ଭାରତରେ ୨୦୨୨ ଶେଷ ସୁଦ୍ଧା ଅଗ୍ରଣୀ ଡ଼ିଜିଟାଲ ମଞ୍ଚ ‘ଗୁଗୁଲ’ ଆକଳନରେ ପ୍ରାୟ ସତୁରି କୋଟି ଜନସାଧାରଣ ଇଣ୍ଟରନେଟ ସଂଯୁକ୍ତ । କୁହାଯାଉଛି ଯେ ଦେଶର ଏଣିକି ପ୍ରତି ଦଶ ଜଣ ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରେ ନଅ ଜଣ ଆଞ୍ଚଳିକ ଭାଷାରେ ଡିଜିଟାଲ ମଞ୍ଚ ବ୍ୟବହାର କରିବା ନିମନ୍ତେ ଆଗ୍ରହୀ । ଭାରତୀୟ ଅନଲାଇନ ଉପତ୍ୟକାରେ ବହୁ ସଂଖ୍ୟକ ଭାଷା ବ୍ୟବହାର ଆକାଂକ୍ଷାକୁ ଚ଼ରିତାର୍ଥ କରିବା ନିମନ୍ତେ ‘ଗୁଗୁଲ’ ପକ୍ଷରୁ ଅଗ୍ରାଧୀକାର ଦିଆଯାଉଥିବା ବିଶଦ ବିବରଣୀ ୨୦୨୨ ଡ଼ିସେମ୍ୱର ଦ୍ୱିତୀୟାର୍ଦ୍ଧରେ ନୂଆଦିଲ୍ଲୀଠାରେ ଆୟୋଜିତ ‘ଗୁଗୁଲ ଫର ଇଣ୍ଡିଆ’ର ଅଷ୍ଟମ ଅଧିବେଶନରେ କମ୍ପାନୀର ସିଇଓ ସୁନ୍ଦର ପିଚାଇ ଉପସ୍ଥାପନ କରିଥିଲେ ।
ଦେଶର ୭୭୩ ଜିଲ୍ଲାରେ କଥିତ ପ୍ରାୟ ଶହେରୁ ଉର୍ଦ୍ଧ୍ୱ ଭାଷାରେ ପାଠ୍ୟ ଓ ଶ୍ରାବ୍ୟ ବ୍ୟବହାର ନିମନ୍ତେ ସୁଯୋଗ ସୃଷ୍ଟି ନିମନ୍ତେ ‘ଗୁଗୁଲ’ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି । କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଉପଯୋଗରେ ଗୋଟିଏ ଭାଷାରେ ପ୍ରସ୍ତୁତ ଉପାଦାନ କିପରି ର୍ନିବିଘ୍ନରେ ଅନ୍ୟ ଭାଷାଗୁଡ଼ିକୁ ଅନୁବାଦ ହୋଇପାରିବ ସେଦିଗରେ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିନିମନ୍ତେ ବାଙ୍ଗାଲୁରର ‘ଇଣ୍ଡିଆନ ଇନଷ୍ଟିଟିଉଟ ଅଫ ସାଇନ୍ସ’ର ‘ପ୍ରୋଜେକ୍ଟ ବାଣୀ’ ସହ ‘ଗୁଗୁଲ’ ଚୁକ୍ତି କରିଛି । ଭାରତ ସରକାରଙ୍କ ‘ଭାଷିନୀ’ ପ୍ରକଳ୍ପରେ ଏହି ସୁଯୋଗ ଉପଲବ୍ଧ କରାଇବା କାର୍ଯ୍ୟକ୍ରମ ରହିଛି ।
‘ଗୁଗୁଲ’ ପକ୍ଷରୁ କେତେଗୋଟି ନିର୍ବାଚ଼ିତ ଭାରତୀୟ ଭାଷାରେ ଅନୁବାଦ ସେବା ବହୁ ପୂର୍ବରୁ ଆରମ୍ଭ କରାଯାଇଛି । ସେଥିମଧ୍ୟରେ ଓଡ଼ିଆ ମଧ୍ୟ ଅନ୍ତର୍ଭୁକ୍ତ । ତେବେ ଇଂଲିଶରୁ ଓଡ଼ିଆ କିମ୍ୱା ଓଡ଼ିଆରୁ ଇଂଲିଶ ତଥା ଅନ୍ୟାନ୍ୟ ଭାଷାରେ ଅନୁବାଦର ମାନ ନିମ୍ନସ୍ତରରେ ରହୁଥିବା ଅଭିଯୋଗ ହୋଇଆସୁଥିଲା । ‘ପ୍ରୋଜେକ୍ଟ ବାଣୀ’ରେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଉପଯୋଗ କରାଯାଇ ଇଚ୍ଚମାନର ଅନୁବାଦ ସମ୍ଭବ ହେବା ଆଶା କରାଯାଉଛି । ଅତଏବ ନିକଟ ଭବିଷ୍ୟତରେ ଓଡ଼ିଆ ଭାଷାରେ ଅନଲାଇନ ମଞ୍ଚଗୁଡ଼ିକରେ ଉପଲବ୍ଧ ରଚ଼ନା ସମୂହ ଇଂଲିଶ, ହିନ୍ଦି, ବଙ୍ଗଳା, ତେଲୁଗୁ ତଥା ଅନ୍ୟାନ୍ୟ ଭାଷାଭାଷୀ ପାଠକ ଓ ଶ୍ରୋତା ନିଜ ଭାଷାରେ ଅନୁବାଦ ଉପରେ ନିର୍ଭର କରିପାରିବେ । ଏପରିକି ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ବ୍ୟବହୃତ କେତେକ ଉପ-ଭାଷାରେ ମଧ୍ୟ ଅନୁବାଦ ଉପଲବ୍ଧ ହେବ ।
‘ପ୍ରୋଜେକ୍ଟ ବାଣୀ’ର ସଫଳ ରୂପାୟନ ଲାଗି ‘ଗୁଗୁଲ’ ପକ୍ଷରୁ ‘ଇଣ୍ଡିଆ ଡ଼ିଜିଟାଇଜେସନ ଫଣ୍ଡ’ ମାଧ୍ୟମରେ ପର୍ଯ୍ୟାପ୍ତ ନିବେଶ କରାଯିବ । ନୂତନ ଅନୁବାଦ ସଫଟୱେର ପ୍ରସ୍ତୁତିରେ ‘ମେସିନ-ଲେର୍ଣ୍ଣିଂ’ ବୈଷୟିକ କୌଶଳ ଉପଯୋଗ ଫଳରେ ଅନୁବାଦ ଦକ୍ଷତା ବହୁଗୁଣ ବଢ଼ିଯିବା ନିଶ୍ଚିତ । ଏହି ବିଭବ ଭାରତୀୟ ଆଞ୍ଚଳିକ ସାମ୍ୱାଦିକତା ଓ ସାହିତ୍ୟ ପରିଧିରେ ନୂତନ ଅଧ୍ୟାୟ ସୃଷ୍ଟି କରିବ । ଓଡ଼ିଆ ଭଳି କୌଣସି ଆଞ୍ଚଳିକ ଭାଷାରେ ଉଚ୍ଚମାନର ସୃଜନ ପ୍ରକାଶିତ ହେଲେ ଯାନ୍ତ୍ରିକ ଅନୁବାଦ ହାତପାଆନ୍ତାରେ ଉପଲବ୍ଧ ହେବା ଫଳରେ ବିଶ୍ୱର ସମସ୍ତ ଭାଷାରେ ପ୍ରଭାବ ବିସ୍ତାର କରିବା ସମ୍ଭବ । ସେହିପରି ଓଡ଼ିଆ ପାଠକମାନେ ଆନ୍ତର୍ଜାତିକସ୍ତରର ଯେକୌଣସି କୃତୀ ଅନାୟସରେ ଓଡ଼ିଆ ଭାଷାରେ ଆହରଣ କରିବା ସୁବିଧା ପାଇପାରିବେ ।
ଭାରତରେ ଭାଷା ବୈଷମ୍ୟକୁ କେନ୍ଦ୍ର କରି ବିଭିନ୍ନ ସ୍ତରରେ ସଂଘର୍ଷ ଲାଗି ରହିଥାଏ । ଦେଶର ଅର୍ଦ୍ଧାଧିକ ନାଗରିକ ୨୦୨୩ ସୁଦ୍ଧା ସ୍ମାର୍ଟଫୋନ ଯୋଗେ ଯେକୌଣସି ଭାଷାରେ ଯୋଗାଯୋଗ ସୁବିଧା ହାସଲ କରିସାରିବା ପରେ ଭାଷାକୁ ନେଇ ରାଜନୀତି ଗୁରୁତ୍ୱ ହରାଇବା ଆଶା କରାଯାଇପାରେ । ସେହିପରି ସ୍ଥଳବିଶେଷରେ ଭାଷାକୁ ଆଳ କରି ନିମ୍ନମାନର ସୃଜନ ନିର୍ଦ୍ଧିଷ୍ଟ ଭୌଗଳିକ ପରିସୀମାରେ ପ୍ରଭାବ ବିସ୍ତାର କରିଚାଲିଥିବା ଅବସରରେ ଆନ୍ତର୍ଜାତିକସ୍ତରର ଉନ୍ନତ ମାନର ସୃଜନ ସର୍ବସାଧାରଣରେ ପ୍ରସାରର ସୁଯୋଗ ଜନଜୀବନରେ ଉଭୟ ସାମ୍ୱାଦିକତା ଓ ସାହିତ୍ୟର ମୂଲ୍ୟବୋଧ ବୃଦ୍ଧିରେ ସହାୟକ ହୋଇପାରିବା ଆଶା କରାଯାଇପାରେ । ଅବଶ୍ୟ ଏହି ସୁବିଧା ସୁଯୋଗ ପୂର୍ବ ଅଭିଜ୍ଞତା ପ୍ରକାରେ ଭଲ ଦିଗରେ ଯିବ ନା ଖରାପ ଦିଗରେ ଯିବ ତାହାର ପୂର୍ବାନୁମାନ ମୂସ୍କିଲ ବ୍ୟାପାର !
