ବିଶ୍ୱବ୍ୟାପୀ ଇଣ୍ଟରନେଟ ପ୍ରସାର ସହ ସମତାଳ ଦେଇ ସୋସିଆଲ ମିଡ଼ିଆର ଉପଭୋକ୍ତା ସଂଖ୍ୟା ବୃଦ୍ଧି ପାଉଥିବା ତଥା ସୋସିଆଲ ମିଡ଼ିଆ କ୍ରମଶଃ ସମ୍ୱାଦ ପ୍ରସାରଣର ବିକଳ୍ପ ସୂତ୍ରଭାବେ ଗଣମାଧ୍ୟମ ପରିଧିରେ ଏକ ନୂତନ ସମୀକରଣ ସୃଷ୍ଟି କରିବାରେ ସମର୍ଥ ହୋଇଥିବା ଲକ୍ଷ୍ୟ କରାଯାଏ । ଖ୍ୟାତନାମା ଅନଲାଇନ ପରିସଂଖ୍ୟାନ ସଂସ୍ଥାନ ‘ଷ୍ଟାଟିଷ୍ଟା ଡ଼ଟ କମ’ଆକଳନ ଅନୁଯାୟୀ ୨୦୨୨ ସୁଦ୍ଧା ଆନ୍ତର୍ଜାତିକସ୍ତରରେ ସୋସିଆଲ ମିଡ଼ିଆର ଉପଭୋକ୍ତା ସଂଖ୍ୟା ୩୯୬ କୋଟିରେ ପହଞ୍ଚିବ । ଯୁକ୍ତରାଷ୍ଟ୍ର ଆମେରିକା ଓ ଚ଼ୀନ ରାଷ୍ଟ୍ରଦ୍ୱୟ ସର୍ବାଧିକ ଉପଭୋକ୍ତା ଦାବୀ କରିବେ ।
ସୋସିଆଲ ମିଡ଼ିଆ ଉପଭୋକ୍ତା ସଂଖ୍ୟା ଗଣତିରେ ପ୍ରତ୍ୟେକ ମଞ୍ଚରେ ମାସକୁ ଅନ୍ତତଃ ଥରେ କିମ୍ୱା ତାହାଠାରୁ ଅଧିକବାର ଉପସ୍ଥିତିକୁ ସଂପୃକ୍ତ ମଞ୍ଚର ସକ୍ରିୟ ଉପଭୋକ୍ତା କୁହାଯାଏ । ଆନ୍ତର୍ଜାତିକସ୍ତରରେ ସର୍ବାଧିକ ଉପଭୋକ୍ତା ଫେସବୁକ ମଞ୍ଚରେ ୨୮୫ କୋଟି ଉପସ୍ଥିତ ରହୁଥିବା ସ୍ଥଳେ କ୍ରମାନ୍ୱୟରେ ୟୁଟ୍ୟୁବରେ ୨୨୯ କୋଟି, ହ୍ୱାଟସଆପରେ ୨୦୦ କୋଟି, ଇନଷ୍ଟାଗ୍ରାମରେ ୧୩୮ କୋଟି, ଫେସବୁକ ମେସେଞ୍ଜରରେ ୧୩୦ କୋଟି, ଉଇ-ଚାଟରେ ୧୨୪ କୋଟି, ଟିକଟକରେ ୭୩ କୋଟି, କ୍ୟୂକ୍ୟୂରେ ୬୦ କୋଟି, ଦୁୟାନରେ ୬୦ କୋଟି, ଟେଲିଗ୍ରାମରେ ୫୫ କୋଟି, ସିନୋ ଉଇବୋରେ ୫୩ କୋଟି, ସ୍ନାପଚାଟରେ ୫୧ କୋଟି ଓ କୁଆଇସାନରେ ୪୮ କୋଟି ଉପଭୋକ୍ତା ହିସାବ କରାଯାଏ ।
