ଆଜିର ଖାସ ଖବର
Tue. Jul 28th, 2026

ଦୈନିକ ସମ୍ୱାଦପତ୍ରର ଦ୍ୱି- ବାର, ତ୍ରି- ବାର ସାପ୍ତାହିକ ରୂପ

By Dainikasha Jul11,2024

ଓଡ଼ିଶାର ପାଠକମାନେ ସାଧାରଣତଃ ଦୈନିକ ସମ୍ୱାଦପତ୍ର ସାଙ୍ଗକୁ ସାପ୍ତାହିକ, ପାକ୍ଷିକ, ମାସିକ, ଦ୍ୱି-ମାସିକ, ତ୍ରୈୟମାସିକ କିମ୍ୱା ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପତ୍ରପତ୍ରିକା ସହ ପରିଚିତ । ସପ୍ତାହରେ ଦ୍ୱି-ବାର ବା ତ୍ରି-ବାର ସମ୍ୱାଦପତ୍ର ସଂପର୍କରେ ପ୍ରାୟତଃ ଅଜ୍ଞ । ଭାରତରେ ହିନ୍ଦି ସମେତ କେତେକ ଭାଷାରେ ସ୍ଥାନେ ସ୍ଥାନେ ଦ୍ୱି-ବାର ଓ ତ୍ରି-ବାର ସାପ୍ତାହିକ ସମ୍ୱାଦପତ୍ର ପ୍ରକାଶିତ ହୁଏ । ଉଦାହରଣରେ ପ୍ରତି ସପ୍ତାହର ବୁଧବାର ଓ ରବିବାର ଦିନ ଦ୍ୱି-ବାର ସାପ୍ତାହିକ କିମ୍ୱା ସୋମବାର, ବୁଧବାର ଓ ଶୁକ୍ରବାର ଦିନ ତ୍ରି-ବାର ସାପ୍ତାହିକ ସମ୍ୱାଦପତ୍ର ପ୍ରକାଶନ ହୋଇପାରେ । ସାପ୍ତାହିକ ସମ୍ୱାଦପତ୍ରଗୁଡ଼ିକ ମୁଖ୍ୟତଃ ପ୍ରତି ଶୁକ୍ରବାର, ଶନିବାର କିମ୍ୱା ରବିବାର ଦିନ ପ୍ରକାଶିତ ହେଉଥିବା ସ୍ଥଳେ ଦ୍ୱି-ବାର ଓ ତ୍ରି-ବାର ସାପ୍ତାହିକ ସମ୍ୱାଦପତ୍ର ସପ୍ତାହର ନିର୍ଦ୍ଧିଷ୍ଟ ଦିବସଗୁଡ଼ିକରେ ପ୍ରକାଶିତ ହୁଏ ।

ଅନେକ ସମ୍ୱାଦପତ୍ର ରବିବାର ଦିନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହୁଥିବା ହେତୁ ସମ୍ୱାଦପତ୍ର ବିକ୍ରୀରେ ମାନ୍ଦାବସ୍ଥା ଆଶଙ୍କାରେ ପ୍ରକାଶନ ନିମନ୍ତେ ଆଗ୍ରହ ପ୍ରକାଶ କରିନଥାନ୍ତି । ‘ବିଜିନେସ ଷ୍ଟାଣ୍ଡାର୍ଡ’ ଭଳି କେତେକ ଦୈନିକ ସମ୍ୱାଦପତ୍ର ରବିବାର ସଂସ୍କରଣ ପ୍ରକାଶିତ ହୁଏ ନାହିଁ । ଅତୀତରେ ବହୁ ଦୈନିକ ସମ୍ୱାଦପତ୍ର ସପ୍ତାହରେ ସାତଦିନ ବଦଳରେ ରବିବାରକୁ ଛାଡ଼ି ଛଅଦିନ ପ୍ରକାଶନ ପରମ୍ପରାରେ ଅଭ୍ୟସ୍ତ ଥିଲେ ।

