ଆଜିର ଖାସ ଖବର
Mon. Jul 27th, 2026

ଡିଜିଟାଲ ମଞ୍ଚ ‘ଦି କୁଇଣ୍ଚ

By Dainikasha Jul11,2024

ଭାରତୀୟ ଗଣମାଧ୍ୟମ ପରିଧିରେ ରାଘବ ଭାଲ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ‘ଦୂରଦର୍ଶନ’ରେ ୧୯୮୫ରୁ ବୃତ୍ତିଗତ ଜୀବନ ଆରମ୍ଭ କରି ସେ ୧୯୯୩ରେ ‘ନେଟୱାର୍କ ୧୮ ଗୃପ’ ଗଢ଼ିଥିଲେ । ଦେଶରେ ଡ଼ିଜିଟାଲ ମଞ୍ଚ ବିକାଶର ପ୍ରଥମାବସ୍ଥାରେ ଆଇବିଏନ ଲାଇଭ, ମନି କଣ୍ଟ୍ରୋଲ, ବୁକ ମାଇ ସୋ ଓ ହୋମ ସପ ୧୮ ସହ ଟିଭି ଚ୍ୟାନେଲ ‘କଲର୍ସ’ ଇତ୍ୟାଦି ତାଙ୍କରି କୃତିତ୍ୱ । ୨୦୧୧ ଶେଷ ଭାଗରେ ବ୍ୟବସାୟ କ୍ଷତିର ସମ୍ମୁଖୀନ ହେବା ପରେ ବ୍ୟାଙ୍କ ସୂତ୍ରରୁ ଋଣ ପାଇବାରେ ବିଫଳ ହୋଇ ସେ ରିଲାଏନ୍ସ ଇଣ୍ଡାଷ୍ଟ୍ରୀଠାରେ ନିବେଶ ନିମନ୍ତେ ଶରଣାପନ୍ନ ହୋଇଥିଲେ । ଶେଷରେ ରିଲାଏନ୍ସ ୨୦୧୪ରେ ‘ନେଟୱାର୍କ ୧୮’ ଅଧିଗ୍ରହଣ କରିନେଇଥିଲା । ରାଘବ ଦ୍ୱିତୀୟ ପର୍ଯ୍ୟାୟରେ ‘କୁଇଣ୍ଟଲିନ ମିଡ଼ିଆ’ ନାମକ ଏକ ନୂତନ ଡିଜିଟାଲ ମଞ୍ଚ ଆରମ୍ଭ କରିଥିଲେ ।

କୁଇଣ୍ଟଲିନ ମିଡ଼ିଆ ପକ୍ଷରୁ ଏକ ଭିନ୍ନ ସ୍ୱାଦର ଇଂଲିଶ ଡିଜିଟାଲ ସମ୍ୱାଦ ମଞ୍ଚ ‘ଦି କୁଇଣ୍ଟ’ ୨୦୧୫ରେ ଆତ୍ମପ୍ରକାଶ କଲା । ଏଥିରେ ମୁଖ୍ୟତଃ ସୂଚ଼ନା ଓ ଶିକ୍ଷାଧର୍ମୀ ସମ୍ୱାଦ ପରିବେଷଣକୁ ପ୍ରାଧାନ୍ୟ ଦିଆଗଲା । ‘ଦି କୁଇଣ୍ଟ’ ୨୦୧୬ରେ ଆନ୍ତର୍ଜାତିକ ଗଣମାଧ୍ୟମ ସଂସ୍ଥା ‘ବୁମବର୍ଗ’ ସହ ସହବନ୍ଧିତ ହେଲା । ‘ଦି କୁଇଣ୍ଟ’ ସହ ହିନ୍ଦି କୁଇଣ୍ଟ, ଫିଟ, ୟୁଥ-କୀ-ଆୱାଜ, ଦି ନ୍ୟୂଜ ମିନିଟ, କୁଇଣ୍ଟ ଟାଇପ ଭଳି ସମ୍ୱାଦଭିତ୍ତିକ ଡିଜିଟାଲ ମଞ୍ଚରେ ରାଘବ ଭାଲ ନିଜ ପତ୍ନୀ ରିତୁ କପୁରଙ୍କ ସହ ନିବେଶ କରିଥିଲେ । ୨୦୨୦ର ଶେଷ ଦୁଇ ଓ ୨୦୨୧ର ପ୍ରଥମ ଦୁଇ ତ୍ରୈୟମାସିକ ଆର୍ଥିକ ହିସାବରେ ‘ଦି କୁଇଣ୍ଟ’ ବ୍ୟବସାୟ କ୍ଷେତ୍ରରେ ଲାଭଜନକସ୍ଥିତିରେ ପହଞ୍ଚି ପାରିଥିବା କୁହାଯାଉଛି ।

ଡିଜିଟାଲ ମଞ୍ଚ ଗବେଷଣା ପ୍ରତିଷ୍ଠାନ ‘କମସ୍କୋର’ ତଥ୍ୟ ଅନୁଯାୟୀ ବର୍ଷକ ମଧ୍ୟରେ ‘ଦି କୁଇଣ୍ଟ ୱେବସାଇଟ’କୁ ୨୪ କୋଟି ଦର୍ଶକ ପରିଦର୍ଶନ କରିଥିଲେ । କୁଇଣ୍ଟ ଡିଜିଟାଲ ମିଡ଼ିଆ ହିସାବରେ ଇଂଲିଶ ଦି କୁଇଣ୍ଟ, କୁଇଣ୍ଟ ହିନ୍ଦି ଓ ଫିଟର ୨୦୨୦-୨୧ର ଆୟ ୨୨ କୋଟି ଟଙ୍କା ଛୁଇଁଥିଲା । ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନ୍ୟୂ ନରମାଲ’ରେ ପାରମ୍ପରିକ ଗଣମାଧ୍ୟମ ମଞ୍ଚ ମୁଖ୍ୟତଃ ମୁଦ୍ରିତ ସମ୍ୱାଦପତ୍ର, ରେଡ଼ିଓ ଓ ସିନେମା ବ୍ୟବସାୟ ବ୍ୟାପକ ବିଘଟନ ସାମ୍ନା କରିଥିବା ସ୍ଥଳେ କୁଇଣ୍ଟ ଗୃପର ସଫଳତା ଅନେକଙ୍କୁ ବିସ୍ମିତ କରିଛି । ପ୍ରଶ୍ନ ଉଠିଛି, ଭାରତରେ କ’ଣ ମୁଦ୍ରିତ ସମ୍ୱାଦପତ୍ର ଯୁଗ ଶେଷ ହୋଇ ଆସୁଛି ?

ବ୍ୟବସାୟ-ବାଣିଜ୍ୟ ସମ୍ୱାଦପତ୍ର ‘ବିଜନେସ ଷ୍ଟାଣ୍ଡାର୍ଡ’ ଭୁବନେଶ୍ୱର ସଂସ୍କରଣରେ ରାଘବ ଭାଲ ଓ ପତ୍ନୀ ରିତୁ କପୁରଙ୍କ ସହ ସଂପୃକ୍ତ ସମ୍ୱାଦପତ୍ରର ଗଣମାଧ୍ୟମ ବିଶ୍ଳେଷିକା ବନିତା କୋହଲି-ଖଣ୍ଡେକରଙ୍କ ଏକ ସାକ୍ଷାତକାର ୯ ସେପ୍ଟେମ୍ୱର ୨୦୨୧ ସଂସ୍କରଣରେ ପ୍ରକାଶ ପାଇଥିଲା । ଏଥିରେ ରାଘବ ଭାଲଙ୍କ ଦୁଇଗୋଟି ବିସ୍ପୋରକ ବୟାନ ସ୍ଥାନିତ । ପ୍ରଥମତଃ, ସେ କହିଛନ୍ତି ଯେ ମହାମାରୀ-ପର ଅବସ୍ଥାରେ ଅଶୀ ପ୍ରତିଶତ ଯାଏଁ ଭାରତୀୟ ଉପଭୋକ୍ତା ସୋସିଆଲ ମିଡ଼ିଆରୁ ସମ୍ୱାଦ ପାଉଛନ୍ତି । ଦ୍ୱିତୀୟତଃ, ସେ ଆକଳନ କରିଛନ୍ତି ଯେ ଆଗାମୀ ଦଶ ବର୍ଷ, ଅର୍ଥାତ ୨୦୩୦ ସୁଦ୍ଧା ମୁଦ୍ରିତ ସମ୍ୱାଦପତ୍ର ନଥିବ ।