ଏହି ପରିସଂଖ୍ୟାନରେ ସମ୍ଭାବ୍ୟ ୩୯୬ କୋଟି ମୋଟ ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରେ ୨୦୨୧ ପ୍ରଥମ ତ୍ରୟମାସ ସୁଦ୍ଧା ୨୮୯ କୋଟି ଫେସବୁକ ଉପଭୋକ୍ତା ଏହି ସୋସିଆଲ ମିଡ଼ିଆ ମଞ୍ଚର ଆଧିପତ୍ୟ ଜାହିର କରିଥାଏ । ଫେସବୁକ ୨୦୦୪ରେ ଆତ୍ମପ୍ରକାଶ କରି ୨୦୧୨ରେ ଶହେ କୋଟି ଉପଭୋକ୍ତା ସୀମା ଅତିକ୍ରମ କରିଥିଲା । ସର୍ବେକ୍ଷଣ ଅନୁଯାୟୀ ୨୦୨୧ ଏପ୍ରିଲ ସୁଦ୍ଧା ସର୍ବତ୍ର ଫେସବୁକ ମଞ୍ଚରେ ଉପଭୋକ୍ତାମାନେ ପ୍ରାୟତଃ ମୋବାଇଲ ଯୋଗେ ପହଞ୍ଚୁଥିବା ଜଣାଯାଇଥିଲା ।
ଅବଶ୍ୟ ଭାରତରେ ୨୦୦୬ରୁ ଫେସବୁକ ପ୍ରବେଶ କରିଥିଲେ ହେଁ ୨୦୦୯ରେ ପ୍ରସାରିତ ହ୍ୱାଟସଅପ ମଞ୍ଚ ସର୍ବାଧିକ ଉପଭୋକ୍ତା ଦାବୀ କରେ । ଦେଶର ସମଗ୍ର ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରୁ ୩୪ ପ୍ରତିଶତ ହ୍ୱାଟସଅପ ବ୍ୟବହାର କରୁଥିବା ସ୍ଥଳେ ୩୨ ପ୍ରତିଶତ ଉପଭୋକ୍ତାଙ୍କ ଗହଣରେ ଭାରତରେ ଦ୍ୱିତୀୟ ସ୍ଥାନରେ ଫେସବୁକ ସ୍ଥାନୀତ । ନିର୍ବାଚ଼ନୀ ତଥ୍ୟ ସଂଗ୍ରହରେ ଅଗ୍ରଗଣ୍ୟ ‘ଲୋକନୀତି’ଦ୍ୱାରା ୨୦୧୯ରେ ଆୟୋଜିତ ଗବେଷଣା ଅନୁଯାୟୀ ସୋସିଆଲ ମିଡ଼ିଆ ବ୍ୟବହାରରେ ତୃତୀୟ ସ୍ଥାନରେ ୟୁଟ୍ୟୁବରେ ୩୧ ପ୍ରତିଶତ, ଚ଼ତୁର୍ଥ ସ୍ଥାନରେ ଇନଷ୍ଟାଗ୍ରାମରେ ୧୫ ପ୍ରତିଶତ ଏବଂ ପଞ୍ଚମ ସ୍ଥାନରେ ଟ୍ୟୁଇଟରରେ ୧୨ ପ୍ରତିଶତ ଉପଭୋକ୍ତା ଉପସ୍ଥିତ ରହିଥିଲେ ।
ଭାରତରେ ୮୫ ପ୍ରତିଶତ ହ୍ୱାଟସଅପ, ୮୧ ପ୍ରତିଶତ ୟୁଟ୍ୟୁବ, ୭୨ ପ୍ରତିଶତ ଫେସବୁକ, ୬୦ ପ୍ରତିଶତ ଇନଷ୍ଟାଗ୍ରାମ ଏବଂ ୪୨ ପ୍ରତିଶତ ଟୁଇଟର ଉପଭୋକ୍ତା ଦୈନିକଭିତ୍ତିରେ ସଂପୃକ୍ତ ମଞ୍ଚଗୁଡ଼ିକୁ ବ୍ୟବହାର କରୁଥିବା ସ୍ୱୀକାର କରିଥିଲେ । ସୋସିଆଲ ମିଡ଼ିଆ ମଞ୍ଚରେ ସମ୍ୱାଦ ପ୍ରସାରଣ ସଂପର୍କରେ ଆଲୋଚ଼ନା