ଆଜିର ଖାସ ଖବର
Mon. Jul 27th, 2026

ଇଣ୍ଟରନେଟ ମଞ୍ଚରେ ମୁଦ୍ରିତ ସମ୍ୱାଦପତ୍ରର ଉପସ୍ଥିତି

By Dainikasha Jul11,2024

ଆନ୍ତର୍ଜାତିକସ୍ତରରେ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ ବିଗତ ଦୁଇ ଦଶନ୍ଧି ଧରି କ୍ରମବର୍ଦ୍ଧିଷ୍ଣୁ ଡ଼ିଜିଟାଲ ମଞ୍ଚରେ ସାମିଲ ହୋଇ ଆସୁଥିବା ଲକ୍ଷ୍ୟ କରାଯାଇପାରେ । ବ୍ରିଟେନର ‘ଦି ଇଣ୍ଡିପେଣ୍ଡଣ୍ଟ’ ଭଳି ଦୈନିକ ସମ୍ୱାଦପତ୍ର ମୁଦ୍ରିତ ବଦଳରେ ଡ଼ିଜିଟାଲ ସମ୍ୱାଦପତ୍ରରେ ପରିଣତ ହେଉଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକାର ‘ସିଆଟଲ ପୋଷ୍ଟ’ର ମୁଦ୍ରିତ ସଂସ୍କରଣ ଦୈନିକ ବଦଳରେ ସପ୍ତାହରେ ଦୁଇଗୋଟି ସଂସ୍କରଣ ପ୍ରକାଶନରେ ପରିବର୍ତ୍ତିତ ହୋଇଥିବା ଉଦାହରଣର ଅଭାବ ନାହିଁ ।

ଭାରତରେ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ ଲୋକପ୍ରିୟ ଓ ଲାଭଜନକ ସ୍ଥିତିରେ ଥିବା ତଥା ଆଞ୍ଚଳିକ ଭାଷାର ସମ୍ୱାଦପତ୍ର ପ୍ରସାର ସଂଖ୍ୟା ବଢ଼ି ଚାଲିଥିଲେ ହେଁ ଇଣ୍ଟରନେଟ ପ୍ରସାର, ସ୍ମାର୍ଟଫୋନ ବ୍ୟବହାର ଓ ଇଣ୍ଟରନେଟ ମଞ୍ଚରେ ଉପଭୋକ୍ତାଙ୍କ ଦୀର୍ଘ ସମୟ ଉପସ୍ଥିତି ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକୁ ନିଜ ନିଜ ଡ଼ିଜିଟାଲ ସଂସ୍କରଣ ପ୍ରତି ଆକୃଷ୍ଟ କରାଇ ଚ଼ାଲିଛି । ପାଠକ ମହଲରେ ପ୍ରଭାତରେ ମୁଦ୍ରିତ ସମ୍ୱାଦପତ୍ରର ଆକର୍ଷଣ ଦିନ ଦ୍ୱିପ୍ରହର ବେଳକୁ ଇଣ୍ଟରନେଟ ମଞ୍ଚ ଆଡକୁ ମୁହାଁଉ ଥିବା ଧାରାରେ ପ୍ରବର୍ତ୍ତିତ ହେବାରେ ଲାଗିଛି ।

ଡ଼ିଜିଟାଲ ସମ୍ୱାଦ ମୁଦ୍ରିତ ସମ୍ୱାଦପତ୍ର ସାଙ୍ଗକୁ ସମ୍ୱାଦ ସଂକଳକ ଓ ମୌଳିକ ସମ୍ୱାଦ ପୋର୍ଟାଲଗୁଡ଼ିକ ଦ୍ୱାରା ପ୍ରକାଶିତ ହୋଇଥାଏ । ସମ୍ୱାଦ ୱେବସାଇଟ ସହ ମୋବାଇଲ ଆପ୍ଳିକେସନ ଓ ସୋସିଆଲ ମିଡ଼ିଆ ମଞ୍ଚରେ ପାଠକ ମହଲରେ ଡ଼ିଜିଟାଲ ସମ୍ୱାଦ ପ୍ରସାରଣ କ୍ରମଶଃ ଲୋକପ୍ରିୟ ହେବାରେ ଲାଗିଛି । ପ୍ରଥମତଃ ମୁଦ୍ରିତ ସମ୍ୱାଦପତ୍ରର ବିଷୟବସ୍ତୁ ସ୍ୱତନ୍ତ୍ର ୱେବପୋର୍ଟାଲରେ ପ୍ରକାଶିତ ହେଉଥିବାବେଳେ ଦ୍ୱିତୀୟତଃ ସମ୍ୱାଦ ସଂକଳକ ବା ନିଉଜ ଏଗ୍ରିଗେଟରମାନେ ନିଜ ସାଇଟରେ ବିଭିନ୍ନ ସମ୍ୱାଦ ସଂସ୍ଥାର ପ୍ରକାଶନ ସହ ଲିଙ୍କ ସଂଯୋଗ କରିଥାନ୍ତି । ଅପର ପକ୍ଷରେ ତୃତୀୟତଃ କେତେକ ସଂସ୍ଥା ମୌଳିକ ଭାବେ ନିଜ ପୋର୍ଟାଲ ନିମନ୍ତେ ସଂବାଦ ସଂଗ୍ରହ ଓ ପ୍ରକାଶ ପାଇଁ ଧ୍ୟାନ ଦେଇଥାନ୍ତି ।

