ଆଜିର ଖାସ ଖବର
Sun. May 31st, 2026

ଗୀତିଛାୟା’ରେ ସ୍ମୃତି ରୋମନ୍ଥନ

By Dainikasha Jul11,2024

ରାଜ୍ୟ ଚଳଚ଼ିତ୍ର ସାମ୍ୱାଦିକ ମଞ୍ଚ (ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ) ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ସହାୟତାରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ୪ ରୁ ୧୯ ଅକ୍ଟୋବର ଏକ ପକ୍ଷ ଧରି ‘ଗୀତିଛାୟା’ ଶୀର୍ଷକ ଏକ ଆଲୋକଚ଼ିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଏଥିରେ ୧୯୫୦ ରୁ ୮୬ ମଧ୍ୟରେ ପ୍ରଯୋଜିତ କେତେକ ଓଡ଼ିଆ ଚଳଚ଼ିତ୍ରର ସଂଗୀତ ବୈଠକୀ ବା ସ୍ୱରସଂଯୋଜନା ତଥା ରିହରସାଲ ସେସନ ଏବଂ ରେକଡ଼ିଂ ସମନ୍ଧିତ ଆଲୋକଚ଼ିତ୍ର ପ୍ରଦର୍ଶିତ ହୋଇଥିଲା । ଭୁବନେଶ୍ୱରର ସାଂସ୍କୃତିକ ଉତ୍ସବ ଅନୁଷ୍ଠାନଗୁ଼ଡ଼ିକରେ ମୋର ଉପସ୍ଥିତି ସଂଭବପର ନ ହୋଇପାରୁଥିବା ବେଳେ ଆକସ୍ମିକଭାବେ ଏହି ପ୍ରଦର୍ଶନୀ ଉପଭୋଗର ସୁଯୋଗ ଯୁଟିଥିଲା ।

୧୯୭୫ ମସିହାରେ ମୋର ଜ୍ୟେଷ୍ଠଭ୍ରାତା ଗଣେଶ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ‘ସମୟ’ ନାମକ ଏକ ଓଡ଼ିଆ ଚଳଚ଼ିତ୍ର ପ୍ରଯୋଜିତ ହୋଇଥିଲା । ସେତେବେଳକୁ ମୁଁ ବ୍ରହ୍ମପୁର ଖଲ୍ଲିକୋଟ ମହାବିଦ୍ୟାଳୟରେ ଇଂଲିଶ ସ୍ନାତକୋତ୍ତର ଶ୍ରେଣୀର ଛାତ୍ର । ମୁମ୍ୱାଇରେ ନିର୍ମିତ ଏହି ଚଳଚ଼ିତ୍ରର ବ୍ୟବସ୍ଥାପନା ବା ପ୍ରୋଡ଼େକସନରେ ମୁଁ ସହଯୋଗ କରିଥିଲି । ‘ଗୀତିଛାୟା’ର ଆୟୋଜକ ସୂର୍ଯ୍ୟ ଦେଓ ‘ସମୟ’ର ଗୀତ ରେକଡ଼ିଂ ସମୟର ଆଲୋକଚ଼ିତ୍ର ସନ୍ଧାନରେ ଗତ ଅଗଷ୍ଟ ମାସରେ ଟେଲିଫୋନ କରିଥିଲେ । ଫେସବୁକ ମଞ୍ଚରେ ଧାରାବାହିକଭାବେ ‘ଗୀତିଛାୟା’ ଆୟୋଜନର ଧାରାବିବରଣୀ ପୋଷ୍ଟିଂ କରାଯାଉଥିବା ହେତୁ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ଅବଗତ ଥିଲି । ତେବେ ଏଭଳି ପ୍ରଦର୍ଶନୀ ଯେ ମୋତେ ଦେଖିବାକୁ ମିଳିବ ଆଶା ନଥିଲା ।

