ଭାରତୀୟ ଚଳଚ଼ିତ୍ର ଶିଳ୍ପର ଆୟ ୨୦୧୮ ତୁଳନାରେ ୨୦୧୯ରେ ୧୧.୬ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ସମକାଳୀନ ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ଏକ ଉଲ୍ଲେଖନୀୟ ଘଟଣା । ଇଣ୍ଟରନେଟ ପ୍ରସାର ଓ ସ୍ମାର୍ଟଫୋନ ବ୍ୟବହାରରେ ସୋସିଆଲ ମିଡ଼ିଆର ଗୁରୁତ୍ୱ ବୃଦ୍ଧି ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ବିଘଟନ ଘଟାଉଥିବା ସ୍ଥଳେ ପ୍ରବେଶ ଶୁଳ୍କ ଦେଇ ପ୍ରେକ୍ଷାଳୟରେ ଚଳଚ଼ିତ୍ର ଉପଭୋଗ ନିମନ୍ତେ ଦର୍ଶକ ସଂଖ୍ୟା ଓ ଆୟ ଅଭିବୃଦ୍ଧି ଭାରତୀୟ ଚଳଚ଼ିତ୍ର ଶିଳ୍ପରେ ଗୁଣବତ୍ତା ବିକାଶ ସୂଚ଼ିତ କରିଥାଏ ।
‘ଓରମାକ୍ସ’ ମିଡ଼ିଆ ଦ୍ୱାରା ପ୍ରସ୍ତୁତ ‘ବକ୍ସ ଅଫିସ ରିପୋର୍ଟ ୨୦୧୯’ ଅନୁଯାୟୀ ୨୦୧୮ରେ ଦେଶର ପ୍ରେକ୍ଷାଳୟଗୁଡ଼ିକରେ ୯୪ କୋଟି ୫୦ ଲକ୍ଷ ଟିକଟ ବିକ୍ରୀ ହୋଇ ୯,୮୧୦ କୋଟି ଟଙ୍କା ଆଦାୟ ହୋଇଥିବା ସ୍ଥଳେ ୨୦୧୯ରେ ୧୦୩ କୋଟି ଟିକଟ ବିକ୍ରୀ ହୋଇ ୧୦,୯୪୮ କୋଟି ଟଙ୍କା ଆଦାୟ ହୋଇଥିଲା । ବକ୍ସ ଅଫିସ ଆୟ ସର୍ବାଧିକ ୪୪ ପ୍ରତିଶତ ହିନ୍ଦି ଚଳଚ଼ିତ୍ର ଦାବୀ କରିଥିଲା । ତା’ପରକୁ ୧୫ ପ୍ରତିଶତ ହଲିଉଡ଼ ଚଳଚ଼ିତ୍ର ଏବଂ ତାମିଲ ଓ ତେଲୁଗୁ ପ୍ରତ୍ୟେକ ୧୩ ପ୍ରତିଶତ ତଥା ମାଳାୟଳମ ଓ କନ୍ନଡ଼ ପ୍ରତ୍ୟେକ ୫ ପ୍ରତିଶତ ଆୟ କରିଥିଲେ । ପଞ୍ଜାବୀ ୨ ପ୍ରତିଶତ ଏବଂ ମରାଠୀ, ବଙ୍ଗାଳୀ, ଗୁଜରାଟୀ ସହ ଅନ୍ୟ ଭାଷା ସମୂହ ଚଳଚିତ୍ରରୁ ୩ ପ୍ରତିଶତ ଆୟ ହିସାବ କରାଯାଏ ।
ବାର୍ଷିକ ହିସାବରେ ହଲିଉଡ଼ରେ ପ୍ରଯୋଜିତ ‘ଏଭେଞ୍ଜରସ ଏଣ୍ଡ ଗେମ’ ୪୩୩ କୋଟି ସଂଗ୍ରହ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ଥଳେ ପ୍ରମୁଖ ୧୦ ଗୋଟି ଚଳଚ଼ିତ୍ର ମଧ୍ୟରେ କ୍ରମାନ୍ୱୟରେ ‘ୱାର’ (୩୫୭ କୋଟି), ‘ସାହେ’ (୩୪୯ କୋଟି), ‘କବୀର ସିଂ’ (୩୨୧ କୋଟି), ‘ଊରି’ (୨୮୩ କୋଟି), ‘ହାଉସଫୁଲ ୪’ (୨୩୯ କୋଟି), ‘ଗୁଡ଼ ନିଉଜ’ (୨୩୦ କୋଟି), ‘ଭାରତ’ (୨୨୯ କୋଟି), ‘ମିଶନ ମଙ୍ଗଳ’ (୨୨୪ କୋଟି), ‘ସେରା’ (୧୯୬ କୋଟି) ଓ ‘ଦି ଲାୟନ କିଙ୍ଗ’ (୧୮୪ କୋଟି) ସ୍ଥାନିତ ।
