ଆଜିର ଖାସ ଖବର
Wed. May 27th, 2026

ପାଠକୀୟ ପ୍ରତ୍ୟାଶା

By Dainikasha Jul12,2024

ମୁଦ୍ରିତ ଗଣମାଧ୍ୟମ ପାଠକଙ୍କ ସଂପୃକ୍ତ ମଞ୍ଚ ପ୍ରତି ଆଶା-ଆକାଂକ୍ଷା ‘ପାଠକୀୟ ପ୍ରତ୍ୟାଶା’ ନାମିତ । ପାରମ୍ପରିକ ଗଣମାଧ୍ୟମ ପରିବେଶରେ ଏକକ ସୂତ୍ରରୁ ପ୍ରକାଶିତ ପାଠ୍ୟ, ଶ୍ରାବ୍ୟ ବା ଦୃଶ୍ୟ ‘ଟେକ୍ସଟ’, ‘ଅଡ଼ିଓ’ ବା ‘ଭିଡ଼ିଓ’ ଉପଭୋକ୍ତାଙ୍କ ମଧ୍ୟରେ ପ୍ରସାରିତ ହୋଇଥାଏ । ପାଠକ, ଶ୍ରୋତା ବା ଦର୍ଶକଙ୍କ ଅବଶ୍ୟକତା ଓ ରୁଚି ପରଖିବା ସମ୍ପାଦକମାନଙ୍କ ଦାୟିତ୍ୱ । ଅଧିକାଂଶ କ୍ଷେତ୍ରରେ ତଦ୍ ଜନିତ ସମୀକ୍ଷା ପ୍ରକ୍ରିୟା ଯୁକ୍ତିଯୁକ୍ତ ଢଙ୍ଗରେ ନିୟନ୍ତ୍ରିତ ହୋଇପାରି ନଥାଏ । ଏହି କାରଣରୁ ଗଣମାଧ୍ୟମରେ ପ୍ରକାଶିତ ସୃଜନ ‘କଣ୍ଟେଣ୍ଟ’ ଉପଭୋକ୍ତାଙ୍କ ଆଶା-ଆକାଂକ୍ଷା ପୂରଣ କରିପାରେନାହିଁ ।

ସାଧାରଣରେ ସମ୍ପାଦକମାନେ ମୁଦ୍ରିତ ମଞ୍ଚଗୁଡ଼ିକର ସମ୍ପାଦକୀୟ ନୀତି ନିର୍ଦ୍ଧାରଣ କରିଥାନ୍ତି । ନିଜସ୍ୱ ମଞ୍ଚର ପାଠକଙ୍କ ଆବଶ୍ୟକତା ଓ ରୁଚ଼ି ସଂପର୍କରେ ସେମାନେ ଅବଗତ ବୋଲି ବିଶ୍ୱାସ କରାଯାଇଥାଏ । ସମ୍ପାଦକଙ୍କ ଅଭିଜ୍ଞତା, ପାଠକମାନଙ୍କ ସହ ଅଣଆନୁଷ୍ଠାନିକ ଆଲୋଚ଼ନା ଓ ପ୍ରକାଶନର ସୃଜନ-ଦୃଷ୍ଟିକୋଣ ‘କ୍ରିଏଟିଭ ପ୍ରସପେକ୍ଟିଭ’କୁ ଭିତ୍ତିକରି ସମ୍ପାଦକୀୟ ନୀତି ପ୍ରଯୋଜିତ ହୋଇଥାଏ । ତେବେ ଏହି ପଦ୍ଧତି ପରିସଂଖ୍ୟାନଭିତ୍ତିକ ଓ ପ୍ରମାଣଯୋଗ୍ୟ ସାବ୍ୟସ୍ତ ହୋଇପାରେ ନାହିଁ । ଫଳତଃ ଉପାଦେୟତା ସନ୍ଦିହାନ ଅବସ୍ଥାରେ ପଡ଼ିରହେ ।

