ଆଜିର ଖାସ ଖବର
Mon. Jul 27th, 2026

ରବିବାସର ପତ୍ରିକା

By Dainikasha Jul11,2024

ମୁଦ୍ରିତ ଦୈନିକ ସମ୍ୱାଦପତ୍ରର କ୍ରୋଡ଼ପତ୍ର ରୂପେ ରବିବାସର ପତ୍ରିକା ପ୍ରକାଶ ପାଇଥାଏ । ମୂଳତଃ ସମ୍ୱାଦପତ୍ର ମଞ୍ଚରେ ପତ୍ରିକା ପଠନର ଅନୁଭୂତି ଚ଼ରିତାର୍ଥ କରିବା ନିମନ୍ତେ ଏହି ଉଦ୍ୟମ ଅଭିପ୍ରେତ । କ୍ୱଚିତ କେବଳ ରବିବାର ଦିନ ପତ୍ରିକାଧର୍ମୀ ସାପ୍ତାହିକ ସମ୍ୱାଦପତ୍ର ପ୍ରକାଶନ ମଧ୍ୟ ଦେଖିବାକୁ ମିଳେ ।

ଖ୍ରୀଷ୍ଟିୟ କ୍ୟାଲେଣ୍ଡରରେ ରବିବାର ସପ୍ତାହର ପ୍ରଥମ ଦିବସ । ଏହାକୁ ଉପାସନାର ଦିନ ଭାବେ ଗ୍ରହଣ କରାଯାଏ । ବିଶ୍ୱବ୍ୟାପୀ ପାଶ୍ଚାତ୍ୟ ଉପନିବେଶ ପ୍ରତିଷ୍ଠା କାଳରୁ ରବିବାର କର୍ମବିରତି ଓ ଅବସର ବେଳ ରୂପେ ଚ଼ିହ୍ନିତ ହୋଇଆସିଛି । ସପ୍ତାହର କର୍ମମୁଖର ଦିବସଗୁଡ଼ିକରେ ପ୍ରକାଶିତ ଦୈନିକ ସଂସ୍କରଣଗୁଡ଼ିକ ପଠନରେ ଉପଭୋକ୍ତାମାନେ ଦୀର୍ଘ ସମୟ ବିନିଯୋଗ କରିବା ସଂଭବପର ନଥିବା ସ୍ଥଳେ ରବିବାର ଦିନ ଅପେକ୍ଷାକୃତ ଅଧିକ ସମୟ ସମ୍ୱାଦପତ୍ର ପାଠରେ ବିତାଉଥିବା ସାଧାରଣରେ ବିଶ୍ୱାସ । ଏହି କାରଣରୁ ରବିବାସର ପତ୍ରିକା ପ୍ରକାଶ ପାଇଥାଏ ।

ମୁଦ୍ରିତ ସମ୍ୱାଦପତ୍ର ମୂଳଦୈନିକ ସଂସ୍କରଣ ସହ ରବିବାର ସଂସ୍କରଣରେ ସମ୍ୱାଦ ଉପସ୍ଥାପନ ଶୈଳୀ ପ୍ରାୟତଃ ସମାନ । କେତେକ ସମ୍ୱାଦପତ୍ର ରବିବାର ଦିନ ଅଳ୍ପ ସଂଖ୍ୟକ ବିଶ୍ଳେଷଣାତ୍ମକ ତଥା ମାନବୀୟ-ଆବେଗ-ସଂପୃକ୍ତ ସମ୍ୱାଦ ପ୍ରକାଶ ନିମନ୍ତେ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ରବିବାର ସଂସ୍କରଣରେ ସ୍ତମ୍ଭ, ସ୍ୱତନ୍ତ୍ର ପୃଷ୍ଠା ଓ ବିଜ୍ଞାପନ ପରିଶିଷ୍ଟ ମଧ୍ୟ ସନ୍ନିବଶିତ ହୋଇଥାଏ । ବୃହତ ସମ୍ୱାଦପତ୍ରଗୁଡ଼ିକରେ ଏହାର ପରିମାଣ ଅଧିକ ଦେଖିବାକୁ ମିଳେ ।

