ଶାରଦୀୟ ପାର୍ବଣ ଋତୁ ୨୦୨୦ ଅବସରରେ ଟେଲିଭିଜନ, ମୁଦ୍ରଣ ଓ ଅନ୍ୟାନ୍ୟ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ବିଜ୍ଞାପନ ପ୍ରଦର୍ଶନ ପରିମାଣ ବୃଦ୍ଧିପାଇଥିବା ଏକ ଉତ୍ସାହପ୍ରଦ ସମ୍ୱାଦ । ବ୍ରଡ଼କାଷ୍ଟ ଅଡ଼ିଏନ୍ସ ରିସର୍ଚ୍ଚ କାଉନସିଲ ‘ବାର୍କ’ର ହିସାବ ଅନୁଯାୟୀ ଅକ୍ଟୋବର ଶେଷ ସପ୍ତାହରେ ଟେଲିଭିଜନରେ ବିଜ୍ଞାପନ ପରିମାଣ ବିଗତ ପାଞ୍ଚ ବର୍ଷର ହିସାବରେ ଶୀର୍ଷ ସ୍ଥାନ ଅଧିକାର କରିଥିଲା । ଅତୀତରେ ୨୦୧୫ରେ ସାପ୍ତାହିକଭିତ୍ତିରେ ୩ କୋଟି ୮୭ ଲକ୍ଷ ସେକେଣ୍ଡ ଟେଲିଭିଜନ ବିଜ୍ଞାପନ ପ୍ରଦର୍ଶିତ ହୋଇଥିବା ସ୍ଥଳେ ୨୦୨୦ ଅକ୍ଟୋବର ୨୪ ରୁ ୩୦ ତାରିଖ ସପ୍ତାହରେ ୩ କୋଟି ୭୯ ଲକ୍ଷ ସେକେଣ୍ଡ ଗଣତି କରାଯାଇଥିଲା ।
‘କୋଭିଡ଼-୧୯’ ସଂକ୍ରମଣ ରୋକିବା ଉଦ୍ୟମରେ ମାର୍ଚ୍ଚ ଶେଷ ସପ୍ତାହରୁ ଛଅମାସ ଧରି ଦେଶବ୍ୟାପୀ ବିଭିନ୍ନ ସ୍ତରର ଲକଡ଼ାଉନରେ ସ୍ୱାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା । ଅକ୍ଟୋବର ମାସରୁ ରାଷ୍ଟ୍ରୀୟ ଅନଲକ ୬.୦ କାର୍ଯ୍ୟକ୍ରମରେ ପ୍ରାୟ ସମସ୍ତ ବୃତ୍ତି ବ୍ୟବସାୟ ଖୋଲିବା ନିମନ୍ତେ ଅନୁମତି ପ୍ରଦାନପରେ ବାଣିଜ୍ୟ ପ୍ରତିଷ୍ଠାନଗୁଡ଼ିକ ପରିସ୍ଥିତି ସଜାଡ଼ିବା ନିମନ୍ତେ ପୂର୍ଣ୍ଣପ୍ରାଣରେ ଉଦ୍ୟମ ଆରମ୍ଭ କରିଦେଇଥିଲେ । ବ୍ରାଣ୍ଡ ଓ ବିଜ୍ଞାପକମାନ ଅନ୍ତଃତପକ୍ଷେ ନିଜସ୍ୱ ଉପସ୍ଥିତି ଜାହିର କରିବା ନିମନ୍ତେ ବିଜ୍ଞାପନ ପ୍ରକାଶନର ସାହାରା ନେଇଥିବା ପରିଲକ୍ଷିତ ।
