ଆଜିର ଖାସ ଖବର
Thu. Apr 16th, 2026

ବିକଳ୍ପ ପ୍ରେକ୍ଷାଳୟ ପରିବେଶ ‘ୟୁଟ୍ୟୁବ

By Dainikasha Jul12,2024

ମହାମାରୀ ଅବସରରେ ବିଶ୍ୱବ୍ୟାପୀ ଚଳଚ଼ିତ୍ର, ସଂଗୀତ ଓ ନାଟକ ଇତ୍ୟାଦି ପରିବେଷଣ ସୁଯୋଗ ଅଭାବରୁ ପ୍ରେକ୍ଷାଳୟମାନ ଦୀର୍ଘକାଳ ଧରି ବନ୍ଦ ରହିବା ଅବସରରେ ଓଭର-ଦି-ଟପ ‘ଓଟିଟି’ ମଞ୍ଚ ବିକଳ୍ପ ପ୍ରେକ୍ଷାଳୟ ରୂପେ ଗଢ଼ି ଉଠିଛି । ସେଗୁଡ଼ିକ ମଧ୍ୟରେ ଗୁଗୁଲ ସହଯୋଗୀ ‘ୟୁଟ୍ୟୁବ’ର ଦର୍ଶକ ସଂଖ୍ୟା ୨୦୦ କୋଟି ହିସାବ କରାଯାଉଥିବା ସ୍ଥଳେ ସର୍ବବୃହତ ଓଟିଟି ମଞ୍ଚର ମାନ୍ୟତା ଦାବୀ କରେ । ୟୁଟ୍ୟୁବ କ୍ରମବିକାଶରେ ମହତ୍ତ୍ୱପୂର୍ଣ୍ଣ ବିଷୟ ଏହିଯେ ପାରମ୍ପରିକଭାବେ ସମ୍ୱାଦପତ୍ର ଓ ଟେଲିଭିଜନ ସମ୍ୱାଦ ଓ ମନୋରଞ୍ଜନ କ୍ଷେତ୍ରରେ ଆବଦ୍ଧ ରହିଥିବା ସ୍ଥଳେ ୟୁଟ୍ୟୁବ ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ ଠାରୁ ଆରମ୍ଭ କରି ରନ୍ଧନ, ବ୍ୟାୟମ, ରୂପସଜ୍ଜା ଇତ୍ୟାଦି ଜନଜୀବନର ବିଭିନ୍ନସ୍ତରକୁ ପ୍ରଭାବିତ କରିବାରେ ସକ୍ଷମ ହୋଇପାରିଛି ।

ଖ୍ୟାତନାମା ଅନଲାଇନ ଗବେଷଣା ପ୍ରତିଷ୍ଠାନ ‘କମସ୍କୋର’ ଗଣନାରେ ଭାରତରେ ୨୦୨୦ରେ ଭିଡ଼ିଓ ଦର୍ଶକ ସଂଖ୍ୟା ୪୬ କୋଟି ୮୦ ଲକ୍ଷରେ ପହଞ୍ଚିଥିଲା । ସେଥିମଧ୍ୟରେ ୟୁଟ୍ୟୁବ ଉପଭୋକ୍ତାଭାବେ ୪୪ କୋଟି ଦର୍ଶକ ସାମିଲ ହୋଇଥିଲେ । ଦେଶର ଦ୍ୱିତୀୟ ବୃହତ ଓଟିଟି ମଞ୍ଚ ‘ଟାଇମ୍ସ ଅଫ ଇଣ୍ଡିଆ’ ଗୃପର ‘ଏମଏକ୍ସ ପ୍ଳେୟାର’ ଦର୍ଶକ ସଂଖ୍ୟା ୟୁଟ୍ୟୁବର ଅର୍ଦ୍ଧେକ ଅର୍ଥାତ ପ୍ରାୟ ୨୨ କୋଟିରେ ସୀମିତ ରହିଥିଲା । ‘ମିଡ଼ିଆ ପାର୍ଟନର୍ସ ଏସିଆ’ ଆକଳନରେ ୟୁଟ୍ୟୁବର ବାର୍ଷିକ ଆୟ ପ୍ରାୟ ଚାରି ହଜାର କୋଟି ଟଙ୍କା ଛୁଇଁଥିଲା ।