ଅଧିକାଂଶ କ୍ଷେତ୍ରରେ ମୂଳ ରବିବାର ସଂସ୍କରଣ ସହ ସ୍ୱତନ୍ତ୍ରଭାବେ ରବିବାସର ପତ୍ରିକା ବିତରଣର ବ୍ୟବସ୍ଥା କରାଯାଇଥାଏ । କ୍ଷୁଦ୍ର ପର୍ଯ୍ୟାୟଭୁକ୍ତ ସମ୍ୱାଦପତ୍ରଗୁଡ଼ିକ ବ୍ୟୟ ସଂକୋଚନ ଉଦ୍ୟମରେ ମୂଳ ସଂସ୍କରଣର କେତେଗୋଟି ପୃଷ୍ଠାରେ ରବିବାସର ପତ୍ରିକା ସ୍ଥାନିତ କରିଥାନ୍ତି । ମହାମାରୀ ‘କୋଭିଡ଼-୧୯’ ସଂକ୍ରମଣ ଓ ତତ୍ ଜନିତ ଲକଡ଼ାଉନ ପରିବେଶରେ ଆମ ଦେଶର ବହୁଳ ପ୍ରସାରିତ ଟାଇମ୍ସ ଅଫ ଇଣ୍ଡିଆ ଓ ହିନ୍ଦୁସ୍ତାନ ଟାଇମ୍ସ ସମେତ ବହୁ ସମ୍ୱାଦପତ୍ର ମୂଳ ରବିବାର ସଂସ୍କରଣ ସହ ପତ୍ରିକା ମିଶାଇ ଦେଇଥିଲେ ।

ବୃହତ ସମ୍ୱାଦପତ୍ରଗୁଡ଼ିକରେ ରବିବାସର ପତ୍ରିକା ପ୍ରଯୋଜନା ନିମନ୍ତେ ସ୍ୱତନ୍ତ୍ର ସମ୍ପାଦକୀୟ ବିଭାଗ କାର୍ଯ୍ୟ କରୁଥିବା ସ୍ଥଳେ କ୍ଷୁଦ୍ର ସମ୍ୱାଦପତ୍ରଗୁଡିକ ମୂଳ ସଂସ୍କରଣର ସମ୍ପାଦକମାନଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଥାନ୍ତି । ତେବେ ଉଭୟ କ୍ଷେତ୍ରରେ ଦୈନିକ ସଂସ୍କରଣଠାରୁ ରବିବାସର ପତ୍ରିକା ନିମନ୍ତେ ଭିନ୍ନ ସମ୍ପାଦକୀୟ ନୀତି ନିୟୋଜନ ହେଉଥିବା ସୁସ୍ପଷ୍ଟ । ମହାମାରୀ କାଳରେ ଖର୍ଚ୍ଚକାଟ ନିମନ୍ତେ ରବିବାସର ପତ୍ରିକା ସମ୍ପାଦକ ମଣ୍ଡଳୀ ମଧ୍ୟରୁ କେତେକଙ୍କୁ ଛଟେଇ କରିଦିଆଯାଇଥିବା ଦୃଷ୍ଟିରୁ ପୁନଃନିଯୁକ୍ତିର ଆଶା କ୍ଷୀଣ । ଫଳରେ ରବିବାସର ପତ୍ରିକା ପ୍ରଯୋଜନା କ୍ଷେତ୍ରରେ ବିକଳ୍ପ ଧାରା ‘ମଡ଼େଲ’ ମାନ ବିକଶିତ ହେବା ନିଶ୍ଚିତ ମନେ କରାଯାଏ ।

ପାଶ୍ଚାତ୍ୟ ସମ୍ୱାଦପତ୍ର ଶିଳ୍ପର ସମୃଦ୍ଧ ଇତିହାସ ଅନୁଧ୍ୟାନ କଲେ ସ୍ଥଳବିଶେଷରେ ପ୍ରତ୍ୟେକ ଦୈନିକ ସମ୍ୱାଦପତ୍ର ନିଜସ୍ୱ ରବିବାସର ପତ୍ରିକା ପ୍ରଯୋଜନା ନକରି ‘ସିଣ୍ଡିକେଟେଡ଼’ ଅର୍ଥାତ ସାମୂହିକସ୍ତରରେ ପ୍ରସ୍ତୁତ କୋଡ଼ପତ୍ରକୁ ରବିବାସର ସଂସ୍କରଣ ସହ ବିତରଣ କରୁଥିବା ଉଦାହରଣ ନଜରକୁ ଆସେ । ଅର୍ଥାତ ଗୋଟିଏ ସହରରୁ ପ୍ରକାଶିତ କ,ଖ,ଗ ଓ ଘ ସମ୍ୱାଦପତ୍ର ନିଜେ ଚାରିଗୋଟି ରବିବାସର କ୍ରୋଡ଼ପତ୍ର ପ୍ରକାଶନ ନକରି ‘ଚ’ କ୍ରୋଡ଼ପତ୍ରକୁ ସମସ୍ତେ ବା ଏକାଧିକ ବିତରଣର ବ୍ୟବସ୍ଥା କରିଥାନ୍ତି ।

ବିଂଶ ଶତାଦ୍ଦୀ ପ୍ରଥମାର୍ଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକାରେ ‘ଦିସ ୱିକ’ ଏକ ଉଦାହରଣ । ଏହା ୧୯୩୫ରୁ ୧୯୬୯ ମଧ୍ୟରେ ‘ନ୍ୟୂୟର୍କ ହେରାଲ୍ଡ ଟ୍ରିବ୍ୟୁନ’ ସୌଜନ୍ୟରେ ପ୍ରକାଶିତ ହେଉଥିଲା । ୧୯୬୩ରେ ‘ଦିସ ୱିକ’ ୪୨ ଗୋଟି ଭିନ୍ନ ସମ୍ୱାଦପତ୍ର ମାଧ୍ୟମରେ ରବିବାର ଦିନ ପ୍ରାୟ ଏକ କୋଟି ୪୬ ଲକ୍ଷ କିତା ବିତରଣ କରାଯାଉଥିଲା । ବିଂଶ ଶତାଦ୍ଦୀର ଶେଷଭାଗରେ ‘ପେରେଡ଼’ ଓ ‘ୟୁଏସଏ ୱିକ-ଏଣ୍ଡ’ ସିଣ୍ଡିକେଟେଡ଼ ରବିବାସର ପତ୍ରିକା ରୂପେ ଖ୍ୟାତିଲାଭ କରିଥିଲା ।

ଯୁକ୍ତରାଷ୍ଟ୍ର ଆମେରିକାରେ ୧୮୬୯ରେ ‘ସାନଫ୍ରାନ୍ସିସ୍କୋ କ୍ରୋନିକାଲ’ ଓ ୧୮୯୬ରେ ‘ନ୍ୟୂୟର୍କ ଟାଇମ୍ସ’ ରବିବାସର ପତ୍ରିକା ପ୍ରକାଶନ ଆରମ୍ଭ କରିଥିଲେ । ଜେସେଫ ପୁଲିଜରଙ୍କ ‘ନ୍ୟୁୟର୍କ ୱାର୍ଲ୍ଡ’ ଓ ଉଇଲିୟମ ରାଣ୍ଡେଲଫ ହେଷ୍ଟଙ୍କ ‘ନ୍ୟୂୟର୍କ ଜର୍ଣ୍ଣାଲ’ ରବିବାସର ପତ୍ରିକା ପ୍ରଯୋଜନାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ଡ଼ିଜିଟାଲ ମଞ୍ଚର ବ୍ୟାପ୍ତି ଓ ଅର୍ଥନୀତିକ ମାନ୍ଦାବସ୍ଥା ପରିବେଶରେ ମୁଦ୍ରିତ ସମ୍ୱାଦପତ୍ରର ବିଜ୍ଞାପନ ଆଶ୍ରିତ ମଡ଼େଲ ବିଫଳ ହେବାପରେ ଯୁକ୍ତରାଷ୍ଟ୍ର ଆମେରିକାର ସମ୍ୱାଦପତ୍ର ପ୍ରକାଶନ ପ୍ରଭାବିତ ହେବା ଅବସରରେ ରବିବାସର ପତ୍ରିକା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛି । ବିଗତ ଦଶନ୍ଧିରେ ଅର୍ଦ୍ଧେକ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ବନ୍ଦ ହୋଇଯାଇଥିବା ତଥା ଅର୍ଦ୍ଧାଧିକ ସମ୍ୱାଦଶିଳ୍ପ କର୍ମୀ ନିଯୁକ୍ତି ହରାଇଥିବା ହେତୁ ପାରମ୍ପରିକ ମଡ଼େଲରେ ରବିବାସର ପତ୍ରିକାର ପ୍ରତ୍ୟାବର୍ତ୍ତନ ଅସଂଭବ ବିଚାର କରାଯାଏ ।

ମୁଦ୍ରିତ ସମ୍ୱାଦପତ୍ରର ରବିବାସର ପତ୍ରିକା କ୍ରୋଡ଼ପତ୍ର ଆକାରରେ ବ୍ରଡ଼ସିଟ, ଟେବଲଏଡ଼ କିମ୍ୱା ମ୍ୟାଗାଜିନ ଫର୍ମାଟରେ ପ୍ରସ୍ତୁତ କରାଯାଏ । କେତେକ ବୃହତ ସମ୍ୱାଦପତ୍ର ଏକ ବଦଳରେ ଏକାଧିକ ପତ୍ରିକା ପ୍ରକାଶ କରିଥାନ୍ତି । କୌଣସି ନିର୍ଦ୍ଦିଷ୍ଟ ବିଷୟକେନ୍ଦ୍ରୀକ ସୃଜନ ପତ୍ରିକାର ବିଶେଷତ୍ୱ । ଯଥା ମହିଳା, କିଶୋର, ଯୁବ କିମ୍ୱା ଭ୍ରମଣ, ମନୋରଞ୍ଜନ ଇତ୍ୟାଦି । ସଂପୃକ୍ତ କ୍ଷେତ୍ରରେ ବିଜ୍ଞାପନ ସଂଗ୍ରହର ସମ୍ଭାବନାକୁ ଲକ୍ଷ୍ୟ ରଖି ବୃହତ ସମ୍ୱାଦପତ୍ରଗୁଡ଼ିକ ଏଭଳି ପତ୍ରିକାଗୁଡ଼ିକ ପ୍ରତି ସପ୍ତାହ ବଦଳରେ ପାକ୍ଷିକ, ମାସିକ, ଦ୍ୱି-ମାସିକ ବା ତ୍ରୟମାସିକଭିତ୍ତିରେ ମଧ୍ୟ ପ୍ରକାଶ କରିଥାନ୍ତି ।

ସମ୍ୱାଦପତ୍ର ତୁଳନାରେ ପତ୍ରିକାର ରଚନାଗୁଡ଼ିକ ଦୀର୍ଘ ଓ ଚ଼ିତ୍ରିତ । ଏହାର ଉପସ୍ଥାପନ ପରିପାଟୀ ରୀତିମତ ‘ରେଗୁଲାର’ ବଦଳରେ ମୁକ୍ତ ‘ଲିବରେଟଡ଼’ । ପତ୍ରିକାର ରଚନା ଓ ଉପସ୍ଥାପନ ଉଭୟ କ୍ଷେତ୍ରରେ ସର୍ଜନଶୀଳତାକୁ ଅଗ୍ରାଧିକାର ଦିଆଯାଏ । ପାଶ୍ଚାତ୍ୟ ସମ୍ୱାଦପତ୍ର ଇତିହାସରୁ ଜଣାଯାଏ ଯେ ଊନବିଂଶ ଶତାଦ୍ଦୀ ଶେଷଭାଗରୁ ମୁଦ୍ରଣ ଶୈଳୀ କ୍ରମବିକାଶରେ ‘ରୋଟୋଗ୍ରେଭିଏର’ ପଦ୍ଧତି ପ୍ରଣୟନ ଫଳରେ କ୍ଷୀପ୍ରଗତିରେ ଉଚ୍ଚମାନର ଆଲୋକଚିତ୍ର ମୁଦ୍ରଣ ସମ୍ଭବପର ହୋଇପାରିଲା । ସମ୍ୱାଦ ପରିବେଷଣରେ ଆଲୋକଚ଼ିତ୍ର ଚାକ୍ଷୁଷ ପ୍ରମାଣ ଅନ୍ତର୍ନିହିତ ଥିବା ହେତୁ ସମ୍ୱାଦପତ୍ରଗୁଡ଼ିକ ସେ ଦିଗରେ ଆଗ୍ରହ ପ୍ରକାଶ କରିଥିଲେ ।

