ଆଜିର ଖାସ ଖବର
Tue. Jul 28th, 2026

ଭାରତରେ ଚୀନ ସ୍ମାର୍ଟଫୋନ

By Dainikasha Jul11,2024

ଭାରତରେ ବ୍ୟବହୃତ ସ୍ମାର୍ଟଫୋନ ସଂଖ୍ୟା ଫିଚ଼ର ଫୋନଠାରୁ ବଳି ପଡ଼ିଥିବା ଜଣାଯାଏ । ମୋବାଇଲ ଫୋନଭିତ୍ତିକ ଗବେଷଣା ସଂସ୍ଥା ‘କାଉଣ୍ଟର-ପଏଣ୍ଟ ରିସର୍ଚ୍ଚ’ର ବିବରଣୀ ଅନୁଯାୟୀ ୨୦୨୦ ଜାନୁୟାରୀ ଠାରୁ ମାର୍ଚ୍ଚ ମଧ୍ୟରେ ଦେଶରେ ୪୭ କୋଟି ଫିଚର ଫୋନ ବ୍ୟବହୃତ ହେଉଥିବା ସ୍ଥଳେ ସ୍ମାର୍ଟଫୋନ ସଂଖ୍ୟା ୫୦ କୋଟିରେ ପହଞ୍ଚିଥିଲା । ମାର୍ଚ୍ଚ ଶେଷ ସପ୍ତାହରୁ ମହାମାରୀଜନିତ ଜନପଦ ବନ୍ଦ ‘ଲକଡାଉନ’ ଅବସରରେ ସମ୍ୱାଦ ସରବରାହ କ୍ଷେତ୍ରରେ ବହୁ ପରିବାର ସ୍ମାର୍ଟଫୋନ ଯୋଗେ ଉପକୃତ ହୋଇଥିବା ନିଶ୍ଚିତ ।

ଭାରତୀୟ ସ୍ମାର୍ଟଫୋନ ବଜାରରେ ବହୁଳ ବିକ୍ରୀ ହେଉଥିବା ପ୍ରଥମ ପାଞ୍ଚଗୋଟି ବ୍ରାଣ୍ଡ ମଧ୍ୟରେ ଚାରିଗୋଟି ଚୀନ ଅଧିକୃତ ପ୍ରସ୍ତୁତକର୍ତ୍ତା । ୨୦୨୦ର ପ୍ରଥମ ତ୍ରୟମାସିକ ବିକ୍ରୀ ହିସାବରେ ସାୟୋମି ୩୦ ପ୍ରତିଶତ, ଭିଭୋ ୧୭ ପ୍ରତିଶତ, ରିଅଲମି ୧୪ ପ୍ରତିଶତ, ଓପୋ ୧୨ ପ୍ରତିଶତ ଅଧିକାର କରିଥିଲେ । ଦକ୍ଷିଣ କୋରିଆର ସାମସୁଙ୍ଗ ୧୬ ପ୍ରତିଶତ ଏବଂ ଭାରତ ସମେତ ଅନ୍ୟାନ୍ୟ ଦେଶର ବ୍ରାଣ୍ଡ ୧୧ ପ୍ରତିଶତ ସ୍ମାର୍ଟଫୋନ ବିକ୍ରୀ କରିଥିଲେ । ଦେଶର ମୋଟ ସ୍ମାର୍ଟଫୋନ ବଜାରର ୭୩ ପ୍ରତିଶତ ବିକ୍ରୀ ଚୀନ ବ୍ରାଣ୍ଡଗୁଡ଼ିକ ଅକ୍ତିଆରେ ରହିଥିଲା ।

୨୦୨୦ର ଦ୍ୱିତୀୟ ତ୍ରୟମାସିକ ବିକ୍ରୀ ଏପ୍ରିଲ ରୁ ଜୁନ ମଧ୍ୟରେ ଲକଡ଼ାଉନ କାରଣରୁ ଦୋକାନବଜାର, ଇ-କମର୍ସ, ଯୋଗାଣ ଓ ବିତରଣ ପ୍ରଭାବିତ ହୋଇଥିବା ହେତୁ ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ସହ ସ୍ମାର୍ଟଫୋନ ବିକ୍ରୀ କମ ରହିବା ସ୍ୱାଭାବିକ । ତେବେ ଜୁନ ମଧ୍ୟଭାଗରେ ଚୀନ-ଭାରତ ସୀମାନ୍ତରେ ଉତ୍ତେଜନା ଏବଂ ଭାରତୀୟ ସୈନ୍ୟ ମୃତାହତ ହେବା ପରେ ଭାରତରେ ଚୀନ ବିରୋଧୀ ମନୋଭାବ ଉଦ୍ରେକ ହୋଇଛି । ଚୀନ ପ୍ରସ୍ତୁତ ସାମଗ୍ରୀ ବର୍ଜନ ନିମନ୍ତେ ଡାକରାରେ ସ୍ମାର୍ଟଫୋନ ବଜାର କେତେଦୂର ପ୍ରଭାବିତ ହେବ ତାହା ସମୟ କହିବ । ତେବେ ବିଶେଷଜ୍ଞମାନେ ଅନ୍ତତଃ ପକ୍ଷେ ୨୦୨୦ର ତୃତୀୟ ଓ ଚ଼ତୁର୍ଥ ତ୍ରୟମାସିକ ବ୍ୟବସାୟରେ ଚୀନ ସ୍ମାର୍ଟଫୋନ ବ୍ରାଣ୍ଡଗୁଡ଼ିକର ବିକ୍ରୀରେ ଶିଥିଳତା ଆଶା କରୁଛନ୍ତି ।

ସ୍ମାର୍ଟଫୋନ ବଜାରରେ ସଂଘଟିତ ବିଘଟନରେ ବହୁ ଅଂଶୀଦାର ପ୍ରଭାବିତ ହେବେ । ଚୀନ ବ୍ରାଣ୍ଡଗୁଡ଼ିକ ୨୦୧୯ରେ ପ୍ରାୟ ପନ୍ଦରଶହ କୋଟି ଟଙ୍କା ବିଜ୍ଞାପନରେ ଖର୍ଚ୍ଚ କରିଥିଲେ । ୨୦୨୦ ଦ୍ୱିତୀୟ ଓ ତୃତୀୟ ତ୍ରୟମାସରେ ହଜାରେ କୋଟି ଟଙ୍କା ଯାଏଁ ବିଜ୍ଞାପନ ଆଶା କରାଯାଉଥିଲା । ତେବେ ବଜାରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଲକ୍ଷ୍ୟକରି ଅନ୍ତତଃପକ୍ଷେ ସେମାନେ ବିଜ୍ଞାପନରୁ ଓହରିଯିବା ନିଶ୍ଚିତ । ଚୀନ ବ୍ରାଣ୍ଡଗୁଡ଼ିକ ମୁଖ୍ୟତଃ ଟେଲିଭିଜନ ଓ ସୋସିଆଲ ମିଡ଼ିଆରେ ଫୋନ ବିଜ୍ଞାପନ ପ୍ରଦର୍ଶନ କରୁଥିବା ହେତୁ ମହାମାରୀ-ପର ଅବସ୍ଥାରେ ମାନ୍ଦା ବିଜ୍ଞାପନ ବ୍ୟବସାୟରେ ସାମାନ୍ୟ ସୁଧାର ଆଶା କରାଯାଉଥିବା ସ୍ଥଳେ ଚୀନ ସ୍ମାର୍ଟଫୋନ ବ୍ରାଣ୍ଡଗୁଡ଼ିକର ଅନୁପସ୍ଥିତି ଏକ ବିସ୍ତୃତ ଶୂନ୍ୟସ୍ଥାନ ସୃଷ୍ଟି କରିବ ।

