ସୋସିଆଲ ମିଡ଼ିଆ ମଞ୍ଚ ‘ଫେସବୁକ୍’ରେ ବିଶ୍ୱବ୍ୟାପୀ ପ୍ରାୟ ୨୭୦ କୋଟି ଉପଭୋକ୍ତା ଉପସ୍ଥିତ ଥିବା ହିସାବ କରାଯାଇଥାଏ । ପ୍ରାଥମିକଭାବେ ପରସ୍ପର ମଧ୍ୟରେ ବାର୍ତ୍ତା ବିନିମୟ, ଆଳାପ ଆଲୋଚ଼ନାଠାରୁ ଆରମ୍ଭ କରି ବ୍ୟାବସାୟିକ, ରାଜନୀତିକ ଓ ସାଂସ୍କୃତିକ ଯୋଗାଯୋଗ କ୍ଷେତ୍ରରେ ପ୍ରତିପତ୍ତି ବିସ୍ତାର କରିଥିବା ଡ଼ିଜିଟାଲ ମଞ୍ଚ ପକ୍ଷରୁ ଆର୍ଥିକ କାରବାର କ୍ଷେତ୍ରରେ ପ୍ରବେଶ ସୂଚ଼ିତ ହୋଇଛି । ଫେସବୁକ କର୍ତ୍ତୃକ ୧୮ ଜୁନ ୨୦୧୯ ଘୋଷଣାରେ କୁହାଯାଇଛି ଯେ ଆଗାମୀ ୨୦୨୦ରୁ ମଞ୍ଚରେ ଡ଼ିଜିଟାଲ ଆର୍ଥିକ କାରବାର ଆରମ୍ଭ ହେବ । ଫେସବୁକର ମେସେଞ୍ଜର ଓ ହ୍ୱାଟସଆପ ଆପ୍ଲିକେସନ ବ୍ୟବହାରରେ ଉପଭୋକ୍ତାମାନେ ପରସ୍ପର ମଧ୍ୟରେ ଅର୍ଥ ଆଦାନପ୍ରଦାନ, ବିଭିନ୍ନ ସେବା ନିମନ୍ତେ ଦେୟ ଭରଣା ତଥା ସଞ୍ଚୟ କରିପାରିବେ ।
ଫେସବୁକର ମାଇକ୍ରୋ-ପେମେଣ୍ଟକ୍ରାଇପ୍ଟୋ-କାରେନ୍ସି‘ଲିବ୍ରା’ ନାମିତ ହୋଇଛି । ଏହି ଆର୍ଥିକ କାରବାର ଆନ୍ତର୍ଜାତିକସ୍ତରରେ ଫେସବୁକ କାର୍ଯ୍ୟକ୍ଷମ ଥିବା ସମସ୍ତ ରାଷ୍ଟ୍ରରେ ବ୍ୟବହୃତ ହୋଇପାରିବ । କୁହାଯାଉଛି ଯେ ଆଧୁନିକ ଆର୍ଥିକ ବ୍ୟବସ୍ଥାର ଦୃତ ପ୍ରସାର ସତ୍ତ୍ୱେବିଶ୍ୱରେ ପ୍ରାୟ ୧୭୦ କୋଟି ଜନସାଧାରଣ ବ୍ୟାଙ୍କିଙ୍ଗ ସେବାରୁ ବଞ୍ଚିତ ରହିଛନ୍ତି । ସେମାନଙ୍କ ମଧ୍ୟରେ ବିକାଶଶୀଳ ରାଷ୍ଟ୍ରର ବାସିନ୍ଦା ଓ ମହିଳାମାନଙ୍କ ସଂଖ୍ୟା ଅଧିକ । ଫେସବୁକ ବ୍ୟବହାର କରୁଥିବା ଜନସାଧାରଣ ‘ଲିବ୍ରା’ ମାଧ୍ୟମରେ ଡ଼ିଜିଟାଲ ଅର୍ଥନୀତିରେ ସାମିଲ ହୋଇପାରିବେ ।