ତେବେ ରଙ୍ଗୀନ ମୁଦ୍ରଣ ସମୟ ଓ ଖର୍ଚ୍ଚବହୁଳ ଥିବା ହେତୁ ସମ୍ୱାଦପତ୍ରର ଦୈନିକ ସଂସ୍କରଣ ବଦଳରେ ରବିବାସର ପତ୍ରିକା ମୁଦ୍ରଣରେ ପ୍ରଥମେ ବ୍ୟବହୃତ ହୋଇଥିଲା । ଫଳତଃ ଉନ୍ନତ ପରିପାଟୀ ପାଠକଙ୍କୁ ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଭାରତରେ ବିଂଶ ଶତାଦ୍ଦୀର ସପ୍ତମ ଦଶକ ମଧ୍ୟଭାଗରେ ଜରୁରିକାଳୀନ ପରିସ୍ଥିତି ପୂର୍ବରୁ ଟାଇମ୍ସ ଗୃପ ଭଳି ପ୍ରକାଶନ ସଂସ୍ଥା ‘ରୋଟୋଗ୍ରାଭିଏର’ ମୁଦ୍ରଣ ଯନ୍ତ୍ର ସ୍ଥାପନ କରିପାରିଥିବା ସ୍ଥଳେ ଜରୁରିକାଳୀନ-ପର ପରିବେଶରେ ରଙ୍ଗୀନ ମୁଦ୍ରଣର ବ୍ୟାପକ ପ୍ରସାର ପତ୍ରିକା ପ୍ରକାଶନ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲା । ଓଡ଼ିଶାରେ ଅଷ୍ଟମ ଦଶକ ଆରମ୍ଭରୁ ଅଫସେଟ ମୁଦ୍ରଣ ଆରମ୍ଭ ହେବା ପରେ ମଧ୍ୟ-ଭାଗରୁ ସମ୍ୱାଦପତ୍ରର ରବିବାସର ପତ୍ରିକାଗୁଡ଼ିକ ରଙ୍ଗୀନ ରୂପ ଧାରଣ କରିଥିଲା ।

ସମ୍ୱାଦପତ୍ର ପାଠକମାନଙ୍କୁ ଦୈନିକ ସଂସ୍କରଣଗୁଡ଼ିକରେ ପ୍ରକାଶିତ ସମ୍ୱାଦ ତୁଳନାରେ ପୃଥକ ଅନୁଭୂତି ପ୍ରଦାନ ଉଦ୍ଦେଶ୍ୟରେ ରବିବାସର ପତ୍ରିକାଗୁଡ଼ିକରେ କ୍ଷୁଦ୍ରଗଳ୍ପ ଓ ଧାରାବାହିକ ଉପନ୍ୟାସ ସଚ଼ିତ୍ର ପ୍ରକାଶନ ପ୍ରତି ଗୁରୁତ୍ୱ ଆରୋପ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ସାହିତ୍ୟ ବଦଳରେ ସମ୍ୱାଦଭିତ୍ତିକ ଫିଚ଼ର ପ୍ରକାଶନ ଧାରା ପ୍ରବର୍ତ୍ତିତ ହେଲା । ଓଡ଼ିଶାରେ ଜରୁରିକାଳୀନ ପରିସ୍ଥିତି-ପୂର୍ବରୁ ପ୍ରକାଶିତ ହାତଗଣତି ଦୈନିକ ସମ୍ୱାଦପତ୍ର ମଧ୍ୟରୁ ‘ପ୍ରଜାତନ୍ତ୍ର’, ‘ମାତୃଭୂମି’ ଓ ‘କଳିଙ୍ଗ’ ରବିବାସର ପତ୍ରିକା ପ୍ରକାଶନ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେ ଏବଂ ‘ସମାଜ’ ପାରମ୍ପରିକ ଆଭିମୁଖ୍ୟ ବଜାୟ ରଖିଥିଲା । ଜରୁରିକାଳୀନ ପରିସ୍ଥିତି-ପର ନୂତନ ଓଡ଼ିଆ ସାମ୍ୱାଦିକତା ପରିପ୍ରକାଶରେ ‘ସମ୍ୱାଦ’ ନେତୃତ୍ୱ ଗ୍ରହଣ କରିଥିବା ସ୍ଥଳେ ରବିବାସର ପତ୍ରିକାରେ ଫିଚ଼ର ପ୍ରକାଶନ ଧାରା ଆରମ୍ଭ କରିଥିଲା ।

ଓଡ଼ିଆ ସାମ୍ୱାଦିକତାରେ ଫିଚର ପ୍ରସ୍ତୁତିରେ ମୂଳରୁ ଦୋଷ, ଦୁର୍ବଳତା ଲାଗିରହିଛି । ଫିଚର ଲେଖକମାନେ ଆଞ୍ଚଳିକ ସମ୍ୱାଦଧର୍ମୀ ରଚନା ନିମନ୍ତେ ବିବରଣୀ ସଂଗ୍ରହ ବଦଳରେ ପ୍ରକାଶିତ ସୂତ୍ରରୁ ତଥ୍ୟ ଆହରଣରେ ଅଭ୍ୟସ୍ତ ହୋଇପଡ଼ିଲେ । ସମ୍ପାଦକୀୟ ଡ଼େସ୍କରେ ଫିଚର ପ୍ରସ୍ତୁତିରେ ତୃଣମୂଳସ୍ତରର ସାମ୍ୱାଦିକମାନଙ୍କୁ ସାମିଲ କରାଯାଇପାରିଲା ନାହିଁ । ଫଳରେ ରବିବାସର ପତ୍ରିକାଗୁଡ଼ିକ ଡ଼ାଇଜେଷ୍ଟଧର୍ମୀ ରଚନା ସମୃଦ୍ଧ ହୋଇପଡ଼ିଲା । ଦୀର୍ଘକାଳଧରି ଏହି ପଦ୍ଧତିର ଉପଯୋଗ ଫଳରେ ଉତ୍ତର ପୀଢ଼ିର ସମ୍ପାଦକମାନେ ଏହାକୁ ଆଦର୍ଶ ରୂପେ ଗ୍ରହଣ କରିନେଲେ । ଆମ ରାଜ୍ୟରେ ଗୋଟିଏ ରବିବାସର ପତ୍ରିକାଠାରୁ ଅନ୍ୟଟି କୌଣସି ଗୁଣରେ ଭିନ୍ନତା ପାଇ ହୁଏନା ।

ରବିବାସର ପତ୍ରିକା ପ୍ରଯୋଜନା ଉନ୍ନତ ଶୈଳୀର ସାମ୍ୱାଦିକତା ଆବଶ୍ୟକ କରେ । ସମ୍ୱାଦପତ୍ର ଓ ରବିବାସର ପତ୍ରିକା ମଧ୍ୟରେ ପ୍ରଭେଦ ଏହି ଯେ ଦୈନିକ ସଂସ୍କରଣରେ ପ୍ରକାଶିତ ସମ୍ୱାଦଗୁଡ଼ିକ ତତପରଦିନ ପୁରୁଣା ଆଲୋଡ଼ା ଓ ପଠନଯୋଗ୍ୟ ବିବେଚିତ ହେଉନଥିବା ସ୍ଥଳେ ସାପ୍ତାହିକ ରବିବାସର ପତ୍ରିକାର ରଚନା ଦୀର୍ଘକାଳ ଧରି ପଠନ ଉପଯୋଗୀ ବିବେଚିତ ହୋଇଥାଏ । ଏହି କାରଣରୁ ରବିବାସର ପତ୍ରିକା ପ୍ରଯୋଜନାରେ ସୃଜନ, ସମୟ ଓ ଅର୍ଥ ଆବଶ୍ୟକ ।

ସମ୍ୱାଦପତ୍ରର ମୌଳିକତା ପରିସ୍ପୁଟନରେ ରବିବାସର ପତ୍ରିକାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଏଦିଗରେ ତାଲିମ ଓ ନିବେଶ ଆବଶ୍ୟକ । ମହାମାରୀ-ପର ଅବସ୍ଥାରେ ଡ଼ିଜିଟାଲ ମଞ୍ଚରେ ଅଡ଼ିଓ ଓ ଭିଡ଼ିଓ ସାମ୍ୱାଦିକତାର ବ୍ୟାପ୍ତିରେ ମୁଦ୍ରିତ ସମ୍ୱାଦପତ୍ର ନିଜସ୍ୱ ସ୍ଥିତି ବଜାୟ ରଖିବା ନିମନ୍ତେ ରବିବାସର ପତ୍ରିକା ପ୍ରକାଶନରେ ଖାମଖିଆଲି ମନୋବୃତ୍ତି ପରିତ୍ୟାଗ କରି ସର୍ଜନଶୀଳ ଆଭିମୁଖ୍ୟ ସମୟର ଆହ୍ୱାନ ବିଚାର କରାଯିବା ଉଚିତ । 

Related Post