ଆଧୁନିକ ପରିବେଶରେ ଗଣମାଧ୍ୟମ ସୃଜନ ଉପଭୋକ୍ତା-କେନ୍ଦ୍ରୀକ ବିଚାର କରାଯାଉଥିବା ହେତୁ ସୃଜନର ଗୁଣାତ୍ମକ ଉନ୍ନତି ତଥା ପ୍ରସାର ବୃଦ୍ଧି ନିମନ୍ତେ ଉପଭୋକ୍ତାଙ୍କ ପ୍ରତିକ୍ରିୟା ସର୍ବେକ୍ଷଣ ପ୍ରତି ଗୁରୁତ୍ୱ ଆରୋପ କରାଯାଇଥାଏ । ଆନ୍ତର୍ଜାତିକସ୍ତରରେ ମୁଦ୍ରିତ ଗଣମାଧ୍ୟମ ମଞ୍ଚର ପ୍ରକାଶକଗଣ ‘ୟୁଏକ୍ସଆର’ବା ‘ୟୁଜର୍ସ ଏକ୍ସପେକ୍ଟେସନ୍ସ ରିସର୍ଚ୍ଚ‘ ପାଠକୀୟ ପ୍ରତ୍ୟାଶା ଆକଳନ ନିମନ୍ତେ ବ୍ୟବହାର କରନ୍ତି । ବଜାରଭିତ୍ତିକ ବିଭିନ୍ନ ବନ୍ଧେଇ ଦ୍ରବ୍ୟସମୂହ ‘ପ୍ୟାକେଜେଡ଼ ଗୁଡ଼ସ’ଠାରୁ ଆରମ୍ଭକରି ସୋସିଆଲ ନେଟୱାର୍କ ବା ପ୍ରକାଶକ ଯାଏଁ ପ୍ରତ୍ୟେକ ବ୍ୟବସାୟରେ ଉପଭୋକ୍ତାଙ୍କ ଆବଶ୍ୟକତା ଓ ରୁଚ଼ି ସଂପର୍କରେ ତଥ୍ୟ ସଂଗ୍ରହ ବ୍ୟବସାୟ ପରିଚାଳନାର ଅଂଶବିଶେଷ ପାଲଟିଛି ।

ଆନ୍ତର୍ଜାତିକସ୍ତରରେ ସମ୍ମୁଖ ଧାଡ଼ିରେ ପ୍ରତିଷ୍ଠିତ ମୁଦ୍ରିତ ଗଣମାଧ୍ୟମ ମଞ୍ଚଗୁଡ଼ିକ ପକ୍ଷରୁ ପାଠକୀୟ ପ୍ରତ୍ୟାଶା ଅନୁଧ୍ୟାନ କ୍ରମାଗତ ପ୍ରକ୍ରିୟା । ଉଦାହରଣରେ ମାର୍କିନ ମାସିକ ପତ୍ରିକା “ଦି ଆଟଲାଣ୍ଟିକ” ବିଚାରକୁ ନିଆଯାଉ । ଏହି ପତ୍ରିକାଟି ଦେଢଶହ ବର୍ଷ ପୂର୍ବେ ୧୮୫୭ରେ ବୋଷ୍ଟନଠାରୁ ପ୍ରକାଶନ ଆରମ୍ଭ କରିଥିଲା । ସଂପ୍ରତି ୱାଶିଂଟନରୁ ପ୍ରକାଶିତ ମୁଦ୍ରିତ ସଂସ୍କରଣ ପ୍ରସାର ସଂଖ୍ୟା ୨୦୧୮ରେ ହିସାବ ଅନୁଯାୟୀ ପ୍ରାୟ ପାଞ୍ଚ ଲକ୍ଷ । ଏହାର ସୁଦୀର୍ଘ ଇତିହାସରେ ରାଲଫ ୱଲଡ଼ୋ ଏମାରସନ, ମାର୍କ ଟୁଇନ, ଏରନଷ୍ଟ ହେମିଂୱେ ଓ ମାର୍ଟିନ ଲୁଥର କିଙ୍ଗ ଜୁନିୟରଙ୍କ ଭଳି ସୃଜନସ୍ରଷ୍ଟା ଓ ଚ଼ିନ୍ତାନାୟକ ସାହିତ୍ୟ, ରାଜନୀତି, ବୈଦେଶିକ ବ୍ୟାପାର ଓ ଜୀବନଶୈଳୀ ସଂପର୍କରେ ଲେଖିଛନ୍ତି । ଏକବିଂଶ ଶତାଦ୍ଦୀ ଆରମ୍ଭରୁ ବର୍ଷରେ ଦଶଗୋଟି ସଂଖ୍ୟା ପ୍ରକାଶ ପାଉଥିବା ‘ଦି ଆଟଲାଣ୍ଟିକ’ ମୁଖ୍ୟତଃ ଦୀର୍ଘ ରଚନା ‘ଲଙ୍ଗଫର୍ମ ଷ୍ଟୋରି ଟେଲିଂ’ ଓ ଚର୍ଚ୍ଚିତ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତକାର ସମୃଦ୍ଧ । ପରିବର୍ତ୍ତିତ ପରିବେଶରେ ମୁଦ୍ରିତ ପତ୍ରିକା ସହ ଡ଼ିଜିଟାଲ ମଞ୍ଚ ମଧ୍ୟ ସାମିଲ ହୋଇଛି ।