ଅନଲାଇନ ମଞ୍ଚରେ ଭିଡ଼ିଓ ଓ ଅଡ଼ିଓରେ ଲୋକପ୍ରିୟତା ବଢ଼ିଚାଲିଛି । ବିକଶିତ ରାଷ୍ଟ୍ରଗୁଡ଼ିକରେ ଆୟୋଜିତ ସର୍ବେକ୍ଷଣମାନଙ୍କୁ ଜଣାଯାଉଛି ସମ୍ୱାଦ ପଠନ ବଦଳରେ ଶୁଣିବା ବା ଦେଖିବା ପାଇଁ ଡ଼ିଜିଟାଲ ମଞ୍ଚରେ ଭିଡ଼ ଲାଗି ରହୁଛି । ‘ଗୁଗୁଲ’ ପରିଚାଳିତ ‘ୟୁଟ୍ୟୁବ’ ଭିଡ଼ିଓ ସେୟାରିଂରେ ଆନ୍ତର୍ଜାତିକସ୍ତରରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ସ୍ଥଳେ ଭିଡ଼ିଓ ଅନୁବାଦକୁ ସ୍ୱୟଂକ୍ରିୟ କରିବା ନିମନ୍ତେ ‘ଏଲାଉଡ଼’ ନାମକ ଏକ ଭିଡ଼ିଓ ଡବିଂ ସୁବିଧା ଯୋଗାଇ ଦିଆଯିବା ବିଷୟ ‘ଗୁଗୁଲ ଫର ଇଣ୍ଡିଆ ୨୦୨୨’ରେ ଘୋଷିତ ହୋଇଛି । ପରୀକ୍ଷାମୂଳକଭାବେ ଭାରତରେ ଏହି ବିଭବ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତରେ ଭିଡ଼ିଓ ପ୍ରଯୋଜକଙ୍କୁ ଯୋଗାଇ ଦିଆଯାଇଛି । ଏହି ସଫଟୱେର ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଓ ମେସିନ ଲେର୍ଣ୍ଣିଂ ବୈଷୟିକ କୌଶଳ ଉପଯୋଗରେ କାର୍ଯ୍ୟ କରିବ, ସଂପୂର୍ଣ୍ଣ ସ୍ୱୟଂକ୍ରିୟ ଓ ମାଗଣାରେ ଯୋଗାଇ ଦିଆଯିବା ବ୍ୟବସ୍ଥା ହୋଇଥିବା ପ୍ରକାଶ ।
‘ୟୁଟ୍ୟୁବ’ରେ ‘କୋର୍ସେସ’ ନାମରେ ଏକ ନୂତନ ବିଭବ ସନ୍ନିବଶିତ ହେବ । ଏହି ଶୃଙ୍ଖଳାରେ ସ୍ୱଳ୍ପ ଓ ଦୀର୍ଘ ଅବଧିର ପାଠ୍ୟକ୍ରମ ପ୍ରସାରଣର ସୁଯୋଗ ରହିବ । ଶିକ୍ଷକମାନେ ଭିଡ଼ିଓ ସାଙ୍ଗକୁ ଅଡ଼ିଓ ଓ ଟେକ୍ସଟ ଶିକ୍ଷାର୍ଥୀମାନଙ୍କୁ ମଞ୍ଚ ମାଧ୍ୟମରେ ବିତରଣ କରିପାରିବେ । ଭାରତରେ ୨୦୨୩ରେ ଆରମ୍ଭ ହେବାକୁ ଯାଉଥିବା ‘କୋର୍ସେସ’ ମଞ୍ଚରେ ଅଧ୍ୟୟନ ଲାଗି ଉଭୟ ମାଗଣା ଓ ଦେୟଯୁକ୍ତ ପାଠ୍ୟକ୍ରମମାନ ସାମିଲ ହେବ । ‘ୟୁଟ୍ୟୁବ’ରେ ଭିଡ଼ିଓ ପ୍ରଦର୍ଶନ ମାଧ୍ୟମରେ ଶିକ୍ଷାଦାନ ଦୀର୍ଘ ସମୟ ଧରି ଲୋକପ୍ରିୟ ହୋଇସାରିଥିବା ସ୍ଥଳେ ‘କୋର୍ସେସ’ ଭଳି ସଂଗଠିତ ବ୍ୟବସ୍ଥା ଶିକ୍ଷାଦାନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନର ସୂତ୍ରଧର ସାଜିବା ସମ୍ଭାବନା ରହିଛି । ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକା ଓ ଦକ୍ଷିଣ କୋରିଆରେ ‘ଗୁଗୁଲ’ ପକ୍ଷରୁ ‘କୋର୍ସେସ’ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ ।
‘ଗୁଗୁଲ ଫର ଇଣ୍ଡିଆ ୨୦୨୨’ ଅବସରରେ ‘ଗୁଲଲ’ ପକ୍ଷରୁ କୃଷି ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତ ବୈଷୟିକ କୌଶଳ ଉପଯୋଗ ସଂପର୍କରେ ସମ୍ୟକ ସୂଚ଼ନା ଦିଆଯାଇଥିଲା । ନିରକ୍ଷର ତଥା ଅଳ୍ପଶିକ୍ଷିତ ବର୍ଗ ଟେକ୍ସଟ ବଦଳରେ ସ୍ପିଚ଼ ମାଧ୍ୟମରେ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ପହଞ୍ଚୁଥିବା ସ୍ଥଳେ ଅନେକ ସମୟରେ ଉପଭୋକ୍ତାଙ୍କ ସ୍ପଷ୍ଟ ଉଚ୍ଚାରଣ ଅଭାବରୁ ସମସ୍ୟା ଉପୁଜିଥାଏ । ଅସ୍ପଷ୍ଟ ଉଚ୍ଚାରଣଜନିତ ଅସୁବିଧା ଦୂର କରିବା ନିମନ୍ତେ ‘ଗୁଗୁଲ’ ପକ୍ଷରୁ ନୂତନ ବୈଷୟିକ କୌଶଳ ଉପଯୋଗ କରାଯାଉଥିବା ଘୋଷଣା କରାଯାଇଥିଲା । ସୁନ୍ଦର ପିଚାଇ କହିଥିଲେ ଯେ ଭାରତରେ ଇଣ୍ଟରନେଟ ମୁକ୍ତ ଓ ପରିବ୍ୟାପ୍ତ ଥିବା ହେତୁ ଜ୍ଞାନ ରପ୍ତାନୀ କ୍ଷେତ୍ରରେ ଆନ୍ତର୍ଜାତିକସ୍ତରରେ ଅଗ୍ରଣୀ ରହିଛି । ସେ ସୂଚାଇଥିଲେ ଯେ ଦେଶରେ କେବଳ ‘ୟୁଟ୍ୟୁବ’ର ବ୍ୟବହାର ଯୋଗୁଁ ୨୦୨୧ରେ ବର୍ଷକ ମଧ୍ୟରେ ୭ ଲକ୍ଷ ୫୦ ହଜାର କର୍ମନିଯୁକ୍ତି ଓ ଦଶ ହଜାର କୋଟି ଟଙ୍କା ଆୟ ସମ୍ଭବ ହୋଇପାରିଥିବା ବ୍ରିଟେନର ଗବେଷଣା ସଂସ୍ଥା ଅକ୍ସଫୋର୍ଡ ଇକନୋମିକ୍ସ ପକ୍ଷରୁ ହିସାବ କରାଯାଇଛି । ଡ଼ିସେମ୍ୱର ୨୦୨୨ରେ ଆୟୋଜିତ ‘ଗୁଗୁଲ ଫର ଇଣ୍ଡିଆ ୨୦୨୨’ ପରବର୍ତ୍ତୀ ବର୍ଷ ୨୦୨୩ରେ ଡ଼ିଜିଟାଲ ଇଣ୍ଡିଆ ନିମନ୍ତେ ପ୍ରେରଣାଦାୟୀ ବିବେଚ଼ନା କରାଯାଏ ।
