ଭାରତରେ ଶହେ କୋଟିରୁ ଉର୍ଦ୍ଧ୍ୱ ମୋବାଇଲ ଫୋନ ବ୍ୟବହୃତ ହେଉଥିବା ସ୍ଥଳେ କେନ୍ଦ୍ରୀୟସ୍ତରରେ ମୋବାଇଲ ଫୋନ ହେଣ୍ଡସେଟଗୁଡ଼ିକରପଞ୍ଜୀକରଣ ତଥା ଏକକ ପଞ୍ଜିକା ସୃଷ୍ଟି ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ଟେଲିଯୋଗାଯୋଗ ମନ୍ତ୍ରଣାଳୟ ଅଧୀନସ୍ଥ ସ୍ୱୟଂଶାସିତ ପ୍ରତିଷ୍ଠାନ ‘ସେଣ୍ଟର ଫର ଡେଭଲାପମେଣ୍ଟ ଅଫ ଟେଲିମେଟିକ୍ସ’ ଏହି ପଞ୍ଜିକା ପ୍ରସ୍ତୁତି ଓ ପରିଚାଳନାର ଦାୟିତ୍ୱ ଗ୍ରହଣ କରିଛି । ପରିବର୍ତ୍ତିତ ପରିବେଶରେ ମୋବାଇଲ ଫୋନ ଦେଶବାସୀଙ୍କ ମଧ୍ୟରେ ଯୋଗାଯୋଗର ମୁଖ୍ୟ ମାଧ୍ୟମ ସାଙ୍ଗକୁ ବିତ୍ତୀୟ ପରିଚାଳନା, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ମନୋରଞ୍ଜନ ଇତ୍ୟାଦି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ହେତୁ ଏହାର ବ୍ୟବହାରଜନିତ ଉପଭୋକ୍ତାଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ ପ୍ରସ୍ତାବିତ ପଞ୍ଜିକା ସହାୟକ ହେବା ବିଶ୍ୱାସ କରାଯାଏ ।
ପ୍ରତ୍ୟେକ ମୋବାଇଲ ଫୋନ ହେଣ୍ଡସେଟରେ‘ଇଣ୍ଟରନ୍ୟାସନାଲମୋବାଇଲ ଇକ୍ୟୁପମେଣ୍ଟଆଇଡ଼େଣ୍ଟି’ ର ବ୍ୟବସ୍ଥା ଉପଲବ୍ଧ । ଫୋନର ବ୍ୟାଟେରୀ ରଖାଯାଉଥିବା ସ୍ଥାନ ତଳେ ଫୋନ ପୃଷ୍ଠରେ ପନ୍ଦର ସଂଖ୍ୟା ବିଶିଷ୍ଟ ସଂଖ୍ୟା ନିର୍ମାତାଙ୍କ ପକ୍ଷରୁ ଲିପିବଦ୍ଧ ଥାଏ । ଏହି ସୂଚକାଙ୍କ ସଂପୃକ୍ତ ଫୋନରୁ ‘#06#’କୁ ଫୋନ କରି ମଧ୍ୟ ସଂଗ୍ରହ କରାଯାଇପାରେ । ଟେଲିଯୋଗାଯୋଗ ମନ୍ତ୍ରଣାଳୟର ୨୦୦୮ ନିର୍ଦ୍ଦେଶନାମା ପ୍ରକାରେ ପ୍ରତ୍ୟେକ ହେଣ୍ଡସେଟ ନିମନ୍ତେ ମୋବାଇଲ ନେଟୱାର୍କର ସେବା ଗ୍ରହଣ କରିବା ସମୟରେ ସଂପୃକ୍ତ କମ୍ପାନୀ ଗ୍ରାହକଙ୍କ ଫୋନରେ ସିମ ଚାର୍ଜ ହେବା ପୂର୍ବରୁ ଏହି ସୂଚକାଙ୍କ ସଂଗ୍ରହ କରି ନିଜ ‘ଇକ୍ୟୁପମେଣ୍ଟଆଇଡେଣ୍ଟିରେଜିଷ୍ଟାର’ରେ ଲିପିବଦ୍ଧ କରିଥାଏ । ଏହି କ୍ରମରେ ଦେଶର ସମସ୍ତ ମୋବାଇଲ ନେଟୱାର୍କ ନିଜ ନିଜ ଗ୍ରାହକମାନଙ୍କ ତାଲିକା ଜାତୀୟ ମୋବାଇଲ ଫୋନ ପଞ୍ଜିକା ‘ସେଣ୍ଟ୍ରାଲ ଇକ୍ୟୁପମେଣ୍ଚଆଇଡ଼େଣ୍ଚିରେଜିଷ୍ଚାର’କୁ ହସ୍ତାନ୍ତର କରିବେ । ଫଳରେ ଜାତୀୟସ୍ତରରେ ଏକକ ପଞ୍ଜିକା ସୃଷ୍ଟି ସମ୍ଭବ ।