‘ଦି ଆଟଲାଣ୍ଟିକ’ର ପାଠକୀୟ ପ୍ରତ୍ୟାଶା ପରିମାପ ତଦାରଖ କରିବା ନିମନ୍ତେ ଜଣେ ଭାରପ୍ରାପ୍ତ କୁଶଳୀ କର୍ମଚାରୀ ଏମିଲି ଗୋଲିଗୋକ୍ସି ନିଯୁକ୍ତ । ସଂକ୍ଷେପରେ କାର୍ଯ୍ୟଧାରା ବର୍ଣ୍ଣନା କଲେ ପତ୍ରିକା ପକ୍ଷରୁ ନିୟମିତ ପାଠକମାନଙ୍କ ସହ ଆଳାପ ଆଲୋଚ଼ନା ବ୍ୟବସ୍ଥା କରାଯାଏ । ଏହି ପ୍ରକ୍ରିୟାରେ ବର୍ତ୍ତମାନର ଗ୍ରାହକ, ପୂର୍ବତନ ଗ୍ରାହକ ଏବଂ ସମ୍ଭାବ୍ୟ ଗ୍ରାହକ ଶ୍ରେଣୀ ଅନ୍ତର୍ଭୁକ୍ତ । ଏକପକ୍ଷରେ ପତ୍ରିକାର ଗ୍ରାହକ କିଏ ତାହା ନିର୍ଦ୍ଧାରଣ କରିବା ନିମନ୍ତେ ଉଦ୍ୟମ କରାଯାଏ । ଅପରପକ୍ଷରେ ପାଠକମାନେ କେଉଁ କାରଣରୁ ପ୍ରକାଶନ ମୂଳେ ସମୟ ଓ ଅର୍ଥ ବିନିଯୋଗ କରୁଛନ୍ତି ସେଦିଗରେ ସମୀକ୍ଷା ପ୍ରତି ଧ୍ୟାନ ଦିଆଯାଏ ।

