ଆଜିର ଖାସ ଖବର
Mon. Jun 1st, 2026

‘ଫେକ ନିଉଜ’ ଅପସାରଣ

By Dainikasha Jul12,2024

ଭାରତ ସରକାରଙ୍କ ଇଲକ୍ଟ୍ରୋନିକ୍ସ ଓ ଇନଫରମେସନ ଟେକନୋଲଜି ମନ୍ତ୍ରଣାଳୟ ପକ୍ଷରୁ ନିଜସ୍ୱ ୱେବସାଇଟରେ ୧୭ ଜାନୁୟାରୀ ୨୦୨୩ରେ ‘ଇନଫରମେସନ ଟେକନୋଲଜି ରୁଲସ ୨୦୨୧’ରେ ସଂଶୋଧନ ନିମନ୍ତେ ଏକ ଚ଼ିଠା ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିରେ ବର୍ଣ୍ଣିତ ବିବରଣୀ ଅନୁଯାୟୀ ‘ପ୍ରେସ ଇନଫରମେସନ ବ୍ୟୁରୋ’ ଅନଲାଇନ ପରିବେଶରେ ‘ଫେକ ନିଉଜ’ ଚ଼ିହ୍ନଟ କରି ଅନଲାଇନ ମଧ୍ୟସ୍ଥି କିମ୍ୱା ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକୁ ଅପସାରଣ ନିମନ୍ତେ ନିର୍ଦ୍ଦେଶ ଦେବା ଦାୟିତ୍ୱ ନିର୍ବାହ କରିବ ।

ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ମାର୍ଚ୍ଚ ୨୦୨୧ରେ ଇନଫରମେସନ ଟେକନୋଲଜି ରୁଲସ ପ୍ରକାଶ କାଳରେ କେନ୍ଦ୍ର ସରକାର ଅନଲାଇନ ପରିବେଶରେ ଯେ କୌଣସି ବିଷୟ ପ୍ରକାଶନ ବାରଣ କରିବା ‘ବ୍ଳକ’, ବନ୍ଦ କରିବା ‘ଡ଼ିଲିଟ’ ଓ ସଂଶୋଧନ ‘ମୋଡ଼ିଫାଇ’ ଅଧିକାର ଅକ୍ତିଆର କରିଥିଲେ । ଏହି ପଦକ୍ଷେପ ବିରୋଧରେ ଅଦାଲତର ହସ୍ତକ୍ଷେପ ବାରଣ ହୋଇଥିଲା । ସେହି ଅଧିକାର କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଗଣଯୋଗାଯୋଗ ମୁଖପାତ୍ର ‘ପ୍ରେସ ଇନଫରମେସନ ବ୍ୟୁରୋ’କୁ ଦାୟିତ୍ୱ ଦିଆଯାଇଛି । ଉକ୍ତ ସଂସ୍ଥା କେନ୍ଦ୍ର ସରକାରଙ୍କ ନିମନ୍ତେ ଦୀର୍ଘଦିନରୁ ଅନଲାଇନ ପରିବେଶରେ ‘ଫେକ ନିଉଜ’ ଯାଞ୍ଚ କରିବା କାର୍ଯ୍ୟରେ ନିୟୋଜିତ ରହିଆସିଥିଲା । ବର୍ତ୍ତମାନ ‘ଫେକ ନିଉଜ’ ପ୍ରସାରଣ ରୋକିବା ମଧ୍ୟ ପ୍ରେସ ଇନଫରମେସନ ବ୍ୟୁରୋର କାର୍ଯ୍ୟ ପରିସରଭୁକ୍ତ ହେଲା ।

କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସାମ୍ୱାଦିକ ମହଲରେ ବିରୋଧ କରାଯାଇଥିଲା । ‘ଫେକ ନିଉଜ’ ନିର୍ଦ୍ଧାରଣରେ ସରକାରଙ୍କ ଏକତରଫା ନିଷ୍ପତି ଗ୍ରହଣଯୋଗ୍ୟ ନୁହେଁ ବୋଲି ‘ଦି ଏଡ଼ିଟର୍ସ ଗିଲଡ଼ ଅଫ ଇଣ୍ଡିଆ’ ପକ୍ଷରୁ କୁହାଯାଇଥିଲା । ପ୍ରେସ ଇନଫରମେସନ ବ୍ୟୁରୋ ଏକ ସରକାରୀ ସଂସ୍ଥା ଏବଂ ସେଠାରେ ନିୟୋଜିତ ସରକାରୀ କର୍ମଚାରୀମାନେ ସରକାର ତଥା ଶାସକ ଦଳ ଦ୍ୱାରା ପ୍ରଭାବିତ ହେବା ସ୍ୱାଭାବିକ । ଏହି ଯାଞ୍ଚ ପ୍ରକ୍ରିୟା ସ୍ଥଳବିଶେଷରେ ‘ସେନସରସିପ’ରେ ପରିଣତ ହେବ ।

