ଆଜିର ଖାସ ଖବର
Sat. May 30th, 2026

ବିଷୟଭିତ୍ତିକ ସାମ୍ୱାଦିକତା

By Dainikasha Jul12,2024

ମୁଦ୍ରିତ ସମ୍ୱାଦପତ୍ର ସମେତ ବିଭିନ୍ନ ସମ୍ୱାଦ ଉତ୍ପାଦ ଅନିର୍ଦ୍ଦିଷ୍ଟ ବା ସାଧାରଣ ଏବଂ ନିର୍ଦ୍ଦିଷ୍ଟ ବା ବିଷୟଭିତ୍ତିକ ଦୁଇ ବର୍ଗରେ ସମ୍ୱାଦ ପରିବେଷଣ ଆଭିମୁଖ୍ୟ ଗ୍ରହଣ କରିଥାନ୍ତି । ଭାରତରେ ଅଧିକାଂଶ ସମ୍ୱାଦପତ୍ର ସାଧାରଣ ବର୍ଗରେ ଅନ୍ତର୍ଭୁକ୍ତ ହୋଇ ଦୁର୍ଘଟଣା, ମାନବୀୟଭାବାବେଗ ଆଧାରିତ ସମ୍ୱାଦଠାରୁ ଆରମ୍ଭ କରି ରାଜନୀତି, ସଂସ୍କୃତି, ଅର୍ଥନୀତି, କ୍ରୀଡ଼ା, ମନୋରଞ୍ଜନ ଯାଏଁ ବିଭିନ୍ନ କ୍ଷେତ୍ରର ସମ୍ୱାଦ ଏକତ୍ର ପ୍ରକାଶ କରିଥାନ୍ତି । ଅପରପକ୍ଷେ ଖୁବ୍ କମ ସଂଖ୍ୟକ ସମ୍ୱାଦପତ୍ର ଅର୍ଥନୀତି କିମ୍ୱା ମନୋରଞ୍ଜନଭଳି ନିର୍ଦ୍ଧିଷ୍ଟ ବିଷୟରେ ସମ୍ୱାଦ ପ୍ରକାଶନରେ ସୀମିତ ରହିଥାନ୍ତି । ବିଦେଶରେ କ୍ରୀଡ଼ା, ଶିକ୍ଷା ବିଷୟକ ସମ୍ୱାଦପତ୍ରର ଚାହିଦା ଦେଖିବାକୁ ମିଳେ ।

ସମ୍ୱାଦପତ୍ରରେ ଅନୁସୃତ ଧାରା ରେଡ଼ିଓ ଓ ଟେଲିଭିଜନ ମଞ୍ଚରେ ପ୍ରତିଫଳିତ । ଭାରତରେ ପ୍ରାୟ ଏକ ଚ଼ତୁର୍ଥାଂଶ ଉପଗ୍ରହଭିତ୍ତିକ ଟେଲିଭିଜନ ଚ୍ୟାନେଲ ସମ୍ୱାଦଧର୍ମୀ ହୋଇଥିବା ସ୍ଥଳେ ତିନିଚ଼ତୁର୍ଥାଂଶ ମନୋରଞ୍ଜନଧର୍ମୀ । ରେଡ଼ିଓରେ ସମ୍ୱାଦ ପ୍ରସାରଣ ସରକାରୀ ପରିଚାଳନାଧୀନ ଆକାଶବାଣୀର ଏକଚ଼ାଟିଆ କର୍ତ୍ତୃତ୍ୱ ଥିବା ହେତୁ ଘରୋଇ ଷ୍ଟେସନଗୁଡ଼ିକ ମନୋରଞ୍ଜନକୁ ଭିତ୍ତିକରି ଗଢ଼ି ଉଠିଥାନ୍ତି । ଦୂରଦର୍ଶନରେ ଶିକ୍ଷା, କୃଷି, ସଂସ୍କୃତି, କ୍ରୀଡ଼ା ବିଷୟକ ସ୍ୱତନ୍ତ୍ର ଟେଲିଭିଜନ ଚ୍ୟାନେଲର ବ୍ୟବସ୍ଥା ରହିଛି ।

