ଭାରତରେ ‘ଫେସବୁକ’ର ମାସିକ ସକ୍ରିୟ ଉପଭୋକ୍ତା ସଂଖ୍ୟା ୨୦୨୧ ଜୁଲାଇ ମାସ ସୁଦ୍ଧା ୪୧ କୋଟି ୬୦ ଲକ୍ଷରେ ପହଞ୍ଚିଥିବା ସଂପୃକ୍ତ ସଂସ୍ଥା ପକ୍ଷରୁ କୁହାଯାଇଛି । ଏଥିମଧ୍ୟରୁ ୨୩ କୋଟି ୪୦ ଲକ୍ଷ ଉପଭୋକ୍ତା ଦୈନିକଭିତ୍ତିରେ ମଞ୍ଚରେ ଉପସ୍ଥିତ ରହିଥାନ୍ତି । ଉପଭୋକ୍ତାମାନଙ୍କ ମଧ୍ୟରେ ‘ଫେସବୁକ’ର ଅନ୍ୟ ଉତ୍ପାଦ ‘ମେସେଞ୍ଜର’ ଓ ‘ଇନଷ୍ଟାଗ୍ରାମ’ ଉପଯୋଗରେ ପରସ୍ପର ମଧ୍ୟରେ ବାର୍ତ୍ତା ବିନିମୟ ହାର ବିଗତ ବର୍ଷକ ମଧ୍ୟରେ ୪୦ ପ୍ରତିଶତ ବଢ଼ିଥିଲା ଏବଂ ସର୍ଟ-ଭିଡ଼ିଓ-ଚ୍ୟାନେଲ ‘ରିଲ’ରେ ଦୈନିକ ୬୦ ଲକ୍ଷ ଯାଏଁ ଭିଡ଼ିଓ ଅପଲୋଡ଼ ହୋଇଥାଏ ।
‘ଫେସବୁକ ଇଣ୍ଡିଆ’ର ପରିଚାଳନା ନିର୍ଦ୍ଦେଶକ ଅଜିତମୋହନ ମହାମାରୀଜନିତ ପରିବର୍ତ୍ତିତ ପରିବେଶରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ଏବଂ ଅନଲାଇନ ଉପସ୍ଥିତି ଅବଧି ବୃଦ୍ଧି ନିଜ ମଞ୍ଚର ପ୍ରସାରରେ ସହାୟକ ହୋଇଥିବା ସ୍ୱୀକାର କରନ୍ତି । ‘ଫେସବୁକ’ କ୍ରମଶଃ ଗୋଷ୍ଠୀଗତସ୍ତରରେ ବାର୍ତ୍ତା ବିନିମୟ ମଞ୍ଚରୁ ଉନ୍ନୀତ ହୋଇ ବୃହତ୍ତର ପରିଧିରେ ସମ୍ୱାଦ ପ୍ରସାରଠାରୁ ଆରମ୍ଭ କରି ରାଜନୀତିକ ଚର୍ଚ୍ଚାଲାଗି ସାମର୍ଥ୍ୟ ହାସଲ କରିପାରିଛି । ଉପଭୋକ୍ତା ସଂଖ୍ୟା ଓ ବ୍ୟବହାର ବୃଦ୍ଧି କାରଣରୁ ଏହି ବିଭବଗୁଡ଼ିକ ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାରେ ଗୁରୁତ୍ୱ ବହନ କରେ ।
ପ୍ରଥମତଃ, ସାଧାରଣ ନାଗରିକ ପକ୍ଷେ ବିନା ବ୍ୟୟରେ କେବଳ ଇଣ୍ଟରନେଟ ସଂଯୁକ୍ତି ଯୋଗେ ବାର୍ତ୍ତା ବିନିମୟ ପାଇଁ ଗୋଷ୍ଠୀ ଗଠନ ଏବଂ ବୃହତ ଗୋଷ୍ଠୀରେ ଯୋଗଦାନ ସୁବିଧା ସୁଯୋଗ ‘ଫେସବୁକ’ର ପ୍ରମୁଖ ଅବଦାନ । ବିନା ପ୍ରତିବନ୍ଧକରେ ନିଜ ମତ ପାଠ୍ୟ, ଚ଼ିତ୍ର ଓ ଦୃଶ୍ୟ ମାଧ୍ୟମରେ ସଂଗଠିତ ଗୋଷ୍ଠୀରେ ଉପସ୍ଥାପନ କରିପାରିବା ତଥା ଅନ୍ୟମାନଙ୍କ ଦ୍ୱାରା ପ୍ରସାରିତ ଉପାଦାନ ଆହରଣ ଯୋଗାଯୋଗ ପ୍ରକ୍ରିୟାରେ ପୂର୍ଣ୍ଣତା