‘ସେଲ୍ୟୁଲାର ଏଣ୍ଡ ଇଲକ୍ଟ୍ରୋନିକ୍ସ ଏସୋସିଏସନ’ ପକ୍ଷରୁ ଏପ୍ରିଲ ଶେଷ ସପ୍ତାହରେ ଜାରୀ କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଥିଲା ଯେ ମହାମାରୀ-ପୂର୍ବ ଅବସ୍ଥାରେ ମାସିକ ହାରାହାରି ଅଢ଼େଇ କୋଟି ମୋବାଇଲ ଫୋନ ବିକ୍ରୀ ହେଉଥିଲା । ଦୁଇମାସର ଲକଡ଼ାଉନ ଅବସରରେ ଅଢ଼େଇ କୋଟି ମୋବାଇଲ ଫୋନ ଯନ୍ତ୍ରପାତି ଅଭାବରୁ ମରାମତ ନ ହୋଇପାରି ଅବ୍ୟବହୃତ ଅବସ୍ଥାରେ ପହଞ୍ଚିଥିଲା । ପରିବହନ ବ୍ୟବସ୍ଥାରେ ବାଧା କାରଣରୁ ଚୀନରୁ ବଡ଼ ସହର ଏବଂ ବଡ଼ ସହରଗୁଡ଼ିକରୁ ଆଭ୍ୟନ୍ତରୀଣ ଅଞ୍ଚଳକୁ ଯନ୍ତ୍ରାଂଶ ଚାଲାଣ ହୋଇପାରୁନଥିଲା । ଏହି ହିସାବ ଆଧାରରେ ଲକଡ଼ାଉନ ଉଠିବାପରେ ପାଞ୍ଚରୁ ସାତ କୋଟି ଯାଏଁ ନୂଆ ମୋବାଇଲ ଫୋନ ବିକ୍ରୀ ଆକଳନ କରାଯାଉଥିଲା । ସେଥି ମଧ୍ୟରୁ ସ୍ମାର୍ଟଫୋନ ବର୍ଗରେ ୭୫ ପ୍ରତିଶତ ଚୀନ ବ୍ରାଣ୍ଡ ମୁହାଁ ହୋଇଥାନ୍ତା ।

ଭାରତ ବଜାର ଚୀନ ସ୍ମାର୍ଟଫୋନ ଅକ୍ତିଆରରେ ସ୍ଥାନୀୟ ନିର୍ମାତାମାନେ କ୍ଷୁବ୍ଧ ହେବା ସ୍ୱାଭାବିକ । ଚୀନ ବ୍ରାଣ୍ଡଗୁଡ଼ିକର ପର୍ଯ୍ୟାପ୍ତ ଆର୍ଥିକ ନିବେଶ କ୍ଷମତା, ବ୍ୟାବସାୟିକ ଦକ୍ଷତା ଏବଂ ସର୍ବୋପରି ଉପଭୋକ୍ତାଙ୍କ ନିମନ୍ତେ କମ ମୂଲ୍ୟରେ ଉଚ୍ଚମାନର ସ୍ମାର୍ଟଫୋନ ଯୋଗାଣ ରଣନୀତିର ମୁକାବିଲା ସମ୍ଭବପର ହୋଇପାରୁ ନାହିଁ । ଭାରତ-ଚୀନ ସୀମାନ୍ତରେ ସାମରିକ ତନାଘନା ଏବଂ ଭାରତୀୟ ଗଣମାଧ୍ୟମରେ ପ୍ରଚାର ହେତୁ ଦେଶରେ ଚୀନ ଉତ୍ପାଦିତ ଜିନିସପତ୍ର ବର୍ଜନ ମନୋଭାବକୁ ସ୍ଥାନୀୟ ବ୍ୟବସାୟୀମାନେ ହାତଛଡ଼ା କରିବା ନିମନ୍ତେ ପଛାଉ ନାହାନ୍ତି ।