ରାଘବ ଭାଲ ଭାରତୀୟ ଗଣମାଧ୍ୟମ ବ୍ୟବସାୟରେ ପୁରୁଣା ଖେଳାଳୀ । ତାଙ୍କରି ୩୫ ବର୍ଷର ବୃତ୍ତିଗତ ଅଭିଜ୍ଞତା ରହିଛି । ଟେଲିଭିଜନ ଓ ଡିଜିଟାଲ ମଞ୍ଚରେ ସେ ପରୀକ୍ଷାନିରୀକ୍ଷା କରିଆସିଛନ୍ତି । ସେହିପରି ବନିତା କୋହଲି-ଖଣ୍ଡେକର ଦେଶର ଜଣେ ଆଗଧାଡ଼ିର ଗଣମାଧ୍ୟମ ସମୀକ୍ଷକ, ସେମାନଙ୍କ ଆଶଙ୍କାକୁ ଅଣଦେଖା କରିହେବ ନାହିଁ । ପ୍ରକାଶିତ ଆଲୋଚ଼ନାର ପୃଷ୍ଠଭୂମି ଯାହା ହେଉନା କାହିଁକି ଭାରତୀୟ ପାରମ୍ପରିକ ସମ୍ୱାଦ ମଞ୍ଚ ପରିବର୍ତ୍ତିତ ପରିବେଶରେ ନିକଟ ଭବିଷ୍ୟତରେ ବ୍ୟାପକ ରୂପାନ୍ତର ସୁସ୍ପଷ୍ଟ ବୋଲି ବିଚାର କରାଯାଇପାରେ ।

ଭାଲଙ୍କୁ ପଚରାଯାଇଥିଲା ଡିଜିଟାଲ ମଞ୍ଚକୁ ବିଜ୍ଞାପନ ସ୍ଥାନାନ୍ତରିତ ହୋଇଆସୁଥିଲେ ସୁଦ୍ଧା ୭୦ ରୁ ୮୦ ପ୍ରତିଶତ କେବଳ ଗୁଗୁଲ ଓ ଫେସବୁକ ଅକ୍ତିଆର କରି ନେଉଥିବା ସ୍ଥଳେ ଡିଜିଟାଲ ସମ୍ୱାଦ ମଞ୍ଚଗୁଡ଼ିକ କିପରି ତିଷ୍ଠିବେ ? ‘ଦି କୁଇଣ୍ଟ’ର ଅଭିଜ୍ଞତାରୁ ଭାଲ କହିଥିଲେ ଯେ ସାମ୍ୱାଦିକତାରେ ଗୁଣାତ୍ମକ ବିକାଶ ଏବଂ ଭିଡ଼ିଓ ସମ୍ୱାଦ ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ । ପ୍ରାଥମିକ ପର୍ଯ୍ୟାୟରେ ‘ଦି କୁଇଣ୍ଟ’ର ୬୦ ରୁ ୬୫ ପ୍ରତିଶତ ଉପଭୋକ୍ତା ଯୁବବର୍ଗ ଥିବା ସ୍ଥଳେ ପରବର୍ତ୍ତୀ ପର୍ଯ୍ୟାୟରେ ୩୦ ରୁ ୪୦ ବର୍ଷ ତଥା ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି ।

ଭାଲଙ୍କ ବିଚାରରେ ପାରମ୍ପରିକ ମୁଖ୍ୟସ୍ରୋତର ସମ୍ୱାଦମଞ୍ଚଗୁଡ଼ିକ ଡିଜିଟାଲ ମଞ୍ଚରେ ନିଜର ଉପସ୍ଥିତିକୁ ହାଲକା ଭାବେ ଗ୍ରହଣ କରିଆସିଥିଲେ । ସଂବାଦ ସଂଗ୍ରହ ନିମନ୍ତେ ବିପୁଳ ଦକ୍ଷତା ଥିବା ସତ୍ତ୍ୱେ ତାହା ସାମ୍ୱାଦିକତାର ଗୁଣାତ୍ମକ ବିକାଶରେ ପ୍ରତିଫଳିତ ହୋଇପାରୁ ନାହିଁ । ସାକ୍ଷାତକାରରେ ସେ ସୂଚ଼ାଇ ଥିଲେ ଯେ ଗଣମାଧ୍ୟମ ବ୍ୟବସାୟରେ ସଫଳତା ହାସଲ କରିବା ନିମନ୍ତେ ସାଧାରଣରେ ଚାରିରୁ ଛଅବର୍ଷ ସମୟ ଆବଶ୍ୟକ । ଏହି ଅବସରରେ ନିବେଶ କରିବାକୁ ପଡ଼େ । ନିଜ ଅଭିଜ୍ଞତାରୁ ସିଏନଏନ୍-ଆଇବିଏନ ଟେଲିଭିଜନ ଓ ଦି କୁଇଣ୍ଟ ଡିଜିଟାଲ ମଞ୍ଚ ଉଭୟ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସମୟସୀମାରେ ନିବେଶ କରାଯାଇଥିବା ହିସାବ ଦେଇଥିଲେ ।

