ଆଜିର ଖାସ ଖବର
Sat. May 30th, 2026

ସ୍ୱାବଲମ୍ୱୀ ସମ୍ୱାଦ ମଞ୍ଚ

By Dainikasha Jul12,2024

ସମକାଳରେ ସମ୍ୱାଦ ମଞ୍ଚଗୁଡ଼ିକର ବ୍ୟାବସାୟିକ ସ୍ଥିତି ସମସ୍ୟାବହୁଳ ହୋଇପଡ଼ିଛି । ପାରମ୍ପରିକ ଭାବେ ମୁଦ୍ରଣଠାରୁ ଆରମ୍ଭ କରି ଡିଜିଟାଲ ସମସ୍ତ ଆଙ୍ଗିକରେ ସମ୍ୱାଦ ମଞ୍ଚ ବିଜ୍ଞାପନ ଆଶ୍ରିତ ଧାରା ‘ମଡ଼େଲ’ରେ ବିକଶିତ ହୋଇଆସିଥିଲା । ଆନ୍ତର୍ଜାତିକସ୍ତରରେ ପ୍ରଥମ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ରେଡ଼ିଓର ବ୍ୟାପ୍ତି ମୁଦ୍ରଣ ସମ୍ୱାଦ ଶିଳ୍ପକୁ ବିଶେଷ ପ୍ରଭାବିତ କରିପାରିନଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଟେଲିଭିଜନର ପ୍ରସାର ସମୁଦାୟ ବିଜ୍ଞାପନ ବ୍ୟୟରୁ ସିଂହଭାଗ ଦାବୀ କରିବା ସତ୍ତ୍ୱେ ବିଜ୍ଞାପନ ବଜାରରେ ବ୍ୟାପକ ଅଭିବୃଦ୍ଧି ଏବଂ ମୁଦ୍ରଣ ସମ୍ୱାଦ ମଞ୍ଚଗୁଡ଼ିକରେ ବର୍ଗୀକୃତ ‘କ୍ଳାସିଫାଇଡ଼’ ତଥା ସ୍ଥାନୀୟ ‘ଲୋକାଲ’ ବିଜ୍ଞାପନ ପ୍ରକାଶନରେ ସ୍ୱତନ୍ତ୍ରତା ହେତୁ ଉଭୟ ବ୍ୟବସାୟର ସହବସ୍ଥାନ ସଂଭବପର ହୋଇଥିଲା । ତେବେ ବିଂଶଶତାଦ୍ଦୀର ଶେଷ ଦୁଇ ଦଶକରୁ ଇଣ୍ଟରନେଟର ବ୍ୟାପ୍ତି ଓ ଜଗତୀକରଣ ପରିବେଶ ଟେଲିଭିଜନ ସହ ବୁଝାମଣା କରିଥିବା ସ୍ଥଳେ ମୁଦ୍ରଣର ପରିପନ୍ଥୀ ସାଜିଲା । ଅଗତ୍ୟା ମୁଦ୍ରଣ ସମ୍ୱାଦମଞ୍ଚ ଡିଜିଟାଲ ମଞ୍ଚ ମୁହାଁ ହେବାକୁ ବାଧ୍ୟ ହେଲା ।

ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକରେ ବିକଶିତ ରାଷ୍ଟ୍ରଗୁଡ଼ିକରେ ବିଜ୍ଞାପନ ଆୟ ହ୍ରାସ କାରଣରୁ ମୁଦ୍ରଣ ସମ୍ୱାଦ ମଞ୍ଚର ବ୍ୟବସାୟ ବିଲୁପ୍ତ ହୋଇ ଆସୁଥିବା ବେଳେ ୨୦୨୦ରେ ବର୍ଷ ସାରା ମହାମାରୀଜନିତ ଅର୍ଥନୀତିକ ମାନ୍ଦାବସ୍ଥା ଉଭୟ ଟେଲିଭିଜନ ଓ ଡ଼ିଜିଟାଲ ମଞ୍ଚକୁ ମଧ୍ୟ ସଂକ୍ରମିତ ହେବାରେ ଲାଗିଲା । ଫଳରେ ବିଶ୍ୱବ୍ୟାପୀ ସମ୍ୱାଦ ମଞ୍ଚଗୁଡ଼ିକ ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ ଉପନୀତ । ଏହି ପରିପ୍ରେକ୍ଷୀରେ ସମ୍ୱାଦ ମଞ୍ଚ ବ୍ୟବସାୟ କିପରି ତିଷ୍ଠି ରହିପାରିବ ସେହି ଦିଗରେ ବିକଳ୍ପ ମଡ଼େଲ ମାନ ଉପଯୋଗରେ ପରୀକ୍ଷାନିରୀକ୍ଷା ଚାଲିଛି ।

