ଆଜିର ଖାସ ଖବର
Mon. Jun 1st, 2026

ପଞ୍ଚମ ସ୍ତମ୍ଭ

By Dainikasha Jul12,2024

ସାଧାରଣ ବିଚାରରେ ଗଣତନ୍ତ୍ର ବ୍ୟବସ୍ଥାପକ, ପ୍ରଶାସନ ଓ ନ୍ୟାୟଳୟ ତିନିଗୋଟି ସ୍ତମ୍ଭକୁ ନେଇ ଗଢ଼ି ଉଠିଥିବା ସ୍ଥଳେ ଗଣମାଧ୍ୟମ ଚ଼ତୁର୍ଥ ସ୍ତମ୍ଭ ଭାବେ ସେଗୁଡ଼ିକର କାର୍ଯ୍ୟକାରିତା ସଂପର୍କରେ ନାଗରିକଙ୍କୁ ଅବଗତ କରାଇବା ତଥା ସମୀକ୍ଷା ନିମନ୍ତେ ମଞ୍ଚ ପ୍ରସ୍ତୁତିରେ ସହାୟକ ହୋଇଥାଏ । ଯେକୌଣସି ସାର୍ବଜନୀନ କାର୍ଯ୍ୟଧାରାରେ ଅନୁସୃତ ପ୍ରଣାଳୀଗୁଡ଼ିକର ଭୂଲଭଟକା ସଂଶୋଧନ ଆବଶ୍ୟକ କରେ । ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ସ୍ୱାଧୀନ ଗଣମାଧ୍ୟମ ଏହି ସଂଶୋଧନ ପ୍ରକ୍ରିୟାର ଭିତ୍ତିଭୂମି ଗଢ଼ିତୋଳିବା ଦାୟିତ୍ୱ ନିର୍ବାହ କରିଥାଏ । ଗଣତନ୍ତ୍ରରେ ତିନିଗୋଟି ସ୍ତମ୍ଭର ସମୀକ୍ଷା ନିମନ୍ତେ ଉଦ୍ଦିଷ୍ଟ ଚ଼ତୁର୍ଥ ସ୍ତମ୍ଭକୁ ଯଥାସଂଭବ ବିଭିନ୍ନ ସାମାଜିକସ୍ତରରେ ନିୟନ୍ତ୍ରଣମୁକ୍ତ ରଖିବା ନିମନ୍ତେ ନୀତି ନିର୍ଦ୍ଧାରଣକୁ ପ୍ରାଥମିକତା ଦିଆଯାଇଥାଏ ।

ସାମ୍ୱାଦିକତା ସମ୍ୱାଦ ସଂଗ୍ରହ, ସୃଜନ ଓ ପ୍ରସାରଣ ପ୍ରକ୍ରିୟାକୁ ବୁଝାଏ । ସ୍ୱାଧୀନ, ସତ୍ୟ ଓ ନିରପେକ୍ଷ ସମ୍ୱାଦ ପରିବେଷଣ ସାମ୍ୱାଦିକତାର ମୂଳମନ୍ତ୍ର । ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ଜନମତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ହେତୁ ଗଣମାଧ୍ୟମ ଜରିଆରେ ଜନମତକୁ ପ୍ରଭାବିତ କରିବା ନିମନ୍ତେ ସମାଜର ବିଭିନ୍ନ ବର୍ଗରୁ ଉଦ୍ୟମ ହୋଇଥାଏ । ଏଥି ନିମନ୍ତେ ପ୍ରେସବିଜ୍ଞପ୍ତି ମାଧ୍ୟମରେ ଗଣମାଧ୍ୟମ ନିକଟରେ ନିଜ ପକ୍ଷ ସଂବଳିତ ସୂଚ଼ନା ପହୁଞ୍ଚାଇବା ପ୍ରଥା ପ୍ରଚଳିତ । ଆନୁଷ୍ଠାନିକ ଲୋକ ସଂପର୍କର ଅଂଶବିଶେଷ ଏହି ଧାରା ସମୟକ୍ରମେ ଶକ୍ତିଶାଳୀ ହେବାରେ ଲାଗିଛି । କୁହାଯାଏ ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ଗଣମାଧ୍ୟମ ପରିବେଶରେ ଜଣେ ସାମ୍ୱାଦିକ ନିଯୁକ୍ତ ଥିବା ସ୍ଥଳେ ଛଅ ଜଣ ଲୋକସଂପର୍କ ଅଧିକାରୀ କାର୍ଯ୍ୟରତ । ଏହି ପରିସଂଖ୍ୟାନ ଗଣମାଧ୍ୟମକୁ ପ୍ରଭାବିତ କରିବା ପ୍ରଚେଷ୍ଟା ତୀବ୍ରତାର ସୂଚ଼ନା ଦିଏ ।