ଭରିଥାଏ । ପାରମ୍ପରିକ ଗଣମାଧ୍ୟମ ସମ୍ୱାଦପତ୍ର, ରେଡ଼ିଓ ଓ ଟେଲିଭିଜନରେ ଗୋଟିଏ ସୂତ୍ରରୁ ବହୁ ସଂଖ୍ୟକ ପାଠକ, ଶ୍ରୋତା ଓ ଦର୍ଶକଙ୍କ ମଧ୍ୟରେ ସମ୍ୱାଦ, ଅଭିମତ ଓ ସୃଜନ ପ୍ରସାରିତ ହେଉଥିବା ସ୍ଥଳେ ସୋସିଆଲ ମିଡ଼ିଆ ମଞ୍ଚରେ ଉପଭୋକ୍ତା ଉଭୟ କାର୍ଯ୍ୟରେ ସାମର୍ଥ୍ୟ ହାସଲ କରିଥାଏ । ପାରମ୍ପରିକ ଗଣମାଧ୍ୟମରେ ନାମକୁ ମାତ୍ର ପାଠକୀୟ ପ୍ରତିକ୍ରିୟା ପ୍ରସାରଣର ସୁବିଧା ଥିବା ସ୍ଥଳେ ସୋସିଆଲ ମିଡ଼ିଆରେ ପ୍ରତ୍ୟେକସ୍ତରରେ ପ୍ରଶ୍ନ, ଅଭିମତ ଓ ସଂଯୋଗର ସୁବିଧା ଉପଲବ୍ଧ ।
ଦ୍ୱିତୀୟତଃ, ‘ଫେସବୁକ’ ମଞ୍ଚରେ ସାଧାରଣ ଉପଭୋକ୍ତା, ପ୍ରତିଷ୍ଠିତ ସଂସ୍ଥା କିମ୍ୱା ରାଜନୀତିକ ବ୍ୟକ୍ତିତ୍ୱ ନିଜ ବାର୍ତ୍ତା ଉପସ୍ଥାପନରେ ଅଳଂକରଣ ଓ ବୈଷୟିକ ଦୃଷ୍ଟିରୁ ସମାନତା ଉପଭୋଗ କରିଥାନ୍ତି । ଏହି କ୍ଷେତ୍ରରେ ସାଧାରଣ ଉପଭୋକ୍ତାର ଗୁରୁତ୍ୱ ମଞ୍ଚ ପ୍ରତି ତାହାରି ଅନୁଗତ୍ୟରେ ପ୍ରବର୍ତ୍ତିତ ହୋଇଥାଏ । ଉନ୍ନତ କାରିଗରୀ କୌଶଳ ଉପଯୋଗରେ ସୃଜନ ପ୍ରସାରଣର ସୁବିଧା ଉପଭୋକ୍ତା ସଂପୃକ୍ତିର ଅନ୍ୟତମ କାରଣ । ‘ଫେସବୁକ’ ପ୍ରଚଳନର ପ୍ରାକକାଳରେ ସେଲଫି ପ୍ରକାଶନ ଧାରା ପରବର୍ତ୍ତୀ ପର୍ଯ୍ୟାୟରେ ସର୍ଟ ଭିଡ଼ିଓ ପ୍ରସାରଣରେ ପରିବର୍ତ୍ତିତ ହୋଇଛି । ‘ରିଲ’ରେ ଉପଭୋକ୍ତାଙ୍କ ଦ୍ୱାରା ପ୍ରତିଦିନ ୬୦ ଲକ୍ଷ ଯାଏଁ ସର୍ଟ ଭିଡ଼ିଓ ପ୍ରସ୍ତୁତି ଓ ପ୍ରସାରଣ ଏହାର ପ୍ରମାଣ ଦିଏ ।
ତୃତୀୟତଃ, ‘ଫେସବୁକ’ରେ ନିଜସ୍ୱ ନିର୍ଦ୍ଧାରଣରେ ପ୍ରକାଶକ ଓ ଦର୍ଶକ ଚୟନ କ୍ଷମତା ଉପଭୋକ୍ତାଙ୍କୁ ମାନବ ସଭ୍ୟତା ବିକାଶର ଆଦିମ ଯୋଗାଯୋଗ ସ୍ତରକୁ ଫେରାଇ ନେଇଛି । ଗଣମାଧ୍ୟମର ବିକାଶ କାଳରେ ସାଧାରଣ ଉପଭୋକ୍ତାର ନିର୍ଭରଶୀଳ ଓ ନିର୍ଯ୍ୟାତିତ ଯୋଗାଯୋଗ ଅଧିକାର ପୁନର୍ବାର ସଶକ୍ତ ହୋଇପାରିଛି । ପାରମ୍ପରିକ ଗଣମାଧ୍ୟମରେ ସମସ୍ତ ନାଗରିକଙ୍କ ପାଇଁ ସମ ଅଧିକାର ରହିଥିଲେ ହେଁ ବାସ୍ତବକ୍ଷେତ୍ରରେ ଗଣମାଧ୍ୟମ ମଞ୍ଚ ନିର୍ମାଣ ଓ ପରିଚାଳନାରେ ବିପୁଳ ଆର୍ଥିକ ନିବେଶ ସମସ୍ତଙ୍କ ଯୋଗାଯୋଗ ଆକାଂକ୍ଷା ପୂରଣ କରିପାରୁନଥିଲା । ତେବେ ସୋସିଆଲ ମିଡ଼ିଆ ମଞ୍ଚ ସେହି ପରିବେଶର ବିକଳ୍ପ ସୃଷ୍ଟିରେ ସକ୍ଷମ ହୋଇପାରିଛି ।