ଯୁକ୍ତରାଷ୍ଟ୍ର ଆମେରିକା ସମେତ ବିକଶିତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଇଣ୍ଟରନେଟର ବ୍ୟାପ୍ତି ଓ ପାଠ୍ୟ ବଦଳରେ ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମ ଟେଲିଭିଜନ, ଭିଡ଼ିଓର ଲୋକପ୍ରିୟତା ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ କ୍ଷେତ୍ରରେ ଅନିଶ୍ଚିତତା ସୃଷ୍ଟି କରିଚାଲିଛି । ବିଜ୍ଞାପନ ବ୍ୟୟ ଅନଲାଇନ ପରିବେଶକୁ ସ୍ଥାନାନ୍ତରିତ ହେବାପରେ ଅନେକ ସମ୍ୱାଦପତ୍ର ଡ଼ିଜିଟାଲ ସଂସ୍କରଣକୁ ଗୁରୁତ୍ୱ ଦେଉଛନ୍ତି । ଅସଂଖ୍ୟ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ବନ୍ଦ କରିସାରିଥିବା ସ୍ଥଳେ କେତେକ ସମ୍ୱାଦପତ୍ର ଦୈନିକ ବଦଳରେ ଦ୍ୱି-ବାର, ତ୍ରି-ବାର ବା ସାପ୍ତାହିକ ମୁଦ୍ରିତ ସଂସ୍କରଣ ପ୍ରକାଶନ ନିମନ୍ତେ ଉଦ୍ୟମ ଆରମ୍ଭ କରିଥିବା ଜଣାଯାଏ । ଦୈନିକ ସମ୍ୱାଦପତ୍ର କ୍ଷେତ୍ରରେ ଏହି ପ୍ରବାହ ଏକ ନୂତନ ସମୀକରଣ ସୃଷ୍ଟି କରିଛି ।

ମୁଦ୍ରିତ ସମ୍ୱାଦପତ୍ର ପ୍ରୟୋଜନା ନିମନ୍ତେ ସମ୍ୱାଦପତ୍ର ଛାପା କାଗଜ କାଳି ସାଙ୍ଗକୁ ପାଠକଙ୍କ ହାତପାଆନ୍ତାରେ ପହୁଞ୍ଚାଇବା ନିମନ୍ତେ ବଣ୍ଟନ ‘ହକିଙ୍ଗ’ ଦେୟ ବ୍ୟୟ ପାରମ୍ପରିକ ବିଜ୍ଞାପନ ଆଶ୍ରିତ ମଡ଼େଲରେ ମୁଖ୍ୟତଃ ବ୍ୟାବସାୟିକ ବିଜ୍ଞାପନ ଆୟରୁ ଭରଣା ହୋଇଥାଏ । ଏହି ମଡ଼େଲରେ ଗ୍ରାହକ ଦେୟ ‘ସବସ୍କ୍ରିପସନ’ ଆୟର ଭୂମିକା ସୀମିତ । ପରିବର୍ତ୍ତିତ ପରିବେଶରେ ମୁଦ୍ରିତ ସମ୍ୱାଦପତ୍ରରୁ ଆୟ କମିଆସୁଥିବା ତଥା ପ୍ରଯୋଜନା ବ୍ୟୟ ବଢୁଥିବା ଅବସରରେ ଦୈନିକ ସମ୍ୱାଦପତ୍ରଗୁଡ଼ିକ ସପ୍ତାହରେ କିଛି ସଂସ୍କରଣ ବନ୍ଦ କରିଦେବା ଗୋଟିଏ ଉପାୟ ମନେ କରାଯାଉଛି ।