ଜାତୀୟ ମୋବାଇଲ ଫୋନ ପଞ୍ଜିକା ଉପଯୋଗରେ ଚୋରି ହୋଇଥିବା ତଥା ବେନିୟମ କାର୍ଯ୍ୟକଳାପରେ ଲିପ୍ତ ହେଣ୍ଡସେଟଗୁଡ଼ିକୁ ଚ଼ିହ୍ନଟ କରି ସେଗୁଡ଼ିକରେ ସିମ ବ୍ୟବହାର ଅଚଳ କରିବା ସୁବିଧା ମିଳିପାରିବ । ପୂର୍ବରୁ ନିର୍ଦ୍ଦିଷ୍ଟ ହେଣ୍ଡସେଟ ବିରୋଧରେ ଉପଭୋକ୍ତା କିମ୍ୱା ପ୍ରଶାସନର ନିବେଦନରେ ଟେଲିଫୋନ ନେଟୱାର୍କସିମକୁ ଅଚଳ କରି ସଂପୃକ୍ତ ଫୋନ ମାଧ୍ୟମରେ ଯୋଗାଯୋଗ ବିଛିନ୍ନ କରିପାରୁଥିଲେ । ତେବେ ବ୍ୟବହାରକାରୀ ଗୋଟିଏ ନେଟୱାର୍କର ସିମ ବଦଳରେ ଅନ୍ୟ ଏକ ନେଟୱାର୍କର ସିମ ବ୍ୟବହାର କରି ପୁଣି ସେହି ହେଣ୍ଡସେଟରେସେବା ଗ୍ରହଣ କରିପାରୁଥିଲା । ଜାତୀୟ ମୋବାଇଲ ଫୋନ ପଞ୍ଜିକା ସୃଷ୍ଟିପରେ ଏକ ଥରକେ ସମସ୍ତ ନେଟୱାର୍କରେ ସଂପୃକ୍ତ ଫୋନ ହେଣ୍ଡସେଟର ବ୍ୟବହାର ବନ୍ଦ କରାଯାଇ ପାରୁଛି ।
ଜାତୀୟ ମୋବାଇଲ ଫୋନ ପଞ୍ଜିକାରେ ଟେଲିଫୋନ ସେବା ବନ୍ଦ କରାଯାଇଥିବା ମୋବାଇଲ ହେଣ୍ଡସେଟର ‘ଇଣ୍ଟରନେସନାଲ ମୋବାଇଲ ଇକ୍ୟୁପମେଣ୍ଟଆଇଡ଼େଣ୍ଟି’ ସୂଚ଼କାଙ୍କ ସହ କେଉଁ କାରଣରୁ ବ୍ଳାକଲିଷ୍ଟ କରାଯାଇଛି ତାହା ମଧ୍ୟ ଲିପିବଦ୍ଧ ରହିବ । ଫଳରେ ସୁରକ୍ଷାକର୍ମୀମାନେ ସହଜରେ ମୋବାଇଲ ଫୋନ ବ୍ୟବହାରରେ ଅପରାଧିକ କାର୍ଯ୍ୟ ତଦନ୍ତରେ ସହଯୋଗ ପାଇପାରିବେ । ଏତଦ୍ ବ୍ୟତୀତ ସେବା ପ୍ରଦାନକାରୀ ମୋବାଇଲ ନେଟୱାର୍କସିମବ୍ଳକ କରିବା ସୁଯୋଗ ଉପଭୋଗ କରୁଥିବା ସ୍ଥଳେ ଏଣିକି ଜାତୀୟ ପଞ୍ଜିକା ମାଧ୍ୟମରେ ନିର୍ଦ୍ଦିଷ୍ଟ ହେଣ୍ଡସେଟକୁ ମଧ୍ୟ ବ୍ଳକ କରିବା ସମ୍ଭବପର । ଏଥି ନିମନ୍ତେ ଟେଲିକମ୍ୟୁନିକେସନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୭ ପରଠାରୁ ସମସ୍ତ ନେଟୱାର୍କ ସହ ଏକ ସଂକଳ୍ପ ସ୍ୱାକ୍ଷରିତ ହୋଇଛି ।
