ମହାମାରୀରେ ପ୍ରାୟ ଦୁଇବର୍ଷ ଚଳଚ଼ିତ୍ର ନିର୍ମାଣ ଓ ପ୍ରେକ୍ଷାଳୟ ପ୍ରଦର୍ଶନ ବନ୍ଦ ରହି ୨୦୨୨ ଆରମ୍ଭରୁ ଏକ ରକମ ସାଧାରଣ ଅବସ୍ଥାରେ ପହଞ୍ଚିବା ପରେ ପରବର୍ତ୍ତୀ ଛଅ ମାସର ବଲିଉଡ଼ ଚଳଚ଼ିତ୍ର ବ୍ୟବସାୟର ଗତିପ୍ରକୃତି ଭାରତୀୟ ଗଣମାଧ୍ୟମ ପରିସରରେ ଗୁରୁତ୍ୱପୂର୍ଣ୍ଣ ବିବେଚ଼ିତ । ଜାନୁୟାରୀ ଓ ଫେବୃୟାରୀ ୨୦୨୨ରେ ଦେଶରେ ‘କୋଭିଡ଼-୧୯’ର ତୃତୀୟ ତରଙ୍ଗ ଅନୁଭୂତ ହୋଇଥିଲେ ହେଁ ତିନିମାସ ଆଗରୁ ୨୦୨୧ ଦଶହରା-ଦୀପାବଳିଠାରୁ ଚଳଚ଼ିତ୍ର ନିର୍ମାଣ ଓ ପ୍ରେକ୍ଷାଳୟ ପ୍ରଦର୍ଶନ ପର୍ଯ୍ୟାୟକ୍ରମେ କ୍ରମଶଃ ଚଳଚ଼ଞ୍ଚଳ ହୋଇସାରିଥିଲା । ଅତଏବ ୨୦୨୨ ଜାନୁୟାରୀରୁ ଜୁନ ମଧ୍ୟରେ ବଲିଉଡ଼ ଚଳଚ଼ିତ୍ର ଶିଳ୍ପ ଗତିଶୀଳ ହୋଇଥିବା ବିଚାର କରାଯାଇଥାଏ ।
ମହାମାରୀ-ପର ୨୦୨୨ ପ୍ରଥମାର୍ଦ୍ଧରେ ମୋଟ ୨୧ ଗୋଟି ଆଗଧାଡ଼ିର ବଲିଉଡ଼ ହିନ୍ଦି ଚଳଚ଼ିତ୍ର ପ୍ରେକ୍ଷାଳୟ ମୁକ୍ତିଲାଭ କରିଥିଲା । ଏଥିମଧ୍ୟରୁ ଛଅଗୋଟି ବକ୍ସ ଅଫିସରେ ସଫଳତା ହାସଲ କରିଥିବା ସ୍ଥଳେ ୧୫ଗୋଟି ବିଫଳ ହୋଇଥିବା ହିସାବ ମିଳେ । ଛଅ ମାସ ମଧ୍ୟରେ ରେ ମାର୍ଚ୍ଚ, ଏପ୍ରିଲ ଓ ଜୁନ ମାସରେ ପାଞ୍ଚଗୋଟି ଲେଖା ଚଳଚ଼ିତ୍ର ଏବଂ ଫେବୃୟାରୀରେ ଦୁଇ ତଥା ମେ’ରେ ଚାରିଗୋଟି ଚଳଚ଼ିତ୍ର ପ୍ରେକ୍ଷାଳୟ ରୂପେଲି ପରଦାରେ ପହଞ୍ଚିଥିଲା ।
ବକ୍ସ ଅଫିସ ସଫଳତା ପାଇଥିବା ଛଅଗୋଟି ଚଳଚ଼ିତ୍ର ମଧ୍ୟରେ ମାର୍ଚ୍ଚ ମାସରେ ମୁକ୍ତିଲାଭ କରିଥିବା ଏସ. ଏସ. ରାଜମୌଳି ନିର୍ଦ୍ଦେଶିତ ଆରଆରଆର ବା ‘ରୋର, ରାଇଜ, ରିଭୋଲ୍ଟ’ ଦେଶ ବିଦେଶରେ ଚଳଚ଼ିତ୍ର ପ୍ରଦର୍ଶନରୁ ୧୨୦୦ କୋଟି ଟଙ୍କା ଆଦାୟ କରିଥିବା ଆକଳନ କରାଯାଏ । କୁହାଯାଏ ଯେ ଭାରତୀୟ ଚଳଚ଼ିତ୍ର ଇତିହାସରେ ସର୍ବାଧିକ ଅର୍ଥ ଉପାର୍ଜନରେ ଚଳଚ଼ିତ୍ରଟି ତୃତୀୟ ସ୍ଥାନ ଅଧିକାର କରେ । ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶିତ ‘ଦି କାଶ୍ମୀର ଫାଇଲ୍ସ’ ଚଳଚ଼ିତ୍ରଟି ୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ସ୍ଥଳେ ୨୫୦ କୋଟି ଟଙ୍କା ଆଦାୟ କରିଥିଲା । ସେହିପରି ରହସ୍ୟ ଓ ହାସ୍ୟ ସମ୍ମିଳିତ କାହାଣୀ ଆଧାରିତ ‘ଭୂଲଭୁଲେୟାଁ-୨’ର ନିର୍ମାଣ ଖର୍ଚ୍ଚ ୯୦ କୋଟି ଥିବା ସ୍ଥଳେ ବକ୍ସ ଅଫିସ ଆୟ ୨୬୦ କୋଟି ଛୁଇଁଥିଲା । ସଂଜୟଲୀଳା ବନସାଲ ନିର୍ଦ୍ଦେଶିତ ‘ଗଙ୍ଗୁବାଈ କାଠିଆୱାଡି’ ୨୦୦ କୋଟି ଏବଂ ‘ମେଜର’ ତଥା ‘ଯୁଗ ଯୁଗ ଜିଓ’ ମଧ୍ୟ ବକ୍ସ ଅଫିସ ହିଟ ହୋଇଥିଲା ।
ଫ୍ଳପ ହିନ୍ଦି ଚଳଚ଼ିତ୍ର ମଧ୍ୟରେ ମାର୍ଚ୍ଚ ମାସରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାର ଅଭିନୀତ ‘ବଚ୍ଚନ ପାଣ୍ଡେ’ ନିର୍ମାଣ ନିମନ୍ତେ ୧୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୭୦ କୋଟି ଆୟ ହୋଇଥିଲା । ଅକ୍ଷୟ କୁମାର ଅଭିନୀତ ଜୁନ ମାସରେ ମୁକ୍ତିଲାଭ କରିଥିବା ‘ସମ୍ରାଟ ପୃଥ୍ୱୀରାଜ’ ମଧ୍ୟ ଅନ୍ୟ ଏକ ଫ୍ଳପ । ଅମିତାଭ ବଚ୍ଚନ ଅଭିନୀତ ‘ଝୁଣ୍ଡ’, ଅଜୟ ଦେବଗନ ଓ ଅମିତାଭ ବଚ୍ଚନ ଅଭିନୀତ ‘ରନୱେ ୩୪’, କଙ୍ଗନା ରନାୱତ ଅଭିନୀତ ‘ଧକ୍କଡ଼’, ରାଜକୁମାର ରାଓ ଅଭିନୀତ ‘ବଧାଇ ଦୋ’ ଓ ସାହିଦ କପୁର ଅଭିନୀତ ‘ଜର୍ସି’ ଇତ୍ୟାଦି ୧୫ ଗୋଟି ବକ୍ସ ଅଫିସ ଫ୍ଳପ ତାଲିକାରେ ଅନ୍ତର୍ଭୁକ୍ତ ।
