ଆଜିର ଖାସ ଖବର
Sat. May 30th, 2026

ବଲିଉଡ଼ର ବୈଦେଶିକ ବଜାର

By Dainikasha Jul11,2024

ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ‘ବଲିଉଡ଼’ର ହିନ୍ଦୀ ଚଳଚ଼ିତ୍ର କ୍ରମଶଃ ବୈଦେଶିକ ବଜାର ସୃଷ୍ଟି କରିବାରେ ସମର୍ଥ ହୋଇପାରିଛି । ‘ହଲିଉଡ଼’ର ଇଂଲିଶ ଚଳଚ଼ିତ୍ର ସମଗ୍ର ବିଶ୍ୱରେ ପ୍ରଦର୍ଶିତ ହେଉଥିବା ସ୍ଥଳେ ‘ବଲିଉଡ଼’ ଚଳଚ଼ିତ୍ର ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା ଓ ମଧ୍ୟ-ଏସିଆର କେତେକ ରାଷ୍ଟ୍ରରେ ହିନ୍ଦୀ ଚଳଚ଼ିତ୍ର ପ୍ରଦର୍ଶନ ନିମନ୍ତେ ବ୍ୟବସାୟିକ ଭିତ୍ତିଭୂମି ପ୍ରତିଷ୍ଠା କରିପାରିଛି । ବୈଦେଶିକ ବଜାରରେ ସଫଳତା ଲାଭ କରିଥିବା କେତେକ ହିନ୍ଦୀ ଚଳଚ଼ିତ୍ର ଭାରତରେ ଯେତିକି ଆୟ କରିଛି ବିଦେଶରେ ତାହାଠାରୁ ଢ଼େର ଅଧିକ ଆୟ କରିଥିବା ହିସାବ କରାଯାଉଛି ।

ବୈଦେଶିକ ବଜାରରେ ହିଟ ହୋଇଥିବା ହିନ୍ଦୀ ଚଳଚ଼ିତ୍ର ମଧ୍ୟରେ ‘ଦଙ୍ଗଲ’ର ଉଦାହରଣ ଶୀର୍ଷସ୍ଥାନ ଅଧିକାର କରିଥାଏ ।‘ଦଙ୍ଗଲ’ର ଭାରତୀୟ ବଜାରରେ ଆୟପ୍ରାୟ ୫୫୦ କୋଟି ଟଙ୍କା ହୋଇଥିବା ସ୍ଥଳେ ଭାରତ ସମେତ ବୈଦେଶିକ ବଜାରରୁ ସମୁଦାୟ ପ୍ରାୟ ୨୦୧୫ କୋଟି ଟଙ୍କା ଆୟ କରିଥିଲା। ସେହିପରି ‘ବଜରଙ୍ଗୀ ଭାଇଜାନ’ ଭାରତୀୟ ବଜାରରେ ପ୍ରାୟ ୩୧୫ କୋଟି ଟଙ୍କା ପାଇଥିବା ସ୍ଥଳେ ଭାରତ ସମେତ ବୈଦେଶିକ ବଜାରରୁ ସମୁଦାୟ ପ୍ରାୟ ୭୫୬ କୋଟି ଟଙ୍କା ଆୟ କରିଥିଲା ।

ଭାରତୀୟ ଉଚ୍ଚଶିକ୍ଷା କ୍ଷେତ୍ରରେ ସମସ୍ୟା ଉପରେ ଆଧାରିତ ୨୦୦୯ରେ ନିର୍ମିତ ‘ଥ୍ରୀ ଇଡ଼ିୟଟସ’ ୨୦୧୧ରେ ତାଇୱାନରେ ପ୍ରଦର୍ଶିତ ହୋଇ ସଫଳତା ହାସଲ କରିବାପରେ ହଂଙ୍ଗକଙ୍ଗ ଓ ଚ଼ୀନରେ ମଧ୍ୟ ଭଲ ବ୍ୟବସାୟ କରିଥିଲା । ହିନ୍ଦୀ ଚଳଚ଼ିତ୍ର ଭାରତ ବାହାରେ ଭଲ ବ୍ୟବସାୟ କରିବାରେ ‘ଥ୍ରୀ ଇଡ଼ିୟଟସ’ ହିଁ ନୂତନ ଧାରା ସୂତ୍ରପାତ କରାଇଥିଲା । ଭାରତରେ ନିରୁଦ୍ଦିଷ୍ଟ ଜଣେ ପାକିସ୍ଥାନୀ ବାଳିକାର କାହାଣୀ ଉପରେ ଆଧାରିତ ୨୦୧୫ରେ ନିର୍ମିତ ‘ବଜରଙ୍ଗୀ ଭାଇଜାନ’ ମୁଖ୍ୟତଃ ଚ଼ୀନରେ ହିଟ ଚଳଚ଼ିତ୍ର ଭାବେ ବିବେଚ଼ିତ ହୋଇଥିଲା । ତେବେ ଦୁଇଜଣ କନ୍ୟାଙ୍କୁ କୁସ୍ତି ବିଶାରଦଭାବେ ଗଢ଼ିବା କାହାଣୀ ଉପରେ ଆଧାରିତ ୨୦୧୬ରେ ନିର୍ମିତ ‘ଦଙ୍ଗଲ’ ଭାରତରେ ପ୍ରାୟ ୫୫୦ କୋଟି ଟଙ୍କା ଆଦାୟ କରିଥିବାବେଳେ ଚ଼ୀନ ବଜାରରେ ପ୍ରାୟ ୧୨୫୫ କୋଟି ଟଙ୍କା ବ୍ୟବସାୟ କରିଥିଲା ।

