ଆଜିର ଖାସ ଖବର
Mon. Jul 27th, 2026

ଇ- ବୁକ’ର ପ୍ରାସଙ୍ଗିକତା

By Dainikasha Jul11,2024

ଯୋଗାଯୋଗ ‘କମ୍ୟୁନିକେସନ’କ୍ଷେତ୍ରରେ ପ୍ରତ୍ୟେକ ମାଧ୍ୟମ ନିଜର ସ୍ୱତନ୍ତ୍ରତା ଜାହିର କରିଥାଏ । ନିର୍ଦ୍ଦିଷ୍ଟ ମଞ୍ଚ ନିମନ୍ତେ ଉତ୍ପାଦ ପ୍ରଯୋଜନା ଅବସରରେ ତଦ୍ଉପଯୋଗୀ ନୀତିନିୟମ ଅନୁସରଣ କରିବା ବିଧେୟ । ଅନ୍ୟଥା ସଂପୃକ୍ତ ଉତ୍ପାଦର ଗୁଣବତ୍ତା କ୍ଷୁର୍ଣ୍ଣ ଆଶଙ୍କା ରହିଯାଏ ।

ଇ-ପୁସ୍ତକ ‘ଇ-ବୁକ’ ପ୍ରସ୍ତୁତି ମୁଦ୍ରିତ-ପୁସ୍ତକ ତୁଳନାରେ ସରଳ ଓ କମ ବ୍ୟୟସାପେକ୍ଷ । ଏହାର ବିତରଣ ପ୍ରକ୍ରିୟା ମଧ୍ୟ ସହଜପ୍ରଦ । ଅତି କମ ସମୟ ମଧ୍ୟରେ ସଂଖ୍ୟାଧିକ ପାଠକଙ୍କ ନିକଟରେ ପୁସ୍ତକଟିଏ ପହୁଞ୍ଚାଇଦେବା ସଂଭବପର । ମୁଦ୍ରିତ ପୁସ୍ତକରେ କାଗଜ, ମଲାଟ ଓ ବନ୍ଧେଇ ତଥା ମୁଦ୍ରଣର ଗୁଣବତ୍ତାରେ ତାରତମ୍ୟ ରହୁଥିବା ସ୍ଥଳେ ଇ-ବୁକ କ୍ଷେତ୍ରରେ କେବଳ ସୃଜନକୁ ଛାଡ଼ି ଅନ୍ୟାନ୍ୟ ସର୍ବୋତ୍ତମ କଳାକୌଶଳ ସାଧାରଣରେ ଉପଲବ୍ଧ । ସର୍ବୋପରି ଇ-ବୁକ ବିକ୍ରୀ ଲାଗି ସୁଲଭ ମୂଲ୍ୟ ନିର୍ଦ୍ଧାରଣ କରାଯାଇପାରେ ।

ମୁଦ୍ରିତ-ପୁସ୍ତକ ଶିଳ୍ପରେ ଆନ୍ତର୍ଜାତିକସ୍ତରରେ ‘ଫିକସନ’ ସହ ‘ନନ-ଫିକସନ’ର ପାଠକୀୟ ଆଦର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ନନ-ଫିକସନ ବିଷୟଭିତ୍ତିକ ପୁସ୍ତକ ପ୍ରକାଶନ ନିମନ୍ତେ ଇ-ବୁକ ଏକ ପ୍ରକୃଷ୍ଟ ମାଧ୍ୟମ । ନନ-ଫିକସନ ଚଳନ୍ତି ସାମାଜିକ ଘଟଣାବଳୀକୁ ନେଇ ପ୍ରସ୍ତୁତ ହେଉଥିବା ତଥା ପାଠକ ମହଲରେ ଏଥିପ୍ରତି ଉତ୍ସୁକତା ହେତୁ ତତ୍କ୍ଷଣାତ ପୁସ୍ତକ ରଚ଼ନା, ପ୍ରସ୍ତୁତି ଓ ବିତରଣ ଗୁରୁତ୍ୱ ବହନ କରିଥାଏ ।ଇ-ବୁକ ନିମନ୍ତେ ବିଷୟ ନିର୍ବାଚ଼ନ, ତଥ୍ୟ ସଂଗ୍ରହ, ଅନୁସନ୍ଧାନ ଓ ସର୍ଜନ ପ୍ରକ୍ରିୟା ସୀମିତ ଅବଧିରେ ସମାପନ କରି କିମ୍ୱା ଏକାଧିକ ଗବେଷକ ଓ ଲେଖକଙ୍କୁ ସଂପୃକ୍ତ କରାଇ ସମକାଳୀନ ଘଟଣାବଳୀ ସଂପର୍କୀତ ଇ-ବୁକ ପ୍ରକାଶନ ଓଡ଼ିଆ ଭାଷାରେ ନନ-ଫିକସନ ସାହିତ୍ୟ ପ୍ରସାରଣ ସହାୟକ ହେବା ଆଶା କରାଯାଇପାରେ ।

ସାଂପ୍ରତିକ ଘଟଣାବଳୀ ପ୍ରତି ପାଠକମାନେ ଆଗ୍ରହ ପ୍ରକାଶ କରିଥାନ୍ତି । ମୁଦ୍ରିତ ପୁସ୍ତକ କ୍ଷେତ୍ରରେ ପ୍ରସ୍ତୁତି ଓ ବିତରଣରେ ବିଳମ୍ୱତା କାରଣରୁ କମ ପାଠକ ବିଶିଷ୍ଟ ଭାଷାଗୁଡ଼ିକରେ ବ୍ୟାବସାୟିକ ସଫଳତା ସନ୍ଦେହପୂର୍ଣ୍ଣ ବିବେଚ଼ନା କରାଯାଉଥିବା ସ୍ଥଳେ ଇ-ବୁକ ପ୍ରକାଶନ କ୍ଷେତ୍ରରେ ଅନ୍ତତଃ ସେହି ଦୁଇ ଦିଗରେ ନିର୍ଭର ପ୍ରତିଶୃତି ଆଶା କରାଯାଇପାରେ । ଓଡ଼ିଆ ଭାଷାରେ ପୁରାଣ, ଗଳ୍ପ, ଉପନ୍ୟାସ ଓ ଜ୍ଞାନବର୍ଦ୍ଧକ ପୁସ୍ତକ ସାଙ୍ଗକୁ ନନ-ଫିକସନ ପୁସ୍ତକ ଇ-ବୁକ ପ୍ରକାଶନରେ ଏକ ନୂତନ ସମୀକରଣ ସୃଷ୍ଟି କରିପାରେ ।

ଓଡ଼ିଆ ଭାଷାରେ ପୁସ୍ତକ ପାଠକ ସଂଖ୍ୟା ବିଭିନ୍ନ କାରଣରୁ କମ ଥିବା ସ୍ଥଳେ ମୁଦ୍ରିତ ପୁସ୍ତକ ବାର୍ଷିକ ପ୍ରକାଶନ ସଂଖ୍ୟା ବିଚ଼ାରକୁ ନେଲେ ଲେଖକ ସଂଖ୍ୟା ଉତ୍ସାହପ୍ରଦ ମନେହୁଏ । ଓଡ଼ିଆ ପୁସ୍ତକ ସୀମିତ ପ୍ରସାର ନିମନ୍ତେ ସୃଜନ ଦକ୍ଷତା ସହ ବିତରଣଗତ ଅବ୍ୟବସ୍ଥା ଅନେକାଂଶରେ ଦାୟୀ ।ଭଲ ବହି ପଢ଼ିବାକୁ ମିଳିଲେ ପାଠକ ସଂଖ୍ୟା ବଢ଼ିବ ଏବଂ ପାଠକ ସଂଖ୍ୟା ବଢ଼ିଲେ ଭଲ ବହି ପ୍ରସ୍ତୁତ ନିମନ୍ତେ ଲେଖକ ଆଗ୍ରହାନ୍ୱିତ ହେବେ। ଇ-ବୁକ ପ୍ରକାଶନ ଧାରାରେ ବହୁ ସଂଖ୍ୟକ ଲେଖକଙ୍କୁ ବିବିଧ ବିଷୟରେ ବହୁ-ସଂଖ୍ୟକ ପୁସ୍ତକ ରଚ଼ନା ନିମନ୍ତେ ତଥା ସଂଖ୍ୟାଧିକ ପାଠକଙ୍କ ହାତପାଆନ୍ତାରେ ଅଧିକ ସଂଖ୍ୟକ ପୁସ୍ତକ ପହୁଞ୍ଚାଇଦେବା ସୁଯୋଗ ଉପଲବ୍ଧ । ଅତଏବ ଇ-ବୁକ ପ୍ରକାଶନରେ ଯୋଜନାବଦ୍ଧ ଉଦ୍ୟମ ପୁସ୍ତକ ପ୍ରକାଶନଜନିତ ବିଷଚ଼କ୍ର ସୁଧାରିବାରେ ସହାୟକ ହୋଇପାରେ ।

