ଭାରତରେ ସମ୍ୱାଦ ମଞ୍ଚଗୁଡ଼ିକର ବିଶ୍ୱସନୀୟତା କ୍ରମଶଃ ହ୍ରାସ ପାଇଚାଲିଥିବା ହିସାବ କରାଯାଏ । ପ୍ରତି ତିନିଜଣ ସମ୍ୱାଦ ଉପଭୋକ୍ତାଙ୍କ ମଧ୍ୟରେ ଦୁଇଜଣ ସମକାଳୀନ ଗଣମାଧ୍ୟମରେ ଅସତ୍ୟ ସମ୍ୱାଦ ପ୍ରସାରିତ ହେଉଥିବା ଅଭିଯୋଗ କରିଥାନ୍ତି । ‘କୋଭିଡ଼-୧୯’ ମହାମାରୀକାଳରେ ଏହି ଅବକ୍ଷୟଧାରା କ୍ଷୀପ୍ର ହୋଇଥିବା ଗବେଷଣାରୁ ସୂଚ଼ିତ ।
ସାମଗ୍ରିକଭାବେ ଦେଶର ସମ୍ୱାଦ ମଞ୍ଚର ବିଶ୍ୱସନୀୟତା ପରିମାପରେ ପ୍ରସ୍ତୁତ ମୁମ୍ୱାଇସ୍ଥିତ ଗଣମାଧ୍ୟମ ପରାମର୍ଶ ସଂସ୍ଥା ‘ଓରମାକ୍ସ ମିଡ଼ିଆ’ ପକ୍ଷରୁ ‘ଫେକ୍ଟ ଅର ଫେକ ?’ର ୨୦୨୧ ସଂସ୍କରଣ ମେ’ ମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇଥିଲା । ଏହି ରିପୋର୍ଟ ପ୍ରସ୍ତୁତି ନିମନ୍ତେ ସମ୍ୱାଦ ଉପଭୋକ୍ତାମାନଙ୍କ ମଧ୍ୟରେ ଏକ ସର୍ବେକ୍ଷଣ ଏପ୍ରିଲ ୨୦୨୧ରେ ଆୟୋଜନ କରାଯାଇଥିଲା । ସେଥିରେ ୧୫ ବର୍ଷରୁ ଉର୍ଦ୍ଧ୍ୱ ୧୭ ଗୋଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଏକ ହଜାର ସହରାଞ୍ଚଳ ବାସିନ୍ଦା ଅଂଶ ଗ୍ରହଣ କରିଥିଲେ । ସେମାନଙ୍କଠାରୁ ଟେଲିଫୋନ ସାକ୍ଷାତକାର ଯୋଗେ ତଥ୍ୟ ସଂଗ୍ରହ ହୋଇ କମ୍ପ୍ୟୁଟର ସହାୟତାରେ ବିଶ୍ଳେଷଣ କରାଯାଇଥିଲା ।
ସର୍ବେକ୍ଷଣରୁ ଜଣାଯାଇଥିଲା ଯେ ଦେଶରେ ୬୫ ପ୍ରତିଶତ ଗଣମାଧ୍ୟମ ଉପଭୋକ୍ତା ଅସତ୍ୟ ସମ୍ୱାଦ ପରିବେଷଣର ଅଭିଯୋଗ କରିଥାନ୍ତି । ସମ୍ୱାଦ ମଞ୍ଚଗୁଡ଼ିକ ମଧ୍ୟରେ ମୁଦ୍ରିତ ଗଣମାଧ୍ୟମ ସର୍ବାପେକ୍ଷା ବିଶ୍ୱସନୀୟ । ସମ୍ୱାଦ ମଞ୍ଚରେ ଆସ୍ଥା ରଖୁଥିବା ଉପଭୋକ୍ତାଙ୍କ ମଧ୍ୟରେ ୬୨ ପ୍ରତିଶତ ସମ୍ୱାଦପତ୍ରଗୁଡ଼ିକୁ ବିଶ୍ୱାସଯୋଗ୍ୟ ମନେ କରିଥାନ୍ତି । ତାହା ପରକୁ ରେଡ଼ିଓକୁ ୫୬ ପ୍ରତିଶତ ଏବଂ ଟେଲିଭିଜନ ସମ୍ୱାଦକୁ ୫୩ ପ୍ରତିଶତ ବିଶ୍ୱାସକୁ ନେଇଥାନ୍ତି । ଅପରପକ୍ଷେ ମାତ୍ର ୩୭ ପ୍ରତିଶତ ଉପଭୋକ୍ତାଙ୍କ ମଧ୍ୟରେ ଡ଼ିଜିଟାଲ ସମ୍ୱାଦମଞ୍ଚ ଓ ସୋସିଆଲ ମିଡ଼ିଆରେ ପ୍ରସାରିତ ସମ୍ୱାଦ ବିଶ୍ୱାସଯୋଗ୍ୟ ବିବେଚ଼ିତ ହୋଇଥାଏ ।
ଭାରତୀୟ ଗଣମାଧ୍ୟମ ଉପତ୍ୟକାରେ ଅସତ୍ୟ ସମ୍ୱାଦର ପ୍ରାଦୁର୍ଭାବ ଅନୁଶୀଳନ କରି ‘ଓରମାକ୍ସ ମିଡ଼ିଆ’ ସେପ୍ଟେମ୍ୱର ୨୦୨୦ରେ ପ୍ରଥମ ରିପୋର୍ଟ ପ୍ରକାଶ କରିଥିଲା । ସାତମାସ ପରେ ମେ’ ୨୦୨୧ରେ ଦ୍ୱିତୀୟ ରିପୋର୍ଟ ପ୍ରସ୍ତୁତି ବେଳେ ସମ୍ୱାଦ ମଞ୍ଚଗୁଡ଼ିକ ପ୍ରତି ଉପଭୋକ୍ତାଙ୍କ ବିଶ୍ୱସନୀୟତା ୩୯ ପ୍ରତିଶତରୁ ଚାରି ପ୍ରତିଶତ ହ୍ରାସ ପାଇ ୩୫ ପ୍ରତିଶତରେ ପହଞ୍ଚିଥିବା ଜଣାଯାଏ । ଅର୍ଥାତ, ୬୫ ପ୍ରତିଶତ ଉପଭୋକ୍ତା ସମ୍ୱାଦ ମଞ୍ଚଗୁଡ଼ିକରେ ଅସତ୍ୟ ସମ୍ୱାଦ ପ୍ରସାରଣ ହେଉଥିବା ବିଶ୍ୱାସ କରିଥାନ୍ତି ।
ଗଣମାଧ୍ୟମ ସମୀକ୍ଷକମାନଙ୍କ ବିଶ୍ଳେଷଣରେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଦ୍ୱିତୀୟାର୍ଦ୍ଧରୁ ଆନ୍ତର୍ଜାତିକସ୍ତରରେ ଅସତ୍ୟ ସମ୍ୱାଦ ‘ଫେକ ନିଉଜ’ ଭୟାବହତା ଅନୁଭୂତ ହୋଇଥିଲା । ମୁଖ୍ୟତଃ ସୋସିଆଲ ମିଡ଼ିଆର ବ୍ୟାପ୍ତି ଯୁକ୍ତରାଷ୍ଟ୍ର ଆମେରିକାରେ ୧୯୧୬ ରାଷ୍ଟ୍ରପତି ନିର୍ବାଚନ ବେଳକୁ ପ୍ରମୁଖ ଗଣମାଧ୍ୟମ ମଞ୍ଚରୂପେ ଅବତୀର୍ଣ୍ଣ ହୋଇଥିବା ଅବସରରେ ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଅସତ୍ୟ ସମ୍ୱାଦର ବହୁଳ ପ୍ରସାର ଦେଖିବାକୁ ମିଳିଥିଲା । ଖୁବ କମ ସମୟ ମଧ୍ୟରେ ଏହି ଧାରା ସମଗ୍ର ବିଶ୍ୱର କୋଣ-ଅନୁକୋଣକୁ ସୋସିଆଲ ମିଡ଼ିଆର ପ୍ରସାର ସହବନ୍ଧିତ ହୋଇ ବ୍ୟାପିବାକୁ ଲାଗିଲା ।