ଏମିଲିଙ୍କ ମତରେ ପାଠକଙ୍କ ଆବଶ୍ୟକତା ଓ ରୁଚ଼ି ପରିବର୍ତ୍ତନଶୀଳ । ଏହି କାରଣରୁ କ୍ରମାଗତଭାବେ ତଥ୍ୟ ସଂଗ୍ରହ କରି ସମ୍ପାଦକୀୟ ନୀତି ପ୍ରସ୍ତୁତ କରିବାକୁ ପଡିଥାଏ । ପତ୍ରିକାରେ କୌଣସି ନୂତନ ନୀତି ଉପଯୋଗ ସମୟରେ ପାଠକଙ୍କ ଗ୍ରହଣୀୟତା ପରିମାପ ଯେତିକି ତାତ୍ପର୍ଯ୍ୟପୂର୍ଣ୍ଣ, ପ୍ରଚଳିତ ଶୈଳୀର ସାମୟିକ ମୂଲ୍ୟାୟନ ମଧ୍ୟ ସେତିକି ମାତ୍ରାରେ ଜରୁରୀ । ପାଠକୀୟ ରୁଚ଼ିକୁ ନେଇ ପତ୍ରିକା ପକ୍ଷରୁ ଯେଉଁ ଉପପାଦ୍ୟ ଆଧାରରେ ସଂପାଦକୀୟ ନୀତି ନିର୍ଦ୍ଧାରଣ କରାଯାଇଥାଏ ସ୍ଥଳବିଶେଷରେ ତାହା ଭୂଲ ପ୍ରମାଣିତ ହେଉଥିବା ମଧ୍ୟ ଦେଖିବାକୁ ମିଳେ । ଫଳରେ ସଂଶୋଧନ ଆବଶ୍ୟକ ପଡ଼େ ।

ଏମିଲି ନିଜ ଗବେଷଣା ପ୍ରକ୍ରିୟା ସଂପର୍କରେ ସବିଶେଷ ବିବରଣୀ ଲିଖିତ ଆକାରରେ ସମ୍ପଦକୀୟ ଓ ପ୍ରସାର ବିଭାଗ ସହକର୍ମ୍ମୀଙ୍କ ମଧ୍ୟରେ ବିତରଣ କରନ୍ତି । ସାଧାରଣରେ ସାକ୍ଷାତକାରଭିତ୍ତିକ ‘ଇଣ୍ଟରଭ୍ୟୁ-ବେସଡ଼’ ଗବେଷଣାରେ ୨୦ ଜଣ ଏବଂ ସର୍ବେକ୍ଷଣଭିତ୍ତିକ ‘ସର୍ଭେ-ବେସଡ଼’ ଗବେଷଣାରେ ହଜାରେ ଯାଏଁ ପାଠକ ସାମିଲ ହୋଇଥାନ୍ତି । ଏହି ନମୂନା ପତ୍ରିକାର ପ୍ରଶଂସକଙ୍କଠାରୁ ଅଣ-ପାଠକ ବର୍ଗ ଯାଏଁ ସଂପ୍ରସାରିତ ।

ଏମିଲି ଜାନୁୟାରୀ ୨୦୨୨ରେ ପ୍ରକାଶିତ ଏକ ନିବନ୍ଧରେ ଦର୍ଶାଇଥିଲେ ଯେ ‘ଦି ଆଟାଲାଣ୍ଟିକ’ ପାଠକମାନଙ୍କୁ ମୁଖ୍ୟତଃ ପାଞ୍ଚଗୋଟି କାରଣରୁ ଆକର୍ଷିତ କରୁଥିବା ଗବେଷଣାରୁ ସୁସ୍ପଷ୍ଟ । ପ୍ରଥମତଃ ବିଭିନ୍ନ ବିଷୟରେ ଗଭୀର ଅନୁଧ୍ୟାନରେ ସହାୟତା, ଦ୍ୱିତୀୟତଃ ନୂତନ ଚ଼ିନ୍ତାଧାରା ଓ ତୃତୀୟତଃ ନୂତନ ଲେଖକଙ୍କ ସହ ପରିଚିତି, ଚ଼ତୁର୍ଥତଃ ନିଜସ୍ୱ ଧାରଣା, କଳ୍ପନା ଓ ଅଭିମତ ସହ ପ୍ରତିଦ୍ୱନ୍ଦିତା ଏବଂ ପଞ୍ଚମତଃ ଧରାବନ୍ଧା ଚ଼ିନ୍ତାର ପରିଧିରୁ ବିରତି ନିମନ୍ତେ ପାଠକମାନେ ‘ଦି ଆଟଲାଣ୍ଟିକ’ ଭଳି ପତ୍ରିକାର ଗ୍ରାହକ ଶ୍ରେଣୀଭୁକ୍ତ ହୋଇଥାନ୍ତି । ଏହି ତଥ୍ୟ ୨୦୧୯ରୁ ୨୦୨୧ ଦୁଇ ବର୍ଷ ଧରି ଆୟୋଜିତ ଅନୁଧ୍ୟାନରୁ ଜଣାପଡ଼ିଥିଲା ।

