ଆଜିର ଖାସ ଖବର
Thu. Apr 16th, 2026

ଦି ରିଙ୍ଗ୍ସ ଅଫ ପାୱାର

By Dainikasha Jul12,2024

ଓଭର-ଦି-ଟପ ‘ଓଟିଟି’ ମଞ୍ଚ ଆମେଜନ ପ୍ରାଇମ ଭିଡ଼ିଓରେ ୨୦୨୨ ସେପ୍ଟେମ୍ୱର ଦୁଇ ତାରିଖରେ ମୁକ୍ତିଲାଭ କରିଥିବା ୱେବ ସିରିଜ ‘ଦି ରିଙ୍ଗସ ଅଫ ପାୱାର’ ପ୍ରଥମ ଦିବସରେ ଦୁଇ କୋଟି ୫୦ ଲକ୍ଷ ଦର୍ଶକଙ୍କୁ ଆକର୍ଷିତ କରିଥିବା ପ୍ରଦର୍ଶକଙ୍କ ପକ୍ଷରୁ ଦାବୀ କରାଯାଇଥିଲା । ଦୁଇଗୋଟି ଅଧ୍ୟାୟକୁ ନେଇ ମୁକ୍ତିଲାଭ କରିଥିବା ମେଗା ଧାରାବାହିକଟି ବିଶ୍ୱବ୍ୟାପୀ ୨୪୦ ଗୋଟି ରାଷ୍ଟ୍ରରେ ଦର୍ଶକ ଉପଭୋଗ କରିଥିଲେ । ସମୀକ୍ଷକଙ୍କ ମତରେ ଗଣମାଧ୍ୟମ ଇତିହାସରେ ଏହା ସର୍ବବୃହତ ଶୁଭମୁକ୍ତି ‘ପ୍ରିମିୟର’ । ‘ଦି ଲର୍ଡ ଅଫ ରିଙ୍ଗସ : ଦି ରିଙ୍ଗସ ଅଫ ପାୱାର’ର ପ୍ରଥମ ଅଧିବେଶନ ‘ସିଜନ’ ଅକ୍ଟୋବର ୧୪ ତାରିଖ ଯାଏଁ ପରିବ୍ୟାପ୍ତ ଏବଂ ସପ୍ତାହକୁ ଗୋଟିଏ ନୂଆ ଅଧ୍ୟାୟ ଭିତ୍ତିରେ ମୋଟ ଆଠଗୋଟି ଅଧ୍ୟାୟ ପ୍ରଦର୍ଶନର ବ୍ୟବସ୍ଥା ହୋଇଥିବା ପ୍ରକାଶ ।

‘ଦି ରିଙ୍ଗସ ଅଫ ପାୱାର’ ୧୯୫୪ ଓ ୧୯୫୫ରେ ତିନି ଖଣ୍ଡରେ ପ୍ରକାଶିତ ଜନ ରୋନାଲଡ଼ ରେଭଲ ଟେଲକିନଙ୍କ କାଳ୍ପନିକ ଉପନ୍ୟାସ ‘ଦି ଲର୍ଡ ଅଫ ରିଙ୍ଗସ’ ଆଧାରିତ । ଟେଲକିନ ଜଣେ ବ୍ରିଟିଶ ଅଧ୍ୟାପକ ଓ ଲେଖକ । ସେ ଦକ୍ଷିଣ ଆଫ୍ରିକାରେ ୧୮୯୨ରେ ଜନ୍ମଗ୍ରହଣ କରି ୮୧ ବର୍ଷ ବୟସରେ ଇଂଲ୍ୟାଣ୍ଡରେ ୧୯୭୩ରେ ମୃତ୍ୟୁବରଣ କରିଥିଲେ । ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ୧୯୨୫ରୁ ୧୯୫୯ ଯାଏଁ ପ୍ରାଚ଼ୀନ ଇଂଲିଶ ସାହିତ୍ୟ ଅଧ୍ୟାପନାରେ ସଂପୃକ୍ତ ରହିଥିଲେ । ‘ଦି ରିଙ୍ଗସ ଅଫ ପାୱାର’ ପୂର୍ବରୁ ୧୯୩୭ରେ ପ୍ରକାଶିତ ‘ହୋବିଟ’ ନାମକ ଶିଶୁ ଉପନ୍ୟାସ ତାଙ୍କୁ ଲେଖକଭାବେ ପ୍ରସିଦ୍ଧି ଆଣିଦେଇଥିଲା ।