ପରିବର୍ତ୍ତିତ ପରିବେଶରେ ବିଜ୍ଞାପନ ବ୍ୟୟ ମୁଖ୍ୟତଃ ସୋସିଆଲ ମିଡ଼ିଆ ମଞ୍ଚ ଆୟତ୍ତ କରିନେଉଥିବା ହେତୁ ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକ ବିଜ୍ଞାପନ ଆଶ୍ରିତ ମଡ଼େଲରୁ ଗ୍ରାହକ ଚାନ୍ଦା ଆଶ୍ରିତ ମଡ଼େଲକୁ ପରିବର୍ତ୍ତନ ବିନା ଅନ୍ୟପନ୍ଥା ନାହିଁ । ଟେଲିଭିଜନ ସମ୍ୱାଦ ଚ୍ୟାନେଲଗୁଡ଼ିକ କିଛି ଗ୍ରାହକ ଚାନ୍ଦା ପାଉଥିବା ତଥା ଦର୍ଶକ ସଂଖ୍ୟା ଅଧିକ ଥିବା ହେତୁ ବିଜ୍ଞାପନ ଆୟ ପାଇବା ଆଶାଥିବା ସ୍ଥଳେ ମୁଦ୍ରଣ ଓ ଡ଼ିଜିଟାଲ ସମ୍ୱାଦମଞ୍ଚଗୁଡ଼ିକୁ ବିକଳ୍ପ ଆୟ ପନ୍ଥା ଖୋଜି ବାହାର କରିବାକୁ ପଡ଼ିବ । ବଦାନ୍ୟତା ତଥା ସରକାରୀ ପୃଷ୍ଠପୋଷକତା ମଡ଼େଲ ଏକ ପକ୍ଷରେ ଅତି ସ୍ୱଳ୍ପ ସଂଖ୍ୟକ ସମ୍ୱାଦ ମଞ୍ଚକୁ ସୁହାଇବା ସୁଯୋଗ ଥିବା ସ୍ଥଳେ ଅପରପକ୍ଷରେ ଏହି ମଡ଼େଲରେ ଦୀର୍ଘକାଳୀନ ବ୍ୟବସାୟ ସମ୍ଭବପର ନୁହ । ଅନିଶ୍ଚିତତା ମଧ୍ୟରେ କାଳାତିପାତ କରିବା ବଦଳରେ ସ୍ଥାୟୀ ସମାଧାନ ନିମନ୍ତେ ଉଦ୍ୟମ ଅପରିହାର୍ଯ୍ୟ ।

ମୁଦ୍ରଣ ଓ ଡିଜିଟାଲ ସମ୍ୱାଦ ମଞ୍ଚ ଗୁଡ଼ିକର ସ୍ୱାବଲମ୍ୱୀ ‘ସଷ୍ଟେନବଲ’ ବ୍ୟାବସାୟିକ ମଡ଼େଲ ସନ୍ଧାନରେ ବହୁ ଗବେଷକ ମନୋନିବେଶ କରିଥାନ୍ତି । ଏହି କ୍ଷେତ୍ରରେ ସ୍ପେନର ନାଭାରା ବିଶ୍ୱବିଦ୍ୟାଳୟର ଗଣଯୋଗାଯୋଗ ଅଧ୍ୟାପକ ଜେମସ ବ୍ରେନିୟରଙ୍କ ଗବେଷଣାର ନିଷ୍କର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ । ଜେମସ ଅନ୍ୟ ଦୁଇଜଣ ଅଧ୍ୟାପକଙ୍କ ସହଯୋଗରେ ପୂର୍ବ ଓ ପଶ୍ଚିମ ୟୁରୋପ, ଦକ୍ଷିଣ ଆମେରିକା ଓ ଯୁକ୍ତରାଷ୍ଟ୍ର ଆମେରିକାର କୋଡ଼ିଏ ଗୋଟି ସ୍ୱାବଲମ୍ୱୀ ସମ୍ୱାଦ ମଞ୍ଚର ବ୍ୟାବସାୟିକ ମଡ଼େଲର ବିସ୍ତୃତ ଅନୁଧ୍ୟାନ କରିଥିଲେ । ଗବେଷଣା ଶେଷରେ ଏହି ସ୍ୱାବଲମ୍ୱୀ ‘ସଷ୍ଟେନବଲ’ ସମ୍ୱାଦମଞ୍ଚଗୁଡ଼ିକର ପାଞ୍ଚଗୋଟି ପ୍ରମୁଖ ଆଭିମୁଖ୍ୟ ଚ଼ିହ୍ନଟ କରାଯାଇଛି ।