ଯୁକ୍ତରାଷ୍ଟ୍ର ଆମେରିକାର ପାଠକଙ୍କ ରୁଚ଼ି ଆନ୍ତର୍ଜାତିକସ୍ତରରେ ସମକାଳରେ ଅନ୍ୟତ୍ର ମଧ୍ୟ ଊଣାଅଧିକେ ପ୍ରଯୁଜ୍ୟ ବୋଲି ବିଚାର କରାଯାଇପାରେ । ଆମ ଭାରତରେ ମୁଦ୍ରିତ ମଞ୍ଚ ଏହି ପାଠକୀୟ ଉପଲବ୍ଧିଠାରୁ ବହୁ ଦୂରରେ ଥିବା ପ୍ରତୀୟମାନ ହୁଏ । ଏହାର ମୁଖ୍ୟ କାରଣ ଆମ ପ୍ରକାଶକ, ସମ୍ପାଦକମାନଙ୍କ ନିକଟରେ ସେମାନଙ୍କ ପ୍ରକାଶନର ପାଠକ କିଏ ଏବଂ ସେ କ’ଣ ପଢ଼ିବାକୁ ଚାହେଁ ସେ ସଂପର୍କରେ ତଥ୍ୟ ଅଭାବ । ପାରମ୍ପରିକଭାବେ ସମ୍ପାଦକମାନେ ନିଜସ୍ୱ ଅନୁମାନିକ ମତ ଉପଯୋଗ କରିଥାନ୍ତି ଏବଂ ତାହା ଅଧିକାଂଶସ୍ତରରେ ଭୂଲ ପ୍ରମାଣିତ ।

ମହାମାରି-ପର ପରିବେଶ ‘ନ୍ୟୂ-ନରମଲ’ରେ ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ରର ଗ୍ରାହକ ଓ ପାଠକ କିଏ ? ହୁଏତ ଉଚ୍ଚ ଶିକ୍ଷିତ, ଆର୍ଥିକ ଦିଗରୁ ସ୍ୱଚ୍ଛଳ ଓ ପଚାଶ ବର୍ଷୋତ୍ତର ଗୃହକର୍ତ୍ତା ଓଡ଼ିଆ ଦୈନିକ ସମ୍ୱାଦପତ୍ରର ପୃଷ୍ଠପୋଷକ । ଏହି ଧାରା ଆନ୍ତର୍ଜାତିକସ୍ତରରେ ଗବେଷଣାରୁ ସୁସ୍ପଷ୍ଟ । ଯେହେତୁ ଓଡ଼ିଶାରେ ଅଳ୍ପଶିକ୍ଷିତ ଓ ନବସାକ୍ଷର ଜନସଂଖ୍ୟା ଅଧିକ ସେମାନଙ୍କ ଲାଗି ଏକ କାଳ୍ପନିକ ରୁଚିକୁ ସୁହାଇଲା ଭଳି ସମ୍ପାଦକୀୟ ନୀତି ଆମେ ସ୍ଥିର କରୁ । ଗାଁ ପାନ ଦୋକାନ, ଚା ଦୋକାନରେ ପଡୁଥିବା ଖବର କାଗଜର ପାଠକ ନବସାକ୍ଷର ହୋଇପାରନ୍ତି, କିନ୍ତୁ ଅଧିକାଂଶ କ୍ଷେତ୍ରରେ ସେମାନେ ଗ୍ରାହକ ନୁହନ୍ତି । ଗ୍ରାହକ ଇଂଲିଶ ଜାଣେ, ଟେଲିଭିଜନ – ଇଣ୍ଟରନେଟ ଦେଖେ ତା’ସହ ଓଡ଼ିଆ ଖବର କାଗଜ କିଣେ । କିନ୍ତୁ ଆମେ ତାହାର ରୁଚିକୁ ଅଣଦେଖା କରୁ ।