‘ଦି ଲର୍ଡ ଅଫ ରିଙ୍ଗସ’ ପ୍ରକାଶନ କାଳରୁ ଲୋକପ୍ରିୟତା ହାସଲ କରିଚାଲିଛି । ଏହା ଅନ୍ୟୂନ ୩୮ ଗୋଟି ଭାଷାରେ ଅନୁବାଦିତ ହୋଇଥିବା ଜଣାଯାଏ । ‘ଫୋବର୍ସ’ ପତ୍ରିକା ପକ୍ଷରୁ ୨୦୧୦ରେ ଟେଲକିନଙ୍କୁ ପପ ଗାୟକ ମାଇକେଲ ଜାକସନ ଓ ଚଳଚ଼ିତ୍ର ଅଭିନେତା-ଗାୟକ ଏଲଭିସ ପ୍ରିଷ୍ଟଲେଙ୍କ ପରକୁ ତୃତୀୟ ସର୍ବାଧିକ ପରଲୋକଗତ ଆୟକାରୀ ଗଣମାଧ୍ୟମ ବ୍ୟକ୍ତିତ୍ୱ ଭାବେ ଚ଼ିହ୍ନଟ କରିଥିଲା । ‘ଦି ଲର୍ଡ ଅଫ ରିଙ୍ଗସ’ ଓ ‘ହୋବିଟ’କୁ ନେଇ ରେଡ଼ିଓ, ଟେଲିଭିଜନ, ଚଳଚ଼ିତ୍ର, ଚ଼ିତ୍ରାଙ୍କନ, ସଙ୍ଗୀତ ବିଭିନ୍ନ ମଞ୍ଚରେ ବ୍ୟାପକ ସୃଜନର ଇତିହାସ ରହିଛି । ‘ଦି ଲର୍ଡ ଅଫ ରିଙ୍ଗସ’ ଆଧାରରେ ୨୦୦୧ରେ ଏବଂ ‘ହୋବିଟ’ ଆଧାରରେ ୨୦୧୭ରେ ଦୁଇଗୋଟି ଚଳଚ଼ିତ୍ର ନିର୍ମିତ ହୋଇ ଆଲୋଡ଼ନ ସୃଷ୍ଟି କରିଥିଲା ।

‘ଦି ରିଙ୍ଗସ ଅଫ ପାୱାର’ ମାନବ ସଭ୍ୟତାର ଆଦିକାଳର କାହାଣୀ । ଏହା ସଂପୂର୍ଣ୍ଣ କାଳ୍ପନିକ ତଥା ରହସ୍ୟ-ରୋମାଞ୍ଚମୟ । ଉପନ୍ୟାସଟି ପ୍ରକାଶ ବେଳକୁ ଚଳଚ଼ିତ୍ର ଓ ପରେ ପରେ ଟେଲିଭିଜନ ମଞ୍ଚ ବିକଶିତ ହୋଇଥିଲେ ସୁଦ୍ଧା ଏକ ବିସ୍ତୃତ କାଳ୍ପନିକ ଉପତ୍ୟକାର ଚ଼ିତ୍ରାଙ୍କନ ସମ୍ଭବ ହୋଇପାରିନଥିଲା । ବିଶ୍ୱର ଦ୍ୱିତୀୟ ବିତ୍ତଶାଳୀ ଜେଫ ବେଜୋସଙ୍କ ଆମେଜନ ପ୍ରାଇମ ଶହେ କୋଟି ଆମେରେକୀୟ ଡ଼ଲାର ବ୍ୟୟରେ ଟେଲିଭିଜନ ସିରିଜ ପ୍ରଯୋଜନା କରିବାକୁ ଆଗଭର ହୋଇଥିଲା । ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଶେଷ ବେଳକୁ ଆନିମେସନ କ୍ଷେତ୍ରରେ ଅଗ୍ରଗତି ଏହି ଭଳି ଏକ ଚଳଚ଼ିତ୍ର ନିର୍ମାଣରେ ଆବଶ୍ୟକୀୟ ଭିତ୍ତିଭୂମି ସଜାଡ଼ିବାରେ ସମର୍ଥ ହୋଇପାରିଥିଲା ।

