ଆମ ଦେଶରେ ଭାରତୀୟ ପ୍ରେସ ପରିଷଦ ‘ଇଣ୍ଡିଆନ ପ୍ରେସ କାଉନସିଲ’ ପ୍ରତିଷ୍ଠା ଦିବସ ୧୬ ନଭେମ୍ୱରକୁ ଜାତୀୟ ପ୍ରେସ ଦିବସ ‘ନ୍ୟାସନାଲ ପ୍ରେସ ଡ଼େ’ ଭାବେ ପାଳନ କରାଯାଏ । ଭାରତୀୟ ପ୍ରେସ ପରିଷଦ ଏକ ବୈଧାନିକ ପ୍ରତିଷ୍ଠାନ, ସ୍ୱତନ୍ତ୍ର ଆଇନ ଅନୁଯାୟୀ ପରିଚାଳିତ ଓ ସଂସଦ ଦ୍ୱାରା ଗଠିତ । ପ୍ରଥମ ପରିଷଦ ୧୯୬୬ ନଭେମ୍ୱର ୧୬ ତାରିଖ ଦିନ ଗଠନ କରାଯାଇଥିଲା । ସେହି ଦିବସ ‘ଜାତୀୟ ପ୍ରେସ ଦିବସ’ ରୂପେ ପାଳିତ ହୋଇଥାଏ । ଭାରତୀୟ ପ୍ରେସ ପରିଷଦ ପକ୍ଷରୁ ୧୯୯୭ରୁ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ସାମ୍ୱାଦିକତାର ଦିଗ-ଦିଗନ୍ତ ସଂପର୍କରେ ଆଲୋଚ଼ନାଚକ୍ରମାନ ଆୟୋଜନ କରାଯାଇଆସୁଛି ।
ପ୍ରେସ କାଉନସିଲ ଆଇନ ୧୯୬୬ରେ ପ୍ରଣୟନ ବେଳେ ଦେଶରେ ମୁଦ୍ରିତ ଗଣମାଧ୍ୟମ ଏକ ମାତ୍ର ପ୍ରଭାବଶାଳୀ ଗଣମାଧ୍ୟମ ରୂପେ ବିବେଚ଼ିତ ହେଉଥିଲା । ରେଡ଼ିଓ ସରକାରୀ ପରିଚାଳନାଧୀନ ରହିଥିଲା । ପୂର୍ବରୁ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସମ୍ୱାଦପତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏବଂ ଇଂଲିଶ ସରକାର ପରାଧୀନ ଭାରତରେ ସମ୍ୱାଦପତ୍ର ଓ ସାମ୍ୱାଦିକତାର କଣ୍ଠରୋଧ ନିମନ୍ତେ କ୍ରମାଗତ ଆଠ ଦଶନ୍ଧିଧରି ଉଦ୍ୟମ କରିଆସିଥିଲେ । ଦେଶ ସ୍ୱାଧୀନ ହେବା ପରେ ଭାରତୀୟ ସାମ୍ୱାଦିକତାର ସ୍ୱାଧୀନତା ସୁରକ୍ଷା ଓ ଗୁଣାତ୍ମକ ବିକାଶ ପର୍ଯ୍ୟାଲୋଚ଼ନା କରିବା ନିମନ୍ତେ ପ୍ରଥମ ପ୍ରେସ କମିସନ ଗଠନ କରାଯାଇଥିଲା । ପ୍ରଥମ ପ୍ରେସ କମିସନର ପରାମର୍ଶ କ୍ରମେ ଭାରତୀୟ ପ୍ରେସ ପରିଷଦ ଆଇନ ପ୍ରଣୀତ ହୋଇ ପ୍ରଥମ ପରିଷଦ ଗଠିତ ହୋଇଥିଲା । ଏହି କାରଣରୁ ଭାରତୀୟ ପ୍ରେସ ପରିଷଦର କାର୍ଯ୍ୟ ପରିସର କେବଳ ମୁଦ୍ରିତ ଗଣମାଧ୍ୟମ ମଧ୍ୟରେ ସୀମିତ ହୋଇରହିଛି ।
ପରବର୍ତ୍ତୀ ସମୟରେ ଜରୁରୀକାଳୀନ ପରିସ୍ଥିତି ପରେ ୧୯୭୮ରେ ୧୯୬୬ର ଭାରତୀୟ ପ୍ରେସ ପରିଷଦ ଆଇନ ପ୍ରତ୍ୟାହାର କରାଯାଇ ନୂତନ ଆଇନ ପ୍ରଣୟନ କରାଯାଇଥିଲା । ତେବେ ଦେଶରେ ୧୯୮୨ ପରେ ଟେଲିଭିଜନ ଏବଂ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଡ଼ିଜିଟାଲ ମିଡ଼ିଆ ପ୍ରସାର ଲାଭ କରିଥିବା ହେତୁ ଏଗୁଡ଼ିକ ଭାରତୀୟ ପ୍ରେସ ପରିଷଦ ପରିସରଭୁକ୍ତ ହୋଇପାରିନାହିଁ । ବିଂଶ ଶତାଦ୍ଦୀ ଶେଷ ସୁଦ୍ଧା ‘ପ୍ରେସ’ କହିଲେ ‘ଗଣମାଧ୍ୟମ’ ଓ ‘ସାମ୍ୱାଦିକତା’କୁ ବୁଝାଉଥିଲା । କିନ୍ତୁ ବିଂଶ ଶତାଦ୍ଦୀ ଶେଷ ଦଶକରେ ଘରୋଇ ସାଟେଲାଇନ ଟେଲିଭିଜନର ପ୍ରସାର, ଏକବିଂଶ ଶତାଦ୍ଦୀର ପ୍ରଥମ ଦଶକରେ ଡ଼ିଜିଟାଲ ମିଡ଼ିଆ ଓ ଦ୍ୱିତୀୟ ଦଶକରେ ସୋସିଆଲ ମିଡିଆର ପ୍ରସାର ଗଣମାଧ୍ୟମର ସ୍ୱରୂପକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଛି । ତଥାପି ‘ଜାତୀୟ ପ୍ରେସ ଦିବସ’ ପାଳନ ଅବସରରେ ରାଷ୍ଟ୍ରବ୍ୟାପୀ ଗଣମାଧ୍ୟମରେ ସଂପୃକ୍ତ ବ୍ୟକ୍ତିବିଶେଷ ‘ସାମ୍ୱାଦିକତା’ର ଆହ୍ୱାନ ସଂପର୍କରେ ଆଲୋଚ଼ନା କରିଥାନ୍ତି ।
ଜାତୀୟ ପ୍ରେସ ଦିବସ ୨୦୨୨ ପାଳନ ବେଳକୁ ଭାରତ ସମେତ ବିଶ୍ୱବ୍ୟାପୀ ସାମ୍ୱାଦିକତା ସଂକଟର ସମ୍ମୁଖୀନ । ମୁଦ୍ରଣ ଯନ୍ତ୍ର ପଞ୍ଚଦଶ ଶତାଦ୍ଦୀ ମଧ୍ୟଭାଗରେ ଉଦ୍ଭାବିତ ହେବା ଦୁଇ ଶହ ବର୍ଷ ପରେ ବିଧିବଦ୍ଧ ମୁଦ୍ରିତ ସମ୍ୱାଦପତ୍ର ପାଶ୍ଚାତ୍ୟ ଭୂଖଣ୍ଡରେ ବିକଶିତ ହୋଇଥିଲା । ଅପରପକ୍ଷେ ଭାରତରେ ସର୍ବସାଧାରଣଙ୍କୁ ୧୯୯୫ରେ ଇଣ୍ଟରନେଟ ସେବା ଉପଲବ୍ଧ ହୋଇଥିବା ଏବଂ ୨୦୦୫ରେ ପ୍ରଥମ ସୋସିଆଲ ମିଡ଼ିଆ ‘ଅର୍କୁଟ’ ପ୍ରଚଳନର ମାତ୍ର ପନ୍ଦର ସତର ବର୍ଷ ମଧ୍ୟରେ ୨୦୨୨ ସୁଦ୍ଧା ସମ୍ୱାଦ ସରବରାହରେ ଡ଼ିଜିଟାଲ ମିଡ଼ିଆ ପ୍ରାଥମିକତା ଦାବୀ କରୁଛି । ପରିବର୍ତ୍ତିତ ପରିବେଶରେ ‘ଗଣମାଧ୍ୟମ’ ମୂଳସ୍ରୋତ ଗଣମାଧ୍ୟମ, ବିକଳ୍ପ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମକୁ ସୂଚ଼ିତ କରୁଛି । ସେହିପରି ‘ସାମ୍ୱାଦିକତା’ ବୃତ୍ତିଧାରୀ, ମୁକ୍ତବୃତ୍ତି ଓ ନାଗରିକ ସାମ୍ୱାଦିକଙ୍କ ସୃଜନକୁ ବୁଝାଉଛି । ଡ଼ିଜିଟାଲ ମଞ୍ଚର ପ୍ରସାରପରେ ସାମ୍ୱାଦିକତା ଭୌଗଳିକ ସୀମାପାର କରିଥିବା ସ୍ଥଳେ ସର୍ବତ୍ର ଗଣମାଧ୍ୟମ ଇତିହାସରେ ପ୍ରଥମଥର ପାଇଁ ଉପଭୋକ୍ତାମାନେ ଦୈନିକଭିତ୍ତିରେ ଦୀର୍ଘ ସମୟଧରି ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଉପସ୍ଥିତ ରହୁଛନ୍ତି । ଏହି ପରିବେଶରେ ‘ସାମ୍ୱାଦିକତା’ ସଂପର୍କରେ ଆଲୋଚ଼ନା କରିବାବେଳେ କେତେଗୋଟି ସମସ୍ୟା ଦୃଷ୍ଟି ଆକର୍ଷଣ କରିଥାଏ ।
ଆନ୍ତର୍ଜାତିକସ୍ତରରେ ୨୦୨୨ରେ ବିଶ୍ୱବ୍ୟାପୀ ସମ୍ୱାଦ ମଞ୍ଚଗୁଡ଼ିକ ନିମନ୍ତେ ଉପଭୋକ୍ତାଙ୍କ ସମ୍ୱାଦ ବିମୁଖ ମନୋବୃତ୍ତି ‘ନିଉଜ ଆଭଏଡ଼େନ୍ସ’ ମୁଖ୍ୟ ସମସ୍ୟା । ଭାରତ ତଥା ଓଡ଼ଶା ମଧ୍ୟ ସେହି ସମସ୍ୟାରେ ଜର୍ଜରିତ । ମୁଦ୍ରିତ ସମ୍ୱାଦ ମଞ୍ଚ ତୁଳନାରେ ଡ଼ିଜିଟାଲ ସମ୍ୱାଦ ମଞ୍ଚରେ ଏହି ସମସ୍ୟା ତୀବ୍ର । କୁହାଯାଉଛି ଯେ ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକର ଦୁର୍ବଳ ବ୍ୟାବସାୟିକ ସ୍ଥିତି ଓ ଉଦ୍ଦେଶ୍ୟପ୍ରଣୋଦିତ ମାଲିକାନା ହେତୁ ସମ୍ୱାଦ ପରିବେଷଣ ମାନର ଅବକ୍ଷୟ ଅନ୍ତତଃପକ୍ଷେ ଜଗତୀକରଣ ପରଠାରୁ ତିନି ଦଶନ୍ଧି ଧରି ଲାଗି ରହିଥିଲା ଏବଂ କରୋନା ଭୂତାଣୁଜନିତ ମହାମାରୀ କାଳରେ ବିଭିନ୍ନ କାରଣରୁ ସାଙ୍ଘାତିକ ଅବସ୍ଥାରେ ପହଞ୍ଚିଥିଲା । ମହାମାରୀ-ପର ଅବସ୍ଥାରେ ପୁନରୁଦ୍ଧାରର ଯେଉଁ ଆଶା ପୋଷଣ କରାଯାଉଥିଲା ତାହା କ୍ରମଶଃ ମଳିନ ହେବାରେ ଲାଗିଛି । ପାରମ୍ପରିକ ସାମ୍ୱାଦିକତାକୁ ନୂଆ ବ୍ୟାବସାୟିକ ମଡ଼େଲ ଅବଲମ୍ୱନର ସମୟ ଉପନୀତ ବୋଲି ବିଚାର କରାଯାଉଛି । ମହାମାରୀକାଳରେ ସମ୍ୱାଦ ପ୍ରସାରଣରେ ସୋସିଆଲ ମିଡ଼ିଆର ବିକାଶରେ ଯେଉଁ ଝଲକ ଦେଖିବାକୁ ମିଳିଥିଲା ତାହା ବ୍ୟାବସାୟିକ କ୍ଷତି କାରଣରୁ ୨୦୨୨ ନଭେମ୍ୱର ପ୍ରଥମାର୍ଦ୍ଧରେ ଟୁଇଟର ଓ ଫେସବୁକର କର୍ମଚାରୀ ଛଟେଇ ଉଦାହରଣ ବିପରୀତ ଚ଼ିତ୍ର ପ୍ରମାଣିତ କରୁଛି ।
ଦ୍ୱିତୀୟତଃ, ସମ୍ୱାଦମଞ୍ଚଗୁଡ଼ିକର ବିଶ୍ୱସନୀୟତା ‘ପବ୍ଳିକ ଟ୍ରଷ୍ଟ’ ହ୍ରାସ ବିଶ୍ୱବ୍ୟାପୀ ସାମ୍ୱାଦିକତାକୁ ଭରାକ୍ରାନ୍ତ କରିଛି । ବୃତ୍ତିଧାରୀଙ୍କ ଅନୁପସ୍ଥିତି ଓ ସମ୍ପାଦନା ଅଭାବରୁ ସାମାଜିକ ଗଣମାଧ୍ୟମରେ ଅସତ୍ୟ ସମ୍ୱାଦ ସରବରାହ ଏକ ଅମୀମାଂସିତ ସମସ୍ୟା । କିନ୍ତୁ ପାରମ୍ପରିକ ସମ୍ୱାଦମଞ୍ଚଗୁଡ଼ିକ ଅସତ୍ୟ, ଅତିରଞ୍ଜିତ, ଉଦ୍ଦେଶ୍ୟ-ପ୍ରଣୋଦିତ, ଗୁଜବ ପ୍ରସାରରେ ସାମ୍ୱାଦିକତାର ମୌଳିକ ଧର୍ମକୁ ଅଣଦେଖା କରିବା ଦୁଃଭାଗ୍ୟଜନକ । ଏହାର ଦୀର୍ଘକାଳୀନ ପ୍ରଭାବ ସଂପୃକ୍ତ ସମ୍ୱାଦ ମଞ୍ଚଗୁଡ଼ିକ ବ୍ୟାବସାୟିକ ଧାରାରେ ସନ୍ତୁଳନ ରକ୍ଷା କରିବାରେ ଯେ ପ୍ରତିବନ୍ଧକ ସାଜିବ ଏଥିରେ ସନ୍ଦେହ ନାହିଁ । ସମ୍ୱାଦ ଉତ୍ପାଦର ଗ୍ରାହକ ଯଦି ସମ୍ୱାଦ ବିମୁଖ ଓ ବିଶ୍ୱାସ ହରାଏ, ତେବେ ସମ୍ୱାଦପତ୍ର ଯେ ଦୀର୍ଘକାଳ ତିଷ୍ଠି ପାରି ନାହିଁ ଏହାର ପ୍ରମାଣ ସାମ୍ୱାଦିକତା ଇତିହାସପୃଷ୍ଠାରେ ପ୍ରମାଣିତ ।
