ଆଜିର ଖାସ ଖବର
Sat. May 30th, 2026

ବିଶ୍ୱ ସମ୍ୱାଦ ଦିବସ

By Dainikasha Jul12,2024

‘ୱାର୍ଲଡ଼ ନିଉଜ ମିଡ଼ିଆ କଂଗ୍ରେସ’ର ୭୩ତମ ଅଧିବେଶନ ସ୍ପେନର ଜାରାଗୋଜାଠାରେ ୨୮,୨୯ ଓ ୩୦ ସେପ୍ଟେମ୍ୱର ୨୦୨୨ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ୨୮ ସେପ୍ଟେମ୍ୱରରେ ବିଶ୍ୱ ସମ୍ବାଦ ଦିବସ ‘ୱାର୍ଲଡ଼ ନିଉଜ ଡ଼େ’ ପାଳନ ଅନ୍ୟତମ ଆକର୍ଷଣ । ‘ୱାର୍ଲଡ଼ ଏସୋସିଏସନ ଅଫ ନିଉଜ ପବ୍ଲିଶର୍ସ’ ସଂଗଠନ ଅଧୀନସ୍ଥ ‘ୱାର୍ଲଡ଼ ଏଡ଼ିଟର୍ସ ଫୋରମ’ ଆନୁକୂଲ୍ୟରେ ‘ଦି କାନାଡ଼ିଆନ ଜର୍ଣ୍ଣାଲିଜମ ଫାଉଣ୍ଡେସନ’ ଓ ‘ଗୁଗୁଲ ନିଉଜ ଇନିସିଏଟିଭ’ ସହାୟତାରେ ‘ୱାର୍ଲଡ଼ ନିଉଜ ଡ଼େ’ ୨୦୧୮ରୁ ବିଗତ ପାଞ୍ଚ ବର୍ଷ ଧରି ପାଳିତ ହୋଇଆସୁଛି । ଆନ୍ତର୍ଜାତିକସ୍ତରରେ ସାମ୍ୱାଦିକତାର ଭୂମିକା, ଗୁରୁତ୍ୱ ଓ ପ୍ରତିବଦ୍ଧତା ଦିଗରେ ଦୃଷ୍ଟି ଆକର୍ଷଣ ‘ବିଶ୍ୱ ସମ୍ୱାଦ ଦିବସ’ ପାଳନର ମୂଳ ଉଦ୍ଦେଶ୍ୟ ।

‘ୱାର୍ଲଡ଼ ଏସୋସିଏସନ ଅଫ ନିଉଜପେପର୍ସ ଏଣ୍ଡ ନିଉଜ ପବ୍ଳିଶର୍ସ’ରେ ବିଶ୍ୱବ୍ୟାପୀ ୧୮ ହଜାରରୁ ଉର୍ଦ୍ଧ୍ୱ ପ୍ରକାଶନ ସଦସ୍ୟ ଶ୍ରେଣୀଭୁକ୍ତ । ଶତାଧିକ ରାଷ୍ଟ୍ରରେ ପରିବ୍ୟାପ୍ତ ଏହି ସଂଗଠନ ୧୯୪୮ରେ ସ୍ଥାପିତ ହୋଇଥିଲା । ଜର୍ମାନର ଫ୍ରାଙ୍କଫର୍ଟଠାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ । ‘ୱାର୍ଲଡ଼ ଏଡ଼ିଟର୍ସ ଫୋରମ’ ପକ୍ଷରୁ ୨୦୧୮ରେ ପ୍ରତିଷ୍ଠିତ ଦକ୍ଷିଣ ଏସିଆ ଶାଖାରେ ଭାରତର ଆନନ୍ଦ ବଜାର ପତ୍ରିକା, ମାଳାୟଳା ମନୋରମା, ଦୈନିକ ଭାସ୍କର, ଇଣ୍ଡିଆନ ଏକ୍ସପ୍ରେସ, ହିନ୍ଦୁସ୍ତାନ ଟାଇମ୍ସ, ଡେକାନ ହରାଲଡ଼, ଦି କୁଇଣ୍ଟ ଇତ୍ୟାଦି ସମ୍ୱାଦ ପ୍ରତିଷ୍ଠାନର ସମ୍ପାଦକଗଣ ସଂପୃକ୍ତ । ହିନ୍ଦୁର ସମ୍ପାଦକ ମୁକୁନ୍ଦ ପଦ୍ମନାଭନ ଶାଖାର ଅଧ୍ୟକ୍ଷ ରୂପେ ଅବସ୍ଥାପିତ ।

