ଆଜିର ଖାସ ଖବର
Thu. Apr 16th, 2026

ଭିଡ଼ିଓ ଷ୍ଟ୍ରୀମିଂ ମଞ୍ଚ ବିକାଶ

By Dainikasha Jul12,2024

ଭାରତୀୟ ଗଣମାଧ୍ୟମ ପରିଧିରେ ଭିଡ଼ିଓ ଷ୍ଟ୍ରୀମିଂ ବ୍ୟବସାୟ କ୍ରମାଗତଭାବେ ବୃଦ୍ଧିପାଇବାରେ ଲାଗିଛି । ପ୍ରାଇସ ୱାଟରହାଉସ କୁପରର୍ସଙ୍କ ଦ୍ୱାରା ୨୦୧୮ ଜୁନ ପ୍ରଥମ ସପ୍ତାହରେ ପ୍ରକାଶିତ ବିବରଣୀ ଅନୁଯାୟୀ ୨୦୧୭ରେ ଦେଶରେ ଭିଡ଼ିଓ ଷ୍ଟ୍ରୀମିଂ ବ୍ୟବସାୟରୁ ଆୟ ପ୍ରାୟ ୨,୦୦୦ କୋଟି ଟଙ୍କା ହିସାବ କରାଯାଇଥିବା ସ୍ଥଳେ ଆଗାମୀ ଚ଼ାରିବର୍ଷ ମଧ୍ୟରେ ୨୦୨୨ ବେଳକୁ ୫,୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇବା ଆକଳନ କରାଯାଉଛି । ୨୦୧୭ରେ ଅଭିବୃଦ୍ଧିହାର ପ୍ରାୟ ୨୩ ପ୍ରତିଶତ ରହିଥିଲା ।

ଲୋକପ୍ରିୟ ଭିଡ଼ିଓ ଷ୍ଟ୍ରୀମିଂ ମଞ୍ଚ ‘ହଟଷ୍ଟାର’ରେ ଇଣ୍ଡିଆନ ପ୍ରିମିୟର ଲିଗ୍ କ୍ରିକେଟ ଖେଳ ୨୦୧୭ରେ ୧୧ କୋଟି ୩୦ ଲକ୍ଷ ଦର୍ଶକ ଉପଭୋଗ କରିଥିବା ସ୍ଥଳେ ୨୦୧୮ରେ ଦର୍ଶକ ସଂଖ୍ୟା ୨୦ କୋଟି ୨୦ ଲକ୍ଷକୁ ବୃଦ୍ଧି ପାଇଥିବା ହିସାବ କରାଯାଇଛି । ଏଭଳି ଅଭିବୃଦ୍ଧି ହାର ବଳବତ୍ତର ରହିଲେ ୨୦୨୨ ସୁଦ୍ଧା ଭାରତ ଆନ୍ତର୍ଜାତିକସ୍ତରରେ ପ୍ରଥମ ଦଶଗୋଟି ଭିଡ଼ିଓ ଷ୍ଟ୍ରୀମିଂ ରାଷ୍ଟ୍ର ମଧ୍ୟରେ ଅନ୍ତର୍ଭୁକ୍ତ ହେବା ସଂଭବପର । ଏହି କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ସର୍ବାଗ୍ରେ ରହିଥିବାସ୍ଥଳେ ଚ଼ୀନ, ଜାପାନ, ବ୍ରିଟେନ ଓ କନାଡ଼ା ପାଞ୍ଚ ମୁଖ୍ୟ ରାଷ୍ଟ୍ରର ମାନ୍ୟତା ଦାବୀ କରିଥାନ୍ତି ।