ଚିଠା ସଂଶୋଧନ ବିଜ୍ଞପ୍ତି ପ୍ରକାଶନର ପରଦିନ ୧୮ ଜାନୁୟାରୀ ୨୦୨୩ରେ ‘ଦି ଏଡ଼ିଟର୍ସ ଗିଲଡ଼ ଅଫ ଇଣ୍ଡିଆ’ର ଅଧ୍ୟକ୍ଷ ସୀମା ମୁସ୍ତାଫା ସାଧାରଣ ସଂପାଦକ ଓ କୋଷାଧ୍ୟକ୍ଷଙ୍କ ସ୍ୱାକ୍ଷର ସମ୍ୱଳିତ ପ୍ରତିବାଦରେ ଏକ ପ୍ରସ୍ତାବ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହର କରିବା ନିମନ୍ତେ ଦାବୀ କରାଯାଇଥିଲା । ଦେଶରେ ଅପରାଧିକ ମନୋବୃତ୍ତି ନେଇ ସମ୍ୱାଦ ପ୍ରସାରଣ ଓ ସେହି ଭଳି ସମ୍ୱାଦ ପ୍ରଘଟକାରୀଙ୍କୁ ଦଣ୍ଡିତ କରିବା ନିମନ୍ତେ ବହୁ ଆଇନ ପ୍ରଚଳିତ ଥିବା ସ୍ଥଳେ ଏକ ସରକାରୀ ସଂସ୍ଥାକୁ ଏକଚାଟିଆ ଯାଞ୍ଚ ଅଧିକାର ପ୍ରଦାନ ଅଭିବ୍ୟକ୍ତିରେ ସ୍ୱାଧୀନତା ପ୍ରତି ଆଞ୍ଚ ଆଣିବ ବୋଲି ଦର୍ଶାଯାଇଥିଲା । ‘ଇନଫରମେସନ ଟେକନୋଲଜି ରୁଲସ ୨୦୨୧’ ପ୍ରକାଶ କାଳରେ ମଧ୍ୟ ଗିଲଡ଼ ପକ୍ଷରୁ ବିରୋଧ କରାଯାଇଥିଲା ।

ଅନଲାଇନ ସମ୍ୱାଦ ପରିବେଷଣ ଓ ସୋସିଆଲ ମିଡ଼ିଆ ନିୟନ୍ତ୍ରଣ ନିମନ୍ତେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ମହାମାରୀ-ପର ଅବସ୍ଥାରୁ ତ୍ୱରାନ୍ୱିତ ହୋଇଥିବା ଲକ୍ଷ୍ୟ କରାଯାଏ । ବିଭିନ୍ନ କାରଣ ମଧ୍ୟରେ ପ୍ରଥମତଃ, ଅନଲାଇନ ସାମ୍ୱାଦିକତା ଓ ସୋସିଆଲ ମିଡ଼ିଆରେ ଆବାଳବୃଦ୍ଧାବନିତାଙ୍କ ମଧ୍ୟରେ ପାରସ୍ପରିକ ଯୋଗାଯୋଗ କ୍ରମବିକଶିତ । କାରିଗରୀ-କୌଶଳ ଉପଯୋଗ ନିମନ୍ତେ ଭାରତରେ ସରକାର ଓ ଜନସାଧରଣ ଉଭୟ ପକ୍ଷରୁ ଉତ୍ସାହିତ କରାଯାଉଥିବା ଫଳରେ ବିଭିନ୍ନ ନୂତନ ଉଦ୍ଭାବନ ସର୍ବସାଧାରଣରେ ପ୍ରସାର ଲାଭ କରୁଛି । ସ୍ଥଳବିଶେଷରେ ଅନଲାଇନ ପରିବେଶ ଦୁରୋପଯୋଗ ହେଉଥିବା କିମ୍ୱା ଦୁରୋପଯୋଗ ଆଶଙ୍କାରେ ପ୍ରଚଳିତ ନୀତିନିୟମର ପରିବର୍ତ୍ତନ ଜରୁରୀ । ଦେଶର ନ୍ୟାୟାଳୟଗୁଡ଼ିକ ଅନଲାଇନ ଅପରାଧିକ ମାମଲାଗୁଡ଼ିକ ବିଚାରକାଳରେ ସରକାରଙ୍କୁ ନିୟନ୍ତ୍ରଣ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।