କ୍ୱାଜ ଇଣ୍ଡିଆ, କୁଇଣ୍ଟ, ସ୍କ୍ରୋଲ ଭଳି ଷ୍ଟାର୍ଟ-ଅପମାନ ମୌଳିକ ଭାବେ ନିଜ ପୋର୍ଟାଲରେ ସମ୍ୱାଦ ପ୍ରକାଶନ କରୁଥିବା ବେଳେ ଫାଷ୍ଟ ପୋଷ୍ଟ, ଇନ ସର୍ଟ, ଡ଼େଲି ହଣ୍ଟ ଭଳି ପୋର୍ଟାଲମାନ ସଂକଳକ ସାଇଟରୂପେ ପ୍ରସିଦ୍ଧି ଲାଭ କରିଛନ୍ତି ।

ଆନ୍ତର୍ଜାତିକ ଇଣ୍ଟରନେଟ ସେବା ପ୍ରଯୋଜକ ଗୁଗୁଲ, ଫେସବୁକ, ୟାହୁ ଭଳି ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ଭାରତରେ ସେମାନଙ୍କ ବିସ୍ତୃତ ଉପଭୋକ୍ତାଙ୍କ ମଧ୍ୟରେ ସମ୍ୱାଦ ପ୍ରସାରଣରେ ସଂପୃକ୍ତ ରହୁଛନ୍ତି ।

ହିନ୍ଦୁସ୍ତାନ ଟାଇମସ ଭଳି କେତେକ ସଂସ୍ଥା ନିଜ ମୁଦ୍ରିତ ସମ୍ୱାଦପତ୍ର ସହ ୱେବ ପୋର୍ଟାଲ ଯୋଡ଼ି ରଖିଥିବାବେଳେ ଦୈନିକ ଜାଗରଣ ଓ ମାଳାୟଳ ମନୋରମା ଭଳି ସଂସ୍ଥା ନିଜ ନିଜ ପୋର୍ଟାଲ ନିମନ୍ତେ ମୌଳିକ ସମ୍ୱାଦ ରଚ଼ନା ବ୍ୟବସ୍ଥା କରିଥିବା ଜଣାଯାଏ ।

‘କମସ୍କୋର’ ନାମକ ଇଣ୍ଟରନେଟ ସମ୍ୱାଦ ସମୀକ୍ଷା ସଂସ୍ଥାଦ୍ୱାରା ୨୦୧୬ ଡ଼ିସେମ୍ୱରରେ ପ୍ରକାଶିତ ବିବରଣୀ ଅନୁଯାୟୀ ଆମ ଦେଶରେ ଟାଇମସ ଅଫ ଇଣ୍ଡିଆ, ଇଣ୍ଡିଆନ ଏକ୍ସପ୍ରେସ ଓ ଏନଡ଼ିଟିଭି ଇଣ୍ଟରନେଟ ସମ୍ୱାଦ ମଞ୍ଚରେ ଲୋକପ୍ରିୟତା ଦୃଷ୍ଟିରୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥାନ୍ତି ।

