ଆଜିର ଖାସ ଖବର
Mon. Jun 1st, 2026

ସ୍ଥାନୀୟ ସମ୍ୱାଦ ବିଷୟବିନ୍ୟାସ

By Dainikasha Jul12,2024

ମୁଦ୍ରିତ ସମ୍ୱାଦପତ୍ରରେ ସ୍ଥାନୀୟ ସମ୍ୱାଦ ପ୍ରକାଶନକୁ ପ୍ରାଧାନ୍ୟ ଦିଆଯିବା ନିକଟ ଅତୀତର ପରମ୍ପରା । ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ରାଷ୍ଟ୍ରଗୁଡ଼ିକରେ ସ୍ଥାନୀୟ ବ୍ୟବସାୟ ଉପଯୋଗୀ ବିଜ୍ଞାପନ ପ୍ରକାଶନଜନିତ ରାଜସ୍ୱ ଆୟରେ ଆକର୍ଷିତ ହୋଇ ବୃହତ୍ତ ପ୍ରକାଶନ ସଂସ୍ଥାମାନ ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନରେ ମନୋନିବେଶ କରିଥିଲେ । ଇଣ୍ଟରନେଟ ବ୍ୟାପ୍ତିର ପୂର୍ବ ଅବସ୍ଥାରେ ବିଂଶ ଶତାଦ୍ଦୀର ସପ୍ତମ ଓ ଅଷ୍ଟମ ଦଶକରେ ତିନି ରୁ ପାଞ୍ଚ ହଜାର ନାଗରିକ ବସବାସ କରୁଥିବା ବସତିଗୁଡ଼ିକ ନିମନ୍ତେ ଅନ୍ତତଃପକ୍ଷେ ଗୋଟିଏ ପାକ୍ଷିକ ମୁଦ୍ରିତ ସ୍ଥାନୀୟ ସମ୍ୱାଦପତ୍ର ପ୍ରକାଶିତ ହେଉଥିବା ଦେଖିବାକୁ ମିଳୁଥିଲା ।

ମୁଦ୍ରଣ କାରିଗରୀ କୌଶଳରେ ଉନ୍ନତି ଫଳରେ ଖୁବ କମ ଶ୍ରମଶକ୍ତି ବିନିଯୋଗରେ ଖୁବ କମ ସମୟରେ ପ୍ରକାଶନ ସଂଭବପର ହୋଇପାରିବା ହେତୁ ଛୋଟକାଟର ବ୍ୟାବସାୟିକ ଭିତ୍ତିଭୂମିରେ ମଧ୍ୟ ସମ୍ୱାଦପତ୍ର ପ୍ରକାଶନ ବିକଶିତ ହୋଇପାରିଥିଲା । ଅନେକ ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ର ପାଠକମାନଙ୍କୁ ମାଗଣାରେ ବିତରଣର ବ୍ୟବସ୍ଥା କରାଯାଉଥିବା ସ୍ଥଳେ ସ୍ଥାନୀୟ ବିଜ୍ଞାପନ ପ୍ରକାଶନଜନିତ ବ୍ୟୟ ଭରଣ କରୁଥିଲା । ବିକଶିତ ରାଷ୍ଟ୍ରଗୁଡ଼ିକର ପୁରପଲ୍ଲୀରେ ଆଧୁନିକ ବଜାର‘ମଲ’ ପ୍ରତିଷ୍ଠା ଫଳରେ ସ୍ଥାନୀୟ କିଣାବିକା, ସୁବିଧାସୁଯୋଗ ବିଜ୍ଞାପିତ କରିବା ନିମନ୍ତେ ଏଭଳି ସମ୍ୱାଦପତ୍ରଗୁଡ଼ିକ ଗୁରୁତ୍ୱଲାଭ କରିଥିବା ସ୍ଥଳେ କେତେକ ଏଗୁଡିକୁ ମଲ ସମ୍ୱାଦପତ୍ର ‘ମଲ ନିଉଜପେପର’ ନାମିତ କରୁଥିଲେ । ତେବେ ଇଣ୍ଟରନେଟର ବ୍ୟାପ୍ତି ଫଳରେ ସ୍ଥାନୀୟ ବିଜ୍ଞାପନର ଅନୁସରଣରେ ସ୍ଥାନୀୟ ସମ୍ୱାଦ ପରିବେଷଣ ଅନଲାଇନମୁଖୀ ହୋଇପଡ଼ିଛି ।