‘ଲିବ୍ରା’ ବ୍ୟବହାର କରିବା ନିମନ୍ତେ ଦାତା ଓ ଗ୍ରହୀତା ଉଭୟ ଫେସବୁକ ମଞ୍ଚରେ ଅବତୀର୍ଣ୍ଣ ହେବା ବାଞ୍ଛନୀୟ । ସାଧାରଣ ଟେକ୍ସଟ ମେସେଜ ପ୍ରେରଣ କରିବା ଢଙ୍ଗରେ ଜଣେ ଫେସବୁକ ଉପଭୋକ୍ତା ଅନ୍ୟ ଜଣେ ଫେସବୁକ ଉପଭୋକ୍ତାଙ୍କ ନିକଟକୁ ‘କାଲିବ୍ରା’ ପ୍ରେରଣ କରିପାରିବେ । ସେହିପରି କିଣାବିକା ପ୍ରକ୍ରିୟା ମଧ୍ୟ ସମ୍ଭବପର । ‘ଲିବ୍ରା’ ମଞ୍ଚରେ ଆର୍ଥିକ କାରବାର ସହଜସାଧ୍ୟ ଏବଂ ଏହି ମଞ୍ଚର ଉପଭୋକ୍ତାମାନଙ୍କ ଆର୍ଥିକ କାରବାର ଗୋପନୀୟତା ରକ୍ଷା କରାଯିବ । ଯେଉଁମାନେ ବ୍ୟାଙ୍କିଙ୍ଗସେବାରେ ଅନ୍ତର୍ଭୁକ୍ତ ହୋଇ ନପାରି ସଞ୍ଚୟ ଦିଗରେ ଅସୁବିଧା ଭୋଗୁଛନ୍ତି ସେମାନେ ଉପକୃତ ହେବେ । ମୋଟ ଉପରେ ଫେସବୁକ ବ୍ୟବହାର ଜାଣିପାରିଥିବା ଶିକ୍ଷିତ ଓ ଅଶିକ୍ଷିତ ଏକ ବିସ୍ତୃତ ଜନସଂଖ୍ୟା ଡ଼ିଜିଟାଲ ଆର୍ଥିକ କାରବାର ନିମନ୍ତେ ବିକଳ୍ପ ମଞ୍ଚ ପାଇପାରିବେ ।
‘ଲିବ୍ରା’ ଘୋଷିତ ହେବା ଅବସରରେ ୨୭ ଗୋଟି ପ୍ରମୁଖ ଆର୍ଥିକ ସଂସ୍ଥା ଏହା ସହିତ ସହବନ୍ଧିତ ହୋଇଛନ୍ତି । ସେଗୁଡ଼ିକ ମଧ୍ୟରେ ଭିସା, ମାଷ୍ଟରକାର୍ଡ଼, ଉବେର, ଲିଫ୍ଟ, ପେ-ପାଲ ଓ ସ୍ପଟିଫାଇ ଇତ୍ୟାଦି ପ୍ରଧାନ । ଏହି ଡ଼ିଜିଟାଲ ମଞ୍ଚ କାର୍ଯ୍ୟକାରୀ ହେବା ବେଳକୁ ପ୍ରାୟ ଶହେ ସରିକି ଆର୍ଥିକ ସଂସ୍ଥା ଅନ୍ତର୍ଭୁକ୍ତ ହେବେ ବୋଲି କୁହାଯାଉଛି । ଫେସବୁକର‘ଲିବ୍ରା’ ବ୍ୟବହାର କରିବା ନିମନ୍ତେ ସ୍ମାର୍ଟଫୋନ ଓ ଇଣ୍ଟରନେଟ ସଂଯୁକ୍ତି ଯଥେଷ୍ଟ । ଫେସବୁକ, ମେସେଞ୍ଜର, ହ୍ୱାଟସଅପ ଭଳି ମଞ୍ଚ ବ୍ୟବହାର ନିଃଶୁଳ୍କ ରହିଥିବା ସ୍ଥଳେ ‘ଲିବ୍ରା’ ମାଧ୍ୟମରେ ଆର୍ଥିକ ଦେଣନେଣ ମଧ୍ୟ ମାଗଣା ଉପଲବ୍ଧ ହେବ ।
