ଓଭର-ଦି-ଟପ ବା ଓଟିଟି ମଞ୍ଚକୁ ଷ୍ଟ୍ରୀମିଂ ଟେଲିଭିଜନ ମଧ୍ୟ ନାମିତ କରାଯାଇଥାଏ । ଭାରତରେ ମହାମାରୀ-ପୂର୍ବ ଅବସ୍ଥାରୁ ଓଟିଟି ମଞ୍ଚ ବିକଶିତ ହୋଇ ମହାମାରୀ କାଳରେ ଲୋକପ୍ରିୟତା ହାସଲ କରିଥିଲା । ମହାମାରୀ-ପର ଗଣମାଧ୍ୟମ ପରିଧିରେ ଏହାର ବ୍ୟାପକ ପ୍ରସାର ଆଶା କରାଯାଉଛି । ପ୍ରକାଶିତ ବିଭିନ୍ନ ବିବରଣୀ ଅନୁଯାୟୀ ୨୦୨୧ରେ ଦେଶରେ ଓଟିଟି ମଞ୍ଚ ଉଭୟ ଉପଭୋକ୍ତା ସଂଖ୍ୟାବୃଦ୍ଧି ଓ ପ୍ରସାରିତ କାର୍ଯ୍ୟକ୍ରମର ଗୁଣାତ୍ମକ ବିକାଶ ନିମନ୍ତେ ବଦ୍ଧପରିକର ରହିଥିଲା ।
ଭାରତରେ ୨୦୨୧ ଆରମ୍ଭ ସୁଦ୍ଧା ପ୍ରାୟ ୪୦ରୁ ଅଧିକା ଓଟିଟି ମଞ୍ଚ ପ୍ରଚଳିତ ଥିଲା । ‘ବିଗ୍ ଫ୍ଲିକ୍ସ’ ପ୍ରଥମ ଓଟିଟି ମଞ୍ଚ ଭାବେ ୨୦୦୮ରେ ଆତ୍ମପ୍ରକାଶ କରିଥିଲା । ‘ନେକ୍ସ ଜିଓଭି’ ୨୦୧୦ରେ ସ୍ମାର୍ଟଫୋନ ଉପଯୋଗୀ ପ୍ରଥମ ଓଟିଟି ଆପ । ତେବେ ୨୦୧୩ରେ ଜୀର ‘ଡିଟୋ ଟିଭି’ ଓ ‘ସୋନି ଲିଭ’, ୨୦୧୫ରେ ‘ନେଟଫିକ୍ସ’ ତଥା ୨୦୧୬ରେ ‘ଆମେଜନ ପ୍ରାଇମ ଭିଡ଼ିଓ’ ଆରମ୍ଭ ହେବାପରେ ଓଟିଟି ମଞ୍ଚ ଲୋକପ୍ରିୟତା ହାସଲ କରିଥିଲା ।
୨୦୧୫ରୁ ୨୦୨୦ ଯାଏଁ କ୍ରମାଗତଭାବେ ଦେଶରେ ନୂତନ ଓଟିଟି ମଞ୍ଚ ଓ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିଲା । ୨୦୧୫ରେ ନେଟଫ୍ଳିକ୍ସ ସହ ଡିସନୀ + ହଟଷ୍ଟାର, ଏରସ ନାଓ, ହଙ୍ଗାମା ପ୍ଳେ , ଭିଉ ଓ ଟିଭିଏଫ ପ୍ଳେ , ୨୦୧୬ରେ ଆମେଜନ ପ୍ରାଇମ ଭିଡ଼ିଓ ସହ ଭୂତ ଓ ଜିଓ ସିନେମା, ୨୦୧୭ରେ ଆଲଟ ବାଲାଜୀ, ହଇଚଇ ଓ ସନ ନେକ୍ସଟ, ୨୦୧୮ରେ ଜୀ୫, ଏମଏକ୍ସ ପ୍ଳେୟାର, ଜୟଟିଭି ଓ ଉଲୁ ଆପ, ୨୦୧୯ରେ ମୁବି, ସେମରାଓ ମି, ମନୋରମା ମାକ୍ସ ଓ ଇଣ୍ଡିଆ ସର୍ଟସ ଏବଂ ୨୦୨୦ରେ ଆହା, କ୍ୱିବି ଓ ପ୍ରାଇମ ରିଲ୍ସ ଇତ୍ୟାଦି ଆରମ୍ଭ ହୋଇଥିଲା ।