ଭାରତୀୟ ଆଞ୍ଚଳିକ ସମ୍ୱାଦପତ୍ର କ୍ଷେତ୍ରରେ ୧୯୭୫-୭୭ ଆଭ୍ୟନ୍ତରୀଣ ଜରୁରି-ପରିସ୍ଥିତି-ଜାରୀ ପରବର୍ତ୍ତୀ ଅବସ୍ଥାରେ ସାଧାରଣ ନାଗରିକଙ୍କ ମଧ୍ୟରେ ସମ୍ୱାଦପତ୍ର ପଠନ ଆଗ୍ରହ ବୃଦ୍ଧିକୁ ଭିତ୍ତିକରି ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଥିଲା । ଏକ ପକ୍ଷରେ ଆଧୁନିକ ମୁଦ୍ରଣ କାରିଗରୀ କୌଶଳ ବିକାଶ ଓ ଅପରପକ୍ଷରେ ରାଷ୍ଟ୍ରୀୟ ବ୍ୟାବସାୟିକ ଅଭିବୃଦ୍ଧି ସହ ତାଳ ଦେଇ ବିଜ୍ଞାପନ ରାଜସ୍ୱ ଆୟ ଆକର୍ଷଣରେ ରାଜ୍ୟସ୍ତରୀୟ ସମ୍ୱାଦପତ୍ରଗୁଡ଼ିକ ପ୍ରସାର ସଂଖ୍ୟା ବୃଦ୍ଧି ଲକ୍ଷ୍ୟରଖି ଆଞ୍ଚଳିକ ସଂସ୍କରଣମାନ ପ୍ରକାଶନରେ ସଂପୃକ୍ତ ହୋଇପଡିଥିଲେ । ଆମ ଓଡ଼ିଆ ସମ୍ୱାଦପତ୍ର କ୍ଷେତ୍ରରେ ଏହି ବ୍ୟାବସାୟିକ ଧାରା ‘ମଡ଼େଲ’ ପ୍ରତିବିମ୍ୱିତ ।

ବିକଶିତ ରାଷ୍ଟ୍ର ଓ ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନରେ ବିକଶିତ ରାଷ୍ଟ୍ର ଅନୁରୂପ ଓଡ଼ିଆ ସମ୍ୱାଦପତ୍ରରେ ସ୍ଥାନୀୟ ସାମ୍ୱାଦିକତାରେ ମୌଳିକତା ବାରିହୁଏ ନାହିଁ । ବିକଶିତ ରାଷ୍ଟ୍ରଗୁଡ଼ିକରେ ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଏକକ ପ୍ରତିଷ୍ଠାନ ରୂପେ ଗଢ଼ି ଉଠିଥିବା ଅବସରରେ ଓଡ଼ିଆରେ ରାଜ୍ୟସ୍ତରୀୟ ସମ୍ୱାଦପତ୍ରଗୁଡ଼ିକର ଆଞ୍ଚଳିକ ସଂସ୍କରଣ ରୂପେ ବିକଶିତ ହୋଇଛି । ଫଳରେ ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକରେ ସମ୍ୱାଦ ପରିବେଷଣ ଶୈଳୀରେ ରାଜ୍ୟସ୍ତରୀୟ ଦୃଷ୍ଟିଭଙ୍ଗୀ ପରିବର୍ତ୍ତିତ ହୋଇପାରୁ ନାହିଁ । ଉଦାହରଣ ସ୍ୱରୂପ ଏକା ଦିନରେ ବିଧାନସଭା ଓ ପୌରସଭା ବୈଠକ ଅନୁଷ୍ଠିତ ହୋଇଥିଲେ ଆଞ୍ଚଳିକ ସଂସ୍କରଣର ପ୍ରଥମ ପୃଷ୍ଠାର ପ୍ରଥମ ସମ୍ୱାଦ ହିସାବରେ ବିଧାନସଭା ବୈଠକର ବିବରଣୀ ସ୍ଥାନିତ ହେବ ସିନା ପୌରସଭା ବୈଠକର ବିବରଣୀ ସ୍ଥାନ ପାଇବ ନାହିଁ । ମୂଳ ସଂସ୍କରଣ ସମ୍ୱାଦପତ୍ରରେ ପ୍ରତ୍ୟେକ ଆଞ୍ଚଳିକ ସଂସ୍କରଣ ନିମନ୍ତେ ପୃଷ୍ଠାଏ ବା ଦୁଇ ପୃଷ୍ଠାର ସ୍ଥାନୀୟ ସମ୍ୱାଦ ସନ୍ନିବେଶିତ ହେଉଥିବା ହେତୁ ଆଞ୍ଚଳିକ ସମ୍ୱାଦ ପରିବେଷଣରେ ସାମଗ୍ରିକଭାବେ ସମ୍ପାଦକୀୟ ପରାକାଷ୍ଠା ଦେଖିବାକୁ ମିଳିନଥାଏ ।

