ଆଜିର ଖାସ ଖବର
Mon. Jul 27th, 2026

ଓଡ଼ିଆ ସାପ୍ତାହିକ ସମ୍ୱାଦପତ୍ରର ଭବିଷ୍ୟତ

By Dainikasha Jul11,2024

ବ୍ରହ୍ମପୁରରୁ ପ୍ରକାଶିତ ମୁଦ୍ରିତ ଓଡ଼ିଆ ସାପ୍ତାହିକ ସମ୍ୱାଦପତ୍ର ‘ନବୀନ’ ୨୦୨୨ରେ ୯୩ ବର୍ଷରେ ପଦାର୍ପଣ କରିଛି । ଆଗାମୀ ସାତ ବର୍ଷ ପୂରଣରେ ପ୍ରକାଶନଟି ୨୦୨୯-୩୦ରେ ଶତବାର୍ଷକୀ ପାଳନ କରିବା ଆଶା କରାଯାଏ । ଆନ୍ତର୍ଜାତିକ ଗଣମାଧ୍ୟମ ପରିଧିରେ ଏହି ସମୟସୀମାଟି ମୁଦ୍ରିତ ସମ୍ୱାଦପତ୍ର ନିମନ୍ତେ ଗୁରୁତ୍ୱପୂର୍ଣ୍ଣ । ବିକଶିତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ କ୍ଷେତ୍ରରେ ଏକବିଂଶ ଶତାଦ୍ଦୀ ପ୍ରଥମ ଦୁଇ ଦଶକରେ ବ୍ୟାପକ ପରିବର୍ତ୍ତନ ସୂତ୍ରପାତ ହୋଇଥିବା ସ୍ଥଳେ ପରବର୍ତ୍ତୀ ଦଶନ୍ଧିରେ ପ୍ରାଚ଼୍ୟ ତଥା ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ କେତେକାଂଶରେ ପ୍ରତିଫଳିତ ହେବା ଗଣମାଧ୍ୟମ ସମୀକ୍ଷକମାନେ ଅନୁମାନ କରନ୍ତି । ଏହି ଘଟଣାକ୍ରମରେ ‘କୋଭିଡ଼-୧୯’ ମହାମାରୀ-ପର ପରିବେଶରେ ସଂଘର୍ଷରତ କତିପୟ ଓଡ଼ିଆ ମୁଦ୍ରିତ ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ୱାଦପତ୍ରର ସମ୍ଭାବ୍ୟ ଭବିଷ୍ୟତ ସଂପର୍କରେ ଆଲୋଚ଼ନା ଗୁରୁତ୍ୱ ବହନ କରେ ।

‘ନବୀନ’ ୧୯୩୦ ମସିହା ମେ ମାସ ୧୩ ତାରିଖରେ ବ୍ରହ୍ମପୁର ମହୁରି ରାଜବାଟୀରୁ ପ୍ରକାଶନ ଆରମ୍ଭ କରିଥିଲା । ମହୁରି ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବ ସମ୍ୱାଦପତ୍ରର ପ୍ରକାଶକ ଓ ସମ୍ପାଦକ । ‘ନବୀନ’ ପ୍ରକାଶନ ଆରମ୍ଭ ହେବା ବେଳକୁ ବ୍ରହ୍ମପୁରରେ ସମୃଦ୍ଧ ସାମ୍ୱାଦିକତା ବାତାବରଣ ଲକ୍ଷ୍ୟ କରାଯାଏ । ସାପ୍ତାହିକ ‘ଆଶା’ ୧୯୧୩ରୁ ଆତ୍ମପ୍ରକାଶ କରି ୧୯୨୮ରୁ ‘ଦୈନିକ ଆଶା’ରେ ରୂପାନ୍ତରିତ ହୋଇଥାଏ । କଟକରୁ ‘ସମାଜ’ ମଧ୍ୟ ୧୯୩୦ରେ ଦୈନିକ ସମ୍ୱାଦପତ୍ର ରୂପେ ପ୍ରକାଶ ପାଇଥିଲା । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ, ଦୈନିକ ସମ୍ୱାଦପତ୍ର ଧାରା ଆରମ୍ଭ ହୋଇସାରିଥିଲେହେଁ, କେବଳ ଯେ ଏକ ନୂତନ ସାପ୍ତାହିକ ସମ୍ୱାଦପତ୍ର ଜନ୍ମ ନେଇଥିଲା ତାହା ନୁହ, ଦୀର୍ଘସ୍ଥାୟୀ ହୋଇ ଜନ୍ମ ଶତାଦ୍ଦୀ ପାଳନ ନିମନ୍ତେ ଅଗ୍ରସର ।