‘ବାର୍କ’ର ସାପ୍ତାହିକ ବିବରଣୀରେ ଇ-କମର୍ସ ମଞ୍ଚ ଆମେଜନ ବିଜ୍ଞାପନ ପ୍ରଦର୍ଶନରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ସ୍ଥଳେ ଆଣ୍ଟିସେପ୍ଟିକ ଡ଼େଟଲ ଓ ଡ଼ିଟେରଜେଣ୍ଟ ସର୍ଫ ଏକ୍ସଲ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ । ସେହିପରି ହିନ୍ଦୁସ୍ଥାନ ଲିଭର, ରେକିଟ ବେନସିକିସର ଓ ଆଇଟିସି କ୍ରମାନ୍ୱୟରେ ଶୀର୍ଷ ତିନି ବିଜ୍ଞାପକ ବିବେଚ଼ିତ । ଚଳିତ ବର୍ଷ ଡିଜିଟାଲ କମ୍ପାନୀ, ଗେମିଂ ଆପ୍ଳିକେସନ୍ସ, ଏଡୁଟେକ ଓ କୋଡ଼ିଂ କମ୍ପାନୀ ପ୍ରଥମ ଥର ପାଇଁ ବହୁଳ ବିଜ୍ଞପିତ ହୋଇଥିଲେ ।
ଭାରତୀୟ ଟେଲିଭିଜନରେ ଶାରଦୀୟ ପାର୍ବଣ ଋତୁରେ ଇଣ୍ଡିଆନ ପ୍ରିମିୟର ଲିଗ, ବିଗବସ ଓ କୌନ ବନେଗା କରୋଡ଼ପତି ଭଳି କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିବା ହେତୁ ଅଧିକ ପରିମାଣର ବିଜ୍ଞାପନ ଆକୃଷ୍ଟ କରିଥିବା ଅନ୍ୟତମ କାରଣ ରୂପେ ଚ଼ିହ୍ନଟ କରାଯାଇଥିଲା । ତେବେ ସମୀକ୍ଷକମାନଙ୍କ ମତରେ ଲକଡ଼ାଉନ ପରବର୍ତ୍ତୀ ଅବସ୍ଥାରେ ବିଜ୍ଞାପନ ଦରରେ ରିହାତି ପ୍ରଦାନ ହେତୁ ପ୍ରଦର୍ଶିତ ବିଜ୍ଞାପନର ପରିମାଣ ବୃଦ୍ଧି ପାଇଥିଲେ ମଧ୍ୟ ପ୍ରକୃତରେ ବିଜ୍ଞାପନ ରାଜସ୍ୱ ସମାନୁପାତିକଭାବେ ବୃଦ୍ଧି ପାଇପାରି ନଥିଲା ।
ମହାମାରୀଜନିତ ଲକଡ଼ାଉନ-ପର ଅବସ୍ଥାରେ ଭାରତରେ ବିଜ୍ଞାପନ ବ୍ୟୟ କ୍ରମଶଃ ବୃଦ୍ଧି ପାଇଚାଲିଥିଲା । ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ କ୍ରିକେଟ ଟେଲିଭିଜନ ପ୍ରସାରଣ ଅବସରରେ ବିଜ୍ଞାପନ ପ୍ରଦର୍ଶନରେ ବ୍ୟାବସାୟିକ ସଫଳତା ଅନେକଙ୍କୁ ବିସ୍ମିତ କରିଥିଲା । ଡିସନି-ଷ୍ଟାର ଗୃପ ପକ୍ଷରୁ ଷ୍ଟାର ସ୍ପୋର୍ଟସ ଆଇପିଏଲ ପ୍ରସାରଣ ଭାର ଗ୍ରହଣ କରିବାପରେ ଖେଳ ଆରମ୍ଭ ହେବା ପୂର୍ବରୁ ହିଁ ସମସ୍ତ ବିଜ୍ଞାପନ ସ୍ପଟ ବିକ୍ରୀ କରିସାରିଥିଲା । ସାଧାରଣତଃ ଫାଇନାଲ ମ୍ୟାଚ଼ ପାଇଁ ପାଞ୍ଚରୁ ସାତ ପ୍ରତିଶତ ବିଜ୍ଞାପନ ଶେଷ ମୂହୁର୍ତ୍ତରେ ବିକ୍ରି ହୋଇଥାଏ । କିନ୍ତୁ ନଭେମ୍ୱର ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ଫାଇନାଲ ମ୍ୟାଚ଼ ବେଳକୁ ବଳକା ସ୍ପଟ ନଥିଲା ।