ଇଣ୍ଟରନେଟ ସାମ୍ୱାଦିକତାରେ ବୈଷୟିକ ସୁବିଧା ସୁଯୋଗ କାରଣରୁ ବ୍ୟାପକ ବିଷୟଭିତ୍ତିକ ସମ୍ୱାଦ ୱେବସାଇଟ, ଇ-ମେଲ ନିଉଜଲେଟର, ବ୍ଳଗ, ପଡ଼କାଷ୍ଟ, ଭିଡ଼ିଓ ପ୍ରସ୍ତୁତି ସମ୍ଭବପର ହୋଇଥାଏ । ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ଇଣ୍ଟରନେଟ ସାମ୍ୱାଦିକତା ପାରମ୍ପରିକ ମଞ୍ଚଗୁଡ଼ିକୁ ପ୍ରଭାବିତ କରିବାରେ ଲାଗିଛି । ଡ଼ିଜିଟାଲ ମଞ୍ଚଗୁଡ଼ିକରେ ବିଷୟଭିତ୍ତିକ ସାମ୍ୱାଦିକତାରେ ପାଠକ ଓ ଦର୍ଶକମାନେ ଅଭ୍ୟସ୍ତ ହେବାପରେ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ମଞ୍ଚରେ ଅନୁରୂପ ସମ୍ୱାଦ ଉତ୍ପାଦ ଖୋଜିବା ସ୍ୱାଭାବିକ ।

ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ମୁଖ୍ୟତଃ ମାଲିକାନା କାରଣରୁ ସାମ୍ୱାଦିକତାରେ ଉତ୍କର୍ଷତା ସାଧନଲାଗି ପରୀକ୍ଷାନିରୀକ୍ଷାରୁ ଦୂରେଇ ରହିଥାନ୍ତି । ବିତ୍ତୀୟ ଓ ସୃଜନ ଉଭୟ ଦିଗରୁ ନିବେଶ ଅଭାବ ସାମ୍ୱାଦିକତା ପରିଧିକୁ ଭରାକ୍ରାନ୍ତ କରିରଖିଛି । ଅଧଡ଼ଜନେ ପ୍ରସାରଣ ସଂଖ୍ୟାରେ ଅଗ୍ରଣୀ ଦୈନିକ ସମ୍ୱାଦପତ୍ରକୁ ଛାଡ଼ି ଦେଲେ ପ୍ରାୟ ଡ଼ଜନେରୁ ଦୁଇ ଡ଼ଜନ ସମ୍ୱାଦପତ୍ରର ବିକାଶ ନିମନ୍ତେ ଦ୍ୱାର ଉନ୍ମୁକ୍ତ ରହିଥିଲେହେଁ ସେଗୁଡ଼ିକ ସରକାରୀ ବିଜ୍ଞାପନ ଆଶ୍ରିତ ମଡ଼େଲରୁ ବାହାରିଯିବା ନିମନ୍ତେ ଉଦ୍ୟମର ଅଭାବ ଅନୁଭୂତ ହୋଇଥାଏ । ପରିବର୍ତ୍ତନ ଲାଗି ଏଦିଗରେ ସଚ଼େତନତା ଅଭାବ ମଧ୍ୟ ଅନଗ୍ରସରତାର ଏକ କାରଣ ରୂପେ ଚ଼ିହ୍ନଟ କରାଯାଇପାରେ ।