ସାପ୍ତାହିକ ‘ନବୀନ’ ପ୍ରକାଶନ କ୍ଷେତ୍ରରେ ତିନିଗୋଟି ଦିଗ ଉଲ୍ଲେଖଯୋଗ୍ୟ : ପୃଥକ ବିଷୟ ସଜ୍ଜା, ସ୍ୱତନ୍ତ୍ର ଲେଖକ ଓ ପାଠକ ଗୋଷ୍ଠୀ ଗଠନ ଏବଂ ସମର୍ପିତ ସାଂଗଠନିକ ପ୍ରଚ଼େଷ୍ଟା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବାବସ୍ଥାରେ ଓଡ଼ିଆ ଭାଷାଭାଷୀ ଏକତ୍ରୀକରଣ ଆନ୍ଦୋଳନରେ ଉପାନ୍ତ ବ୍ରହ୍ମପୁର ସହର ନେତୃତ୍ୱ ଗ୍ରହଣ କରୁଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଉନ୍ନତିକଳ୍ପେ ଏକାଧିକସ୍ତରରେ ଉଦ୍ୟମ ଅବ୍ୟାହତ ରହିଥିଲା । ମହୁରି ରାଜବାଟୀ ସଙ୍ଗୀତ ଓ ସାହିତ୍ୟ ଚର୍ଚ୍ଚାର ଅନ୍ୟତମ କେନ୍ଦ୍ରସ୍ଥଳୀ ରୂପେ ପରିଗଣିତ ହେଉଥିଲା । ‘ଦୈନିକ ଆଶା’ ଓ ‘ସମାଜ’ ମୁଖ୍ୟତଃ ନିଚ୍ଛକ ସମ୍ୱାଦଧର୍ମୀ ‘ହାର୍ଡକୋର ନିଉଜ ଓରିଏଣ୍ଚେଡ଼’ ହୋଇଥିବା ସ୍ଥଳେ ‘ନବୀନ’ ସାହିତ୍ୟ ଓ ଲଘୁ ପ୍ରବନ୍ଧ ପ୍ରକାଶନକୁ ଉତ୍ସାହିତ କରିଥିଲା । ଫଳରେ ଏକ ବିକଳ୍ପ ସମ୍ୱାଦପତ୍ର ରୂପେ ସାପ୍ତାହିକଟିର ଖ୍ୟାତି ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ବ୍ୟାପ୍ତି ଲାଭ କରିଥିଲା ।

ଓଡ଼ିଆ ସାହିତ୍ୟିକ ମହଲରେ ସ୍ୱାଧୀନତା-ପୂର୍ବ ଦୁଇ ଦଶକ ଓ ସ୍ୱାଧୀନତା-ପର ଦୁଇ ଦଶକ ଚାଳିଶ ବର୍ଷ ଧରି ପ୍ରାୟ ସମସ୍ତ ତରୁଣ ଲେଖକ ଲେଖିକା ‘ନବୀନ’ ସାହିତ୍ୟ ପୃଷ୍ଠାରେ ପ୍ରକାଶିତ ହୋଇଥିବା ଉଦାହରଣ ପତ୍ରିକାଟି ଏକ ସ୍ୱତନ୍ତ୍ର ଲେଖକ ଗୋଷ୍ଠୀ ଗଠନ କରିଥିବା ସୂଚ଼ନା ପ୍ରଦାନ କରେ । ପ୍ରତିବଦଳରେ ସାପ୍ତାହିକ ନିମନ୍ତେ ଏକ ସ୍ୱତନ୍ତ୍ର ପାଠକ ଗୋଷ୍ଠୀ ମଧ୍ୟ ଗଠିତ ହୋଇଥିଲା । ମୁଖ୍ୟତଃ ସ୍କୁଲ କଲେଜର ଛାତ୍ରଛାତ୍ରୀ, ବ୍ରହ୍ମପୁର ସହର ତଥା ଦୂର-ଦୂରାନ୍ତର ପାଠାଗାର ସହ ସଂଶ୍ଳିଷ୍ଟ ପାଠକ ବର୍ଗ ‘ନବୀନ’ର ଗୁଣଗ୍ରାହୀ ଥିବା ଲକ୍ଷ୍ୟ କରାଯାଉଥିଲା ।

‘ନବୀନ’ ମୁଦ୍ରଣ ନିମନ୍ତେ କୃପାସିନ୍ଧୁ ନରେନ୍ଦ୍ର ଦେବ ମହୁରି ରାଜବାଟୀରେ ‘ରୟାଲ ପ୍ରେସ’ ନାମକ ଏକ ଛାପାଖାନା ସ୍ଥାପନ କରିଥିଲେ । ସିଂହାଦ୍ରୀ ପଣ୍ଡା ସାପ୍ତାହିକଟିର ସମ୍ପାଦନା, ମୁଦ୍ରଣ, ପ୍ରସାର ସାଙ୍ଗକୁ ମୁଖ୍ୟ ଆୟସୂତ୍ର ସରକାରୀ ଓ ବ୍ୟାବସାୟିକ ବିଜ୍ଞାପନ ପରିଚାଳନାରେ ସଂପୃକ୍ତ ରହିଆସିଥିଲେ । କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କ ୧୯୫୩ରେ ମୃତ୍ୟୁପରେ ତାଙ୍କରି ପୁତ୍ର ଶିଶିର କୁମାର ନରେନ୍ଦ୍ର ଦେବ ୧୯୫୩ରୁ ୧୯୬୫ ପର୍ଯ୍ୟନ୍ତ ୧୨ ବର୍ଷ ସମ୍ପାଦକ ପଦରେ ଅଭିସିକ୍ତ ହୋଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ୧୯୬୫ରୁ ୧୯୮୮ ଯାଏଁ ୨୨ ବର୍ଷ କାଳ ପରିଚାଳକ ସିଂହାଦ୍ରୀ ପଣ୍ଡା ‘ନବୀନ’ର ପ୍ରକାଶନ ଓ ସମ୍ପାଦନା ଦାୟିତ୍ୱ ବହନ କରିଥିଲେ । ସିଂହାଦ୍ରୀ ପଣ୍ଡାଙ୍କ ମୃତ୍ୟୁପରେ ତାଙ୍କରି ପରିବାରବର୍ଗ କିମ୍ୱା ରାଜପରିବାରପକ୍ଷରୁ ‘ନବୀନ’ ପ୍ରକାଶନ ନିମନ୍ତେ ଉଦ୍ୟମ କରାଯାଇପାରିଲା ନାହିଁ । ଏହି ଅବସରରେ ବ୍ରହ୍ମପୁରର ତରୁଣ ସାମ୍ୱାଦିକ ରବି ରଥ ୧୯୮୯ରେ ‘ନବୀନ’ର ସତ୍ତ୍ୱ କିଣି ନେଇ ପ୍ରକାଶନ ଜାରୀ ରଖିଥିଲେ ।