ପ୍ରଥମତଃ, ବ୍ୟବସାୟ ପରିଚାଳନାରେ ସଫଳତା ହାସଲ କରିଥବା ସମଗ୍ର ୨୦ ଗୋଟି ସମ୍ୱାଦ ମଞ୍ଚ ନିଜକୁ ସ୍ୱାଧୀନ ଘୋଷଣା କରିଥାନ୍ତି । ସେମାନଙ୍କ କୌଣସି ରାଜନୈତିକ କିମ୍ୱା ବ୍ୟାବସାୟିକ ଆନୁଗତ୍ୟ ନାହିଁ । ସ୍ୱାଧୀନ ସମ୍ୱାଦ ମଞ୍ଚ ରୂପେ ପାଠକଙ୍କ ବିଶ୍ୱାସଭାଜନ ହେବା ବ୍ୟବସାୟରେ ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ଉପାଦାନ ବିବେଚନା କରାଯାଏ । ସମ୍ପାଦନା ଓ ପ୍ରକାଶନ ପରିଚାଳନାରେ ସ୍ୱଚ୍ଛତା ଅବଲମ୍ୱନକଳ୍ପେ ପ୍ରତ୍ୟେକଟି ସମ୍ୱାଦ ମଞ୍ଚ ନିଜ ବରିଷ୍ଠ କର୍ମଚାରୀଙ୍କ ପରିଚ଼ୟ, ଆୟ ବ୍ୟୟଜନିତ ହିସାବଫର୍ଦ୍ଦ ଓ ପୃଷ୍ଠପୋଷକଙ୍କ ସଂପର୍କରେ ଟିକିନିଖି ବିବରଣୀ ସର୍ବସାଧାରଣରେ ପ୍ରକାଶ କରିଥାନ୍ତି ।

ଅଧିକାଂଶ ସ୍ୱାବଲମ୍ୱୀ ସମ୍ୱାଦ ମଞ୍ଚ ଅନୁସନ୍ଧାନଧର୍ମୀ ସାମ୍ୱାଦିକତା ‘ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଜିମ’କୁ ପ୍ରାଧାନ୍ୟ ଦେଇଥାନ୍ତି । ଚ଼ିହ୍ନଟ କରାଯାଇଥିବା ୨୦ ଗୋଟି ମଞ୍ଚରୁ ୧୪ ଗୋଟି ମୂଳତଃ ତଦନ୍ତଧର୍ମୀ । ସେମାନେ ସମ୍ୱାଦ ସଂଗ୍ରହର ସୂତ୍ରାବଳୀ ‘ମେଥେଡ଼ୋଲଜି’ ପାଠକଙ୍କ ଅବଗତି ନିମନ୍ତେ ସୂଚ଼ିତ କରିବାକୁ ପଛାଇନଥାନ୍ତି ।

ନିରପେକ୍ଷ ସମ୍ୱାଦ ମଞ୍ଚ ଓ ସେଗୁଡ଼ିକର ସ୍ୱାଧୀନ କାର୍ଯ୍ୟଧାରା ପାଠକମାନଙ୍କ ବିଶ୍ୱାସଭାଜନ ହେଉଥିବା ଏହି ଗବେଷଣାରୁ ସୁସ୍ପଷ୍ଟ । ସମକାଳୀନ ଘଟଣାଗୁଡ଼ିକର ସବିଶେଷ ତଥ୍ୟ ପାଠକମାନେ ଖୋଜନ୍ତି ଏବଂ ସେହିଭଳି ସୂତ୍ରର ସନ୍ଧାନ ପାଇଲେ ଗ୍ରାହକ ଚାନ୍ଦା ବିନିମୟରେ ସମ୍ୱାଦମଞ୍ଚରେ ଉପସ୍ଥିତ ରହିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି ।