ରାଜନୀତିକ ଅଭିସନ୍ଧିମୂଳକ ଅସତ୍ୟ ସମ୍ୱାଦ ପ୍ରସାରଣ କ୍ରମଶଃ ବ୍ୟାବସାୟିକ ଲକ୍ଷ୍ୟସିଦ୍ଧି କିମ୍ୱା ଆକ୍ରୋଶମୂଳକ ପ୍ରଚାରରେ ବ୍ୟବହୃତ ହେଲା । କେତେକ କ୍ଷେତ୍ରରେ ଏହା ପ୍ରାୟୋଜିତ ହୋଇଥିବା ସ୍ଥଳେ ଅନ୍ୟ କେତେକ କ୍ଷେତ୍ରରେ ନିଜସ୍ୱ ମଞ୍ଚ ପ୍ରତି ଉପଭୋକ୍ତାଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଚାଞ୍ଚଲ୍ୟକର ସମ୍ୱାଦ ପ୍ରଯୋଜନାରେ ଅସତ୍ୟ ସମ୍ୱାଦ ପ୍ରସାରଣକୁ ଯୋଡ଼ାଯାଇଥାଏ । ଓଡ଼ିଶାରେ କ୍ରମବିକଶିତ ଡ଼ିଜିଟାଲ ମଞ୍ଚରେ ଅସତ୍ୟ ସମ୍ୱାଦ ପ୍ରସାରଣ ଏହାର ଶୈଶବସ୍ଥାରୁ ହିଁ ପ୍ରଦୂଷିତ କରିଚାଲିଛି । ଆଶ୍ଚର୍ଯ୍ୟଜନକ ଭାବେ ଡ଼ିଜିଟାଲ ମଞ୍ଚ ଅର୍ଥ ଅସତ୍ୟ ସମ୍ୱାଦକୁ ହିଁ ବୁଝାଉଛି । ଅତ୍ୟାଧୁନିକ ବୈଷୟିକ କୌଶଳର ଦୁରୋପଯୋଗର ଏହା ଏକ ଉଦାହରଣ ।
ଅସତ୍ୟ ସମ୍ୱାଦ ଭିତ୍ତିହୀନ, ଅତିରଞ୍ଜିତ, ଗୁଜବ, ମିଥ୍ୟା, ଅକ୍ଷେପମୂଳକ ତଥା ଉଦ୍ଦେଶ୍ୟପ୍ରଣୋଦିତ । ଅସତ୍ୟ ସମ୍ୱାଦର ପ୍ରଭାବ ଆନ୍ତର୍ଜାତିକସ୍ତରରେ ମାର୍ଚ୍ଚ ୨୦୨୦ ବେଳକୁ ମହାମାରୀ ଅବସରରେ ଶୀର୍ଷରେ ପହଞ୍ଚିଥିବା ସ୍ଥଳେ ପ୍ରାୟ ସେହି ସମୟରେ ଏପ୍ରିଲ ୨୦୨୦ରେ ଭାରତରେ ମଧ୍ୟ ପ୍ରଭାବ ବିସ୍ତାର କରିଥିବା ଗଣମାଧ୍ୟମ ବିଶାରଦମାନେ ଚ଼ିହ୍ନଟ କରିଥାନ୍ତି । ମହାମାରୀଜନିତ ଲକଡ଼ାଉନ ଅବସରରେ ଦେଶାନ୍ତରୀ ଶ୍ରମିକମାନଙ୍କ ଘରବାହୁଡ଼ାଠାରୁ ଆରମ୍ଭ କରି ସଂକ୍ରମଣର ଭୟାବହତା ଓ ପରିଚାଳନା ସଂପର୍କୀତ ଅସତ୍ୟ ସମ୍ୱାଦ ଡ଼ିଜିଟାଲ ମଞ୍ଚକୁ ଭରାକ୍ରାନ୍ତ କରିଥିଲା ।
