ଆନ୍ତର୍ଜାତିକସ୍ତରରେ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ ବିଗତ ଦୁଇ ଦଶନ୍ଧି ଧରି କ୍ରମବର୍ଦ୍ଧିଷ୍ଣୁ ଡ଼ିଜିଟାଲ ମଞ୍ଚରେ ସାମିଲ ହୋଇ ଆସୁଥିବା ଲକ୍ଷ୍ୟ କରାଯାଇପାରେ । ବ୍ରିଟେନର ‘ଦି ଇଣ୍ଡିପେଣ୍ଡଣ୍ଟ’ ଭଳି ଦୈନିକ ସମ୍ୱାଦପତ୍ର ମୁଦ୍ରିତ ବଦଳରେ ଡ଼ିଜିଟାଲ ସମ୍ୱାଦପତ୍ରରେ ପରିଣତ ହେଉଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକାର ‘ସିଆଟଲ ପୋଷ୍ଟ’ର ମୁଦ୍ରିତ ସଂସ୍କରଣ ଦୈନିକ ବଦଳରେ ସପ୍ତାହରେ ଦୁଇଗୋଟି ସଂସ୍କରଣ ପ୍ରକାଶନରେ ପରିବର୍ତ୍ତିତ ହୋଇଥିବା ଉଦାହରଣର ଅଭାବ ନାହିଁ ।
ଭାରତରେ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ ଲୋକପ୍ରିୟ ଓ ଲାଭଜନକ ସ୍ଥିତିରେ ଥିବା ତଥା ଆଞ୍ଚଳିକ ଭାଷାର ସମ୍ୱାଦପତ୍ର ପ୍ରସାର ସଂଖ୍ୟା ବଢ଼ି ଚାଲିଥିଲେ ହେଁ ଇଣ୍ଟରନେଟ ପ୍ରସାର, ସ୍ମାର୍ଟଫୋନ ବ୍ୟବହାର ଓ ଇଣ୍ଟରନେଟ ମଞ୍ଚରେ ଉପଭୋକ୍ତାଙ୍କ ଦୀର୍ଘ ସମୟ ଉପସ୍ଥିତି ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକୁ ନିଜ ନିଜ ଡ଼ିଜିଟାଲ ସଂସ୍କରଣ ପ୍ରତି ଆକୃଷ୍ଟ କରାଇ ଚ଼ାଲିଛି । ପାଠକ ମହଲରେ ପ୍ରଭାତରେ ମୁଦ୍ରିତ ସମ୍ୱାଦପତ୍ରର ଆକର୍ଷଣ ଦିନ ଦ୍ୱିପ୍ରହର ବେଳକୁ ଇଣ୍ଟରନେଟ ମଞ୍ଚ ଆଡକୁ ମୁହାଁଉ ଥିବା ଧାରାରେ ପ୍ରବର୍ତ୍ତିତ ହେବାରେ ଲାଗିଛି ।
ଡ଼ିଜିଟାଲ ସମ୍ୱାଦ ମୁଦ୍ରିତ ସମ୍ୱାଦପତ୍ର ସାଙ୍ଗକୁ ସମ୍ୱାଦ ସଂକଳକ ଓ ମୌଳିକ ସମ୍ୱାଦ ପୋର୍ଟାଲଗୁଡ଼ିକ ଦ୍ୱାରା ପ୍ରକାଶିତ ହୋଇଥାଏ । ସମ୍ୱାଦ ୱେବସାଇଟ ସହ ମୋବାଇଲ ଆପ୍ଳିକେସନ ଓ ସୋସିଆଲ ମିଡ଼ିଆ ମଞ୍ଚରେ ପାଠକ ମହଲରେ ଡ଼ିଜିଟାଲ ସମ୍ୱାଦ ପ୍ରସାରଣ କ୍ରମଶଃ ଲୋକପ୍ରିୟ ହେବାରେ ଲାଗିଛି । ପ୍ରଥମତଃ ମୁଦ୍ରିତ ସମ୍ୱାଦପତ୍ରର ବିଷୟବସ୍ତୁ ସ୍ୱତନ୍ତ୍ର ୱେବପୋର୍ଟାଲରେ ପ୍ରକାଶିତ ହେଉଥିବାବେଳେ ଦ୍ୱିତୀୟତଃ ସମ୍ୱାଦ ସଂକଳକ ବା ନିଉଜ ଏଗ୍ରିଗେଟରମାନେ ନିଜ ସାଇଟରେ ବିଭିନ୍ନ ସମ୍ୱାଦ ସଂସ୍ଥାର ପ୍ରକାଶନ ସହ ଲିଙ୍କ ସଂଯୋଗ କରିଥାନ୍ତି । ଅପର ପକ୍ଷରେ ତୃତୀୟତଃ କେତେକ ସଂସ୍ଥା ମୌଳିକ ଭାବେ ନିଜ ପୋର୍ଟାଲ ନିମନ୍ତେ ସଂବାଦ ସଂଗ୍ରହ ଓ ପ୍ରକାଶ ପାଇଁ ଧ୍ୟାନ ଦେଇଥାନ୍ତି ।
କ୍ୱାଜ ଇଣ୍ଡିଆ, କୁଇଣ୍ଟ, ସ୍କ୍ରୋଲ ଭଳି ଷ୍ଟାର୍ଟ-ଅପମାନ ମୌଳିକ ଭାବେ ନିଜ ପୋର୍ଟାଲରେ ସମ୍ୱାଦ ପ୍ରକାଶନ କରୁଥିବା ବେଳେ ଫାଷ୍ଟ ପୋଷ୍ଟ, ଇନ ସର୍ଟ, ଡ଼େଲି ହଣ୍ଟ ଭଳି ପୋର୍ଟାଲମାନ ସଂକଳକ ସାଇଟରୂପେ ପ୍ରସିଦ୍ଧି ଲାଭ କରିଛନ୍ତି ।
ଆନ୍ତର୍ଜାତିକ ଇଣ୍ଟରନେଟ ସେବା ପ୍ରଯୋଜକ ଗୁଗୁଲ, ଫେସବୁକ, ୟାହୁ ଭଳି ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ଭାରତରେ ସେମାନଙ୍କ ବିସ୍ତୃତ ଉପଭୋକ୍ତାଙ୍କ ମଧ୍ୟରେ ସମ୍ୱାଦ ପ୍ରସାରଣରେ ସଂପୃକ୍ତ ରହୁଛନ୍ତି ।
ହିନ୍ଦୁସ୍ତାନ ଟାଇମସ ଭଳି କେତେକ ସଂସ୍ଥା ନିଜ ମୁଦ୍ରିତ ସମ୍ୱାଦପତ୍ର ସହ ୱେବ ପୋର୍ଟାଲ ଯୋଡ଼ି ରଖିଥିବାବେଳେ ଦୈନିକ ଜାଗରଣ ଓ ମାଳାୟଳ ମନୋରମା ଭଳି ସଂସ୍ଥା ନିଜ ନିଜ ପୋର୍ଟାଲ ନିମନ୍ତେ ମୌଳିକ ସମ୍ୱାଦ ରଚ଼ନା ବ୍ୟବସ୍ଥା କରିଥିବା ଜଣାଯାଏ ।
‘କମସ୍କୋର’ ନାମକ ଇଣ୍ଟରନେଟ ସମ୍ୱାଦ ସମୀକ୍ଷା ସଂସ୍ଥାଦ୍ୱାରା ୨୦୧୬ ଡ଼ିସେମ୍ୱରରେ ପ୍ରକାଶିତ ବିବରଣୀ ଅନୁଯାୟୀ ଆମ ଦେଶରେ ଟାଇମସ ଅଫ ଇଣ୍ଡିଆ, ଇଣ୍ଡିଆନ ଏକ୍ସପ୍ରେସ ଓ ଏନଡ଼ିଟିଭି ଇଣ୍ଟରନେଟ ସମ୍ୱାଦ ମଞ୍ଚରେ ଲୋକପ୍ରିୟତା ଦୃଷ୍ଟିରୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥାନ୍ତି ।
ତେବେ ଇଣ୍ଟରନେଟ ମଞ୍ଚରେ ସମ୍ୱାଦ ପ୍ରସାରଣ ଆମ ଦେଶରେ ଏଯାଏଁ ଲାଭଜନକ ବ୍ୟାବସାୟିକ ମଡ଼େଲ ସୃଷ୍ଟି କରିବାରେ ସମର୍ଥ ହୋଇପାରି ନାହିଁ । ଅଧିକାଂଶ ପ୍ରଚ଼େଷ୍ଟା ପାଠକଙ୍କୁ ଆକୃଷ୍ଟ କରାଇବା ଦିଗରେ ସୀମିତ । ଡ଼ିଜିଟାଲ ସମ୍ୱାଦ ସେବା ବିଜ୍ଞାପନ ରାଜସ୍ୱ ଉପରେ ନିର୍ଭରଶୀଳ ରହୁଥିଲେ ହେଁ ଆୟବ୍ୟୟରେ ସମତୁଲ ରକ୍ଷା ସମ୍ଭବପର ହୋଇପାରୁ ନାହିଁ । ଭବିଷ୍ୟତରେ ବ୍ୟାବସାୟିକ ଲାଭ ଆଶା ରଖି ପୁଞ୍ଜିଲଗାଣ କରାଯାଉଛି । ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ସଂଗୃହୀତ ସମ୍ୱାଦଗୁଡ଼ିକର ଡ଼ିଜିଟାଲ ରୂପାନ୍ତରିକରଣରେ ଅଧିକ ବ୍ୟୟଭାର ସହୁ ନଥିବା ହେତୁ ଇଣ୍ଟରନେଟ ମଞ୍ଚରେ ପ୍ରକାଶନ ଜାରୀ ରଖିବା ସହଜ ହେଉଥିବା ଲକ୍ଷ୍ୟ କରାଯାଉଛି ।
ଓଡ଼ିଆରେ ବହୁଳ ପ୍ରସାରିତ ସମ୍ୱାଦପତ୍ର ସମ୍ୱାଦ, ସମାଜ ଓ ଧରିତ୍ରୀ ପକ୍ଷରୁ ଇଣ୍ଟରନେଟ ମଞ୍ଚରେ ସମ୍ୱାଦ ପ୍ରସାରଣ ନିମନ୍ତେ ପ୍ରାଥମିକ ପ୍ରଚ଼େଷ୍ଟା ଆରମ୍ଭ ହୋଇସାରିଥିଲେ ହେଁ ଏହି ଦିଗରେ ଉଲ୍ଲେଖନୀୟ କୃତିତ୍ୱ ସମ୍ଭପର ହୋଇପାରି ନାହିଁ । ଆମ ରାଜ୍ୟର ଗ୍ରାମାଞ୍ଚଳର ୬୦ ପ୍ରତିଶତ ମୁଖ୍ୟତଃ ୨୦୧୪ ପରଠାରୁ ଇଣ୍ଟରନେଟ ଉପଭୋକ୍ତା ସାଜିଥିବା ହେତୁ ସେମାନଙ୍କ ମଧ୍ୟରେ ଇଣ୍ଟରନେଟ ମଞ୍ଚରେ ସଂବାଦ ପାଠ ପ୍ରକ୍ରିୟା ଲୋକପ୍ରିୟତା ହାସଲ ସମୟସାପେକ୍ଷ ମନେହୁଏ ।
ଭାରତୀୟ ଇଣ୍ଟରନେଟ ମଞ୍ଚରେ ୪୦ ପ୍ରତିଶତରୁ ଅଧିକା ସମୟ ଅଡ଼ିଓ ଓ ଭିଡ଼ିଓ ଦର୍ଶକ ମହଲରେ ଆଦୃତ ହେଉଥିବା ତଥା ଡ଼ାଟା ବ୍ୟବହାର ଦର କମିଆସୁଥିବା ଏବଂ ସ୍ମାର୍ଟଫୋନ ବ୍ୟବହାର ବଢ଼ି ଚ଼ାଲିଥିବା ଅବସରରେ ସମ୍ୱାଦ ପ୍ରଯୋଜନାରେ ଏକ ନୂତନ ସମୀକରଣ ସୃଷ୍ଟି ହେବାକୁ ଯାଉଛି । କେତେକ ସମ୍ୱାଦ ସଂସ୍ଥା ପକ୍ଷରୁ ମିନଟିକିଆ ସମ୍ୱାଦଭିତ୍ତିକ ଭିଡ଼ିଓ ପ୍ରସାରଣର