ଏଥି ପୂର୍ବରୁ ସୂର୍ଯ୍ୟ ଦେଓ ‘ସମୟ’ର ପୁନଃ ପ୍ରଦର୍ଶନ ତଥା ତତ୍ ସଂପର୍କୀୟ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଏବଂ ସେଥିରେ ଯୋଗଦେବା ନିମନ୍ତେ ଅନୁରୋଧ କରିଥିଲେ । ତେବେ ଅଧୁନା ପ୍ରଚଳିତ ସମ୍ୱର୍ଦ୍ଧନାଭଳି କାର୍ଯ୍ୟକ୍ରମରେ ମୁଁ ରୁଚି ରଖୁନଥିବା ତଥା ଏଥିଲାଗି ଭୁବନେଶ୍ୱର ଯାତ୍ରା କରିବାରେ କୁଣ୍ଠିତ ଥିବା ହେତୁ ଅମଙ୍ଗ ହୋଇଥିଲି । ସିଧାସଳଖ ଟେଲିଫୋନ କଥୋପକଥନରେ ଅନୁରୋଧ ପ୍ରତ୍ୟାଖ୍ୟାନର ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ଯାଇ ପତ୍ର ଜରିଆରେ ମୋର ଅସମର୍ଥତା ଜଣାଇ ଦେଇଥିଲି ।

କିନ୍ତୁ ‘ଗୀତିଛାୟା’ କାର୍ଯ୍ୟକ୍ରମ ଆୟୋଜନ ପ୍ରତି ମୋର ପୂର୍ଣ୍ଣ ସମର୍ଥନ ରହିଥିଲା । ମୋ’ ବିଚ଼ାରରେ ତିନୋଟି ଦିଗରୁ ଏଭଳି ପ୍ରଦର୍ଶନୀ ଗୁରୁତ୍ୱପୂର୍ଣ୍ଣ । ପ୍ରଥମତଃ ଏହା ଓଡ଼ିଆ ସାସ୍କୃତିକ ଚେତନା ବିକାଶରେ ପର୍ଯ୍ୟବେସିତ । ଦ୍ୱିତୀୟତଃ ବିଗତ ଦିନର ସ୍ମୃତି ରୋମନ୍ଥନ ସମକାଳରେ ପ୍ରତିଭାଧରଙ୍କୁ ପ୍ରୋତ୍ସାହିତ କରିଥାଏ । ତୃତୀୟତଃ ଗତାନୁଗତିକଧାରାରେ ସାସ୍କୃତିକ ଉତ୍ସବ ଆୟୋଜନରୁ ବିଚ୍ୟୁତ ହୋଇ ଏକ ସୃଜନାତ୍ମକ ଅବକାଶ ସୃଷ୍ଟି କରିଥାଏ ।

ପ୍ରଦର୍ଶନୀରେ ୮୧ଗୋଟି ବି-୩ ସାଇଜର ବ୍ରୋମାଇଡ଼ ପେପରରେ କଳା ଓ ଧଳା ଆଲୋକଚ଼ିତ୍ର ସ୍ଥାନ ପାଇଥିଲା । ବିଭିନ୍ନ ଚଳଚ଼ିତ୍ର ପ୍ରଯୋଜନା ସହ ସଂପୃକ୍ତ ବ୍ୟକ୍ତିବିଶେଷଙ୍କଠାରୁ ଦୀର୍ଘ ଦିନର ପ୍ରଚ଼େଷ୍ଟାରେ ସଂଗୃହୀତ ଫୋଟୋଚ଼ିତ୍ର ସାଙ୍ଗକୁ ଓଡ଼ିଆ ସମ୍ୱାଦପତ୍ରରେ ପ୍ରକାଶିତ ହାଫଟୋନ ବ୍ଳକର ରିଟଚଡ଼ ରିପ୍ରୋଡ଼େକସନରେ ପ୍ରଦର୍ଶିତ ଚ଼ିତ୍ରଗୁଡ଼ିକ ପ୍ରସ୍ତୁତ ହୋଇଥିଲା । ସଂଗ୍ରହାଳୟ ମୁଖ୍ୟ ପ୍ରବେଶଦ୍ୱାରଦେଶଠାରୁ ତଳମହଲାରେ ପ୍ରଦର୍ଶନୀ ମଣ୍ଡପ ଯାଏଁ ଅତୀତଦିନର ଓଡ଼ିଆ ଚଳଚ଼ିତ୍ରର ସ୍ମୃତି ସମ୍ବଳିତ ଚିତ୍ରାବଳୀ ସାଙ୍ଗକୁ ପୁରାତନ ଚଳଚ଼ିତ୍ର ଗୀତଗୁଡ଼ିକର ଧ୍ୱନୀ ବେଶ ଏକ ରୋମାଞ୍ଚକର ପରିବେଶ ସୃଷ୍ଟି କରିବାରେ ସମର୍ଥ ହୋଇଥିଲା ।

