ଆଜିର ଖାସ ଖବର
Tue. Jul 28th, 2026

ସଂକ୍ଷିପ୍ତ ବନାମ ବିସ୍ତୃତ

By Dainikasha Jul11,2024

ଆନ୍ତର୍ଜାତିକସ୍ତରରେ ମୁଖ୍ୟତଃ ବିକଶିତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ପାଠକ ଓ ବିଜ୍ଞାପନ ରାଜସ୍ୱ ହରାଇବା କାରଣରୁ କ୍ରମବର୍ଦ୍ଧିଷ୍ଣୁ ଡ଼ିଜିଟାଲ ମଞ୍ଚରେ ଅବତୀର୍ଣ୍ଣ ହେଉଥିବା କିମ୍ୱା ପ୍ରକାଶନ ବନ୍ଦ କରିଦେଉଥିବା ଧାରା ବଳବତ୍ତର ରହିଛି । ଏହି ପରିପ୍ରେକ୍ଷୀରେ ଆତ୍ମସୁରକ୍ଷାତ୍ମକ ଉଦ୍ୟମରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ପୃଷ୍ଠାରେ ବିଷୟବିନ୍ୟାସ ଓ ଉପସ୍ଥାପନ ଶୈଳୀରେ କ’ଣ ସବୁ ପରିବର୍ତ୍ତନର ଧାରା ଅନୁସୃତ ହେଉଛି ସେ ସଂପର୍କରେ ଜାଣିବାର ଉତ୍କଣ୍ଠା ରହିଥିଲା । ଗତ ଅକ୍ଟୋବର ମେଟ୍ରୋ-ଟୁର କୋଲକତା ଗସ୍ତ ଅବସରରେ ବ୍ରିଟିଶ କାଉନସିଲ ଲାଇବ୍ରେରୀରେ ‘ଦି ଟାଇମ’ ଓ ‘ଦି ଗାର୍ଡ଼ିଅନ’ ଏବଂ ଆମେରିକାନ ଲାଇବ୍ରେରୀରେ ‘ଦି ନିଉୟର୍କ ଟାଇମସ’ ଓ ‘ଦି ୱଶିଂଟନ ପୋଷ୍ଟ’ ଚ଼ାରିଗୋଟି ସମ୍ବାଦପତ୍ରର ସଦ୍ୟତମ ସଂସ୍କରଣଗୁଡ଼ିକର ତୁଳନାତ୍ମକ ବିଶ୍ଳେଷଣର ସୁଯୋଗ ମିଳିଥିଲା । ଏତଦ୍ୱାରା ମନରେ ଆନ୍ଦୋଳିତ ପ୍ରଶ୍ନର ଉତ୍ତର ଖୋଜି ବାହାର କରିବାରେ କିଛିଟା ସହାୟକ ହୋଇ ପାରିଥିଲା ।

ଗଣମାଧ୍ୟମ ସହାବସ୍ଥାନ ବା ‘ମଡ଼ିଆ କୋଏକଜିଷ୍ଟସ୍’ ଧାରାରେ ପାଠକ ମହଲରେ ମୌଳିକ ସମ୍ୱାଦ ପ୍ରସାରଣ କ୍ରମଶଃ ଡ଼ିଜିଟାଲ ମଞ୍ଚକୁ ଅପସାରିତ ହେବା ପରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ସମ୍ୱାଦ ପ୍ରକାଶନରେ ବିକଳ୍ପ ଭୂମିକା ଗ୍ରହଣ କରୁଛନ୍ତି । ଉଦାହରଣରେ ପୂର୍ବେ ସମ୍ୱାଦପତ୍ରରେ କେବଳ ସମ୍ୱାଦ ପ୍ରକାଶନ ପ୍ରତି ଧ୍ୟାନ ଦିଆଯାଉଥିବା ସ୍ଥଳେ ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ୱାଦଭିତ୍ତିକ ପତ୍ରିକାଗୁଡ଼ିକ ବର୍ଣ୍ଣନା (ନେରେଟିଉଭ), ଅନୁଶୀଳନ (ଏନାଲେଟିକ୍) ବା ଅନୁସନ୍ଧାନଧର୍ମୀ (ଇନଭେଷ୍ଟଗେଟିଭ) ସାମ୍ୱାଦିକତା ପ୍ରତି ଯତ୍ନଶୀଳ ହେଉଥିଲେ । ବର୍ତ୍ତମାନ ମୌଳିକ ସମ୍ୱାଦ ପ୍ରସାରଣ ଡ଼ିଜିଟାଲ ମଞ୍ଚରେ ଲୋକପ୍ରିୟ ହେବା ଫଳରେ ମୁଦ୍ରିତ ସମ୍ବାଦପତ୍ରଗୁଡ଼ିକ ବର୍ଣ୍ଣନା, ଅନୁଶୀଳନ ବା ଅନୁସନ୍ଧାନଧର୍ମୀ ସାମ୍ୱାଦିକତାକୁ ଗୁରୁତ୍ୱ ଦେବାରେ ଲାଗିଛନ୍ତି ।