ସମୀକ୍ଷକମାନଙ୍କ ମତରେ ମହାମାରୀ ହେତୁ ପରିବର୍ତ୍ତିତ ସମୟ ସାରଣୀରେ ଆଇପିଏଲ ୨୦୨୦ ଶାରଦୀୟ ପାର୍ବଣ ଋତୁ ଓ ଲକଡ଼ାଉନ ପରବର୍ତ୍ତୀ ଅବସ୍ଥାରେ ଅନୁଷ୍ଠିତ ହେବା ହେତୁ ବିଜ୍ଞାପକମାନଙ୍କୁ ବ୍ୟାପକ ମାତ୍ରାରେ ଆକୃଷ୍ଟ କରିଥିଲା । ଆଇପିଏଲ ଆୟୋଜନ ନେଇ ଅନିଶ୍ଚିତତା, ବିଦେଶରେ ଖେଳ ଏବଂ ସର୍ବୋପରି ଦର୍ଶକବିହୀନ ପରିବେଶ ଟେଲିଭିଜନ ପ୍ରସାରଣରେ ଉଭୟ ବିଜ୍ଞାପନ ଓ ସିଧାପ୍ରସାରଣର ଦର୍ଶକଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ଆଶଙ୍କା କରାଯାଉଥିଲା । ତେବେ ବାସ୍ତବ କ୍ଷେତ୍ରରେ ଉଭୟ ଭୂଲ ପ୍ରମାଣିତ ହେଲା । ଷ୍ଟାର ସ୍ପୋର୍ଟସ ପକ୍ଷରୁ ବିଜ୍ଞାପନ ଦର ୨୦୧୯ ତୁଳନାରେ ୨୦୨୦ରେ ୨୫ ରୁ ୩୦ ପ୍ରତିଶତ ବୃଦ୍ଧି କରାଯାଇଥିଲା । ପ୍ରତ୍ୟେକ ୧୦ ମିନଟର ଟେଲିଭିଜନ ବିଜ୍ଞାପନ ସ୍ପଟ ପାଇଁ ୧୨ ରୁ ୧୩ ଲକ୍ଷ ଟଙ୍କା ଦର ଧାର୍ଯ୍ୟ ହୋଇଥିଲେ ହେଁ ଖେଳ ଆରମ୍ଭ ହେବା ପୂର୍ବରୁ ସବୁତକ ବିକ୍ରୀ ହୋଇ ଯାଇଥିଲା ।
ଆଇପିଏଲ ୨୦୨୦ ପାଇଁ ଷ୍ଟାରସ୍ପୋର୍ଟ ସହ ୧୩ ଗୋଟି ପ୍ରାୟୋଜକଙ୍କ ସହ ସର୍ବମୋଟ ୧୧୦ ଗୋଟି ବିଜ୍ଞାପକ ଟେଲିଭିଜନରେ ବିଜ୍ଞାପନ ପ୍ରସାରଣ କରିଥିଲେ । ଏମାନଙ୍କ ମଧ୍ୟରେ ପାରମ୍ପରିକ ବିଜ୍ଞାପକଙ୍କ ସହ ଡିଜିଟାଲ ବିଜ୍ଞାପକମାନେ ମଧ୍ୟ ସାମିଲ ହୋଇଥିଲେ । ଟେଲିଭିଜନରେ କ୍ରିକେଟ ମ୍ୟାଚଗୁଡ଼ିକର ସିଧା ପ୍ରସାରଣ ହାରାହାରି ୨୦୧୯ରେ ନଅ କୋଟି ୮୦ ଲକ୍ଷ ଦର୍ଶକ ଉପଭୋଗ କରିଥିବା ସ୍ଥଳେ ୨୦୨୦ରେ ଦର୍ଶକ ସଂଖ୍ୟା ଦଶ କୋଟି ୮୦ ଲକ୍ଷକୁ ବୃଦ୍ଧି ପାଇଥିବା ଜଣାଯାଇଥିଲା । ଆଇପିଏଲ ଆୟୋଜକ ପକ୍ଷରୁ ପ୍ରଥମ ମ୍ୟାଚ଼ ୨୦ କୋଟି ଟେଲିଭିଜନ ଦର୍ଶକ ଉପଭୋଗ କରିଥିବା ଦାବୀ କରାଯାଇଥିଲା ।
