ଭାରତର ସର୍ବାଧିକ ଧନୀ ବ୍ୟକ୍ତିଙ୍କ ବ୍ୟାବସାୟିକ ପ୍ରତିଷ୍ଠାନ ପ୍ରଥମ ଥର ପାଇଁ ସମ୍ୱାଦ ଶିଳ୍ପରେ ପ୍ରବେଶ ଗଣମାଧ୍ୟମ ପରିସରରେ ଉତ୍ସୁକତା ଭରିଦେବା ସ୍ୱାଭାବିକ । ଗୌତମ ଆଦାନୀଙ୍କ ୧୯୮୮ରେ ପ୍ରତିଷ୍ଠିତ ‘ଆଦାନୀ ଏଣ୍ଟରପ୍ରାଇଜର୍ସ’ ୨୦୨୨ ଏପ୍ରିଲରେ ‘ଆଦାନୀ ମିଡ଼ିଆ ଗୃପ (ଏଏମଜି)’ ଗଠନ ଘୋଷଣା କରିଥିଲା । ପ୍ରକାଶନ, ବିଜ୍ଞାପନ, ପ୍ରସାରଣ ଓ ଅନଲାଇନ ମଞ୍ଚ ବ୍ୟବସାୟରେ ପ୍ରବେଶ ଏହାର ଲକ୍ଷ୍ୟ । ମାତ୍ର ଚାରିମାସ ପରେ ଅଗଷ୍ଟ ୨୦୨୨ରେ ଦେଶରେ ଆଗଧାଡ଼ିର ଏକ ପ୍ରତିଷ୍ଠିତ ଟେଲିଭିଜନ ପ୍ରସାରକ ‘ନୂଆଦିଲ୍ଲୀ ଟେଲିଭିଜନ’କୁ ଅଧିଗ୍ରହଣ ଉଦ୍ୟମ ପରବର୍ତ୍ତୀ ପଦକ୍ଷେପ ଗଣମାଧ୍ୟମ ପରିସରରେ ବିଘଟନ ସୃଷ୍ଟିର କାରଣ ପାଲଟିବା ଆଶଙ୍କା ପ୍ରକାଶ ପାଇବା ଅସମୀଚୀନ ନୁହେଁ ।
ଗୌତମ ଆଦାନୀ ଅଗଷ୍ଟ ୨୦୨୨ରେ ପ୍ରକାଶିତ ‘ବ୍ଳୁମବର୍ଗ କୋଟିପତି ତାଲିକା’ରେ ବିଶ୍ୱର ଧନୀକ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବା ସୂଚ଼ିତ ହୋଇଥିଲା । ଆନ୍ତର୍ଜାତିକସ୍ତରରେ ଏଲନ ମୁସ୍କ ପ୍ରଥମ ଓ ଜେଫ ବେଜୋସ ଦ୍ୱିତୀୟ ସ୍ଥାନିତ । ବିଦ୍ୟୁତଚାଳିତ କାର ନିର୍ମାତା ଏଲନ ମାଇକ୍ରୋ-ବ୍ଳଗିଂ ମଞ୍ଚ ‘ଟୁଇଟର’ ଅଧିଗ୍ରହଣ ନିମନ୍ତେ ୨୦୨୨ ପ୍ରଥମାର୍ଦ୍ଧରେ ପ୍ରସ୍ତାବ ଉପସ୍ଥାପନ କରି ବିବାଦୀୟ ପରିବେଶ ସୃଷ୍ଟି କରିଥିଲେ । ଅନଲାଇନ ବଜାର ‘ଆମେଜନ’ର ଉଦ୍ୟୋକ୍ତା ବେଜୋସ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଭାବଶାଳୀ ସମ୍ୱାଦ ମଞ୍ଚ ‘ଦି ୱାଶିଂଟନ ପୋଷ୍ଟ’ ଅଧିଗ୍ରହଣ କରିଛନ୍ତି । ତୃତୀୟ ଧନୀକ ବ୍ୟକ୍ତି ଆଦାନୀଙ୍କ ଭାରତୀୟ ଗଣମାଧ୍ୟମ ବ୍ୟବସାୟରେ ପ୍ରବେଶ ବ୍ୟବସାୟ ବଦଳରେ ପତିଆରା ବୃଦ୍ଧିର ସଙ୍କେତ ଦେଇଥାଏ ।