ଆଲୋଚ଼୍ୟ ଚ଼ାରିଗୋଟି ପ୍ରମୁଖ ସମ୍ବାଦପତ୍ରର ପ୍ରତ୍ୟେକ ଭିତର ପୃଷ୍ଠାଗୁଡ଼ିକରେ ବିଜ୍ଞାପନ ସହ ପ୍ରାୟତଃ ଦୁଇତିନିଗୋଟି ତଥା ସ୍ଥଳବିଶେଷରେ ମାତ୍ର ଗୋଟିଏ ସମ୍ୱାଦ ପ୍ରକାଶିତ ହେଉଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ସମ୍ବାଦ ଉପସ୍ଥାପନାରେ ଘଟଣାବଳୀକୁ ପ୍ରାଞ୍ଜଳଭାବେ ବର୍ଣ୍ଣନା କରାଯାଇ ବିଭିନ୍ନ ଦିଗରୁ ଅନୁଶୀଳନକୁ ପ୍ରାଧାନ୍ୟ ଦିଆଯାଉଥିବା ଲକ୍ଷ୍ୟ କରାଯାଇଥିଲା ।

ମୌଳିକ ସମ୍ୱାଦ ପ୍ରସାରଣ କ୍ରମଶଃ ଫୋନ ପରଦା ବା ହେଣ୍ଡହୋଲଡ଼ ମୋବାଇଲ ଡ଼ିଭାଇସ ଯଥା ଟେବଲେଟ ବା ଲ୍ୟାପଟପରେ ସୋସିଆଲ ମିଡ଼ିଆ ମଞ୍ଚକୁ ଅପସାରିତ ହୋଇଚ଼ାଲିଥିବା ତଥା ଆଗାମୀ କିଛି ସମୟଧରି ଏହି ପ୍ରକ୍ରିୟା ତ୍ୱରାନ୍ୱିତ ରହିବା ଆକଳନ କାରଣରୁ ଟେଲିଭିଜନ ଓ ମୁଦ୍ରିତ ସମ୍ୱାଦପତ୍ରରେ ସମ୍ୱାଦ ପରିବେଷଣ ଧାରା ପ୍ରଭାବିତ ହେବା ସ୍ୱାଭାବିକ । ଫୋନ ପରଦାକୁ ସୁହାଉଥିବା ଷାଠିଏ ଶଦ୍ଦର ସମ୍ୱାଦ ରଚ଼ନା ଶୈଳୀ ବର୍ତ୍ତମାନ ମିନିଟିକିଆ ଭିଡ଼ିଓ ରିପୋର୍ଟକୁ ମୁକାବିଲା କରିବାକୁ ଯାଉଥିବା ବେଳେ ମୁଦ୍ରିତ ସମ୍ୱାଦପତ୍ରକୁ ସ୍ଥଳବିଶେଷରେ ଦୀର୍ଘରଚ଼ନା ପ୍ରକାଶନ ଶୈଳୀକୁ ଆବୋରି ନେବାକୁ ପଡ଼ିଛି ।