ଉଦାହରଣ ଆରମ୍ଭ ହେଲାଣି । ଆଗାମୀ ୨୦୧୯ ସାଧାରଣ ନିର୍ବାଚ଼ନ ଅବସରରେ ସମ୍ୱାଦ ପ୍ରସାରଣ କ୍ଷେତ୍ରରେ ନୂତନ ପରୀକ୍ଷା ନିରୀକ୍ଷା ଆଶା କରାଯାଉଥିବା ସ୍ଥଳେ ଏଭଳି ସ୍ୱଳ୍ପ ଅବଧିର ସମ୍ୱାଦଭିତ୍ତିକ ଭିଡ଼ିଓ ଲୋକପ୍ରିୟତା ହାସଲ କରିବାରେ ସମର୍ଥ ହୋଇପାରେ ।
ବିଶ୍ୱବ୍ୟାପୀ ସମ୍ୱାଦ ପ୍ରସାରଣରେ ସୋସିଆଲ ମିଡ଼ିଆ ପ୍ରମୁଖ ସ୍ଥାନ ଅଧିକାର କରୁଥିବା ହେତୁ ଇଣ୍ଟରନେଟ ମଞ୍ଚରେ ସମ୍ୱାଦ ପ୍ରଯୋଜନା ଓ ପ୍ରସାରଣ ଶୈଳୀକୁ ପ୍ରକାରନ୍ତେ ପ୍ରଭାବିତ କରୁଛି । ରଏଟର ପକ୍ଷରୁ ୨୬ ଗୋଟି ରାଷ୍ଟ୍ରରେ ଆୟୋଜିତ ସର୍ବେକ୍ଷଣ ଆଧାରରେ ୨୦୧୬ ଡ଼ିସେମ୍ୱର ମାସରେ ପ୍ରକାଶିତ ରିପୋର୍ଟରେ ହାରାହରି ଭାବେ ୫୧ ପ୍ରତିଶତ ଉପଭୋକ୍ତା ସୋସିଆଲ ମିଡ଼ିଆ ମଞ୍ଚରୁ ହିଁ ବିଶିଷ୍ଟ ସମ୍ୱାଦଗୁଡ଼ିକ ସଂପର୍କରେ ଅବଗତ ହେଉଥିବା ଦର୍ଶାଯାଇଛି । ଏହି କାରଣରୁ ସମ୍ୱାଦ ପରିବେଷଣର ଢ଼ାଞ୍ଚାରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ ।
ସର୍ବୋପରି ଟେଲିଭିଜନ ଓ ଇଣ୍ଟରନେଟ ଭିତ୍ତିକ କାର୍ଯ୍ୟକ୍ରମ କ୍ରମଶଃ ମୋବାଇଲ ଫୋନ ପରଦାକୁ ସ୍ଥାନାନ୍ତରିତ ହେଉଥିବା ଅବସରରେ ସମ୍ୱାଦ ପ୍ରଯୋଜନାରେ ଉଭୟ ଟେକ୍ସଟ ଓ ଭିଡ଼ିଓ କ୍ଷେତ୍ରରେ ମୋବାଇଲ ସାମ୍ୱାଦିକତା ଗୁରୁତ୍ୱ ବହନ କରିବା ସ୍ୱାଭାବିକ । ମୋବାଇଲ ଫୋନ ପରଦାରେ ଉପଭୋକ୍ତାଙ୍କ କ୍ଷେତ୍ରରେ ଥରକରେ ଅତି ବେଶୀରେ ଦଶ ମିନଟ ଉପସ୍ଥିତି କାରଣରୁ ସମ୍ୱାଦ ରଚ଼ନା ଓ ଭିଡ଼ିଓ ପ୍ରଯୋଜନାରେ ସଂକ୍ଷିପ୍ତ ଶୈଳୀ ଉପଯୋଗ ଭବିଷ୍ୟତ ବାଣୀ ପର୍ଯ୍ୟାୟରୁ ଖସି ଚଳନ୍ତି ଆବଶ୍ୟକତାରେ ପରିଣତ ହେଲାଣି । ଏହି କ୍ଷେତ୍ରରେ ଦକ୍ଷତା ହାସଲ ମୁଦ୍ରିତ ସଂବାଦପତ୍ରରେ କାର୍ଯ୍ୟରତ ସଂବାଦିକ ଓ ସଂପାଦକମାନଙ୍କ ନିମନ୍ତେ ଏକ ଆହ୍ୱାନ ।