ଗୌତମ ଆଦାନୀ ଗୁଜରାଟର ଅହମ୍ମଦାବାଦଠାରେ ୧୯୬୨ରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୨୨ରେ ୬୦ ବର୍ଷ ବୟସରେ ପଦାର୍ପଣ କଲାପରେ ଗଣମାଧ୍ୟମ ବ୍ୟବସାୟରେ ପ୍ରବେଶ କରିଛନ୍ତି । ସେମାନେ ସାତ ଭାଇଭଉଣୀ ଏବଂ ବାପା ଜଣେ ସାଧାରଣ କପଡ଼ା ବେପାରୀ । ଆଦାନୀ ବାଣିଜ୍ୟ ସ୍ନାତକ ଛାତ୍ର ଥିବା ବେଳେ ଦ୍ୱିତୀୟ ବର୍ଷରେ କଲେଜ ଛାଡ଼ି ବମ୍ୱେ ଯାଇ ମହେନ୍ଦ୍ର ବ୍ରଦର୍ସଙ୍କ ହୀରା ବ୍ୟବସାୟରେ କର୍ମଚାରୀଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । କିଛି ବର୍ଷ ପରେ ବଡ଼ଭାଇ ଅହମ୍ମଦାବାଦରେ ଏକ ପ୍ଳାଷ୍ଟିକ କାରଖାନା କିଣିବା ପରେ ସେ ବମ୍ୱେ ଛାଡ଼ି ଅହମ୍ମଦାବାଦରେ ପହଞ୍ଚି ଭାଇଙ୍କ କାରଖାନା ପାଇଁ ବିଦେଶରୁ ପିଭିସି ଆମଦାନୀ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି ଅଭିଜ୍ଞତା ଆଦାନୀଙ୍କ ବ୍ୟାବସାୟିକ ଜୀବନରେ ସହାୟକ ହୋଇଥିଲା । ସେ ୧୯୮୮ରେ ‘ଆଦାନୀ ଏକ୍ସପୋର୍ଟସ’ ନାମକ କମ୍ପାନୀ ଗଢ଼ିଥିଲେ ।
ଆଦାନୀ ଏକ୍ସପୋର୍ଟସ ପରବର୍ତ୍ତୀ କାଳରେ ଆଦାନୀ ଏଣ୍ଟରପ୍ରାଇଜର୍ସ ରୂପାନ୍ତରିତ ହୋଇଥିଲା । କ୍ରମଶଃ ଖଣି, କୃଷି, ଶକ୍ତି, ବସ୍ତ୍ର, ବନ୍ଦର ଇତ୍ୟାଦି ବ୍ୟବସାୟରେ ପ୍ରବେଶ କରିଥିଲା । ବଦାନ୍ୟତା ନିମନ୍ତେ ୧୯୯୪ରୁ ‘ଆଦାନୀ ଫାଉଣ୍ଡେସନ’ କମ୍ପାନୀର ଅନ୍ୟତମ ଅବଦାନ । ଆଦାନୀ ମିଡ଼ିଆ ଗୃପ ଗଠନ ଘୋଷଣା ଦେଢ଼ ବର୍ଷ ପୂର୍ବରୁ ସେପ୍ଟେମ୍ୱର ୨୦୨୧ରେ ବରିଷ୍ଠ ସାମ୍ୱାଦିକ ସଞ୍ଜୟ ପୁଗାଲିଆଙ୍କୁ ଗଣମାଧ୍ୟମ ବ୍ୟବସାୟ ପରିଚାଳନା ନିମନ୍ତେ ନିଯୁକ୍ତ କରିଥିଲା । ପୁଗାଲିଆଙ୍କ ମୁଦ୍ରଣ, ଟେଲିଭିଜନ ଓ ଅନଲାଇନ ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ରହିଛି । ବୃତ୍ତିଗତ ଜୀବନର ପ୍ରଥମ ଅବସ୍ଥାରେ ସେ ହିନ୍ଦି ସାମ୍ୱାଦିକଭାବେ ଅଭିଜ୍ଞତା ହାସଲ କରିଥିଲେ ଏବଂ ଆଦାନୀ ମିଡ଼ିଆ ଗୃପରେ ଯୋଗଦେବା ପୂର୍ବରୁ ଦେଶର ଏକ ଅଗ୍ରଣୀ ଇଂଲିଶ ଅନଲାଇନ ନିଉଜ ପୋର୍ଟାଲର ଅଧ୍ୟକ୍ଷ ପଦ ସଂଭାଳୁଥିଲେ ।