ସମ୍ୱାଦ ସଂସ୍ଥାଗୁଡ଼ିକ ନିକଟରେ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ନିଜ ପକ୍ଷ ସମ୍ୱଳିତ ସୂଚ଼ନା ପହୁଞ୍ଚାଇବା ଦୋଷାବହ ନୁହେଁ । ଗଣତନ୍ତ୍ରରେ ସମସ୍ତଙ୍କ ମୁକ୍ତମତ ପ୍ରକାଶର ଅଧିକାର ରହିଛି । ସାମ୍ୱାଦିକମାନେ କୌଣସି ବ୍ୟକ୍ତିବିଶେଷ କିମ୍ୱା ସଂସ୍ଥାର ପ୍ରେସ ବିଜ୍ଞପ୍ତିକୁ ବ୍ୟବହାର କରିବେ ନା ନାହିଁ ତାହା ସଂପୃକ୍ତ ସାମ୍ୱାଦିକ ତଥା ତାଙ୍କରି ନିଯୁକ୍ତିଦାତା ସମ୍ୱାଦ ସଂସ୍ଥା ନିର୍ଦ୍ଧାରଣ କରିଥାନ୍ତି । ନୀତିଗତ ଭାବେ ସାମ୍ୱାଦିକମାନେ ସମ୍ୱାଦ ସୂତ୍ର ‘ନିଉଜ ସୋର୍ସ’ଗୁଡ଼ିକୁ ଉତ୍ସାହିତ କରିବା କଥା, କାରଣ ଏତଦ୍ୱାରା ହିଁ ସମାଜର କୋଣଅନୁକୋଣରୁ ସମ୍ୱାଦ ସଂଗ୍ରହ ସଂଭବପର ହୋଇଥାଏ । ପ୍ରେସ ବିଜ୍ଞପ୍ତିଗୁଡ଼ିକୁ ସମ୍ୱାଦର ଉତ୍ସ ‘ନିଉଜ କ୍ୟୁ’ ଭାବେ ଗ୍ରହଣ କରି ସେ ସଂପର୍କରେ ଅଧିକ ଅନୁସନ୍ଧାନ ତଥା ପ୍ରତିପକ୍ଷଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଉଦ୍ୟମ ଆବଶ୍ୟକ । ଏତଦ୍ୱାରା ସତ୍ୟ ଓ ନିରପେକ୍ଷ ସମ୍ୱାଦ ପ୍ରଯୋଜନା ସଂଭବପର । କିନ୍ତୁ ଦୁର୍ବଳ ଗଣମାଧ୍ୟମ ପରିବେଶରେ ପ୍ରେସବିଜ୍ଞପ୍ତିକୁ ଭିତ୍ତିକରି ସତ୍ୟ ଉଦଘାଟନ ପରିବର୍ତ୍ତେ ପ୍ରେସବିଜ୍ଞପ୍ତିକୁ ହିଁ ସମ୍ୱାଦ ରୂପେ ପ୍ରକାଶନର ଧାରା ସୁସ୍ପଷ୍ଟ ହେବାରେ ଲାଗିଛି ।