ଚ଼ୀନରେ ବଲିଉଡ଼ ଚଳଚ଼ିତ୍ରର ଲୋକପ୍ରିୟତା ବୃଦ୍ଧିର କେତେଗୋଟି କାରଣ ବନିତା କୋହଲି- ଖଣ୍ଡେକରଙ୍କ ଭଳି ଗଣମାଧ୍ୟମ ସମୀକ୍ଷକମାନେ ଚ଼ିହ୍ନଟ କରୁଛନ୍ତି । ମୁଖ୍ୟତଃ ଚଳିତ ଦଶନ୍ଧିରେ ଚ଼ୀନରେ ପରିବର୍ତ୍ତିତ ସରକାରୀ ନୀତି ଅନୁଯାୟୀ ପୁରପଲ୍ଲୀରେ ବିପୁଳ ସଂଖ୍ୟକ ପ୍ରେକ୍ଷାଳୟ ଖୋଲିଛି । ୨୦୧୧ରେ ସେଠାରେ ମାତ୍ର ୯ ହଜାର ଚଳଚ଼ିତ୍ର ପ୍ରେକ୍ଷାଳୟ ଥିବାବେଳେ ୨୦୧୮ ବେଳକୁ ପଚ଼ାଶ ହଜାରକୁ ବୃଦ୍ଧି ପାଇଛି । ଅଧିକ ସଂଖ୍ୟକ ପ୍ରେକ୍ଷାଳୟ କାରଣରୁ ଅଧିକ ସଂଖ୍ୟକ ଦର୍ଶକ ବକ୍ସ ଅଫିସରେ ଟିକଟ କିଣୁଥିବା ହେତୁ ପ୍ରଦର୍ଶନଜନିତ ଆୟ ବଢ଼ିବାରେ ଲାଗିଛି । ବଲିଉଡ଼ ଚଳଚ଼ିତ୍ରଗୁଡ଼ିକ ଏଥିରୁ ଫାଇଦା ନେଉଛନ୍ତି । ଏହାଛଡ଼ା ଚ଼ୀନ ଭାରତର ପଡ଼ୋଶୀ ରାଷ୍ଟ୍ର ହୋଇଥିବା ଯୋଗୁଁ ସାଂସ୍କୃତିକ ସାମ୍ୟତା ବଲିଉଡ଼ ଚଳଚ଼ିତ୍ର ଚ଼ୀନ ଦର୍ଶକମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରୁଛି । ସର୍ବୋପରି ହଲିଉଡ଼ ପଛକୁ ବଲିଉଡ଼ ଚଳଚ଼ିତ୍ର ନିର୍ମାଣରେ ଉତ୍କର୍ଷତା ପ୍ରତିପାଦିତ କରୁଥିବା ହେତୁ ହିନ୍ଦୀ ଚଳଚ଼ିତ୍ରଗୁଡ଼ିକ ବିଶ୍ୱବ୍ୟାପୀ ସ୍ୱୀକୃତି ହାସଲ କରିପାରୁଥିବା ଲକ୍ଷ୍ୟ କରାଯାଇପାରେ।

