ଭାରତୀୟ ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ ମହାମାରୀ-ପର ପରିବେଶରେ ଦୁଇଗୋଟି ସମସ୍ୟା ଉଦବେଗର କାରଣ । ପ୍ରଥମତଃ, କ୍ରମବିକଶିତ ଡିଜିଟାଲ ସମ୍ୱାଦ ମଞ୍ଚ ମୁଦ୍ରିତ ସମ୍ୱାଦପତ୍ରର ସ୍ଥିତାବସ୍ଥାକୁ କେତେ ମାତ୍ରାରେ ପ୍ରଭାବିତ କରିବ ଏବଂ ଦ୍ୱିତୀୟତଃ, ବିଜ୍ଞାପନ-ଆଶ୍ରିତ ମଡ଼େଲ ଭବିଷ୍ୟତରେ ବ୍ୟାବସାୟିକ ସନ୍ତୁଳନ ରକ୍ଷା କରିପାରିବ କି ? ଏହି ଦୁଇଗୋଟି ପ୍ରଶ୍ନର ଉତ୍ତର ଦେଶରେ ପ୍ରକାଶିତ ସମସ୍ତ ମୁଦ୍ରିତ ସମ୍ୱାଦପତ୍ର ନିମନ୍ତେ ସମାନ ନହେଲେ ମଧ୍ୟ ସାମଗ୍ରିକ ପ୍ରଭାବ ଗୁରୁତ୍ୱପୂର୍ଣ୍ଣ ।
ଗଣମାଧ୍ୟମରେ ଡ଼ିଜିଟାଲ ବୈଷୟିକ କୌଶଳ ପ୍ରଚଳନରେ ମୁଦ୍ରିତ ସମ୍ୱାଦପତ୍ର ପହଞ୍ଚ ‘ଏସେସ’, ବିବିଧତା ‘ଭେରାଇଟି’ ଓ ରୁଚ଼ି ‘ଫୋକସ’ କ୍ଷେତ୍ରରେ ଡିଜିଟାଲ ସମ୍ୱାଦ ମଞ୍ଚର ମୁକାବିଲା କରିପାରୁ ନାହିଁ । ଭାରତରେ ୨୦୨୧ ଶେଷ ସୁଦ୍ଧା ୫୦ କୋଟି ସ୍ମାର୍ଟଫୋନ ବ୍ୟବହାରକାରୀ ହିସାବ କରାଯାଇଥିବା ସ୍ଥଳେ ମୁଦ୍ରଣ ସମ୍ୱାଦପତ୍ରର ପ୍ରଭାତୀ ସଂସ୍କରଣ ଅପେକ୍ଷାରେ ଅନ୍ତ ଘଟିଛି । ବିଂଶ ଶତାଦ୍ଦୀର ନବମ ଦଶକରେ ଟେଲିଭିଜନର ପ୍ରସାର ପରେ ସମ୍ୱାଦ ଉପଭୋକ୍ତାମାନେ ରେଡ଼ିଓ ଓ ଟେଲିଭିଜନରେ ପ୍ରମୁଖ ଘଟଣାର ସୂତ୍ର ପାଇସାରିବା ପରେ ସଂପୂର୍ଣ୍ଣ ବିବରଣୀ ଓ ଅଭିମତ ଜାଣିବାଲାଗି ପରବର୍ତ୍ତୀ ସକାଳ ଯାଏଁ ଅପେକ୍ଷା କରୁଥିଲେ । କିନ୍ତୁ ଡିଜିଟାଲ ମଞ୍ଚ ଘଟଣା ଘଟିବାର ଖୁବ କମ ସମୟ ବ୍ୟବଧାନରେ ସୁବିସ୍ତୃତ ତଥ୍ୟ ଓ ଅଭିମତ ପ୍ରସାରଣର ବ୍ୟବସ୍ଥା କରିପାରିଛି ।