ମହାମାରୀ କାଳରେ ପ୍ରଯୋଜିତ ଏହି ମେଗା ଧାରାବାହିକର ପ୍ରାୟ ୫୦ ଘଣ୍ଟା ଅବଧିର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇସାରିଥିବା ପ୍ରକାଶ । କାଳ୍ପନିକ ପରିବେଶ ପ୍ରସ୍ତୁତିରେ ପ୍ରଯୁକ୍ତି କୌଶଳ, କୃତ୍ରିମ ବୁଦ୍ଧିମତ୍ତା ଭଳି ଅତ୍ୟାଧୁନିକ ବିଭବ ସହାୟକ ହୋଇଛି । ମାନବ ସଭ୍ୟତା ବିକାଶର ପ୍ରାରମ୍ଭିକ ଅବସ୍ଥାରେ ପ୍ରକୃତିର ଆଧିପତ୍ୟ ସମ୍ୱଳିତ ଦୃଶ୍ୟାବଳୀ ଚ଼ିତ୍ରାଙ୍କନ ନିମନ୍ତେ ସୃଜନ ଓ ଆର୍ଥିକ ନିବେଶ ‘ଦି ରିଙ୍ଗସ ଅଫ ପାୱାର’ର ବିଶେଷତ୍ୱ । ଏହି ମେଗା ଧାରାବାହିକର ଅଧିକାଂଶ ସୁଟିଂ ନିଉଜଲାଣ୍ଡରେ ସମ୍ପନ୍ନ ହୋଇଛି ।

ବିଶ୍ୱବ୍ୟାପୀ ଚଳଚ଼ିତ୍ର ଶିଳ୍ପ ସଂକଟର ସମ୍ମୁଖୀନ ହୋଇଥିବା ସ୍ଥଳେ ଓଟିଟି ମଞ୍ଚରେ ପ୍ରଦର୍ଶିତ ମୌଳିକ ଚଳଚ଼ିତ୍ରଗୁଡ଼ିକର ଲୋକପ୍ରିୟତା କେତେକ ପ୍ରଶ୍ନ ଉପସ୍ଥାପନ କରିଥାଏ । ପ୍ରଥମତଃ, ଅତ୍ୟାଧୁନିକ କାରିଗରୀ କୌଶଳ ଉପଯୋଗରେ ଉଭୟ ଚଳଚ଼ିତ୍ର ଓ ଓଟିଟି ମଞ୍ଚରେ ବିଶ୍ୱବ୍ୟାପୀ ପ୍ରଦର୍ଶନ ସଂଭବପର ହୋଇପାରୁଛି । କିନ୍ତୁ ଦର୍ଶକ ପ୍ରେକ୍ଷାଳୟକୁ ନଯାଇ, ନିଜ ରୁଚି ଓ ସମୟସୁବିଧା ଅନୁଯାୟୀ ଓଟିଟି ମଞ୍ଚକୁ ବାଛି ନେଲାଣି କି ? ଦିନକରେ ଅଢେଇ ଶହ ରାଷ୍ଟ୍ରରେ ଅଢ଼େଇ କୋଟି ଦର୍ଶକ କିଛି କମ କଥା ନୁହ ।