ଅନଲାଇନ ପରିବେଶରେ ବିଶ୍ୱବ୍ୟାପୀ ଉପଭୋକ୍ତାମାନଙ୍କ ଉପସ୍ଥିତି କ୍ରମଶଃ ବଢ଼ିଚାଲିବାରେ ଲାଗିଛି । ଏହି କାରଣରୁ ସମ୍ୱାଦପତ୍ରଗୁଡ଼ିକ ଦୈନିକ ଗୋଟିଏ କିମ୍ୱା ଦୁଇଗୋଟି ସଂସ୍କରଣ ମୁଦ୍ରଣ କରିବା ବଦଳରେ ଦିନ ରାତି ୨୪ ଘଣ୍ଟା ଅନଲାଇନରେ ଘଟଣାକ୍ରମ ନିଜସ୍ୱ ୱେବସାଇଟରେ ଉପସ୍ଥାପନ ସାଙ୍ଗକୁ ସାପ୍ତାହିକଭିତ୍ତିରେ ସୀମିତ ମାତ୍ରାରେ ସମ୍ୱାଦପତ୍ରର ମୁଦ୍ରିତ ସଂସ୍କରଣ ପ୍ରକାଶନ ଯୁକ୍ତିଯୁକ୍ତ ମନେହୁଏ ।

ପ୍ରଥମତଃ ସମ୍ୱାଦପତ୍ରର ଆୟ ଓ ବ୍ୟୟରେ ସମତୁଲ ରକ୍ଷା ନକରାଯାଇପାରିଲେ ବ୍ୟବସାୟ ତିଷ୍ଠିପାରିବ ନାହିଁ । ଦ୍ୱିତୀୟତଃ ପର୍ଯ୍ୟାପ୍ତ ଆୟ ଅଭାବରେ ବ୍ୟୟ ଭରଣାଲାଗି ସରକାରୀ ତଥା ବ୍ୟାବସାୟିକ ବଦାନ୍ୟତା ଉପରେ ନିର୍ଭରଶୀଳତା କିମ୍ୱା ତୃତୀୟତଃ ଆବଶ୍ୟକତାରୁ କମ ସଂଖ୍ୟକ ସାମ୍ୱାଦିକ ନିଯୁକ୍ତି ସାମ୍ୱାଦିକତାର ମାନ ହ୍ରାସର କାରଣ ପାଲଟିଥାଏ । ଚତୁର୍ଥତଃ ସୀମିତ ସମ୍ୱଳରେ ସ୍ୱଳ୍ପ ସମୟ ଅବଧିରେ ନିମ୍ନମାନର ସମ୍ୱାଦ ପ୍ରକାଶନ ବଦଳରେ ଦୀର୍ଘ ଅବଧିରେ ଉଚ୍ଚମାନର ସମ୍ୱାଦ ପ୍ରକାଶନ ଶ୍ରେୟସ୍କର । ପଞ୍ଚମତଃ ବୈଷୟିକ ପ୍ରଗତି ଓ ଚଳନ୍ତି ପ୍ରବାହର ବିରୁଦ୍ଧାଚରଣ କରି ମୁଦ୍ରଣ ମାଧ୍ୟମକୁ ଜାବୁଡି ଧରିବସିବା ଭାବପ୍ରବଣତା ତଥା ମାନସିକସ୍ତରରେ ଅପରିପକ୍ୱତାର ପରିଚୟ ଦେବ ।

ଅନଲାଇନ ଭିଡ଼ିଓ ଯଦି ଭବିଷ୍ୟତ, ତେବେ ସମ୍ୱାଦ ସଂସ୍ଥାଗୁଡ଼ିକ ସେଦିଗରେ ମନୋନିବେଶ କରିବା ଉଚିତ । ଅନଲାଇନ ପାଠ୍ୟ ଓ ଭିଡ଼ିଓ ସହ ସୀମିତ ମୁଦ୍ରିତ ପାଠ୍ୟ ଯଦି ସଂବାଦ ସରବରାହ ନିମନ୍ତେ ଆବଶ୍ୟକବୋଲି ଅନୁଭବ କରାଯାଏ ତେବେ ସେଭଳି ମଡ଼େଲମାନ ବିକଶିତ କରାଯାଇପାରେ । ଏହି ପରିପ୍ରେକ୍ଷୀରେ ଦୈନିକ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଦ୍ୱି-ବାର ବା ତ୍ରି-ବାର ସାପ୍ତାହିକୀରେ ପରିବର୍ତ୍ତନ ସଂଭବପର । ପାଶ୍ଚାତ୍ୟ ଭୂଖଣ୍ଡରେ ଅନଲାଇନ ଉପଭୋକ୍ତା ବୃଦ୍ଧି, ବିଜ୍ଞାପନ ସ୍ଥାନାନ୍ତର ଓ ପାଠକୀୟ ଆଗ୍ରହ ଯଦି ଭାରତ ତଥା ଓଡ଼ିଶା ଗଣମାଧ୍ୟମ ପରିବେଶରେ ପ୍ରତିବିମ୍ଵିତ ହେବା ଆଶଙ୍କା ପ୍ରକାଶ ପାଏ, ତେବେ ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପରେ ସେଥିପ୍ରତି ପୂର୍ବପ୍ରସ୍ତୁତି ବୁଦ୍ଧିମାନ ବିବେଚିତ ହେବ ।

