‘ନାଗରିକ ସାମ୍ୱାଦିକତା’ ଚ଼ିହ୍ନଟ ପ୍ରକ୍ରିୟାରେ କେତେଗୋଟି ଦିଗ ପ୍ରାଧାନ୍ୟ ଲାଭ କରେ । ପ୍ରଥମତଃ, ଜନସାଧାରଣଙ୍କ ଦ୍ୱାରା ସମ୍ୱାଦ ସଂଗ୍ରହ, ରଚ଼ନା ଓ ଅନଲାଇନ ପ୍ରସାର ସମେତ ସମସାମୟିକ ସମ୍ୱାଦ ଅନୁଶୀଳନ, ନାଗରିକ ସାମ୍ୱାଦିକତା ନାମିତ । ଦ୍ୱିତୀୟତଃ, ବୃତ୍ତିଧାରୀ ସାମ୍ୱାଦିକଙ୍କ ଭିନ୍ନ ଚଳନ୍ତି ଘଟଣା ପ୍ରବାହରେ ରୁଚ଼ି ରଖୁଥିବା ମୁକ୍ତବୃତ୍ତି ସାମ୍ୱାଦିକ, ସାଧାରଣ ନାଗରିକଙ୍କ ଦ୍ୱାରା ସୋସିଆଲ ମିଡ଼ିଆ, ବ୍ଳଗ ଓ ୱେବସାଇଟରେ କ୍ରମାଗତ ସମ୍ୱାଦ ଓ ଅଭିମତ ପ୍ରକାଶନ ନାଗରିକ ସାମ୍ୱାଦିକତା ପର୍ଯ୍ୟାୟଭୁକ୍ତ ।
ତୃତୀୟତଃ, ଡ଼ିଜିଟାଲ ମଞ୍ଚରେ ନାଗରିକ ସାମ୍ୱାଦିକତାର ଉପସ୍ଥିତି ଓ ସୋସିଆଲ ମିଡ଼ିଆର ଲୋକପ୍ରିୟତାରେ ଉଦବୁଦ୍ଧ ହୋଇ ପାରମ୍ପରିକ ମୁଦ୍ରଣ ଓ ଟେଲିଭିଜନ ମଞ୍ଚଗୁଡ଼ିକ ମଧ୍ୟ କ୍ରମଶଃ ସମ୍ୱାଦ ସଂଗ୍ରହ ପ୍ରକ୍ରିୟାରେ ଜନସାଧାରଣଙ୍କୁ ସାମିଲ କରାଇବା ତଥା ବ୍ଳଗ ଓ ୱେବ ସାଇଟରୁ ରଚ଼ନା ଉଦ୍ଧାର କରି ପ୍ରକାଶନ କରିବା ଧାରା ମହାମାରୀ-ପର ପରିବେଶରେ ଆଦୃତି ଲାଭ କରିଥିବା ଦେଖାଯାଏ । ଚ଼ତୁର୍ଥତଃ, ସୋସିଆଲ ମିଡ଼ିଆରେ ଗଭୀର-ସ୍ଥାନୀୟ-ସମ୍ୱାଦ ‘ହାଇପର-ଲୋକାଲ ନିଉଜ’ ପ୍ରସାରଣ ଓ ଲୋକପ୍ରିୟତାକୁ ବିଚାରକୁ ନେଇ ଜନସାଧାରଣଙ୍କ ଦ୍ୱାରା ସଂଗୃହୀତ ସ୍ଥାନୀୟ ତଥ୍ୟ ଓ ଦୃଶ୍ୟ ‘ଭିଡ଼ିଓ’ ସମ୍ୱାଦର ଗୁଣବତ୍ତା ବୃଦ୍ଧିରେ ସହାୟକ ହେଉଥିବା ହେତୁ କ୍ରମବିକଶିତ ନାଗରିକ ସାମ୍ୱାଦିକତାକୁ ମୂଳସ୍ରୋତର ଗଣମାଧ୍ୟମ ମଞ୍ଚଗୁଡ଼ିକ ଅଣଦେଖା କରିପାରୁ ନାହାନ୍ତି । ପଞ୍ଚମତଃ, ବିଭିନ୍ନ କାରଣରୁ ପାରମ୍ପରିକ ସାମ୍ୱାଦିକତା ପ୍ରେସ ବିଜ୍ଞପ୍ତି ‘ପ୍ରେସ ରିଲିଜ’ ଆଧାରିତ ହୋଇପଡୁଥିବା ଏବଂ ଏତଦ୍ୱାରା ସୃଷ୍ଟି ହେଉଥିବା ପାଠକ ଓ ଦର୍ଶକ ବିମୁଖ ପରିବେଶର ମୁକାବିଲା କରିବା ନିମନ୍ତେ ନାଗରିକ ସାମ୍ୱାଦିକତା ପ୍ରସାରକୁ ଆନ୍ତର୍ଜାତିକସ୍ତରରେ ସଦ୍ୟତମ ସାଧନ ରୂପେ ବ୍ୟବହୃତ ହେଉଛି ।
ଗଣମାଧ୍ୟମ ଭାଷ୍ୟକାରମାନେ ‘ନାଗରିକ ସାମ୍ୱାଦିକତା’ର ଉତ୍ସ ରୂପେ ଦକ୍ଷିଣ କୋରିଆରେ ୨୦୦୦ ମସିହାରେ ଆରମ୍ଭ ହୋଇଥିବା ‘ଓ-ମାଇ-ନିଉଜ’ ନାମକ ୱେବସାଇଟକୁ ଶ୍ରେୟ ଦେଇଥାନ୍ତି । ଏହି ମଞ୍ଚରେ ପ୍ରଥମ ଥର ନିମନ୍ତେ ବୃତ୍ତିଧାରୀ ସାମ୍ୱାଦିକଙ୍କ ବ୍ୟତୀତ ଜନସାଧାରଣଙ୍କୁ ସମ୍ୱାଦ ସଂଗ୍ରହ ଓ ପ୍ରକାଶନ ନିମନ୍ତେ ସୁଯୋଗ ସୃଷ୍ଟି କରାଯାଇଥିଲା । କ୍ରମଶଃ ଏହି ତତ୍ତ୍ୱ ଆନ୍ତର୍ଜାତିକସ୍ତରକୁ ସଂପ୍ରସାରିତ ହେଲା । ଏକ ପକ୍ଷରେ ପ୍ରାକୃତିକ ଓ ମାନବକୃତ ଦୁର୍ଘଟଣା ଘଟିବା କାଳରେ ସ୍ଥାନୀୟ ଜନସାଧାରଣ ସ୍ମାର୍ଟଫୋନରେ ଖଚ଼ିତ କ୍ୟାମରାରେ ଚ଼ିତ୍ର ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରିବା ଲୋକାଦୃତି ଲାଭ କରିଥିଲା । ଏହି କ୍ଷେତ୍ରରେ ଘଟଣା ଓ ତୁରନ୍ତ ପ୍ରସାରଣ ପ୍ରାଧାନ୍ୟ ଲାଭ କରୁଥିବା ହେତୁ ଚ଼ିତ୍ର କିମ୍ୱା ପାଠ୍ୟର ଗୁଣବତ୍ତା ବିଚାର ପଛରେ ପଡ଼ିଯାଇଥିଲା । ବୃତ୍ତିଧାରୀ ସାମ୍ୱାଦିକ ଓ ଟେଲିଭିଜନ ଟିମ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଭାଇରାଲ ସମ୍ୱାଦଟି ଇତିହାସ ପୃଷ୍ଠାକୁ ଆସିଯାଇଥାଏ । ଫଳରେ ପାରମ୍ପରିକ ସାମ୍ୱାଦିକତା କେବଳ ଅନୁଶୀଳନ ଓ ଅନୁସନ୍ଧାନସ୍ତରରେ ସୀମିତ ରହେ ।
