ଆଜିର ଖାସ ଖବର
Sat. May 30th, 2026

ଚଳଚ଼ିତ୍ର ଶିଳ୍ପରେ ସମ୍ଭାବ୍ୟ ପରିବର୍ତ୍ତନ

By Dainikasha Jul11,2024

ଯାନ୍ତ୍ରିକ ବିଜ୍ଞାନ କ୍ଷେତ୍ରରେ ନୂତନ ଉଦ୍ଭାବନ କ୍ରମାଗତଭାବେ ଚଳଚ଼ିତ୍ର ଶିଳ୍ପକୁ ପ୍ରଭାବିତ କରିଆସିଛି । ମୂଳତଃ ଚଳଚ଼ିତ୍ର ହିଁ ଏକ ଉଦ୍ଭାବନ । ନିର୍ବାକ ଚଳଚ଼ିତ୍ରରୁ ଅନ୍ତର୍କ୍ରିୟା ବା ‘ଇଣ୍ଟରେକ୍ଟିଉଭ’ ସିନେମା ଯାଏଁ ଶହେ ବର୍ଷରୁ ଉର୍ଦ୍ଧ୍ୱ ସମୟ ଇତିହାସର ପ୍ରତିଟି ସୋପନରେ ପରିବର୍ତ୍ତନର ସ୍ୱର ଶାଣିତ । ନିକଟ ଅତୀତରେ ଗୁରୁତ୍ୱ ଲାଭ କରିଥିବା ବିଗ ଡ଼ାଟା, ଭରଚୁଆଲ ରିଆଲିଟି, ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଓ ଇଣ୍ଟରେକ୍ଟିଭିଟି ଇତ୍ୟାଦି ଉଦ୍ଭାବନ ମନୋରଞ୍ଜନ ଦୁନିଆରେ ନୂତନ ସମୀକରଣ ସୃ଼ଷ୍ଟି କରିଛି । ଏଭଳି ପରିବେଶରେ ଚଳଚ଼ିତ୍ର ଶିଳ୍ପରେ ସମ୍ଭାବ୍ୟ ଭବିଷ୍ୟତ ଆକଳନ ରୋମାଞ୍ଚକର ।

ଭାରତୀୟ ଚଳଚ଼ିତ୍ର ଶିଳ୍ପ ଆଗଧାଡ଼ିର ଅଭିନେତା ତଥା ପ୍ରଯୋଜକ ଶାହାରୁଖ ଖାନ ଫେବୃୟାରୀ ୨୦୧୮ରେ ଏଭଳି ପରିବର୍ତ୍ତନ ସଂପର୍କରେ କେତେକ ଉପାଦେୟ ତଥ୍ୟ ଉପସ୍ଥାପନ କରିଛନ୍ତି । ନୂଆଦିଲ୍ଲୀରେ ଆୟୋଜିତ ‘ଇକନୋମିକ ଟାଇମ୍ସ ଗ୍ଳୋବାଲ ବିଜିନେସ ସମିଟ’ରେ ଉଦବୋଧନ ଅବସରରେ ପାଞ୍ଚଗୋଟି ସମ୍ଭାବନା ପ୍ରତି ତାଙ୍କରି ଗୁରୁତ୍ୱାରୋପ ଯୁକ୍ତିଯୁକ୍ତ ମନେହୁଏ ।

ପ୍ରଥମତଃ ‘ବିଗ ଡ଼ାଟା’ ଚଳଚ଼ିତ୍ର ନିର୍ମାଣ ଓ ମାର୍କେଟିଂକୁ ନିୟନ୍ତ୍ରିତ କରିବ ।‘ବିଗ ଡ଼ାଟା’ ଅର୍ଥାତ ବହୁମାତ୍ରାରେ ବହୁମୁଖୀ ପରିସଂଖ୍ୟାନ ବ୍ୟବହାର ଚଳଚ଼ିତ୍ରର କାହାଣୀ ରଚ଼ନାଠାରୁ ଆରମ୍ଭ କରି ପ୍ରେକ୍ଷାଳୟରେ ପ୍ରଦର୍ଶନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନସମ୍ମତ୍ତ ବାସ୍ତବାନୁଭୂତି ଉପଯୋଗର ଅବକାଶ ସୃଷ୍ଟି କରିବ ।