ରବି ରଥ ଜଣେ ଉଦୀୟମାନ ରାଜନୀତିକ କର୍ମ୍ମୀ ରୂପେ ବ୍ରହ୍ମପୁରକୁ କର୍ମକ୍ଷେତ୍ରରୂପେ ବାଛି ନେଇଥିଲେ । ଯୁବ ଜନତା ଦଳର ଗଞ୍ଜାମ ଜିଲ୍ଲା ଶାଖା କର୍ମକର୍ତ୍ତାଭାବେ ଜରୁରିକାଳୀନ ପରିସ୍ଥିତି ପରବର୍ତ୍ତୀ ୧୯୭୭ରୁ ୧୯୮୦ ତିନି ବର୍ଷ କାର୍ଯ୍ୟ କରିବା ପରେ ୧୯୮୨ରୁ ‘ପ୍ରଗତିବାଦୀ’ ଓ ୧୯୮୪ରୁ ‘ପ୍ରଜାତନ୍ତ୍ର’ର ବ୍ରହ୍ମପୁର ସମ୍ୱାଦଦାତାଭାବେ ଅବସ୍ଥାପିତ ହୋଇଥିଲେ । ସେ ୧୯୮୯ ନଭେମ୍ୱର ମାସରେ ‘ନବୀନ’ ମାଲିକାନା ହାସଲପରେ ମଧ୍ୟବର୍ତ୍ତୀକାଳୀନ ନିରବଚ୍ଛିନ୍ନ ପ୍ରକାଶନ ସଜାଡ଼ି ନେଇଥିଲେ । ସିଂହାଦ୍ରୀ ପଣ୍ଡାଙ୍କ ମୃତ୍ୟୁପରେ ତାଙ୍କରି ପତ୍ନୀ ଗୀତାଞ୍ଜଳୀ ପଣ୍ଡାଙ୍କ ସମ୍ପାଦନାରେ ‘ନବୀନ’ର କିଛି ସଂଖ୍ୟା ପ୍ରକାଶିତ ହୋଇଥିଲା । ଶେଷ ଅବସ୍ଥାରେ ମହୁରି ରାଜବାଟୀର ‘ରୟାଲ ପ୍ରେସ’ କୋଠାବାଡ଼ି ବିକ୍ରୟ ନିମନ୍ତେ ସିଂହାଦ୍ରୀ ପଣ୍ଡା ରଙ୍ଗୁଣି ବନ୍ଧ ସାହୀସ୍ଥ ନିଜ ବାସଭବନକୁ ମୁଦ୍ରଣାଳୟ ଉଠାଇ ନେଇଥିଲେ । ରବି ରଥ ‘ନବୀନ’ ମାଲିକାନା ଗ୍ରହଣ କଲାପରେ ନିଜେ ମୁଦ୍ରଣାଳୟ ସ୍ଥାପନ ନକରି ଅନ୍ୟତ୍ର ମୁଦ୍ରଣ ବ୍ୟବସ୍ଥା କରିଥିଲେ ।

‘ନବୀନ’ର ଦୀର୍ଘ ପ୍ରକାଶନ ଇତିହାସରେ କୃପାସିନ୍ଧୁ ନରେନ୍ଦ୍ର ଦେବ, ସିଂହାଦ୍ରୀ ପଣ୍ଡା ଓ ରବି ରଥଙ୍କ ଉତ୍ସର୍ଗୀକୃତ ଉଦ୍ୟମ ସମ୍ୱାଦପତ୍ରଟିର ସଫଳତାର ରହସ୍ୟ । ପ୍ରକାଶନଟିର ଅର୍ଥନୀତି ମୂଳରୁ ସରକାରୀ ବିଜ୍ଞାପନ ଓ ପ୍ରୋତ୍ସାହନରେ ସମୃଦ୍ଧ । ‘ନବୀନ’ର ଅନୁଭୂତି ଅନ୍ୟାନ୍ୟ ଓଡ଼ିଆ ସାପ୍ତାହିକ ସମ୍ୱାଦପତ୍ର କ୍ଷେତ୍ରରେ ପ୍ରଯୁଜ୍ୟ । ମହାମାରୀ-ପର ପରିବେଶ ‘ନ୍ୟୂ-ନରମାଲ’ରେ ଜନସାଧାରଣଙ୍କ ଜୀବନଚର୍ଯ୍ୟା, ଅର୍ଥନୀତି, ରାଜନୀତିଠାରୁ ଆରମ୍ଭ କରି ଗଣମାଧ୍ୟମ, ମନୋରଞ୍ଜନ ବିଭିନ୍ନ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ସୂତ୍ରପାତ ହୋଇଥିବା ସ୍ଥଳେ ଓଡ଼ିଆ ମୁଦ୍ରିତ ସାପ୍ତାହିକ ସମ୍ୱାଦପତ୍ରଗୁଡ଼ିକର ସ୍ଥାୟିତ୍ୱ ଓ ଭୂମିକା ଅନେକ କ୍ଷେତ୍ରରେ ପ୍ରଶ୍ନବାଚ଼ୀ ସୃଷ୍ଟି କରିଥାଏ ।