ପ୍ରଥମାର୍ଦ୍ଧରେ ମୁକ୍ତିଲାଭ କରିଥିବା ୨୧ ଗୋଟି ବଲିଉଡ଼ ଚଳଚ଼ିତ୍ର ମଧ୍ୟରେ ‘ବଧାଇ ଦୋ’ରେ ସମଲିଙ୍ଗ ପ୍ରେମ କାହାଣୀ, ‘ଗଙ୍ଗୁବାଈ କାଠିଆୱାଡ଼ି’ରେ ଦେହଜୀବୀ ସମସ୍ୟା, ‘ଝୁଣ୍ଡ’ଓ ‘ଜର୍ସି’ରେ କ୍ରୀଡ଼ା, ‘ହୁରଜଙ୍ଗ’ରେ ୧୯୯୦ର ମଣ୍ଡଳ କମିଶନ ଆରକ୍ଷଣ ବିରୋଧି ଛାତ୍ର ଆନ୍ଦୋଳନ, ‘ଭୂଲ ଭୁଲୟାଁ-୨’ରେ ରହସ୍ୟ, ‘ଅନେକ’ରେ ଉତ୍ତର-ପୂର୍ବାଞ୍ଚଳ ଓ ‘ଯୁଗ ଯୁଗ ଜିଓ’ରେ ପଞ୍ଜାବୀ ବିବାହ ସଂସ୍କୃତି ବିଷୟବସ୍ତୁକୁ ନେଇ ଚଳଚ଼ିତ୍ର କାହାଣୀ ଗଢ଼ି ଉଠିଥିଲା । ଫ୍ଳପ ହୋଇଥିବା ‘ସମ୍ରାଟ ପୃଥ୍ୱୀରାଜ’ ଚଳଚ଼ିତ୍ର କାହାଣୀ ପ୍ରସ୍ତୁତ ନିମନ୍ତେ ୧୮ ବର୍ଷ ଧରି ଗବେଷଣା ହୋଇଥିବା ଦାବୀ କରାଯାଏ । ‘ମେଜର’ ମୁମ୍ୱାଇଠାରେ ତାଜମହଲ ହୋଟେଲରେ ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କ ସହ ସଂଘର୍ଷ କରିଥିବା ମେଜର ସନ୍ଦୀପ ଉନ୍ନକ୍ରିଷ୍ଣନଙ୍କ ଜୀବନ କାହାଣୀ ଆଧାରିତ ।
ଭାରତୀୟ ଚଳଚ଼ିତ୍ର ଶିଳ୍ପରେ ବଲିଉଡ଼ ପ୍ରମୁଖ ସ୍ଥାନ ଅଧିକାର କରିଥାଏ । ମହାମାରୀ-ପର ପରିବେଶରେ ଦେଶର ଦର୍ଶକଙ୍କ ରୁଚ଼ି ପରିବର୍ତ୍ତନ ବଲିଉଡ଼ ଚଳଚ଼ିତ୍ରକୁ ଗଭୀର ପ୍ରଭାବିତ କରିବା ଆଶା କରାଯାଏ । ଏକ ଉଲ୍ଲେଖଯୋଗ୍ୟ ଘଟଣାକ୍ରମରେ ୨୦୨୨ ପ୍ରଥମାର୍ଦ୍ଧରେ ପ୍ରେକ୍ଷାଳୟ ପ୍ରଦର୍ଶନରୁ ସର୍ବାଧିକ ଆୟ କରିଥିବା ପ୍ରଥମ ଦଶଗୋଟି ଚଳଚ଼ିତ୍ର ମଧ୍ୟରୁ ତିନିଗୋଟି ଦକ୍ଷିଣ ଭାରତୀୟ ଚଳଚ଼ିତ୍ର ପୁଷ୍ପା, ଆରଆରଆର ଓ କେଜିଏଫ – ୨ ଅର୍ଦ୍ଧେକ ରାଜସ୍ୱ ଦାବୀ କରିଥିବା ପ୍ରକାଶ । ଅନ୍ୟ ଏକ ହିସାବରୁ ଜଣାଯାଏ ଯେ ଅକ୍ଷୟ କୁମାର, ରଣବୀର ସିଂ, ଅଜୟ ଦେବଗନ, ବରୁଣ ଧାବନ, ସଇଫ ଅଲି ଖାଁ, ଜନ ଆବ୍ରାହାମ ଓ ସାହିଦ କପୁର ସାତଜଣ ଖ୍ୟାତନାମା ଚଳଚ଼ିତ୍ର ତାରକାଙ୍କ ଦ୍ୱାରା ଅଭିନୀତ ୧,୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୦ ଗୋଟି ବଲିଉଡ଼ ଚଳଚ଼ିତ୍ର ପ୍ରଯୋଜନା ଖର୍ଚ୍ଚର ମାତ୍ର ଏକ ତୃତୀୟାଂଶ ପ୍ରେକ୍ଷାଳୟ ପ୍ରଦର୍ଶନରୁ ଆଦାୟ କରିଥିଲା ।