ତେବେ ଇଣ୍ଟରନେଟ ମଞ୍ଚରେ ସମ୍ୱାଦ ପ୍ରସାରଣ ଆମ ଦେଶରେ ଏଯାଏଁ ଲାଭଜନକ ବ୍ୟାବସାୟିକ ମଡ଼େଲ ସୃଷ୍ଟି କରିବାରେ ସମର୍ଥ ହୋଇପାରି ନାହିଁ । ଅଧିକାଂଶ ପ୍ରଚ଼େଷ୍ଟା ପାଠକଙ୍କୁ ଆକୃଷ୍ଟ କରାଇବା ଦିଗରେ ସୀମିତ । ଡ଼ିଜିଟାଲ ସମ୍ୱାଦ ସେବା ବିଜ୍ଞାପନ ରାଜସ୍ୱ ଉପରେ ନିର୍ଭରଶୀଳ ରହୁଥିଲେ ହେଁ ଆୟବ୍ୟୟରେ ସମତୁଲ ରକ୍ଷା ସମ୍ଭବପର ହୋଇପାରୁ ନାହିଁ । ଭବିଷ୍ୟତରେ ବ୍ୟାବସାୟିକ ଲାଭ ଆଶା ରଖି ପୁଞ୍ଜିଲଗାଣ କରାଯାଉଛି । ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ସଂଗୃହୀତ ସମ୍ୱାଦଗୁଡ଼ିକର ଡ଼ିଜିଟାଲ ରୂପାନ୍ତରିକରଣରେ ଅଧିକ ବ୍ୟୟଭାର ସହୁ ନଥିବା ହେତୁ ଇଣ୍ଟରନେଟ ମଞ୍ଚରେ ପ୍ରକାଶନ ଜାରୀ ରଖିବା ସହଜ ହେଉଥିବା ଲକ୍ଷ୍ୟ କରାଯାଉଛି ।

ଓଡ଼ିଆରେ ବହୁଳ ପ୍ରସାରିତ ସମ୍ୱାଦପତ୍ର ସମ୍ୱାଦ, ସମାଜ ଓ ଧରିତ୍ରୀ ପକ୍ଷରୁ ଇଣ୍ଟରନେଟ ମଞ୍ଚରେ ସମ୍ୱାଦ ପ୍ରସାରଣ ନିମନ୍ତେ ପ୍ରାଥମିକ ପ୍ରଚ଼େଷ୍ଟା ଆରମ୍ଭ ହୋଇସାରିଥିଲେ ହେଁ ଏହି ଦିଗରେ ଉଲ୍ଲେଖନୀୟ କୃତିତ୍ୱ ସମ୍ଭପର ହୋଇପାରି ନାହିଁ । ଆମ ରାଜ୍ୟର ଗ୍ରାମାଞ୍ଚଳର ୬୦ ପ୍ରତିଶତ ମୁଖ୍ୟତଃ ୨୦୧୪ ପରଠାରୁ ଇଣ୍ଟରନେଟ ଉପଭୋକ୍ତା ସାଜିଥିବା ହେତୁ ସେମାନଙ୍କ ମଧ୍ୟରେ ଇଣ୍ଟରନେଟ ମଞ୍ଚରେ ସଂବାଦ ପାଠ ପ୍ରକ୍ରିୟା ଲୋକପ୍ରିୟତା ହାସଲ ସମୟସାପେକ୍ଷ ମନେହୁଏ ।

ଭାରତୀୟ ଇଣ୍ଟରନେଟ ମଞ୍ଚରେ ୪୦ ପ୍ରତିଶତରୁ ଅଧିକା ସମୟ ଅଡ଼ିଓ ଓ ଭିଡ଼ିଓ ଦର୍ଶକ ମହଲରେ ଆଦୃତ ହେଉଥିବା ତଥା ଡ଼ାଟା ବ୍ୟବହାର ଦର କମିଆସୁଥିବା ଏବଂ ସ୍ମାର୍ଟଫୋନ ବ୍ୟବହାର ବଢ଼ି ଚ଼ାଲିଥିବା ଅବସରରେ ସମ୍ୱାଦ ପ୍ରଯୋଜନାରେ ଏକ ନୂତନ ସମୀକରଣ ସୃଷ୍ଟି ହେବାକୁ ଯାଉଛି । କେତେକ ସମ୍ୱାଦ ସଂସ୍ଥା ପକ୍ଷରୁ ମିନଟିକିଆ ସମ୍ୱାଦଭିତ୍ତିକ ଭିଡ଼ିଓ ପ୍ରସାରଣର ଉଦାହରଣ ଆରମ୍ଭ ହେଲାଣି । ଆଗାମୀ ୨୦୧୯ ସାଧାରଣ ନିର୍ବାଚ଼ନ ଅବସରରେ ସମ୍ୱାଦ ପ୍ରସାରଣ କ୍ଷେତ୍ରରେ ନୂତନ ପରୀକ୍ଷା ନିରୀକ୍ଷା ଆଶା କରାଯାଉଥିବା ସ୍ଥଳେ ଏଭଳି ସ୍ୱଳ୍ପ ଅବଧିର ସମ୍ୱାଦଭିତ୍ତିକ ଭିଡ଼ିଓ ଲୋକପ୍ରିୟତା ହାସଲ କରିବାରେ ସମର୍ଥ ହୋଇପାରେ ।