‘ବିଶ୍ୱ ସମ୍ୱାଦ ଦିବସ’ ପାଳନ ଅବସରରେ ବିଶ୍ୱବ୍ୟାପୀ ବିଭିନ୍ନ ସମ୍ୱାଦ ମଞ୍ଚରେ ସାମ୍ୱାଦିକତାର ଗୁଣାତ୍ମକ ବିକାଶ, ବୈଷୟିକ ପ୍ରଗତିରେ ଯୋଗଦାନ ଓ ଅଭିବ୍ୟକ୍ତିରେ ସ୍ୱାଧୀନତା ଭଳି ଚଳନ୍ତି ସମସ୍ୟାବଳୀ ସଂପର୍କରେ ଆଲୋକପାତ କରାଯାଇଥାଏ । ବ୍ରିଟେନର ‘ଫାଇନାନସିଆଲ ଟାଇମ୍ସ’, କାନାଡ଼ାର ‘ଦି ଗ୍ଳୋବ ଏଣ୍ଡ ମେଲ’, ସିଙ୍ଗାପୁରର ‘ଦି ଷ୍ଟ୍ରେଟ୍ସ ଟାଇମ୍ସ’ ତଥା ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା, ନ୍ୟୂଜିଲ୍ୟାଣ୍ଡର କେତେକ ସମ୍ୱାଦମଞ୍ଚ ଏଥିରେ ଅଗ୍ରଗଣ୍ୟ । ଏହି ଅବସରରେ ଭାରତରେ ମାଳାୟଳମ ସମ୍ୱାଦପତ୍ର ‘ମାତୃଭୂମି’ ପକ୍ଷରୁ ତିରୁଭନ୍ତପୁରମଠାରେ ଆୟୋଜିତ ଆଲୋଚ଼ନାଚକ୍ରରେ ଏନ. ରାମ, ଆରୁଣ ସୌରୀ, ରାଜଦୀପ ସରଦେଶାଇ, ରୁବେନ ବାନାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ ।

ଆୟୋଜକଗଣ ‘ବିଶ୍ୱ ସମ୍ୱାଦ ଦିବସ’ ପାଳନର ତାତ୍ପର୍ଯ୍ୟ ବାବଦରେ ମୁଖ୍ୟତଃ ଦୁଇଗୋଟି ଦିଗକୁ ଗୁରୁତ୍ୱ ଦେଇଥାନ୍ତି । ସାମ୍ୱାଦିକତା ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥାଏ । ବ୍ୟକ୍ତିଗତ ଓ ସାମୂହିକ ଉଭୟ ସ୍ତରରେ ବିଭିନ୍ନ ସମସ୍ୟା ସଂପର୍କରେ ଜନସାଧାରଣ, ନାଗରିକ ସମାଜ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ ତଥା ସମସ୍ୟା ସମାଧାନର ପନ୍ଥା ନିର୍ଦ୍ଧାରଣ ଲାଗି ଅଭିମତ ସଂଚାଳନ ସାମ୍ୱାଦିକତାର ବିଶେଷତ୍ୱ । ଏହି ଦିଗରେ ସାମ୍ୱାଦିକ ଓ ଜନସାଧାରଣ ଉଭୟଙ୍କୁ ସଚ଼େତନ କରାଇବା ‘ବିଶ୍ୱ ସମ୍ୱାଦ ଦିବସ’ ପାଳନର ମୌଳିକ ଉଦ୍ଦେଶ୍ୟ । ଅପରପକ୍ଷରେ ଗୁଣାତ୍ମକ ସାମ୍ୱାଦିକତାର ଉଦାହରଣ ଚର୍ଚ୍ଚା ଦ୍ୱାରା ସର୍ବସାଧାରଣରେ ସାମ୍ୱାଦିକତାର ଆଦର ବଢ଼ିବା ସଙ୍ଗେ ନୂତନ ପିଢ଼ିର ସାମ୍ୱାଦିକମାନେ ସାମ୍ୱାଦିକତାରେ ଉତ୍କର୍ଷ ପ୍ରତି ଆଗ୍ରାହାନ୍ୱିତ ହେବା ବିଶ୍ୱାସ କରାଯାଏ ।

