରାୟତଃ ବଦଳି ଆସିଲାଣି ବୋଲି କହିବାକୁ ହେବ । ‘ମାସ’ ଓ ‘ସେନସର’ ରିପୋର୍ଟ ଅନୁଯାୟୀ ଇଣ୍ଟରନେଟ ଉପଭୋକ୍ତାଙ୍କ ଦୈନିକ ହାରାହାରି ପାଞ୍ଚ ଘଣ୍ଟା ଅନଲାଇନ ଉପସ୍ଥିତି ଏବଂ ଇ-କମର୍ସ କ୍ଷେତ୍ରରେ ୨୦୨୪ ସୁଦ୍ଧା ମହାମାରୀ-ପୂର୍ବାବସ୍ଥା ତୁଳନାରେ ୮୪ ପ୍ରତିଶତ ଅଭିବୃଦ୍ଧି ପୂର୍ବାନୁମାନ ସମଧାରାରେ ସମ୍ୱାଦକ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ବିଚାର କରାଯାଇପାରେ । 

Related Post