ଆଜିର ଖାସ ଖବର
Mon. Jul 27th, 2026

ଆଞ୍ଚଳିକ ଲଘୁ ସମ୍ୱାଦପତ୍ରର ପ୍ରଭାବ

By Dainikasha Jul11,2024

ଆଞ୍ଚଳିକ ଲଘୁ ସମ୍ୱାଦପତ୍ରଗୁଡ଼ିକ ବିକଶିତ ରାଷ୍ଟ୍ରମାନଙ୍କରେ ଗଣମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ପ୍ରକାଶିତ ହେଉଥିଲେ ହେଁ ବିକଶିତ ରାଷ୍ଟ୍ର ତୁଳନାରେ ପ୍ରଭାବ ବିସ୍ତାରରେ ସମର୍ଥ ହୋଇପାରି ନଥାନ୍ତି । ଉଦାହରଣରେ ଭାରତ ସହ ଯୁକ୍ତରାଷ୍ଟ୍ର ଆମେରିକାର ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ପରିବେଶ ତୁଳନା କରାଯାଇପାରେ ।

ଭାରତରେ ଆଞ୍ଚଳିକ ଲଘୁ ସମ୍ୱାଦପତ୍ରଗୁଡ଼ିକ ବ୍ୟକ୍ତିବିଶେଷ ବା ଛୋଟମୋଟ ପ୍ରକାଶନ ସଂସ୍ଥାଦ୍ୱାରା ପ୍ରକାଶିତ ହେଉଥିବା ସ୍ଥଳେ ଆମେରିକାରେ ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ପ୍ରକାଶନ ସହ ବୃହତ ଓ ମଧ୍ୟମ ଧରଣର ପ୍ରକାଶନ ସଂସ୍ଥା ସଂପୃକ୍ତ । ଏଠାରେ ଅଧିକାଂଶ ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ଗୋଟିଏ ସଂସ୍କରଣ ପ୍ରକାଶନରେ ସୀମିତ ଏବଂ ବ୍ୟାବସାୟିକ ଦୃଷ୍ଟିରୁ ପର୍ଯ୍ୟାପ୍ତ ପୁଞ୍ଜିଲଗାଣ ଅଭାବ ସାମ୍ନା କରିଥାନ୍ତି । କିନ୍ତୁ ସେଠି ବଡ଼ ବଡ଼ କମ୍ପାନୀଦ୍ୱାରା ବହୁ ସଂସ୍କରଣ ବିଶିଷ୍ଟ ବିପୁଳ ପୁଞ୍ଜିଲଗାଣରେ ଆଞ୍ଚଳିକ ଲଘୁ ସମ୍ବାଦପତ୍ରମାନ ପ୍ରକାଶିତ ହୋଇଥାଏ ।

ଆମେରିକାରେ ଛୋଟ ବଡ଼ ସହର ବ୍ୟତୀତ ସମସ୍ତ ‘କାଉଣ୍ଟି’ ବା ଜିଲ୍ଲାସ୍ତରରେ ପର୍ଯ୍ୟାପ୍ତ ପରିମାଣରେ ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ପ୍ରକାଶନ ବ୍ୟବସ୍ଥା ରହିଛି । ଗଭୀର ଆଞ୍ଚଳିକତା ‘ହାଇପର ଲୋକାଲାଇଜେସନ’ ଧାରାରେ ନିର୍ଦ୍ଦିଷ୍ଟ ଅଞ୍ଚଳଭିତ୍ତିକ ସମ୍ୱାଦପତ୍ର ସ୍ଥାନୀୟ ସାମ୍ୱାଦିକତାରେ ପ୍ରଭାଶାଳୀ ଭୂମିକା ନିର୍ବାହ କରିଥାଏ । ପ୍ରାୟ ତିନିହଜାର ଜନସଂଖ୍ୟା ବିଶିଷ୍ଟ ବସତି ନିମନ୍ତେ ଅନ୍ତତଃପକ୍ଷେ ଗୋଟିଏ ପାକ୍ଷିକ ଲଘୁ ସମ୍ୱାଦପତ୍ର ପ୍ରକାଶିତ ହେଉଥିବା ଦେଖିବାକୁ ମିଳିଥାଏ ।