ସମସାମୟିକ ସାମାଜିକ ବ୍ୟବସ୍ଥାରେ ସାମ୍ୱାଦିକତାର ଭୂମିକାକୁ ନେଇ ସମାଜତତ୍ତ୍ୱବିତମାନେ ଉଦବେଗ ପ୍ରକାଶ କରିଥାନ୍ତି । ‘ବିଶ୍ୱ ସମ୍ୱାଦ ଦିବସ’ ପାଳନ ଅବସରରେ ‘ୱାର୍ଲଡ଼ ଇକନୋମିକ ଫୋରମ’ର ପରିଚାଳନା ନିର୍ଦ୍ଦେଶକ ଆଡ଼େରିଆନ ମଙ୍କ କହିଥିଲେ ଯେ ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆରମ୍ଭ ସୁଦ୍ଧା ବୈଷୟିକ ପ୍ରଗତି ସମ୍ୱାଦ, ଅଭିମତ ଓ ଚ଼ିନ୍ତାଧାରା ତତକ୍ଷଣାତ ପ୍ରସାରଣର ସୁବିଧା ସର୍ବସାଧାରଣରେ ଉପଲବ୍ଧ ହୋଇପାରିଛି । ଏହି ପରିବେଶ ଗଣତାନ୍ତ୍ରିକ ମୂଲ୍ୟବୋଧର ପରିବ୍ୟାପ୍ତିରେ ପର୍ଯ୍ୟବଶିତ ହେବା କଥା । ବିଡ଼ମ୍ୱନାର ବିଷୟ ଅତ୍ୟାଧୁନିକ କାରିଗରୀ କୌଶଳ ଅସତ୍ୟ, ଅର୍ଦ୍ଧସତ୍ୟ, ଗୁଜବ, ଉଦ୍ଦେଶ୍ୟ ପ୍ରଣୋଦିତ ଓ ପ୍ରଚାରଧର୍ମୀ ତଥ୍ୟ ପ୍ରସାରଣର ବାହକ ସାଜିବାରେ ଲାଗିଛି । ଏତଦ୍ୱାରା ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଧୃବୀକରଣ ‘ପୋଲରାଇଜେସନ’ ତଥା ରାଜନୀତିକ, ଜାତୀୟବାଦୀ ଓ ଗୋଷ୍ଠୀଭିତ୍ତିକ ହିଂସାକାଣ୍ଡକୁ ପ୍ରୋତ୍ସାହିତ କରୁଛି । ଏହି ଦୁରାବସ୍ଥାକୁ ରୋକିବା ନିମନ୍ତେ ବହୁଳମାତ୍ରାରେ ତଥ୍ୟ-ଭିତ୍ତିକ ସାମ୍ୱାଦିକତାର ପ୍ରସାର ହିଁ ଏକମାତ୍ର ଉପାୟ ।

‘ୱାର୍ଲଡ଼ ଏଡ଼ିଟର୍ସ ଫୋରମ’ର ଅଧ୍ୟକ୍ଷ ୱାରେନ ଫର୍ଣ୍ଣାଡ଼ିସ ସିଙ୍ଗାପୁରର ‘ଦି ଷ୍ଟ୍ରେଟ୍ସ ଟାଇମ୍ସ’ର ସମ୍ପାଦକ । ତାଙ୍କରି ବିଚାରରେ ୟୁରୋପ, ମଧ୍ୟ-ଏସିଆ ଓ ତାଇୱାନରେ ବିଶୃଙ୍ଖଳା କାରଣରୁ ଆନ୍ତର୍ଜାତିକସ୍ତରରେ ନିରାପତ୍ତା ବିପନ୍ନ ହୋଇପଡ଼ିଛି । ବ୍ୟାପକ ବନ୍ୟା, ବନାଗ୍ନି ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ବିଶ୍ୱବାସୀଙ୍କୁ ଭୀତତ୍ରସ୍ତ କରିପକାଇଛି । ସଂଘର୍ଷ, ଦୁର୍ବିପାକ ଆଧାରିତ ନକାରାତ୍ମକ ସମ୍ୱାଦରେ ଗଣମାଧ୍ୟମ ଉପଭୋକ୍ତା ଭରାକ୍ରାନ୍ତ । ଏହି ପରିବେଶରେ ଅସତ୍ୟ ସମ୍ୱାଦ ‘ଫେକ ନିଉଜ’ର ପ୍ରସାର ଜନସାଧାରଣଙ୍କୁ ଅସତ ମାର୍ଗ ଆବୋରି ନେବା ନିମନ୍ତେ ପ୍ରୋତ୍ସାହିତ କରିବାରେ ଲାଗିଛି ଏବଂ ସାମାଜିକ ବିଶୃଙ୍ଖଳାର କାରଣ ପାଲଟୁଛି । ଅଭିଜ୍ଞତାରୁ ଜଣାଯାଏ ଯେ କେତେକ କ୍ଷେତ୍ରରେ ଉଦ୍ଦେଶ୍ୟମୂଳକଭାବେ ଅସତ୍ୟ ସମ୍ୱାଦ ପ୍ରଯୋଜନା ଉଦ୍ୟମ ହେଉଥିବା ସ୍ଥଳେ ବହୁକ୍ଷେତ୍ରରେ ଅଜାଣତରେ ଉପଭୋକ୍ତାଗଣ ଅସତ୍ୟ ପ୍ରସାରଣରେ ଭାଗୀଦାର ହୋଇପଡ଼ନ୍ତି । ପ୍ରଥମ ସମସ୍ୟାଠାରୁ ଦ୍ୱିତୀୟ ସମସ୍ୟାଟି ଗୁରୁତର । କାରଣ ଏତଦ୍ୱାରା ଅସତ୍ୟ ବନାଗ୍ନିତୁଲ୍ୟ ବ୍ୟାପିଥାଏ ।