ୟୁଟ୍ୟୁବ ମଞ୍ଚର ଲୋକପ୍ରିୟତା ବୃଦ୍ଧି ତର୍ଜମା କରି ‘ୟୁଟ୍ୟୁବ ଭାରତ’ର ପ୍ରମୁଖ କର୍ମକର୍ତ୍ତା କଣ୍ଟେଣ୍ଟ ପାର୍ଟନରସିପ ଡାଇରେକ୍ଟର ସତ୍ୟ ରାଘବନ ତିନିଗୋଟି ବିଶେଷତ୍ୱକୁ ପ୍ରାଧାନ୍ୟ ଦିଅନ୍ତି । ପ୍ରଥମତଃ, ଅନଲାଇନ ଦର୍ଶକଗଣ ଟେଲିଭିଜନ ପରିବେଶରେ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ ଧରି ‘ସୋପ ଅପେରା’ ପ୍ରଶଂସକ ଶ୍ରେଣୀରୁ ଉନ୍ନୀତ ହୋଇଛନ୍ତି । ଅର୍ଥାତ ସାଧାରଣ ଦର୍ଶକମଣ୍ଡଳୀ ମନୋରଞ୍ଜନଧର୍ମୀ ପାରିବାରିକ ନାଟକ ମଧ୍ୟରେ ଆବଦ୍ଧ ନରହି ଅନ୍ୟାନ୍ୟ ବିଷୟପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଏହା ଫଳରେ ପ୍ରଚଳିତ ଟେଲିଭିଜନ କାର୍ଯ୍ୟକ୍ରମର ବିକଳ୍ପ ଖୋଜା ପଡୁଛି ।

ଦ୍ୱିତୀୟତଃ, ଦର୍ଶକମାନଙ୍କ ପାଇଁ ମୂଳସ୍ରୋତ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ପୂର୍ବପ୍ରଦର୍ଶିତ ସମ୍ୱାଦ ସମେତ ମନୋରଞ୍ଜନ ଟେଲିଭିଜନ କାର୍ଯ୍ୟକ୍ରମ, ଧାରାବାହିକ, ପୂର୍ଣ୍ଣାଙ୍ଗ ଚଳଚ଼ିତ୍ର, ସଂଗୀତ ଇତ୍ୟାଦି ନିଜ ରୁଚ଼ି ଓ ସମୟ ଅନୁଯାୟୀ ଆହରଣ କରିବାଲାଗି ୟୁଟ୍ୟୁବରେ ପୁନଃ ପ୍ରସାରଣ ‘କେଚ଼-ଅପ’ ସୁଯୋଗ ସୃଷ୍ଟି କରୁଛି । ଫଳରେ ଦର୍ଶକମାନେ ଟେଲିଭିଜନ ବଦଳରେ ୟୁଟ୍ୟୁବ ମୁହାଁ ହେଉଛନ୍ତି । ଅନ୍ୟ ଓଟିଟି ମଞ୍ଚଗୁଡ଼ିକରେ ଏହି ଧରଣର ସୁବିଧା ଉପଲବ୍ଧ ଥିଲେହେଁ ୟୁଟ୍ୟୁବର ବିବିଧତା ଓ ଦେୟମୁକ୍ତ ସୁଯୋଗ ନଥାଏ ।

ତୃତୀୟତଃ, ଭିଡ଼ିଓ ମଞ୍ଚରେ ଉପଭୋକ୍ତାଙ୍କ ରୁଚି ଓ ଆବଶ୍ୟକତା ଦୃତ ପରିବର୍ତ୍ତନ ହେବାରେ ଲାଗିଛି । ଅନ୍ୟତ୍ର ଉପଲବ୍ଧ ହେଉନଥିବା ବିଭିନ୍ନ ବିଷୟ ୟୁଟ୍ୟୁବ ଭିଡ଼ିଓ ପ୍ରଦର୍ଶନର ସୁଯୋଗ ସୃଷ୍ଟି ହୋଇଥାଏ । ଉଦାହରଣରେ ରୋଷେଇ ଘର ପାଣି ପାଇପ ମରାମତଠାରୁ ଆରମ୍ଭ କରି ମନୁଷ୍ୟ ମସ୍ତିସ୍କରେ ସ୍ନାୟୁଗତ କାର୍ଯ୍ୟଧାରା ସଂପର୍କରେ ଜ୍ଞାନାର୍ଜନ ଯାଏଁ ଅସଂଖ୍ୟ ବିଷୟ ୟୁଟ୍ୟୁବ ମଞ୍ଚରେ ଖୋଜି ପାଇହୁଏ ।