ତୃତୀୟତଃ, ସମ୍ୱାଦମଞ୍ଚଗୁଡ଼ିକରେ ପରିଦୃଷ୍ଟ ପକ୍ଷପାତିତା ବା ଧ୍ରୁବଣ ‘ପୋଲାରାଇଜେସନ’ ଅନ୍ୟତମ ଗୁରୁତର ସମସ୍ୟା । ଉପଭୋକ୍ତା ସମ୍ୱାଦ ଜାଣିବା ନିମନ୍ତେ ସମ୍ୱାଦ ମଞ୍ଚରେ ପହଞ୍ଚେ । ଯଦି ତାହାକୁ ସମ୍ୱାଦ ବଦଳରେ ବିସମ୍ୱାଦ ଯୋଗାଇଦିଆଯାଏ, ବିବିଧତା ମିଳେନାହିଁ; ତେବେ ନୀରବରେ ସେ ସମ୍ୱାଦ ମଞ୍ଚରୁ ଅପସରିଯିବା ସୁନିଶ୍ଚିତ । ‘ଅକ୍ସଫୋର୍ଡ’ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ‘ଡ଼ିଜିଟାଲ ନିଉଜ ରିପୋର୍ଟ ୨୦୨୨’ରେ କୁହାଯାଇଥିଲା ଯେ ସମ୍ୱାଦମଞ୍ଚଗୁଡ଼ିକରେ ମାତ୍ରାଧିକ ରାଜନୀତିକ ବିଷୟବସ୍ତୁ ପ୍ରକାଶିତ ହେଉଥିବା, ସମ୍ୱାଦର ବିଷୟବସ୍ତୁ ମାନସିକସ୍ତରରେ ନକାରାତ୍ମକ ପ୍ରଭାବ ପକାଉଥିବା, ସମ୍ୱାଦ ସଂସ୍ପର୍ଶରେ ଆସି ଯୁକ୍ତିତର୍କର ସାମ୍ନା ନିମନ୍ତେ ପସନ୍ଦ କରୁନଥିବା ଓ ପ୍ରକାଶିତ ସମ୍ୱାଦଗୁଡ଼ିକ ଉପଭୋକ୍ତାଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ଆସୁନଥିବା ଇତ୍ୟାଦି ଅଭିଯୋଗ ସମ୍ୱାଦ ବିମୁଖ ପରିବେଶ ସୃଷ୍ଟି କରିଥାଏ ।
ଜାତୀୟ ପ୍ରେସ ଦିବସରେ ସମକାଳୀନ ମୁଦ୍ରିତ ସମ୍ୱାଦପତ୍ରର ସ୍ଥିତାବସ୍ଥା ସଂପର୍କରେ ବିଚାର କଲେ ଆମ ଓଡିଶାରେ ମୁଦ୍ରିତ ସମ୍ୱାଦପତ୍ରର ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଲା ସମ୍ୱାଦପତ୍ର କିଏ ଗ୍ରାହକ ଚାନ୍ଦା ଦେଇ କିଣୁଛି ଓ ପଢୁଛି ତାହା ପ୍ରକାଶକ ଆକଳନ କରିପାରୁ ନାହିଁ । ସମ୍ୱାଦପତ୍ର ସମାଜର