ଅସତ୍ୟ ପ୍ରସାରଣକୁ ରୋକିବା ନିମନ୍ତେ ସତ୍ୟନିଷ୍ଠ ସମ୍ୱାଦ ପ୍ରସାରଣ ପ୍ରତି ଗୁରୁତ୍ୱ ଆରୋପ ଜରୁରୀ । ମୂଳସ୍ରୋତର ଗଣମାଧ୍ୟମରେ ଅବସ୍ଥାପିତ ସମ୍ପାଦକ ଓ ସାମ୍ୱାଦିକଙ୍କ ଏହି କ୍ଷେତ୍ରରେ ବ୍ୟାପକ ଅବଦାନ ସଂଭବପର । କାରଣ ଅସତ୍ୟ ପ୍ରସାର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବ । ସତ୍ୟନିଷ୍ଠ ସମ୍ୱାଦ ପ୍ରଯୋଜନା ଉନ୍ନତ ରୁଚ଼ି, ପରିଶ୍ରମ ଓ ଆନୁଷ୍ଠାନିକ ସହଯୋଗ ଆବଶ୍ୟକ କରେ । ଏହି ଦୃଷ୍ଟିକୋଣର ପ୍ରଚାର ଓ ପ୍ରସାରକୁ ପ୍ରାଥମିକତା ଦେବାକୁ ପଡ଼ିବ । ଗଣମାଧ୍ୟମ ଉପଭୋକ୍ତା ବିଶ୍ୱସନୀୟ ସମ୍ୱାଦ ସାଙ୍ଗକୁ ସମ୍ୱାଦ ବିଶ୍ଳେଷଣ ଓ ଅଭିମତ ଆବଶ୍ୟକ କରୁଥିବା ବହୁ ଗଣମାଧ୍ୟମ ଗବେଷଣାରୁ ପ୍ରମାଣିତ । ସମ୍ୱାଦର ବହୁମୁଖୀ ଦିଗକୁ ଋଦ୍ଧିମନ୍ତ କରିବା ସମୟର ଆହ୍ୱାନ ।