ସ୍ମାର୍ଟଫୋନର ବ୍ୟବହାର ଫଳରେ ସମ୍ୱାଦ ଆହରଣ ନିମନ୍ତେ ବିସ୍ତୃତ ଉପଭୋକ୍ତା, ଅସୀମିତ ସମୟ ଓ ଅଡ଼ିଓ-ଭିଡ଼ିଓ ପ୍ରଦର୍ଶନ ସାଙ୍ଗକୁ ସମ୍ୱାଦ ମଞ୍ଚର ପରିମିତି ଓ ବିବିଧତା ବୃଦ୍ଧି ସୁବିଧାସୁଯୋଗ ସୃଷ୍ଟି ହୋଇଛି । ଫଳରେ ସମ୍ୱାଦ ଉପଭୋକ୍ତା ଏକକ ମୁଦ୍ରିତ ସମ୍ୱାଦପତ୍ର ବଦଳରେ ଏକାଧିକ ସମ୍ୱାଦ ମଞ୍ଚରେ ଉପସ୍ଥିତିର ସୁଯୋଗ ପାଉଛନ୍ତି । ସୋସିଆଲ ମିଡ଼ିଆ ବ୍ୟବହାର ବୃଦ୍ଧି ସାଧାରଣ ନାଗରିକଙ୍କୁ ବହୁ ସଂଖ୍ୟକ ସମ୍ୱାଦ ମଞ୍ଚରେ ପହୁଞ୍ଚାଇ ପାରୁଛି । ଏହି ଜଟିଳ ପରିସ୍ଥିତିରେ ମୁଦ୍ରିତ ସମ୍ୱାଦପତ୍ରର ସାମର୍ଥ୍ୟ କ୍ରମଶଃ ମଳିନ ହୋଇପଡୁଥିବା ପ୍ରତୀୟମାନ ହୁଏ ।
ଭାରତରେ ଜନସଂଖ୍ୟାର ତିନି ଚ଼ତୁର୍ଥାଂଶ ୪୫ ବର୍ଷରୁ କମ ଏବଂ ଅର୍ଦ୍ଧେକ ୨୪ ବର୍ଷରୁ କମ । ଏହି ଦୁଇବର୍ଗରେ ସ୍ମାର୍ଟଫୋନ ବ୍ୟବହାର ସର୍ବାଧିକ ଥିବା ହେତୁ ମୁଦ୍ରିତ ସମ୍ୱାଦପତ୍ର ବ୍ୟାପକ ପ୍ରତିଯୋଗିତାର ସମ୍ମୁଖୀନ ହେଉଛି । ବିଭିନ୍ନ ଅଧ୍ୟୟନରୁ ଜଣାଯାଏ ଯେ ମୁଦ୍ରିତ ସମ୍ୱାଦପତ୍ର ଗ୍ରାହକ ଏଣିକି ୪୫ ବର୍ଷରୁ ଉର୍ଦ୍ଧ୍ୱ ଶିକ୍ଷିତ ଆର୍ଥିକ ଦିଗରୁ ସ୍ୱଚ୍ଛଳ ବର୍ଗରେ ସୀମିତ ହେବାରେ ଲାଗିଛି ।
ଅପରପକ୍ଷେ ମୁଦ୍ରିତ ସମ୍ୱାଦପତ୍ର ଦୀର୍ଘ ଦୁଇ ଶତାଦ୍ଦୀରୁ ଉର୍ଦ୍ଧ୍ୱ ସମୟଧରି ବିଜ୍ଞାପନ-ଆଶ୍ରିତ ମଡ଼େଲରେ ବିକଶିତ ହୋଇ ଆସିଥିବା ସ୍ଥଳେ ଇ-କମର୍ସ ଓ ସୋସିଆଲ ମିଡ଼ିଆର ଲୋକପ୍ରିୟତା ବିଜ୍ଞାପନ ଅପସାରଣରେ ପର୍ଯ୍ୟବସିତ ହୋଇଛି । ଭବିଷ୍ୟତରେ ଇଣ୍ଟରନେଟର ବିସ୍ତୃତି ଓ ବ୍ୟବହାର ବୃଦ୍ଧି ଆକଳନ କରାଯାଉଥିବା ହେତୁ ଏହି ପ୍ରବାହ ଶକ୍ତିଶାଳୀ ହେବା ସୁନିଶ୍ଚିତ । ମହାମାରୀରେ ଦୂରାବସ୍ଥାନ ନୀତି ସାମାଜିକ ଓ ବ୍ୟାବସାୟିକ ଆଚ଼ରଣରେ ଗୁରୁତର ପରିବର୍ତ୍ତନ ସୂତ୍ରପାତ କରାଇଥିଲା ଏବଂ ଭୂତାଣୁ ସଂକ୍ରମଣ ଭୟ ଦୀର୍ଘସ୍ଥାୟୀ ଆକଳନ କରାଯାଉଥିବା ହେତୁ ପାଠକ ଅଭାବରେ ମୁଦ୍ରିତ ସମ୍ୱାଦପତ୍ରର ବିଜ୍ଞାପନ ଆୟ ହ୍ରାସର ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି ।