ଆମେରିକାର ଆଞ୍ଚଳିକ ଲଘୁ ସମ୍ୱାଦପତ୍ରଗୁଡ଼ିକ ବିଜ୍ଞାପନଆଶ୍ରିତ ବ୍ୟାବସାୟିକ ଧାରାରେ ପରିଚ଼ାଳିତ ।ଏଥିରେ ସ୍ଥାନୀୟ ଦୋକାନ ବଜାର ସମେତ ବ୍ୟକ୍ତିଗତସ୍ତରରେ ବିଭିନ୍ନ ସେବା ଆଦାନପ୍ରଦାନ ସଂପର୍କିତ ବିଜ୍ଞାପନ ମୁଖ୍ୟସ୍ଥାନ ଅଧିକାର କରିଥାଏ । ବର୍ଗୀକୃତ ‘କ୍ଳାସିଫାଏଡ଼’ ବିଜ୍ଞାପନଗୁଡ଼ିକ ବ୍ୟାବସାୟିକ ରାଜସ୍ୱର ପ୍ରମୁଖ ଭାଗ ଭରଣା ପାଇଁ ଦାୟୀ ।

ଏଭଳି ସମ୍ୱାଦପତ୍ରରେ ପର୍ଯ୍ୟାପ୍ତ ସଂଖ୍ୟକ ସାମ୍ୱାଦିକ ନିଯୁକ୍ତ ଥିବା ତଥା ତୃଣମୂଳସ୍ତର ସମ୍ୱାଦସଂଗ୍ରହ ନିମନ୍ତେ ନିୟୋଜିତ ହେଉଥିବା ହେତୁ ସ୍ଥାନୀୟ ପ୍ରଶାସନ, ନାଗରିକ ସୁବିଧା ସୁଯୋଗ ଓ ସାମାଜିକ-ସାଂସ୍କୁତିକ-ଅର୍ଥନୀତିକ ଜୀବନ ବିକାଶରେ ସବିଶେଷ ଯୋଗଦାନ କରୁଥିବା ଅନୁଭୂତ ହୋଇଥାଏ । ତେବେ ବିଗତ ଦଶକର ଆର୍ଥିକ ମାନ୍ଦାବସ୍ଥା ପ୍ରଭାବରେ ବିଜ୍ଞାପନ ରାଜସ୍ୱ କ୍ଷୟ, ସମ୍ୱାଦପତ୍ର ପ୍ରକାଶନ ଖର୍ଚ୍ଚ ବୃଦ୍ଧି ଓ ସୋସିଆଲ ମିଡ଼ିଆ ମାଧ୍ୟମରେ ଅନଲାଇନ ସମ୍ୱାଦ ପରିବେଷଣ ଲୋକପ୍ରିୟତା ହାସଲ କରିବା ହେତୁ ଆମେରିକାର ମୁଦ୍ରିତ ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ପ୍ରକାଶନ ଶିଳ୍ପ ଗଭୀର ପ୍ରଭାବିତ ହୋଇଛି । ନିକଟ ଅତୀତରେ ବହୁ ପ୍ରକାଶନ ବନ୍ଦ ହୋଇଛି ଏବଂ ବନ୍ଦ ହେବାରେ ଲାଗିଛି ।

ଆମେରିକାରେ ଅନଲାଇନ ପରିବେଶ ପ୍ରଭାବରେ ମୁଦ୍ରିତ ସମ୍ୱାଦ ଶିଳ୍ପ ୨୦୧୮ ସୁଦ୍ଧା ରୁଗଣପ୍ରାୟ ଅବସ୍ଥାରେ ଆସି ପହଞ୍ଚିଥିବା ଲକ୍ଷ୍ୟ କରାଯାଏ । ତେବେ ସାମ୍ୱାଦିକତାକ୍ଷେତ୍ରରେ ମୁଦ୍ରିତ ସମ୍ୱାଦ ଶିଳ୍ପର ପରାକାଷ୍ଠା ଅନଲାଇନ ସମ୍ୱାଦ ପ୍ରଚ଼େଷ୍ଟାରେ ପ୍ରତିଫଳିତ ହୋଇ ପାରୁ ନାହିଁ । ବିଶେଷକରି ସ୍ଥାନୀୟ ପ୍ରଶାସନର ତୃଟିବିତୃଟି ସଜାଡ଼ିବା ଓ ସାର୍ବଜନୀନ ସୁବିଧାସୁଯୋଗ ହାସଲ ନିମନ୍ତେ ଆଞ୍ଚଳିକ ଲଘୁ ସମ୍ୱାଦପତ୍ରର ସାମ୍ୱାଦିକମାନେ ଅତୀନ୍ଦ୍ରପ୍ରହରୀ ରୂପେ କାର୍ଯ୍ୟ କରୁଥିବାବେଳେ, ମୁଦ୍ରିତ ସମ୍ୱାଦପତ୍ରର ଅନୁପସ୍ଥିତିରେ ସେ ଦିଗରେ ଅନଲାଇନ ସାମ୍ୱାଦିକତା ପ୍ରଭାବଶୂନ୍ୟ ମନେହେଉଛି ।