ଡ଼େଭିଡ଼ ୱିଲମସଲେ କାନାଡ଼ାର ‘ଦି ଗ୍ଳୋବ ଏଣ୍ଡ ମେଲ’ର ସମ୍ପାଦକ ଓ ‘ବିଶ୍ୱ ସମ୍ୱାଦ ଦିବସ’ର ଅଭିଯାନର ପ୍ରାଣ-ପ୍ରତିଷ୍ଠାତା । ସେ କହନ୍ତି କୌଣସି ବ୍ୟକ୍ତି, ଗୋଷ୍ଠୀ ବା ରାଷ୍ଟ୍ରରେ ସକାରାତ୍ମକ ପରିବର୍ତ୍ତନ ଦିଗରେ ସାମ୍ୱାଦିକତା ଉପଯୋଗ ହୋଇପାରିବ । ବ୍ୟକ୍ତି ଓ ସମାଜ ଅତ୍ୟନ୍ତ ଅସହାୟ ଅବସ୍ଥାରେ ପହଞ୍ଚିବା ଅବସରରେ ସାମ୍ୱାଦିକତାକୁ ତ୍ରାଣକର୍ତ୍ତା ମନେକରିଥାନ୍ତି । ଅବହେଳିତଙ୍କ ନାର୍ଯ୍ୟଦାବୀ ସମାଜ ସମ୍ମୁଖରେ ଉପସ୍ଥାପନ ସାମ୍ୱାଦିକତାର ଧର୍ମ । ବିଶ୍ୱ ସମ୍ୱାଦ ଦିବସ ପାଳନ ଅବସରରେ ସମାଜରେ ସକାରାତ୍ମକ ପରିବର୍ତ୍ତନରେ ସୂତ୍ରଧର ସାଜିଥିବା ଦେଶ ବିଦେଶର ସାଂବାଦିକତାର ଉଦାହରଣ ଚର୍ଚ୍ଚା କରିବାଲଗି ସୁଯୋଗ ସୃଷ୍ଟି ହୋଇଥାଏ । ସର୍ବସାଧାରଣରେ ଗଣମାଧ୍ୟମ ସାକ୍ଷରତା ପ୍ରସାର ଓ ତୃଣମୂଳସ୍ତରର ସାମ୍ୱାଦିକତା ବିକାଶ ଉଦ୍ୟମ ଏହି ଭଳି ଅଭିଯାନ ଆୟୋଜନର ଅନ୍ୟତମ ଲକ୍ଷ୍ୟ ବିବେଚିତ ।

ଅତୀତରେ ଶିକ୍ଷାଦୀକ୍ଷା ତଥା ଗଣମାଧ୍ୟମ ମଞ୍ଚ ଅଭାବରୁ ଜନସାଧାରଣଙ୍କ ସମ୍ୱାଦ ସହ ସଂପୃକ୍ତି ଅଭାବ ଅନୁଭୂତ ହେଉଥିଲା । ତେବେ ଡ଼ିଜିଟାଲ ମଞ୍ଚରେ ଉପଭୋକ୍ତାଗଣ ଦୈନନ୍ଦିନ ଦୀର୍ଘକାଳ ଉପସ୍ଥିତ ରହିବା ସତ୍ତ୍ୱେ ଜ୍ଞାତସାରରେ ସମ୍ୱାଦ ଆହରଣରୁ ବିରତ ହେଉଥିବା ଗବେଷଣାଲବ୍ଧ ତଥ୍ୟାବଳୀ ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆରମ୍ଭରେ ଆଲୋଡ଼ନ ସୃଷ୍ଟି କରିଥାଏ । ବିଶେଷତଃ କରୋନା ମହାମାରୀ କାଳରେ ସାମ୍ୱାଦିକତା ବିଶ୍ୱସନୀୟତା ହରାଉଥିବା ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିଲା । ଏହି ଅବସରରେ ସମ୍ୱାଦ ପରିବେଷଣରେ ଗୁଣାତ୍ମକ ବିକାଶ ଦ୍ୱାରା ହୃତଗୌରବ ଫେରାଇ ଆଣିବା ବିଶ୍ୱାସ କରାଯାଏ । ସମ୍ୱାଦ ଓ ଅଭିମତ ଉପସ୍ଥାପନ ବର୍ଗୀକୃତ କରିବା ତଥା ପରିବେଷିତ ତଥ୍ୟାବଳୀରେ ଭୂଲଭଟକା ସଂଶୋଧନ ଧାରା ସାମ୍ୱାଦିକତାକୁ ବିଶ୍ୱସନୀୟ ଗଢ଼ିତୋଳିବାରେ ସହାୟକ ହେବା ଗଣମାଧ୍ୟମ ବିଶେଷଜ୍ଞମାନେ ବିଶ୍ୱାସ କରିଥାନ୍ତି । ବିଶ୍ୱ ସମ୍ୱାଦ ଦିବସରେ ସାମ୍ୱାଦିକତାର ସୁରକ୍ଷାଲାଗି ଉଭୟ ସାମ୍ୱାଦିକ ଓ ପାଠକଙ୍କୁ ସଚ଼େତନ କରାଇବା ଉଦ୍ୟମ ଅଭିପ୍ରେତ ।

Related Post