ପାଶ୍ଚାତ୍ୟ ଭୂଖଣ୍ଡ, ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକାରେ ଡ଼ିଜିଟାଲ ମଞ୍ଚର ଆବିର୍ଭାବ ପରେ ବିଜ୍ଞାପନ ଅପସାରଣ କାରଣରୁ ଦୁଇ ଦଶକର ଅଭିଜ୍ଞତାରୁ ଜଣାଯାଇଛି ଯେ ତୃଣମୂଳସ୍ତରରେ ପ୍ରକାଶିତ ସପ୍ତାହିକ, ପାକ୍ଷିକ ଓ ମାସିକ ମୁଦ୍ରିତ ସମ୍ୱାଦପତ୍ର ବନ୍ଦ ହୋଇଯିବା ଫଳରେ ଅନେକ ଜନପଦରେ ସମ୍ୱାଦ ମରୁଭୂମି ‘ନିଉଜ ଡ଼େଜାର୍ଟ’ ସୃଷ୍ଟି ହୋଇଛି । ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ଏକ ପକ୍ଷରେ ମୁଦ୍ରିତ ସମ୍ୱାଦପତ୍ର ଅଭାବରେ ସ୍ଥାନୀୟ ପ୍ରଶାସନର ଲୋକହିତକର କାର୍ଯ୍ୟାବଳୀରେ ଦକ୍ଷତା ଏବଂ ଭୋଟରମାନଙ୍କ ନିର୍ବାଚ଼ନ ପ୍ରକ୍ରିୟାରେ ଅଂଶଗ୍ରହଣ ହ୍ରାସ ପାଉଥିବା ସ୍ଥଳେ କ୍ରମବିକଶିତ ଡ଼ିଜିଟାଲ ମଞ୍ଚ ମୁଦ୍ରିତ ସମ୍ୱାଦପତ୍ରର ଭୂମିକାର ଅଭାବ ପୂରଣ କରିପାରୁ ନାହିଁ । ଏହି ସ୍ଥିତାବସ୍ଥା ଲକ୍ଷ୍ୟ କରି ସେଠାରେ ଆଞ୍ଚଳିକ ସାମ୍ୱାଦିକତା ‘ଲୋକାଲ ଜର୍ଣ୍ଣାଲିଜମ’କୁ ପରିପୁଷ୍ଟ କରିବା ନିମନ୍ତେ ବିଭିନ୍ନ ଉଦ୍ୟମ ହାତକୁ ନିଆଯାଉଛି ।

ଦୂରଦ୍ରଷ୍ଟାଙ୍କ ମତରେ ଭାରତ ତଥା ଓଡ଼ିଶାରେ ମୁଦ୍ରିତ ଦୈନିକ ସମ୍ୱାଦପତ୍ରର ସ୍ଥିତି ମହାମାରୀ-ପର ପରିବେଶରେ ଦୋହଲି ଯାଇଛି । କ୍ରମାଗତ ଆର୍ଥିକ ମନ୍ଦାବସ୍ଥା ଲାଗିରହିବା ଏବଂ ଡ଼ିଜିଟାଲ ବାଣିଜ୍ୟ ବୃଦ୍ଧି ପାଇବା କାରଣରୁ ମୁଦ୍ରିତ ସମ୍ୱାଦପତ୍ରରେ ବ୍ୟାବସାୟିକ ବିଜ୍ଞାପନ ବ୍ୟୟ କମି ଆସିବ । ଡ଼ିଜିଟାଲ ମଞ୍ଚର ଲୋକପ୍ରିୟତା ବୃଦ୍ଧି କ୍ରମଶଃ ରାଜନୀତିକ ଓ ସରକାରୀ ପୃଷ୍ଠପୋଷକତା ମୁଦ୍ରିତ ମଞ୍ଚରୁ ଅପସରି ଯିବା ଆଶଙ୍କା ଅମୂଳକ ନୁହେଁ । ଏହାର ଅର୍ଥ, ନିକଟ ଭବିଷ୍ୟତରେ ମୁଦ୍ରିତ ସମ୍ୱାଦ ମଞ୍ଚ ଯେ ନିଶ୍ଚହ୍ନ ହୋଇଯିବ ତାହା ନୁହ । କିନ୍ତୁ ଓଡ଼ିଆରେ ଦୈନିକ ସମ୍ୱାଦପତ୍ର ସଂଖ୍ୟା ୨୦୩୦ ସୁଦ୍ଧା ୮୦ ରୁ ଆଠ-ଦଶକୁ ଖସି ଆସିବ । ବହୁ ଦୈନିକ ସମ୍ୱାଦପତ୍ର ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ୱାଦପତ୍ର ଆଙ୍ଗିକରେ ରୂପାନ୍ତରିତ ହେବେ । ମୁଦ୍ରିତ ସମ୍ୱାଦ ମଞ୍ଚଗୁଡ଼ିକ ଡ଼ିଜିଟାଲ ସଂସ୍କରଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ । ଟାଇମ୍ସ ଅଫ ଇଣ୍ଡିଆ ଗୃପ ପ୍ରକାଶିତ ‘ମୁମ୍ୱାଇ ମିରର’ ଏଦିଗରେ ପଥପ୍ରଦର୍ଶକ ବିଚାର କରାଯାଏ ।

