ଭାରତରେ ଗବେଷଣାକେନ୍ଦ୍ରୀକ ବିଜ୍ଞାନ ରଚ଼ନା ଅବହେଳିତ । ଏକ ପକ୍ଷରେ ଦେଶର ସମ୍ୱାଦପତ୍ରଗୁଡ଼ିକରେ ବିଜ୍ଞାନ ସାମ୍ୱାଦିକତାକୁ ଗୁରୁତ୍ୱ ଦିଆଯାଉନଥିବାସ୍ଥଳେ ଅପରପକ୍ଷରେ ଗବେଷଣାରତ ବୈଜ୍ଞାନିକମାନେ ନିଜ ଗବେଷଣାକେନ୍ଦ୍ରୀକ ତଥ୍ୟାବଳୀ ସର୍ବସାଧାରଣରେ ପ୍ରକାଶନନିମନ୍ତେ ଉଦ୍ୟମ କରିନଥାନ୍ତି । ଫଳରେ ସ୍ଥାନୀୟ ବିଜ୍ଞାନକ୍ଷେତ୍ରରେ ଗବେଷଣାଗତ ଅଗ୍ରଗତି ସମାଜରେ ଚର୍ଚ୍ଚିତ ହେବାଲାଗି ସୁଯୋଗ ସୃଷ୍ଟି ହୋଇପାରେ ନାହିଁ ।
ଭାରତୀୟ ବୈଜ୍ଞାନିକମାନେ ଅନେକ କ୍ଷେତ୍ରରେ ଆନ୍ତର୍ଜାତିକସ୍ତରରେ ସ୍ୱୀକୃତି ପାଇଥାନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚ଼ାଳିତ ଅସଂଖ୍ୟ ପ୍ରତିଷ୍ଠାନ ସହ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବହୁ ଯୁବବିଜ୍ଞାନୀ ଗବେଷଣାରତ । ତେବେ ସ୍ଥାନୀୟ ବୈଜ୍ଞାନିକ ଗବେଷଣା ସଚ଼େତନତା ଅଭାବରୁ ସମାଜରେ ସ୍ୱକୀୟ ପରାକାଷ୍ଠା ପ୍ରତିଷ୍ଠା କରିବାରେ ବିଫଳ ହୋଇଥାଏ ।
କିନ୍ତୁ ବିଦେଶରେ ଆୟୋଜିତ ବିଭିନ୍ନ ଗବେଷଣା ଦେଶର ସମ୍ୱାଦପତ୍ରଗୁଡ଼ିକରେ ସାମୟିକଭାବେ ପ୍ରକାଶିତ ହେଉଥିବା ଦେଖିବାକୁ ମିଳେ। ରେଡ଼ିଓ ଓ ଟେଲିଭିଜନରେ ପ୍ରସାରିତ ବିଜ୍ଞାନ କାର୍ଯ୍ୟକ୍ରମଗୁଡ଼ିକରେ ମଧ୍ୟ ବୈଦେଶିକ ଗବେଷଣା ସଂପର୍କରେ ଅନୁପାତିକଭାବେ ଅଧିକା ତଥ୍ୟ ସଂଯୋଜିତ ହୋଇଥାଏ । ସେହିପରି ଇଣ୍ଟରନେଟ ମଞ୍ଚରେ ଭାରତୀୟ ବିଜ୍ଞାନ ଗବେଷଣାକେନ୍ଦ୍ରୀକ ରଚ଼ନା ଇଂଲିଶରେ ସୀମିତମାତ୍ରାରେ ଉପଲବ୍ଧ ଥିବା ସ୍ଥଳେ ଭାରତୀୟ ଭାଷାଗୁଡ଼ିକରେ ପ୍ରାୟତଃ ଅଦୃଶ୍ୟ ।
ଏଭଳି ସ୍ଥିତାବସ୍ଥାକୁ ଅନୁଶୀଳନ କଲେ ଗବେଷଣାକେନ୍ଦ୍ରୀକ ବିଜ୍ଞାନ ରଚ଼ନା ପ୍ରକାଶନଜନିତ କେତେଗୋଟି କାରଣ ଚ଼ିହ୍ନଟ କରାଯାଇପାରେ । ପ୍ରଥମତଃ ଭାରତରେ ବୈଜ୍ଞାନିକ ଗବେଷଣାଲବ୍ଧ ତଥ୍ୟାବଳୀ ସର୍ବସାଧାରଣରେ ପ୍ରକାଶନ ନିମନ୍ତେ ବିଧିବଦ୍ଧ ଉଦ୍ୟମ ଅଭାବ । ଗବେଷଣା କାର୍ଯ୍ୟକ୍ରମରେ ସଂଭ୍ରାନ୍ତ ଗବେଷଣା ପତ୍ରପତ୍ରିକାରେ ରଚ଼ନା ପ୍ରକାଶନକୁ ପ୍ରୋତ୍ସାହନ ଦିଆଯାଉଥିବାବେଳେ ସାଧାରଣ ଜନତାଙ୍କ ଟିକସ ପଇସାରେ ପ୍ରଯୋଜିତ ବୈଜ୍ଞାନିକ ଗବେଷଣା ସଂପର୍କରେ କିପରି ଦେଶର ନାଗରିକ ଜାଣିବେ କିମ୍ୱା ଏଭଳି ସବୁ ଗବେଷଣା କେତେଦୂର ସେମାନଙ୍କ ଦୈନନ୍ଦିନ ଜୀବନ ଓ ସାମାଜିକ ପରିବେଶକୁ ପ୍ରଭାବିତ କରିପାରେ ଚର୍ଚ୍ଚା କରିବେ ସେ ସଂପର୍କରେ ଗୁରୁତ୍ୱ ଦିଆଯାଇନଥାଏ ।
ଦ୍ୱିତୀୟରେ ଗବେଷଣାରେ ସଂପୃକ୍ତ ବୈଜ୍ଞାନିକମାନେ ଲୋକପ୍ରିୟ ବିଜ୍ଞାନ ରଚ଼ନାରେ ବାଧ୍ୟବାଧକତା କିମ୍ୱା ପ୍ରୋତ୍ସାହନ ଅଭାବରୁ ମନୋନିବେଶ କରୁନଥିବା ସ୍ଥଳେ ସାଧାରଣ ଲେଖକ ତଥା ସାମ୍ୱାଦିକମାନେ ପ୍ରକାଶଯୋଗ୍ୟ ଗବେଷଣା ତଥ୍ୟ ଖୋଜି ବାହାର କରିବା ତଥା ସେଗୁଡ଼ିକ ବୁଝି ରଚ଼ନା ପ୍ରସ୍ତୁତ କରିବା କଠିନ ଓ ସମୟ ସାପେକ୍ଷ। ଫଳରେ ବିଜ୍ଞାନ ଗବେଷଣାଗାରରେ ଆବିଷ୍କୃତ ତଥ୍ୟାବଳୀ ପ୍ରସାର ବୈଜ୍ଞାନିକ ସଂପ୍ରଦାୟରେ ହିଁ ଆବଦ୍ଧ ରହିଥାଏ ।
ତୃତୀୟରେ ବିଜ୍ଞାପନପୁଷ୍ଟ ଭାରତୀୟ ସମ୍ୱାଦପତ୍ର ଓ ପତ୍ରପତ୍ରିକା ଶିଳ୍ପ ପାଠକୀୟ ଆଗ୍ରହକୁ ପ୍ରାଧାନ୍ୟ ଦେଉଥିବା ହେତୁ ମନୋରଞ୍ଜନଧର୍ମୀ ସମ୍ୱାଦ ପ୍ରକାଶନ ତୁଳନାରେ ବିଜ୍ଞାନ ସାମ୍ୱାଦିକତାକୁ ଗୁରୁତ୍ୱ ଦେଇ ନଥାନ୍ତି । ହାତଗଣତି ସମ୍ୱାଦପତ୍ରରେ ନିୟମିତ ଭିତ୍ତିରେ ବିଜ୍ଞାନ ସ୍ତମ୍ଭ ବା ପୃଷ୍ଠା ସଂଯୋଜିତ ହୋଇଥାଏ ।ଅନେକ କ୍ଷେତ୍ରରେ ବିଜ୍ଞାନ ସାମ୍ୱାଦିକତା ନିମନ୍ତେ ଉଚ୍ଚ ଶିକ୍ଷିତ ତାଲିମପ୍ରାପ୍ତ ସାମ୍ୱାଦିକଙ୍କ ଚ଼ାହିଦା ପୂରଣ କରିବା ସଂଭବପର ହୋଇପାରି ନଥାଏ ।
ଚ଼ତୁର୍ଥରେ ଭାରତୀୟ ବିଜ୍ଞାନ ଗବେଷଣା ସଂପର୍କରେ ରଚ଼ନା ଅଭାବ ଅବସରରେ ବୈଦେଶିକ ବିଜ୍ଞାନ ଗବେଷଣା ସଂପର୍କରେ ପ୍ରକାଶନଯୋଗ୍ୟ ରଚ଼ନା ବିଭିନ୍ନ ସମ୍ୱାଦ ସରବରାହ ସଂସ୍ଥାଦ୍ୱାରା ସୁବିଧାରେ ମିଳିପାରୁଥିବା ହେତୁ ଆବଶ୍ୟକସ୍ଥଳେ ସଂବାଦପତ୍ର ଓ ପତ୍ରପତ୍ରିକା ସେଗୁଡ଼ିକର ଉପଯୋଗ କରିଥାନ୍ତି ।
ପଞ୍ଚମରେ ଭାରତୀୟ ଗବେଷଣାକେନ୍ଦ୍ରୀକ ବିଜ୍ଞାନ ରଚ଼ନା ଅଭାବ ତଥ୍ୟ ପ୍ରକାଶନ କାରଣରୁ ଆମେ ଯେ ବିଜ୍ଞାନ କ୍ଷେତ୍ରରେ ସମୃଦ୍ଧ ଏଭଳି ମନୋଭାବ ସର୍ବସାଧାରଣରେ ହୃଦବୋଧ ହୋଇପାରେ ନାହିଁ । ଏହା ଜାତୀୟ ସ୍ୱାଭିମାନ ପ୍ରତିଷ୍ଠାର ପରିପନ୍ଥୀ ।
ବିଜ୍ଞାନ ରଚ଼ନା ଓ ସାମ୍ୱାଦିକତାକ୍ଷେତ୍ରରେ ଦୀର୍ଘ ଅବହେଳା ପରେ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ‘ଡ଼ିପାର୍ଟମେଣ୍ଟ ଅଫ ସାଇନ୍ସ ଏଣ୍ଡ ଟେକନୋଲଜି (ଡ଼ିଏସଟି)’ପକ୍ଷରୁ ଗବେଷଣାକେନ୍ଦ୍ରୀକ ବିଜ୍ଞାନ ରଚ଼ନାକୁ ପ୍ରୋତ୍ସାହନ ଦେବା ନିମନ୍ତେ ଏକ ବିଧିବଦ୍ଧ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ଘୋଷିତ ହୋଇଛି । ଭାରତୀୟ ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ବୈଜ୍ଞାନିକ ପ୍ରତିଷ୍ଠାନଗୁଡ଼ିକରେ ଗବେଷଣାରତ ‘ଡ଼କ୍ଟର ଅଫ ଫିଲେସପିଂ (ପିଏଚ଼ଡ଼ି)’ ଓ ‘ପୋଷ୍ଟ ଡ଼କ୍ଟରାଲ ଫେଲୋ’ମାନଙ୍କୁ ନିଜ ଗବେଷଣା ସଂପର୍କରେ ଲୋକପ୍ରିୟ ରଚ଼ନା ପ୍ରସ୍ତୁତ କରିବାରେ ସଂପୃକ୍ତ କରାଇବା ନିମନ୍ତେ ‘ରାଇଟିଂ ସ୍କିଲସ ଫର ଆର୍ଟିକ୍ୟୁଲେଟିଂ ରିସର୍ଚ୍ଚ’ ନାମକ ଏକ ଯୋଜନା ପ୍ରଣୟନ କରାଯାଇଛି ।
ସରକାରୀ ବୃତ୍ତି ପାଇ ଗବେଷଣାରେ ନିୟୋଜିତ ବିଦ୍ୟାର୍ଥୀମାନଙ୍କୁ ବୃତ୍ତି ସମୟସୀମା ମଧ୍ୟରେ ନିଜର ଗବେଷଣା ସଂପର୍କରେ ଅନ୍ତତଃପକ୍ଷେ ଗୋଟିଏ ଲୋକପ୍ରିୟ ବିଜ୍ଞାନ ରଚ଼ନା ଲେଖିବା ନିମନ୍ତେ ଉତ୍ସାହିତ କରାଯିବ । ପ୍ରତିବର୍ଷ ପିଏଚ଼.ଡ଼ି.ସ୍ତରରେ ଏକ ଶହ ଏବଂ ପୋଷ୍ଟ-ଡ଼କ୍ଟରାଲ ସ୍ତରରେ କୋଡ଼ିଏ ଗୋଟି ଶ୍ରେଷ୍ଠ ବିବେଚ଼ିତ ଗବେଷକଙ୍କୁ ସେମାନଙ୍କ ଲୋକପ୍ରିୟ ରଚ଼ନା ଆଧାରରେ ରାଷ୍ଟ୍ରୀୟସ୍ତରରେ ପୁରସ୍କୃତ କରାଯିବ । ପିଏଚ଼.ଡ଼ି. ଗବେଷକମାନଙ୍କୁ ଏକ ଲକ୍ଷ ଟଙ୍କା ଓ ପୋଷ୍ଟ-ଡ଼କ୍ଟରାଲ ଫେଲୋମାନଙ୍କୁ ଦଶ ହଜାର ଟଙ୍କା ପୁରସ୍କାରରାଶି ସ୍ଥିରୀକୃତ ହୋଇଛି ।