ଉଦାହରଣ ସ୍ୱରୂପ କେଉଁ ଧରଣର, କେଉଁଭଳି ଦୃଶ୍ୟ ସଂବଳିତ ତଥା କେଉଁ ଶୈଳୀର ସଂଳାପ ଦର୍ଶକମହଲରେ ଆଦୃତ ହୋଇପାରୁଛି ତାହାର ଟିକିନିଖି ଗବେଷଣାଜନିତ ବିବରଣୀ ପାଇପାରିବା ଦ୍ୱାରା ଚଳଚ଼ିତ୍ରର କାହାଣୀ, ଚ଼ିତ୍ରନାଟ୍ୟ ତଥା ସଂଳାପ ଲେଖକମାନେ ତଦ୍ଅନୁଯାୟୀ ଉତ୍ପାଦ ପ୍ରସ୍ତୁତ କରିପାରିବେ । ସେହିପରି କେଉଁ ସମୟରେ, କେଉଁଭଳି ପରିସ୍ଥିତିରେ ଚଳଚ଼ିତ୍ର ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରୁଛି ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ତଥ୍ୟ ପାଇପାରିବା ଫଳରେ ବ୍ୟବସାୟରେ ସଂପୃକ୍ତ କର୍ମଚ଼ାରୀମାନେ ଯଥାସଂଭବ ଅଧିକ ବ୍ୟବସାୟିକ ଲାଭ ହାସଲ ନିମନ୍ତେ ଋଣନୀତି ପ୍ରସ୍ତୁତ କରିପାରିବେ ।

‘ଡ଼ାଟା’ ବା ତଥ୍ୟ ଅଭାବରେ ସର୍ଜନଶୀଳତା ହେଉ ବା ବ୍ୟବସାୟ, ସବୁକ୍ଷେତ୍ରରେ ଅନୁମାନିକ ବା ‘ହାଇପୋଥିଟିକାଲ’ସ୍ତରରେ କାର୍ଯ୍ୟ ସମାହିତ ହୋଇଥାଏ । କିନ୍ତୁ ବାସ୍ତବତା ସଂପର୍କରେ ନିର୍ଭରଯୋଗ୍ୟ ତଥ୍ୟାବଳୀ ହାତପାଆନ୍ତାରେ ପାଇବା ଓ ତାହା ବିଚ଼ାରକୁ ନେଇ ଉତ୍ପାଦ ପ୍ରସ୍ତୁତି ଓ ପରିଚ଼ାଳନା ଦ୍ୱାରା ଉଭୟ କ୍ଷେତ୍ରରେ ଉତ୍କର୍ଷା ହାସଲ ସଂଭବପର ।

ଦ୍ୱିତୀୟତଃ ଚଳଚ଼ିତ୍ର ନିର୍ମାଣଜନିତ ପାରମ୍ପରିକ ଢ଼ାଞ୍ଚାରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ । ବିଭିନ୍ନ ପ୍ରାନ୍ତରେ ଚଳଚ଼ିତ୍ର ନିର୍ମାଣ ନିମନ୍ତେ ଦୀର୍ଘ କାଳ ଧରି ଏକକ ଶୈଳୀ ବ୍ୟବହୃତ ହୋଇ ଆସୁଥିବା ସ୍ଥଳେ ଭବିଷ୍ୟତରେ ବିବିଧତା ଆଶା କରାଯାଇପାରେ । ଯେପରିକି ଧରାବନ୍ଧା କାହାଣୀ ଚଳଚ଼ିତ୍ରର ସଫଳତା ନିମନ୍ତେ ଅପରିହାର୍ଯ୍ୟ ବୋଲି ମାନସିକତାରୁ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ କ୍ରମଶଃ ଓହରି ଆସୁଥିବା ବେଳେ ଭବିଷ୍ୟତରେ ତାହା ତୀବ୍ର ହୋଇପାରେ । କାହାଣୀ ଓ ଚ଼ରିତ୍ର ଚ଼ିତ୍ରଣରେ ସଂପ୍ରସାରିତ ଦୃଷ୍ଟିଭଙ୍ଗୀ ଚଳଚ଼ିତ୍ର ଉପଭୋଗରେ ନୂତନ ଦର୍ଶକୀୟ ଅନୁଭୂତି ଆଣିଦେବ ।