ବଙ୍ଗଳା ‘ହଇଚଇ’ ଆଞ୍ଚଳିକ ଭାଷାରେ ପ୍ରଥମ ଓଟିଟି ମଞ୍ଚର ମାନ୍ୟତା ପାଉଥିବା ସ୍ଥଳେ ତେଲୁଗୁଭାଷାରେ ‘ଆହା’ ଏବଂ ଓଡ଼ିଆ ଭାଷାରେ ‘ଓଲି ପ୍ଳସ’ ଅନ୍ୟ ଦୁଇ ଚର୍ଚ୍ଚିତ ମଞ୍ଚ । ଚ଼େନ୍ନାଇଭିତ୍ତିକ ‘ସନ ନେକ୍ସଟ’ ପକ୍ଷରୁ ତାମିଲ, ତେଲୁଗୁ, ମାଳାୟାଳମ, କନ୍ନଡ଼ ଓ ବଙ୍ଗାଳୀ ଭାଷାକେନ୍ଦ୍ରୀକ ଓଟିଟି ମଞ୍ଚ ପ୍ରସାରିତ ।
୨୦୨୧ରେ ଏପଲ ଟିଭି, ହେଚବିଓ ମାକ୍ସ, ଷ୍ଟାରଜ, ଡ଼ିସକଭରି +, ବୁକ-ମାଇ-ସୋ, ବିଗ-ବ୍ୟାଙ୍ଗ-ଏମ୍ୟୁଜମେଣ୍ଟ ଇତ୍ୟାଦି ଓଟିଟି ମଞ୍ଚ ପକ୍ଷରୁ ବ୍ୟାପକ ସଂପ୍ରସାରଣ ଯୋଜନାମାନ କାର୍ଯକାରୀ କରାଯାଇଥିଲା । ଏପେଲ ଟିଭି ଓ ଷ୍ଟାରଜ ପକ୍ଷରୁ ଭାରତରେ ମୌଳିକ କାର୍ଯ୍ୟକ୍ରମ ପ୍ରସ୍ତୁତ ନିମନ୍ତେ ପଦକ୍ଷେପ ନିଆଯାଇଥିଲା । ଡିସକଭରି + ପାଇଁ ମୌଳିକ କାର୍ଯ୍ୟକ୍ରମ ପ୍ରସ୍ତୁତି ଆରମ୍ଭ ନିମନ୍ତେ ମନୋଜ ବାଜପେୟୀ ଓ ରଣଦୀପ ହୁଡ଼ା ପ୍ରମୁଖଙ୍କ ସହ ଚୁକ୍ତି ହୋଇଥିଲା ।
ବୁକ-ମାଇ-ସୋ ଚଳଚ଼ିତ୍ର, ନାଟକ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନଲାଇନ ଟିକଟ ବିକ୍ରୀରେ ସଫଳତା ଲାଭ କରିଥିବା ସ୍ଥଳେ ଓଟିଟି ମଞ୍ଚରେ ମୁଖ୍ୟତଃ ଚଳଚ଼ିତ୍ରଭିତ୍ତିକ ଭିଡ଼ିଓ-ଅନ-ଡିମାଣ୍ଡ ସେବା ଆରମ୍ଭ କରିଛି । ପ୍ରାଥମିକ ଭାବେ ୬୦୦ଚଳଚ଼ିତ୍ର ଦର୍ଶକମାନେ ଥରେ ଦେଖିବା ନିମନ୍ତେ କିମ୍ୱା ଡ଼ାଉନଲୋଡ଼ କରିବା ସୁବିଧା ପାଇପାରୁଛନ୍ତି । ଏଥିରେ ଖ୍ରୀଷ୍ଟଫର ନାଲୋନଙ୍କ ‘ଟେନେଟ’, ଗାଲ ଗୋଡ଼ଟଙ୍କ ‘ୱାଣ୍ଡର ଉମେନ ୧୯୮୪’ ଓ ‘ଦି କ୍ରାଫଟ ଲିଗାସି’ ଭଳି ଚଳଚ଼ିତ୍ର ସାମିଲ ହୋଇଛି ।
ଆମ ଦେଶରେ ସର୍ଟ ଫିଲ୍ମ ସଂଖ୍ୟା ବୃଦ୍ଧି ପାଇଚାଲିଥିଲେ ହେଁ ଏହାର ଦେୟଯୁକ୍ତ ପ୍ରଦର୍ଶନ ନିମନ୍ତେ ସୁଯୋଗ ସୃଷ୍ଟି ହୋଇ ପାରିନଥିଲା । ଫଳରେ ସର୍ଟ ଫିଲ୍ମ ପ୍ରଯୋଜକମାନେ ଫିଲ୍ମ ଫେଷ୍ଟିଭାଲ କିମ୍ୱା ୟୁଟ୍ୟୁବରେ ମାଗଣାରେ ଚଳଚ଼ିତ୍ର ପ୍ରଦର୍ଶନରେ ସୀମିତ ରହୁଥିଲେ । ବିଗ-ବ୍ୟାଙ୍ଗ-ଏମ୍ୟୁଜମେଣ୍ଟ ପକ୍ଷରୁ ମୌଳିକ ସର୍ଟଫିଲ୍ମ ଷ୍ଟ୍ରୀମିଂର ବ୍ୟବସ୍ଥା କରାଯାଇଛି । ଫେବୃୟାରୀରୁ ମାସିକ ଏକ ଟଙ୍କା ଦେୟରେ ପ୍ରତ୍ୟେହ ଗୋଟିଏ ନୂତନ ଫିଲ୍ମ ପ୍ରଦର୍ଶିତ ହୋଇଥିଲା । ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ଅଧିକ ସର୍ଟଫିଲ୍ମ ମଞ୍ଚରେ ଗଚ୍ଛିତ ରଖାଯାଇଥିଲା ।
କ୍ରମବିକଶିତ ଓଟିଟି ମଞ୍ଚ ଭାରତୀୟ ଦୃଶ୍ୟଶ୍ରାବ୍ୟ ମନୋରଞ୍ଜନ ଶିଳ୍ପକୁ ପ୍ରଭାବିତ କରିସାରିଛି ବୋଲି କହିବାକୁ ହେବ । ମହାମାରୀ ପୂର୍ବରୁ ସର୍ବଭାରତୀୟସ୍ତରରେ ଓଟିଟି ମଞ୍ଚ ନିଜର ଆସ୍ଥାନ ଜମାଇ ସାରିଥିବା ସ୍ଥଳେ ମହାମାରୀରେ ଚଳଚ଼ିତ୍ର ପ୍ରେକ୍ଷାଳୟଗୁଡ଼ିକ ଦୀର୍ଘ କାଳ ଯାଏଁ ବନ୍ଦ ରହିବା ଏବଂ ସାଧାରଣ ଉପଭୋକ୍ତାଙ୍କ ଇଣ୍ଟରନେଟ ଆହରଣ, ମୁଖ୍ୟତଃ ମୋବାଇଲଫୋନ ବ୍ୟବହାର ସମୟସୀମା ବୃଦ୍ଧି ଓଟିଟି ମଞ୍ଚର ପ୍ରସାରକୁ ସୁହାଇଥିଲା । ମହାମାରୀ-ପର ଅବସ୍ଥାରେ ମଧ୍ୟ ସଂକ୍ରମଣ ଭୟରେ ଭିଡ଼ରୁ ଦୂରେଇ ରହିବା ପାଇଁ ଚଳଚ଼ିତ୍ର ପ୍ରେକ୍ଷାଳୟରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇ ପାରିନଥିଲା । ଏହି ଅବସ୍ଥା ଦୀର୍ଘକାଳ ଯାଏଁ ବଳବତ୍ତର ରହିବା ଆଶା କରାଯାଉଥିବା ହେତୁ ଓଟିଟି ମଞ୍ଚଗୁଡ଼ିକ ବ୍ୟାପ୍ତିର ମୁଖ୍ୟ କାରଣ ।
ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକରେ ଇଣ୍ଟରନେଟ ପ୍ରସାର, ଆହରଣ ଉପକରଣ ଜନସାଧାରଣଙ୍କ ହାତପାଆନ୍ତାରେ ପହଞ୍ଚିବା ତଥା ବ୍ୟାବହାରିକ ଖର୍ଚ୍ଚ ହ୍ରାସ ହେତୁ ମନୋରଞ୍ଜନ ଶିଳ୍ପରେ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି ହୋଇଥିଲା । ଉଭୟ ଚଳଚ଼ିତ୍ର ଓ ଟେଲିଭିଜନ କାର୍ଯ୍ୟକ୍ରମ ଉପଭୋକ୍ତାଙ୍କ ଲାପଟପ, ଟେବଲେଟ, ସ୍ମାର୍ଟଫୋନ ପରଦାରେ ପ୍ରଦର୍ଶନର ସୁବିଧା ଫଳରେ ପୂର୍ବପ୍ରଚଳିତ ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତାଙ୍କ ଏକଚାଟିଆ ବ୍ୟାବସାୟିକ ମଡ଼େଲ ଭୁଷୁଡ଼ି ପଡ଼ିଥିଲା ।