ଆମେରିକାର ଚ଼ିକାଗୋ ସହରର ନଟ୍ରେଡ଼ାମେ ଓ ଇଲିଅନ୍ସ ବିଶ୍ୱବଦ୍ୟାଳୟର କେତେଜଣ ଅଧ୍ୟାପକ ୨୦୪ ଗୋଟି କାଉଣ୍ଟିରେ ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ପ୍ରକାଶନ ଓ ସ୍ଥାନୀୟ ପୌର ପ୍ରଶାସନରେ ସାମ୍ୱାଦିକତାର ପ୍ରଭାବ ସଂପର୍କରେ ୧୯୯୬ରୁ ୨୦୧୫ କୋଡ଼ିଏ ବର୍ଷର ଇତିହାସ ଅନୁଶୀଳନ କରିଥିଲେ । ସେମାନଙ୍କ ଗବେଷଣାରୁ ଜଣାଯାଇଛି ଯେ ଯେଉଁ କାଉଣ୍ଟିଗୁଡ଼ିକରେ ମୁଦ୍ରିତ ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ପ୍ରକାଶନ ସଂଖ୍ୟା ଦୁଇ ବା ଏକକୁ କମି ଆସିଛି ସେଠାକାର ପୌର ପ୍ରଶାସନରେ ଶୀଥିଳତା ଅନୁଭୂତ ହେଉଛି । ଅପରପକ୍ଷେ ଯେଉଁ କାଉଣ୍ଟିଗୁଡ଼ିକରେ ମୁଦ୍ରିତ ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ପ୍ରକାଶନ ବନ୍ଦ ହୋଇନାହିଁ ଏବଂ ଗତ ଦୁଇ ଦଶନ୍ଧିଧରି ପୂର୍ବବତ ରହିଛି ସେଠାକାର ପୌର ପ୍ରଶାସନ ଅପେକ୍ଷାକୃତ ଉତ୍ତମ କାର୍ଯ୍ୟ କରୁଛି ।

ଏହି ଗବେଷଣାରୁ ଜଣାଯାଇଛି ଯେ କେତେକ କାଉଣ୍ଟିରେ ମୁଦ୍ରିତ ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ପ୍ରକାଶନ ବନ୍ଦର ତିନିବର୍ଷ ପରେ ସ୍ଥାନୀୟ ସମ୍ୱାଦିକତାର ସମୀକ୍ଷା ଅଭାବରେ ପୌର ପ୍ରଶାସନଗୁଡ଼ିକରେ ଆର୍ଥିକ ମାନ୍ଦାବସ୍ଥା, କର୍ମଚାରୀଙ୍କ ବିଶୃଙ୍ଖଳିତ ଆଚ଼ରଣ ଓ ଟିକସ ହାର ବୃଦ୍ଧି ଘଟିଛି । ସ୍ଥାନୀୟ ସାମ୍ୱାଦିକତା ବିଷୟକେନ୍ଦ୍ରୀକ ସଚ଼େତନତା ‘ଏକ୍ଟିଭିଜମ’, ଗଣତାନ୍ତ୍ରିକ ଭିତ୍ତିଭୂମି ଓ ପ୍ରଶାସନିକ ଗୁଣବତ୍ତା ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପ୍ରମାଣିତ ହୋଇଛି । ତୃଣମୂଳସ୍ତରରେ ସ୍ଥାନୀୟ ପ୍ରଶାସନିକ ସେବାରେ ସାମ୍ୱାଦିକତାର ପ୍ରଭାବ ଆମେରିକାରେ ଯାହାସବୁ ଗବେଷଣାଦ୍ୱାରା ଆକଳନ କରାଯାଇଛି ତାହା ବିଶ୍ୱର କୋଣ ଅନୁକୋଣରେ ଊଣାଅଧିକେ ଅନୂଭୂତ ହେବା ସ୍ୱାଭାବିକ ।