କୁହାଯାଉଛି ଯେ ଚ଼ୀନରେ ହଲିଉଡ଼ର ‘ଦି ଫାଷ୍ଟ ଏଣ୍ଡ ଫ୍ୟୁରିୟସ’ ଏବଂ ‘ଟ୍ରାନ୍ସଫରମରର୍ସ : ଦି ଲାଷ୍ଟ ନାଇଟ’ ଭଳି ହିଟ ଚଳଚ଼ିତ୍ର ତୁଳନାରେ ‘ଦଙ୍ଗଲ’ ବକ୍ସ ଅଫିସରେ ଅଧିକ ଆୟ କରିଥିଲା । ସେହିପରି ଭାରତରେ ପ୍ରାୟତଃ ଅନାଲୋଚ଼ିତ ‘ସିକ୍ରେଟ ସୁପରଷ୍ଟାର’ ଭଳି ଚଳଚ଼ିତ୍ର ‘ଷ୍ଟାର ୱାରସ : ଦି ଲାଷ୍ଟ ଜେଦି’ଠାରୁ ଭଲ ବ୍ୟବସାୟ କରିଛି ।‘ସିକ୍ରେଟ ସୁପରଷ୍ଟାର’ର କାହାଣୀ ଜଣେ ୧୪ ବର୍ଷୀୟ ବାଳିକାର ଜୀବନଯାତ୍ରାକୁ ନେଇ ଗଢ଼ି ଉଠିଛି । ଜଣେ ଗାୟିକା ହେବାପାଇଁ ସେ କିପରି ବିଭିନ୍ନ ସୋପାନ ଦେଇ ଗତି କରୁଛି ତାହାହିଁ ଚଳଚ଼ିତ୍ରର ବିଷୟବସ୍ତୁ ।

ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଭାରତରେ ମଲ୍ଟିପ୍ଳେକ୍ସ ଚଳଚ଼ିତ୍ର ପ୍ରେକ୍ଷାଳୟର ସଂଖ୍ୟା ବୃଦ୍ଧି ବଲିଉଡ଼ ଚଳଚ଼ିତ୍ରକୁ ପ୍ରଭାବିତ କରିଥିବା ସ୍ଥଳେ ଦ୍ୱିତୀୟ ଦଶକରେ ବୈଦେଶିକ ବଜାର ସୃଷ୍ଟି ଚଳଚ଼ିତ୍ର ନିର୍ମାଣ ଶୈଳୀରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସୂତ୍ରପାତ କରାଇବାରେ ସମର୍ଥ ହୋଇଥିବା ଲକ୍ଷ୍ୟ କରାଯାଇପାରେ । ଅପେକ୍ଷାକୃତ ଶିକ୍ଷିତ, କଳାପ୍ରିୟ ଓ ସଂସ୍କୃତିସମ୍ପନ୍ନ ଦର୍ଶକମଣ୍ଡଳୀଙ୍କ ରୁଚ଼ିକୁ ସୁହାଇବା ଭଳି ଚଳଚ଼ିତ୍ର ନିର୍ମାଣ କାଳରେ କାହାଣୀ, ଚରିତ୍ରଚ଼ିତ୍ରଣ, ଫୋଟଗ୍ରାଫି, ସମ୍ପାଦନା ଇତ୍ୟାଦି କ୍ଷେତ୍ରରେ ଉତ୍କର୍ଷତା ପ୍ରତି ଗୁରୁତ୍ୱରୋପ କରାଯାଉଛି । ମୋଟ ଉପରେ ବଲିଉଡ଼ ଚଳଚ଼ିତ୍ରର ମାନ ବଢ଼ିବାରେ ଲାଗିଛି ।

ଜଗତୀକରଣ ପ୍ରଭାବରେ ଆନ୍ତର୍ଜାତିକସ୍ତରରେ ବିଭିନ୍ନ ପ୍ରାନ୍ତର ଚଳଚ଼ିତ୍ର କ୍ରମଶଃ ଅନ୍ୟାନ୍ୟ ଅଞ୍ଚଳର ଦର୍ଶକ ମହଲରେ ଲୋକପ୍ରିୟ ହୋଇପାରୁଥିବା ଲକ୍ଷ୍ୟ କରାଯାଇପାରେ । ଇଣ୍ଟରନେଟ ମଞ୍ଚରେ ଦେଶବିଦେଶର ଚଳଚ଼ିତ୍ର ସହଜରେ ଦର୍ଶକମାନେ ଉପଭୋଗ କରିପାରିବା ସୁଯୋଗ ଉପଲବ୍ଧ । ଚଳଚ଼ିତ୍ରଗୁଡ଼ିକରେ ସବ୍-ଟାଇଟଲ ବ୍ୟବହାର ବୃଦ୍ଧି ପାଇବା ଫଳରେ ବିଭିନ୍ନ ପ୍ରାନ୍ତର ଦର୍ଶକ ବିଭିନ୍ନ ଭାଷାଭାଷୀ ଚଳଚ଼ିତ୍ରଗୁଡ଼ିକର ସଂଳାପ ସହଜରେ ବୁଝିପାରିବାରୁ ବିଦେଶୀ ଚଳଚ଼ିତ୍ର ପ୍ରତି ଆକୃଷ୍ଟ ହେଉଛନ୍ତି ।