ଦଶବର୍ଷ ପୂର୍ବେ ସେ ସମୟରେ ସଂବାଦପତ୍ର ପ୍ରସାର ବୃଦ୍ଧି ଦିଗରେ ସଂଘର୍ଷ ଜାରିରଖିଥିବା ‘ସମ୍ବାଦ’ ପକ୍ଷରୁ ‘ମେଟ୍ରୋ ରିପୋର୍ଟିଂ’ ସଂପର୍କରେ ଆୟୋଜିତ ଦୁଇଦିନିଆ କର୍ମଶାଳାରେ ମୁଁ ଯୋଗ ଦେଇଥିଲି । ସେଥିରେ ସୂର୍ଯ୍ୟ ଦେଓ ସଂପୃକ୍ତ ସମ୍ବାଦପତ୍ରର ଅନ୍ୟ ବରିଷ୍ଠ ସାମ୍ୱାଦିକଙ୍କ ସହ ଅଂଶ ଗ୍ରହଣ କରିଥିଲେ । ତାହା ପ୍ରଥମ ପରିଚ଼ିତି । ୧୯୮୪-୮୫ ବେଳକୁ ‘ଜନନୀ’ ନାମକ ଏକ ମାସିକ ପତ୍ରିକା ମୁଁ ସମ୍ପାଦନା ଓ ପ୍ରକାଶନ କରୁଥିଲି । ପ୍ରତି ସଂଖ୍ୟାରେ ଚଳଚ଼ିତ୍ର ସଂପର୍କରେ ତିନିଚ଼ାରି ପୃଷ୍ଠା ସନ୍ନିବେଶିତ ହେଉଥିଲା ଏବଂ ଅଫସେଟରେ ମୁଦ୍ରଣ ଯୋଗୁଁ ସେ ସମୟର ଅନ୍ୟ ପତ୍ରିକାଗୁଡ଼ିକରେ ପ୍ରକାଶିତ ହାଫଟୋନ ବ୍ଳକଗୁଡ଼ିକର ଛାପାଠାରୁ ଉତ୍କଷ୍ଟମାନ ରହୁଥିଲା । ସୂର୍ଯ୍ୟ ଦେଓ ପୁରୁଣା ‘ଜନନୀ’ର ସେଟଟିଏ ଚାହିଁଥିଲେ । ମୁଁ ହଁ ଭରିଥିଲେ ହେଁ ଆଳସ୍ୟବଶତଃ ସବୁଗୁଡ଼ିକ ଏକତ୍ରୀତ କରି ଡ଼ାକଯୋଗେ ପ୍ରେରଣ କରିପାରି ନଥିଲି । ବିଭିନ୍ନ ସୂତ୍ରରେ ମନେପକାଇ ପାଞ୍ଚବର୍ଷ ପରେ ଟେଲିଭିଜନ ଚ୍ୟାନେଲ ‘ତରଙ୍ଗ’ରେ କାର୍ଯ୍ୟରତ ମୋର ଜଣେ ପୁରାତନ ଛାତ୍ରୀଙ୍କ ଜରିଆରେ ପତ୍ରିକାର ପୁରାସେଟଟିଏ ବ୍ରହ୍ମପୁରରୁ ସଂଗ୍ରହ କରିବାରେ ସମର୍ଥ ହୋଇଥିଲେ । ଏଭଳି ଉଦ୍ୟମକୁ ପ୍ରକାଶ୍ୟରେ ପ୍ରଶଂସା କରିବାରେ ଦ୍ୱିଧା ନାହିଁ ।

କହିବା ବାହୁଲ୍ୟ ଯେ ‘ଗୀତିଛାୟା’ ଆୟୋଜନର ମୂଳଉତ୍ସ ମୋ’ ଜାଣିବାରେ ଜଣେ ସାମ୍ୱାଦିକଙ୍କ ଅନ୍ତତଃପକ୍ଷେ ଦଶ ବର୍ଷର ଉଦ୍ୟମର ଇତିହାସ । ଚ଼ାନ୍ଦା ସଂଗ୍ରହକରି ଅନୁଗତଙ୍କୁ ପ୍ରଶସ୍ତିପତ୍ର ବାଣ୍ଟିବା ସଂସ୍କୃତିର ଭିଡ଼ରେ ଏଭଳି ପ୍ରଚ଼େଷ୍ଟା ବ୍ୟତିକ୍ରମ । ସାଂସ୍କୃତିକ ଧାରାରେ ଗୁଣାତ୍ମକ ବିକାଶ ନିମନ୍ତେ ଅପସଂସ୍କୃତି ସମୀକ୍ଷାଠାରୁ ଦୂରେଇ ରହି ସୃଜନଶୀଳତାକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ ।