ସ୍ମାର୍ଟଫୋନ ପରଦା କ୍ରମଶଃ ସମସ୍ତ ଗଣମାଧ୍ୟମର ଏକକ ମଞ୍ଚ ରୂପେ ଆର୍ବିଭାବ ହୋଇଛି । ଆନ୍ତର୍ଜାତିକ ପ୍ରବାହ ସଙ୍ଗେ ସମତାଳ ରଖି ଓଡ଼ିଶାରେ ମଧ୍ୟ ପାଠକ ଓ ଦର୍ଶକମାନେ ପାଠ୍ୟ, ରେଡ଼ିଓ, ଟେଲିଭିଜନ, ଚଳଚ଼ିତ୍ର ଓ ଇଣ୍ଟରନେଟ ସ୍ମାର୍ଟଫୋନ ପରଦାରେ ଉପଭୋକ୍ତା ସାଜୁଥିବା ଅବସରରେ ବ୍ୟକ୍ତିଗତସ୍ତରରେ ସ୍ମାର୍ଟଫୋନରେ ଦୀର୍ଘ ସମୟ ବିତାଉଥିବା ଦେଖିବାକୁ ମିଳୁଛି । ନିକଟ ଭବିଷ୍ୟତରେ ଏହି ଧାରା ପରିପୁଷ୍ଟ ହେବା ଆକଳନ କରାଯାଉଛି । ଏଣୁ ଇ-ବୁକଗୁଡ଼ିର ସୃଜନ ଓ ଉପସ୍ଥାପନ ଶୈଳୀ ମୋବାଇଲ ଫୋନ ପରଦା ଉପଯୋଗୀ କରାଯିବା ସମୟର ଆହ୍ୱାନ ।

ସମ୍ୱାଦପତ୍ର, ପତ୍ରପତ୍ରିକା, ଟେଲିଭିଜନ ଓ ଇଣ୍ଟରନେଟ ଉତ୍ପାଦଗୁଡ଼ିକ ‘ମୋବାଇଲ ଫାଷ୍ଟ’ ଅର୍ଥାତ ସ୍ମାର୍ଟଫୋନ ପରଦାରେ ପଢ଼ିବା କିମ୍ୱା ଦେଖିବା ଉପଯୋଗୀ କରିବା ନିମନ୍ତେ ଉଦ୍ୟମ କରାଯାଉଛି । ଉଦାହରଣରେ ସମ୍ୱାଦପତ୍ରରେ ବର୍ଣ୍ଣିତ ଯେକୌଣସି ଘଟଣାର ବିବରଣୀ ଉପଭୋକ୍ତାମାନେ ପ୍ରଥମେ ମୋବାଇଲ ଫୋନରେ ପଢ଼ିବା ପରେ ହାଇପର ଲିଙ୍କଯୋଗେ ମୂଳ ସମ୍ୱାଦପତ୍ରର ୱେବସାଇଟ ବା ଇ-ପେପରକୁ ବିସ୍ତୃତ ବିବରଣୀ ଜାଣିବାପାଇଁ ଯିବେ ବୋଲି ଧରି ନିଆଯାଉଛି ।ସେହିପରି ଟେଲିଭିଜନ କାର୍ଯ୍ୟକ୍ରମ ବା ଭିଡ଼ିଓର ଝଲକ ମୋବାଇଲ ପରଦାରେ ଦେଖି ମୂଳ ଉତ୍ପାଦପ୍ରତି ଆଗ୍ରାହ୍ୱାନିତ ହେବେ ବୋଲି ବିଚ଼ାର କରାଯାଉଛି । ଏହି ପରିପ୍ରେକ୍ଷୀରେ ଇ-ବୁକ ମୋବଇଲ ପରିଧିରୁ ବର୍ତ୍ତିପାରିବ ନାହିଁ ।