କଲା ବେଳେ ଏକ ପକ୍ଷରେ ୨୦୨୧ ସୁଦ୍ଧା ମୂଳସ୍ରୋତର ସମ୍ୱାଦମଞ୍ଚଗୁଡ଼ିକ ତୁଳନାରେ ହ୍ୱାଟସଆପ, ଫେସବୁକ ଓ ୟୁଟ୍ୟୁବଭଳି ମଞ୍ଚରେ ଅଧିକ ସଂଖ୍ୟକ ଉପଭୋକ୍ତା ଉପସ୍ଥିତ । ଏହି କାରଣରୁ ସଂପୃକ୍ତ ମଞ୍ଚଗୁଡ଼ିକରେ ସମ୍ୱାଦ ପ୍ରସାରଣ ପ୍ରଭାବଶାଳୀ ପ୍ରମାଣିତ । ଅପରପକ୍ଷରେ ୨୦୧୪ ରୁ ୨୦୧୮ ମଧ୍ୟରେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକର ଉପଭୋକ୍ତା ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇଥିବା ସ୍ଥଳେ ପରବର୍ତ୍ତୀ ପର୍ଯ୍ୟାୟରେ ହ୍ରାସ ପାଇଛି । ଅବଶ୍ୟ ୨୦୨୯ରେ ସମାଜର ଅବହେଳିତ ବର୍ଗ ଦଳିତ, ଜନଜାତି ଓ ମୁସଲମାନ ସଂପ୍ରଦାୟର ସୋସିଆଲ ମିଡ଼ିଆ ଉପଭୋକ୍ତା ସଂଖ୍ୟାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ।
ସମ୍ୱାଦ ସୂତ୍ରଭାବେ ସୋସିଆଲ ମିଡ଼ିଆର ବିକାଶ ପର୍ଯ୍ୟାଲୋଚନାରେ ଏହି ଦୁଇ ଦିଗ ଗୁରୁତ୍ୱ ବହନ କରିଥାଏ । ଏକ ସୁବିସ୍ତୃତ ମଞ୍ଚ ଆୟୋଜନ ଏବଂ ସେଥିରେ ଅବହେଳିତ ବର୍ଗଙ୍କ ଯୋଗଦାନ ସୋସିଆଲ ମିଡ଼ିଆରେ ଏକ ଗଣତାନ୍ତ୍ରିକ ପରିବେଶ ସୃଷ୍ଟିରେ ସହାୟକ ହୋଇଥିବା ସମୀକ୍ଷକମାନେ ଟୀପ୍ପଣି ଦେଇଥାନ୍ତି । ସମ୍ୱାଦ ସରବରାହ କ୍ଷେତ୍ରରେ ଏହା ଏକ ନୂତନ ସମୀକରଣର ଅଂଶବିଶେଷ । ସୋସିଆଲ ମିଡ଼ିଆ ବ୍ୟବହାର ସଙ୍ଗେ ସେଥିରେ ସମ୍ୱାଦ ଖୋଜିବା ଫଳରେ ସୋସିଆଲ ମିଡ଼ିଆ ଅଗ୍ରଗଣ୍ୟ ସମ୍ୱାଦ ସୂତ୍ର ରୂପେ ପରିବର୍ତ୍ତିତ ହେବା ସୁସ୍ପଷ୍ଟ ।