ମୋବାଇଲ ଫୋନ ପରଦାରେ ଚଳଚ଼ିତ୍ର ଉପଭୋଗ ଧାରା ବିଶ୍ୱବ୍ୟାପୀ ଲୋକପ୍ରିୟ ହୋଇଚ଼ାଲିଥିବା ଅବସରରେ ଚଳଚ଼ିତ୍ର ନିର୍ମାଣ ଓ ପ୍ରଦର୍ଶନରେ ଏକ ନୂତନ ସମୀକରଣ ସୃଷ୍ଟି ଆଶା କରାଯାଇପାରେ । ଏଭଳି ପରିବେଶ ମୁଖ୍ୟତଃ ପାରମ୍ପରିକ ଚଳଚ଼ିତ୍ର ନିର୍ମାଣ ଧାରାର ଏକ ବିକଳ୍ପ ସୃଷ୍ଟି କରିପାରେ । ନିର୍ମାତା ଓ ନିର୍ଦ୍ଦେଶକମାନେ ଅଧିକରୁ ଅଧିକ ଅନୋଲୋଚ଼ିତ ବିଷୟବସ୍ତୁ ଉପରେ ଆଧାରିତ ଚଳଚ଼ିତ୍ର ନିର୍ମାଣ କରିବେ ଏବଂ ସୁପରିଚ଼ିତ ଅଭିନେତାଙ୍କ ବଦଳରେ ନବାଗତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ । ସେହିପରି ଚଳଚ଼ିତ୍ର ଅବଧି କମିଯାଇପାରେ । ପ୍ରେକ୍ଷାଳୟରେ ପ୍ରଦର୍ଶିତ ଚଳଚ଼ିତ୍ରର ଏକ ବିକଳ୍ପ ବଜାର ସୃଷ୍ଟି ଚଳଚ଼ିତ୍ର ଶିଳ୍ପରେ ଏକ ନୂତନ ପରିବେଶ ପ୍ରବର୍ତ୍ତନ କରିପାରେ ।

ବଲିଉଡ଼ ଚଳଚ଼ିତ୍ରର ବୈଦେଶିକ ବଜାର ସୃଷ୍ଟି ପ୍ରକାରନ୍ତେ ଭାରତୀୟ ଆଞ୍ଚଳିକ ଭାଷାର ଚଳଚ଼ିତ୍ରଗୁଡ଼ିକ ନିମନ୍ତେ ବୈଦେଶିକ ବ୍ୟବସାୟ ନିମନ୍ତେ ସମ୍ଭାବନାର ଦ୍ୱାର ଖୋଲିଦେଇଛି ବୋଲି କୁହାଯାଇପାରେ । ଯେକୌଣସି ଭାଷାରେ ନିର୍ମିତ ଚଳଚ଼ିତ୍ର ଯଦି ଦର୍ଶକଙ୍କ ଭାବାବେଗକୁ ସ୍ୱର୍ଶ କରିପାରିବ ତେବେ ତାହାର ଲୋକପ୍ରିୟତା ଆଶା କରାଯାଇପାରେ ।‘ବାହୁବଳୀ’ ଓ ‘ବାହୁବଳୀ ୨’ ଭଳି ମୂଳ ତେଲୁଗୁ ଭାଷାରେ ନିର୍ମିତ ଚଳଚ଼ିତ୍ର ବୈଦେଶିକ ବଜାର ନିମନ୍ତେ ପ୍ରସ୍ତୁତ ହେଉଥିବା ଜଣାଯାଏ । ସାମଗ୍ରିକଭାବେ ଦୀର୍ଘବର୍ଷ ପରେ ଭାରତୀୟ ଚଳଚ଼ିତ୍ର ବିଶ୍ୱ ଦରବାରରେ କର୍ତ୍ତୃତ୍ୱ ଜାହିର କରିବା ନିମନ୍ତେ ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ ।

Related Post