ଭିଡ଼ିଓ ଷ୍ଟ୍ରୀମିଂ ମଞ୍ଚର ଲୋକପ୍ରିୟତା ନିମନ୍ତେ କେତେଗୋଟି କାରଣ ଚ଼ିହ୍ନଟ କରାଯାଇଥାଏ । ଇଣ୍ଟରନେଟ ସେବା ପ୍ରସାର, ବିଭିନ୍ନ ଧରଣର କମ୍ପ୍ୟୁଟିଂ ସାମଗ୍ରୀ ବ୍ୟବହାର ବୃଦ୍ଧି, ଡ଼ାଟା ଦର ହ୍ରାସ, ବହନୀୟତା ବା ‘ପୋର୍ଟାବିଲିଟି’ ତଥା ଗ୍ରାହକମାନଙ୍କୁ ବ୍ୟକ୍ତିଗତ ଆଗ୍ରହକୁ ସୁହାଇଲା ଭଳି କାର୍ଯ୍ୟକ୍ରମ ପ୍ରସାରଣ ଇତ୍ୟାଦିକୁ ପ୍ରାଧାନ୍ୟ ଦିଆଯାଇଥାଏ ।ପରିବର୍ତ୍ତିତ ପରିବେଶରେ ଯୁବଶ୍ରେଣୀରେ ଜନସଂଖ୍ୟା ବୃଦ୍ଧି, ବ୍ୟସ୍ତବହୁଳ ଜୀବନ ଶୈଳୀ, ମାତ୍ରାଧିକ ଭ୍ରମଣ ତଥା ପ୍ରଯୁକ୍ତିଗତ ସରଳତା ଭିଡ଼ିଓ ଷ୍ଟ୍ରୀମିଂକୁ ଲୋକପ୍ରିୟ କରାଇବା ତଥା ଅଧିକରୁ ଅଧିକ ଗ୍ରାହକ ସୃଷ୍ଟିରେ ସହାୟକ ହେଉଥିବା ବିଶ୍ୱାସ କରାଯାଏ ।

ଭାରତରେ ଟେଲିଭିଜନ ଦର୍ଶକ ସଂଖ୍ୟା ସର୍ବୋଚ୍ଚ ସ୍ଥାନ ଦାବୀ କରିଥାଏ । ୨୦୧୮ ମଧ୍ୟଭାଗ ସୁଦ୍ଧା ୧୮ କୋଟି ୩୦ ଲକ୍ଷ ପରିବାର ନିକଟରେ ଟେଲିଭିଜନ ସେଟ ଉପଲବ୍ଧ ଏବଂ ୯୧ କୋଟି ୫୦ ଲକ୍ଷ ଦର୍ଶକ ଦୈନିକ ହାରାହାରି ତିନିଘଣ୍ଟା ଟେଲିଭିଜନ କାର୍ଯ୍ୟକ୍ରମ ଉପଭୋଗ କରିଥାନ୍ତି । ଅପରପକ୍ଷେ ୪୨ କୋଟି ୪୦ ଲକ୍ଷ ଲୋକ ଇଣ୍ଟରନେଟ ସହ ସଂଯୁକ୍ତ ହୋଇଥିବା ସ୍ଥଳେ ସେଥି ମଧ୍ୟରେ ୩୦ କୋଟି ବ୍ରଡ଼ବେଣ୍ଡ ସେବା ପର୍ଯ୍ୟାୟଭୁକ୍ତ । ଆମ ଦେଶରେ ୧୦ କୋଟି ପରିବାରଙ୍କ ନିକଟରେ ଟେଲିଭିଜନ ସେଟ ନଥିବା ହିସାବ କରାଯାଇଥାଏ ।

ଭିଡ଼ିଓ ଷ୍ଟ୍ରୀମିଂ ମଞ୍ଚରେ ପ୍ରାୟ ତିନି ଡ଼ଜନରୁ ଉର୍ଦ୍ଧ୍ୱ ମନୋରଞ୍ଜନ ଆପ୍ଲିକେସନ ବା ‘ଆପ’ ମଧ୍ୟରୁ ହଟଷ୍ଟାର, ନେଟଫ୍ଳିକ୍ସ ଓ ଆମେଜନ ପ୍ରାଇମ ଲୋକପ୍ରିୟତାରେ ଶୀର୍ଷସ୍ଥାନ ଅଧିକାର କରିଥାନ୍ତି । ଭିଡ଼ିଓ ଷ୍ଟ୍ରୀମିଂ କ୍ଷେତ୍ରରେ ଗ୍ରାହକ ଚ଼ାନ୍ଦା ବା ସବସ୍କ୍ରିପସନ ୨୦୧୭ରେ ଆୟର ୭୦ ପ୍ରତିଶତ ଗଣତି କରାଯାଇ ଥିବାବେଳେ ୨୦୨୨ରେ ଗ୍ରାହକ ଚ଼ାନ୍ଦା ମୋଟ ଆୟର ୮୦ ପ୍ରତିଶତକୁ ବୃଦ୍ଧି ପାଇବା ଆଶା କରାଯାଉଛି । ନେଟଫ୍ଳିକ୍ସ ଗ୍ରାହକ ଚ଼ାନ୍ଦାକେନ୍ଦ୍ରୀକ ହୋଇଥିବା ସ୍ଥଳେ ହଟଷ୍ଟାର ହାଇବ୍ରିଡ଼ ମଡ଼େଲରେ କେତେକ କାର୍ଯ୍ୟକ୍ରମ ବିନାମୂଲ୍ୟରେ ପ୍ରଦର୍ଶିତ କରାଇ ବିଜ୍ଞାପନ ରାଜସ୍ୱ ଆଦାୟ କରୁଛି ଏବଂ ଅନ୍ୟ କେତେକ କାର୍ଯ୍ୟକ୍ରମ ପ୍ରଦର୍ଶନ ପାଇଁ ଗ୍ରାହକ ଚ଼ାନ୍ଦା ଆଦାୟ କରିଥାଏ । ତେବେ ଭିଡ଼ିଓ ଷ୍ଟ୍ରୀମିଂ କ୍ଷେତ୍ରରେ କ୍ରମଶଃ ବିଜ୍ଞାପନରହିତ କାର୍ଯ୍ୟକ୍ରମ ଉପଭୋଗ ନିମନ୍ତେ ଉପଭୋକ୍ତାମାନଙ୍କ ଆଗ୍ରହ ବଢୁଥିବା ଅବସରରେ ଭବିଷ୍ୟତରେ ଏହି ମଞ୍ଚ ଅଧିକରୁ ଅଧିକ ଗ୍ରାହକଚାନ୍ଦା ପରିପୁଷ୍ଟ ହେବା ଯୁକ୍ତିଯୁକ୍ତ ମନେହୁଏ ।