ଏହି ସଂଘର୍ଷମୟ ପରିବେଶରେ ବଡ଼ ବଡ଼ ପତ୍ରିକାଗୁ଼ଡ଼ିକ ନିଜ ନିଜ ପ୍ରକାଶନରେ ଗୁଣବତ୍ତା ବିକାଶକୁ ପ୍ରାଧାନ୍ୟ ଦେଉଛନ୍ତି । ବ୍ରିଟେନର ‘ଦି ସ୍ପେକ୍ଟେଟର’ କିମ୍ୱା ଯୁକ୍ତରାଷ୍ଟ୍ର ଆମେରିକାର ‘ଦି ନ୍ୟୂୟର୍କର’ ବା ‘ଦି ଅଟଲାଣ୍ଟିକ’ରେ ପ୍ରକାଶିତ ଉଚ୍ଚମାନର ରଚ଼ନା ନିମନ୍ତେ ସେମାନଙ୍କ ପ୍ରସିଦ୍ଧି ଅଟଳ ରହୁଛି । ଛୋଟ ଛୋଟ ପତ୍ରିକାଗୁଡ଼ିକ ବିଷୟ ସ୍ୱତନ୍ତ୍ର ବା ସ୍ପେସେଲାଇଜେସନରେ ନିଜ ଆସ୍ଥାନକୁ ଦୃଢ଼ୀଭୂତ କରିବା ନିମନ୍ତେ ଉଦ୍ୟମ କରୁଛନ୍ତି । ଯେପରିକି ଗୋଟିଏ ପତ୍ରିକା କେବଳ ‘ନିଦ୍ରା’କେନ୍ଦ୍ରୀକ ରଚ଼ନା ପ୍ରକାଶ କରୁଥିବାବେଳେ ଅନ୍ୟ ଗୋଟିଏ ‘ସାଇକେଲ ଚ଼ାଳନା’କେନ୍ଦ୍ରୀକ ରଚ଼ନା ପ୍ରକାଶନ ପ୍ରତି ଧ୍ୟାନ ଦେଉଛି ।

ସମସାମୟିକ ଓଡ଼ିଶାରେ କେତେକ ବହୁଳ ପ୍ରସାରିତ ମୁଦ୍ରିତ ସମ୍ୱାଦପତ୍ରରେ ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ପ୍ରସାରଣ ଢ଼ାଞ୍ଚାରେ ସଂକ୍ଷିପ୍ତ ସମ୍ୱାଦ ରଚ଼ନା ପ୍ରତି ଅଗ୍ରାଧୀକାର ଦିଆଯିବା ନିମନ୍ତେ ବିଚ଼ାର କରାଯାଉଥିବା ଶୁଣିବାକୁ ମିଳେ । ହୁଏତ ସେମାନେ ଭାବୁଛନ୍ତି ଯେ ସମ୍ୱାଦର ଆକାର ସଂକ୍ଷିପ୍ତ ହୋଇପାରିଲେ ତାହା ଡ଼ିଜିଟାଲ ମଞ୍ଚରେ ପ୍ରକାଶିତ ସମ୍ୱାଦର ସମକକ୍ଷ ହୋଇ ଲୋକପ୍ରିୟତା ବଜାୟ ରଖିପାରିବ ଏବଂ ସୀମିତ ପରିସରରେ ଅଧିକରୁ ଅଧିକ ସମ୍ୱାଦ ପ୍ରକାଶ କରିପାରିବେ ।

ମୋ’ ମତରେ ଏହା ଭ୍ରମାତ୍ମକ । ଦିନ ସାରା ଫୋନ ପରଦାରେ ସୋସିଆଲ ମିଡ଼ିଆରେ ତତ୍ କ୍ଷଣାତ ମୌଳିକ ସମ୍ୱାଦ ସଂକ୍ଷିପ୍ତ ଆକାରରେ ଉଭୟ ଲେଖା ଓ ଭିଡ଼ିଓରେ ପାଇସାରିବା ପରେ ତହିଁ ପରଦିନ ସକାଳୁ ତାହାର ପୁନରାବୃତ୍ତି ପାଠକମାନଙ୍କ ପକ୍ଷେ ଗ୍ରହଣୀୟ ନ ହୋଇପାରେ । ସେମାନେ ନିଶ୍ଚିତଭାବେ ବିସ୍ତୃତ ବିବରଣୀମୁହାଁ ହେବେ । ସୋସିଆଲ ମିଡ଼ିଆ ସଂବାଦ ପ୍ରସାରଣରେ ଯାହା ପାଇପାରିନଥିଲେ ତାହା ଖୋଜିବେ ।

