ମୁଦ୍ରିତ ସମ୍ୱାଦପତ୍ରରେ ଦୀର୍ଘ ରଚନା ପ୍ରକାଶନକୁ ନିରୁତ୍ସାହିତ କରାଯିବା ବଦଳରେ ଉତ୍ସାହିତ କରିବାର ଗୁରୁତ୍ୱ ଅନୁଭୂତ ହୋଇଥାଏ । ସାଧାରଣରେ ସମ୍ୱାଦପତ୍ର ପାଠକ ମୁଦ୍ରିତ ପୃଷ୍ଠା ପଠନରେ କ୍ରମଶଃ କମ ସମୟ ଅତିବାହିତ କରୁଥିବା ହେତୁ କେବଳ ସଂକ୍ଷିପ୍ତ ସମ୍ୱାଦ ଖୋଜିଥାଏ ବୋଲି ଧାରଣା ପରିତ୍ୟାଗର ସମୟ ଉପନୀତ । ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ ଅଭ୍ୟାସ ବଢ଼ି ଚାଲିଥିବା ହେତୁ ସମ୍ୱାଦପତ୍ର ବିସ୍ତୃତ ବିବରଣୀ ପ୍ରସାରଣର ମାଧ୍ୟମ ରୂପେ ମୁଣ୍ଡ ଟେକିଛି ବୋଲି ବୁଝିବାକୁ ପଡ଼ିବ ।
ମହାମାରୀଜନିତ ପରିବର୍ତ୍ତିତ ଗଣମାଧ୍ୟମ ପରିବେଶ ‘ନିଉ ନରମାଲ’ରେ ୨୦୨୧ ଆରମ୍ଭରେ ଭାରତରେ ୬୬ କୋଟି ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଇଣ୍ଟରନେଟ ସଂଯୁକ୍ତି ହିସାବ କରାଯାଉଥିବା ଏବଂ ୯୭ ପ୍ରତିଶତ ଯାଏଁ ଉପଭୋକ୍ତା ସ୍ମାର୍ଟଫୋନରେ ପ୍ରାଥମିକ ଭାବେ ଡିଜିଟାଲ ମଞ୍ଚଗୁଡ଼ିକରେ ପହଞ୍ଚୁଥିବା ସ୍ଥଳେ ମୁଦ୍ରିତ ସମ୍ୱାଦପତ୍ରର ଭୂମିକାରେ ବ୍ୟାପକ ପରିବର୍ତ୍ତନ ଘଟିଛି । ପାଠକଙ୍କ ଆଚ଼ରଣକୁ ନେଇ ସମ୍ପାଦକୀୟ ନୀତି ପ୍ରଣୟନ ଯୁକ୍ତିଯୁକ୍ତ ।
ସାଧାରଣ ଉପଭୋକ୍ତା ମୋବାଇଲ ଫୋନ ପର୍ଦ୍ଦାରେ ଦୈନିକ ବହୁବାର ପହଞ୍ଚୁଥିବା, କ୍ରମାଗତଭାବେ ପ୍ରସାରଣ ବିଜ୍ଞପ୍ତି ‘ନୋଟିଫିକେସନ’ ପାଉଥିବା ଏବଂ ଦୀର୍ଘ ସମୟଧରି ଉପସ୍ଥିତ ରହୁଥିବା କାରଣରୁ ଚଳନ୍ତି ଘଟଣାକ୍ରମ ସଂପର୍କୀତ ସମ୍ୱାଦ ‘ବ୍ରେକିଂ ନିଉଜ’ ମୋବାଇଲ ଫୋନରୁ ପାଇବା ନିଶ୍ଚିତ । ଅର୍ଥାତ ସମ୍ୱାଦପତ୍ର, ଟେଲିଭିଜନ ଓ ନିଉଜ ପୋର୍ଟାଲରେ ପହଞ୍ଚିବା ଯଥେଷ୍ଟ ସମୟ ପୂର୍ବରୁ ପାଠକ ମୂଳ ସମ୍ୱାଦ ସଂପର୍କରେ ଅବଗତ ରହିଥାଏ । ଅତଏବ ମୋବାଇଲ ଫୋନର ସୋସିଆଲ ମିଡ଼ିଆରେ ପରିବେଷିତ ସମ୍ୱାଦର ବିସ୍ତୃତ ବର୍ଣ୍ଣନା ନିମନ୍ତେ ଟେଲିଭିଜନ, ୱେବପୋର୍ଟାଲ ଓ ସମ୍ୱାଦପତ୍ର ଉପରେ ପାଠକ ନିର୍ଭର କରୁଥିବା ସୁସ୍ପଷ୍ଟ ।
ପ୍ରଥମେ ମନେ ରଖିବାକୁ ପଡ଼ିବ ଯେ ଅଧିକାଂଶ ସମ୍ୱାଦପତ୍ର ପାଠକ ଟେଲିଭିଜନ ଓ ସୋସିଆଲ ମିଡ଼ିଆ ଉପଭୋକ୍ତା । ସମ୍ୱାଦ ଆହରଣରେ ଋଚ଼ି ରଖୁଥିବା ବ୍ୟକ୍ତିବିଶେଷ ହିଁ ସମ୍ୱାଦପତ୍ର ଗ୍ରାହକ ଶ୍ରେଣୀଭୁକ୍ତ ହୋଇଥାଏ । ସାଧାରଣତଃ ସେ ଅପେକ୍ଷାକୃତ ଭାବେ ଶିକ୍ଷିତ, ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଓ ସ୍ୱାଧୀନଚେତା । ପରିବର୍ତ୍ତିତ ପରିବେଶରେ ସ୍ମାର୍ଟଫୋନ ଅନବରତ ସମ୍ୱାଦପତ୍ର ପାଠକଙ୍କ ହାତପାଆନ୍ତାରେ ରହୁଥିବା ଏବଂ ଅଭ୍ୟାସ ଦୃଷ୍ଟିରୁ ସୋସିଆଲ ମିଡ଼ିଆ ଦୈନନ୍ଦିନ ଜୀବନରେ ଭାବ ବିନିମୟର କେନ୍ଦ୍ରବିନ୍ଦୁ ପାଲଟୁଥିବା ଅବସରରେ ଡ଼ିଜିଟାଲ ମଞ୍ଚ ସମ୍ୱାଦ ପରିବେଷଣର ମୂଳଉତ୍ସରେ ପରିଣତ ହେବା ସ୍ୱାଭାବିକ ।
ସୋସିଆଲ ମିଡ଼ିଆ ପୋଷ୍ଟ, ହ୍ୱାଟସଆପ ଫରୱାର୍ଡ ଓ ଇ-ମେଲ ନିଉଜଲେଟରରେ ସ୍ଥାନିତ ସମ୍ୱାଦର ଅବୟବ ସଂକ୍ଷିପ୍ତ । କୌଣସି ନିର୍ଦ୍ଦିଷ୍ଟ ସମ୍ୱାଦ ସଂପର୍କରେ ଅଧିକ ଜାଣିବା ନିମନ୍ତେ ପାଠକ ବା ଦର୍ଶକ ସମ୍ୱାଦ ପୋର୍ଟାଲରେ ପାଠ୍ୟ କିମ୍ୱା ଅନ୍ୟତ୍ର ଭିଡ଼ିଓ ଖୋଜିଥାଏ । ଏହି ଅନୁସନ୍ଧାନ ତତକ୍ଷଣାତ ସମ୍ପନ୍ନ ହେବାପରେ ଦୀର୍ଘ ସମୟ ବ୍ୟବଧାନରେ ସାଧାରଣତଃ ଦୈନିକ ମୁଦ୍ରିତ ସମ୍ୱାଦପତ୍ରର ପ୍ରଭାତ ସଂସ୍କରଣ ଆହୁରି ଅଧିକ ଜାଣିବା ନିମନ୍ତେ ପାଠ କରେ ।
ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ସୋସିଆଲ ମିଡ଼ିଆରୁ ମୁଦ୍ରିତ ସମ୍ୱାଦପତ୍ର ପୃଷ୍ଠାରେ ପହଞ୍ଚିବା ପ୍ରକ୍ରିୟା ଆନ୍ତର୍ଜାତିକସ୍ତରରୁ ଗଭୀର ଆଞ୍ଚଳିକସ୍ତର ଯାଏଁ ପରିବ୍ୟାପ୍ତ । ତେବେ ଓଡ଼ିଶା ଭଳି ରାଜ୍ୟରେ ଇଣ୍ଟରନେଟର ବ୍ୟାପ୍ତି ସଂକୁଚିତ ଏବଂ ସ୍ମାର୍ଟଫୋନର ବ୍ୟବହାର ୨୮ରୁ ୩୫ ପ୍ରତିଶତରେ ସୀମିତ ରହୁଥିବା ହେତୁ ରାଜ୍ୟବ୍ୟାପୀ ଜନସାଧାରଣ ପ୍ରବାହିତ ଧାରା ‘ଟ୍ରେଣ୍ଡ’ର ପରିପାଳନ ଆଶା କରାଯାଇନପାରେ । ତେବେ ମୁଦ୍ରିତ ସମ୍ୱାଦପତ୍ର ଗ୍ରାହକଶ୍ରେଣୀଭୁକ୍ତ ପାଠକଶ୍ରେଣୀ ମୁଖ୍ୟତଃ ସହରାଞ୍ଚଳରେ ବସବାସ କରୁଥିବା ଶିକ୍ଷିତ ଓ ଆର୍ଥିକ ସ୍ୱଚ୍ଛଳ ବର୍ଗରେ ଅନ୍ତର୍ଭୁକ୍ତ ଥିବା ହେତୁ ପ୍ରଚଳିତ ଜାତୀୟ ଓ ଆନ୍ତର୍ଜାତିକ ଧାରାରୁ ବିଚ୍ୟୁତ ନୁହନ୍ତି ବୋଲି କୁହାଯାଇପାରେ । ଅପରପକ୍ଷେ ଟେଲିଭିଜନ ରାଜ୍ୟର ଅଧିକାଂଶ ପରିବାରଙ୍କ ଗୃହରେ ପହଞ୍ଚି ସାରିଥିବା ପରିବେଶ ଟେଲିଭିଜନକୁ ସମ୍ୱାଦର ପ୍ରଥମ ଓ ସମ୍ୱାଦପତ୍ରକୁ ଦ୍ୱିତୀୟ ସୂତ୍ର ପର୍ଯ୍ୟାୟଭୁକ୍ତ କରିଥାଏ ।
ମୁଦ୍ରିତ ସମ୍ୱାଦପତ୍ର କ୍ରମଶଃ ସମ୍ୱାଦ ପରିବେଷଣରେ ବର୍ଣ୍ଣନାତ୍ମକ ‘ଡିସକ୍ରିପଟିଉଭ’, ଅନୁଶୀଳନାତ୍ମକ ‘ଅନାଲିଟିକାଲ’, ଅନୁସନ୍ଧାନତ୍ମକ ‘ଇନଭେଷ୍ଟିଗେଟିଭ’, ଅଭିମତ ‘ଓପିନିୟନ’ ଓ ପ୍ରାମାଣିକ ‘ଡ଼କ୍ୟୁମେଣ୍ଟରି’ ଭୂମିକା ନିର୍ବାହ କରିବା ପାଠକ ସମାଜରେ ଆଶା କରାଯାଉଛି । ମହାମାରୀ-ପର