ଜାତୀୟ ମୋବାଇଲ ଫୋନ ପଞ୍ଜିକା ପ୍ରସ୍ତୁତି ନିମନ୍ତେ ଦୀର୍ଘ ଦିନରୁ ଉଦ୍ୟମ ଆରମ୍ଭ ହୋଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ଜାତୀୟ ଟେଲକମ ନୀତି ୨୦୧୨ରେ ଏଭଳି ପଞ୍ଜିକା ବ୍ୟବସ୍ଥାର ପ୍ରଚଳନ ନିମନ୍ତେ ନୀତି ନିର୍ଦ୍ଧାରଣ କରାଯାଇଥିଲା । ‘ଗ୍ଳୋବାଲ ସିଷ୍ଟମ ଫର ମୋବାଇଲ କମ୍ୟୁନିକେସନସଏସୋସିଏସେନ’ର ସଦସ୍ୟଭୁକ୍ତ ବିଶ୍ୱର ପ୍ରତ୍ୟେକ ମୋବାଇଲ ତଥା ଅନ୍ୟାନ୍ୟ ମୋବାଇଲ ବ୍ରଡ଼ବେଣ୍ଡ ଯନ୍ତ୍ରପାତି ନିର୍ମାତାନିଜ ଉତ୍ପାଦିତ ଫୋନ ହେଣ୍ଡସେଟଗୁଡ଼ିକରେ‘ଇଣ୍ଟରନ୍ୟାସନାଲ ମୋବାଇଲ ଇକ୍ୟୁପମେଣ୍ଟଆଇଡ଼େଣ୍ଟି’ ଲିପବଦ୍ଧ କରିଥାନ୍ତି । ଆନ୍ତର୍ଜାତିକ କ୍ଷେତ୍ରରେ ମୋବାଇଲ ହେଣ୍ଡସେଟ ପ୍ରସ୍ତୁତି କ୍ଷେତ୍ରରେ ବୈଧତା ଏହି ସୂଚକାଙ୍କ ଦ୍ୱାରା ପ୍ରମାଣିତ ହୋଇଥାଏ . ସରକାରୀ ରପ୍ତାନୀ ଓ ଆମଦାନୀ ଶୁକ୍ଳ ଇତ୍ୟାଦି ଏହି ସୂଚ଼କାଙ୍କ ଆଧାରରେ ପରିଚାଳନା କରାଯାଏ ।
‘ଗ୍ଳୋବାଲ ସିଷ୍ଟମ ଫର ମୋବାଇଲ କମ୍ୟୁନିକେସନ ଏସୋସିଏସନ‘ ପକ୍ଷରୁ ପ୍ରତ୍ୟେକ ସଦସ୍ୟଭୁକ୍ତ ମୋବାଇଲ ହେଣ୍ଡସେଟ ନିର୍ମାତାଙ୍କୁ ଏକ ନିର୍ଦ୍ଧିଷ୍ଟ ପରିମାଣର ସୂଚ଼କାଙ୍କ ବ୍ୟବହାର ପାଇଁ ଦିଆଯାଏ । ନିର୍ମାତାମାନେ ସେହି ତାଲିକାରୁ ନମ୍ୱର ନିଜ ଉତ୍ପାଦଗୁଡ଼ିକରେ ଲିପିବଦ୍ଧ କରନ୍ତି । ଯେଉଁ ମୋବାଇଲ ହେଣ୍ଡସେଟଗୁଡ଼ିକରେ ଦୁଇଗୋଟି ସିମ ବ୍ୟବହାରର ସୁବିଧା ଥାଏ, ସେଥିରେ ଦୁଇଗୋଟି ସୂଚକାଙ୍କ ଦିଆଯାଏ । ଏହି କ୍ରମରେ ପ୍ରତ୍ୟେକ ମୋବାଇଲ ଫୋନ ହେଣ୍ଡସେଟ ଆନ୍ତର୍ଜାତିକସ୍ତରରେ ଗୋଟିଏ ମାତ୍ର ସୂଚକାଙ୍କ ଅଧିକାରୀ । ମୋବାଇଲ ଫୋନ ହେଣ୍ଡସେଟ ଓ ମୋବାଇଲ ଫୋନ ବ୍ୟବହାରକାରୀଙ୍କୁ ଚ଼ିହ୍ନଟ କରିବାରେ ଏହି ସୂଚକାଙ୍କ ସହାୟକ ହୋଇଥାଏ ।
ଦୈନନ୍ଦିନ ଯୋଗାଯୋଗ କ୍ଷେତ୍ରରେ ମୋବାଇଲ ଫୋନ ବହୁଳ ବ୍ୟବହାର ହେଉଥିବା ଯୋଗୁଁ ବିଭିନ୍ନ ଅପରାଧିକ କାର୍ଯ୍ୟ ମଧ୍ୟ ମୋବାଇଲ ଫୋନ ମାଧ୍ୟମରେ ସାଧିତ ହୋଇଥାଏ । ପ୍ରତ୍ୟେକ ମୋବାଇଲ ଫୋନ ସିମ ଆଧାରରେ ଏହାର ବ୍ୟବହାରକାରୀଙ୍କ ସଂପର୍କରେ ସବିଶେଷ ତଥ୍ୟ ନେଟୱାର୍କ ସେବା ପ୍ରଦାନକାରୀ କମ୍ପାନୀଙ୍କଠାରେ ଗଚ୍ଛିତ ରହୁଥିବା ସ୍ଥଳେ ତାହା ଜାତୀୟ ମୋବାଇଲ ଫୋନ ପଞ୍ଜିକାକୁ ସ୍ଥାନାନ୍ତରିତ ହୋଇଛି । ସେହିପରି ପ୍ରତ୍ୟେକ ଉପଭୋକ୍ତା ବ୍ୟବହାର କରୁଥିବା ହେଣ୍ଡସେଟଗୁଡ଼ିକୁ ଚ଼ିହ୍ନଟ କରାଯାଇ ଏକ ଜାତୀୟ ଡ଼ାଟାବେସ ସୃଷ୍ଟି କରାଯାଇଛି ।
ଅପରାଧିକ କାର୍ଯ୍ୟ ରୋକିବା ନିମନ୍ତେ ତୁରନ୍ତ କୌଣସି ହେଣ୍ଡସେଟରେ ସେବା ବାରଣ କରିବା ସହ ହେଣ୍ଡସେଟର ଭୌଗଳିକ ଉପସ୍ଥିତି ଖୋଜି ବାହାର କରିବା ନୂତନ ବ୍ୟବସ୍ଥାରେ ସହଜପ୍ରଦ ହୋଇପାରିଛି । କେତେକ କ୍ଷେତ୍ରରେ ଅପରାଧିମାନେ ନକଲି ‘ଇଣ୍ଟରନ୍ୟାସନାଲ ମୋବାଇଲ ଇକ୍ୟୁପମେଣ୍ଟଆଇଡ଼େଣ୍ଟି’ ସୂଚକାଙ୍କ ବ୍ୟବହାର କରୁଥିବା ଦେଖାଯାଏ । ତେବେ ଏକ ଜାତୀୟ ପଞ୍ଜିକା ପ୍ରସ୍ତୁତିପରେ ପ୍ରତ୍ୟେକ ସୂଚକାଙ୍କର ବୈଧତା ନିର୍ଦ୍ଧାରଣ ସମ୍ଭବପର । କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୭ରେ ପ୍ରଣୀତ ନିୟମାନୁଯାୟୀ ନକଲି ସୂଚକାଙ୍କ ବିଶିଷ୍ଟ ମୋବାଇଲହେଣ୍ଡସେଟ ବ୍ୟବହାରକାରୀଙ୍କୁ ଦଣ୍ଡବିଧାନର ପ୍ରାବଧାନ ରହିଛି ।
ଜାତୀୟ ମୋବାଇଲ ଫୋନ ପଞ୍ଜିକା ପ୍ରସ୍ତୁତି ଓ ପରିଚାଳନା କାହା ଦାୟିତ୍ଵରେ ରହିବା ଉଚିତ ଏ ସଂପର୍କରେ ୨୦୧୦ରୁ ବିତର୍କ ଆରମ୍ଭ ହୋଇଥିଲା । ମୋବାଇଲ ନେଟୱର୍କ ସେବା ପ୍ରଦାନକାରୀ କମ୍ପାନୀମାନେ ସରକାର ଓ ବ୍ୟାବସାୟିକ ସଂଗଠନ ଭିନ୍ନ ତୃତୀୟପକ୍ଷକୁ ଏଭଳି ଦାୟିତ୍ୱ ଅର୍ପଣ ସପକ୍ଷରେ ଯୁକ୍ତିବାଢ଼ିଥିଲେ ।ସ୍ୱୟଂଶାସିତ‘ସେଣ୍ଟର ଫର ଡ଼େଭଲାପମେଣ୍ଟ ଅଫ ଟେଲିମେଟିକ୍ସ’କୁ ଏହି କାର୍ଯ୍ୟଭାର ସମ୍ଭାଳିବା ନିମନ୍ତେ ଚୟନକୁ ବିଭିନ୍ନ କ୍ଷେତ୍ରରେ ସ୍ୱାଗତ କରାଯାଇଛି । ବର୍ଦ୍ଧିତ ମୋବାଇଲ ଫୋନ ସାନ୍ଦ୍ରତା ତଥା ତତ୍ଜନିତ ଉପଭୋକ୍ତା, ସେବାପ୍ରଦାନକାରୀ ଓ ନିୟମାକଙ୍କ ସ୍ୱାର୍ଥରକ୍ଷାରେ ଜାତୀୟ ମୋବାଇଲ ପଞ୍ଜିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆଶା କରାଯାଏ ।