‘କନଫଡ଼ରେସନ ଅଫ ଅଲ ଇଣ୍ଡିଆ ଟ୍ରେଡ଼ର୍ସ’ ପକ୍ଷରୁ ଚୀନ ସ୍ମାର୍ଟଫୋନ ବିଜ୍ଞାପନରେ ବ୍ରାଣ୍ଡ ଆମ୍ୱାସଡ଼ରରୂପେ ନିଯୁକ୍ତ ଅମୀର ଖାନ, ରଣବୀର କପୁର ଓ ଦୀପିକା ପାଡୁକୋନଙ୍କୁ ଜୁନ ତୃତୀୟ ସପ୍ତାହରେ ଏକ ଖୋଲା ପତ୍ର ଲେଖି ବିଜ୍ଞାପନ ପ୍ରଚାରରୁ ଓହରିଯିବା ନିମନ୍ତେ ଅନୁରୋଧ କରାଯାଇଛି । ଅମୀର ଖାନ ‘ଭିଭୋ’, ରଣବୀର କପୁର ଓ ଦୀପିକା ପାଡୁକୋନ ‘ଅପୋ’ ସ୍ମାର୍ଟଫୋନ ବିଜ୍ଞାପନ ପ୍ରଦର୍ଶନରେ ଅଂଶ ଗ୍ରହଣ କରିଥିଲେ । ଅପରପକ୍ଷେ ସଂସ୍ଥା ପକ୍ଷରୁ ପ୍ରସ୍ତାବିତ ଦେଶବ୍ୟାପୀ ପ୍ରଚାର ଅଭିଯାନରେ ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କୁ ସ୍ୱଦେଶୀ ଜିନିସପତ୍ର ବ୍ୟବହାରଲାଗି ବିଜ୍ଞାପନରେ ସାମିଲ କରିବା ନିମନ୍ତେ ଅନୁରୋଧ କରାଯାଇଥିବା ପ୍ରକାଶ ।

ଆନ୍ତର୍ଜାତିକସ୍ତରରେ ମହାମାରୀ-ପୂର୍ବ କିଛି କାଳପୂର୍ବରୁ ସ୍ୱଦେଶୀ ଉତ୍ପାଦନକୁ ପ୍ରୋତ୍ସାହନ ଓ ଆମଦାନୀ ବର୍ଜନ ନୀତି କ୍ରମଶଃ ଗୁରୁତ୍ୱଲାଭ କରୁଥିବା ଦେଖାଯାଇଥିଲା । ମହାମାରୀ-ପର ଅବସ୍ଥାରେ ବ୍ୟାପକ ଅର୍ଥନୀତିକ ବିଘଟନର ଆଶଙ୍କାରେ ତାହା ଦୃଢ଼ୀଭୂତ ହୋଇଛି । ଏହି ଅବସରରେ ବିଶ୍ୱବ୍ୟାପୀ ରପ୍ତାନୀ ବ୍ୟବସାୟରେ ପାରମଙ୍ଗତା ହାସଲ କରିଥିବା ଚୀନ ସାମଗ୍ରୀର ବିକ୍ରୀବଟା ପ୍ରଭାବିତ ହେବା ଆଶା କରାଯାଏ । ଭାରତଭଳି ବିକାଶଶୀଳ ଅର୍ଥନୀତିରେ ଆମଦାନୀ ବିରୋଧୀ ନୀତି ସ୍ଥାନୀୟ ଉପଭୋକ୍ତା ବଜାରରେ କିପରି ପ୍ରଭାବ ପକାଇବ ତାହା ସମୟ କହିବ । ହିସାବ ଅନୁଯାୟୀ ଭାରତୀୟ ରପ୍ତାନୀର ୧୦.୬ ପ୍ରତିଶତ ଚୀନକୁ ଯାଉଥିବା ସ୍ଥଳେ ଚୀନର ସମୁଦାୟ ରପ୍ତାନୀ ମାତ୍ର ୨.୧ ପ୍ରତିଶତ ଭାରତକୁ ଆସିଥାଏ । ତେଣୁ ଭାବାବେଗ ଓ ବାସ୍ତବତା ମଧ୍ୟରେ ସମ୍ଭାବ୍ୟ ଦୂରତ୍ୱ ସଂଶୟ ସୃଷ୍ଟି କରେ । 

Related Post