ଗଣମାଧ୍ୟମ ପରିବେଶରେ ମୁଦ୍ରିତ ସମ୍ୱାଦପତ୍ର ବୈଷୟିକ ପ୍ରଗତି ଓ ବ୍ୟାବସାୟିକ ଢ଼ାଞ୍ଚା ପରିବର୍ତ୍ତନ କାରଣରୁ ଦୁର୍ବଳ ସ୍ଥିତିରେ ପହଞ୍ଚୁଥିବା ଅବସରରେ ପାଠକ ଓ ଗ୍ରାହକ ସଂରକ୍ଷଣ ଉଦ୍ୟମରେ ପାଠକୀୟ ଆଗ୍ରହ ଓ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ସମ୍ପାଦକୀୟ ନୀତି ପ୍ରଯୋଜନା କରିବା ତାତ୍ପର୍ଯ୍ୟପୂର୍ଣ୍ଣ ।
ଦୈନିକ ସମ୍ୱାଦପତ୍ର ଆଙ୍ଗିକରେ ଦୀର୍ଘ ରଚନାକୁ ଅଗ୍ରାଧିକାର ଦେବା ପରିବର୍ତ୍ତିତ ସଂପାଦକୀୟ ନୀତି ନିର୍ଦ୍ଧାରଣର ଅଂଶବିଶେଷ ଭାବେ ଗ୍ରହଣଯୋଗ୍ୟ । ଏକ ପକ୍ଷରେ ସମ୍ୱାଦର ଗୁରୁତ୍ୱ ‘ନିଉଜ ଭେଲ୍ୟୁ’ ପରିମାପରେ ଆଗ୍ରହ-ଉଦ୍ଦୀପକ ଘଟଣାକ୍ରମ ଉପସ୍ଥାପନରେ ଦୀର୍ଘ ରଚନାକୁ ଅଗ୍ରାଧିକାର ଦିଆଯାଇପାରେ । ଅପରପକ୍ଷରେ ଦୀର୍ଘ ରଚନା ନିଷ୍ପତ୍ତିକୁ ଭିତ୍ତିକରି ସମ୍ୱାଦପତ୍ରରେ ସ୍ୱତନ୍ତ୍ର ପୃଷ୍ଠାମାନ ମଧ୍ୟ ପ୍ରଯୋଜନା କରାଯାଇପାରେ ।
ଉଦାହରଣରେ ସମ୍ପାଦକୀୟ ପାର୍ଶ୍ୱ ଅଭିମତ ପୃଷ୍ଠା ‘ଓପଜିଟ ଏଡ଼ିଟୋରିଆଲ ବା ଓପ-ଏଡ଼ ପେଜ’ ଦୈନିକ ସଂସ୍କରଣଗୁଡ଼ିକ ଦୀର୍ଘ ରଚନା ନିମନ୍ତେ ସଂରକ୍ଷିତ ରଖାଯାଇପାରେ । ଏକ ବର୍ଣ୍ଣାଳୀରେ ସୋମବାର ଦିନ ପୁସ୍ତକ ସମୀକ୍ଷା, ମଙ୍ଗଳବାର ଦିନ ବର୍ଣ୍ଣନାତ୍ମକ ଦୀର୍ଘ ସମ୍ୱାଦ ‘ଡିସକ୍ରିପଟିଉଭ’, ବୁଧବାର ଦିନ ଅନୁସନ୍ଧାନମୂଳକ ‘ଇନଭେଷ୍ଟେଗେଟିଭ’, ଗୁରୁବାର ଦିନ ଦୀର୍ଘ ସାକ୍ଷାତକାର ‘ଇଣ୍ଟରଭ୍ୟୁ’, ଶୁକ୍ରବାର ଦିନ ଜନଜୀବନ ‘ଲାଇଫ ଷ୍ଟାଇଲ’, ଶନିବାର ଦିନ ଅପରାଧ ‘କ୍ରାଇମ’ ଓ ରବିବାର ଦିନ ବିତର୍କ ‘ଡ଼ିବେଟ’କୁ ନେଇ ସ୍ୱତନ୍ତ୍ର ପୃଷ୍ଠାମାନ ସନ୍ନିବଶିତ କରାଯାଇପାରେ ।