ସୀମିତ ପ୍ରସାରିତ ମୁଦ୍ରିତ ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକ ନିଜ ପ୍ରକାଶନଧାରାକୁ ସଞ୍ଜତ କରିପାରିଲେ ପରିବର୍ତ୍ତିତ ପରିବେଶରେ ନିଜ ଗୁରୁତ୍ୱ ବଜାୟ ରଖିପାରିବେ । ପ୍ରଥମତଃ, ଓଡ଼ିଆ ସାମ୍ୱାଦିକତା ଅୟମାରମ୍ଭ କାଳରୁ ପ୍ରୋତ୍ସାହନ ରାଶି ସମ୍ୱାଦପତ୍ର ଅର୍ଥନୀତିର ମେରୁଦଣ୍ଡ । ବିଜ୍ଞାପନ-ଆଶ୍ରିତ ମଡ଼େଲ ଭୁଷୁଡ଼ି ପଡ଼ିବା ପରେ ବିକଶିତ ବଜାରରେ ସମ୍ୱାଦମଞ୍ଚଗୁଡ଼ିକ ବଦାନ୍ୟତା ସଂଗ୍ରହକୁ ଅଗ୍ରାଧିକାର ଦେଉଛନ୍ତି । ବ୍ରିଟେନର ‘ଦି ଗାର୍ଡ଼ିଆନ’ ଭଳି ସମ୍ୱାଦପତ୍ର ଡ଼ିଜିଟାଲ ମଞ୍ଚରେ ପ୍ରକାଶିତ ପ୍ରତ୍ୟେକ ସମ୍ୱାଦ ଶେଷରେ ପାଠକଙ୍କଠାରୁ ଦାନ ଆବେଦନ କରୁଥିବା ସ୍ଥଳେ ଯୁକ୍ତରାଷ୍ଟ୍ର ଆମେରିକାର ‘ଅଟଲାଣ୍ଟିକ’ ଭଳି ସଂଭ୍ରାନ୍ତ ମାସିକ ପତ୍ରିକା କୋଭିଡ଼ ମହାମାରୀ ସଂପର୍କରେ ତଥ୍ୟାଶ୍ରିତ ବିଶ୍ୱସନୀୟ ରଚନା ସୃଜନ ନିମନ୍ତେ ଏକାଧିକ ବଦାନ୍ୟ ସଂସ୍ଥା ପକ୍ଷରୁ ଅନୁଦାନ ସଂଗ୍ରହ କରି ପ୍ରତ୍ୟେକ ପ୍ରକାଶନ ଶେଷରେ ମୁକ୍ତ କଣ୍ଠରେ ଘୋଷଣା କରିଛି । ଓଡ଼ିଆ ସମ୍ୱାଦ ମଞ୍ଚ ପ୍ରଯୋଜନାରେ ପ୍ରୋତ୍ସାହନ ରାଶି ଗ୍ରହଣର ବୈଧୀକରଣ, ଅର୍ଥାତ ବିଧିବଦ୍ଧ ରୀତିରେ ସଂଗ୍ରହ ଓ ହିସାବ ଅନ୍ତର୍ଭୁକ୍ତ ଧାରା ପ୍ରବର୍ତ୍ତିତ ହେଲେ ପ୍ରକାଶନ ଅର୍ଥନୀତି ସମୃଦ୍ଧ ହୋଇପାରିବ ।