ପ୍ରେସ ବିଜ୍ଞପ୍ତିର ବହୁଳ ବ୍ୟବହାର ସାମ୍ୱାଦିକତାର ମୌଳିକ ଆଭିମୁଖ୍ୟର ବିରୁଦ୍ଧାଚରଣ କରେ । ଲୋକହିତକଳ୍ପେ ଜନଜୀବନର ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସାମଗ୍ରୀକ ବିବରଣୀ ସମ୍ୱାଦ ପର୍ଯ୍ୟାୟଭୁକ୍ତ ହେଉଥିବା ସ୍ଥଳେ ସମ୍ୱାଦ ରଚନା କେବଳ ପ୍ରେସ ବିଜ୍ଞପ୍ତି ଆଧାରିତ ହେଲେ ମୂଳ ଉଦ୍ଦେଶ୍ୟ ସାଧିତ ହୋଇପାରେ ନାହିଁ । ବ୍ୟବସ୍ଥାପକ, ପ୍ରଶାସନ ଓ ନ୍ୟାୟାଳୟର କାର୍ଯ୍ୟକାରିତା ସମୀକ୍ଷା ବଦଳରେ ଅସତ୍ୟ, ଅତିରଞ୍ଜିତ, ଏପରିକି ସ୍ଥଳବିଶେଷରେ ପ୍ରଶସ୍ତିଗାନରେ ସୀମିତ ରହେ । ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମ ଚ଼ତୁର୍ଥସ୍ତମ୍ଭ ବଦଳରେ ପଞ୍ଚମସ୍ତମ୍ଭରେ ରୂପାନ୍ତରିତ ହୋଇଯାଉଥିବା ସମାଲୋଚକମାନେ ପରିହାସ ଛଳରେ କହିଥାନ୍ତି । ଏହାକୁ ଛାୟା ସାମ୍ୱାଦିକତା ‘ସେଡ଼ୋ ଜର୍ଣ୍ଣାଲିଜମ’ ମଧ୍ୟ ନାମିତ କରାଯାଇଥାଏ ।

ସାଂପ୍ରତିକ ପରିପ୍ରେକ୍ଷୀରେ ଭାରତୀୟ ଆଞ୍ଚଳିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ମଧ୍ୟରୁ ମୁଦ୍ରିତ ଦୈନିକ ସମ୍ୱାଦପତ୍ରରେ ପ୍ରେସବିଜ୍ଞପ୍ତି ସମୃଦ୍ଧ ସାମ୍ୱାଦିକତା ବ୍ୟାପ୍ତିର ବହୁ କାରଣ ଚ଼ିହ୍ନଟ କରାଯାଇପାରେ । ପ୍ରଥମତଃ, ସଂଖ୍ୟାଧିକ ଦୈନିକ ସମ୍ୱାଦପତ୍ର ପ୍ରକାଶନ ହେତୁ ସେଗୁଡ଼ିକର ସଂସ୍କରଣଗୁଡ଼ିକ ପ୍ରଯୋଜନା ନିମନ୍ତେ ପର୍ଯ୍ୟାପ୍ତ ସଂଖ୍ୟକ ସାମ୍ୱାଦିକ ଓ ସମ୍ପାଦକମାନଙ୍କ ଅଭାବ ପରିଲକ୍ଷିତ । ଓଡ଼ିଶାରେ ୮୩ ଗୋଟି ଦୈନିକ ସମ୍ୱାଦପତ୍ର ପ୍ରକାଶିତ ହେଉଥିବା ରାଜ୍ୟସରକାରଙ୍କ ପକ୍ଷରୁ ବିଧାନସଭା ପ୍ରଶ୍ନୋତ୍ତର କାଳରେ ଦର୍ଶାଯାଇଥିଲା । ଏଥି ମଧ୍ୟରୁ ଅନେକ ଅନିୟମିତଭାବେ ପ୍ରକାଶିତ ହେଉଥିବା ବିଶ୍ୱାସ କରାଗଲେ ସୁଦ୍ଧା ବହୁ ସଂଖ୍ୟକ ସଂସ୍କରଣ ଓ ପୃଷ୍ଠା ନିମନ୍ତେ ମୌଳିକ ସମ୍ୱାଦ ରଚନା ପ୍ରାୟତଃ ଅସଂଭବ ମନେ କରାଯାଇପାରେ ।