ଗ୍ରାହକ-ପାଠକ ମୁଦ୍ରିତ ମଞ୍ଚରେ ନୂତନ ଚ଼ିନ୍ତାଧାରା, ନୂତନ ଲେଖକ ଓ ଗଭୀର ଅନୁଶୀଳନ ଆଶା କରୁଥିବା ସ୍ଥଳେ ଯଦି ଦୀର୍ଘକାଳ ଧରି ପାଠକୀୟ ରୁଚି ଚରିତାର୍ଥ ନହୁଏ ତେବେ  ସେ ସଂପୃକ୍ତ ମଞ୍ଚରୁ ଅପସରି ଯିବା ଭୟ ରହିଥାଏ । ସମକାଳୀନ ଗଣମାଧ୍ୟମ ମଞ୍ଚଗୁଡ଼ିକର ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ପରିବେଶରେ ଯଦି କେହି ଜଣେ ଯୁକ୍ତିଯୁକ୍ତ ସମ୍ପାଦକୀୟ ଓ ପ୍ରସାର ନୀତି ସହ ଉପଯୁକ୍ତ ନିବେଶ ନେଇ ପହଞ୍ଚେ ତେବେ ବହୁ ପାରମ୍ପରିକ ମଞ୍ଚର ସତ୍ତା ଲୋପ ପାଇଯିବା ସମ୍ଭବ । କେବଳ ବ୍ୟାବସାୟିକ ଚାତୁର୍ଯ୍ୟ ‘ମାର୍କେଟିଂ ଷ୍ଟାଟେଜି’ରେ ଯେଉଁ ସମ୍ୱାଦ ମଞ୍ଚଗୁଡ଼ିକ ମୁଣ୍ଡ ଟେକିଛନ୍ତି ‘ନ୍ୟୂ-ନରମାଲ’ରେ ପାରିବାରିକ ଖର୍ଚ୍ଚକାଟରେ ସେମାନଙ୍କ ଗ୍ରାହକଚାନ୍ଦା ପ୍ରଥମେ କଟିଯିବ ।

ପାଠକୀୟ ପ୍ରତ୍ୟାଶା ଚ଼ରିତାର୍ଥ କରିବା ପ୍ରତ୍ୟେକ ଗଣମାଧ୍ୟମ ମଞ୍ଚ ପ୍ରକାଶକ ଓ ସମ୍ପାଦକଙ୍କ ମୌଳିକ ଦାୟିତ୍ୱ । ପାଠକ କିଏ ଏବଂ ସେ କ’ଣ ଚାହେଁ ତଦ ଅନୁଯାୟୀ ସଂପାଦକୀୟ ନୀତି ଅନୁସୃତ ହେଲେ ପ୍ରକାଶନ ବ୍ୟାବସାୟିକ ସଫଳତା ପାଇପାରିବ । ପରିବର୍ତ୍ତିତ ପରିବେଶରେ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଗ୍ରାହକଚାନ୍ଦା-ଆଶ୍ରିତ ମଡେଲ ଉପଯୋଗ ବାଧ୍ୟବାଧକତାରେ ପରିଣତ ହୋଇଥିବା ହେତୁ ପାଠକଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ପ୍ରାଥମିକତା ଦାବୀ କରେ ।

Related Post