ସର୍ବାଧିକ ପ୍ରସାରିତ ମୁଦ୍ରିତ ଦୈନିକ ସମ୍ୱାଦପତ୍ର ସାଧାରଣ ବର୍ଗ ସମ୍ୱାଦ ପରିବେଷଣରେ ସଂପୃକ୍ତ ରହୁଥିବା ବେଳେ ଦ୍ୱିତୀୟ, ତୃତୀୟ ଓ ଚ଼ତୁର୍ଥ ସ୍ଥାନିତ ସମ୍ୱାଦପତ୍ରଗୁଡ଼ିକ ବିଜ୍ଞାପନ ସଂଗ୍ରହ କାରଣରୁ ସାଧାରଣ ବର୍ଗରେ ସାମିଲ ହେଉଥିଲେହେଁ ପ୍ରଥମକୁ ପ୍ରତିଯୋଗିତାରେ ଟକ୍କର ଦେବା ନିମନ୍ତେ ଆଂଶିକଭାବେ ସ୍ୱତନ୍ତ୍ର ବିଷୟଭିତ୍ତିକ ସାମ୍ୱାଦିକତାରେ ମନୋନିବେଶ କରିବା ଯୁକ୍ତିଯୁକ୍ତ । ଏହା ଫଳରେ ପ୍ରଥମର ଅନୁଗାମୀ ନହୋଇ ନିଜସ୍ୱ ସ୍ଵତନ୍ତ୍ରତା ଜରିଆରେ ନିର୍ଦ୍ଦିଷ୍ଟ ଶ୍ରେଣୀର ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ । ମହିଳା, ବିଦ୍ୟାର୍ଥୀ, ବରିଷ୍ଠ ନାଗରିକମାନେ ଓଡ଼ିଆ ସମ୍ୱାଦପତ୍ର ପାଠକଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରୁଥିବା ହେତୁ ସେମାନଙ୍କୁ ସୁହାଇଲାଭଳି ସମ୍ୱାଦ ପ୍ରଯୋଜନା ପାଠକସଂଖ୍ୟା ଓ ପ୍ରସାର ବୃଦ୍ଧିରେ ସହାୟକ ହୋଇପାରିବା ଆଶା ଉଜ୍ୱଳ ।

ବିଷୟଭିତ୍ତିକ ସାମ୍ୱାଦିକତାକୁ କିଛି ପ୍ରବନ୍ଧ ପ୍ରକାଶନରେ ସୀମାବଦ୍ଧ ନରଖି ଏକ କିମ୍ୱା ତତୋଧିକ ପୃଷ୍ଠାରେ ସାମଗ୍ରୀକ ସାମ୍ୱାଦିକତା ପରିପ୍ରକାଶ ନିମନ୍ତେ ଲକ୍ଷ୍ୟ ନିର୍ଦ୍ଧାରିତ ହେବା ଆବଶ୍ୟକ । ଅର୍ଥାତ ନିର୍ଦ୍ଧିଷ୍ଟ ବର୍ଗର ଜନଜୀବନ ସଂପର୍କୀତ ସମ୍ୱାଦ, ସାକ୍ଷାତକାର, ସ୍ତମ୍ଭ, ଅନୁଶୀଳନାତ୍ମକ ଓ ଅନୁସନ୍ଧାନାତ୍ମକ ଲଳିତ ନିବନ୍ଧ ସାଙ୍ଗକୁ ବ୍ୟବହାର୍ଯ୍ୟ ସୂଚ଼ନାଧର୍ମୀ ରଚ଼ନାକୁ ଅଗ୍ରାଧିକାର ଦେବାକୁ ପଡ଼ିବ । ପୁଣି ଏହା ସାପ୍ତାହିକ ପୃଷ୍ଠା ବଦଳରେ ଦୈନନ୍ଦିନ ଆଙ୍ଗୀକରେ ସାମିଲ ହେବା ଉଚ଼ିତ ।