ଦ୍ୱିତୀୟତଃ, ଦେଶର ଆଞ୍ଚଳିକ ଦୈନିକ ସମ୍ୱାଦପତ୍ରଗୁଡ଼ିକପକ୍ଷରୁ ନଗଣ୍ୟ ସଂଖ୍ୟାରେ ପ୍ରକାଶନସ୍ଥଳ-ପାର ସହର ଗୁଡ଼ିକରେ ବୃତ୍ତିଧାରୀ ସମ୍ୱାଦଦାତାଙ୍କୁ ନିଯୁକ୍ତ କରାଯାଇଥାଏ ଏବଂ ଗ୍ରାମାଞ୍ଚଳର ପ୍ରାୟ ସମସ୍ତେ ଅଧିସ୍ୱୀକୃତ ମାତ୍ର । ସମ୍ୱାଦଦାତା ଜୀବିକା ନିର୍ବାହ ନିମନ୍ତେ ଭିନ୍ନ ବୃତ୍ତିରେ ନିୟୋଜିତ ଥାନ୍ତି । ସାମ୍ୱାଦିକତା ଏକ ସଉକ କିମ୍ୱା ସାମାଜିକ ସ୍ୱୀକୃତିର ଉପାଦାନ ରୂପେ ଗ୍ରହଣ କରାଯାଉଥିବା ହେତୁ ସାମ୍ୱାଦିକତାର କଳାକୌଶଳ ଆୟତ୍ତ କରିବା ନିମନ୍ତେ ସେମାନେ ଆଗ୍ରହ ପ୍ରକାଶ କରିନଥାନ୍ତି । ଫଳରେ ସାମୟିକଭାବେ ସାମ୍ୱାଦିକତାରେ ସଂପୃକ୍ତି ସମ୍ୱାଦ ରଚନା ନିମନ୍ତେ ପ୍ରେସ ବିଜ୍ଞପ୍ତି ଆଶ୍ରିତ ହୋଇପଡ଼ିଥାଏ । ଅର୍ଥାତ କୌଣସି ଏକ ଘଟଣାକ୍ରମରେ ପ୍ରଭାବିତ ପକ୍ଷ ଦ୍ୱାରା ପ୍ରସ୍ତୁତ ବିବରଣୀ ସମ୍ୱାଦ ଆକାରରେ ପ୍ରକାଶନ ନିମନ୍ତେ ଉପସ୍ଥାପନ କରାଯାଏ । ସେଥିରେ ପ୍ରତିପକ୍ଷ ନିଜ ଅଭିମତ ବ୍ୟକ୍ତ କରିବାର ସୁଯୋଗ ନଥାଏ ।