ମହାମାରୀ-ପର ପରିବେଶରେ ବଲିଉଡ଼ ଚଳଚ଼ିତ୍ର ଶିଳ୍ପ ନିମନ୍ତେ ଚଳଚ଼ିତ୍ର ପ୍ରେକ୍ଷାଳୟ ଓ ଓଭର-ଦି-ଟପ ‘ଓଟିଟି’ ପ୍ରଦର୍ଶନକେନ୍ଦ୍ରୀକ ରାଜସ୍ୱ ସଂପର୍କରେ ଟଣାଓଟରା ଲାଗି ରହିବା ସ୍ୱାଭାବିକ । ମହାମାରୀ ପୂର୍ବରୁ ତିନି ବର୍ଷ ଧରି ଭାରତରେ ଓଟିଟି ପ୍ରଦର୍ଶନ ବ୍ୟବସାୟ ଭିତ୍ତିଭୂମି ସୃଷ୍ଟି କରିସାରିଥିଲା । ତତ୍ ପରବର୍ତ୍ତୀ ମହାମାରୀ କାଳରେ ଦୀର୍ଘ ଦୁଇବର୍ଷ ଧରି ପ୍ରେକ୍ଷାଳୟଗୁଡ଼ିକ ବନ୍ଦ ରହିବା ଫଳରେ ଓଟିଟି ବ୍ୟବସାୟ ସଶକ୍ତ ହୋଇପାରିଥିଲା । ଜନସାଧାରଣ ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ରୂପାନ୍ତରିକରଣ ପରିବେଶକୁ ଲମ୍ପ ପ୍ରଦାନ କରିଥିବା ସ୍ଥଳେ ମନୋରଞ୍ଜନ କ୍ଷେତ୍ରରେ ଓଟିଟି ପ୍ରମୁଖ ସ୍ଥାନ ଅଧିକାର କରିଥିଲା ।
ଏକ ହିସାବ ଅନୁଯାୟୀ ମହାମାରୀ-ପୂର୍ବ ଅବସ୍ଥାରେ ବଲିଉଡ଼ ଚଳଚ଼ିତ୍ର ପ୍ରେକ୍ଷାଳୟ ପ୍ରଦର୍ଶନରୁ ପ୍ରଯୋଜକମାନେ ୬୦ ରୁ ୭୦ ଏବଂ ଓଟିଟି ମଞ୍ଚ ପ୍ରଦର୍ଶନରୁ ୩୦ ରୁ ୪୦ ପ୍ରତିଶତ ଆଦାୟ କରୁଥିଲେ । ମହାମାରୀ-କାଳରେ ଓଟିଟି ମଞ୍ଚ ଆୟ ୫୦ ରୁ ୬୦ ପ୍ରତିଶତକୁ ବୃଦ୍ଧି ପ୍ରାପ୍ତ ହୋଇଥିଲା । ମହାମାରୀ-ପର ଅବସ୍ଥାରେ ଓଟିଟି ମଞ୍ଚ ଆୟ ପୁଣି ୩୦ ରୁ ୪୦ ପ୍ରତିଶତକୁ ହ୍ରାସ ନପାଇ ୫୦ ପ୍ରତିଶତରେ କିଛି କାଳ ସ୍ଥିର ରହିବା ଆଶା କରାଯାଏ । ଫଳତଃ, ପରିବର୍ତ୍ତିତ ପରିବେଶରେ ବଲିଉଡ଼ ଚଳଚ଼ିତ୍ର ପ୍ରଯୋଜକମାନେ ପ୍ରେକ୍ଷାଳୟ ଓ ଓଟିଟି ମଞ୍ଚ ପ୍ରଦର୍ଶନକୁ ସମାନଭାବେ ଗୁରୁତ୍ୱଦେବା ସୁସ୍ପଷ୍ଟ ।