ଭିଡ଼ିଓ ଷ୍ଟ୍ରୀମିଂ ମଞ୍ଚରେ ଗ୍ରାହକଚ଼ାନ୍ଦାର ପ୍ରସାର ଗଣମାଧ୍ୟମରେ ଉତ୍କର୍ଷତା ବିକାଶ ନିମନ୍ତେ ଦ୍ୱାର ଉନ୍ମୁକ୍ତ କରିବ ବୋଲି ଆଶା କରାଯାଇପାରେ । ସାଧାରଣ ବର୍ଗର ଦର୍ଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ କଳାତ୍ମକ ଅଭିବ୍ୟକ୍ତିରୁ ଓହରିଯାଇ ବ୍ୟାବସାୟିକ ଧାରାରେ ମନୋନିବେଶ ଚଳଚ଼ିତ୍ର ଓ ଟେଲିଭିଜନ କାର୍ଯ୍ୟକ୍ରମଗୁଡ଼ିକର ଅଧୋଗତିର ମୁଖ୍ୟ କାରଣ । ଦର୍ଶକ ସଂଖ୍ୟା ବିଜ୍ଞାପନ ଆୟ ଉପରେ ନିର୍ଭରଶୀଳ ରହୁଥିବା ହେତୁ ବିଜ୍ଞାପନ ରାଜସ୍ୱ ଆଦାୟ ଲକ୍ଷ୍ୟରୁ ବିଚ୍ୟୁତ ହେଲେ ଉତ୍ପାଦର ଗୁଣବତ୍ତାପ୍ରତି ଧ୍ୟାନ ଆକର୍ଷିତ ହେବ । ଅପରପକ୍ଷେ ଉପଭୋକ୍ତାମାନେ ସାମଗ୍ରୀକ ଆକର୍ଷଣ ବଦଳରେ ବ୍ୟକ୍ତିଗତ ମନପସନ୍ଦର କାର୍ଯ୍ୟକ୍ରମ ଗ୍ରାହକଚ଼ାନ୍ଦା ଦେଇ ଉପଭୋଗ କରିପାରିବେ । ଗ୍ରାହକଙ୍କ ଦାବୀ ଉତ୍ପାଦର ମାନ ବୃଦ୍ଧିରେ ସହାୟକ ହେବ । ଅପରପକ୍ଷେ ଭିଡ଼ିଓ ଷ୍ଟ୍ରୀମିଂରେ ଗ୍ରାହକ ଶ୍ରେଣୀଭୁକ୍ତ ହେବା ଅଭ୍ୟାସ ଗଣମାଧ୍ୟମର ଅନ୍ୟାନ୍ୟ ମଞ୍ଚ ଯଥା: ସଂବାଦପତ୍ର, ରେଡ଼ିଓ ଓ ଟେଲିଭିଜନକୁ ମଧ୍ୟ ପ୍ରଭାବିତ କରିବା ସଂଭବପର ।