ଗଣମାଧ୍ୟମ ଅନୁଧ୍ୟାନରୁ ଜଣାଯାଏ ଯେ ଏଣିକି ସମ୍ୱାଦ ପାଠକ ଓ ଦର୍ଶକମାନେ ବିଷୟବସ୍ତୁକୁ ଗୁରୁତ୍ୱ ଦେଉଛନ୍ତି । ଏହିକାରଣରୁ ବିଷୟଭିତ୍ତିକ ସାମ୍ୱାଦିକତା ଅନୁଗତ ପାଠକ ମଣ୍ଡଳୀ ସହ ନୂତନ ପାଠକଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇପାରିବ । ଏହା ସମ୍ୱାଦ ପ୍ରକାଶନର ଅର୍ଥନୀତିକୁ ପ୍ରଭାବିତ କରିବ । ପଛୁଆବର୍ଗର ଓଡ଼ିଆ ଦୈନିକ ସମ୍ୱାଦପତ୍ରଗୁଡ଼ିକ ବିଷୟଭିତ୍ତିକ ସାମ୍ୱାଦିକତା ଶୈଳୀ ବ୍ୟବହାର କଲେ ସେମାନଙ୍କ ପକ୍ଷେ ସରକାରୀ ବିଜ୍ଞାପନ ଆଶ୍ରିତ ମଡ଼େଲ ବଦଳରେ ଗ୍ରାହକଚ଼ାନ୍ଦାଭିତ୍ତିକ ତଥା ପ୍ରସାର ସଂଖ୍ୟା ବଢ଼ିଲେ ବିଷୟଭିତ୍ତିକ ବ୍ୟାବସାୟିକ ବିଜ୍ଞାପନ ମଡ଼େଲକୁ ସ୍ଥାନାନ୍ତରୀକରଣ ସଂଭବ ।

ପ୍ରକାଶ ପାଇଆସୁଥିବା ଦୈନିକ ସମ୍ୱାଦପତ୍ରଗୁଡ଼ିକ ବିଷୟଭିତ୍ତିକ ସାମ୍ୱାଦିକତାକୁ ପରିବର୍ତ୍ତିତ ହେବା ଅବସରରେ କୃଷି, ଅର୍ଥନୀତି, ଶିକ୍ଷା, କ୍ରୀଡ଼ା ବା ମନୋରଞ୍ଜନ ଇତ୍ୟାଦି ବିଷୟ କିମ୍ୱା କୌଣସି ଭୌଗଳିକ ପରିସୀମା ଆଧାରିତ ସାମ୍ୱାଦିକତାକୁ ଚ଼ିହ୍ନଟ କରିବାକୁ ପଡ଼ିବ । ଭଦ୍ରକ, ଭବାନୀପାଟଣା ବା ପାରଳାଖେମୁଣ୍ଡିରୁ ପ୍ରକାଶିତ ସମ୍ୱାଦପତ୍ର ପ୍ରଥମ ପୃଷ୍ଠାରେ ରାଜଧାନୀ ଭୁବନେଶ୍ୱର ବା ଦିଲ୍ଲୀ ବଦଳରେ ସଂପୃକ୍ତ ସହରର ସମ୍ୱାଦରେ ଅଳଂକୃତ ହେବା ଆବଶ୍ୟକ । ଗତ ଶତାଦ୍ଦୀର ଅଷ୍ଟମଦଶକରେ ବ୍ରହ୍ମପୁରରୁ ପ୍ରକାଶିତ ସାଂଧ୍ୟ ସମ୍ୱାଦପତ୍ର ‘ଦୈନିକ ଆଶା’ ପ୍ରଥମ ପୃଷ୍ଠାରେ ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାର ସମ୍ୱାଦ ସ୍ଥାନିତ କରାଯିବା ହେତୁ ୧୯୮୨ରେ ପୁନଃସଂସ୍ଥାପନର ଦୁଇ ତିନି ମାସ ମଧ୍ୟରେ ଆଶାତୀତ ପାଠକୀୟ ଆଦୃତି ଲାଭ କରିପାରିଥିଲା । ବ୍ରହ୍ମପୁର ସହରରୁ ବର୍ତ୍ତମାନ ଅଧଡ଼ଜନେ ସମ୍ୱାଦପତ୍ରର ସଂସ୍କରଣ ପ୍ରକାଶ ପାଉଥିଲେହେଁ ‘ଦୈନିକ ଆଶା’ର ଅନୁଭୂତି ପାଠକ ମହଲରେ ପ୍ରତିବିମ୍ୱିତ ହୋଇପାରି ନାହିଁ । (ଘୋଷଣା : ପ୍ରବନ୍ଧ ଲେଖକ ‘ଦୈନିକ ଆଶା’ର ପ୍ରକାଶନ ସହ ଜଡ଼ିତ ଥିଲେ )