ଫେସବୁକରେ ଆର୍ଥିକ କାରବାର ନିମନ୍ତେ ‘ଲିବ୍ରାଏସୋସିଏସେନ’ ନାମରେ ଏକ ସ୍ୱାଧୀନଲାଭରହିତ ସଂସ୍ଥା ଗଠିତ ହୋଇଛି । ଏହା ପକ୍ଷରୁ କୁହାଯାଉଛି ଯେ ‘ଲିବ୍ରା’ଡ଼ିଜିଟାଲ ଆର୍ଥିକ କାରବାର ନିମନ୍ତେ ଉପଭୋକ୍ତାଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ । ଏଭଳି ମଞ୍ଚର ଅପବ୍ୟବହାର ରୋକିବା ନିମନ୍ତେ ବ୍ୟାଙ୍କ ଓ କ୍ରେଡ଼ିଟ କାର୍ଡ ସଂସ୍ଥାଗୁଡ଼ିକ ପକ୍ଷରୁ ନିଆଯାଉଥିବା ପ୍ରତିଷେଧକମୂଳକ ବ୍ୟବସ୍ଥା ଲାଗୁ କରାଯିବ । ବୈଷୟିକ ତୃଟି କାରଣରୁ କେହି ଉପଭୋକ୍ତା ଅର୍ଥ ହରାଇଲେ ତାହା ଫେସବୁକ ପକ୍ଷରୁ ଭରଣା କରାଯିବା ଘୋଷିତ ହୋଇଛି ।
ଫେସବୁକ ସୋସିଆଲ ମିଡ଼ିଆ ମଞ୍ଚ ରୂପେ ଆନ୍ତର୍ଜାତିକସ୍ତରରେ ଯୋଗାଯୋଗ, ବିଜ୍ଞାପନ ଓ ବ୍ୟବସାୟ କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ଏହାର ବିସ୍ତୃତ ଉପଭୋକ୍ତାଙ୍କ ହାତପାଆନ୍ତାରେ ଆର୍ଥିକ କାରବାର ନିମନ୍ତେ ସୁବିଧା ସୁଯୋଗ ସୃଷ୍ଟି ଗଣମାଧ୍ୟମକୁ ପ୍ରଭାବିତ କରିବା ଆଶା କରାଯାଇପାରେ । ଡ଼ିଜିଟାଲମଞ୍ଚଗୁଡ଼ିକର ଆବିର୍ଭାବ ତଥା ସେଗୁଡ଼ିକରେ ବିଜ୍ଞାପନ ପ୍ରକାଶନ ନିମନ୍ତେ ଆର୍ଟିଫିସିଆଲଇଣ୍ଟଲିଜେନ୍ସି ଭଳି ଆଧୁନିକ କାରିଗରୀ କୌଶଳ ବ୍ୟବହାର ମୁଦ୍ରଣ ମାଧ୍ୟମରେ ବିଜ୍ଞାପନ ହ୍ରାସର କାରଣ ପାଲଟିଛି । ଇଣ୍ଟରନେଟର ବ୍ୟାପ୍ତି, ମୋବାଇଲ ଫୋନ ସଂଖ୍ୟା ଓ ବ୍ୟବହାର ଅବଧି ବୃଦ୍ଧି ତଥା ସମାଜର ବିଭିନ୍ନ କ୍ଷେତ୍ରରେ ଡ଼ିଜିଟାଲ କାରିଗରୀ କୌଶଳ ଉପଯୋଗ କ୍ରମଶଃ ବିଶ୍ୱବ୍ୟାପୀ ବିଜ୍ଞାପନ ଆଶ୍ରିତ ମୁଦ୍ରିତ ଗଣମାଧ୍ୟମ ନିମନ୍ତେ ଆର୍ଥିକ ଦୃଷ୍ଟିରୁ ସମସ୍ୟା ସୃଷ୍ଟି କରିବା ସୁନିଶ୍ଚିତ । ଏହି ପରିପ୍ରେକ୍ଷୀରେ ମୁଦ୍ରିତ-ଗଣମାଧ୍ୟମ ସମେତ ଟେଲିଭିଜନ ଓ ଡ଼ିଜିଟାଲ ମଞ୍ଚ ଗ୍ରାହକ ଚ଼ାନ୍ଦା ଉପରେ ନିର୍ଭରଶୀଳ ହେବା ସ୍ୱାଭାବିକ ।