ଭାରତରେ ଟେଲିଭିଜନ ପ୍ରସାରଣରେ ବିଜ୍ଞାପନ ବ୍ୟୟ ମହାମାରୀ ପୂର୍ବାବସ୍ଥାରୁ ସର୍ବାଧିକ ସ୍ତରରେ ପହଞ୍ଚିଥିଲା ଏବଂ ମହାମାରୀରେ ମଧ୍ୟ ସ୍ଥିତାବସ୍ଥା ବଜାୟ ରହିଥିଲା । ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ଇଣ୍ଟରନେଟ ଓ ମୋବାଇଲ ଆପ୍ଲିକେସନ ପ୍ରସାର ଟେଲିଭିଜନ ପ୍ରସାରଣକୁ ଡିଜିଟାଲ ମୁହାଁ କରାଇଥିବା ସ୍ଥଳେ ଏହା ଉଭୟ ମଞ୍ଚର ବୈଶିଷ୍ଟ୍ୟାବଳୀରେ ସମୃଦ୍ଧ ହୋଇପାରିଛି । ମିଳିତ ମଞ୍ଚର ଦର୍ଶକ ସଂଖ୍ୟା ବଢ଼ି ଚାଲିଥିବା ହେତୁ ବିଜ୍ଞାପନ ବ୍ୟୟ ଟେଲିଭିଜନ ମଞ୍ଚକୁ ସର୍ବାଗ୍ରେ ସ୍ଥାନିତ କରୁଛି ।
ଦେଶରେ ଟେଲିଭିଜନରେ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକର ସିଧା ପ୍ରସାରଣ ଲୋକପ୍ରିୟ ରହିଆସିଛି । ତେବେ ଆଇପିଏଲ ୨୦୨୦ ଦର୍ଶକ ଗଣତିରେ ପ୍ରାୟ ବାର ପ୍ରତିଶତ ଏକ କୋଟି ଦର୍ଶକ ସଂଖ୍ୟା ବୃଦ୍ଧି ଟେଲିଭିଜନ ପ୍ରସାରଣର ଭବିଷ୍ୟତ ରୂପରେଖରେ ପରିବର୍ତ୍ତନର ଆଭାସ ପ୍ରଦାନ କରିଥାଏ । ଭିଡ଼ିଓ ଅନ ଡ଼ିମାଣ୍ଡ ଏବଂ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଭଳି କାରିଗରୀ କୌଶଳ ଉପଯୋଗରେ ପ୍ରତ୍ୟେକ ଦର୍ଶକଙ୍କ ରୁଚ଼ି ଅନୁଯାୟୀ କାର୍ଯ୍ୟକ୍ରମ ପ୍ରଯୋଜନା ଓ ପ୍ରସାରଣ ଭଳି ସେବା ଟେଲିଭିଜନ ମଞ୍ଚକୁ ସୂଚନା, ସମ୍ୱାଦ ଓ ମନୋରଞ୍ଜନର ଅପ୍ରତିଦ୍ୱନ୍ଦୀ ମାଧ୍ୟମ ରୂପେ ଗଢିତୋଳିବା ଆଶା କରାଯାଇପାରେ । ଫଳତଃ ବିଜ୍ଞାପନ ଆୟ କ୍ଷେତ୍ରରେ ଆଗୁଆ ରହିବା ସ୍ୱାଭାବିକ ।