‘ପୁସ୍ତକ ସମୀକ୍ଷା’ ପୃଷ୍ଠାରେ ଗୁଡ଼ାଏ ପୁସ୍ତକର ପ୍ରଚ୍ଛଦ ଚ଼ିତ୍ର ସହ ଲେଖକ, ପ୍ରକାଶକ ଓ ମୂଲ୍ୟ ଉଲ୍ଲେଖ କଲେ କିମ୍ୱା ସାଧାରଣ ଭାବେ ଦୁଇ ପଦ ଲେଖିଦେଲେ ତାହା ପୁସ୍ତକକୁ ବିଜ୍ଞପିତ କରିଥାଏ, ଏଭଳି ସମୀକ୍ଷାରେ ପାଠକକୁ କିଛି ପଢ଼ିବାକୁ ମିଳିନଥାଏ । ଏହା ପରିବର୍ତ୍ତେ ପୁରା ପୃଷ୍ଠାରେ ଗୋଟିଏ ବା ଦୁଇଗୋଟି ପୁସ୍ତକର ବଡ଼ ସାନ ଉଲ୍ଲେଖନୀୟ ଉଦ୍ଧୃତି ‘ଏକ୍ସଟ୍ରାଟସ’ ପ୍ରକାଶ କଲେ ପାଠକ ପୁସ୍ତକରେ ଚର୍ଚ୍ଚିତ ବିଷୟବସ୍ତୁ ସଂପର୍କରେ ସମ୍ୟକ ଧାରଣା ଲାଭ କରିପାରେ । ଏହା ପାଠକୀୟ ଅନୁଭବକୁ ପଲକପାତ ‘ଗ୍ଳେନସ’ ବା ‘ବ୍ରାଉଜିଂ’ଠାରୁ ପଠନସ୍ତରକୁ ଉନ୍ନୀତ କରିବା ସମ୍ଭବ ।
ସେହିପରି ‘ବିତର୍କ’ ପୃଷ୍ଠାରେ ଏକ ନିର୍ଦ୍ଦିଷ୍ଟ ବିଷୟର ବିଭିନ୍ନ ଦିଗ ସଂପର୍କରେ ଏକାଧିକ ବିଶେଷଜ୍ଞଙ୍କ ଅଭିମତ ଏକତ୍ରୀତ କରି ପ୍ରକାଶ କଲେ ପାଠକ ସାମଗ୍ରୀକଭାବେ ବିତର୍କିତ ବିଷୟର ଦିଗଦିଗନ୍ତ ଅବଗତ ହୋଇପାରେ । ଉଭୟ ପୁସ୍ତକ ଉଦ୍ଧୃତି ଓ ଅଭିମତ ସଂକଳନ ଉଚ୍ଚ ପର୍ଯ୍ୟାୟର ସଂପାଦକୀୟ ଦକ୍ଷତା ଆବଶ୍ୟକ କରେ । ଗଭୀର ଅଧ୍ୟୟନଲବ୍ଧ ପ୍ରସ୍ତୁତ ସାରାଂଶ ପାଠକ ସମ୍ମୁଖରେ ଉପସ୍ଥାପନ କଲେ ପାଠକୀୟ ଆଗ୍ରହ ସୃଷ୍ଟି ନିଶ୍ଚିତ ବୋଲି ବିଶ୍ୱାସ କରାଯାଇପାରେ ।
ସ୍ଥଳବିଶେଷରେ କୌଣସି ପୃଷ୍ଠା ସାପ୍ତାହିକ ସଂସ୍କରଣରେ ସୀମାବଦ୍ଧ ନରଖି ପର୍ଯ୍ୟାୟକ୍ରମେ ‘ସିରିଜ’ ଆକାରରେ ମଧ୍ୟ ପ୍ରକାଶନର ବ୍ୟବସ୍ଥା କରାଯାଇପାରେ । ଉଦାହରଣରେ ଏକ ବଡ଼ ଅନୁସନ୍ଧାନ ଗୋଟିଏ ପୃଷ୍ଠାରେ ସୀମାବଦ୍ଧ ନରହି ପରବର୍ତ୍ତୀ ସପ୍ତାହର ସଂରକ୍ଷିତ ପୃଷ୍ଠାକୁ ମଧ୍ୟ ଲମ୍ପ ପ୍ରଦାନ କରିପାରେ । ଗୋଟିଏ ଭଲ ସାକ୍ଷାତକାର ଦୁଇ ତିନି ସଂସ୍କରଣକୁ ସଂପ୍ରସାରିତ ହେଲେ ମଧ୍ୟ ଅସୁବିଧା ନାହିଁ । ତେବେ ରଚ଼ନାଗୁଡ଼ିକ କେତେଦୂର ପାଠକୀୟ ଆଗ୍ରହ ଉଦ୍ରେକ କରିପାରୁଛି ତାହା ବିଚାର୍ଯ୍ୟ । ଚିରାଚରିତ ଭାବେ ପାଠକ ଯଦି ଦୀର୍ଘ ରଚନାର ଶୀର୍ଷକ ପଢ଼ି ପୃଷ୍ଠା ଓଲଟାଏ ତେବେ ଉଦ୍ୟମ ଫସରଫାଟିବ ।
ମୁଦ୍ରିତ ସମ୍ୱାଦପତ୍ରରେ ଦୀର୍ଘରଚନା ପ୍ରକାଶନ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ତନ୍ନ ତନ୍ନ କରି ପରୀକ୍ଷା କରିବା ସୁଯୋଗ ସୃଷ୍ଟି କରେ । ଅନେକ ସମୟରେ ଗ୍ରାମାଞ୍ଚଳର ସାମ୍ୱାଦିକମାନେ ବହୁ ଉଲ୍ଲେଖନୀୟ ତଥ୍ୟ ସଂସ୍ପର୍ଶରେ ଆସୁଥିଲେହେଁ ସମ୍ପାଦକୀୟ ବିଭାଗର କାଟଛାଟ ଅଭ୍ୟାସକୁ ନଜରରେ ରଖି ବହୁ ସଂଲଗ୍ନ ବିଷୟ ଉଲ୍ଲେଖହିଁ କରି ନଥାନ୍ତି । ସାମ୍ୱାଦିକତାରେ ଉତ୍କର୍ଷତା ସୃଷ୍ଟି ଉଦ୍ଦେଶ୍ୟରେ ତୃଣମୂଳସ୍ତରର ସାମ୍ୱାଦିକମାନଙ୍କୁ ସମଗ୍ର ବିବରଣୀ ପ୍ରେରଣ କରିବା ନିମନ୍ତେ ଉତ୍ସାହିତ କରାଯିବା ଉଚିତ । ସମ୍ପାଦନାସ୍ତରରେ ସମ୍ୱାଦର ଗୁରୁତ୍ୱ ପରିମାପରେ ତାହା ସଂକ୍ଷିପ୍ତ କିମ୍ୱା ଦୀର୍ଘ ରଚନା ଆକାରରେ ପ୍ରକାଶ କରାଯାଇପାରେ । ସ୍ଥଳବିଶେଷରେ ମୂଳ ସାମ୍ୱାଦରେ ସନ୍ନିବଶିତ ଗୌଣ ଘଟଣାବଳୀ ସମ୍ୱାଦର ଶୀର୍ଷକରେ ରୂପାନ୍ତରିତ ହେବା ମଧ୍ୟ ସମ୍ଭବ ।