ସ୍ମାର୍ଟଫୋନ ପରଦାରେ ପୁସ୍ତକ ପଠନ ଉପଯୋଗୀ ପାଠ୍ୟର ଦୀର୍ଘତା ଓ ରଚ଼ନାଶୈଳୀ ନିର୍ଦ୍ଧାରଣ ପ୍ରତି ଗୁରୁତ୍ୱାରୋପ କରିଥାଏ । ମୋବାଇଲ ପରଦାରେ ବିଭିନ୍ନ କାରଣରୁ ପାଠକ ମୁଦ୍ରିତ ପଠନ ସାମଗ୍ରୀ ତୁଳନାରେ କମ ସମୟ ଅତିବାହିତ କରୁଥିବା ହେତୁ ଇ-ବୁକର ପୃଷ୍ଠା ସୀମିତ ରଖାଯିବା ଆବଶ୍ୟକ । ଇ-ବୁକ ୪୦ ରୁ ୬୦ ପୃଷ୍ଠା ସୀମାରେ ପାଠକୀୟ ଆଗ୍ରହ ଚ଼ରିତାର୍ଥ କରିବ ବୋଲି ଆଶା କରାଯାଇପାରେ ।

ସ୍ମାର୍ଟଫୋନର ପରଦାର ଆୟତନକୁ ଲକ୍ଷ୍ୟ ରଖି ରଚ଼ନାଶୈଳୀ ଉପଯୋଗ କରାଯିବା ଉଚ଼ିତ । ବାକ୍ୟ ବା ‘ସେଣ୍ଟେନସ’ଗୁଡ଼ିକ ୧୦ ରୁ ୧୫ ଶବ୍ଦ ମଧ୍ୟରେ ଏବଂ ପ୍ରତ୍ୟେକ ଅନୁଚ୍ଛେଦ ବା ‘ପାରାଗ୍ରାଫ’ ତିନିରୁ ସର୍ବାଧିକ ପାଞ୍ଚଗୋଟି ବାକ୍ୟ ମଧ୍ୟରେ ସୀମିତ ରଖିଲେ ଯାଇ ତାହା ମୋବାଇଲ ପରଦା ପଠନ ଉପଯୋଗୀ ବୋଲି କହିବାକୁ ହେବ । ପାରାଗ୍ରାଫ ଓ ଅଧ୍ୟାୟ ‘ଚ଼ାପ୍ଟର’ ଗଠନ ଅବସରରେ କିପରି ନିର୍ଦ୍ଧିଷ୍ଟ ଚ଼ିନ୍ତା କିମ୍ୱା ଦୃଷ୍ଟିକୋଣ ସନ୍ନିବେଶିତ ହେବ ସେଥିପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ ।

ଇ-ପାଠ୍ୟ ରଚ଼ନା ଅବସରରେ ବାକ୍ୟ ବିନ୍ୟାସରେ ସଂଯମତାପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ଇଣ୍ଟରନେଟ ପାଠ୍ୟରେ ଅଧିକ କଥାକୁ ଅଳ୍ପରେ କହିବା ସାଙ୍ଗକୁ ଅଳ୍ପ କଥାକୁ ଅଧିକରେ କହିବାକୁ ଆକଟ କରାଯାଇଥାଏ । ଏହାର ଅର୍ଥ ନୁହେଁ  ଯେ ଇଣ୍ଟରନେଟ ପାଠ୍ୟରେ ବର୍ଣ୍ଣନାକୁ ବିରୋଧ କରାଯାଏ । ତେବେ ପ୍ରତି ପାରାଗ୍ରାଫ କିପରି ସୀମିତ ପରିସରରେ ଏକକ ଚ଼ିନ୍ତା‘ସିଙ୍ଗଲ ପଏଣ୍ଟ’ରେ ସୀମାବଦ୍ଧ ରହିବ ସେଥିପ୍ରତି ଦୃଷ୍ଟି ଦିଆଯାଇଥାଏ । ଏହା ପାଠକର ଧୈର୍ଯ୍ୟଚ୍ୟୂତିକୁ ଏଡ଼ାଇ ଦେବାରେ ସାହାଯ୍ୟ କରେ ।