ଦ୍ୱିତୀୟତଃ, ସଫଳ ସମ୍ୱାଦ ମଞ୍ଚଗୁଡ଼ିକ ସ୍ଥାନୀୟ ଜନଜୀବନର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥାନ୍ତି । ପାଠକମାନଙ୍କ ସମସ୍ୟା ଆଧାରିତ ସମ୍ୱାଦ ସେମାନଙ୍କୁ ସମ୍ୱାଦମଞ୍ଚ ପ୍ରତି ଆକର୍ଷିତ କରେ । ସର୍ବେକ୍ଷଣରେ ଚ଼ିହ୍ନଟ କରାଯାଇଥିବା ସମ୍ୱାଦ ମଞ୍ଚଗୁଡ଼ିକ ମଧ୍ୟରୁ ଅର୍ଦ୍ଧେକ ବିଜ୍ଞାପନ ପ୍ରକାଶ କରନ୍ତି ନାହିଁ । ଅନ୍ୟମାନେ ବିଜ୍ଞାପକମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଅନ୍ତି ନାହିଁ ।

ଏଥିରୁ ସ୍ପଷ୍ଟ ଅନୁମିତ ହୁଏ ଯେ ସମ୍ୱାଦମଞ୍ଚଗୁଡ଼ିକ ପାଠକଙ୍କ ସ୍ୱାର୍ଥ ସମ୍ୱଳିତ ସମ୍ୱାଦ ପ୍ରକାଶନ ପ୍ରତି ଯତ୍ନଶୀଳ ହେଲେ ସେମାନେ ସଂପୃକ୍ତ ସମ୍ୱାଦ ମଞ୍ଚପ୍ରତି ଆକର୍ଷିତ ତଥା ଗ୍ରାହକ ଶ୍ରେଣୀଭୁକ୍ତ ହେବା ସମ୍ଭବପର ।

ତୃତୀୟତଃ, ସର୍ବେକ୍ଷଣରେ ବିଶ୍ଳେଷଣ କରାଯାଇଥିବା ସମସ୍ତ ସ୍ୱାବଲମ୍ୱୀ ସମ୍ୱାଦମଞ୍ଚ ଡିଜିଟାଲ-ଫାଷ୍ଟ । ଏତଦ୍ୱାରା ତିନିଗୋଟି ଉଦ୍ଦେଶ୍ୟ ଚରିତାର୍ଥ ହୋଇଥାଏ । ଡିଜିଟାଲ-ଫାଷ୍ଟ ପରିବେଶରେ ଉପଭୋକ୍ତାଗଣ ତତ୍ କ୍ଷଣାତ ଘଟଣା ସଂପର୍କରେ ଅବଗତ ହୋଇ ଗଭୀର ଅନୁଧ୍ୟାନ ନିମନ୍ତେ ଆଗ୍ରାହାନ୍ୱିତ ହୋଇଥାନ୍ତି, ପ୍ରକାଶିତ ସମ୍ୱାଦଗୁଡ଼ିକ ହାଇପର-ଲିଙ୍କ ଯୋଗେ ମୌଳିକ ସୂତ୍ର ସହ ଉପଭୋକ୍ତାଙ୍କୁ ସଂଯୁକ୍ତ କରିବା ଫଳରେ ବିଶ୍ୱାସନୀୟତା ବୃଦ୍ଧି ପାଏ ଏବଂ ସୋସିଆଲ ମିଡ଼ିଆରେ ସେୟାର ହେବା ବିଭବ ଉପଯୋଗରେ ଅଧିକରୁ ଅଧିକ ସଂଖ୍ୟକଙ୍କୁ ଆକୃଷ୍ଟ କରିପାରିରେ । ଏଦତ୍ ବ୍ୟତୀତ ଡିଜିଟାଲ-ଫାଷ୍ଟ ଆଙ୍ଗିକ ମଲଟିମିଡ଼ିଆ ବ୍ୟବହାରର ସୁଯୋଗ ସୃଷ୍ଟି କରେ ।

ଚ଼ତୁର୍ଥତଃ, ସମସ୍ତ ସମ୍ୱାଦମଞ୍ଚ ପାଠକମାନଙ୍କ ସହ ସମ୍ୱାଦ ପ୍ରସାରଣ ପ୍ରକ୍ରିୟାରେ ସହବନ୍ଧିତ ହେବା ‘ଅଡ଼ିଏନ୍ସ ଏଙ୍ଗେଜମେଣ୍ଟ’ ନିମନ୍ତେ ଅନବରତ ପ୍ରୟାସ ଜାରୀ ରଖିଥାନ୍ତି । ଡିଜିଟାଲ-ଫାଷ୍ଟ ସମ୍ୱାଦ ଉପସ୍ଥାପନ କାଳରେ ପାଠକ ଓ ଦର୍ଶକମାନଙ୍କ ମନ୍ତବ୍ୟ ‘କମେଣ୍ଟ’ ପ୍ରକାଶନ ଏକ ବଡ଼ ସୁଯୋଗ । ସେହିପରି ସମ୍ୱାଦ, ଗ୍ରାହକ ଓ ଦାନ ସଂଗ୍ରହ କ୍ଷେତ୍ରରେ ମଧ୍ୟ ଉପଭୋକ୍ତାଙ୍କୁ ସାମିଲ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଥାଏ । ପରବର୍ତ୍ତିତ ପରିସ୍ଥିତିରେ ସାମ୍ୱାଦିକ, ପ୍ରକାଶକ ଓ ଉପଭୋକ୍ତା ପ୍ରକାଶନ ଉଦ୍ୟମରେ ସମ୍ମିଳିତ ହେଲେ ଯାଇ ସମ୍ୱାଦମଞ୍ଚ ସ୍ୱାବଲମ୍ୱୀ ହେବା ସଂଭବ ବୋଲି ଅନୁଧ୍ୟାନରୁ ଜଣାଯାଏ ।