ମଲଟିପ୍ଳେକ୍ସ ଏସୋସିଏସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ଗଣମାଧ୍ୟମ ସହ ସାକ୍ଷାତକାର ଅବସରରେ ସୂଚ଼ିତ କରିଥିଲେ ଯେ ଭାରତରେ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକରେ ୨୦୨୨ ପ୍ରଥମାର୍ଦ୍ଧରେ ଦର୍ଶକ ଉପସ୍ଥିତି ହାର ୨୬ ରୁ ୨୭ ପ୍ରତିଶତ ରହିଥିଲା । ନିଜର ପିଭିଆର ମଲଟିପ୍ଳେକ୍ସ ଶୃଙ୍ଖଳ ‘ଚ଼େନ’ରେ ୩୬ରୁ ୩୭ ପ୍ରତିଶତ ଯାଏଁ ଦର୍ଶକ ଉପସ୍ଥିତି ଗଣନା କରାଯାଇଥିବା ମଧ୍ୟ ଦର୍ଶାଇଥିଲେ । ବଲିଉଡ଼ର ଆଗଧାଡ଼଼ିର ଚଳଚ଼ିତ୍ରଗୁଡ଼ିକ ମୁକ୍ତିଲାଭ କରିବା ଚାରି ସପ୍ତାହପରେ ଓଟିଟି ମଞ୍ଚରେ ପ୍ରଦର୍ଶନ କରିବା ନିମନ୍ତେ ସତ୍ତ୍ୱ ପ୍ରଦାନ କରୁଥିବା ହେତୁ ପ୍ରେକ୍ଷାଳୟକୁ ଦର୍ଶକ ଆସିବା ପ୍ରଭାବିତ ହେଉଥିବା କୁହାଯାଇଥାଏ । ମହାମାରୀ-ପୂର୍ବ ଅବସ୍ଥାରେ ଆଠ ସପ୍ତାହପରେ ଓଟିଟି ମଞ୍ଚରେ ପ୍ରଦର୍ଶନ ବ୍ୟବସ୍ଥା ରହୁଥିଲା । ଅଗଷ୍ଟ ୨୦୨୨ରେ ପୁଣି ଆଠ ସପ୍ତାହ ଅବଧିକୁ ଫେରିଯିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା ।
ମହାମାରୀ-ପର ଅବସ୍ଥାରେ ଓଟିଟି ମଞ୍ଚ ବଲିଉଡ଼ ଚଳଚ଼ିତ୍ର ପ୍ରଦର୍ଶନ ଏବଂ ପ୍ରେକ୍ଷାଳୟ ପ୍ରଦର୍ଶନରୁ ସମାନ ଆୟ ଆଶା କରାଯାଉଥିବା ହେତୁ ଉଭୟ ମଞ୍ଚରେ ଦର୍ଶକଙ୍କ ରୁଚ଼ି ପ୍ରତି ଗୁରୁତ୍ୱ ଦିଆଯିବା ଆବଶ୍ୟକ ପଡ଼ିବ । ସାଧାରଣରେ ସାମାଜିକ ଓ ପ୍ରଣୟଧର୍ମୀ ‘ରୋମାଣ୍ଟିକ’ ଚଳଚ଼ିତ୍ର ଓଟିଟି ମଞ୍ଚରେ ଏବଂ ଚିତ୍ତାକର୍ଷକ ଦୃଶ୍ୟସଂବଳିତ ଚଳଚ଼ିତ୍ର ପ୍ରେକ୍ଷାଳୟରେ ଦର୍ଶକମାନେ ଦେଖିବାକୁ ପସନ୍ଦ କରିବା ଧାରା ୨୦୨୨ ପ୍ରଥମାର୍ଦ୍ଧରେ ଲକ୍ଷ୍ୟ କରାଯାଇଥିଲା । ଅନ୍ୟାନ୍ୟ ଉଲ୍ଲେଖନୀୟ ଘଟଣାକ୍ରମରେ ଆଗ ଧାଡ଼ିର ବଲିଉଡ଼ ଚଳଚ଼ିତ୍ର ଓଟିଟି ମଞ୍ଚରେ ପ୍ରଦର୍ଶନ ନିମନ୍ତେ ୮୦ରୁ ୯୦ କୋଟିରେ ବିକ୍ରୟ ହୋଇଥିବା, ପ୍ରାୟ ୧୦ରୁ ୩୦ ପ୍ରତିଶତ ଚଳଚ଼ିତ୍ର ନିର୍ମାଣ ଆରମ୍ଭ ପୂର୍ବରୁ ଓଟିଟି ମଞ୍ଚଗୁଡ଼ିକ ସତ୍ତ୍ୱ କିଣି ନେଉଥିବା ଏବଂ ପ୍ରେକ୍ଷାଳୟଗୁଡ଼ିକରେ ଟିକଟ ଦର ୧୫ରୁ ୨୦ ପ୍ରତିଶତ ବୃଦ୍ଧି ପାଇଥିବା ପ୍ରଧାନ । ଦେଶରେ ଚଳଚ଼ିତ୍ର ପ୍ରେକ୍ଷାଳୟ ପ୍ରଦର୍ଶନ ଆୟ ମହାମାରୀ-ପୂର୍ବ ଅବସ୍ଥା ହିସାବ ମାସିକ ପନ୍ଦର ହଜାର କୋଟି ଟଙ୍କା ରାଜସ୍ୱରେ ପହଞ୍ଚିଯାଇଥିବା ପ୍ରକାଶ ।
ଦର୍ଶକୀୟ ରୁଚ଼ିରେ ଦୃତ ପରିବର୍ତ୍ତନ କ୍ରମଶଃ ବଲିଉଡ଼ ଚଳଚ଼ିତ୍ରର ପାରମ୍ପରିକ ଚାକଚ଼କ୍ୟକୁ ମଳିନ କରିବା ଆଶା କରାଯାଏ । ମାତ୍ର ୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଦି କାଶ୍ମୀର ଫାଇଲ୍ସ’ ୨୫୦ କୋଟି, ମୁମ୍ୱାଇର ବେଶ୍ୟାପଡ଼ା ଉପରେ ଆଧାରିତ ଏକ ରକମ କଳାତ୍ମକ ଚଳଚ଼ିତ୍ର ‘ଗଙ୍ଗୁବାଈ କାଠିଆୱାଡି‘ ୨୦୦ କୋଟି ଏବଂ ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଭୂଲଭୁଲୟାଁ-୨’ ଭଳି ରହସ୍ୟ ଓ ହାସ୍ୟରସ ମୂଳକ ଚଳଚ଼ିତ୍ର ୨୬୦ କୋଟି ବକ୍ସ ଅଫିସରେ ଆଦାୟ କରିବା ଏକ ନୂତନ ସମୀକରଣର ସୂଚ଼ନା ଦେଇଥାଏ । ଜଣେ ବହୁଳ ଚର୍ଚ୍ଚିତ ଅଭିନେତ୍ରୀଙ୍କ ଅଭିନୀତ ‘ଧକ୍କଡ଼’ ୮୬ କୋଟି ଟଙ୍କା ବ୍ୟୟରେ ଖର୍ଚ୍ଚ ହୋଇ ମାତ୍ର ଚାରି କୋଟି ବକ୍ସ ଅଫିସରୁ ଆୟ କରିବା ଏବଂ ଚଳଚ଼ିତ୍ରର ପ୍ରେକ୍ଷାଳୟ ପ୍ରଦର୍ଶନର ଅଷ୍ଟମ ଦିବସରେ ସର୍ବଭାରତୀୟସ୍ତରରେ ମାତ୍ର କୋଡ଼ିଏ ଗୋଟି ଟିକଟ ବିକ୍ରୟରୁ ଚାରି ହଜାର ଟଙ୍କା ଆଦାୟ କରିଥିବା ଉଦାହରଣ ବିସ୍ମିତ କରିଥାଏ । ବଲିଉଡ଼ ୨୦୨୨ ପ୍ରଥମାର୍ଦ୍ଧ ଭାରତୀୟ ଚଳଚ଼ିତ୍ର ଶିଳ୍ପରେ ଏକ ନୂତନ ଅଧ୍ୟାୟର ପୂର୍ବସୂଚ଼ନା ଦେଇଥିବା ସୁସ୍ପଷ୍ଟ ।