ପାରମ୍ପରିକ ଗଣମାଧ୍ୟମ ପରିସରରେ ଯେ ଅସତ୍ୟ ସମ୍ୱାଦ ପରିବେଷଣର ସ୍ଥାନ ନଥିଲା ତାହା ନୁହେଁ । ତେବେ ମୁଦ୍ରଣ, ରେଡ଼ିଓ ଓ ଟେଲିଭିଜନ ଭଳି ମଞ୍ଚଗୁଡ଼ିକରେ ସମ୍ୱାଦ ଯାଞ୍ଚ ନିମନ୍ତେ ଉତ୍ସର୍ଗୀକୃତ ତାଲିମପ୍ରାପ୍ତ ଅଭିଜ୍ଞ ସମ୍ପାଦନା ବିଭାଗ ଏବଂ ସାମ୍ୱାଦିକତାରେ ଉଚ୍ଚମାନର ନୈତିକତା ଅସତ୍ୟ ସମ୍ୱାଦ ପ୍ରସାରଣରେ ଆକଟ କରୁଥିଲା । ଡ଼ିଜିଟାଲ ମଞ୍ଚରେ ଉଚ଼ିତ ମାତ୍ରାରେ ସମ୍ପାଦନା ଓ ପରିଚାଳନାଗତ ଦକ୍ଷତା ଅଭାବ ସମ୍ୱାଦ ପରିବେଷଣରେ ପ୍ରଦୂଷଣ ରୋକିବାରେ ସମର୍ଥ ହୋଇପାରି ନଥାଏ । ଅପରପକ୍ଷେ ସୋସିଆଲ ମିଡ଼ିଆରେ କୌତୁହଳ ଉଦ୍ଦୀପକ ଓ ଚାଞ୍ଚଲ୍ୟକର ସମ୍ୱାଦ ବିତରଣ ଗୁରୁତ୍ୱ ହାସଲ କରୁଥିବା ଏବଂ ସମ୍ୱାଦ ପରିବେଷଣକାରୀ ନୀତି, ନିୟମ ଓ ନୈତିକତା କ୍ଷେତ୍ରରେ ଅନଭିଜ୍ଞ ଥିବା ହେତୁ ଅସତ୍ୟ ସମ୍ୱାଦ ପରିବେଷଣ ଆକଟହୀନ ହୋଇପଡ଼ିଥାଏ ।
ସଂବାଦ ମଞ୍ଚରେ ବିଶ୍ୱାସ ରଖୁଥିବା ଉପଭୋକ୍ତା ସର୍ବନିମ୍ନ ୩୭ ପ୍ରତିଶତଙ୍କ ମଧ୍ୟରେ ଟୁଇଟର ସର୍ବାଧିକ ବିଶ୍ୱସନୀୟ । ଏଥିରେ ୪୭ ପ୍ରତିଶତ ଯାଏଁ ବିଶ୍ୱାସ ରଖୁଥିବା ସ୍ଥଳେ ଅନ୍ୟାନ୍ୟ ଆପ୍ଲିକେସନ ‘ଆପ’ ଗୁଡ଼ିକ ୩୦ ପ୍ରତିଶତ ଯାଏଁ ବିଶ୍ୱାସଭାଜନ ହୋଇଥାଏ । ସୋସିଆଲ ମିଡ଼ିଆରେ ସ୍ମାର୍ଟଫୋନ ବ୍ୟବହାରକାରୀମାନେ ଦୀର୍ଘ ସମୟ ଅତିବାହିତ କରୁଥିବା ତଥା ବହୁ ସମ୍ୱାଦ ସୂତ୍ର ସହବନ୍ଧିତ ହେଉଥିଲେ ହେଁ ଅସତ୍ୟ ସମ୍ୱାଦ ସଂପୃକ୍ତ ମଞ୍ଚଗୁଡ଼ିକରେ ପ୍ରମୁଖସ୍ଥାନ ଅଧିକାର କରୁଥିବା ସଂପର୍କରେ ଅବଗତ ଥାନ୍ତି ।