ଦ୍ୱିତୀୟତଃ, ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ରରେ କେନ୍ଦ୍ର ସରକାର ଅନଲାଇନ କାରବାର ନିୟନ୍ତ୍ରଣ ଦାୟିତ୍ୱ ନିର୍ବାହ କରୁଥିବା ସ୍ଥଳେ ଚ଼ତୁରତାର ସହ ନୂତନ ଆଇନ ପ୍ରଣୟନ ନକରି ପୂର୍ବ ପ୍ରଚଳିତ ଆଇନ ପାଳନ ନିମନ୍ତେ ନିୟମାବଳୀ ସଂଯୋଗ କରିଚାଲିଛନ୍ତି । ଫଳରେ ସରକାର ନିୟନ୍ତ୍ରଣର କ୍ଷମତା ହାସଲ କରିବା ସଂଭବ ଥିବା ସ୍ଥଳେ କେବଳ ନିୟମ ସଂଯୋଗକୁ ନେଇ ଅସନ୍ତୁଷ୍ଟଙ୍କ ବିରୋଧ ତୀବ୍ର ହେବା ଆଶଙ୍କା ନଥାଏ । ‘ଇନଫରମେସନ ଟେକନୋଲଜି ଆକ୍ଟ ୨୦୦୦’କୁ ଆଧାର କରି ‘ଇନଫରମେସନ ଟେକନୋଲଜି ରୁଲସ ୨୦୨୧’ ପ୍ରଣୀତ ହୋଇଥିଲା । ଏହି ନିୟମାବଳୀ ପ୍ରଚଳନରେ ସରକାର କ୍ଷମତା ଉପଭୋଗର ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ କରିପାରିଥିଲେ । ସେହି କ୍ଷମତା କାର୍ଯ୍ୟକାରୀ କରିବା ନିମନ୍ତେ ସରକାରୀ କଳକୁ ନିୟୋଜିତ କରିବାରେ ଆପତ୍ତି ଗ୍ରହଣୀୟ ନହୋଇପାରେ ।

ତୃତୀୟତଃ, ଭାରତରେ ନାଗରିକସମାଜ ସଶକ୍ତ ନୁହେ । ‘ଫେକ ନିଉଜ’ ଏକ ସମସ୍ୟା, ଏଥିରେ ସମସ୍ତେ ଏକମତ ହେବେ । ତେବେ ଏହି ସମସ୍ୟାର ସମାଧାନ ନିମନ୍ତେ ଗଣମାଧ୍ୟମ ମଞ୍ଚଗୁଡ଼ିକର ଶୀର୍ଷ ସଂଗଠନଗୁଡ଼ିକ ପକ୍ଷରୁ ଫଳପ୍ରଦ ଉଦ୍ୟମ ହୋଇପାରିଲା ନାହିଁ । ଆତ୍ମନିୟନ୍ତ୍ରଣ ସୁବିଧା ସୁଯୋଗ ଉପଭୋଗ ନିମନ୍ତେ ଗଣମାଧ୍ୟମ ମଞ୍ଚଗୁଡ଼ିକ ଅବହେଳା କରିଚାଲିଥିଲେ । ଫଳରେ ସରକାରୀ ପଦକ୍ଷେପର ବିରୋଧ ତୀବ୍ର ହେବା କଷ୍ଟକର ।