ପଠନୀୟ, ସାବଲୀଳ ଓ ପାଠକୀୟ ଦୃଷ୍ଟି ଆକର୍ଷକ ପାଠ୍ୟ ରଚ଼ନା ନିମନ୍ତେ ସୃଜନରେ ଉତ୍କର୍ଷତା ଆବଶ୍ୟକ କରେ । ଚ଼ିନ୍ତା ସଙ୍କୋଚ଼ନ ‘କମ୍ପ୍ରିହେନସନ’ଓ ପୁନଃ ସଂଶୋଧନ ‘ରିଭିଜନ’ପ୍ରକ୍ରିୟା ଉନ୍ନତସ୍ତରରେ ପାଠ୍ୟ ପ୍ରସ୍ତୁତିର ସରଳ ଉପାୟ । ଏଭଳି ରଚ଼ନା ଶୈଳୀ ଅଭ୍ୟାସ ଦ୍ୱାରା ଆୟତ୍ତ କରାଯାଇପାରେ । ପ୍ରବୀଣ ଓ ନବୀନ ଉଭୟ ପର୍ଯ୍ୟାୟର ଲେଖକଙ୍କ ନିମନ୍ତେ ଇ-ବୁକ ରଚ଼ନାଲାଗି ସଚ଼େତ ଅଭ୍ୟାସ ଅପରିହାର୍ଯ୍ୟ ।

ଓଡ଼ିଆ ପୁସ୍ତକ ପ୍ରକାଶନ ଶିଳ୍ପରେ ବିଜ୍ଞାପନର ବ୍ୟବହାର ପ୍ରାୟତଃ ନାହିଁ କହିଲେ ଚଳେ । ଇ-ବୁକ ପ୍ରକାଶନ କାଳରେ କୃତୀ ଓ ସ୍ରଷ୍ଟା ଉଭୟକୁ ବିଜ୍ଞାପିତ କରିବା ନିମନ୍ତେ ଉଦ୍ୟମ ଆବଶ୍ୟକ । ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନିମନ୍ତେ ଅନୁସୃତ ବିଜ୍ଞାପନ ପଦ୍ଧତି ଇ-ବୁକ କ୍ଷେତ୍ରରେ ଉପଯୋଗ କରାଯାଇପାରେ । ବିନା ବିଜ୍ଞାପନରେ ବିତରଣ ପ୍ରକ୍ରିୟାରେ ସଫଳତା ପାଇବା ଅସମ୍ଭବବୋଲି ମାନିନେବାକୁ ହିଁ ପଡ଼ିବ ।

ଓଡ଼ିଶାରେ ସାକ୍ଷରତା ସହ ସ୍ମାର୍ଟଫୋନ ବ୍ୟବହାର ବ୍ୟାପ୍ତି ଓଡ଼ିଆ ଇ-ବୁକ ପ୍ରକାଶନ ଶିଳ୍ପ ନିମନ୍ତେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛି । ସୀମିତ ସଂଖ୍ୟକ ଶିକ୍ଷିତ ଜନସଂଖ୍ୟା ଓ ଅଳ୍ପ ପାଠକଙ୍କ କାରଣରୁ ମୁଦ୍ରିତ ପୁସ୍ତକ ପ୍ରକାଶନ ଶିଳ୍ପ ଅବହେଳିତ ହୋଇ ପଡ଼ିରହିଥିବାସ୍ଥଳେ ଇଣ୍ଟରନେଟ ମଞ୍ଚ ମାଧ୍ୟମରେ ଅଧିକ ପୁସ୍ତକ ପ୍ରକାଶନ ଓ ଅଧିକ ପାଠକ ସୃଷ୍ଟି ପ୍ରତି ଯୋଜନାବଦ୍ଧ ଉଦ୍ୟମ କରିବାକୁ ପଡ଼ିବ । ଇ-ବୁକ ପ୍ରକାଶନ କ୍ଷେତ୍ରରେ ଉତ୍ସାହୀ ଯୁବ ଉଦ୍ୟୋଗୀଙ୍କ ପକ୍ଷରୁ ବ୍ୟାବସାୟିକ ଉପକ୍ରମ ବା ‘ଷ୍ଟାର୍ଟଅପ’ ଉଦ୍ୟମ ଆଶା କରାଯାଇପାରେ । ଏଦିଗରେ ସେମାନଙ୍କୁ ରାଜ୍ୟର ବଦାନ୍ୟ ବ୍ୟକ୍ତିବିଶେଷ କିମ୍ୱା ଅନୁଷ୍ଠାନ ସହଯୋଗର ବ୍ୟବସ୍ଥା କରିପାରିଲେ ପ୍ରକଳ୍ପ ରୂପାୟନ ସଂପ୍ରସାରିତ ହୋଇପାରିବ ।