ମନୋରଞ୍ଜନ ଶିଳ୍ପର ପ୍ରମୁଖ ଉପଭୋକ୍ତା ଯୁବବର୍ଗ ପରିବର୍ତ୍ତିତ ଜୀବନ ଶୈଳୀରେ ଚଳଚ଼ିତ୍ର ଓ ଟିଲିଭିଜନ କାର୍ଯ୍ୟକ୍ରମ ଉପଭୋଗ ନିମନ୍ତେ ନିର୍ଦ୍ଦିଷ୍ଟ ସ୍ଥାନରେ, ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚିବା ବଦଳରେ ନିଜସ୍ୱ ଉପକରଣ ମାଧ୍ୟମରେ ଆହରଣ ଅଭ୍ୟାସ ଆପଣାଇବାକୁ ଲାଗିଲେ । ବୈଷୟିକ କାରିଗରୀ କୌଶଳରେ କ୍ଳାଉଡ଼ କମ୍ପ୍ୟୁଟିଂ ତଥ୍ୟ ଗଚ୍ଛିତ ରଖିବା ତଥା ବିତରଣ ଲାଗି ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରିପାରିଲା । ଏହି ପରିସ୍ଥିତିରେ ବିଶ୍ୱବ୍ୟାପୀ ଷ୍ଟ୍ରୀମିଂଧାରାର ଆଦର ବଢ଼ିଲା ଏବଂ ଭାରତ ମଧ୍ୟ ସେହି ଧାରାରେ ସାମିଲ ହେଲା ।
କେତେକ ପରିସଂଖ୍ୟାନ ଅନୁଯାୟୀ ୨୦୨୧ ଆରମ୍ଭ ସୁଦ୍ଧା ଦେଶରେ ଇଣ୍ଟରନେଟ ସଂଯୁକ୍ତି ୬୮ କୋଟି ୭୬ ଲକ୍ଷରେ ପହଞ୍ଚିଥିବା ସ୍ଥଳେ ସ୍ମାର୍ଟଫୋନ ସଂଖ୍ୟା ୭୦ କୋଟିକୁ ବୃଦ୍ଧି ପାଇଥିଲା । ଓଟିଟି ମଞ୍ଚରେ ଗ୍ରାହକ ଶ୍ରେଣୀଭୁକ୍ତ ହେବାପାଇଁ ଭାରତୀୟମାନେ ପଛଘୁଞ୍ଚା ଦେବା ଆଶଙ୍କାରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିଥିଲା । ଆଗ ଧାଡ଼ିର ଓଟିଟି ମଞ୍ଚଗୁଡ଼ିକର ଗ୍ରାହକଚାନ୍ଦା ଆଦାୟ ଆଶାଅନୁରୂପ ଥିବା ସ୍ଥଳେ ୟୁଟ୍ୟୁବ ଭଳି ବିଜ୍ଞାପନଭିତ୍ତିକ ମଞ୍ଚଗୁଡ଼ିକରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ବିଜ୍ଞାପନ ପ୍ରଦର୍ଶିତ ହେଉଛି । ଦର୍ଶକଙ୍କୁ ଆକର୍ଷିତ କରିବା ନିମନ୍ତେ ପାରମ୍ପରିକ ଚଳଚ଼ିତ୍ର ଓ ଟେଲିଭିଜନଠାରୁ ଗୁଣାତ୍ମକ ଉପାଦାନ ‘କଣ୍ଟେଣ୍ଟ’ ପ୍ରସ୍ତୁତ ପାଇଁ ଓଟିଟି ମଞ୍ଚଗୁଡ଼ିକ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ।