ଅପରପକ୍ଷେ, ଏକବିଂଶ ଶତାଦ୍ଦୀ ଆରମ୍ଭରୁ ବିଭିନ୍ନ ରାଷ୍ଟ୍ରରେ ସଂଘଟିତ ରାଜନୀତିକ ସଂଘର୍ଷ କାଳରେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକୁ ସ୍ଥାନୀୟ ସରକାରୀ କଳ ପକ୍ଷରୁ ସମ୍ୱାଦ ଓ ଅଭିମତ ପ୍ରସାରଣ ବାରଣ କରାଯାଉଥିବା ଲକ୍ଷ୍ୟ କରାଯାଏ । ଏହି ଅବସରରେ ଇଣ୍ଟରନେଟ ବନ୍ଦ ‘ସଟ-ଡ଼ାଉନ’ ସତ୍ତ୍ୱେ ବିକଳ୍ପ ବୈଷୟିକ କୌଶଳ ଅବଲମ୍ୱନରେ ନାଗରିକ ସାମ୍ୱାଦିକତା ସମ୍ୱାଦ ପ୍ରସାରଣ ଓ ସମୀକ୍ଷା ବଳବତ୍ତର ରହୁଥିବା ଉଦାହରଣର ଅଭାବ ନଥାଏ । ସ୍ଥଳବିଶେଷରେ କେତେକ ଅଞ୍ଚଳରେ ବର୍ଷ ବର୍ଷ ବ୍ୟାପୀ ରାଜନୀତିକ ଅରାଜକତା ଲାଗି ରହୁଥିବା ତଥା ଯୁଦ୍ଧ, ଗୃହଯୁଦ୍ଧ ପ୍ରପୀଡ଼ିତ ସମାଜରେ ନାଗରିକ ସାମ୍ୱାଦିକତା ଗୁରୁତ୍ୱ ଲାଭ କରୁଛି ।
କୋଭିଡ଼-୧୯ ମହାମାରୀ ପୂର୍ବାବସ୍ଥାରେ ଏସୀୟ ମହାଦେଶକୁ ବାଦ ଦେଇ ଅନ୍ୟତ୍ର ଡ଼ିଜିଟାଲ ମଞ୍ଚର ପ୍ରସାର ପରେ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ ବିଜ୍ଞାପନ ଓ ପ୍ରସାର ହ୍ରାସ କାରଣରୁ ବିଘଟନର ଶୀକାର ହୋଇଥିଲା । ତେବେ ମହାମାରୀ-ପର ଅବସ୍ଥାରେ ବିଭିନ୍ନ କାରଣରୁ ସର୍ବତ୍ର ମୂଳସ୍ରୋତର ଗଣମାଧ୍ୟମ ମଞ୍ଚଗୁଡ଼ିକ ପ୍ରତି ପାଠକଙ୍କ ବିଶ୍ୱସନୀୟତା ହାନୀ, ଉପଭୋକ୍ତାଙ୍କ ଗଣମାଧ୍ୟମ ମଞ୍ଚ ବିମୁଖ ମନୋଭାବ ଓ ପାରମ୍ପରିକ ମୁଦ୍ରିତ ସମ୍ୱାଦପତ୍ର ବ୍ୟବସାୟ ଲାଭଜନକ ହୋଇପାରୁନଥିବା ଭଳି ସମସ୍ୟା ଘେରରେ ବନ୍ଦୀ । ଏହି ପରିବେଶରେ ମୁଦ୍ରିତ ସମ୍ୱାଦପତ୍ରକୁ ଆକର୍ଷଣୀୟ କରିବା, ଡ଼ିଜିଟାଲ ମଞ୍ଚର ମୁକାବିଲା ତଥା ବିଶ୍ୱସନୀୟତା ଫେରାଇ ଆଣିବା ଉଦ୍ଦେଶ୍ୟରେ ବିକଳ୍ପ ବ୍ୟାବସାୟିକ ମଡ଼େଲମାନ ପରୀକ୍ଷା କରାଯାଉଛି । ସେହି ଭିଡ଼ରେ ଗଭୀର-ସ୍ଥାନୀୟ-ସମ୍ୱାଦ ପରିବେଷଣ ଉଦ୍ଦେଶ୍ୟରେ ନାଗରିକ ସାମ୍ୱାଦିକତା ପ୍ରତି ଗୁରୁତ୍ୱାରୋପ ଅନ୍ୟତମ ।