ଦ୍ୱିତୀୟତଃ, ବ୍ୟାବସାୟିକ ବିଜ୍ଞାପନ ଅଭାବ ଏବଂ ମୁକ୍ତ ସାମ୍ୱାଦିକତା ବିକାଶଲାଗି ସରକାରୀ ବିଜ୍ଞାପନରୁ ଦୂରେଇ ରହିବା ନିମନ୍ତେ ପ୍ରାୟୋଜିତ ସମ୍ୱାଦ ‘ଏଡ଼ଭୋଟୋରିଆଲ’ ପ୍ରକାଶନ ସମ୍ୱାଦ ମଞ୍ଚଗୁଡ଼ିକ ପ୍ରତି ଏକମାତ୍ର ବିକଳ୍ପ । ପତ୍ରପତ୍ରିକାରେ ସ୍ୱାଧୀନ ନିରପେକ୍ଷ ସମ୍ୱାଦ ପ୍ରକାଶନ ସାଙ୍ଗକୁ ନିର୍ଦ୍ଧିଷ୍ଟ ପୃଷ୍ଠାରେ ଘୋଷଣାମତେ ବ୍ୟାବସାୟିକ, ରାଜନୀତିକ ଓ ଉଦ୍ଦେଶ୍ୟ ପ୍ରଣୋଦିତ ସମ୍ୱାଦ ଦେୟ ବିନିମୟରେ ପ୍ରକାଶନରେ ଆପତ୍ତି ରହିଲା କେଉଁଠି । ସମ୍ୱାଦ ସହ ବିଜ୍ଞାପନ ଯଦି ଦୁଇଶହ ବର୍ଷରୁ ଅଧିକ ସମୟଧରି ପ୍ରକାଶନ ବ୍ୟବସାୟକୁ ସମୃଦ୍ଧ ରଖିପାରିଲା, ବିଜ୍ଞାପନ ଅଭାବରେ ପ୍ରାୟୋଜିତ ସମ୍ୱାଦ ପ୍ରକାଶନ ଅବୈଧ ନୁହେଁ । କିନ୍ତୁ ଏହା ଗୋପନୀୟ ନହୋଇ ମୁକ୍ତ ହେବା ଉଚ଼ିତ । ଫଳରେ ଏକ ପକ୍ଷରେ ଆଗ୍ରହୀ ଜନସାଧାରଣ ଅର୍ଥ ବିନିମୟରେ ନିଜର ପକ୍ଷ ସର୍ବସାଧାରଣରେ ପ୍ରକାଶନର ସୁଯୋଗ ପାଇପାରିବା ସ୍ଥଳେ ସମ୍ୱାଦ ମଞ୍ଚ ଅର୍ଥନୀତି ମଧ୍ୟ ଲାଭବାନ ହୋଇପାରିବ ।

ତୃତୀୟତଃ, ମୁଦ୍ରିତ ଓଡ଼ିଆ ସାପ୍ତାହିକ ସମ୍ୱାଦପତ୍ରଗୁଡ଼ିକ ପ୍ରତି ସଂଖ୍ୟାରେ ଅନ୍ତତଃପକ୍ଷେ ଗୋଟିଏ ଦୀର୍ଘ ଅନୁସନ୍ଧାନମୂଳକ ‘ଇନଭେଷ୍ଟିଗେଟିଭ’ ସମ୍ୱାଦ ଓ ଅନ୍ୟାନ୍ୟ ଜନଜୀବନ ଉପାଦେୟ ‘ଲାଇଫଷ୍ଟାଇଲ’ ରଚନା ସ୍ଥାନିତ କରିବା ଆବଶ୍ୟକ । ଏଦିଗରେ ସଂପାଦକମାନେ ନିଜେ କିଛି ସମୟ ସୃଜନରେ ବିନିଯୋଗ କରିବା କିମ୍ୱା ପାରିଶ୍ରମିକଭିତ୍ତିରେ ଅନ୍ୟ ଜଣେ ସାମ୍ୱାଦିକଙ୍କୁ ନିୟୋଜିତ କରିବା ବିଧ୍ୟେୟ । ପ୍ରତ୍ୟେକ ପ୍ରକାଶନ ନିଜର ଏକ ଲେଖକ ଗୋଷ୍ଠୀ ଗଠନ ପ୍ରତି ଧ୍ୟାନ ଦେଲେ ଅବଶ୍ୟ ସୁଫଳ ମିଳିବ । ଅନ୍ୟାନ୍ୟ ପ୍ରକାଶନରୁ ଅନାବଶ୍ୟକ ଲେଖା ଉଦ୍ଧାର କରିବା ଅଭ୍ୟାସ ତତ୍ କ୍ଷଣାତ ପରିତ୍ୟାଗ କରିବା ଆବଶ୍ୟକ । ସାପ୍ତାହିକ ସମ୍ୱାଦପତ୍ରରେ ମୌଳିକ ରଚ଼ନା, ତଥ୍ୟ ଓ ବ୍ୟବହାରଯୋଗ୍ୟ ସୂଚ଼ନା ଅଭାବରେ ପାଠକଙ୍କ ଦ୍ୱାରା କିପରି ଆଦୃତ ହୋଇପାରିବ ? ଏଦିଗରେ ସାପ୍ତାହିକର ପ୍ରକାଶକ, ସମ୍ପାଦକମାନେ ସଂବଳହୀନ ବୋଲି ଭାବିବା ଭୂଲ, ଉଦ୍ୟମ ଅଭାବ ବୋଲି ଧରିନିଆଯାଇ ପାରେ ।