‘ଦି କୁଇଣ୍ଟ’ର ସମ୍ପାଦକୀୟ ନୀତି ପ୍ରାଥମିକ ପର୍ଯ୍ୟାୟରେ ଯୁବବର୍ଗର ଉପଭୋକ୍ତାଙ୍କ ନିମନ୍ତେ ଅଭିପ୍ରେତ ଥିବା ସ୍ଥଳେ ପରବର୍ତ୍ତୀ ପର୍ଯ୍ୟାୟରେ ସାଧାରଣ ବର୍ଗର ଉପଭୋକ୍ତାଙ୍କ ନିମନ୍ତେ ସମ୍ୱାଦ ପ୍ରଯୋଜନାରେ ରୂପାନ୍ତରିତ ହୋଇଥିଲା । ଡିଜିଟାଲ ମଞ୍ଚରେ ପାରମ୍ପରିକ ସମ୍ୱାଦ ପ୍ରତିଷ୍ଠାନଗୁଡ଼ିକ ପ୍ରବେଶ କରୁଥିବା ଅବସରରେ ‘ଦି କୁଇଣ୍ଟ’ ପ୍ରବଳ ପ୍ରତିଯୋଗିତାର ସମ୍ମୁଖୀନ ହେଉଥିବା ସେ ଅବଗତ କରାଇଥିଲେ । ବିଶେଷକରି ଗ୍ରାହକ ସଂଗ୍ରହରେ ପ୍ରତିଯୋଗିତାମୂଳକ ପରିବେଶ ପ୍ରଭାବ ପକାଇବା ନିଶ୍ଚିତ । ବହୁ କ୍ଷେତ୍ରରେ ପାରମ୍ପରିକ ମଞ୍ଚଗୁଡ଼ିକ ଡିଜିଟାଲ ସଂସ୍କରଣକୁ ମୂଳ ବ୍ୟବସାୟରୁ ଅଲଗା ରଖି ଆସିଥିବା ସ୍ଥଳେ ମହାମାରୀ-ପର ଅବସ୍ଥାରୁ ଗୁରୁତ୍ୱ ଦେବା ଆରମ୍ଭ କରିଥିବା ଦର୍ଶାଇଥିଲେ ।

ଆନ୍ତର୍ଜାତିକସ୍ତରରେ ଡିଜିଟାଲ ସମ୍ୱାଦମଞ୍ଚ ପରୀକ୍ଷାନିରୀକ୍ଷା କ୍ଷେତ୍ରରେ ‘ଦି କୁଇଣ୍ଟ’ ଚର୍ଚ୍ଚାରେ ଆସିଥାଏ । ଭାରତୀୟ ଗଣମାଧ୍ୟମ ପରିବେଶରେ ଯେଉଁ ଦିଗଗୁଡ଼ିକ ଅସଂଭବ ବିଚାର କରାଯାଇ ଆସୁଥିଲା ସେଗୁଡ଼ିକର ମୁକାବିଲାରେ ‘ଦି କୁଇଣ୍ଟ’ କେତେକାଂଶରେ ସଫଳତା ହାସଲ କରିପାରିଛି । ଏହା ସ୍ଥାନୀୟ ଡିଜିଟାଲ ସମ୍ୱାଦ ମଞ୍ଚ ବିକାଶରେ ପଥ ପ୍ରଦର୍ଶକ ହେବା ବିଶ୍ୱାସ କରାଯାଇପାରେ । ଆଞ୍ଚଳିକ ଭାଷା ଓ ସ୍ଥାନୀୟ ସାମ୍ୱାଦିକତା ଡିଜିଟାଲ ମୁହାଁ ହେଉଥିବା ଅବସରରେ ସମ୍ଭାବ୍ୟ ପରିବର୍ତ୍ତନର ରୂପରେଖ ବିଶ୍ଳେଷଣ ଗୁରୁତ୍ୱପୂର୍ଣ୍ଣ ।