ଆନ୍ତର୍ଜାତିକ ଗଣମାଧ୍ୟମ ପରିବେଶ ଅନୁଧ୍ୟାନ କଲେ ଭାରତରେ ୨୦୨୪ ସାଧାରଣ ନିର୍ବାଚ଼ନରେ ‘ଫେକ ନିଉଜ’ ପ୍ରଭାବଶାଳୀ ହେବା ଅନୁମାନ କରାଯାଏ । ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ‘ଫେକ ନିଉଜ’ର ଭୂମିକା ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନ ୨୦୨୨ରେ ପ୍ରତିଫଳିତ ହୋଇଥିବା ଉଦବେଗର ବିଷୟ । ବ୍ରାଜିଲର ଘଟଣାବଳୀ ସହ ଭାରତର ତୁଳନତ୍ମକ ବିବରଣୀ ରାଜନୈତିକ ପ୍ରେକ୍ଷାପଟ୍ଟରେ ‘ଫେକ ନିଉଜ’ର ଗୁରୁତ୍ୱ ପ୍ରତିପାଦିତ କରିଥାଏ ।

ବ୍ରାଜିଲରେ ୨୦୨୨ ଅକ୍ଟୋବର ମାସରେ ଆୟୋଜିତ ରାଷ୍ଟ୍ରପତି ନିର୍ବାଚ଼ନରେ ‘ଫେକ ନିଉଜ’ ପ୍ରସାର ରାଜନୀତିକ ଧୃବୀକରଣ ‘ପଲିଟିକାଲ ପୋଲାରାଜଜେସନ’ର ପ୍ରମୁଖ କାରଣ ରୂପେ ଗଣମାଧ୍ୟମ ବିଶେଷଜ୍ଞମାନେ ଚ଼ିହ୍ନଟ କରନ୍ତି । ବ୍ରାଜିଲରେ ପ୍ରତି ଚାରି ବର୍ଷରେ ଥରେ ରାଷ୍ଟ୍ରପତି ନିର୍ବାଚ଼ନ ଅନୁଷ୍ଠିତ ହୁଏ । ଗତ ୨୦୧୮ ନିର୍ବାଚନରୁ ସେଠାରେ ‘ଫେକ ନିଉଜ’ର ପ୍ରଭାବ ପରିଲକ୍ଷିତ ହୋଇଥିଲା । ତେବେ ୨୦୨୨ ନିର୍ବାଚନ ଅବସରରେ ତତ୍କାଳୀନ ରାଷ୍ଟ୍ରପତି ନରମାଂସ ଭକ୍ଷଣ ଓ ଶିଶୁ-ଯୌନାଚାର ଭଳି କାର୍ଯ୍ୟରେ ସଂପୃକ୍ତ ଥିବା, ପ୍ରମୁଖ ବିରୋଧି ତଥା ପରବର୍ତ୍ତୀ ରାଷ୍ଟ୍ରପତି ବାଳିକା ପ୍ରାଥମିକ ବିଦ୍ୟାଳୟରେ ଶୌଚାଳୟଗୁଡ଼ିକୁ ସର୍ବସାଧାରଣଙ୍କ ବ୍ୟବହାରଲାଗି ଉନ୍ମୁକ୍ତ କରିବା ଯୋଜନା ବିଚାର କରୁଥିବା ତଥା ବାମପନ୍ଥୀ ପ୍ରାର୍ଥୀ ନିର୍ବାଚିତ ହେଲେ ଚର୍ଚ୍ଚଗୁଡ଼ିକୁ ବନ୍ଦ କରିଦେବେ ବୋଲି ଗୁଜବ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

ରାଷ୍ଟ୍ରୀୟ ମୁଖ୍ୟ ନିର୍ବାଚନ ଅଧିକାରୀ ‘ଫେକ ନିଉଜ’ ପ୍ରସାର ରୋକିବା ଲାଗି ନିର୍ବାଚ଼ନ ପୂର୍ବରୁ ସୋସିଆଲ ମିଡ଼ିଆ ମଧ୍ୟସ୍ଥିମାନଙ୍କୁ ସରକାରୀସ୍ତରରେ ଚ଼ିହ୍ନିତ ‘ଫେକ ନିଉଜ’ଗୁଡ଼ିକୁ ନିର୍ଦ୍ଦେଶ ପାଇବାର ମାତ୍ର ଘଣ୍ଟାକ ମଧ୍ୟରେ ଅପସାରଣ କରିବା ନିମନ୍ତେ ନିୟମ ଘୋଷଣା କରିଥିଲେ । ନିର୍ଦ୍ଦେଶ ଅବମାନନାଲାଗି କୋଡ଼ିଏ ଲକ୍ଷ ଟଙ୍କା ଯାଏଁ ଜରିମାନା ଏବଂ ୨୪ ଘଣ୍ଟା ପାଇଁ ମଞ୍ଚ ବନ୍ଦ କରିଦେବା ପ୍ରାବଧାନ ରଖାଯାଇଥିଲା ।