ଓଡ଼ିଆ ମୁଦ୍ରିତ ସାପ୍ତାହିକ ସମ୍ୱାଦପତ୍ରଗୁଡ଼ିକୁ ସ୍ୱାବଲମ୍ୱୀ କରିବାକୁ ହେଲେ ପ୍ରତିଟି ସମ୍ୱାଦପତ୍ରକୁ ପ୍ରଥମତଃ ଏକ ସମ୍ପାଦନା ନୀତି ଲିଖିତ ଆକାରରେ ପ୍ରସ୍ତୁତ କରିବାକୁ ପଡ଼ିବ । ଏହି ନୀତି ଆଧାରରେ ପ୍ରକାଶନ ପରିଚାଳିତ ହେବ । ପ୍ରତି ତ୍ରୟମାସିକଭିତ୍ତିରେ କାର୍ଯ୍ୟଧାରା ସମୀକ୍ଷା ହେବା ଆବଶ୍ୟକ । ଫଳରେ ତୃଟିବିଚ୍ୟୁତି ଓ ଉଦାସୀନତାକୁ ଏଡ଼ାଇ ଦିଆଯାଇପାରିବ । ଦ୍ୱିତୀୟତଃ, ସାପ୍ତାହିକ ସମ୍ୱାଦ ମଞ୍ଚଗୁଡ଼ିକ ବ୍ୟକ୍ତିଗତ ମାଲିକାନା ବଦଳରେ ନ୍ୟାସ ‘ଟ୍ରଷ୍ଟ’ ପର୍ଯ୍ୟାୟଭୁକ୍ତ ହେବା ଉଚ଼ିତ । କାରଣ ସାମ୍ୱାଦିକତାକୁ ବଦାନ୍ୟତା-ଆଶ୍ରିତ କରିବା ଅବସରରେ ବ୍ୟକ୍ତିଗତ ମାଲିକାନାରେ ଦାନ ସଂଗ୍ରହ ଅରୁଚ଼ିକର ବୋଧ ତଥା ଆୟକର ଛାଡ଼ଜନିତ ସୁବିଧା ସୁଯୋଗ ଗ୍ରହଣ ସଂଭବ ନହୋଇପାରେ ।

ତୃତୀୟତଃ, ସାପ୍ତାହିକର ବିକ୍ରୟମୂଲ୍ୟ ବୃଦ୍ଧି ଅନିବାର୍ଯ୍ୟ । ସ୍ୱାବଲମ୍ୱୀ ମଡ଼େଲ ବିକାଶ ନିମନ୍ତେ ଟେବଲଏଡ଼ ଆଠ ପୃଷ୍ଠା ସାପ୍ତାହିକର ମୂଲ୍ୟ ଖଣ୍ଡପିଛା ଦଶ ଟଙ୍କା ଓ ବାର୍ଷିକ ୫୦୦ ଟଙ୍କା, ପାକ୍ଷିକ ଷୋହଳ ପୃଷ୍ଠା ଖଣ୍ଡ ପିଛା ୨୦ ଟଙ୍କା ଓ ବାର୍ଷିକ ୫୦୦ ଟଙ୍କା, ତଥା ମାସିକର ମୂଲ୍ୟ ଖଣ୍ଡପିଛା ୫୦ ଟଙ୍କା ଓ ବାର୍ଷିକ ୫୦୦ ଟଙ୍କାକୁ ସଂପ୍ରସାରଣ କରିବାକୁ ପଡ଼ିବ । ବାର୍ଷିକ ଗ୍ରାହକଙ୍କ ସାଙ୍ଗକୁ ପ୍ରତ୍ୟେକ ପ୍ରକାଶନ ପାଠକମଞ୍ଚ ଗଠନ କରି ସଦସ୍ୟତା ବାବଦରେ ଦୁଇ ଗୁଣ ଅର୍ଥାତ, ଏକ ହଜାର ଟଙ୍କା ଆଦାୟ ନିମନ୍ତେ ନିରବଚ୍ଛିନ୍ନ ଉଦ୍ୟମ ଅବ୍ୟାହତ ରଖିଲେ ତିନି ବର୍ଷ ମଧ୍ୟରେ ୨୦୨୫ ସୁଦ୍ଧା ସ୍ୱାବଲମ୍ୱୀ ଅର୍ଥନୀତି ସୃଷ୍ଟି ସମ୍ଭବ ହେବା ଆଶା କରାଯାଇପାରେ ।

ଚ଼ତୁର୍ଥତଃ, ମୁଦ୍ରିତ ସାପ୍ତାହିକ ସମ୍ୱାଦପତ୍ରଗୁଡ଼ିକ ନିଜ ପ୍ରକାଶନ ଉଦ୍ୟମରେ ଏକାକୀ ସଂଘର୍ଷରତ ରହିବା ବଦଳରେ ବୃହତ୍ତର ପାଠକବର୍ଗଙ୍କୁ ଯୋଡ଼ି ପାରିବେ । ଏଥିନିମନ୍ତେ ଗ୍ରାହକ ଓ ପାଠକ ମଞ୍ଚ ସଦସ୍ୟମାନଙ୍କ ସହ ମାସିକ କିମ୍ୱା ତ୍ରୟମାସିକଭିତ୍ତିରେ ବୈଠକମାନ ଆୟୋଜନ କରି ସେମାନଙ୍କ ମାଧ୍ୟମରେ ସମ୍ୱାଦ ସୂତ୍ର ‘ନିଉଜ ପିଚ଼’ ସନ୍ଧାନ ସାଙ୍ଗକୁ ରାଜସ୍ୱ ବୃଦ୍ଧି ନିମନ୍ତେ ଉଦ୍ୟମ କରିପାରିବେ । ନିରବଚ୍ଛିନ୍ନ ଯୋଗାଯୋଗ ଉଦ୍ଦେଶ୍ୟରେ ସୋସିଆଲ ମିଡ଼ିଆ ମଧ୍ୟ ଉପଯୋଗ ଆବଶ୍ୟକ । ପଞ୍ଚମତଃ, ପ୍ରକାଶନଗୁଡ଼ିକ ସ୍ଥାନୀୟ ଜନଜୀବନର ସମସ୍ୟା ସମାଧାନ ଲାଗି ଲକ୍ଷ୍ୟଭିତ୍ତିକ ଅଭିଯାନ ‘କାମ୍ପେନ’ରେ ସାମିଲ ହୋଇପାରିବେ । ଅର୍ଥାତ, କୌଣସି ଲୋକହିତକର କାର୍ଯ୍ୟ ସଂପର୍କରେ କ୍ରମାଗତ ସମ୍ୱାଦ ପ୍ରକାଶନ କରି ପ୍ରଶାସନ ଉପରେ ଚାପ ପ୍ରୟୋଗ, ଜନମତ ସୃଷ୍ଟି ଭଳି ଉଦ୍ୟମ କରିପାରିବେ । ଏହାଫଳରେ ସମ୍ୱାଦ ମଞ୍ଚଗୁଡ଼ିକ ଜନଜୀବନର ଅଙ୍ଗ ରୂପେ ପରିଗଣିତ ହୋଇପାରିବେ ଏବଂ ସମ୍ୱାଦପତ୍ର ପ୍ରକାଶନଭାର ଏକ ବଦଳରେ ଅନେକଙ୍କୁ ସଂପ୍ରସାରିତ ହେବ ।