ଦୀର୍ଘରଚନାରେ ପାଠକ ଘଟଣାକ୍ରମର ବିଭିନ୍ନ ଦିଗ ସଂପର୍କରେ ଅବଗତ ହେବା ଅବକାଶ ସୃଷ୍ଟି କରିପାରେ । ପାଠକ ଗ୍ରାହକଚାନ୍ଦା ବିନିମୟରେ ୨୪ ଘଣ୍ଟା ଯାଏଁ ଅପେକ୍ଷାକରି ମୁଦ୍ରିତ ସମ୍ୱାଦପତ୍ର ପୃଷ୍ଠାରେ ପହଞ୍ଚୁଥିବା ଅବସରରେ ତାହାରି ପାଠକୀୟ ଅନ୍ୱେଷଣ ଚ଼ରିତାର୍ଥ କରିବାଲାଗି ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତିକୁ ଏକ ସମ୍ପାଦକୀୟ ଦାୟିତ୍ୱ ବିବେଚନା କରାଯାଇପାରେ । ଦୀର୍ଘରଚନାରୁ ବିଭିନ୍ନ ଦିଗ ଅବଗତ ହୋଇ ସମାଜରେ ବିତର୍କ ସୂତ୍ରପାତ ହେଲେ ତାହା ସମାଜ ସଂସ୍କାର, ପ୍ରଶାସନିକ ଶୃଙ୍ଖଳା ଓ ଗଣତନ୍ତ୍ର ପରିଚାଳନାରେ ସହାୟକ ହୋଇଥାଏ ।
ଦୀର୍ଘ ରଚନା ପ୍ରକାଶନ ଓ ସେଥି ନିମନ୍ତେ ସ୍ୱତନ୍ତ୍ର ପୃଷ୍ଠା ପ୍ରଯୋଜନା ସଂପୃକ୍ତ ସମ୍ୱାଦପତ୍ରର ମୌଳିକତା ପରିସ୍ପୁଟନଲାଗି ସୁବିଧାସୁଯୋଗ ସୃଷ୍ଟି କରେ । କ୍ରମଶଃ ସମ୍ୱାଦମଞ୍ଚଗୁଡ଼ିକ ପ୍ରେସ-ବିଜ୍ଞପ୍ତି ଆଧାରିତ ସମ୍ୱାଦରେ ଭରପୁର ହୋଇ ଏକାକାର ହୋଇ ପଡୁଥିବା ଅବସରରେ ଦୀର୍ଘ ରଚନା ପ୍ରକାଶନ ବିବିଧତାକୁ ଉତ୍ସାହିତ କରିବ । ଆବଶ୍ୟକ ସ୍ଥଳେ ସମ୍ୱାଦପତ୍ର ପକ୍ଷରୁ ଲକ୍ଷ୍ୟଭିତ୍ତିକ ‘ଏଜେଣ୍ଡା ସେଟିଂ’ ପଦକ୍ଷେପ ଗ୍ରହଣ ନିମନ୍ତେ ଦୀର୍ଘ ରଚନା ପ୍ରକାଶନ ପ୍ରଶସ୍ତକ୍ଷେତ୍ର ସୃଷ୍ଟି କରିବା ସମ୍ଭବ ।
ମୁଦ୍ରିତ ସମ୍ୱାଦପତ୍ରରେ ନିୟମିତ ଦୀର୍ଘରଚନା ପ୍ରକାଶନ ସାଧାରଣ ପାଠକଙ୍କ ପଠନ ଅଭ୍ୟାସ ବୃଦ୍ଧିରେ ସହାୟକ ହେବା ଆଶା କରାଯାଇପାରେ । ଭାଷା ଓ ସୃଜନ ସମୃଦ୍ଧିରେ ମଧ୍ୟ ଏହି ଉଦ୍ୟମ ଯୋଗଦାନ କରିବ । ଓଡ଼ିଆ ଭାଷା ପାଠକ ସଂଖ୍ୟା ବୃଦ୍ଧି ନିମନ୍ତେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଦୀର୍ଘ ରଚନା ପ୍ରକାଶନରେ ସେମାନଙ୍କ ସାମାଜିକ ଦାୟବଦ୍ଧତା ପୂରଣ କରିପାରିବେ । ଲେଖକ ଓ ସମ୍ୱାଦପତ୍ର ପ୍ରତି ପାଠକମାନଙ୍କ ଅନୁରାଗ ସୃଷ୍ଟି ଉଦ୍ୟମ ଗ୍ରାହକ ଅଭିବୃଦ୍ଧିର ସର୍ବାପେକ୍ଷା ସୁରକ୍ଷିତ ପ୍ରଣାଳୀ । ବ୍ୟାବସାୟିକ ବା ସରକାରୀ ବିଜ୍ଞାପନ ମୋହରୁ ବିଯୁକ୍ତ ହୋଇ ସାମ୍ୱାଦିକତା ସେବାଲବ୍ଧ ଆୟରେ ପରିପୁଷ୍ଟ ହେବା ନିମନ୍ତେ ଅନ୍ତତଃପକ୍ଷେ କିଛି ସମ୍ୱାଦ ସଂସ୍ଥା ଏହିଭଳି ଅଭିନବ ପଦକ୍ଷେପ ପ୍ରତି ଆଗ୍ରହ ପ୍ରକାଶ କରି ପାରନ୍ତି । ଏଦିଗରେ ଚେତନା ପ୍ରସାର ଗଣମାଧ୍ୟମ ସାକ୍ଷରତାର ଅଂଶବିଶେଷ ।
ମହାମାରୀ-ପର ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ଡ଼ିଜିଟାଲ ମଞ୍ଚ ମୁଦ୍ରିତ ସମ୍ୱାଦପତ୍ରର ମୁଖ୍ୟ ପ୍ରତିଦ୍ୱନ୍ଦୀ ସାଜିଥିବା ଏବଂ ଅଧିକରୁ ଅଧିକ ସଂଖ୍ୟକ ଗଣମାଧ୍ୟମ ଉପଭୋକ୍ତା ଅଡ଼ିଓ ଓ ଭିଡ଼ିଓ ସାମ୍ୱାଦିକତା ପ୍ରତି ଆକର୍ଷିତ ହେଉଥିବା ଅବସରରେ ମୁଦ୍ରିତ ସମ୍ୱାଦପତ୍ର ନିଜର ସ୍ୱତନ୍ତ୍ର ପରିଚ଼ିତି ସୃଷ୍ଟି କରିବା ଅନିବାର୍ଯ୍ୟ ହୋଇପଡ଼ିଛି । ୟୁ-ଟ୍ୟୁବ ଭଳି ନିଃଶୁଳ୍କ ମଞ୍ଚଗୁଡ଼ିକରେ ସମ୍ୱାଦଭିତ୍ତିକ ଭିଡ଼ିଓ ଯୁକ୍ତରାଷ୍ଟ୍ର ଆମେରିକାର ୨୬ ପ୍ରତିଶତ ଯାଏଁ ଜନସାଧାରଣ ଅଗ୍ରାଧିକାର ଦେଉଥିବା ଭଳି ତଥ୍ୟ ତଥା ଓଟିଟି ମଞ୍ଚଗୁଡ଼ିକରେ ସତ୍ୟ ଘଟଣା ଆଧାରିତ ଅପରାଧ ଓ ରାଜନୀତିକ ସୃଜନର ଲୋକପ୍ରିୟତା ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ନିମନ୍ତେ ସମ୍ପାଦକୀୟ ନୀତିରେ ନୂତନତା ପରିପ୍ରକାଶ ନିମନ୍ତେ ବାଧ୍ୟବାଧକତାରେ ପରିଣତ ହୋଇଛି ବୋଲି ବିଚାର କରିବାକୁ ପଡ଼ିବ ।