ପୁଗାଲିଆ ଝାଡ଼ଖଣ୍ଡ ସାହେବଗଞ୍ଜ ସହର ବାସିନ୍ଦା । ତାଙ୍କରି ପିତା ଜଣେ ସାଧାରଣ ବ୍ୟବସାୟୀ । ଇତିହାସ ଓ ରାଜନୀତି ବିଜ୍ଞାନ ଅଧ୍ୟୟନ ପରେ ସେ ‘ଟାଇମ୍ସ ଅଫ ଇଣ୍ଡିଆ ଗୃପ’ର ହିନ୍ଦି ଦୈନିକ ‘ନବଭାରତ ଟାଇମ୍ସ’ରେ ଦଶବର୍ଷ ଏବଂ ସେଠାରୁ ଯାଇ ଇଂଲିଶ ବାଣିଜ୍ୟ-ବ୍ୟବସାୟ ଦୈନିକ ‘ବିଜିନେସ ଷ୍ଟାଣ୍ଡାର୍ଡ’ରେ ତିନି ବର୍ଷ ସାମ୍ୱାଦିକତା କରିଥିଲେ । ପରେ ‘ଆଜତକ’, ‘ଜୀ-ନିଉଜ’, ‘ଷ୍ଟାର-ନିଉଜ’ ଓ ‘ସିଏନବିସି-ଆୱାଜ’ ଭଳି ସମ୍ୱାଦଭିତ୍ତିକ ଟେଲିଭିଜନରେ ଦୀର୍ଘକାଳ କାର୍ଯ୍ୟପରେ ‘କୁଇଣ୍ଟ ଡ଼ିଜିଟାଲ’ରେ ଅଧ୍ୟକ୍ଷ ରୂପେ ଅବସ୍ଥାପିତ ହୋଇଥିଲେ । ଭାରତୀୟ ଅନଲାଇନ ସମ୍ୱାଦ ମଞ୍ଚ ପରିବେଶରେ ‘କୁଇଣ୍ଟ’ ଏକ ଚର୍ଚ୍ଚିତ ପୋର୍ଟାଲ । ଏହା ଦୀର୍ଘ ଦିନ ଧରି ଆନ୍ତର୍ଜାତିକ ‘ବ୍ଳୁମବର୍ଗ’ ସହବନ୍ଧିତ ରହିଥିଲା । ଚୁକ୍ତି ଅବଧି ସରିବାପରେ ଆଦାନୀ ଏଣ୍ଟରପ୍ରାଇଜର୍ସରେ ପୁଗାଲିଆ ଯୋଗ ଦେବା ପରେ ‘କୁଇଣ୍ଟଲିନ ବିଜିନେସ ମିଡ଼ିଆ’କୁ ଆଦାନୀ ମିଡ଼ିଆ ଗୃପ ମାର୍ଚ୍ଚ ୨୦୨୨ରେ ଅଧିଗ୍ରହଣ କରିଦେଇଥିଲା । ଅବଶ୍ୟ କେବଳ ବାଣିଜ୍ୟ-ବ୍ୟବସାୟ ପୋର୍ଟାଲ ଏହି ଅଧିଗ୍ରହଣରେ ସାମିଲ ହୋଇଥିଲା । କୁଇଣ୍ଟ ଡ଼ିଜିଟାଲର ‘କୁଇଣ୍ଟ’, ‘ଦି ନିଉଜ ମିନିଟ’ ଓ ‘ୟୁଥ-କୀ-ଆୱାଜ’ଭଳି ଡ଼ିଜିଟାଲ ମଞ୍ଚଗୁଡ଼ିକ ପୂର୍ବବତ ସ୍ୱାଧୀନଭାବେ କାର୍ଯ୍ୟ କରୁଛି ।
ଗଣମାଧ୍ୟମ ବିଶ୍ଳେଷକମାନେ ପୁଗାଲିଆଙ୍କୁ ଜଣେ ପୋଖତ ସମ୍ୱାଦ ମଞ୍ଚ ପ୍ରାୟୋଜକଭାବେ ଚ଼ିତ୍ରଣ କରିଥାନ୍ତି । ସମ୍ୱାଦଭିତ୍ତିକ ଟେଲିଭିଜନ ଚ୍ୟାନେଲ ଓ ଅନଲାଇନ ପୋର୍ଟାଲ ଗଢ଼ିବାରେ ସେ ଯେ ଦୀର୍ଘ ସମୟ ଅତିବାହିତ କରିଛନ୍ତି କେବଳ ତାହା ନୁହ, ନିବେଶକମାନଙ୍କ ବିଶ୍ୱାସନୀୟତା ମଧ୍ୟ ହାସଲ କରିଛନ୍ତି । ଆଷ୍ଟ୍ରେଲିଆର ଗଣମାଧ୍ୟମ ନିବେଶକ କେରୀ ପାକେର ନିଜ ଟେଲିଭିଜନ କମ୍ପାନୀ ‘ଚ୍ୟାନେଲ-୯’ ଭାରତରେ ସଂପ୍ରସାରଣ ନିମନ୍ତେ ପୁଗାଲିଆଙ୍କୁ ପ୍ରସ୍ତାବ ଦେଇଥିବା କୁହାଯାଏ । ଜଣେ ଅଭିଜ୍ଞ ଓ ବିଚକ୍ଷଣ ଗଣମାଧ୍ୟମ ମଞ୍ଚ ପ୍ରାୟୋଜକ ଦେଶର ସର୍ବାପେକ୍ଷା ଧନଶାଳୀ ଶିଳ୍ପପତିଙ୍କ ସହ ସଂପୃକ୍ତ ହେବାପରେ ନୂତନ ପ୍ରକଳ୍ପର ପ୍ରତ୍ୟେକଟି ପଦକ୍ଷେପକୁ ଗଣମାଧ୍ୟମ ପରିସରରେ ସତର୍କ ଦୃଷ୍ଟି ଦିଆଯିବା ସ୍ୱାଭାବିକ । ଏହି ପରିବେଶରେ କେତେକ ସମ୍ଭାବନା ଚର୍ଚ୍ଚାର ପରିସରଭୁକ୍ତ ହୋଇଥାଏ ।
ଭାରତରେ ଟେଲିଭିଜନ ସର୍ବାଧିକ ସମ୍ୱାଦ ଉପଭୋକ୍ତାଙ୍କ ନିକଟରେ ପହଞ୍ଚିସାରିଥିବା, ଡିଜିଟାଲ ମଞ୍ଚରେ ଅଗ୍ରଗତି ମୁଦ୍ରଣ ମଞ୍ଚଠାରୁ ଆଗୁଆ ଥିବା ସତ୍ତ୍ୱେ ରାଜନୀତି, ଅର୍ଥନୀତି ଓ ସାମାଜିକ କ୍ଷେତ୍ରରେ ମୁଦ୍ରଣ ମଞ୍ଚର ଆଧିପତ୍ୟ ଜାରୀ ରହିଛି । ମୁଦ୍ରିତ ସମ୍ୱାଦପତ୍ର ପରିଧିରେ ଜାତୀୟସ୍ତରରେ ଇଂଲିଶ ଦୈନିକଗୁଡ଼ିକ ତୁଳନାରେ ରାଜ୍ୟସ୍ତରୀୟ ଆଞ୍ଚଳିକ ଦୈନିକଗୁଡ଼ିକ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଛି । ଅତଏବ, ଆଦାନୀ ମିଡ଼ିଆ ଗୃପ ସକ୍ରିୟ ହୋଇ ଜାତୀୟସ୍ତରରେ ଇଂଲିଶ ଟେଲିଭିଜନ ବ୍ୟବସାୟରେ ପାଦ ଥୋଇବା ପରେ ଆଞ୍ଚଳିକ ଭାଷାର ଟେଲିଭିଜନ ଚ୍ୟାନେଲ ପ୍ରତି ଆକୃଷ୍ଟ ହେବ କି ତାହା ପ୍ରଥମ ପ୍ରଶ୍ନ ।
ଦ୍ୱିତୀୟତଃ, ଆଦାନୀ ମିଡ଼ିଆ ଗୃପ ମୁଦ୍ରଣ ମଞ୍ଚ, ମୁଖ୍ୟତଃ ଆଞ୍ଚଳିକ ଦୈନିକ ସମ୍ୱାଦପତ୍ର ବ୍ୟବସାୟକୁ ଗୁରୁତ୍ୱ ଦେବ କି ? ପୁଗାଲିଆ ଅନଲାଇନ ଓ ଟେଲିଭିଜନ ପୂର୍ବରୁ ସମ୍ୱାଦପତ୍ରରେ ଦୀର୍ଘ ୧୩ ବର୍ଷ କାର୍ଯ୍ୟ କରିଛନ୍ତି । ହିନ୍ଦି ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ରହିଛି । ଆଦାନୀ ମିଡ଼ିଆ ଗୃପ ଯଦି ବ୍ୟବସାୟ ବଦଳରେ ପତିଆରା ବୃଦ୍ଧିକୁ ଅଗ୍ରାଧିକାର ଦେବ, ତେବେ ଆଞ୍ଚଳିକ ଦୈନିକ ସମ୍ୱାଦପତ୍ର ଅଧିଗ୍ରହଣ ସମ୍ଭାବନା