ମହାମାରୀ-ପର ଅବସ୍ଥାରେ ୨୦୨୧-୨୨ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ଅବଧିରେ ଭାରତୀୟ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନରେ ବିଜ୍ଞାପନ ଆୟ ବୃଦ୍ଧି ପାଇଥିଲା । କେତେକ ମୁଦ୍ରିତ ସମ୍ୱାଦପତ୍ର ବିଜ୍ଞାପନ ପ୍ରକାଶନ କ୍ଷେତ୍ରରେ ପ୍ରାୟ ଶତ ପ୍ରତିଶତ ଦକ୍ଷତା ହାସଲ କରିଥିବା ଦାବୀ କରିଥିଲେ । ତେବେ ଗଣମାଧ୍ୟମ ସମୀକ୍ଷକମାନେ ଦୁଇଗୋଟି ପ୍ରଶ୍ନର ଉତ୍ତର ଖୋଜିଥାନ୍ତି । ପ୍ରଥମତଃ, ମହାମାରୀ-ପର ପରିବେଶରେ ମୁଦ୍ରିତ ସମ୍ୱାଦପତ୍ରର ପ୍ରସାର ସଂଖ୍ୟା କେଉଁ ସ୍ତରରେ ପହଞ୍ଚିଛି ? ‘ଇଣ୍ଡିଆନ ରିଡ଼ରସିପ ସର୍ଭେ ୨୦୧୯’ ପରଠାରୁ ଅର୍ଥାତ ମହାମାରୀ ଓ ମହାମାରୀ-ପର ଅବସ୍ଥାରେ ପାଠକ ସର୍ବେକ୍ଷଣ ଆୟୋଜିତ ହୋଇନଥିବା ହେତୁ ନିର୍ଭରଯୋଗ୍ୟ ତଥ୍ୟ ଅଭାବରେ ପାଠକ ସଂଖ୍ୟା କେତେ କାଳ ବିଜ୍ଞାପକମାନେ କାଳ୍ପନିକ ସଂଖ୍ୟାରେ ବିଶ୍ୱାସ ରଖିବେ ?
ଦ୍ୱିତୀୟରେ ମହାମାରୀରେ ଗଣମାଧ୍ୟମ ଭଳି ପ୍ରତ୍ୟେକ ଶିଳ୍ପ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ । ମହାମାରୀ-ପର ଅବସ୍ଥାରେ ସମସ୍ତେ ନିଜକୁ ସଜାଡ଼ିବା ନିମନ୍ତେ ଉଦ୍ୟମରତ । ଏହି ତତ୍ପରତା ସର୍ବସାଧାରଣରେ ପ୍ରକାଶ ନିମନ୍ତେ ସାମଗ୍ରୀ ଉତ୍ପାଦକ ଓ ବିକ୍ରେତାମାନେ ବିଜ୍ଞାପନକୁ ଆୟୁଧ କରୁନାହାନ୍ତି କି ? ତେଣୁ ସାମୟିକ ବିଜ୍ଞାପନ ବ୍ୟୟ ଦୀର୍ଘସ୍ଥାୟୀ ହୋଇପାରିବ କି ? ସାଧାରଣ ବିଚାରରେ ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ-ପର ଅବସ୍ଥାରେ ଆର୍ଥିକ ଶୃଙ୍ଖଳ ଦୋହଲିଯାଇଥାଏ । କୋଭିଡ଼-୧୯ ମହାମାରୀ କ’ଣ ଏକ ବ୍ୟତିକ୍ରମ ପ୍ରମାଣିତ ହେବ ? ବିଜ୍ଞାପନ ବ୍ୟୟ କମିଗଲେ ମୁଦ୍ରିତ ସମ୍ୱାଦପତ୍ର ଭାଗରେ କେତେ ପଡ଼ିବ ?