ଚତୁର୍ଥତଃ, ଫେସବୁକ ତଥା ଅନ୍ୟାନ୍ୟ ସୋସିଆଲ ମିଡ଼ିଆ ମଞ୍ଚରେ ଉପଭୋକ୍ତାଗଣ ନିଜ ରୁଚ଼ି ଅନୁଯାୟୀ ପ୍ରକାଶକ ତଥା ପାଠକ, ଶ୍ରୋତା ଓ ଦର୍ଶକ ନିର୍ବାଚନ କରି ସେମାନଙ୍କ ଦ୍ୱାରା ପ୍ରସାରିତ ସମ୍ୱାଦ, ଅଭିମତ ଓ ଅଭିଜ୍ଞତା ସଂସ୍ପର୍ଶରେ ଆବଦ୍ଧ ରହନ୍ତି । ଏକପକ୍ଷରେ ଏହି ପରିବେଶରେ ଦୈନିକଭିତ୍ତିରେ ଦୀର୍ଘକାଳ ଅତିବାହିତ କରୁଥିବା ସ୍ଥଳେ ଅପରପକ୍ଷରେ ବିକଳ୍ପ ପରିବେଶର ଧାର ହିଁ ମାଡ଼ନ୍ତି ନାହିଁ । ଫଳରେ ନିର୍ବାଚିତ ଏକକ ମତବାଦ ‘ଫିଲଟର-ବବୁଲ’ରେ ମାନସପଟ ପ୍ରତିଧ୍ୱନିତ ‘ଇକୋ-ଚେମ୍ୱର’ ହୋଇଥାଏ । ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ଧରଣର ଅଭ୍ୟାସ ପ୍ରସାରଣ ମଞ୍ଚ ପ୍ରତି ମାତ୍ରାଧିକ ଅନୁଗତ୍ୟର କାରଣ ପାଲଟିଯାଏ । ପ୍ରଭାତରେ ଶଯ୍ୟା ତ୍ୟାଗ ପରେ ପ୍ରଥମେ ‘ଫେସବୁକ’ ବ୍ରାଉଜ କରିବା ତଥା ରାତିରେ ଶୋଇବା ପୂର୍ବରୁ ଫେସବୁକ ବ୍ରାଉଜ କରିବା ଅଭ୍ୟାସର ଉଦାହରଣର ଅଭାବ ନଥାଏ । ‘ଫେସବୁକ’ର ମାଦକତାରେ ବିମୋହିତ ହେବା ଦ୍ୱାରା ବ୍ରାଉଜିଂ ଅଭିଜ୍ଞତା ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗରେ ପରିଣତ ହୁଏ ।
ପଞ୍ଚମତଃ, ‘ଫେସବୁକ’ ମଞ୍ଚ ପକ୍ଷରୁ ପ୍ରତ୍ୟେକ ଉପଭୋକ୍ତାଙ୍କ ଏକାଉଣ୍ଟରେ ପ୍ରଦର୍ଶନ ନିମନ୍ତେ ପୋଷ୍ଟ ଚୟନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଭଳି ଉନ୍ନତ ବୈଷୟିକ କୌଶଳ ବ୍ୟବହାର ସ୍ଥଳବିଶେଷରେ ଉପଭୋକ୍ତାକୁ ପ୍ରଭାବିତ କରିବା ନିମନ୍ତେ ଅଭିପ୍ରେତ । ସେହିପରି ମଞ୍ଚରେ ଅସତ୍ୟ ସମ୍ୱାଦ, ଅରୁଚିକର ଅଭିମତ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବିଷୟବସ୍ତୁ ପ୍ରଦର୍ଶନ ମୁକ୍ତ ଯୋଗାଯୋଗ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିପାରେ । ଯୁକ୍ତରାଷ୍ଟ୍ର ଆମେରିକାରେ ‘ଫେସବୁକ’ ମଞ୍ଚରେ ରାଜନୀତିକ ଅଭିସନ୍ଧିଠାରୁ ଆରମ୍ଭ କରି କୋଭିଡ଼ ପ୍ରତିଷେଧକ ଟିକାକୁ ବିରୋଧ ଭଳି ଅଭିଯାନ ଆୟୋଜନ ଉଦାହରଣ ସାମାଜିକ ବିଶୃଙ୍ଖଳା ସୃଷ୍ଟିରେ ସୋସିଆଲ ମିଡ଼ିଆର ଭୂମିକା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥାଏ ।
ଭାରତରେ କେନ୍ଦ୍ର ସରକାରଙ୍କ ସୂଚ଼ନା ଓ ପ୍ରସାରଣ ମନ୍ତ୍ରଣାଳୟ ପ୍ରବର୍ତ୍ତିତ ‘ନୂତନ ଡ଼ିଜିଟାଲ ମିଡ଼ିଆ ନିୟମ ୨୦୨୧’ ଅନୁପାଳନରେ ‘ଫେସବୁକ’ ପକ୍ଷରୁ ପ୍ରଥମ ମାସିକ ବିବରଣୀ ଜୁଲାଇ ମଧ୍ୟଭାଗରେ ପ୍ରକାଶିତ ହୋଇଥିଲା । ଜନସାଧାରଣଙ୍କ ଅଭିଯୋଗ ମୀମାଂସା ଉପକ୍ରମରେ ମେ’ ୧୫ରୁ ଜୁନ ୧୫ ମାସକ ମଧ୍ୟରେ ମଞ୍ଚ ୬୪୬ ଗୋଟି ଅଭିଯୋଗ ପାଇଥିବା ଏବଂ ସମସ୍ତ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବିବରଣୀରେ ଦର୍ଶାଯାଇଥିଲା । ପ୍ରାପ୍ତ ଅଭିଯୋଗଗୁଡ଼ିକ ମୁଖ୍ୟତଃ ଗାଳିମନ୍ଦ, ନଗ୍ନତା ଓ ନକଲି ବ୍ୟକ୍ତିତ୍ୱ ‘ଫେକ-ପ୍ରୋଫାଇଲ’ ପର୍ଯ୍ୟାୟଭୁକ୍ତ ଥିଲା । ଏତଦ୍ ବ୍ୟତୀତ ମଞ୍ଚ ପକ୍ଷରୁ ସାଧାରଣ ଭାବେ ‘ଫେସବୁକ’ରେ ପ୍ରକାଶିତ ପାଠ୍ୟ ଅନୁଧ୍ୟାନ କରି ଦଶଗୋଟି ଆପତ୍ତିମୂଳକ ଶ୍ରେଣୀର ପ୍ରକାଶନ ହଟାଇ ଦିଆଯାଇଥାଏ । ଏଥିଲାଗି ମୁଖ୍ୟତଃ ଯାନ୍ତ୍ରିକ ଅନୁଶୀଳନ ବ୍ୟବସ୍ଥା ବ୍ୟବହୃତ । ଆଲୋଚ଼୍ୟ ସମୟସୀମା ମାସକ ମଧ୍ୟରେ ପ୍ରାୟ ତିନି କୋଟି ପାଠ୍ୟ ଅପସାରଣ କରାଯାଇଥିବା ମଧ୍ୟ ‘ଫେସବୁକ’ ପକ୍ଷରୁ ସୂଚନା ଦିଆଯାଇଥିଲା ।
ଭାରତ ସମେତ ପୂର୍ବ-ଏସୀୟ ରାଷ୍ଟ୍ରଗୁଡ଼ିକରେ ‘ଫେସବୁକ’ ସୋସିଆଲ ମିଡ଼ିଆ ପରିସରରେ ସର୍ବାପେକ୍ଷା ଲୋକପ୍ରିୟ ମଞ୍ଚରେ ପରିଣତ ହୋଇଛି । ଇତି ମଧ୍ୟରେ ଅଡ଼ିଓ ଓ ନିଉଜଲେଟର ଭଳି ନୂତନ ବିଭବମାନ ସଂଯୋଗ ମଞ୍ଚକୁ ଅଧିକ ଆକର୍ଷଣୀୟ କରିବା ଆଶା କରାଯାଏ ।