ବିକଶିତ ରାଷ୍ଟ୍ରଗୁଡ଼ିକରେ ଗ୍ରାହକ ଚ଼ାନ୍ଦାର ଗୁରୁତ୍ୱ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ତେବେ ଅନେକ କ୍ଷେତ୍ରରେ ଗଣମାଧ୍ୟମରେ ପାଠ୍ୟ ବା ଚ଼ିତ୍ର ଆହରଣ କରିବା ନିମନ୍ତେ ଦେୟ ପ୍ରଦାନ ନିମନ୍ତେ ସହଜ ଓ ସୁବିଧାଜନକ ମାଧ୍ୟମର ଅଭାବ ଲାଗି ରହିଥିଲା । ଫେସବୁକ ଭଳି ଜନପ୍ରିୟ ମଞ୍ଚରେ ଆର୍ଥିକ କାରବାରର ସୁବିଧା ଏଦିଗରେ ସହାୟକ ହେବା ଆଶା କରାଯାଏ । ‘ଲିବ୍ରା’ ଘୋଷିତ ହେବା ଅବସରରେ ‘ସ୍ପଟିଫାଇ’ ସେହି ଡ଼ିଜିଟାଲ ମଞ୍ଚରେ ସାମିଲ ହେବା ନିମନ୍ତେ ସମ୍ମତ୍ତି ପ୍ରଦାନ କରିଛି । ‘ଲିବ୍ରା’ରେ ଯୋଗ ଦେଉଥିବା ସଂସ୍ଥାଗୁଡ଼ିକ ମଧ୍ୟରେ ‘ସ୍ପଟିଫାଇ’ ପ୍ରଥମ ଗଣମାଧ୍ୟମ ସଂସ୍ଥା । ‘ସ୍ପଟିଫାଇ’ ଏକ ସଂଗୀତ ପରିବେଷଣ ମଞ୍ଚ । ଗ୍ରାହକମାନେ ଅର୍ଥ ବିନିମୟରେ ଏହି ମଞ୍ଚରେ ନିଜ ପସନ୍ଦଯୋଗ୍ୟ ସଂଗୀତ ଉପଭୋଗ କରିପାରନ୍ତି । ‘ଲିବ୍ରା’ ବ୍ୟବହାରରେ ‘ସ୍ପଟିଫାଇ’ର ଗ୍ରାହକମାନେ ଉପକୃତ ହେବା ଆଶା କରାଯାଉଛି ।
ବିକଶିତ ରାଷ୍ଟ୍ରଗୁଡ଼ିକରେ ଡ଼ିଜିଟାଲ ମଞ୍ଚରେ ଗୋଟିଏ ରଚନା ପଢ଼ିବା ବା ଭିଡ଼ିଓଟିଏଥରୁଟିଏ ଦେଖିବା ପାଇଁ ଦେୟ ପ୍ରଦାନ ପ୍ରଥା ଆରମ୍ଭ ହେଲାଣି । ଉଦାହରଣରେ ଜଣେ ପାଠକ ମାତ୍ର ଟଙ୍କାଏ ବା ଦୁଇ ଟଙ୍କା ଦେଇ ଗୋଟିଏ ରଚନା ପଢ଼ିବା ବ୍ୟବସ୍ଥା ସମ୍ଭବପର । ଯଦି ରଚନାଟି ହଜାର କିମ୍ୱା ଦୁଇ ହଜାର ପାଠକ ପଢନ୍ତି ତେବେ ପ୍ରକାଶକ ଓ ଲେଖକ ହଜାରରୁ ଚ଼ାରି ହଜାର ଟଙ୍କା ଆୟ କରିପାରନ୍ତି । କିନ୍ତୁ ଏଥିଲାଗି ହଜାର ଦୁଇ ହଜାର ପାଠକଙ୍କଠାରୁ ଦେୟ ସଂଗ୍ରହ ଓ ପ୍ରକାଶକ ତଥା ଲେଖକଙ୍କ ମଧ୍ୟରେ ପୂର୍ବନିର୍ଦ୍ଧାରିତଚୁକ୍ତିମତେ ଅର୍ଥ ଭାଗବଣ୍ଟା ଜଟିଳ ଆର୍ଥିକ କାରବାର । ଫେସବୁକର ଆର୍ଥିକ ମଞ୍ଚ ‘ଲିବ୍ରା’ରେ ଅନାୟସରେ କ୍ଷଣିକ ମଧ୍ୟରେ ଏହା ସଂଭବପର ହୋଇପାରିବ । ୨୦୧୯ ବେଳକୁ ବଲିଉଡ଼ରହିନ୍ଦିଚଳଚ଼ିତ୍ର ନିର୍ମାତାମାନେଚଳଚ଼ିତ୍ର ମୁକ୍ତିର ପ୍ରଥମ ସପ୍ତାହ ମଧ୍ୟରେ ସମଗ୍ର ବ୍ୟୟ ସହ ଲାଭ ପାଇପାରୁଥିବା ଭଳି ଭଲ ରଚ଼ନାଟିଏ ଦିନେ ଦୁଇ ଦିନ ମଧ୍ୟରେ ହଜାର ହଜାର ପାଠକଙ୍କ ମଧ୍ୟରେ ବିକ୍ରି ସଂଭବପର ହୋଇପାରିବ ।
ଡ଼ିଜିଟାଲ ମଞ୍ଚରେ ଆର୍ଥିକ କାରବାର ବୃଦ୍ଧି ଗଣମାଧ୍ୟମ ଉପତ୍ୟକାରେ ନୂତନ ସମୀକରଣ ସୃଷ୍ଟି କରିବ । ଦେଣନେଣ ପ୍ରକ୍ରିୟା ସୁଗମ ହୋଇପାରିଲେ ପ୍ରକାଶକ, ଲେଖକ ଓ ସୃଜନ ପ୍ରତିଭାମାନେ ନିଜ ନିଜ କୃତୀ ବିକ୍ରି କରିପାରିବେ । ପାଠକ ଓ ଦର୍ଶକଙ୍କ ସ୍ୱୀକୃତି ପ୍ରକାଶନର ଗୁଣାତ୍ମକ ବିକାଶରେ ସହାୟକ ହେବ । ସୃଜନ କ୍ଷେତ୍ରରେ ପ୍ରତିଭାହୀନଙ୍କ ଆଧିପତ୍ୟ ଲୋପ ପାଇବ । ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ଦେୟଯୁକ୍ତ ଟେଲିଭିଜନ ଓ ସଂଗୀତ କାର୍ଯ୍ୟକ୍ରମ ଉପଭୋଗ ମଙ୍ଗ ଧରିଲାଣି । ‘ରେଡ଼ ସିର କନସଲଟେନ୍ସି’ର ହିସାବ ଅନୁଯାୟୀ ୨୦୧୯ ମଧ୍ୟଭାଗ ସୁଦ୍ଧା ଷ୍ଟ୍ରୀମିଂ ମଞ୍ଚ ନେଟଫ୍ଳିକ୍ସ ଓ ଆମେଜନପ୍ରାଇମର ମାସିକ ସକ୍ରିୟ ଗ୍ରାହକ ସଂଖ୍ୟା କୋଟିଏ ୨୦ ଲକ୍ଷ ପହଞ୍ଚିଥିବା ସ୍ଥଳେ ହଟଷ୍ଟାରର ଉପଭୋକ୍ତା ସଂଖ୍ୟା ୨୫ କୋଟି ଯାଏଁ ଛୁଇଁଲାଣି । ଏଭଳି ଭିତ୍ତିଭୂମି ଭବିଷ୍ୟତରେ ଗଣମାଧ୍ୟମରେ ଦେୟଯୁକ୍ତ ସେବା ପ୍ରସାର କ୍ଷେତ୍ରରେ ଆଶା ସଞ୍ଚାର କରିଥାଏ । ପ୍ରସ୍ତାବିତ ଫେସବୁକ ଆର୍ଥିକ ମଞ୍ଚ ‘ଲିବ୍ରା’ ଏଦିଗରେ ସହଯୋଗ କରିବା ସୁନିଶ୍ଚିତ ।