ତୃତୀୟତଃ, ସମ୍ୱାଦ ରଚନା ନିମନ୍ତେ ତଥ୍ୟ ସଂଗ୍ରହ ଓ ସୃଜନରେ ଦକ୍ଷତା ଆବଶ୍ୟକ ଥିବା ସ୍ଥଳେ ଭାରତୀୟ ଆଞ୍ଚଳିକ ସମ୍ୱାଦପତ୍ରଗୁଡ଼ିକ ସହ ସଂପୃକ୍ତ ସମ୍ୱାଦଦାତା କିମ୍ୱା ସମ୍ପାଦକମାନଙ୍କ ନିମନ୍ତେ ତାଲିମର ସୁବିଧାସୁଯୋଗ ଅଭାବ ଅନୁଭୂତ ହୁଏ । ପାରମ୍ପରିକଭାବେ ଓଡ଼ିଶାରେ ଜରୁରିକାଳୀନ ପରିସ୍ଥିତି ପୂର୍ବାବସ୍ଥା ଯାଏଁ କମ ସଂଖ୍ୟକ ଦୈନିକ ସମ୍ୱାଦପତ୍ର ପ୍ରକାଶିତ ହେଉଥିବା ଏବଂ ବୃତ୍ତିଧାରୀ ସାମ୍ୱାଦିକମାନେ ସମ୍ପାଦକ ପଦବୀରେ ନିଯୁକ୍ତି ପାଉଥିବା ହେତୁ ଅଧିସ୍ୱୀକୃତ ସମ୍ୱାଦଦାତାମାନଙ୍କୁ ସମ୍ପାଦକମାନେ ମାର୍ଗଦର୍ଶନ ‘ମେନଟରିଂ’ କରିଆସୁଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ପାଦକମାନେ ପ୍ରକାଶନ ଦାୟିତ୍ୱ ସମ୍ଭାଳିବା କିମ୍ୱା ଅନ୍ୟ ବୃତ୍ତିରେ ସଂପୃକ୍ତ ରହିବା ତଥା ସ୍ଥଳବିଶେଷରେ ସମ୍ପାଦନା କଳାକୌଶଳରେ ଅଭିଜ୍ଞତା ଅଭାବ ସମ୍ୱାଦପତ୍ର ସଂସ୍ଥା ପକ୍ଷରୁ ତାଲିମକୁ ଅନେକାଂଶରେ ଶୀଥିଳ କରିପକାଇଲା । କ୍ରମବର୍ଦ୍ଧମାନ ଆନୁଷ୍ଠାନିକ ସାମ୍ୱାଦିକତା ତାଲିମ ପ୍ରତିଷ୍ଠାନମାନ ଏହି କ୍ଷେତ୍ରରେ ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରିପାରିଲେ ନାହିଁ ।

ସମ୍ୱାଦ ମଞ୍ଚଗୁଡ଼ିକରେ ସମ୍ୱାଦ ଓ ଅଭିମତ ଉଭୟ ଅଭିନ୍ନ ଅଙ୍ଗ । ତେବେ ସମ୍ୱାଦରେ ଅଭିମତ ସ୍ଥାନିତ କରିବା ଦୋଷାବହ । ଦୁଇଗୋଟି ବର୍ଗର ରଚନା ସ୍ୱତନ୍ତ୍ରଭାବେ ପ୍ରକାଶିତ ହେବା ବିଧ୍ୟେୟ । ପ୍ରଶାସନ, ରାଜନୀତିକ ଦଳ, ଶିଳ୍ପପତି ଓ ବ୍ୟବସାୟୀମାନଙ୍କ ପକ୍ଷରୁ ବହୁ ସମୟରେ ସମ୍ୱାଦ ମଞ୍ଚଗୁଡ଼ିକ ଉପଯୋଗରେ ଜନସାଧାରଣଙ୍କ ନିକଟରେ ସୂଚ଼ନା ପ୍ରସାରଣ ନିମନ୍ତେ ଉଦ୍ୟମ କରାଯାଇଥାଏ । ଗଣମାଧ୍ୟମ ପକ୍ଷରୁ ଏଥିରେ ସହାୟତା ପ୍ରଦାନରେ ସମସ୍ୟା ନଥିଲେ ହେଁ ସେମାନଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଉଦ୍ଦେଶ୍ୟପ୍ରଣୋଦିତ ହେବା ସ୍ୱାଭାବିକ । ଏହି ପରିସ୍ଥିତିରେ ସାମ୍ୱାଦିକ ଏକନିଷ୍ଠଭାବେ ସେମାନଙ୍କ ସୂତ୍ରରୁ ପ୍ରସାରିତ ତଥ୍ୟାବଳୀ ବିନା ସମୀକ୍ଷାରେ ସମ୍ୱାଦର ଅଂଶରୂପେ ପ୍ରକାଶନକଲେ ଭୂଲଭଟ୍ଟକାର ଭୟ ଲାଗିରହିଥାଏ ।

ସମ୍ୱାଦପତ୍ରଗୁଡ଼ିକ ପକ୍ଷରୁ ବିଜ୍ଞାପନ ପର୍ଯ୍ୟାୟରେ ଦେୟପ୍ରାପ୍ତ ସମ୍ୱାଦ ‘ଏଡ଼ଭୋଟୋରିଆଲ’ ପ୍ରକାଶନର ବ୍ୟବସ୍ଥା ଉପଲବ୍ଧ । ତେବେ ଏଭଳି ବିଜ୍ଞାପନଧର୍ମୀ ସମ୍ୱାଦଗୁଡ଼ିକ ସ୍ୱତନ୍ତ୍ରଭାବେ ଚ଼ିହ୍ନିତ ହେବା ତଥା ଆବଶ୍ୟକସ୍ଥଳେ ସ୍ୱତନ୍ତ୍ର ପୃଷ୍ଠାରେ ସ୍ଥାନିତ ହେଲେ ସାମ୍ୱାଦିକତାର ମୌଳିକ ନୀତିନିୟମ ଉଲଂଘନ ହୋଇନଥାଏ । ସମ୍ୱାଦ, ଅଭିମତ ଓ ବିଜ୍ଞାପନ ମଧ୍ୟରେ ସ୍ପଷ୍ଟ ସୀମାରେଖା ଅଙ୍କିତ ନ ହୋଇପାରିଲେ ତାହା ଏକ ପକ୍ଷରେ ଗୁଣାତ୍ମକ ସାମ୍ୱାଦିକତାରେ ଅଙ୍କୁଶ ସୃଷ୍ଟି କରୁଥିବା ସ୍ଥଳେ ଅପରପକ୍ଷରେ ଦୀର୍ଘସୂତ୍ରରେ ପାଠକୀୟ ବିଶ୍ୱାସନୀୟତା ହରାଏ । ଏହା ସମ୍ୱାଦମଞ୍ଚର ପରିଚିତି ଓ ବ୍ୟବସାୟହାନୀର କାରଣ ପାଲଟେ ।

ମୌଳିକଭାବେ ଯାହା ଘଟିଲା ତାହା ସମ୍ୱାଦ । କିନ୍ତୁ ସମକାଳରେ ସମ୍ୱାଦମଞ୍ଚଗୁଡ଼ିକ ସମ୍ୱାଦ ପ୍ରଯୋଜନାରେ ପ୍ରଶାସନିକ ସୂତ୍ରକୁ ଗୁରୁତ୍ୱ ଦେଉଥିବା ହେତୁ ଯାହା ଯୋଜନା କରାଯାଇଛି ବା ଘଟିବାର ଆଶା କରାଯାଉଛି ତାହାକୁ ସମ୍ୱାଦ ରୂପେ ପ୍ରକାଶ କରାଯାଉଛି । ଫଳରେ ‘ବର୍ତ୍ତମାନ’ ଅପେକ୍ଷା ‘ଭବିଷ୍ୟତ’ ସମ୍ୱାଦ ପ୍ରସାରଣରେ ଗୁରୁତ୍ୱଲାଭ କରୁଛି ଏବଂ ଆଶ୍ଚର୍ଯ୍ୟଜନକଭାବେ ‘ଅତୀତ’କୁ ଭୂଲି ଯାଉଛି । ପ୍ରଶାସନିକସ୍ତରରେ କ’ଣ କାର୍ଯ୍ୟ ସରିଛି ଏବଂ ତଦ୍ଦ୍ୱାରା ଜନସାଧାରଣ କିଭଳି ପ୍ରଭାବିତ ହୋଇଛନ୍ତି ତାହା ସମ୍ୱାଦରଭିତ୍ତି ହେବା ସ୍ଥଳେ ପାଠକକୁ ବାସ୍ତବତାରୁ ଦୂରେଇ ସ୍ୱପ୍ପ୍ନିଳ ଭବିଷ୍ୟତକୁ ଠେଲି ଦିଆଯାଉଛି । ପ୍ରଦତ୍ତ ପ୍ରତିଶୃତିଗୁଡ଼ିକ କେତେଦୂର ପୂରଣ ହୋଇଛି ତାହାର ହିସାବନିକାଶ ସର୍ବସାଧାରଣଙ୍କ ଚର୍ଚ୍ଚାର ପରିସରକୁ ଆସିପାରୁ ନାହିଁ । ଏହି ପ୍ରବାହରେ ସାମ୍ୱାଦିକତା ନିଜସ୍ୱ ଗୁରୁତ୍ୱ ହରାଉଥିବା ପ୍ରତୀୟମାନ ହୋଇଥାଏ ।