ଭାରତରେ ୨୦୨୦ରେ ବିଜ୍ଞାପନ ଆୟ କ୍ଷେତ୍ରରେ ଟେଲିଭିଜନ ସର୍ବୋଚ୍ଚ ସ୍ଥାନରେ ରହିଥିବା ସ୍ଥଳେ ଦ୍ୱିତୀୟରେ ଡିଜିଟାଲ ମଞ୍ଚ ଏବଂ ତୃତୀୟରେ ମୁଦ୍ରିତ ସମ୍ୱାଦପତ୍ରର ସ୍ଥାନ ନିର୍ଦ୍ଧାରିତ ହୋଇଥିଲା । ଟେଲିଭିଜନ ବିଜ୍ଞାପନ ଆୟର ଅର୍ଦ୍ଧେକ ସୀମାରେ ଡିଜିଟାଲ ମଞ୍ଚ ପହଞ୍ଚିଥିଲା । ହିସାବ ଅନୁଯାୟୀ ମାସିକ ଟେଲିଭିଜନ ଦର୍ଶକ ସଂଖ୍ୟା ୮୯ କୋଟି ୨୦ ଲକ୍ଷ, ଡିଜିଟାଲ ମଞ୍ଚ ଉପଭୋକ୍ତା ସଂଖ୍ୟା ୪୬ ଗୋଟି ୮୦ ଲକ୍ଷ ଏବଂ ମୁଦ୍ରିତ ସମ୍ୱାଦପତ୍ର ପାଠକ ସଂଖ୍ୟା ୪୨ କୋଟି ୧୦ ଲକ୍ଷ । ବାର୍ଷିକ ଏକ ଲକ୍ଷ ୩୮ ହଜାର ତିନିଶହ କୋଟି ବିଜ୍ଞାପନ ବ୍ୟବସାୟରେ ପରିବର୍ତ୍ତିତ ପରିବେଶ କାହାଭାଗରେ କେତେ ପଡ଼ିବ ତାହା ସମୟ କହିବ ।
ଦେଶରେ ବହୁଳ ପ୍ରସାରିତ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ବ୍ୟାବସାୟିକ ବିଜ୍ଞାପନ ଉପରେ ନିର୍ଭର କରୁଥିବା ସ୍ଥଳେ ଅଳ୍ପ ପ୍ରସାରିତ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ମୁଖ୍ୟ ଆୟ ସରକାରୀ ବିଜ୍ଞାପନ । ଗଣମାଧ୍ୟମ ସମୀକ୍ଷକମାନେ ସରକାର ଓ ରଜନୀତିକ ଦଳଗୁଡ଼ିକ ଡିଜିଟାଲ ମଞ୍ଚରେ ଦର୍ଶକ ସଂଖ୍ୟା ବଢୁଥିବା ହେତୁ କ୍ରମଶଃ ସେହି ଦିଗରେ ବିଜ୍ଞାପନ ପ୍ରକାଶ କରିବା ଆଗ୍ରହ ପ୍ରକାଶ କଲେଣି । ନିକଟ ଭବିଷ୍ୟତରେ ଏହି ଦୃଷ୍ଟିକୋଣ ସଂପ୍ରସାରିତ ହୋଇ ୨୦୨୪ ନିର୍ବାଚନ ପରବର୍ତ୍ତୀ ଅବସ୍ଥାରେ ମୁଦ୍ରିତ ସମ୍ୱାଦପତ୍ର ବିଜ୍ଞାପନ ନୀତି ଅମୂଳଚୂଳ ପରିବର୍ତ୍ତନ ଆଶା କରିବା ନିରାଧାର ନୁହେଁ ।
ଓଡ଼ିଶା ଭଳି ରାଜ୍ୟରେ ବହୁ ସଂଖ୍ୟକ ମୁଦ୍ରିତ ସମ୍ୱାଦପତ୍ର ବ୍ୟାବସାୟିକ କିମ୍ୱା ସରକାରୀ ବିଜ୍ଞାପନ ଆୟ ବଦଳରେ ବଦାନ୍ୟତାରେ ସମୃଦ୍ଧ । ମହାମାରୀ-ପର ପରିବେଶରେ ଏହି ମଡ଼େଲରେ ସଂସ୍କାର ଆଣିବା ସମୟ ଉପନୀତ । ସମ୍ୱାଦମଞ୍ଚଗୁଡ଼ିକ ଯଦି ଅଣ-ବ୍ୟବସାୟିକ ପ୍ରତିଷ୍ଠାନ ରୂପେ ଗଢ଼ି ଉଠିବ ଏବଂ କତିପୟଙ୍କ ଦୟା ଉପରେ ନିର୍ଭର ନକରି ବିସ୍ତୃତ ପାଠକ ସମାଜର ଅନୁଦାନରେ ପରିଚାଳିତ ହେବ ତେବେ ଗୁଣାତ୍ମକ ସାମ୍ୱାଦିକତା ନିମନ୍ତେ ପଥ ଉନ୍ମୁକ୍ତ ସମ୍ଭବ ।