ସ୍ଥାନୀୟ ସମ୍ୱାଦର ଗୁଣାତ୍ମକ ବିକାଶ ନିମନ୍ତେ ସ୍ୱତନ୍ତ୍ର ସମ୍ପାଦକୀୟନୀତି ପ୍ରଣୟନ ଆବଶ୍ୟକ । ରାଜ୍ୟ ତଥା ଜିଲ୍ଲାସ୍ତରୀୟ ସମ୍ୱାଦ ରଚନାରେ ମୁଖ୍ୟତଃ ଦଳଗତ ରାଜନୀତି କିମ୍ୱା ପ୍ରଶାସନିକ ସମ୍ୱାଦ ଦସ୍ତାବିଜ ‘ପ୍ରେସ-ରିଲିଜ’କୁ ପ୍ରାଧାନ୍ୟ ଦିଆଯାଇଥାଏ । ସ୍ଥାନୀୟ ସମ୍ୱାଦ ରଚନା ରାଜନୀତିକ ନେତୃବର୍ଗ ତଥା ପ୍ରଶାସନିକ ଅଧିକାରୀଙ୍କ ବକ୍ତବ୍ୟରେ ସୀମାବଦ୍ଧ ରଖିବା ତୃଟିପୂର୍ଣ୍ଣ । ଏହିଭଳି ସମ୍ୱାଦ ପାଠକୀୟ ଆଗ୍ରହ ସୃଷ୍ଟି କରିପାରେ ନାହିଁ । ରାଜନୀତି ଓ ପ୍ରଶାସନ ଭିନ୍ନ ଅନ୍ୟାନ୍ୟ ସାମାଜିକ ବିଭବ ସ୍ଥାନୀୟ ସମ୍ୱାଦ ରଚନାର ବିଷୟବସ୍ତୁରୂପେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ।