ମୁଦ୍ରିତ ସମ୍ୱାଦପତ୍ର ଓ ଡ଼ିଜିଟାଲ ସମ୍ୱାଦ ୱେବସାଇଟଗୁଡ଼ିକରେ ନାଗରିକ ସାମ୍ୱାଦିକତା ପ୍ରବର୍ତ୍ତନ ପ୍ରଣାଳୀ ଗୋଟିଏ ପ୍ରକାଶନଠାରୁ ଅନ୍ୟଟି ଭିନ୍ନ । କେତେକ ମୁଦ୍ରିତ ସମ୍ୱାଦପତ୍ର ସପ୍ତାହକୁ କେତେଥର ବା ପ୍ରତି ସଂସ୍କରଣର କେତେ ପୃଷ୍ଠା ନାଗରିକ ସାମ୍ୱାଦିକତା ପ୍ରତି ଉତ୍ସର୍ଗ କରିଥାନ୍ତି । ସାଧାରଣତଃ ସାଧାରଣ ନାଗରିକଙ୍କ ଦ୍ୱାରା ପ୍ରେରିତ ସମ୍ୱାଦ, ଆଲୋକଚ଼ିତ୍ର ବା ଭିଡ଼ିଓଗୁଡ଼ିକୁ ସମ୍ୱାଦ ମଞ୍ଚରେ ଅବସ୍ଥାପିତ ସମ୍ପାଦକମାନେ ତନଖି ସାରିବା ପରେ ପ୍ରକାଶନର ବ୍ୟବସ୍ଥା କରାଯାଇଥାଏ । ଗଭୀର-ସ୍ଥାନୀୟ-ସମ୍ୱାଦର ସ୍ରୋତକୁ ନିରନ୍ତର ଉଜ୍ଜୀବିତ ରଖିବା ନିମନ୍ତେ ସମାଜର ବିଭିନ୍ନ ଶ୍ରେଣୀ ତଥା ଭୌଗଳିକ ପରିବେଶରୁ ଆଗ୍ରହୀ ପାଠକମାନଙ୍କୁ ଚ଼ିହ୍ନଟ କରାଯାଇ ସମ୍ୱାଦ ମଞ୍ଚ ପକ୍ଷରୁ ବରାବର ସଂପର୍କ ସ୍ଥାପିତ ହୋଇଥାଏ । ତଥ୍ୟଗତ ତୃଟି, ମାନହାନୀ ଓ ସମ୍ୱାଦ ପରିବେଷଣରେ ଗୁଣବତ୍ତା ବୃଦ୍ଧି ନିମନ୍ତେ ସମ୍ପାଦକମାନେ ନାଗରିକ ସାମ୍ୱାଦିକଙ୍କୁ ସହଯୋଗ କରିଥାନ୍ତି ।
ଓଡ଼ିଶା ସାମ୍ୱାଦିକତା କ୍ଷେତ୍ରରେ ସମ୍ୱାଦପତ୍ର ଉନ୍ମେଷ କାଳରୁ ଗ୍ରାମାଞ୍ଚଳରୁ ଅନ୍ୟ ବୃତ୍ତିରେ ନିୟୋଜିତ ବ୍ୟକ୍ତିଗଣ ସମ୍ୱାଦ ପ୍ରେରଣ କରିଆସିଛନ୍ତି । ସମ୍ୱାଦପତ୍ର ପକ୍ଷରୁ ବ୍ଳକ ବା ଗ୍ରାମପଞ୍ଚାୟତସ୍ତରରେ ସ୍ଥାନୀୟ ବାସିନ୍ଦା ଜଣେ ମାତ୍ର ସମ୍ୱାଦଦାତା ଚ଼ିହ୍ନଟ କରିଥାନ୍ତି । କିନ୍ତୁ ନାଗରିକ ସାମ୍ୱାଦିକତା ପ୍ରଚଳନରେ ଯେ କୌଣସି ବ୍ୟକ୍ତି ସମ୍ୱାଦ ପ୍ରେରଣର ସୁଯୋଗ ପାଇବେ ଏବଂ ନିୟମିତ ସମ୍ୱାଦ ପ୍ରେରଣର ବାଧ୍ୟବାଧକତା ରହିବ ନାହିଁ । ଫଳରେ ସମ୍ୱାଦ ସଂଗ୍ରହ, ରଚନା ଓ ପ୍ରକାଶନ କ୍ଷେତ୍ରରେ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି ସଂଭବ । ଭାରତୀୟ ସମ୍ୱିଧାନ ଅନୁଯାୟୀ ପ୍ରତ୍ୟେକ ନାଗରିକ ମୁକ୍ତ ମତ ପ୍ରକାଶନର ହକଦାର ଏବଂ ବୃତ୍ତିଧାରୀ ସାମ୍ୱାଦିକମାନେ ତତ୍ ଭିନ୍ନ କୌଣସି ଅଧିକାର ଉପଭୋଗ କରିନଥାନ୍ତି । ନାଗରିକ ସାମ୍ୱାଦିକତା ନାଗରିକଙ୍କୁ ପାରିପାର୍ଶ୍ୱିକ ପରିବେଶ ସଂପର୍କରେ ଟୀକା-ଟୀପ୍ପଣି ମୂଳସ୍ରୋତର ସମ୍ୱାଦପତ୍ରରେ ପ୍ରକାଶନର ସୁଯୋଗ ସୃଷ୍ଟି କରିଥାଏ । ଏହା ପ୍ରଶାସନିକ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ, ଜନଜୀବନ ସମସ୍ୟା ସମାଧାନର ସୂତ୍ର ନିର୍ଦ୍ଧାରଣ ଓ ରାଜନୀତିକ ମତବାଦ ବିଚାର ବିମର୍ଷରେ ସହାୟକ ହେବା ସୁସ୍ପଷ୍ଟ ।
ଓଡ଼ିଶାର ମୁଦ୍ରିତ ସମ୍ୱାଦପତ୍ର ଭାରତ ସ୍ୱାଧୀନତା ପ୍ରାପ୍ତି ଯାଏଁ ଲୋକାଭିମୁଖୀ ଆଭିମୁଖ୍ୟ ଗ୍ରହଣ କରି ଆସିଥିଲା । ସମ୍ୱାଦପତ୍ର ବ୍ୟବସାୟ ବଦଳରେ ଲୋକସେବା ପର୍ଯ୍ୟାୟଭୁକ୍ତ ହେଉଥିଲା । ଫଳରେ ରାଜନୀତିକ ଆନ୍ଦୋଳନ, ସମାଜ ସଂସ୍କାର ଓ ସାଂସ୍କୃତିକ ଅଭିବୃଦ୍ଧି ଉଦ୍ଦେଶ୍ୟରେ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ସମ୍ୱାଦପତ୍ର ପ୍ରକାଶନ ନିମନ୍ତେ ଅନୁଦାନ ଦେଇ ଆସୁଥିଲେ । ସ୍ୱାଧୀନୋତ୍ତର ଅବସ୍ଥାରେ ଜାତୀୟସ୍ତରରେ ଆଞ୍ଚଳିକ ଭାଷାଗୁଡ଼ିକରେ କ୍ରମବିକଶିତ ମଡ଼େଲ ଅନୁସରଣରେ ସରକାରୀ ବିଜ୍ଞାପନ ଆଶ୍ରିତ ପରିବେଶରେ ପହଞ୍ଚିଥିଲା । ବ୍ୟାବସାୟିକ ବିଜ୍ଞାପନ ପ୍ରସାର ଦୌଡ଼ରେ ଅଗ୍ରଣୀ ଦୁଇ ତିନିଗୋଟି ସମ୍ୱାଦପତ୍ର ଏବଂ ପର୍ଯ୍ୟାପ୍ତ ମାତ୍ରାରେ ସରକାରୀ ବିଜ୍ଞାପନ ଅଧ ଡ଼ଜନେ ସମ୍ୱାଦପତ୍ର ମଧ୍ୟରେ ସୀମିତ ରହୁଥିଲା । ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକ ଓ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ବିପୁଳ ସଂଖ୍ୟକ ମୁଦ୍ରିତ ସମ୍ୱାଦପତ୍ର ଆତ୍ମପ୍ରକାଶ କରିଥିଲେ ହେଁ ୯୫ ପ୍ରତିଶତ ବ୍ୟାବସାୟିକ ଓ ସରକାରୀ ବିଜ୍ଞାପନ ଅପେକ୍ଷାରେ ହିଁ ରହିଥିଲେ ।
ଭାରତରେ ଆଞ୍ଚଳିକ ଭାଷାରେ ସୀମିତ ସଂଖ୍ୟକ ସମ୍ୱାଦ ଉପଭୋକ୍ତା କାରଣରୁ ଗଣମାଧ୍ୟମ ମଞ୍ଚଗୁଡ଼ିକ ବ୍ୟାବସାୟିକସ୍ତରରେ ଆର୍ଥିକ ସମତୁଲ ରକ୍ଷା କରିପାରନ୍ତି ନାହିଁ । ସରକାରୀ ବିଜ୍ଞାପନ ନିମନ୍ତେ ପ୍ରଚାରଧର୍ମୀ ସାମ୍ୱାଦିକତା ପ୍ରଚଳନରେ ବିଶ୍ୱସନୀୟତା ହାନୀ ଓ ସମ୍ୱାଦ ବିମୁଖ ପରିବେଶ ସୃଷ୍ଟି ହୁଏ । ହିନ୍ଦି, ତେଲୁଗୁ, ତାମିଲ, ମାଳାୟଳମ ଓ ବଙ୍ଗଳା ଭଳି ପାଠକ ଓ ଦର୍ଶକ ସମୃଦ୍ଧ ରାଜ୍ୟଗୁଡ଼ିକୁ ବାଦ ଦେଲେ ଅନ୍ୟତ୍ର ଗଣମାଧ୍ୟମ ମଞ୍ଚଗୁଡ଼ିକ ସରକାରୀ ଦୟାର ପାତ୍ର ହୋଇଥାନ୍ତି । ଏହି ବିଷଚ଼କ୍ରରୁ ମୁକ୍ତି ପାଇବାଲାଗି ବିକଳ୍ପ ମଡ଼େଲ ପରୀକ୍ଷା ନିରୀକ୍ଷା କରିବା ଯୁକ୍ତିଯୁକ୍ତ ମନେହୁଏ । ଅନ୍ତତଃପକ୍ଷେ ଅନ୍ୟତ୍ର ଯେଉଁ ବ୍ୟାବସାୟିକ ମଡ଼େଲଗୁଡ଼ିକ ସଫଳତା ହାସଲ କରିଛି, ସେଗୁଡ଼ିକର ସ୍ଥାନୀୟ ସଂସ୍କରଣ ଉପଯୋଗ କରାଯାଇପାରେ । ଏହି କ୍ରମରେ ଅବକ୍ଷୟମୁଖୀ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପକୁ ଲୋକାଭିମୁଖୀ କରିବା ନିମନ୍ତେ ନାଗରିକ ସାମ୍ୱାଦିକତା ପ୍ରଚଳନ କିଛି ମାତ୍ରାରେ ସହାୟକ ହେବା ଆଶା କରାଯାଇପାରେ ।