ଭାରତରେ ୧୯୭୫-୭୭ ଜରୁରୀ ଅବସ୍ଥା ପରବର୍ତ୍ତୀ ସମୟରେ ସାକ୍ଷରତା ଓ ଆର୍ଥିକ ସ୍ୱଚ୍ଛଳତା କ୍ରମାଗତଭାବେ ମୁଦ୍ରିତ ସମ୍ୱାଦପତ୍ର ସହ ଟେଲିଭିଜନ ଦର୍ଶକ ସଂଖ୍ୟା ଅଭିବୃଦ୍ଧିର ମୁଖ୍ୟ କାରଣ । ବିଗତ ଦୁଇ ଦଶକ ଧରି ବିକଶିତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ମୌଳିକ ସମ୍ୱାଦ ପ୍ରସାରଣ ଡ଼ିଜିଟାଲ ମଞ୍ଚକୁ ଅପସାରିତ ହୋଇଚାଲିଥିବା ସ୍ଥଳେ ଆମ ଦେଶରେ ଅନୁରୂପ ଧାରା ମୁଖ୍ୟତଃ ସହରାଞ୍ଚଳ ପାଠକ ଓ ଦର୍ଶକଙ୍କ ମଧ୍ୟରେ ସୀମାବଦ୍ଧ ରହିଛି । ସେହିକାରଣରୁ ଏଠାରେ ସହରାଞ୍ଚଳ ପ୍ରସାରଣ କେନ୍ଦ୍ରୀକ ଇଂଲିଶ ସମ୍ୱାଦପତ୍ରର ବାର୍ଷିକ ଅଭିବୃଦ୍ଧି ହାର ତିନି ପ୍ରତିଶତକୁ କମି ଆସିଛି । ତେବେ ଗ୍ରାମାଞ୍ଚଳରେ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଇଣ୍ଟରନେଟ ଓ ସ୍ମାର୍ଟଫୋନ ବ୍ୟବହାର ସଂପ୍ରସାରିତ ହେବାପରେ ୨୦୨୨ ବେଳକୁ ନୂତନ ସମୀକରଣ ସୃଷ୍ଟିକରିବା ନିଶ୍ଚିତ । ଆଗାମୀ ୨୦୧୯ ସାଧାରଣ ନିର୍ବାଚ଼ନ ଅବସରରେ ପ୍ରମୁଖ ରାଜନୈତିକ ଦଳଗୁଡିକର ଲକ୍ଷ୍ୟଭିତ୍ତିକ ବ୍ୟବହାରରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ ମଞ୍ଚର ଲୋକପ୍ରିୟତା ବହୁପରିମାଣରେ ବଢ଼ିଯିବ ବୋଲି ଆଶା କରାଯାଇପାରେ । ଏହି ପରିବେଶ ସ୍ଥାନୀୟ ମୁଦ୍ରିତ ସମ୍ୱାଦପତ୍ରରେ ସମ୍ୱାଦ ଉପସ୍ଥାପନ ଶୈଳୀକୁ ପ୍ରଭାବିତ କରିବ ।

ବିଭିନ୍ନ ଗଣମାଧ୍ୟମ ମଞ୍ଚରେ ସମ୍ୱାଦ ଉପସ୍ଥାପନାରେ ବିବିଧତା ଭିନ୍ନ ଭିନ୍ନ ପ୍ରକାଶନର ସ୍ୱତନ୍ତ୍ରତା ଜାହିର କରିଥାଏ । ଏ ଦିଗରେ ସର୍ଜନଶୀଳତାର ପ୍ରୟୋଗ ଉପସ୍ଥାପନକୁ ଆକର୍ଷଣୀୟ ଗଢ଼ିତୋଳି ପାଠକ ଓ ଦର୍ଶକଙ୍କ ସ୍ୱୀକୃତି ହାସଲରେ ସମର୍ଥ ହୋଇଥାଏ । ଆମ ଓଡ଼ିଆରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକରେ ସମ୍ୱାଦ ଉପସ୍ଥାପନରେ ବିଷୟ ନିର୍ବାଚ଼ନ କିମ୍ୱା ଶୈଳୀ ଉପଯୋଗରେ ପ୍ରାୟତଃ ଭିନ୍ନତା ଦେଖିବାକୁ ମିଳେ ନାହିଁ । ଅନ୍ତତଃପକ୍ଷେ କମ ପ୍ରସାରିତ ସମ୍ୱାଦପତ୍ରଗୁଡ଼ିକ ଯଦି ଏ ଦିଗରେ ସୀମିତ ସାମର୍ଥ୍ୟରେ ପରୀକ୍ଷାନିରୀକ୍ଷା ଦିଗରେ ମନୋନିବେଶ କରନ୍ତେ ତେବେ ସେଗୁଡ଼ିକ ପାଠକମହଲରେ ଆଦୃତି ଲାଭ କରନ୍ତା ।