ଓଡ଼ିଆ ଭାଷାରେ ଡ଼ିଜିଟାଲ ପ୍ରକାଶନ ପରିବେଶ ୨୦୧୮ ସୁଦ୍ଧା ଅବହେଳିତ । ଯତ୍ସାମାନ୍ୟ ଉଦ୍ୟମରେ ସଫଳ ବ୍ୟାବସାୟିକ ଯୋଜନା ଉପଯୋଗ ଦେଖିବାକୁ ମିଳେ ନାହିଁ । ଅଧିକାଂଶ ଉଦ୍ୟମ ପୁରାତନ ମୁଦ୍ରିତ ପୁସ୍ତକର ଡ଼ିଜିଟାଲ ରୂପ ପ୍ରଦାନରେ ସୀମିତ ଥିବା ହେତୁ ନୂତନ ଲେଖକ କିମ୍ୱା ବିସ୍ତୃତ ପାଠକଶ୍ରେଣୀଙ୍କୁ ଆକର୍ଷିତ କରିପାରୁ ନାହିଁ । ଅଭିଜ୍ଞ ଡ଼ିଜିଟାଲ ପ୍ରକାଶକମାନେ ପରିବର୍ତ୍ତିତ ପରିସ୍ଥିତିରେ ନିଜର ଆଭିମୁଖ୍ୟ ବଦଳାଇଲେ ଓଡ଼ିଆ ଇ-ବୁକ ପ୍ରକାଶନ ସମୃଦ୍ଧ ହେବା ଆଶା କରାଯାଇପାରେ ।

ଇ-ବୁକ ପ୍ରସାର ଅର୍ଥ ମୁଦ୍ରିତ ପୁସ୍ତକ ବଜାରର ପରିସମାପ୍ତି ବିଚ଼ାର କରିବା ଭ୍ରମାନ୍ତକ । ଗଣମାଧ୍ୟମରେ ପ୍ରତ୍ୟେକ ନୂତନ ପ୍ରବାହ ପାରମ୍ପରିକ ପରିବେଶ ସହ ଖାପ ଖୁଆଇ ସମୃଦ୍ଧ ହୁଏ। ଉଦାହରଣରେ ୨୦୧୮ ସୁଦ୍ଧା ଓଡ଼ିଆ ଭାଷାରେ ଅଧିକାଂଶ ସର୍ଜନଶୀଳ ମୁଦ୍ରିତ ପୁସ୍ତକ ୫୦୦ରୁ ଏକ ହଜାର କିତା ପ୍ରସ୍ତୁତ ହେଉଥିବା ଅବସରରେ ସେହି ଧାରା ଡ଼ିଜିଟାଲ ପ୍ରକାଶନ ପରିବେଶରେ ଅବଶ୍ୟ ବଳବତ୍ତର ରହିବ । ମୁଦ୍ରିତ ପୁସ୍ତକ ସଭ୍ରାନ୍ତ ପାଠକବର୍ଗଙ୍କ ମଧ୍ୟରେ ପୂର୍ବବତ ପ୍ରସାରଣ ଜାରୀ ରହିବ। ତେବେ କ୍ରମବର୍ଦ୍ଧିଷ୍ଣୁ ନବସାକ୍ଷର ପାଠକ ମହଲରେ ଇ-ବୁକଆଦୃତ କରାଇବା ନିମନ୍ତେ ସୁବିଧାସୁଯୋଗ ସୃଷ୍ଟି ଓଡ଼ିଆ ସାହିତ୍ୟର ଅଭିବୃଦ୍ଧିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବବୋଲି ଆଶା କରାଯାଇପାରେ ।

Related Post