ମାନବ ସଭ୍ୟତାର ଉନ୍ମେଷକାଳରେ ଅରଣ୍ୟରେ ଜୀବନଯାପନ ବେଳେ ହିଂସ୍ରପଶୁଙ୍କ ଆଗମନ ସଂପର୍କରେ ସମଗୋତ୍ରଙ୍କୁ ସୂଚାଇ ଦେବା ନିମନ୍ତେ ଭାଷାର ଅଭାବରେ ମନୁଷ୍ୟର ଅଙ୍ଗଭଙ୍ଗୀ ବା ଚିତ୍କାରକୁ ଯଦି ସାମ୍ୱାଦିକତାର ମୂଳ ଉତ୍ସରୂପେ ଚ଼ିହ୍ନଟ କରିବା, ତେବେ ଜନହିତରେ ଏହାର ସ୍ଥିତି ନିର୍ଣ୍ଣୟ କରାଯାଇପାରେ । ଭାଷା ଓ ଲିପିର ବିକାଶ, ମୁଦ୍ରଣ ଯନ୍ତ୍ର ଉଦ୍ଭାବନ, ରେଡ଼ିଓ, ଟେଲିଭିଜନ, ଇଣ୍ଟରନେଟ ମଞ୍ଚର ବ୍ୟାପ୍ତି ଅବସରରେ ଗଣମାଧ୍ୟମ ପରିବେଶରେ ସାମ୍ୱାଦିକତା ତାହାର ଗୁରୁତ୍ୱ ବଜାୟ ରଖିଛି । ୨୦୨୦ ସୁଦ୍ଧା ବ୍ୟକ୍ତିପିଚ୍ଛା ଗଣମାଧ୍ୟମ ସଂପୃକ୍ତି ବିକଶିତ ରାଷ୍ଟ୍ରଗୁଡ଼ିକରେ ଦଶ ଘଣ୍ଟା ତଥା ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ପାଞ୍ଚ ଘଣ୍ଟା ହିସାବ କରାଯାଉଥିବା ସ୍ଥଳେ ସମ୍ୱାଦମଞ୍ଚଗୁଡ଼ିକୁ ସଂକୀର୍ଣ୍ଣ ସ୍ୱାର୍ଥ ହାସଲ ନିମନ୍ତେ ବ୍ୟବହାର କରିବା ନିମନ୍ତେ ଅପଚେଷ୍ଟାର ମଧ୍ୟ ଅଭାବ ନାହିଁ । ଏହି ସଂଘର୍ଷପୂର୍ଣ୍ଣ ପରିବେଶରେ ତୃଟିପୂର୍ଣ୍ଣ ବ୍ୟାବସାୟିକନୀତି ସଜାଡ଼ିବା ବଦଳରେ ସମ୍ୱାଦମଞ୍ଚଗୁଡ଼ିକ ସାମ୍ୱାଦିକତାକୁ ପଞ୍ଚମସ୍ତମ୍ଭରେ ପରିବର୍ତ୍ତନର ଅପଚେଷ୍ଟାରୁ କିପରି କ୍ଷାନ୍ତ ରଖାଯାଇପାରିବ ତାହା ଏକ ବଡ଼ ସମସ୍ୟା । 

Related Post