ଦ୍ୱିତୀୟତଃ, ବିଚାର କରାଯାଉଥିଲା କାଳ୍ପନିକ ଦୃଶ୍ୟାବଳୀ ପ୍ରେକ୍ଷାଳୟର ରୂପେଲି ପରଦା ବ୍ୟତିରେକେ ଦର୍ଶକୀୟ ଅନୁଭବରେ ପଛୁଆ ପଡ଼ିବ । କିନ୍ତୁ ଅତ୍ୟାଧୁନିକ ଶକ୍ତି ସମ୍ପନ୍ନ ସ୍ମାର୍ଟଫୋନ ଓ ଲ୍ୟାପଟପ ପରଦା ତଥା ଶବ୍ଦ ପ୍ରତିଧ୍ୱନୀର ସୁବିଧା ସେହି ବିଚାରର ବିରୁଦ୍ଧାଚ଼ରଣ କରୁଛି କି ? ତୃତୀୟତଃ, ଓଟିଟି ମଞ୍ଚ ପ୍ରତି ଆନୁଗତ୍ୟ ସହରାଞ୍ଚଳର ଉଚ୍ଚ ଶିକ୍ଷିତ ଆଧୁନିକ ସାଜସରଞ୍ଜାମ ବ୍ୟବହାରକାରୀ ସମ୍ପ୍ରଦାୟରେ ସୀମିତ ରହିବା ଅନୁମାନ ଭୂଲ ପ୍ରମାଣ ହେଲାଣି କି ?

ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ‘ଦି ରିଙ୍ଗସ ଅଫ ପାୱାର’ ଶୁଭମୁକ୍ତି ଦିବସର ମୋଟ ଦର୍ଶକ ସଂଖ୍ୟାରେ ୧୨ ପ୍ରତିଶତ ଭାରତୀୟ ଅନ୍ତର୍ଭୁକ୍ତ । ଆମ ଦେଶର ‘ଓରମାକ୍ସ ମିଡ଼ିଆ’ର ହିସାବରେ ଏଠାକାର ୩୦ ଲକ୍ଷ ଓଟିଟି ଉପଭୋକ୍ତା ମେଗା ଧାରାବାହିକର ଦର୍ଶକ ଗୋଷ୍ଠୀରେ ସାମିଲ ହୋଇଥିଲେ । ଆନ୍ତର୍ଜାତିକସ୍ତରରେ ଭାରତର ଓଟିଟି ବଜାର ଚ଼ତୁର୍ଥ ସ୍ଥାନ ଅଧିକାର କଲାଣି । ୨୦୨୨ ମଧ୍ୟଭାଗ ସୁଦ୍ଧା ଓଟିଟି ମଞ୍ଚରେ ଦେଶର ୧୦ କୋଟି ଦର୍ଶକ ଗ୍ରାହକ ଶ୍ରେଣୀଭୁକ୍ତ ଥିବା ସ୍ଥଳେ ବର୍ଷ ଶେଷରେ ୧୨ କୋଟି ୨୦ ଲକ୍ଷକୁ ବୃଦ୍ଧି ପାଇବା ଆକଳନ କରାଯାଇଥିଲା ।