ଏହି ଦୌଡ଼ରେ ଓଟିଟି ମଞ୍ଚର ଉପାଦାନଗୁଡ଼ିକରେ କଳାତ୍ମକ ଅଭିବ୍ୟକ୍ତି ସାଙ୍ଗକୁ ହିଂସା, ନଗ୍ନତା, ବିଦ୍ୱେଷ ସମ୍ୱଳିତ ଚ଼ିତ୍ରାଙ୍କନର ସୀମା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଚଳଚ଼ିତ୍ର ଯାଞ୍ଚ ନିମନ୍ତେ ‘ସେନସର ବୋର୍ଡ଼’, ଟେଲିଭିଜନ କାର୍ଯ୍ୟକ୍ରମ ଯାଞ୍ଚ ନିମନ୍ତେ ‘ବ୍ରଡ଼କାଷ୍ଟ କଣ୍ଟେଣ୍ଟ କମ୍ପ୍ଳେଣ୍ଟ କାଉନସିଲ’ ଭଳି ସଂସ୍ଥା ନିୟୋଜିତ ଥିବା ସ୍ଥଳେ ଓଟିଟି ମଞ୍ଚର ଉପାଦାନର ଗୁଣବତ୍ତା ଯାଞ୍ଚ କିମ୍ୱା ଦର୍ଶକଙ୍କ ଅଭିଯୋଗ ବିଚାର ନିମନ୍ତେ କୌଣସି ବ୍ୟବସ୍ଥା ଆରମ୍ଭ ହୋଇପାରି ନାହିଁ । ଏହାକୁ ନେଇ ବିଭିନ୍ନସ୍ତରରେ ଆଲୋଚନା-ସମାଲୋଚନା, ଏପରିକି ନ୍ୟାୟଳୟର ହସ୍ତକ୍ଷେପ ଆବେଦନ ଅବସରରେ ଉଭୟ ଓଟିଟି ମଞ୍ଚ ପ୍ରଯୋଜକ ଓ ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ନିମନ୍ତେ ଉଦ୍ୟମ ଜାରି ରହିଛି ।
ଓଟିଟି ମଞ୍ଚ ପ୍ରଯୋଜକମାନେ ଚଳଚ଼ିତ୍ର ପ୍ରଦର୍ଶନ ପୂର୍ବ ଯାଞ୍ଚ ଲାଗି ସରକାରୀସ୍ତରରେ ସେନସର ବୋର୍ଡ ବଦଳରେ ଟେଲିଭିଜନ ଭଳି ବୈଧାନିକ ନୀତିନିୟମ ପ୍ରସ୍ତୁତି ଓ ପ୍ରଦର୍ଶନଜନିତ ଅଭିଯୋଗ ବିଚାର ନିମନ୍ତେ ବ୍ୟବସ୍ଥା ସୃଷ୍ଟିଲାଗି ଆଗ୍ରହୀ । ଏଥିଲାଗି ୨୦୧୯ ଓ ୨୦୨୦ ଦୁଇ ବର୍ଷ ମଧ୍ୟରେ ଓଟିଟି ମଞ୍ଚଗୁଡ଼ିକର ଶୀର୍ଷ ସଂଗଠନ ‘ଇଣ୍ଟରନେଟ ଏଣ୍ଡ ମୋବାଇଲ ଏସୋସିଏସନ ଅଫ ଇଣ୍ଡିଆ’ ମାଧ୍ୟମରେ ତିନିଗୋଟି ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇଥିଲା । ତେବେ ସରକାର ସେଗୁଡ଼ିକୁ ଗ୍ରହଣ କରିନଥିଲେ ।