ଗବେଷଣାରୁ ଜଣାଯାଏ ଯେ ମୁଦ୍ରିତ ପାଠ୍ୟ ଏଯାଏଁ ଡିଜିଟାଲ ପାଠ୍ୟ ତୁଳନାରେ ଦୀର୍ଘ ସ୍ଥାୟୀ ବିବେଚ଼ିତ । ଫଳରେ ପ୍ରଶାସନିକକ୍ଷେତ୍ରରେ ଅଭାବ ଅସୁବିଧା ଦରଜ କରିବା ନିମନ୍ତେ ନଥିପତ୍ର ଭାବେ କାର୍ଯ୍ୟକରେ । ସରକାରୀ ପ୍ରଶାସନିକ କଳ ସଂପୂର୍ଣ୍ଣ ରୂପେ ଡ଼ିଜିଟାଲ ପ୍ରଣାଳୀରେ ଅନ୍ତର୍ଭୁକ୍ତ ହେବା ଯାଏଁ ମୁଦ୍ରିତ ପାଠ୍ୟର ଅପେକ୍ଷାକୃତ ଗୁରୁତ୍ୱ ରହିବ । ମୁଦ୍ରିତ ସାପ୍ତାହିକ ସମ୍ୱାଦପତ୍ରଗୁଡ଼ିକ ଏହି ସ୍ୱତନ୍ତ୍ର ବିଭବ ଅଧିକାରୀ ହୋଇଥିବା ହେତୁ ତତ୍ ଜନିତ ଫାଇଦା ଉଠାଇ ପାରିବେ । ଅବଶ୍ୟ ପରବର୍ତ୍ତୀ ସାତ ବର୍ଷ ମଧ୍ୟରେ ନିଜ ପ୍ରକାଶନର ଡ଼ିଜିଟାଲ ସଂସ୍କରଣ ସ୍ୱୟଂସଂପୂର୍ଣ୍ଣ କରିବା ନିମନ୍ତେ ଉଦ୍ୟମ ମଧ୍ୟ ଅବ୍ୟାହତ ରଖିବାକୁ ପଡ଼ିବ ।

ଓଡ଼ିଆ ମୁଦ୍ରିତ ସାପ୍ତାହିକ ସମ୍ୱାଦପତ୍ରଗୁଡ଼ିକ ଡ଼ିଜିଟାଲ ମଞ୍ଚ ମୁହାଁ ହେବା ନିମନ୍ତେ ସୋସିଆଲ ମିଡ଼ିଆରେ ପ୍ରାରମ୍ଭିକ ଉପସ୍ଥିତି ସରଳ । ପ୍ରତ୍ୟେକ ପ୍ରକାଶନ ନିଜର ଅନୁଗତ ପାଠକଗୋଷ୍ଠୀ ଗଠନ ନିମନ୍ତେ ଭୌଗଳିକ ପରିସୀମା ଅର୍ଥାତ, ରାଜ୍ୟର କୌଣସି ସହର, ଜିଲ୍ଲା, ବ୍ଳକ ବା ଗ୍ରାମପଞ୍ଚାୟତ ଏବଂ ବିଷୟଭିତ୍ତିକ, ଉଦାହରଣରେ ଶିକ୍ଷା, କୃଷି, ବାଣିଜ୍ୟ, କ୍ରୀଡ଼ା ବା ମନୋରଞ୍ଜନଭଳି ପରିସର ସୃଷ୍ଟି କରିପାରିଲେ ପାଠକ ବୃଦ୍ଧି ସଂଭବ । ମନେ ରଖିବାକୁ ହେବ ଆଗାମୀ ଭବିଷ୍ୟତର ସାମ୍ୱାଦିକତା ପାଠକ-ଶ୍ରୋତା-ଦର୍ଶକ ବା ଉପଭୋକ୍ତା-କେନ୍ଦ୍ରୀକ । ଡ଼ିଜିଟାଲ ମଞ୍ଚ ମୁଖ୍ୟତଃ ଗୋଷ୍ଠୀଭିତ୍ତିକ । ଏଦିଗରେ ଅବହେଳା ଅନେକଙ୍କୁ ୨୦୩୦ରେ ପହଞ୍ଚିବା ପାଇଁ ଆକଟ କରିପାରେ !

Related Post