ମହାମାରୀ-ପୂର୍ବାବସ୍ଥାରେ ଭାରତରେ ଇଣ୍ଟରନେଟର ବ୍ୟାପ୍ତି, ସ୍ମାର୍ଟଫୋନ ବ୍ୟବହାର ଓ ଇ-କମର୍ସ କାରବାରରେ ଯୋଗଦାନର ଧାରା ବିକଶିତ ହୋଇସାରିଥିଲା । ମହାମାରୀଜନିତ ଦୀର୍ଘକାଳ ଜନପଦ ବନ୍ଦ ‘ଲକ-ଡାଉନ’ ୨୦୨୦ ବର୍ଷ ସାରା ବଳବତ୍ତର ରହିବା ଅବସରରେ ଇଣ୍ଟରନେଟ ସଂଯୁକ୍ତି କିମ୍ୱା ସ୍ମାର୍ଟଫୋନ ପ୍ରସାର କ୍ଷେତ୍ରରେ ବିଶେଷ ଅଗ୍ରଗତି ଘଟିନଥିଲେ ହେଁ ଅନଲାଇନରେ ଉପଭୋକ୍ତାଙ୍କ ଦୀର୍ଘକାଳୀନ ଉପସ୍ଥିତି ଏବଂ ଭର୍ଚୁଆଲ ମଞ୍ଚରେ ବିଭିନ୍ନ ଉତ୍ପାଦ ବ୍ୟବହାରରେ ଅଭ୍ୟସ୍ତ ହୋଇପଡ଼ିଥିବା ଉଲ୍ଲେଖନୀୟ ବିଷୟ । ମହାମାରୀକାଳରେ ଜନସାଧାରଣଙ୍କ ଆଚ଼ରଣ ମହାମାରୀ-ପର ଅବସ୍ଥାରେ ଜନଜୀବନକୁ ପ୍ରଭାବିତ କରିଥିବା ପ୍ରମାଣ କ୍ରମଶଃ ଉନ୍ମୋଚ଼ିତ ହେବାରେ ଲାଗିଛି । ଉଦାହରଣରେ ଅନଲାଇନ ଶିକ୍ଷାଦାନ କ୍ଷେତ୍ରରେ ମହାମାରୀ-ପର ଅବସ୍ଥାରେ ୧୪ ପ୍ରତିଶତ ଯାଏଁ ଅଭିବୃଦ୍ଧି ଘଟିଥିବା ଗୁଗୁଲ ପକ୍ଷରୁ କୁହାଯାଉଛି ।

ଗଣମାଧ୍ୟମ ବିଶ୍ଳେଷକଗଣ ୨୦୨୧ରୁ ୨୦୨୫ ପାଞ୍ଚ ବର୍ଷ ମଧ୍ୟରେ ଗଣମାଧ୍ୟମ ପରିଧିରେ ଅଡ଼ିଓ ଓ ଭିଡ଼ିଓ ସର୍ବାପେକ୍ଷା ବ୍ୟବହୃତ ମାଧ୍ୟମ ରୂପେ ବିକଶିତ ହେବା ଆକଳନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଉଭୟ କ୍ଷେତ୍ରରେ ୟୁଟ୍ୟୁବ ନେତୃତ୍ୱ ନେବାଲାଗି ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ ରହିଛି ।

ୟୁଟ୍ୟୁବ ମଞ୍ଚରେ ସୃଜନ ପ୍ରଦର୍ଶନ ଓ ଆହରଣ ଦେୟମୁକ୍ତ । ଏହାର ଆନ୍ତର୍ଜାତିକସ୍ତରର ବୈଷୟିକ ଦକ୍ଷତା ସମସ୍ତଙ୍କ ପାଇଁ ଉପଲବ୍ଧ । ବୈଷୟିକ କଳାକୌଶଳର ଅଗ୍ରଗତିରେ ଅଡ଼ିଓ ଓ ଭିଡ଼ିଓ ସୃଜନ ପ୍ରସ୍ତୁତି ସହଜସାଧ୍ୟ ହୋଇପାରିଥିବା ହେତୁ ସ୍ମାର୍ଟଫୋନ ଓ ବିଭିନ୍ନ ଆପ୍ଳିକେସନ ବ୍ୟବହାର ଲାଗି ଅନଲାଇନ ତାଲିମରେ ଯେକୌଣସି ବ୍ୟକ୍ତି ଦକ୍ଷତା ହାସଲ କରିବା ସଂଭବ । ଏହି ଦୁଇ ସୁବିଧା ସୁଯୋଗ ବିସ୍ତୃତ ଉପଭୋକ୍ତାଙ୍କୁ ସୃଜନ ପ୍ରସ୍ତୁତି ଲାଗି ଯୋଗ୍ୟ ବିବେଚ଼ିତ କରାଇଥାଏ ।