ପ୍ରଦର୍ଶନୀକୁ ମୁଁ ବ୍ୟକ୍ତିଗତ ଭାବେ ନିମନ୍ତ୍ରିତ ହୋଇ ନଥିଲି କିମ୍ୱା ପ୍ରଦର୍ଶନୀ ଉଦ୍ଦେଶ୍ୟରେ ମୁଁ ସଂଗ୍ରାହଳୟ ଯାଇନଥିଲି । ସେଠି ପହଞ୍ଚିଲାପରେ ପୋଷ୍ଟର ଦେଖି ପ୍ରଦର୍ଶନୀ କଥା ମନେ ପଡ଼ିଯାଇଥିଲା । ପ୍ରଦର୍ଶନୀରେ ସୂର୍ଯ୍ୟ ଦେଓ ଉପସ୍ଥିତ ଥିଲେ । ତେବେ ମୁଁ ତାଙ୍କୁ ଚ଼ିହ୍ନିପାରିଲିନି କିମ୍ୱା ସେ ମୋତେ ଚ଼ିହ୍ନିପାରିଲେନି । ଜଣେ ବନ୍ଧୁ ପରିଚ଼ୟ କରାଇଦେଲେ ।

ସେ ମୋତେ ପ୍ରଦର୍ଶନୀ ବୁଲାଇ ଦେଖାଇଥିଲେ । ପୁରୁଣା ଦିନ ସଂପର୍କରେ ପଚ଼ାରି ବୁଝିଥିଲେ । ପ୍ରଦର୍ଶିତ ଆଲୋକ ଚ଼ିତ୍ରଗୁଡ଼ିକୁ ଡ଼ିଜିଟାଲ ରୂପାନ୍ତକରଣ ପରେ ରାୟପୁରରେ ପ୍ରିଣ୍ଟ କରାଇଥିବା କହିଥିଲେ । ଗୁଣାତ୍ମକ ଦୃଷ୍ଟିରୁ ସେଗୁଡ଼ିକ ବେଶ ଉନ୍ନତ । ପ୍ରଦର୍ଶନୀ ପରେ ପ୍ରସ୍ତାବିତ ଡ଼ିଜିଟାଲ ଏକାଡ଼େମୀ ସଂଗୃହୀତ ଆଲୋକଚ଼ିତ୍ରଗୁଡ଼ିକର ସତ୍ତ୍ୱଗ୍ରହଣ କରିବ ବୋଲି ଜଣାଇଥିଲେ । ଏହା ଏକ ଉତ୍ତମ ନିଷ୍ପତ୍ତି ।

‘ଗୀତିଛାୟା’ ଆୟୋଜନ ପାଇଁ ସଂସ୍କୃତି ବିଭାଗ ଆୟୁକ୍ତ ତଥା ଶାସନ ସଚ଼ିବ ମନୋରଞ୍ଜନ ପାଣିଗ୍ରାହୀ ଓ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧ୍ୟକ୍ଷ ଡ଼କ୍ଟର ଜୟନ୍ତୀ ରଥ ଧନ୍ୟବାଦର ପାତ୍ର । ବିଦେଶରେ ସର୍ଜନଶୀଳତା ବିକାଶ ଦିଗରେ ସଂଗ୍ରହାଳୟଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଆମ ରାଜ୍ୟ ସଂଗ୍ରହାଳୟ ପ୍ରଦର୍ଶନୀ ସାଙ୍ଗକୁ ସାଂସ୍କୃତିକ ଉତ୍ସବାନୁଷ୍ଠାନ ଆୟୋଜନ ପାଇଁ ଦ୍ୱାର ମୁକ୍ତ ରଖି ନୂତନତ୍ୱ ଉନ୍ମେଷରେ ସହାୟକ ହେଉ । ସଂଗ୍ରାହଳୟର ଅବସ୍ଥିତି ଓ ପ୍ରଶସ୍ତ ପ୍ରାଙ୍ଗଣ ରାଜଧାନୀ କାହିଁକି ଅନ୍ୟ ସହରଗୁଡ଼ିକରେ ମଧ୍ୟ ଦୁର୍ଲଭ । ଅବଶ୍ୟ ଏଥିଲାଗି ଥରେ ନୀତିଗତ ନିଷ୍ପତି ପରେ ଏଭଳି ସୁବିଧା ସୁଯୋଗ ହାସଲ କରିବା ନିମନ୍ତେ ଅପାତ୍ରଙ୍କ ଅନୁପ୍ରବେଶର ଭୟ ରହିଛି ସତ, କିନ୍ତୁ ତାହା ରୋକିବାକୁ ପ୍ରଶାସକମାନେ ସମର୍ଥ ହୋଇପାରିବେ ।