ସର୍ବନିମ୍ନସ୍ତରରେ ପହୁଞ୍ଚାଇବା ଉଦ୍ଦେଶ୍ୟ ମହତ୍ତ୍ୱପୂର୍ଣ୍ଣ, କିନ୍ତୁ ସେମାନେ ଯେ ମୁଦ୍ରିତ ସମ୍ୱାଦପତ୍ର ଭିନ୍ନ ଟେଲିଭିଜନ କିମ୍ୱା ସାମାଜିକ ଗଣମାଧ୍ୟମରେ ମସଗୁଲ, ଏହି ତତ୍ତ୍ୱ ଦୁଇଚାରିଗୋଟି ଗ୍ରାମ କିମ୍ୱା ଛୋଟ ସହରରେ ଉପଭୋକ୍ତା ସର୍ବେକ୍ଷଣରୁ ଜାଣିହେବ । ମୁଦ୍ରିତ ସମ୍ୱାଦପତ୍ର ପାଠକ ସଂଖ୍ୟା ୩୦ ପ୍ରତିଶତରୁ କମ ଥିବା ସ୍ଥଳେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୫୦ ଟପିଲାଣି । ଏହି ପରିସଂଖ୍ୟାନ ଅର୍ଥପୂର୍ଣ୍ଣ ।
ମୁଦ୍ରିତ ସମ୍ୱାଦ ମଞ୍ଚ ସମ୍ମୁଖୀନ ହୋଇଥିବା ସମସ୍ୟାଗୁଡ଼ିକର ସମାଧାନ ଯେ ସମ୍ଭବ ନୁହ ଏହି ବିଚାର ଭ୍ରମାନ୍ତକ । ମୁଖ୍ୟତଃ ସମ୍ୱାଦ ମଞ୍ଚ ପ୍ରକାଶକମାନଙ୍କ ହୃଦବୋଧ ହେବା ଆବଶ୍ୟକ ଯେ ଗଣମାଧ୍ୟମରେ ଆନ୍ତର୍ଜାତିକ ପ୍ରବାହରୁ ଭାରତ ବା ଓଡ଼ିଶା ବର୍ତ୍ତିଯାଇପାରିବ ନାହିଁ । ତେଣୁ ବିକଶିତ ସମାଜଗୁଡ଼ିକରେ ଗଣମାଧ୍ୟମରେ ଯେଉଁ ସମସ୍ୟାଗୁଡ଼ିକ ଉପୁଜିଛି ଓ କେଉଁ ଉପାୟରେ ତାହାର ସମାଧାନ ନିମନ୍ତେ ଉଦ୍ୟମ ହେଉଛି ତାହା ମାଧ୍ୟମତେ ସ୍ଥାନୀୟ ପରିବେଶ ଅନୂକୁଳ ଢଙ୍ଗରେ ଉପଯୋଗ କରିବା ଦ୍ୱାରା ଦୁର୍ଦ୍ଦଶାକୁ କେତେକାଂଶରେ ଏଡ଼ାଇଦେବା ସଂଭବପର । ଏହି ଉପଲବ୍ଧି ସମ୍ୱାଦ ମଞ୍ଚ ପ୍ରକାଶକଙ୍କ ନିମନ୍ତେ ଯେତିକି ମାତ୍ରାରେ ହିତକର କାର୍ଯ୍ୟରତ ସାମ୍ୱାଦିକଙ୍କ ନିମନ୍ତେ ତାହାଠାରୁ ଅଧିକ ଉପଯୋଗୀ । ସଂକ୍ଷେପରେ କହିବାକୁ ଗଲେ ଗୁଣାତ୍ମକ ସାମ୍ୱାଦିକତାର ପ୍ରସାର ହିଁ ପାରମ୍ପରିକ ହେଉ ବା ଡ଼ିଜିଟାଲ, ଯେକୌଣସି ମଞ୍ଚରେ ସାମ୍ୱାଦିକତାର ପ୍ରଭାବକୁ ଯେ ଅକ୍ଷୁର୍ଣ୍ଣ ରଖିବ, ଏଥିରେ ସନ୍ଦେହ ନାହିଁ ।