ଓଡ଼ିଶାରେ ପ୍ରକାଶିତ ଦୈନିକ ସମ୍ୱାଦପତ୍ରଗୁଡ଼ିକୁ ଦୁଇଗୋଟି ବର୍ଗରେ ବିଭକ୍ତ କରାଯାଇପାରେ । ଅଳ୍ପ କେତେଗୋଟି ସମ୍ୱାଦପତ୍ର ବହୁଳ ପ୍ରସାରିତ ଏବଂ ସେଗୁଡ଼ିକ ବ୍ୟାବସାୟିକ ବିଜ୍ଞାପନ ଆଶ୍ରିତ । ଅଧିକସଂଖ୍ୟକ ସମ୍ୱାଦପତ୍ର ପ୍ରସାର ସଂଖ୍ୟା ସୀମିତ ଏବଂ ସରକାରୀ ବିଜ୍ଞାପନ ଆଶ୍ରିତ । ଦ୍ୱିତୀୟ ବର୍ଗର ସମ୍ୱାଦପତ୍ରର ବ୍ୟବସାୟ ସରକାରୀ ନୀତିନିୟମ ଦ୍ୱାରା ପ୍ରଭାବିତ ହୋଇଥିବା ହେତୁ ପ୍ରତ୍ୟେହ ସଂସ୍କରଣ ପ୍ରକାଶ କରିବାକୁ ବାଧ୍ୟ । ଏମାନଙ୍କ କ୍ଷେତ୍ରରେ ସାମ୍ୱାଦିକତା ବିକାଶ ଓ ପ୍ରସାରଣ ବୃଦ୍ଧିରେ ମନୋନିବେଶ କରିବା ଆର୍ଥିକ ଦୃଷ୍ଟିରୁ ଅସମ୍ଭବ । ଏବେ ପ୍ରଥମ ପର୍ଯ୍ୟାୟର ସମ୍ୱାଦପତ୍ରଗୁଡ଼ିକ ମଧ୍ୟରୁ କେତେକ ବିଜ୍ଞାପନ ଆୟ ହ୍ରାସ ଓ ପ୍ରଯୋଜନା ଖର୍ଚ୍ଚ ବୃଦ୍ଧିରେ ସମତୁଲ ରକ୍ଷା ପାଇଁ ୨୦୨୦ ରୁ ୨୦୨୫ ମଧ୍ୟରେ ଦୈନିକ ବଦଳରେ ସାପ୍ତାହିକ, ଦ୍ୱି-ବାର ବା ତ୍ରି-ବାର ମଡ଼େଲକୁ ରୂପାନ୍ତରିତ ହେବା ଆକଳନ କରାଯାଇପାରେ ।