ଶାହରୁଖ ଖାନଙ୍କ ଉପପାଦ୍ୟରେ ପୂର୍ଣ୍ଣାଙ୍ଗ ବା ‘ଫିଚ଼ର’ଚଳଚ଼ିତ୍ରର ଦୈର୍ଘ୍ୟ କମିଆସିବ । ପ୍ରେକ୍ଷାଳୟରେ ଚଳଚ଼ିତ୍ର ପ୍ରଦର୍ଶନରେ ମଧ୍ୟାନ୍ତର ରହିବ ନାହିଁ । ପୂର୍ଣ୍ଣାଙ୍ଗ ଚଳଚ଼ିତ୍ର ହୁଏତ ଏକ ଘଣ୍ଟା ମଧ୍ୟରେ ଆବଦ୍ଧ ରହିବ । ଆଧୁନିକ ଜୀବନଯାତ୍ରାରେ କୌଣସି କାର୍ଯ୍ୟ ନିମନ୍ତେ ଦୀର୍ଘ ସମୟ ବିନିଯୋଗ ସମ୍ଭବପର ହୋଇପାରୁନଥିବା ତଥା ଦର୍ଶକମାନଙ୍କ ଧୈର୍ଯ୍ୟ ରହୁନଥିବା କାରଣରୁ କମ ସମୟ ପ୍ରଦର୍ଶନଯୋଗ୍ୟ ଚଳଚ଼ିତ୍ର ଲୋକପ୍ରିୟତା ହାସଲ କରିବ । ଅନ୍ୟପକ୍ଷରେ ମୋବାଇଲ ଫୋନ ପର୍ଦ୍ଦା କ୍ରମଶଃ ଚଳଚ଼ିତ୍ର ଉପଭୋଗର ମାଧ୍ୟମ ପାଲଟୁଥିବା ଅବସରରେ ଏଥିରେ ପ୍ରଦର୍ଶିତ କାର୍ଯ୍ୟକ୍ରମ ସୀମିତ ଅବଧିର ହେବା ବାଞ୍ଚନୀୟ ।