ସର୍ବଭାରତୀୟସ୍ତରରେ ଇଂଲିଶ ସମ୍ୱାଦପତ୍ରଗୁଡ଼ିକ ବିଗତ କିଛିକାଳ ଧରି ଅଭିବୃଦ୍ଧି ହ୍ରାସ କାରଣରୁ ସଂପାଦକୀୟ ନୀତି ବଦଳାଉଥିବା ଲକ୍ଷ୍ୟ କରାଯାଇପାରେ । ‘ଦି ହିନ୍ଦୁ’ କ୍ଷେତ୍ରରେ ପ୍ରସାର ଓ ବିଜ୍ଞାପନ ରାଜସ୍ୱ ହାନୀର ମୁକାବିଲା କରିବା ନିମନ୍ତେ ବର୍ଣ୍ଣନାତ୍ମକ ସମ୍ୱାଦ ଉପସ୍ଥାପନ ଶୈଳୀ ପ୍ରବର୍ତ୍ତନ, ଗ୍ରାହକ ଚ଼ାନ୍ଦା ବୃଦ୍ଧି ତଥା ଶିଶୁ, କିଶୋର ଓ ଯୁବବର୍ଗର ପାଠକଙ୍କ ନିମନ୍ତେ ପାଠ୍ୟ ପ୍ରଯୋଜନା ପ୍ରତି ବିଶେଷ ଦୃଷ୍ଟି ଦେବା ଆରମ୍ଭ କରିଛି । ଏଥି ସହ ନିଜ ଡ଼ିଜିଟାଲ ମଞ୍ଚକୁ ଆକର୍ଷଣୀୟ କରି ଗ୍ରାହକ ଚ଼ାନ୍ଦା ଆଦାୟପ୍ରତି ଗୁରୁତ୍ୱ ଦେବାରେ ଲାଗିଛି । ଦୀର୍ଘ ସୂତ୍ରରେ ଏସବୁ ଉଦ୍ୟମ ଫଳବତୀ ହେବା ଆଶା କରାଯାଇପାରେ ।

ମୁଦ୍ରିତ ସମ୍ୱାଦପତ୍ର ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ପର୍ଯ୍ୟାୟଭୁକ୍ତ ହେତୁ ଏହାର ପରିପାଟୀରେ ପରିବର୍ତ୍ତନ ସର୍ବଦା ସ୍ୱାଗତଯୋଗ୍ୟ । କିନ୍ତୁ ବର୍ତ୍ତମାନ ବିଜିନେସ ମଡ଼େଲରେ ବଡ଼ ଧରଣର ଅଦଳବଦଳ ସମ୍ୱାଦ ଉପସ୍ଥାପନ ଶୈଳୀରେ ରୂପାନ୍ତରିକରଣଲାଗି ବାଧ୍ୟବାଧକତା ସୃଷ୍ଟି କରିଛି । ହୁଏତ ଓଡ଼ିଆ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ ବର୍ତ୍ତମାନ ସୁଦ୍ଧା ଅଭିବୃଦ୍ଧିଜନିତ ସମସ୍ୟାରୁ ଦୂରେଇ ରହିଥିବା ହେତୁ ଏ ଦିଗରେ ମନୋନିବେଶ କରିବା ଆବଶ୍ୟକତା ଅନୁଭୂତ ହୋଇନାହିଁ । ତେବେ ସମ୍ୱାଦ ପ୍ରସାରଣରେ ମୁଦ୍ରିତ ସମ୍ୱାଦପତ୍ରର ବିକଳ୍ପ ଭୂମିକା ପ୍ରବର୍ତ୍ତନ ଅବଶ୍ୟମ୍ଭାବୀ । 

Related Post