ପାରମ୍ପରିକଭାବେ ଗଣମାଧ୍ୟମ ଉପଯୋଗରେ ପ୍ରକାଶନ ବା ପ୍ରଦର୍ଶନ ବିପୁଳ ପ୍ରସ୍ତୁତି, ସମ୍ୱଳ ଓ ନିବେଶ ଆବଶ୍ୟକ କରି ଆସିଥିବା ବେଳେ ୟୁଟ୍ୟୁବ ଭଳି ମଞ୍ଚ ଅଡ଼ିଓ ଓ ଭିଡ଼ିଓ ସୃଜନ ପ୍ରସ୍ତୁତି ପାଇଁ ସ୍ମାର୍ଟଫୋନରେ ଚ଼ିତ୍ର ଓ ଶବ୍ଦ ଗ୍ରହଣ, ସମ୍ପାଦନା ଓ ପ୍ରସାରଣ ସଂଭବ ହୋଇପାରୁଛି । ଏହା ଗଣମାଧ୍ୟମରେ ଏକରକମ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି କରିଛି ବୋଲି କହିବାକୁ ହେବ । ସୃଜନ ପ୍ରସ୍ତୁତି ଓ ପ୍ରଦର୍ଶନ ନିମନ୍ତେ ଆର୍ଥିକ ବୋଝ ସାଙ୍ଗକୁ ସାମାଜିକ ପ୍ରତିଷ୍ଠା ବନ୍ଧନୀରୁ ପ୍ରକାଶକ ମୁକ୍ତ ହୋଇପାରିଥିବା ଗଣମାଧ୍ୟମର ଏକବିଂଶ ଶତାଦ୍ଦୀର ଗୁରୁତ୍ୱପୂର୍ଣ୍ଣ ଅବଦାନ ।

କ୍ଳାଉଡ଼ କମ୍ପ୍ୟୁଟିଂ ଉପଯୋଗରେ ଅସୀମିତ ଅଡ଼ିଓ ଓ ଭିଡ଼ିଓ ଫାଇଲ ଦାର୍ଘକାଳ ଲାଗି ଗଚ୍ଛିତ କରି ରଖିବା ସାମର୍ଥ୍ୟ ତଥା ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ସର୍ବାଧୁନିକ ବୈଷୟିକ କୌଶଳ ବ୍ୟବହାରରେ ସୁବିଧା ଉପଲବ୍ଧ କରାଇବା ୟୁଟ୍ୟୁବର ଅନ୍ୟତମ ବୈଶିଷ୍ଟ୍ୟ । ସର୍ବୋପରି ଭଏସ-କମାଣ୍ଡ ନିରକ୍ଷର ଓ ନବସାକ୍ଷରଙ୍କୁ ଭିଡ଼ିଓ ଆହରଣର ସୁଯୋଗ ଯୋଗାଇପାରିବ ।

ଆମ ଦେଶ ଭାରତରେ ସ୍ୱାଧୀନୋତ୍ତର ଅବସ୍ଥାରୁ ଚଳଚ଼ିତ୍ର ପ୍ରେକ୍ଷାଳୟ କ୍ରମବିକଶିତ ସହରୀସଭ୍ୟତାର ସାଂସ୍କୃତିକ କେନ୍ଦ୍ର ରୂପେ ଗଢ଼ି ଉଠିଥିବା ସ୍ଥଳେ ମହାମାରୀ ଅବସରରେ ଓଭର-ଦି-ଟପ ‘ଓଟିଟି’ ମଞ୍ଚ ବିକଳ୍ପ ପ୍ରେକ୍ଷାଳୟ ରୂପେ ଆତ୍ମପ୍ରକାଶ କରିଛି । ଏହାର ଉପଭୋକ୍ତା ସଂଖ୍ୟା ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏକ ହିସାବ ଅନଯାୟୀ ଦେୟଯୁକ୍ତ ଓଟିଟି ମଞ୍ଚଗୁଡ଼ିକରେ ୨୦୧୮ରେ ୨୦ ଲକ୍ଷ ଉପଭୋକ୍ତା ଥିବା ସ୍ଥଳେ ୨୦୨୦ରେ ପାଞ୍ଚକୋଟି ୮୦ ଲକ୍ଷକୁ ବୃଦ୍ଧି ପାଇଥିଲା । ଅବଶ୍ୟ ଦେୟମୁକ୍ତ ୟୁଟ୍ୟୁବ ଦର୍ଶକ ସଂଖ୍ୟା ଏହାଠାରୁ ଢ଼େର ଅଧିକ ସଂଖ୍ୟାରେ ପହଞ୍ଚି ବିକଳ୍ପ ପ୍ରେକ୍ଷାଳୟ ପରିବେଶ ସୃଷ୍ଟିରେ ନେତୃତ୍ୱ ଗ୍ରହଣ କରିଛି ।  

Related Post