ତୃତୀୟରେ ଚଳଚ଼ିତ୍ର ନିର୍ମାଣଲାଗି ନିବେଶର ଧାରା ବଦଳିବା ଆଶା କରାଯାଇପାରେ । ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ବର୍ତ୍ତମାନ ସୃଜନ ରଚ଼ନା, ପତ୍ରିକା ପ୍ରକାଶନ, କ୍ଷୁଦ୍ର ଚଳଚ଼ିତ୍ର ନିର୍ମାଣ ନିମନ୍ତେ ସାମୂହିକ ପାଣ୍ଠି ସଂଗ୍ରହ ବା ‘କ୍ରାଉଡ଼ ସୋରର୍ସିଂ’ ଧାରା ପ୍ରବର୍ତ୍ତନ ପ୍ରସାର ଲାଭ କରୁଥିବାସ୍ଥଳେ ଭବିଷ୍ୟତରେ ତାହା ସମଗ୍ର ଚଳଚ଼ିତ୍ର ଶିଳ୍ପକୁ କବଳିତ କରିପାରେ । ଅର୍ଥାତ ବର୍ତ୍ତମାନ ଚଳଚ଼ିତ୍ର ନିର୍ମାଣକୁ ଏକ ବ୍ୟବସାୟରୂପେ ନିବେଶ ଓ ମୁନାଫା ସଂଗ୍ରହର ମାଧ୍ୟମ ଭାବେ ଗ୍ରହଣ କରାଯାଉଥିବା ସ୍ଥଳେ ‘କ୍ରାଉଡ଼ ସୋରର୍ସିଂ’ ଧାରାରେ ଏକ ନିର୍ଦ୍ଦିଷ୍ଟ ଢ଼ଙ୍ଗରେ ଚଳଚ଼ିତ୍ର ନିର୍ମାଣ ନିମନ୍ତେ ଅସଂଖ୍ୟ ଅନୁରାଗୀ ଅଳ୍ପ ଅଳ୍ପ ଅର୍ଥ ବିନିଯୋଗ କରିବେ ଏବଂ ଅନେକଙ୍କଠାରୁ ସଂଗୃହୀତ ଅର୍ଥ ଏକ ବୃହତ ପାଣ୍ଠିରେ ଏକତ୍ରୀତ ହୋଇ ଚଳଚ଼ିତ୍ର ନିର୍ମିତ ହେବ ।

ଏଥି ଯୋଗୁଁ ଦୁଇଗୋଟି ଲାଭ ହେବ । ଏକ ପକ୍ଷରେ ଏକ ନିର୍ଦ୍ଦିଷ୍ଟ ନିବେଶକ ବଦଳରେ ଅସଂଖ୍ୟ ନିବେଶକଙ୍କ ସଂପୃକ୍ତି କାରଣରୁ ବ୍ୟବସାୟିକ ପରିଧିରେ ଚଳଚ଼ିତ୍ର ନିର୍ମିତ ହେବା ଫଳରେ ଲେଖକ, ନିର୍ଦ୍ଦେଶକ, ଅଭିନେତା ଇତ୍ୟାଦି କଳାକାରଙ୍କୁ ଅଧିକରୁ ଅଧିକ ସର୍ଜନଶୀଳ ହେବା ନିମନ୍ତେ ପ୍ରଶସ୍ତ କ୍ଷେତ୍ର ସୃଷ୍ଟି ହେବ । ଅପରପକ୍ଷରେ ଗତାନୁଗତିକ ଧାରାରେ ଚଳଚ଼ିତ୍ର ନିର୍ମାଣ ଲାଗି ଅନୁରାଗୀମାନେ ଅର୍ଥ ପ୍ରଦାନ ନିମନ୍ତେ ପଛଘୁଞ୍ଚା ଦେଲେ ଆଉ ଅଧିକ ନିମ୍ନ ବର୍ଗର ଚଳଚ଼ିତ୍ର ନିର୍ମିତ ହୋଇପାରିବ ନାହିଁ । ଚଳଚ଼ିତ୍ର ଶିଳ୍ପରେ ସୁସ୍ଥ ପରମ୍ପରା ସୃଷ୍ଟିରେ ଏଭଳି ପରିବେଶ ଅନୁପୂରକଭାବେ କାର୍ଯ୍ୟ କରିବ ।