ସୋସିଆଲ ମିଡ଼ିଆରେ ପ୍ରକାଶନ ଧାରା ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ରରେ ପ୍ରତିଫଳିତ ହେଲେ ପାଠକୀୟ ସ୍ୱୀକୃତି ଲାଭର ଆଶା କରାଯାଇପାରେ । ଜନ୍ମ, ବିବାହ ସହ ଜନ୍ମଦିନ ଓ ବିବାହ ବାର୍ଷିକୀ ପାଳନର ବିବରଣୀ ସୋସିଆଲ ମିଡ଼ିଆରେ ଅନ୍ତରଙ୍ଗ ବନ୍ଧୁଙ୍କ ମହଲରେ ଆଦୃତ ହେଉଥିବା ସ୍ଥଳେ ତାହା ମୁଦ୍ରିତ ସମ୍ୱାଦପତ୍ରର ସହରଭିତ୍ତିକ ସଂସ୍କରଣରେ ସ୍ଥାନ ପାଇପାରେ । ପରୀକ୍ଷା, ପ୍ରତିଯୋଗିତା ତଥା ବିଭିନ୍ନ କ୍ଷେତ୍ରରେ କୃତିତ୍ୱଲାଭ ସ୍ଥାନୀୟ ପାଠକ ମହଲରେ ଆଗ୍ରହ ସୃଷ୍ଟି କରିପାରେ । ନିତିଦିନିଆ ଜୀବନ ଓ ଜୀବିକା, ଲକ୍ଷ୍ୟସିଦ୍ଧି ପାଇଁ ଏକନିଷ୍ଟ ସାଧନା, ଅଘଟଣର ଅଭିଜ୍ଞତା ବର୍ଣ୍ଣନାଭଳି ଭାବାବେଗ ‘ହ୍ୟୁମାନ ଇଣ୍ଟରେଷ୍ଟ’ ସମ୍ପନ୍ନ ବିଷୟବସ୍ତୁ ସ୍ଥାନୀୟ ସାମ୍ୱାଦିକତାରେ ଅନ୍ତର୍ଭୁକ୍ତ କରାଯାଇପାରେ । ଆନ୍ତର୍ଜାତିକ, ରାଷ୍ଟ୍ରୀୟ ଓ ରାଜ୍ୟସ୍ତରୀୟ ଘଟଣାକ୍ରମ ସଂପର୍କରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଅଭିମତ ବେଶ ସୁଖପାଠ୍ୟ ବିବେଚ଼ିତ ହୋଇପାରେ ।

ସହରରେ ଉପଲବ୍ଧ ପୋଷାକ ପରିଚ୍ଛେଦ, ଗହଣା, ପ୍ରଦର୍ଶିତ ରଙ୍ଗମଞ୍ଚ ଓ ଚଳଚ଼ିତ୍ର ସମୀକ୍ଷା ସ୍ଥାନୀୟ ସାମ୍ୱାଦିକତାର ପରିସର ବୃଦ୍ଧିରେ ସହାୟକ ହେବା ସମ୍ଭବ । କ୍ରୀଡ଼ା ବିବରଣୀ ତଥା ଚର୍ଚ୍ଚିତ କ୍ରୀଡ଼ା ପ୍ରତିଯୋଗିତା ସଂପର୍କରେ ସ୍ଥାନୀୟ କ୍ରୀଡାବିତଙ୍କ ଅଭିମତ ପାଠକମାନଙ୍କ ମଧ୍ୟରୁ ଏକାଂଶକୁ ଆକର୍ଷିତ କରିପାରେ । ସେହିପରି କିଶୋର, ଯୁବବର୍ଗ ପାଠକଙ୍କୁ ସୁହାଇଲାଭଳି ବିଦ୍ୟାଳୟ, ମହାବିଦ୍ୟାଳୟସ୍ତରୀୟ ସମ୍ୱାଦ ପ୍ରକାଶନର ଗୁରୁତ୍ୱ ରହିଛି । ସ୍ଥାନୀୟ ଅଧିବାସୀଙ୍କ ଭ୍ରମଣ ଅଭିଜ୍ଞତା, ବର୍ହିଃଗତ ଅତିଥିଙ୍କ ସହ ସାକ୍ଷାତକାର ସ୍ଥାନୀୟ ସାମ୍ୱାଦିକତାରେ ଅନ୍ତର୍ଭୁକ୍ତ ହୋଇପାରେ । ସ୍ଥାନୀୟ ସମସ୍ୟାବଳୀର ବର୍ଣ୍ଣନାତ୍ମକ, ଅନୁଶୀଳନାତ୍ମକ ଓ ଅନୁସନ୍ଧାନାତ୍ମକ ରଚନା ପାଠକୀୟ ଆଗ୍ରହ ସୃଷ୍ଟିରେ ସହାୟକ ହେବା ବିଚାର କରାଯାଇପାରେ । ମୋଟ ଉପରେ ସାପ୍ତାହିକ, ପାକ୍ଷିକ, ମାସିକ ଓ ତ୍ରୟମାସିକଭିତ୍ତିରେ ବିଭିନ୍ନ କିସମର ସମ୍ୱାଦ ପ୍ରଯୋଜନା ସ୍ଥାନୀୟ ସଂବାଦିକତାକୁ ରୁଚ଼ିପୂର୍ଣ୍ଣ ଗଢ଼ି ତୋଳିବାରେ ସମର୍ଥ । ଏଥି ନିମନ୍ତେ ବିଧିବଦ୍ଧ ସମ୍ପାଦକୀୟ ନୀତି ପ୍ରଣୟନ ଅପରିହାର୍ଯ୍ୟ ।