ଉଦାହରଣରେ ‘ଷ୍ଟାଟିଷ୍ଟା’ ପକ୍ଷରୁ ୨୦୨୧ ଫେବୃୟାରୀ ମାସରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ଦୁଇ ହଜାର ବୟସ୍କଙ୍କ ମଧ୍ୟରେ ସୋସିଆଲ ମିଡ଼ିଆରୁ ସମ୍ୱାଦ ଆହରଣ ସଂକ୍ରାନ୍ତୀୟ ଆୟୋଜିତ ଏକ ସର୍ବେକ୍ଷଣର ନିର୍ଯ୍ୟାସ ୨୦୨୧ ଜୁନ ମାସରେ ପ୍ରକାଶିତ ହୋଇଥିଲା । ସେଥିରୁ ଜଣାଗଲା ଯେ କେନିୟା, ଦକ୍ଷିଣ ଆଫ୍ରିକା, ମାଲେସିଆ ଓ ଫିଲିପାଇନ୍ସ ଭଳି ଶିକ୍ଷା ଓ ଅର୍ଥନୀତି ଦୃଷ୍ଟିରୁ ପଛୁଆ ରାଷ୍ଟ୍ରଗୁଡ଼ିକରେ ୭୦ ପ୍ରତିଶତ ସୋସିଆଲ ମିଡ଼ିଆରୁ ସମ୍ୱାଦ ସଂଗ୍ରହ କରିଥାନ୍ତି । ଅପରପକ୍ଷେ ଅପେକ୍ଷାକୃତ ଶିକ୍ଷିତ ଓ ଅର୍ଥନୀତି ଦୃଷ୍ଟିରୁ ସ୍ୱଚ୍ଛଳ ବେଲଜିୟମ, ଫ୍ରାନ୍ସ, ନେଦରଲେଣ୍ଡ, ଜର୍ମାନୀ ଓ ଜାପାନର ମାତ୍ର ୪୦ ପ୍ରତିଶତ ସମ୍ୱାଦ ସଂଗ୍ରହ ନିମନ୍ତେ ସୋସିଆଲ ମିଡ଼ିଆ ଉପରେ ନିର୍ଭରଶୀଳ ।
ଅନ୍ୟ ଉପକ୍ରମରେ କିଶୋର ଓ ଯୁବବର୍ଗ ପାରମ୍ପରିକ ବଦଳରେ ଡ଼ିଜିଟାଲ ମିଡ଼ିଆକୁ ସମ୍ୱାଦ ସୂତ୍ର ଭାବେ ଗ୍ରହଣ କରୁଥିବା ହେତୁ ସାମଗ୍ରୀକ ଭାବେ ସୋସିଆଲ ମିଡ଼ିଆର ପ୍ରଭାବରେ କ୍ରମୋନ୍ନତି ଆଶା କରାଯିବା ଯୁକ୍ତିଯୁକ୍ତ । ସୋସିଆଲ ମିଡ଼ିଆ ବ୍ୟକ୍ତିଗତ, ଗଭୀର ଆଞ୍ଚଳିକ, ରାଜ୍ୟସ୍ତର, ଜାତୀୟସ୍ତର ଓ ଆନ୍ତର୍ଜାତିକସ୍ତରରେ ପାଞ୍ଚଗୋଟି ଭିନ୍ନ ଭିନ୍ନ ପର୍ଯ୍ୟାୟ ସମ୍ୱାଦ ସରବରାହରେ ଅଂଶୀଦାର । ବ୍ୟକ୍ତିଗତ ଓ ଗଭୀର ଆଞ୍ଚଳିକସ୍ତରର ସମ୍ୱାଦ ଉପଭୋକ୍ତାଙ୍କ ବନ୍ଧୁବର୍ଗ ତଥା ସାଧାରଣ ନାଗରିକଙ୍କ ଦ୍ୱାରା ପରିଚାଳିତ ହେଉଥିବା ସ୍ଥଳେ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ବୃତ୍ତିଗତ ସମ୍ୱାଦ ସଂସ୍ଥାର ଭୂମିକା ସୁସ୍ପଷ୍ଟ । ଅପରପକ୍ଷେ ବିଭିନ୍ନ ରୁଚ଼ି, ସମସ୍ୟା ଓ ବୃତ୍ତିଭିତ୍ତିକ ସମ୍ୱାଦ ମଧ୍ୟ ସୋସିଆଲ ମିଡ଼ିଆରେ ସୃଜନ ଓ ପ୍ରସାରଣ ମୁକ୍ତ ପରିବେଶ ସୃଷ୍ଟିରେ ସହାୟକ ।