‘ଦି ରିଙ୍ଗସ ଅଫ ପାୱାର’ତୁଲ୍ୟ କେତେକ ମେଗା ଧାରାବାହିକ ଓଟିଟି ମଞ୍ଚରେ ଲୋକପ୍ରିୟତା ହାସଲ କରିଥିବା ତଥ୍ୟ ଉପଲବ୍ଧ । ‘ନେଟଫ୍ଳିକ୍ସ’ ପକ୍ଷରୁ ‘ଷ୍ଟ୍ରେଞ୍ଜ ଥିଙ୍ଗସ’ ଓ ୱେର୍ନର ବ୍ରଦର୍ସ – ଡିସକଭରି କମ୍ପାନୀ ପକ୍ଷରୁ ‘ହାଉସ ଅଫ ଦି ଡ୍ରାଗନ’କୁ ଉଦାହରଣଭାବେ ଗ୍ରହଣ କରାଯାଇପାରେ । ‘ହେଚବିଓ’ ପ୍ରଯୋଜିତ ମଧ୍ୟଯୁଗୀୟ କାହାଣୀ ‘ଗେମ ଅଫ ଥ୍ରୋନ୍ସ’ ୨୦୧୧ରୁ ୨୦୧୯ ଯାଏଁ ଆଠବର୍ଷ ଧରି ପ୍ରଦର୍ଶିତ ହୋଇଥିଲା । ସହରାଞ୍ଚଳ ଭଳି ଭାରତର ଗ୍ରାମାଞ୍ଚଳରେ ମଧ୍ୟ ଓଟିଟି ମଞ୍ଚର ଗ୍ରାହକ ଓ ଦର୍ଶକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ହଲିଉଡ଼ ଚଳଚ଼ିତ୍ର ବଲିଉଡ଼ କିମ୍ୱା ଆଞ୍ଚଳିକ ଚଳଚ଼ିତ୍ରର ସମକକ୍ଷ ହୋଇପାରି ନଥିଲା । କିନ୍ତୁ ଓଟିଟି ମଞ୍ଚରେ ଆନ୍ତର୍ଜାତିକସ୍ତରରେ ପ୍ରଦର୍ଶିତ ମେଗା ଧାରାବାହିକଗୁଡ଼ିକ ସ୍ଥାନୀୟ ଦର୍ଶକଙ୍କୁ ବିମୋହିତ କରୁଥିବା ଉଦାହରଣ ଭାରତୀୟ ଚଳଚ଼ିତ୍ର ପ୍ରତି ସତର୍କ ଘଣ୍ଟି ବିଚାର କରାଯାଇପାରେ । ଏକ ପକ୍ଷରେ ବଲିଉଡ଼ ହେଉ ବା ଓଲିଉଡ଼, ଓଟିଟିକୁ ସାବତ-ମା ଦୃଷ୍ଟିରେ ବିଚାର କରୁଥିବା ହେତୁ ମୂଳରୁ ଓଟିଟି ମଞ୍ଚରେ ଆମେ ଦୁର୍ବଳ ହୋଇପଡୁଛୁ କି ? କ’ଣ ହେବା ଉଚ଼ିତ ମାନସିକତା ପରିବର୍ତ୍ତନ କରି ପ୍ରଚଳିତ ଧାରାରେ ଆମେ ନିଜକୁ କେମିତି ପ୍ରତିଷ୍ଠିତ କରିପାରିବା ସେଥିପ୍ରତି ଅନ୍ତତଃ ମନୋରଞ୍ଜନ କ୍ଷେତ୍ରରେ ଯତ୍ନବାନ ହେବା ସମୟ ଉପନୀତ । ଅପରପକ୍ଷରେ ସାତ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଦି ରିଙ୍ଗସ ଅପ ପାୱାର’କୁ ଓଟିଟି ମଞ୍ଚରେ ମୁକାବିଲା କରିବା ନିମନ୍ତେ ନବ-ସୃଜନ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଏପରି ତ ଜଣା ଗଲାଣି ପରିବର୍ତ୍ତିତ ମହାମାରୀ-ପର ପରିବେଶ ‘ନ୍ୟୂ-ନରମାଲ’ରେ ଆଞ୍ଚଳିକ ଗଣମାଧ୍ୟମ ଗଭୀର ଆଞ୍ଚଳିକତାଧର୍ମୀ ଆଭିମୁଖ୍ୟ ଗ୍ରହଣନକରିପାରିଲେ ତିଷ୍ଟି ରହିବା ଅସଂଭବ ।

Related Post