ପଞ୍ଚମତଃ, ଗବେଷଣା ନିମନ୍ତେ ନିର୍ବାଚିତ ଆନ୍ତର୍ଜାତିକସ୍ତରର ୨୦ ଗୋଟି ସ୍ୱାବଲମ୍ୱୀ ସମ୍ୱାଦ ମଞ୍ଚ କୌଣସି ରାଜନେତା, ବ୍ୟବସାୟୀ ବା ସାମାଜିକ ଅନୁଷ୍ଠାନ ବଦଳରେ ଅଭିଜ୍ଞ ସାମ୍ୱାଦିକମାନଙ୍କ ଦ୍ୱାରା ପ୍ରତିଷ୍ଠିତ । ସେଥିମଧ୍ୟରୁ ଅଧିକାଂଶ ସାମ୍ୱାଦିକ ଅତୀତରେ ପାରମ୍ପରିକ ମୁଦ୍ରଣ ବା ଟେଲିଭିଜନ ମଞ୍ଚରେ କାର୍ଯ୍ୟ କରୁଥିଲେ । ସେମାନଙ୍କ ଅଭିଜ୍ଞତା, ପ୍ରସିଦ୍ଧି ଓ ବିଶ୍ୱାସନୀୟତା ନୂତନ ସମ୍ୱାଦମଞ୍ଚ ଗଢ଼ି ତୋଳିବାରେ ସହାୟକ ହୋଇଥିବା ପ୍ରମାଣିତ । ପ୍ରତିଷ୍ଠାତାଙ୍କ ବ୍ୟକ୍ତିତ୍ୱ ସମ୍ୱାଦମଞ୍ଚ ନିମନ୍ତେ ନିବେଶକ, ସାମ୍ୱାଦିକ ଓ କର୍ମଚାରୀଙ୍କୁ ଆକର୍ଷିତ କରିଥିବା ଜଣାଯାଏ ।

ୟୁରୋପୀୟ ରାଷ୍ଟ୍ରପୁଞ୍ଜ, ଲାଟିନ ଆମେରିକା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୨୦ରେ ଆୟୋଜିତ ଜେମେସ ବ୍ରେନିୟରଙ୍କ ସର୍ବେକ୍ଷଣର ନିଷ୍କର୍ଷ ବିଶ୍ୱର ବିଭିନ୍ନ ପ୍ରାନ୍ତ ନିମନ୍ତେ ଊଣାଅଧିକେ ପ୍ରଯୁଜ୍ୟ ବୋଲି ବିଶ୍ୱାସ କରାଯାଇପାରେ । ଓଡ଼ିଶାଭଳି ରାଜ୍ୟରେ ଶିକ୍ଷା, ଅର୍ଥନୀତି ଓ ଡ଼ିଜିଟାଲ କ୍ଷେତ୍ରରେ ଅନଗ୍ରସରତା କେତେ ପରିମାଣରେ ଅନ୍ତରାୟ ସୃଷ୍ଟି କଲେ ସୁଦ୍ଧା ରାଜ୍ୟବାସୀ ଦୃତ ବେଗରେ ଡିଜିଟାଲ ମୁହାଁ ହେଉଥିବା ହେତୁ ପାରମ୍ପରିକ ସାମ୍ୱାଦିକତାରେ ସମ୍ଭାବ୍ୟ ବିଘଟନର ମୁକାବିଲା ନିମନ୍ତେ ପୂର୍ବପ୍ରସ୍ତୁତିର ଉପାଦେୟତାକୁ ଅସ୍ୱୀକାର କରିହେବ ନାହିଁ । 

Related Post