ବିଷୟଭିତ୍ତିକ ସାମ୍ୱାଦିକତା ପ୍ରବର୍ତ୍ତନ କାଳରେ ସମ୍ପାଦକୀୟ ନୀତି ପ୍ରସ୍ତୁତି ଅବସରରେ ସଂପୃକ୍ତ ସମ୍ୱାଦପତ୍ରର ସାମ୍ୱାଦିକମାନେ କେଉଁ ବିଷୟରେ ଦକ୍ଷତା ହାସଲ କରିପାରିଛନ୍ତି, ଲକ୍ଷ୍ୟବଦ୍ଧ ପାଠକମାନେ କ’ଣ ଚାହୁଁଛନ୍ତି ଏବଂ ପ୍ରସ୍ତାବିତ ବିଷୟକେନ୍ଦ୍ରୀକ ସମ୍ୱାଦ ପ୍ରସାରଣରେ କ’ଣ ସବୁ ଅଭାବ ଲାଗି ରହିଛି ତାହା ବିଚାରକୁ ନେବା ଆବଶ୍ୟକ । ସର୍ବୋପରି କେବଳ ବିଚ୍ଛୁରିତଭାବେ କିଛି ସମ୍ୱାଦ ପ୍ରକାଶନରେ ସୀମାବଦ୍ଧ ନରହି ସାମଗ୍ରୀକଭାବେ ସମ୍ୱାଦ ଓ ଅଭିମତ ସମ୍ୱଳିତ ପ୍ୟାକେଜ ପ୍ରସ୍ତୁତ କରିବାକୁ ପଡ଼ିବ ।

ମୁଦ୍ରିତ ସମ୍ୱାଦପତ୍ର ସହିତ ଅନ୍ୟାନ୍ୟ ସମସ୍ତ ସମ୍ୱାଦ ଉତ୍ପାଦ ପ୍ରଯୋଜନାରେ ବିଷୟଭିତ୍ତିକ ସାଂବାଦିକତା ଗୁରୁତ୍ୱ ବହନ କରିଥାଏ । ୨୦୨୦ ବେଳକୁ ଡ଼ିଜିଟାଲ ମଞ୍ଚ ଯୋଗେ ପାଠକ ଓ ଦର୍ଶକ, ଭୌଗଳିକ, ଭାଷାଗତ ଓ ସାଂସ୍କୃତିକ ସୀମାପାର ସାମ୍ୱାଦିକତା ଉପତ୍ୟକାରେ ଉପନୀତ ହୋଇସାରିଥିବା ସ୍ଥଳେ ସମ୍ୱାଦ ଉତ୍ପାଦଗୁଡ଼ିକ ନିର୍ଦ୍ଧିଷ୍ଟ ବିଷୟ, ଦୃଷ୍ଟିକୋଣ ବା ରୁଚି ଇତ୍ୟାଦିରେ ରୁଦ୍ଧିମନ୍ତ ହେଲେହିଁ ସେଗୁଡ଼ିକର ପ୍ରାସଙ୍ଗିକତା ରହିବ । ଭବିଷ୍ୟତରେ ଏହି ଆବଶ୍ୟକତା ଦୃଢ଼ ହେବା ଆଶା କରାଯାଇପାରେ ।

Related Post