ଓଡ଼ିଶାରେ ମୁଦ୍ରିତ ଆଞ୍ଚଳିକ ଲଘୁ ସମ୍ୱାଦପତ୍ର ସଂଖ୍ୟାବହୁଳ ହେଲେ ହେଁ ବୃତ୍ତିଗତ, ବ୍ୟାବସାୟିକ ତଥା ଗୁଣବତ୍ତା ଦୃଷ୍ଟିରୁ ଉଲ୍ଲେଖନୀୟ ସ୍ଥାନ ହାସଲ କରିପାରି ନଥାଏ । ଅଧିକାଂଶ ପ୍ରକାଶନ କ୍ଷଣିକ ଉନ୍ମାଦନା, ଅନଭିଜ୍ଞତା, ବ୍ୟାବସାୟିକ ଭିତ୍ତିଭୂମି ଓ ପୁଞ୍ଜିଲଗାଣ ଅଭାବ ତଥା ଏକକ ଉଦ୍ୟମ କାରଣରୁ ନିରବିଚ୍ଛନ୍ନ ପ୍ରକାଶନରେ ସମର୍ଥ ହୋଇପାରି ନଥାଏ । ଏଭଳି ଶିଳ୍ପର ବିକାଶନିମନ୍ତେ ସରକାରୀ ବିଜ୍ଞାପନ ପୃଷ୍ଠପୋଷକତା ଯୋଗାଇପାରିବ ବୋଲି ସାଧାରଣରେ ବିଚ଼ାର କରାଯାଉଥିଲେ ହେଁ ସୁଦୃଢ଼ ବୃତ୍ତିଭିତ୍ତିକ ବ୍ୟାବସାୟିକ ମଡ଼େଲ ପ୍ରବର୍ତ୍ତନ ହିଁ ଅବସ୍ଥାକୁ ସୁଧାରିବା ଦିଗରେ ସହାୟକ ହୋଇପାରିବ ।

ଓଡ଼ିଶା ଭଳି ରାଜ୍ୟରେ ୨୦୨୫ ସୁଦ୍ଧା ଅନଲାଇନ ପରିବେଶ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପକୁ କିଭଳି ପ୍ରଭାବିତ କରିବ ତାହାର ପୂର୍ବାନୁମାନ ସମ୍ଭବପର ହୋଇପାରୁ ନାହିଁ । ବିକଶିତ ରାଷ୍ଟ୍ରଗୁଡ଼ିକର ଉଦାହରଣ ଏଠାରେ ଆଶା କରାଯାଇ ନପାରେ । ତେବେ ବିଶ୍ୱବ୍ୟାପୀ ସମ୍ୱାଦଶିଳ୍ପ ବିଜ୍ଞାପନରୁ ଗ୍ରାହକ ଚ଼ାନ୍ଦା ଆୟ ଆଡ଼କୁ ମୁହାଉଁଥିବା ଅବସରରେ ଆଞ୍ଚଳିକ ସାମ୍ୱାଦିକତାର ଭିତ୍ତିଭୂମି ସଜାଡ଼ିବାରେ ଅନୁରୂପ ଧାରା ସହାୟକ ହେବ ବୋଲି ବିଶ୍ୱାସ କରାଯାଇପାରେ । ଓଡ଼ିଶାରେ କ୍ରମବର୍ଦ୍ଧିଷ୍ଣୁ ନବସାକ୍ଷର ଓ ରାଜନୀତିକ ସଚ଼େତନତା ମୁଦ୍ରିତ ଆଞ୍ଚଳିକ ଲଘୁ ସମ୍ୱାଦପତ୍ରର ଉପସ୍ଥିତିରେ ସହାୟକ ହେବ ଏବଂ ତୃଣମୂଳସ୍ତରରେ ଗଣତାନ୍ତ୍ରିକ ବିଚ଼ାରବୋଧ ପ୍ରସାରରେ ଯେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ ଏଥିରେ ସନ୍ଦେହ ନାହିଁ । 

Related Post