ଅଧିକ ମନେକରାଯାଇପାରେ । ଯୁକ୍ତରାଷ୍ଟ୍ର ଆମେରିକାରେ ମୁଦ୍ରଣ ସମ୍ୱାଦ ଶିଳ୍ପ ମାନ୍ଦାବସ୍ଥା ଆକ୍ରାନ୍ତ ହେବା ଅବସରରେ ବହୁ ସଂଖ୍ୟକ ସ୍ଥାନୀୟ ସମ୍ୱାଦପତ୍ର ଅଧିଗୃହୀତ ହୋଇ ବୃହତ ସମ୍ୱାଦପତ୍ର ପ୍ରକାଶନ ଶୃଙ୍ଖଳ ‘ନିଉଜପେପର ଚ଼େନ’ ସୃଷ୍ଟି ହୋଇଛି । ମହାମାରୀ-ପର ପରିବେଶରେ ଭାରତର ଗଣମାଧ୍ୟମରେ ଏକତ୍ରୀକରଣ ‘କନସୋଲିଡ଼େସନ’ ଆକଳନ କରାଯାଉଥିବା ସ୍ଥଳେ ଆଦାନୀ ମିଡ଼ିଆ ଗୃପ ନେତୃତ୍ୱ ନେବକି ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।
ଗଣମାଧ୍ୟମ ବ୍ୟବସାୟ ଅର୍ଥନୀତି ସଂପର୍କରେ ‘ଫେଡ଼ରେସନ ଅଫ ଇଣ୍ଡିଆନ ଚ଼େମ୍ୱର ଅଫ କମର୍ସ ଏଣ୍ଡ ଇଣ୍ଡାଷ୍ଟ୍ରୀଜ’ ଆନୁକୂଲ୍ୟରେ ମାର୍ଚ୍ଚ ୨୦୨୨ରେ ପ୍ରକାଶିତ ରିପୋର୍ଟରେ ୨୦୨୧ କ୍ୟାଲେଣ୍ଡର ବର୍ଷରେ ବିଜ୍ଞାପନ ଆୟ ଟେଲିଭିଜନ ୩୧ ହଜାର, ଡିଜିଟାଲ ୨୪ ହଜାର ଏବଂ ମୁଦ୍ରଣ ୧୫ ହଜାର କୋଟି ଦାବୀ କରିଥିବା ଦର୍ଶାଯାଇଥିଲା । ସମଗ୍ର ବିଜ୍ଞାପନ ବ୍ୟୟର ୯୫ ପ୍ରତିଶତ ଏହି ତିନିଗୋଟି ମଞ୍ଚ ଭାଗରେ ପଡ଼ିଥିଲା । ଅର୍ଥାତ, ବିଜ୍ଞାପନ ଆଶ୍ରିତ ଗଣମାଧ୍ୟମ ବ୍ୟବସାୟରେ ଆୟ ଅନୁଯାୟୀ ଗୁରୁତ୍ୱ ଦିଆଗଲେ ମୁଦ୍ରଣ ଆଗରେ ଟେଲିଭିଜନ ଓ ଡ଼ିଜିଟାଲର ସ୍ଥାନ । ନୂଆଦିଲ୍ଲୀ ଟେଲିଭିଜନ ଏକ ପ୍ରତିଷ୍ଠିତ ବ୍ରାଣ୍ଡ ହୋଇଥିବା ହେତୁ ଆଞ୍ଚଳିକସ୍ତରକୁ ଏହାକୁ ସଂପ୍ରସାରଣ କରାଗଲେ ୨୦୨୪ ସାଧାରଣ ନିର୍ବାଚ଼ନ ଆଗରୁ ଏକ ପ୍ରଭାବଶାଳୀ ମଞ୍ଚଗଠନ ସଂଭବ ହୋଇପାରିବା ବିଶ୍ୱାସ କରାଯାଇପାରେ । ଟେଲିଭିଜନ ଓ ଡିଜିଟାଲ ମଞ୍ଚ ସୋସିଆଲ ମିଡ଼ିଆରେ ଉପସ୍ଥିତି ଜାହିର କରିବା ପ୍ରଥା ପ୍ରଚଳିତ । ତେଣୁ ଚ଼ତୁର୍ଥତଃ, ଆଦାନୀ ମିଡ଼ିଆ ଗୃପ ସମସ୍ତ ତିନି ମାଧ୍ୟମରେ ପ୍ରବେଶ ପ୍ରତି ଯତ୍ନବାନ ହୋଇପାରେ ।
ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଭାରତୀୟ ଗଣମାଧ୍ୟମ, ମୁଖ୍ୟତଃ ଆଞ୍ଚଳିକ ଟେଲିଭିଜନ ଓ ମୁଦ୍ରଣ ବ୍ୟବସାୟୀଗଣ ଅଧିଗ୍ରହଣ ନିମନ୍ତେ ନିଜ ପକ୍ଷରୁ ଆଗ୍ରହ ପ୍ରକାଶ କରିବା ଆଶା କରାଯାଇପାରେ । କାରଣ ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ମଧ୍ୟଭାଗରୁ ଗଣମାଧ୍ୟମ ମଞ୍ଚଗୁଡ଼ିକ ସଂପ୍ରସାରଣ, ଆୟହାନୀ, ଡିଜିଟାଲ ମଞ୍ଚ ସହ ପ୍ରତିଯୋଗିତା, ଉପଭୋକ୍ତାଙ୍କ ଆଚ଼ରଣରେ ପରିବର୍ତ୍ତନ ଓ ଅସ୍ପଷ୍ଟ ଭବିଷ୍ୟତ କାରଣରୁ ଦୁର୍ବଳ ସ୍ଥିତିରେ ପହଞ୍ଚିସାରିଥିଲା । ମହାମାରୀକାଳରେ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ସ୍ଥଳେ ମହାମାରୀ-ପର ଅବସ୍ଥାରେ ମଧ୍ୟ ତଥାକଥିତ ପ୍ରତିଷ୍ଠିତ ମଞ୍ଚଗୁଡ଼ିକ ଆଶା ଅନୁରୂପ ବ୍ୟବସାୟିକ ପରିବେଶ ଖୋଜି ପାଇପାରୁନାହାନ୍ତି । ଏହି କାରଣଗୁଡ଼ିକରୁ ବହୁ ଗଣମାଧ୍ୟମ ମଞ୍ଚ ବିଲୀନ ହେବା ଅପେକ୍ଷା ଅଧିଗ୍ରହଣକୁ ପ୍ରକାଶ୍ୟରେ ନହେଲେ ମଧ୍ୟ ଗୋପନରେ ସାଦରରେ ଗ୍ରହଣ କରିବେ । ଅତଏବ ପଞ୍ଚମତଃ, ଏହି ପରିବେଶ ଆଦାନୀ ମିଡ଼ିଆ ଗୃପକୁ ସଂପ୍ରସାରଣଲାଗି ଉତ୍ସାହିତ କରିପାରେ ।
ଯେକୌଣସି ସମୟରେ ପ୍ରଚଳିତ ବ୍ୟବସାୟରେ ବୃହତ ନିବେଶକଙ୍କ ପ୍ରବେଶ ପାରମ୍ପରିକ ସ୍ଥିତିକୁ ଦୋହଲାଇ ଦେଇଥାଏ । ‘ଆଦାନୀ ମିଡ଼ିଆ ଗୃପ’ ମାଧ୍ୟମରେ ଆଦାନୀ ଏଣ୍ଟରପ୍ରାଇଜର୍ସ କେଉଁ ଲକ୍ଷ୍ୟ ସିଦ୍ଧି ପାଇଁ ଉଦ୍ୟମ କରିବ ତାହା ସମୟ କହିବ । କୋଭିଡ଼ ମହାମାରୀକାଳରେ ସରକାରଙ୍କୁ ନିନ୍ଦିତ କରାଯାଉଥିବା ଅବସରରେ ଶିଳ୍ପପତି ଆଦାନୀ ଅଭିବ୍ୟକ୍ତିର ସ୍ୱାଧୀନତା ଆଳରେ ଗଣମାଧ୍ୟମର ଅପବ୍ୟବହାର କରାଯାଉଥିବା ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିଲେ । ଗୌତମ ଆଦାନୀଙ୍କ କ୍ରମବିକଶିତ ‘ଆଦାନୀ ମିଡ଼ିଆ ଗୃପ’ ସେଭଳି ମତବାଦକୁ ପୁଞ୍ଜିକରି ଗଢ଼ିଉଠିବକି ତାହା ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ।