ସମ୍ୱାଦ ମଞ୍ଚଗୁଡ଼ିକ ମହାମାରୀ ଭଳି ବିପର୍ଯ୍ୟୟ କାଳରେ ଉପଭୋକ୍ତାଙ୍କ ନିମନ୍ତେ ଅତ୍ୟାବଶ୍ୟକୀୟ ସେବାର ମାଧ୍ୟମରୂପେ ମାନ୍ୟତା ହାସଲ କରିବା ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ଥିବା ସତ୍ତ୍ୱେ ବିଶ୍ୱସନୀୟତା ହରାଇବା ବିଡ଼ମ୍ୱନାର ବିଷୟ । ସୋସିଆଲ ମିଡ଼ିଆରେ ଅସତ୍ୟ ସମ୍ୱାଦ ପ୍ରସାର ଧାରା ପାରମ୍ପରିକ ମଞ୍ଚ ସମ୍ୱାଦପତ୍ର ଓ ଟେଲିଭିଜନକୁ ମଧ୍ୟ ମହାମାରୀକାଳରେ ସଂପ୍ରସାରିତ ହୋଇଥିଲା । ଫଳରେ ବହୁ ସମ୍ୱାଦମଞ୍ଚ ଗୁରୁତ୍ୱହୀନ ପର୍ଯ୍ୟାୟରେ ବର୍ଗୀକୃତ ହୋଇ ପଡ଼ିଥିଲେ । ମହାମାରୀ-ପର ଅବସ୍ଥାରେ ସକଳ ଉଦ୍ୟମ ସତ୍ତ୍ୱେ ମହାମାରୀ-ପୂର୍ବ ଅବସ୍ଥାକୁ ଫେରିବା ଏକରକମ ଅସଂଭବ ବୋଲି କେତେକ ବିଚାର କରିଥାନ୍ତି ।
ସମ୍ୱାଦ ମଞ୍ଚ ପ୍ରତି ଉପଭୋକ୍ତାଙ୍କ ବିଶ୍ୱସନୀୟତା ଦୃତ ଅବକ୍ଷୟ ଉଦବେଗର କାରଣ । ତୁଳନାତ୍ମକଭାବେ ସେପ୍ଟେମ୍ୱର ୨୦୨୦ର ସହ ମେ’ ୨୦୨୧ର ହିସାବରେ ଡିଜିଟାଲ ମଞ୍ଚ ଓ ସୋସିଆଲ ମିଡ଼ିଆ କ୍ଷେତ୍ରରେ ବିଶ୍ୱସନୀୟତା ୪୨ ପ୍ରତିଶତରୁ ୩୭ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ଟେଲିଭିଜନର ବିଶ୍ୱସନୀୟତା ୫୭ ପ୍ରତିଶତରୁ ୫୬ ପ୍ରତିଶତ ଏବଂ ରେଡ଼ିଓର ବିଶ୍ୱସନୀୟତା ୫୬ ପ୍ରତିଶତରୁ ୫୩ ପ୍ରତିଶତକୁ ହ୍ରାସ ପାଇଛି ।
ସମ୍ୱାଦ ମଞ୍ଚଗୁଡ଼ିକ ପ୍ରତି ଉପଭୋକ୍ତାଙ୍କ ବିଶ୍ୱସନୀୟତା ହ୍ରାସ ନିମନ୍ତେ ସଂପୃକ୍ତ କ୍ଷେତ୍ରରେ ମାଲିକାନା ଓ ସମ୍ପାଦକୀୟ ନୀତି ନିର୍ଦ୍ଧାରଣ ଉଭୟ ଦାୟୀ । ସମ୍ୱାଦ ପରିବେଷଣରେ ଗୁଣାତ୍ମକ ବିକାଶକୁ ଅଣଦେଖା କରିବା ଅନେକ ସମ୍ୱାଦ ମଞ୍ଚ ନିମନ୍ତେ ଆତ୍ମଘାତୀ ହୋଇପାରେ ।