ଗଣମାଧ୍ୟମ ପରିବେଶରେ ଅତୀତ ଇତିହାସକୁ ଅନୁଧ୍ୟାନ କଲେ ଯାହା ବିକଶିତ ରାଷ୍ଟ୍ରଗୁଡ଼ିକରେ ବର୍ତ୍ତମାନ ପ୍ରଚଳନ ହେଉଛି ତାହା ଭାରତରେ ଆଗାମି ତିନି ବର୍ଷ ଓ ଓଡ଼ିଶାରେ ପାଞ୍ଚ ବର୍ଷ ପରେ ପ୍ରବର୍ତ୍ତିତ ହେବା ବିଶ୍ୱାସ କରାଯାଇପାରେ । ଯୁକ୍ତରାଷ୍ଟ୍ର ଆମେରିକାରେ ଦୈନିକ ସମ୍ୱାଦପତ୍ରଗୁଡ଼ିକ ସାପ୍ତାହିକ ସଂସ୍କରଣ ସଂଖ୍ୟା କମାଇବା ଅବସରରେ କିପରି ୮୦ ପ୍ରତିଶତ ଯାଏଁ ବିଜ୍ଞାପନ ଆୟ ଓ ୭୦ ରୁ ୯୦ ପ୍ରତିଶତ ଯାଏଁ ଗ୍ରାହକ ଚାନ୍ଦା ବଜାୟ ରଖିପାରିବେ ସେଭଳି ବ୍ୟାବସାୟିକ ରଣନୀତି ଗ୍ରହଣ କରୁଥିବା ଗଣମାଧ୍ୟମ ସମୀକ୍ଷକମାନେ ଉଲ୍ଲେଖ କରିଥାନ୍ତି ।

ଦୈନିକ ସମ୍ୱାଦପତ୍ରଗୁଡ଼ିକ ସାପ୍ତାହିକ, ଦ୍ୱି-ବାର ବା ତ୍ରି-ବାର ସାପ୍ତାହିକ ସମ୍ୱାଦପତ୍ରରେ ପ୍ରବର୍ତ୍ତିତ କରିବା ନିମନ୍ତେ ଦୀର୍ଘ ପ୍ରସ୍ତୁତି ଆବଶ୍ୟକ । ପ୍ରଥମତଃ ସମ୍ୱାଦ ରଚନା, ଉପସ୍ଥାପନ ଓ ସୃଜନ ଏକତ୍ରୀକରଣ ନିମନ୍ତେ ବଳିଷ୍ଠ ସମ୍ପାଦକୀୟ ନୀତି ପ୍ରଣୟନ ସହ ଉପଲବ୍ଧ ପ୍ରତିଭାମାନଙ୍କୁ ତାଲିମ ପ୍ରାପ୍ତ କରିବାକୁ ପଡ଼ିବ । ଦ୍ୱିତୀୟତଃ ପ୍ରସାରଣ ଢାଞ୍ଚାରେ ପରିବର୍ତ୍ତନ ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ଗଠନ ଲୋଡ଼ା । ତୃତୀୟତଃ ଡ଼ିଜିଟାଲ ଓ ଭିଡ଼ିଓ ମଞ୍ଚ ସହ ଏକତ୍ର ସହବସ୍ଥାନ ତଥା ଗୁଣାତ୍ମକ ସାମ୍ୱାଦିକତା ପ୍ରଚଳନ ନିମନ୍ତେ ଅଭ୍ୟାସ ଜରୁରୀ ଇତ୍ୟାଦି । ବିନା ପ୍ରସ୍ତୁତିରେ କେବଳ ସାପ୍ତାହିକଭିତ୍ତିରେ କେତେଗୋଟି ସଂସ୍କରଣ ବନ୍ଦ କରିଦେବା ଆତ୍ମଘାତୀ ସାବ୍ୟସ୍ତ ହେବା ନିଶ୍ଚିତ ।

ଅନଲାଇନ ପରିବେଶର ବ୍ୟାପ୍ତିରେ ମୁଦ୍ରିତ ସମ୍ୱାଦପତ୍ର ଉଭେଇ ନଯାଇପାରେ, ତେବେ ଦୈନିକଗୁଡ଼ିକ କ୍ଷେତ୍ରରେ ପ୍ରକାଶନ ଅବଧି ହ୍ରାସ ଏକ ବିକଳ୍ପ ବିଶ୍ୱାସ କରାଯାଇପାରେ ।

Related Post