ଚ଼ତୁର୍ଥତଃ ଚଳଚ଼ିତ୍ର ନିର୍ମାଣ ଓ ପ୍ରଦର୍ଶନରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ, ଭାରଚୁଆଲ ରିଆଲିଟି ତଥା ଭିଜୁଆଲ ଏଫେକ୍ଟସ ଉପଯୋଗ ଫଳରେ ଚଳଚ଼ିତ୍ର ନିର୍ମାଣର ଧାରା ବଦଳିଯିବ । ବର୍ତ୍ତମାନ କେତେକ କ୍ଷେତ୍ରରେ ରୁପେଲି ପରଦାରେ ପ୍ରକୃତ ଅଭିନେତା ଓ ଭାରଚୁଆଲ ଅଭିନେତା ମଧ୍ୟରେ ବ୍ୟବଧାନ କମି ଆସୁଥିବା ସ୍ଥଳେ ଭବିଷ୍ୟତରେ ସେଭଳି କଳାକୈଶଳର ପ୍ରୟୋଗ ବଢ଼ିବ । ଫଳରେ ଚଳଚ଼ିତ୍ର ପ୍ରଦର୍ଶନ ଏକ ଅପ୍ରାକୃତିକ ପରିବେଶ ସୃଷ୍ଟିକରି ଦର୍ଶକୀୟ ଉତ୍କଣ୍ଠା ଉଦ୍ରେକର କାରଣ ପାଲଟିବ ।

ପଞ୍ଚମରେ ଆଜି ଯାଏଁ ଦର୍ଶକ ପ୍ରେକ୍ଷାଳୟରେ ପହଞ୍ଚି ନିର୍ଦ୍ଦିଷ୍ଟ ଚଳଚ଼ିତ୍ର ନିର୍ଦ୍ଧାରିତ ସମୟ ସୀମାରେ ଉପଭୋଗ କରୁଥିବା ସ୍ଥଳେ ଭବିଷ୍ୟତରେ ନିଜ ସୁବିଧାରେ ବିଭିନ୍ନ ସମୟରେ ନିଜ ରୁଚ଼ିର ଚଳଚ଼ିତ୍ର ଦେଖିବାର ସୁଯୋଗ ସୃଷ୍ଟି ହେବ । ଭିଡ଼ିଓ ଓ ମୋବାଇଲ ଠାରୁ ବଳି ଅଧିକ ବ୍ୟକ୍ତିଗତ ପ୍ରଦର୍ଶନ ବିକଳ୍ପ ଉପଲବ୍ଧ ହେବ । ସର୍ବୋପରି ଦର୍ଶକମାନେ ଭିଡ଼ିଓ ଗେମ ଭଳି ନିଜ ମନମୁତାବକ ଚଳଚ଼ିତ୍ରର କାହାଣୀ ବଦଳାଇ ପାରିବା ସୁଯୋଗ ମିଳିବ ଏବଂ ଚଳଚ଼ିତ୍ରର ପ୍ରଦର୍ଶନ ଏକ ସଂପୂର୍ଣ୍ଣ ପରିବର୍ତ୍ତିତ ଅନୁଭବରେ ପରିଣତ ହେବ ।

ଭାରତୀୟ ଚଳଚ଼ିତ୍ର ଶିଳ୍ପରେ ସମ୍ଭାବ୍ୟ ପରିବର୍ତ୍ତନଗୁଡ଼ିକ ସଂପର୍କରେ ଶାହାରୁଖ ଖାନଙ୍କ ପୂର୍ବଦୃଷ୍ଟି ମନୋରଞ୍ଜନ ଶିଳ୍ପରେ ସଂପୃକ୍ତ ବୃତ୍ତିଧାରୀଙ୍କ ନିମନ୍ତେ ଏକ ଚ଼େତାବନୀ । ପ୍ରଯୁକ୍ତି ବିଜ୍ଞାନ ସଂପର୍କରେ ସଚ଼େତନ ଗଣମାଧ୍ୟମ ତତ୍ତ୍ୱବିତମାନେ ଏଯାଏଁ ଏଭଳି ପରିବର୍ତ୍ତନ ସଂପର୍କରେ କହି ଆସୁଥିଲେ । କିନ୍ତୁ ବର୍ତ୍ତମାନ ବଲିଉଡ଼ର ଜଣେ ଚଳଚ଼ିତ୍ର ଅଭିନେତା ଓ ପ୍ରଯୋଜକ ସେଥିପ୍ରତି ସମର୍ଥନ ଜଣାଇବା ସାଧାରଣକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ।    

Related Post