ବିଶ୍ୱବ୍ୟାପୀ ସମ୍ୱାଦ ପ୍ରସାରଣରେ ସୋସିଆଲ ମିଡ଼ିଆ ପ୍ରମୁଖ ସ୍ଥାନ ଅଧିକାର କରୁଥିବା ହେତୁ ଇଣ୍ଟରନେଟ ମଞ୍ଚରେ ସମ୍ୱାଦ ପ୍ରଯୋଜନା ଓ ପ୍ରସାରଣ ଶୈଳୀକୁ ପ୍ରକାରନ୍ତେ ପ୍ରଭାବିତ କରୁଛି । ରଏଟର ପକ୍ଷରୁ ୨୬ ଗୋଟି ରାଷ୍ଟ୍ରରେ ଆୟୋଜିତ ସର୍ବେକ୍ଷଣ ଆଧାରରେ ୨୦୧୬ ଡ଼ିସେମ୍ୱର ମାସରେ ପ୍ରକାଶିତ ରିପୋର୍ଟରେ ହାରାହରି ଭାବେ ୫୧ ପ୍ରତିଶତ ଉପଭୋକ୍ତା ସୋସିଆଲ ମିଡ଼ିଆ ମଞ୍ଚରୁ ହିଁ ବିଶିଷ୍ଟ ସମ୍ୱାଦଗୁଡ଼ିକ ସଂପର୍କରେ ଅବଗତ ହେଉଥିବା ଦର୍ଶାଯାଇଛି । ଏହି କାରଣରୁ ସମ୍ୱାଦ ପରିବେଷଣର ଢ଼ାଞ୍ଚାରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ ।

ସର୍ବୋପରି ଟେଲିଭିଜନ ଓ ଇଣ୍ଟରନେଟ ଭିତ୍ତିକ କାର୍ଯ୍ୟକ୍ରମ କ୍ରମଶଃ ମୋବାଇଲ ଫୋନ ପରଦାକୁ ସ୍ଥାନାନ୍ତରିତ ହେଉଥିବା ଅବସରରେ ସମ୍ୱାଦ ପ୍ରଯୋଜନାରେ ଉଭୟ ଟେକ୍ସଟ ଓ ଭିଡ଼ିଓ କ୍ଷେତ୍ରରେ ମୋବାଇଲ ସାମ୍ୱାଦିକତା ଗୁରୁତ୍ୱ ବହନ କରିବା ସ୍ୱାଭାବିକ । ମୋବାଇଲ ଫୋନ ପରଦାରେ ଉପଭୋକ୍ତାଙ୍କ କ୍ଷେତ୍ରରେ ଥରକରେ ଅତି ବେଶୀରେ ଦଶ ମିନଟ ଉପସ୍ଥିତି କାରଣରୁ ସମ୍ୱାଦ ରଚ଼ନା ଓ ଭିଡ଼ିଓ ପ୍ରଯୋଜନାରେ ସଂକ୍ଷିପ୍ତ ଶୈଳୀ ଉପଯୋଗ ଭବିଷ୍ୟତ ବାଣୀ ପର୍ଯ୍ୟାୟରୁ ଖସି ଚଳନ୍ତି ଆବଶ୍ୟକତାରେ ପରିଣତ ହେଲାଣି । ଏହି କ୍ଷେତ୍ରରେ ଦକ୍ଷତା ହାସଲ ମୁଦ୍ରିତ ସଂବାଦପତ୍ରରେ କାର୍ଯ୍ୟରତ ସଂବାଦିକ ଓ ସଂପାଦକମାନଙ୍କ ନିମନ୍ତେ ଏକ ଆହ୍ୱାନ ।  

Related Post