ବ୍ରାଜିଲ ୨୦୧୮ ଓ ୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ‘ଫେକ ନିଉଜ’ ପ୍ରସାର ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୧୪, ୨୦୧୬ ଓ ୨୦୨୦ ରାଷ୍ଟ୍ରପତି ନିର୍ବାଚ଼ନରେ ‘ଫେକ ନିଉଜ’ ପ୍ରସାର ଧାରା ପ୍ରତିଫଳିତ ହୋଇଥିଲା । ସମୀକ୍ଷକମାନଙ୍କ ମତରେ ଯେଉଁ ରାଷ୍ଟ୍ରଗୁଡ଼ିକରେ ଅଭିମତ ପ୍ରକାଶରେ ସ୍ୱାଧୀନତା ପ୍ରଚଳିତ ଏବଂ ନୂତନ ପ୍ରଯୁକ୍ତି କୌଶଳ ବ୍ୟବହାରକୁ ଉତ୍ସାହିତ କରାଯାଉଛି, ସେହି ସବୁ ଅଞ୍ଚଳରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରାଜିଲରେ ପରିଲକ୍ଷିତ ‘ଫେକ ନିଉଜ’ ସମସ୍ୟା ଉପୁଜିବା ସୁସ୍ପଷ୍ଟ । ଫ୍ରାନ୍ସ, ବ୍ରିଟେନ ଓ ଜର୍ମାନୀ ରାଷ୍ଟ୍ରପତି ନିର୍ବାଚନରେ ସୋସିଆଲ ମିଡ଼ିଆ ପଲିଟିକାଲ ପୋଲରାଇଜେସନର ଅନ୍ୟତମ କାରଣ ରୂପେ ଚ଼ିହ୍ନିତ ହୋଇଥାଏ ।

ବୈଦେଶିକ ରାଷ୍ଟ୍ରଗୁଡ଼ିକରେ ସୃଷ୍ଟ ପରିସ୍ଥିତି ଭାରତରେ ୨୦୨୪ ସାଧାରଣ ନିର୍ବାଚନରେ ଆଶଙ୍କା କରି ସରକାରୀସ୍ତରରେ ‘ଫେକ ନିଉଜ’ ପ୍ରସାର ସଂଭାଳିବା ନିମନ୍ତେ ନୂତନ ଆଇନ ପ୍ରଣୟନ ପରିବର୍ତ୍ତେ ପ୍ରଚଳିତ ଆଇନଗୁଡ଼ିକୁ କଡ଼ାକଡ଼ି ପାଳନ କରିବା ନିମନ୍ତେ ୨୦୨୧ ଆରମ୍ଭରୁ କ୍ରମାଗତଭାବେ ନିୟମାବଳୀ ବିଜ୍ଞପ୍ତ ହେଉଥିବା ଲକ୍ଷ୍ୟ କରାଯାଏ । ବିରୋଧୀମାନେ ଏହାକୁ ପ୍ରାକ-ଯାଞ୍ଚ ‘ପ୍ରି-ସେନସରସିପ’ ଆଖ୍ୟା ଦେଉଛନ୍ତି । ଏଥିରେ ଯଥାର୍ଥତା ଥିଲେ ହେଁ, ‘ଫେକ ନିଉଜ’ ପ୍ରତିରୋଧ କରିବା ନିମନ୍ତେ ବେସରକାରୀସ୍ତରରେ ଫଳପ୍ରଦ ବ୍ୟବସ୍ଥା ହୋଇପାରୁନଥିବା ହେତୁ ସମସ୍ୟାର ସମାଧାନ ନିମନ୍ତେ ବିକଳ୍ପ ପନ୍ଥା ଅଭାବ । ଏହି ପରିବେଶରେ ଗଣମାଧ୍ୟମ ସାକ୍ଷରତା ପ୍ରସାର ଏକ ମାତ୍ର ବିକଳ୍ପ । ଏଥିଲାଗି ସରକାରୀ ଓ ବେସରକାରୀସ୍ତରରେ ବ୍ୟାପକ ଉଦ୍ୟମ ଆବଶ୍ୟକ ।

Related Post