ସୋସିଆଲ ମିଡ଼ିଆରେ ଅସତ୍ୟ, ଗୁଜବ, ଅତିରଞ୍ଜିତ, ଆକ୍ଷେପମୂଳକ ଓ ପ୍ରାୟୋଜିତ ସମ୍ୱାଦ ପ୍ରସାର ଏବଂ ଏହାର ସୁଦୂର ପ୍ରସାରୀ ପ୍ରଭାବ ସ୍ୱାସ୍ଥ୍ୟ, ରାଜନୀତି ତଥା ଅନ୍ୟାନ୍ୟ ସାମାଜିକ କ୍ଷେତ୍ରରେ ଅନୁଭୂତ ହେଉଛି । ବୈଷୟିକ ସମୃଦ୍ଧି ସ୍ୱାଧୀନ ସମ୍ୱାଦ ସରବରାହ ନିମନ୍ତେ ସାଧନ ସୃଷ୍ଟି କରୁଥିବା ସ୍ଥଳେ ଏହାର ଦୁରୋପଯୋଗ ବିପରୀତ ଫଳ ପ୍ରଦାନ କରିବାରେ ଲାଗିଛି । ଅଭିବ୍ୟକ୍ତିରେ ସ୍ୱାଧୀନତା ଗଣତନ୍ତ୍ରକୁ ପରିପୁଷ୍ଟ କରିବା ବଦଳରେ ଶାସନତାନ୍ତ୍ରିକ ବ୍ୟବସ୍ଥାରେ ସ୍ୱେଚ୍ଛାଚାରିତା ବୃଦ୍ଧିରେ ପର୍ଯ୍ୟବସିତ ହେବା ବିଶ୍ୱବ୍ୟାପୀ ଏକ ଅସମାହିତ ସମସ୍ୟା ରୂପେ ମୁଣ୍ଡ ଟେକିଛି ।
ଉଲ୍ଲେଖନୀୟ ବିଷୟ ଏହି ଯେ ସୋସିଆଲ ମିଡ଼ିଆ ଅସତ୍ୟ ସମ୍ୱାଦ ‘ଫେକ ନିଉଜ’ କବଳିତ ଥିବା ଉପଭୋକ୍ତାମାନଙ୍କ ମଧ୍ୟରୁ ଅଧିକାଂଶ ଅବଗତ ଥିବା ତଥା ବିଶ୍ୱସନୀୟତା ହରାଇଥିବା ସତ୍ତ୍ୱେ ବିଭିନ୍ନ ମଞ୍ଚରେ ଦୀର୍ଘ ସମୟ ଧରି ଉପସ୍ଥିତ ରହିଥାନ୍ତି । ହାତପାଆନ୍ତାରେ ସ୍ମାର୍ଟଫୋନ ତଥା ସେଥିରେ ପାଠ୍ୟ, ଶ୍ରାବ୍ୟ ଓ ଦୃଶ୍ୟ ‘ଟେକ୍ସଟ, ଅଡ଼ିଓ ଓ ଭିଡ଼ିଓ’ ଉପଲବ୍ଧ ହେବା ସାଙ୍ଗକୁ ନିୟୋଜିତ ଆପ୍ଲିକେସନଗୁଡ଼ିକର ମାଦକତା ଉପଭୋକ୍ତାଙ୍କୁ ପ୍ରଭାବିତ କରୁଥିବା ସୁସ୍ପଷ୍ଟ । ସମ୍ୱାଦ ମଞ୍ଚ ଦ୍ରବ୍ୟ ଓ ସେବା ବିକ୍ରିର ବିଜ୍ଞାପନକୁ ପାଥେୟ କରି ଦୁଇଶହ ବର୍ଷ ଅତିବାହିତ କରିବାପରେ ସ୍ମାର୍ଟଫୋନ ଓ ସୋସିଆଲ ମିଡ଼ିଆ ପୃଷ୍ଟଭୂମିରେ କେତେକାଳ ପ୍ରବାହିତ ହେବ ତାହା ସମୟ କହିବ ।