ବ୍ରିଟେନରେ ରଏଟର୍ସ ଇନଷ୍ଟିଟିଉଟ ଫର ଷ୍ଟଡ଼ି ଅଫ ଜର୍ଣ୍ଣାଲିଜମ ପକ୍ଷରୁ ମହାମାରୀ-ପର ଅବସ୍ଥାରେ ୩୩ ଗୋଟି ରାଷ୍ଟ୍ରରେ ସମ୍ୱାଦ ମଞ୍ଚ ପରିଚାଳନା ସଂପର୍କରେ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ଏଥିରୁ ଜଣାଯାଇଥିଲା ଯେ ୨୭ ପ୍ରତିଶତ ସର୍ବେକ୍ଷଣ ଅଂଶଗ୍ରହଣକାରୀ ସମ୍ୱାଦ ସଂସ୍ଥାଗୁଡ଼ିକୁ ସରକାରୀ ସହାୟତାକୁ ସମର୍ଥନ କରିଥିବା ସ୍ଥଳେ ୪୪ ପ୍ରତିଶତ ବିରୋଧ କରିଥିଲେ । ଅବଶ୍ୟ ଭାରତରେ ୫୧ ପ୍ରତିଶତ ସମର୍ଥନ ଏବଂ ୨୮ ପ୍ରତିଶତ ବିରୋଧ କରିଥିବା ଜଣାଯାଇଥିଲା । ସେହିପରି ଆନ୍ତର୍ଜାତିକସ୍ତରରେ ୬୬ ପ୍ରତିଶତ ସମ୍ୱାଦମଞ୍ଚ ପରିଚାଳକ ପ୍ରକାଶନ ବ୍ୟବସାୟରେ ବିଜ୍ଞାପନକୁ ପ୍ରାଧାନ୍ୟ ଦେଉଥିବା ବେଳେ ୭୬ ପ୍ରତିଶତ ଗ୍ରାହକଚାନ୍ଦା ଓ ଅନ୍ୟ ଆୟପ୍ରତି ଗୁରୁତ୍ୱରୋପ କରିଥିଲେ ।
ମୁଦ୍ରିତ ସମ୍ୱାଦପତ୍ରର ବିଜ୍ଞାପନ ଆୟ ପ୍ରତିଯୋଗୀ ଡିଜିଟାଲ ସମ୍ୱାଦମଞ୍ଚଗୁଡ଼ିକର ଲୋକପ୍ରିୟତା ବୃଦ୍ଧି କାରଣରୁ ପାଠକ ସଂଖ୍ୟା ହ୍ରାସ ଓ ବିଜ୍ଞାପନ ଅପସାରଣ ହେତୁ ବିଘଟନର ସମ୍ମୁଖୀନ ହୋଇଛି । ଏହି ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ ଯୋଜନାବଦ୍ଧ ଉଦ୍ୟମ ଆବଶ୍ୟକ । ଇଂଲିଶ ସମ୍ୱାଦପତ୍ର କ୍ଷେତ୍ରରେ ଏହି ସମସ୍ୟା ଗୁରୁତର ହୋଇପଡ଼ିଥିବା ସ୍ଥଳେ ‘ଦି ଟାଇମ୍ସ ଅଫ ଇଣ୍ଡିଆ’ର ଭୁବନେଶ୍ୱର ସଂସ୍କରଣ ମୁକାବିଲା ଉଦ୍ୟମର ଏକ ସଫଳ ଉଦାହରଣ । ସମ୍ୱାଦପତ୍ରଟିର କଳେବର ୨୪ ପୃଷ୍ଠାରୁ ୧୦ ପୃଷ୍ଠାକୁ କମି ଆସିଥିବା ସ୍ଥଳେ ପଠନଯୋଗ୍ୟ ସମ୍ୱାଦ ପ୍ରକାଶନର ପରିମାଣ କମି ନାହିଁ । ଏହାହିଁ ଗୁଣାତ୍ମକ ସମ୍ପାଦନାର ନିଦର୍ଶନ । ସେହିପରି ଟାଇମ୍ସ ଦୈନିକ ସଂସ୍କରଣ ମୂଲ୍ୟ ଛଅ ଟଙ୍କା ପ୍ରତିଯୋଗୀ ବହୁଳ ପ୍ରସାରିତ ଓଡ଼ିଆ ସମ୍ୱାଦପତ୍ର ମୂଲ୍ୟଠାରୁ କମ । ଅବଶ୍ୟ ଟାଇମ୍ସ ମଡ଼େଲ ଆଞ୍ଚଳିକ ସମ୍ୱାଦପତ୍ର କ୍ଷେତ୍ରରେ ପ୍ରତିଫଳନ କେତେଦୂର ସମ୍ଭବ ତାହା ଭିନ୍ନ ପ୍ରସଙ୍ଗ ।