ଲୋକପ୍ରିୟ ଗବେଷଣାକେନ୍ଦ୍ରୀକ ବିଜ୍ଞାନ ରଚ଼ନାଗୁଡ଼ିକ ୧,୦୦୦ ରୁ ୧,୫୦୦ ଶବ୍ଦ ମଧ୍ୟରେ ସୀମିତ ରଖି ଗବେଷକମାନେ ସ୍ଥାନୀୟ ସମ୍ୱାଦପତ୍ରରେ ପ୍ରକାଶନ କିମ୍ୱା ଡ଼ିଏସଟିଠାରେ ଦଖଲ କରିପାରିବେ । ୨୦୧୯ ଫେବୃୟାରୀ ୨୮ ତାରିଖ ଦିନ ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଆନୁଯାୟୀ ପ୍ରଥମ ଦଳ ବୈଜ୍ଞାନିକମାନଙ୍କୁ ପୁରସ୍କୃତ କରାଯିବ । ଏଭଳି ଉଦ୍ୟମରେ ପ୍ରତିବର୍ଷ ଅନ୍ତତଃପକ୍ଷେ ପିଏଚ଼.ଡ଼ି. ଗବେଷକଙ୍କ ଦ୍ୱାରା ପାଞ୍ଚ ହଜାର ଓ ପୋଷ୍ଟ-ଡ଼କ୍ଟରାଲ ଫେଲୋଙ୍କ ଦ୍ୱାରା ଏକ ହଜାର ରଚ଼ନା ପ୍ରସ୍ତୁତି ଆଶା କରାଯାଉଛି । ଏହି ଯୋଜନା କେବଳ ବିଜ୍ଞାନ ବିଷୟରେ ସୀମାବଦ୍ଧ ଥିବାବେଳେ ବିଜ୍ଞାନୀମାନେ କେବଳ ନିଜ ଗବେଷଣା ସଂପର୍କରେ ରଚ଼ନା ପ୍ରତି ଗୁରୁତ୍ୱାରୋପ କରାଯାଉଛି ।
ଲୋକପ୍ରିୟ ରଚ଼ନାର ପ୍ରକାଶନ ଯୋଗ୍ୟତା ମୁଖ୍ୟ ଆଧାର । ପ୍ରତ୍ୟେକ ବିଷୟକୁ ବୋଧଗମ୍ୟ ଭାବେ ସରଳରେ ଉପସ୍ଥାପିତ କରିବା, ପାଠକ କିମ୍ୱା ଦର୍ଶକଙ୍କୁ ବିଷୟବସ୍ତୁପ୍ରତି ଆଗ୍ରାହାନ୍ୱିତ କରାଇବା ତଥା ସାବଲୀଳଭାବେ ବର୍ଣ୍ଣନା କରିବା ଦ୍ୱାରା ପ୍ରକାଶନ ଯୋଗ୍ୟତା ହାସଲ ହୋଇଥାଏ । ଯେକୌଣସି ଜଟିଳ ବୈଜ୍ଞାନିକ ତଥ୍ୟ ଆଧାରରେ ଲୋକପ୍ରିୟ ରଚନା ପ୍ରସ୍ତୁତ ସମ୍ଭବପର । ଅବଶ୍ୟ ଏଥି ନିମନ୍ତେ ବିଷୟ ସଂପର୍କରେ ଗଭୀର ପରିଚ଼ିତି ପ୍ରାଥମିକ ଆବଶ୍ୟକତା । ଏହି ଦୃଷ୍ଟିରୁ ଗବେଷକମାନେ ନିଜ ଗବେଷଣା ସଂପର୍କରେ ଲୋକପ୍ରିୟ ରଚନା ପ୍ରସ୍ତୁତ କରିବା ନିମନ୍ତେ ବାଧ୍ୟବାଧକତା ତଥା ପ୍ରୋତ୍ସାହିତ କରାଯିବା ବେଶ ଫଳପ୍ରଦ ମନେହୁଏ । ଭାରତୀୟ ବୈଜ୍ଞାନିକ ଗବେଷଣାରତ ଅଗ୍ରଗତିକୁ ସର୍ବସାଧାରଣରେ ପରିଚ଼ିତି କରାଇବାରେ ଏଭଳି ଯୋଜନାମାନ ଯେ ନୂତନ ଅଧ୍ୟାୟ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ ।