କେନ୍ଦ୍ର ସରକାର ଓଟିଟି ମଞ୍ଚ ସମେତ ଅନଲାଇନ ପରିବେଶରେ ଉପଲବ୍ଧ ସମସ୍ତ ଦୃଶ୍ୟ-ଶ୍ରାବ୍ୟ କାର୍ଯ୍ୟକ୍ରମ ତଥା ସମ୍ୱାଦ ଓ ସାଂପ୍ରତିକ ପ୍ରସଙ୍ଗ ଆଧାରିତ ଉପାଦାନର ନିୟନ୍ତ୍ରଣ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନକୁ ୨୦୨୦ ନଭେମ୍ୱର ମାସରେ ଆଣିଛନ୍ତି । ସରକାରଙ୍କ ପକ୍ଷରୁ ଉଭୟ ପାର୍ଲାମେଣ୍ଟ ଓ ସୁପ୍ରିମ କୋର୍ଟରେ ଖୁବ ଶୀଘ୍ର ଏଦିଗରେ ନୀତି ପ୍ରଣୟନ କରୁଥିବା କଥା ପ୍ରକାଶ କରିଛନ୍ତି ।
ଏହି ପରିସ୍ଥିତିରେ ଆମେଜନ ପ୍ରାଇମ ଭିଡ଼ିଓରେ ପ୍ରଦର୍ଶିତ ‘ତାଣ୍ଡବ’ ୱେବସିରିଜରେ ଉତ୍ତର ପ୍ରଦେଶ ପୋଲିସ ବାହିନୀ ଓ ହିନ୍ଦୁ ଦେବଦେବୀଙ୍କ ତଥା ପ୍ରଧାନମନ୍ତ୍ରୀ ଭୂମିକାର ଅପମାନସୂଚକ ଚ଼ିତ୍ରଣ ବିରୋଧରେ ବିଭିନ୍ନସ୍ତରରେ ସ୍ୱର ଉତ୍ତୋଳନ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୱେବ ସିରିଜର ପ୍ରଯୋଜକଙ୍କୁ ସମନ କରିଥିଲେ । ଓଟିଟି ମଞ୍ଚର ପରିଚାଳନା ନେଇ ସରକାରଙ୍କ ପକ୍ଷରୁ ଏହାକୁ ପ୍ରଥମ ହସ୍ତକ୍ଷେପ ବୋଲି ବିଶ୍ଳେଷକମାନେ ସୂଚାଇଥାନ୍ତି । ମିର୍ଜାପୁର-୨ ବିରୋଧରେ ମଧ୍ୟ ଅଭିଯୋଗ ପ୍ରତିଧ୍ୱନିତ ହୋଇଥିଲା ।
କେନ୍ଦ୍ର ସରକାରଙ୍କ ପ୍ରତୀକ୍ଷିତ ଡିଜିଟାଲ ମଞ୍ଚ ନିୟନ୍ତ୍ରଣଲାଗି ଯେକୌଣସି ନିୟମାବଳୀ ଗଣମାଧ୍ୟମ ପରିଧିରେ ଆଲୋଡ଼ନ ସୃଷ୍ଟି କରିବ । ମହାମାରୀ-ପର ଅବସ୍ଥାରେ ବିଶ୍ୱବ୍ୟାପୀ ଡ଼ିଜିଟାଲ ମଞ୍ଚ ଜନଜୀବନରେ ଗଭୀର ପ୍ରଭାବ ବିସ୍ତାର କରିଥିବା ସ୍ଥଳେ ରାଜନୀତିକ ଦୃଷ୍ଟିକୋଣରୁ ଏହାର ନିୟନ୍ତ୍ରଣ ଲାଗି କ୍ଷମତାସୀନ ସରକାର ଆଗ୍ରାହାନ୍ୱିତ ହେବା ସ୍ୱାଭାବିକ ବୋଲି ସାଧାରଣରେ ବିଶ୍ୱାସ କରାଯାଏ । ଦୂରଦ୍ରଷ୍ଟାମାନେ ୨୦୨୧ରେ ଆନ୍ତର୍ଜାତିକସ୍ତରରେ ବିଭିନ୍ନ ରାଷ୍ଟ୍ରରେ ଡିଜିଟାଲ ମଞ୍ଚ ନିୟନ୍ତ୍ରଣ ନିମନ୍ତେ ବହୁ ନୀତିନିୟମ ପ୍ରଣୟନର ପୂର୍ବଆକଳନ କରିଥିଲେ । ଏହି ପରିବେଶରେ ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟାକୁ ପରିବ୍ୟାପ୍ତ ଡ଼ିଜିଟାଲ ମଞ୍ଚଗୁଡ଼ିକର ଭବିଷ୍ୟତ ନିୟନ୍ତ୍ରଣର ରୂପରେଖ ଗୁରୁତ୍ୱ ବହନ କରିଥାଏ ।