ଏଥିପୂର୍ବରୁ ଚଳଚ଼ିତ୍ର ସାମ୍ୱାଦିକ ମଞ୍ଚ ପକ୍ଷରୁ ୧୯୩୬ ରୁ ୮୬ ମଧ୍ୟରେ ପ୍ରଯୋଜିତ ଓଡ଼ିଆ ଚଳଚ଼ିତ୍ରଗୁଡ଼ିକର ୮୦ ଗୋଟି ପୋଷ୍ଟରର ପ୍ରଦର୍ଶନୀ ‘ଛାୟା ପ୍ରତିଛାୟା’ ଆୟୋଜିତ ହୋଇଥିଲା । ଏହି ଦୁଇ ପ୍ରଦର୍ଶନୀ ଅନ୍ତତଃ ପକ୍ଷେ ରାଜ୍ୟର ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଯଦି ତିନିଦିନ ଲେଖା ଛଅଦିନ ଆୟୋଜନର ପଦକ୍ଷେପ ଗ୍ରହଣ କରାଯାଇପାରନ୍ତା ତେବେ ଆଗାମୀ ପିଢ଼ିର ଓଡ଼ିଆ ଯୁବକଯୁବତୀମାନଙ୍କ ମଧ୍ୟରୁ ଏକାଂଶଙ୍କୁ ଓଡ଼ିଆ ଚଳଚ଼ିତ୍ରର ଗୌରବମୟ ଐତିହ୍ୟ ସଂପର୍କରେ ଅବଗତ କରାଇବାର ଅବକାଶ ସୃଷ୍ଟି ସମ୍ଭବପର । ପ୍ରଦର୍ଶନୀ ସାଙ୍ଗକୁ କିଛି ଓଡ଼ିଆ ଚଳଚ଼ିତ୍ର ପ୍ରଦର୍ଶନ ଓ ସ୍ଥାନୀୟ ଆଲୋଚକଙ୍କ ଅଂଶଗ୍ରହଣରେ ଓଡ଼ିଆ ଚଳଚ଼ିତ୍ର ସଂପର୍କରେ ଏକ ଏକ ପାଠଚ଼କ୍ର ଆୟୋଜନ ‘ଓଡ଼ିଆ ଚଳଚ଼ିତ୍ର ସପ୍ତାହ’କୁ ରସବନ୍ତ କରିପାରନ୍ତା । ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଦର୍ଶନୀ ଆୟୋଜନର ଆନୁସାଙ୍ଗିକ ସୁବିଧା ସୁଯୋଗ ଥାଏ ଏବଂ ଆୟୋଜିତ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଶାରଦଙ୍କୁ ନିମନ୍ତ୍ରଣ କରି  ଓଡ଼ିଆ ଚଳଚ଼ିତ୍ର ଗତିପ୍ରକୃତି ସଂପର୍କରେ ଆଲୋଚ଼ନା ସେଠାରେ ବୌଦ୍ଧିକ ପରିବେଶ ସୃଷ୍ଟିରେ ସହାୟକ ହୋଇପାରନ୍ତା । ସମସାମୟିକ ଗଣମାଧ୍ୟମ କ୍ରମଶଃ ଦୃଶ୍ୟକେନ୍ଦ୍ରୀକ ଭିଡ଼ିଓ ଆନ୍ଦୋଳନ ଆଡ଼କୁ ମୁହାଁଉଥିବା ବେଳେ ଏଭଳି ଉଦ୍ୟମ ବେଶ ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ ।

Related Post