ସମସାମୟିକ ଓଡ଼ିଆ ସାଂବାଦିକତା ସମୀକ୍ଷାରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ମୁଖ୍ୟତଃ ପ୍ରଶାସନିକ ଓ ରାଜନୀତିକ ସମ୍ୱାଦ ପରିବେଷଣରେ ଭରାକ୍ରାନ୍ତ ହୋଇପଡୁଥିବା ଲକ୍ଷ୍ୟ କରାଯାଏ । ବାସ୍ତବ କ୍ଷେତ୍ରରେ ଅନୁଧ୍ୟାନ କଲେ ଏଭଳି ସମ୍ୱାଦ ପ୍ରକାଶନ ନିମନ୍ତେ ଅଧିକାଂଶ କ୍ଷେତ୍ରରେ ବାଧ୍ୟବାଧକତା ନଥାଏ । ସମ୍ୱାଦିକ ଓ ସମ୍ପାଦକମାନେ କେବଳ ପାରମ୍ପରିକ ଧାରାପ୍ରତି ଆନୁଗତ୍ୟରେ ପ୍ରଶାସନ ଓ ରାଜନୀତିକୁ ପ୍ରାଧାନ୍ୟ ଦେଇଥାନ୍ତି । ଅପରପକ୍ଷେ ଏଭଳି ସମ୍ୱାଦ ରଚନା ନିମନ୍ତେ ‘ପ୍ରେସ ରିଲିଜ’ ଓ ମୁଖପାତ୍ରଙ୍କ ସାମ୍ୱାଦିକ ସମ୍ମିଳନୀ କିମ୍ୱା ଟେଲିଭିଜନରେ ସମ୍ୱୋଧନ ମାଧ୍ୟମରେ ସହଜରେ ତଥ୍ୟ ଉପଲବ୍ଧ ହେଉଥିବା ତଥା ମୌଳିକ ସମ୍ୱାଦ ପ୍ରଯୋଜନା ଲାଗି ଲୋକଶକ୍ତି, ସମୟ ତଥା ଅର୍ଥ ଅଭାବ କାରଣରୁ ସମ୍ୱାଦ ପରିବେଷଣରେ ପରୀକ୍ଷା ନିରୀକ୍ଷା ଲାଗି ମୂଳସ୍ରୋତର ମୁଦ୍ରିତ ସମ୍ୱାଦପତ୍ରଗୁଡିକ ପକ୍ଷରୁ ଧ୍ୟାନ ଦିଆଯାଇ ନଥାଏ । ଦୁଃର୍ଭାଗ୍ୟପୂର୍ଣ୍ଣ ବିଷୟ ଏହି ଯେ ଯାହା ଘଟିଲା ତାହା ମୌଳିକ ସମ୍ୱାଦ ପଦବାଚ୍ୟ ହୋଇଥିବା ସ୍ଥଳେ ସରକାରୀସ୍ତରୀୟ ଭବିଷ୍ୟତ ଯୋଜନା ଓ ପରିକଳ୍ପନା ଘୋଷଣାଗୁଡ଼ିକ ସମ୍ୱାଦପତ୍ରର ସିଂହଭାଗ ଦାବୀ କରୁଛି । ସ୍ଥାନୀୟ ସାମ୍ୱାଦିକତା ବିକାଶ ଏହି ଧାରାର ପ୍ରଭାବମୁକ୍ତ କରିବା ଆଶା କରାଯାଇପାରେ ।