ଭାରତ ଭଳି ବହୁଭାଷୀ ରାଷ୍ଟ୍ରରେ ଭିଡ଼ିଓ ଷ୍ଟ୍ରୀମିଂ ଗଭୀର ଆଞ୍ଚଳିକସ୍ତରରେ ପ୍ରସାରଣ ସେବା ଉନ୍ମୋଚ଼ନରେ ସହାୟକ ହୋଇପାରେ । ସାଟେଲାଇଟ ଟେଲିଭିଜନ ଚ଼୍ୟାନେଲ ପ୍ରଯୋଜନା ଖର୍ଚ୍ଚବହୁଳ ହେଉଥିବା ଏବଂ ଅଳ୍ପ ସଂଖ୍ୟକ ଭାଷାଭାଷୀ ଦର୍ଶକ କାରଣରୁ ବିଜ୍ଞାପନ ରାଜସ୍ୱ ଅଭାବ ହେତୁ ସମସ୍ତ ଆଞ୍ଚଳିକ ଭାଷାରେ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସାରଣ ସଂଭବପର ହୋଇପାରୁ ନାହିଁ । ଭିଡ଼ିଓ ଷ୍ଟ୍ରୀମିଂ ଗ୍ରାହକ ଚ଼ାନ୍ଦା ସଂଗ୍ରହରେ ଉର୍ବର ପରିବେଶ ସୃଷ୍ଟି କରିପାରିଲେ କମ ସଂଖ୍ୟକ ଦର୍ଶକଙ୍କ ପାଇଁ ୱେବ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସାରଣ ବ୍ୟାବସାୟିକ ଦୃଷ୍ଟିରୁ ଲାଭଜନକ ହୋଇପାରେ । ଏହି ଧାରା ଆଞ୍ଚଳିକ କଳା ଓ ସଂସ୍କୃତି ସଂରକ୍ଷଣରେ ସହାୟକ ହେବା ସାଙ୍ଗକୁ ମନୋରଞ୍ଜନ ଶିଳ୍ପରେ ଅଧିକ ନିଯୁକ୍ତି ସୃଷ୍ଟି କରିବ । ସେହିଭଳି ଦର୍ଶକଙ୍କ ଚ଼ାହିଦା ମୁତାବକ ରାନ୍ଧଣାଠାରୁ ଆରମ୍ଭକରି ନିର୍ଦ୍ଧିଷ୍ଟ ଧର୍ମଭାବନା ସଂବଳିତ ସଂକୀର୍ଣ୍ଣ ବିଷୟକ ଟେଲିଭିଜନ ସେବାର ବ୍ୟାବସାୟିକ ମଡ଼େଲ ମଧ୍ୟ ଆଶା କରାଯାଇପାରେ ।

ଯୁକ୍ତରାଷ୍ଟ୍ର ଆମେରିକାରେ ଭିଡ଼ିଓ ଷ୍ଟ୍ରୀମିଂ କେବଲ ଟେଲିଭିଜନକୁ ପରାହତ କରିଛି । ଏହାର ମୁଖ୍ୟ କାରଣ ହେଲା ସେଠାରେ କେବଲ ଟେଲିଭିଜନ ଗ୍ରାହକ ଚ଼ାନ୍ଦା ମାସିକ ୨,୮୦୦ ରୁ ୫,୬୦୦ ଟଙ୍କା ପଡୁଥିବା ସ୍ଥଳେ ନେଟଫ୍ଳିକ୍ସ ଭଳି ଭିଡ଼ିଓ ଷ୍ଟ୍ରୀମିଂ ମାସିକ ଗ୍ରାହକ ଚ଼ାନ୍ଦା ୫୬୦ ରୁ ୮୪୦ ଟଙ୍କାରେ ସଂଭବପର । ତେବେ ଭାରତରେ କେବଲ ଟେଲିଭିଜନ ମାସିକ ଗ୍ରାହକ ଚ଼ାନ୍ଦା ୧୪୦ ରୁ ୨୧୦ ଟଙ୍କା ମଧ୍ୟରେ ସୀମିତ ଥିବାସ୍ଥଳେ ଭିଡ଼ିଓ ଷ୍ଟ୍ରୀମିଂ ଗ୍ରାହକ ଚ଼ାନ୍ଦା ଆକର୍ଷଣୀୟ ମନେହୁଏ ନାହିଁ । ତେଣୁ ଆମେରିକାର ଉଦାହରଣ ଆମ ଦେଶରେ ଆଶା କରାଯାଇ ନପାରେ । ତେବେ ଭିଡ଼ିଓ ଷ୍ଟ୍ରୀମିଂ ଯେ ଏକ ସ୍ୱତନ୍ତ୍ର ମଞ୍ଚ ରୂପେ ଦର୍ଶକ ମହଲରେ ସ୍ୱୀକୃତି ହାସଲ କରିସାରିଲାଣି ଏଥିରେ ସନ୍ଦେହ ନାହିଁ ।  

Related Post