ଡ଼ିଜିଟାଲ ମଞ୍ଚରେ ଓଡ଼ିଆ ସାମ୍ୱାଦିକତାର ଉପସ୍ଥିତି ମହାମାରୀ-ପର ପରିବେଶ ୨୦୨୧ ଦ୍ୱିତୀୟାର୍ଦ୍ଧ ସୁଦ୍ଧା ଉତ୍ସାହପ୍ରଦ ପର୍ଯ୍ୟାୟରେ ପହଞ୍ଚିପାରି ନାହିଁ । ଏହି କ୍ଷେତ୍ରରେ ଦୁଇ ଗୋଟି ପ୍ରତିବନ୍ଧକ ଦାୟୀ । ଏକ ପକ୍ଷରେ ଓଡ଼ିଆ ଡିଜିଟାଲ ସମ୍ୱାଦ ମଞ୍ଚ ପ୍ରଯୋଜନା ନିମନ୍ତେ ପର୍ଯ୍ୟାପ୍ତ ନିବେଶ ହୋଇପାରି ନାହିଁ । ପାରମ୍ପରିକ ମଞ୍ଚ ହେଉ କିମ୍ୱା ଡିଜିଟାଲ ନବସୃଜନ ‘ଡ଼ିଜିଟାଲ ନେଟିଭ’ ଯେକୌଣସି ମଞ୍ଚକୁ ଚାରିରୁ ଛଅ ବର୍ଷ ଯାଏଁ ନିବେଶ ନିମନ୍ତେ ପ୍ରସ୍ତୁତ ହେବାକୁ ପଡ଼ିବ । ମହାମାରୀରେ ମୂଳସ୍ରୋତର ସମ୍ୱାଦ ମଞ୍ଚଗୁଡ଼ିକ ବ୍ୟାପକ ଅର୍ଥନୀତିକ ବିପତ୍ତିର ଶୀକାର ହୋଇଥିବା ସ୍ଥଳେ ଡିଜିଟାଲ ମଞ୍ଚ ନିମନ୍ତେ ନିବେଶ ଦିଗରେ କେତେଦୂର ସଫଳ ହୋଇପାରିବେ ତାହା ଏକ ପ୍ରଶ୍ନବାଚୀ । ସେହିପରି ସାଧାରଣ ବିଚାରରେ ସମ୍ୱାଦ ମଞ୍ଚକୁ ଏକ ‘ବ୍ଳଗ’ ତୁଲ୍ୟ ଜ୍ଞାନ କରିବା ମାନସିକତା ନବସୃଜନରେ ଆର୍ଥିକ ନିବେଶକୁ କେତେଦୂର ସମର୍ଥନ କରିବ ତାହା ମଧ୍ୟ ଅସମାହିତ ପ୍ରଶ୍ନ ।

ଅପରପକ୍ଷରେ, ଡିଜିଟାଲ ସମ୍ୱାଦ ମଞ୍ଚ ମୁଖ୍ୟତଃ ଗ୍ରାହକଚାନ୍ଦା-ଆଶ୍ରିତ ମଡ଼େଲରେ ବିକାଶିତ ହେଉଥିବା ହେତୁ ସମ୍ୱାଦ ପରିବେଷଣରେ ଗୁଣାତ୍ମକ ବିକାଶ ନିମନ୍ତେ ସମ୍ପାଦକୀୟ ନୀତି ନିର୍ଦ୍ଧାରଣ, ପରିଚାଳନା ଓ ତାଲିମ ପ୍ରାଥମିକତା ଦାବୀ କରିବ । ଏଦିଗରେ ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକ ଅନୁଭୂତି ସମ୍ପନ୍ନ ନଥିବା ହେତୁ ସାମ୍ୱାଦିକତା କ୍ଷେତ୍ରରେ ଏକ ନୂତନ ସଂସ୍କୃତି ପରିପ୍ରକାଶ ଅପରିହାର୍ଯ୍ୟ । ପାରମ୍ପରିକ ଭାବେ ଓଡ଼ିଆ ସମ୍ୱାଦ ପ୍ରକାଶକମାନେ ବିଜ୍ଞାପନ ଓ ପ୍ରୋତ୍ସାହନ ସର୍ବସ୍ୱ ଅର୍ଥନୀତିରେ ଅଭ୍ୟସ୍ତଥିବା ସ୍ଥଳେ ବ୍ୟବସାୟକୁ ଲୋକାଭିମୁଖୀ କରିବାର ଦୃଷ୍ଟିଭଙ୍ଗୀ, ଆଚ଼ରଣ ଓ ଦକ୍ଷତାରେ ଅମୂଳଚୂଳ ପରିବର୍ତ୍ତନ ଆବଶ୍ୟକ କରେ । 

Related Post