ସ୍ଥାନୀୟ ସମ୍ୱାଦ ପ୍ରଯୋଜନାରେ ନାଗରିକ ସାମ୍ୱାଦିକମାନଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ । ସାଂବାଦିକତା ବୃତ୍ତିରେ ସଂପୃକ୍ତି ବ୍ୟତିରେକେ ସଂବାଦ ରଚନା ଓ ପ୍ରକାଶନରେ ଆଗ୍ରହୀ ସଚ଼େତନ ନାଗରିକଙ୍କ ରଚନା ମୁଦ୍ରିତ ସମ୍ୱାଦପତ୍ରର ସ୍ଥାନୀୟ ସମ୍ୱାଦ ପୃଷ୍ଠାରେ ପ୍ରକାଶିତ ହୋଇପାରିଲେ ସମାଜର ବହୁ ଅନାଲୋଚିତ ଦିଗପ୍ରତି ଦୃଷ୍ଟିପାତ ସମ୍ଭବପର । ସୋସିଆଲ ମିଡ଼ିଆରେ ଏଭଳି ସୁବିଧା ସୁଯୋଗ ଉପଲବ୍ଧ । ବିକଶିତ ରାଷ୍ଟ୍ରଗୁଡ଼ିକରେ ସ୍ଥାନୀୟ ସାମ୍ୱାଦିକତା ଅନଲାଇନ ପରିସରଭୁକ୍ତ ହୋଇସାରିଲାଣି । ତେବେ ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଏହି ପରିବର୍ତ୍ତନମୁଖୀ ପରିବେଶର ଫାଇଦା ନେବା ଆବଶ୍ୟକ ।

ଓଡ଼ିଶାଭଳି ଅଳ୍ପଶିକ୍ଷିତ ଓ ପାରମ୍ପରିକ ସମାଜରେ ସମ୍ୱାଦପତ୍ର ନିଜ ଅସ୍ଥିତ୍ୱ ବଜାୟ ରଖିବା ନିମନ୍ତେ ସ୍ଥାନୀୟ ସମ୍ୱାଦ ପରିବେଷଣକୁ ଏକ ମୁଖ୍ୟ ଆୟୁଧରୂପେ ବ୍ୟବହାର କରିବା ସୁଯୋଗ ଉପଲବ୍ଧ । ସେହିପରି ନାଗରିକ ସାମ୍ୱାଦିକମାନେ ଅଭିଜ୍ଞତା, ଅଧ୍ୟୟନ ଓ ତାଲିମ ବଳରେ ନିଜ ନିଜ ପ୍ରତିଭା ବିକାଶଲାଗି ଉଦ୍ୟମ କରିପାରିବେ । ସର୍ବୋପରି ନାଗରିକ ସାମ୍ୱାଦିକତା ଓ ମୁଦ୍ରିତ ସମ୍ୱାଦପତ୍ରରେ ସ୍ଥାନୀୟ ସମ୍ୱାଦ ପ୍ରକାଶନକୁ ଅଗ୍ରାଧିକାର ସାମାଜିକ ଜୀବନକୁ ରୁଦ୍ଧିମନ୍ତ କରିବା ସହ ପ୍ରଶାସନିକ ତୃଟିବିଚ୍ୟୁତିକୁ ସଜାଡ଼ି ଉତ୍କୃଷ୍ଟ ପୌରସେବା ଉପଲବ୍ଧିରେ ସହାୟକ ହୋଇପାରିବା ଆଶା କରାଯାଇପାରେ ।

Related Post