ପ୍ରେକ୍ଷାଳୟରେ ଟିକଟ କ୍ରୟରେ ୩୩ ପ୍ରତିଶତ ହିନ୍ଦି, ୧୯ ପ୍ରତିଶତ ତାମିଲ ଓ ୧୮ ପ୍ରତିଶତ ତେଲୁଗୁ ଚଳଚ଼ିତ୍ର ଦର୍ଶକ ଅନ୍ତର୍ଭୁକ୍ତ । ତା’ପରକୁ ହଲିଉଡ଼ ଓ ମାଳାୟଳମ ଚଳଚ଼ିତ୍ର ଦର୍ଶକଙ୍କ ସଂଖ୍ୟା । ବିଗତ ଚାରି ବର୍ଷ ଧରି ପ୍ରେକ୍ଷାଳୟ ଦର୍ଶକଙ୍କ ସଂଖ୍ୟା ସ୍ଥିର ରହିବା କିମ୍ୱା କମିଥିବା ସ୍ଥଳେ ୨୦୧୯ରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ଜାତୀୟସ୍ତରର ପରିସଂଖ୍ୟାନରେ ଓଡ଼ିଆ ଚଳଚ଼ିତ୍ର ଶିଳ୍ପର ଉଲ୍ଲେଖନୀୟ ଅବଦାନ ନାହିଁ କହିଲେ ଚଳେ । ଦେଶର ମୋଟ ଚଳଚ଼ିତ୍ର ପ୍ରଦର୍ଶନ ଆୟର ୩ ପ୍ରତିଶତ ଆୟରେ ଓଡ଼ିଆ ଚଳଚିତ୍ର ମରଠୀ, ବଙ୍ଗାଳୀ ଓ ଗୁଜରାଟୀ ସହ ଅନ୍ୟାନ୍ୟ ଭାଷାର ଚଳଚ଼ିତ୍ରଗୁଡ଼ିକ ସାମିଲ ହୋଇଥିବା ଜଣାଯାଏ ।
ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ଭାରତୀୟମାନେ ଦୈନିକ ହାରାହାରି ଚ଼ାରି ଘଣ୍ଟା ଯାଏଁ ଟେଲିଭିଜନ ଦେଖୁଥିବା ଓ ଘଣ୍ଟାଏରୁ ଦୁଇ ଘଣ୍ଟା ସ୍ମାର୍ଟଫୋନରେ ବିତାଉଥିବା ତଥା ପ୍ରତ୍ୟେକ ପରିବାରକୁ ବିଦ୍ୟୁତ ସଂଯୁକ୍ତି ପରେ ଟେଲିଭିଜନ ଦର୍ଶକ ସଂଖ୍ୟା ବଢ଼ିଥିବା ଏବଂ ୫୦ କୋଟି ଯାଏଁ ସ୍ମାର୍ଟଫୋନ ବ୍ୟବହାର ହେଉଥିବା ଅବସରରେ ଚଳଚ଼ିତ୍ର ଶିଳ୍ପର ଅଭିବୃଦ୍ଧିର କାରଣ ମୁଖ୍ୟତଃ ଭାରତୀୟ ଚଳଚ଼ିତ୍ର ଶିଳ୍ପରେ ଗୁଣବତ୍ତା ବିକାଶକୁ ଗଣମାଧ୍ୟମ ବିଶ୍ଳେଷକମାନେ ଶ୍ରେୟ ଦେଇଥାନ୍ତି ।
ଭାରତୀୟ ଚଳଚ଼ିତ୍ରରେ କାହାଣୀ, ଚ଼ିତ୍ରନାଟ୍ୟ, ଅଭିନେତା, ଦୃଶ୍ୟସଜ୍ଜା ତଥା କାରିଗରୀ କୌଶଳ ପ୍ରୟୋଗ ଇତ୍ୟାଦିରେ ମୌଳିକତା ପରିସ୍ପୁଟନକୁ ଅଗ୍ରାଧିକାର ଦର୍ଶକୀୟ ସ୍ୱୀକୃତିର ମୁଖ୍ୟ ଆଧାର । ଚଳଚ଼ିତ୍ର ନିର୍ମାଣରେ ସୌଖୀନ ମନୋଭାବ କ୍ରମଶଃ ବୃତ୍ତିଭିତ୍ତିକ ଢ଼ାଞ୍ଚାରେ ପରିବର୍ତ୍ତିତ ହେବାପରେ ଆବଶ୍ୟକୀୟ ଶୃଙ୍ଖଳା ସୃଷ୍ଟିରେ ସହାୟତା ଯୋଗାଇଛି । ଚଳଚ଼ିତ୍ର ବିସ୍ତୃତ ଦର୍ଶକମାନଙ୍କ ନିମନ୍ତେ ପ୍ରସ୍ତୁତ ହେଉଥିବା କାରଣରୁ ଏଥିରେ ସୁକ୍ଷ୍ମାତିସୁକ୍ଷ୍ମ କ୍ଷେତ୍ରରେ ନିପୂଣତା ଆବଶ୍ୟକ କରିଥାଏ । ମୁମ୍ୱାଇ, ଚ଼େନ୍ନାଇ, ହାଇଦରାବାଦ, ବେଙ୍ଗାଲୁରୁ, ତିରୁଭନ୍ତପୁରମ ଓ କୋଲକତାରେ ଏଦିଗରେ ନିର୍ଭରଶୀଳ ଚଳଚ଼ିତ୍ର ନିର୍ମାଣ ନିମନ୍ତେ ପରିବେଶ ସୃଷ୍ଟି ଫଳରେ ଚଳଚ଼ିତ୍ରର ମାନବୃଦ୍ଧି ହୋଇପାରିଛି ।
ଚଳଚ଼ିତ୍ରଗୁଡ଼ିକରେ ଲୋକପ୍ରିୟ ଅଭିନେତା ଅଭିନେତ୍ରୀଙ୍କ ଅଂଶଗ୍ରହଣ ଚଳଚ଼ିତ୍ର ଆୟ ବୃଦ୍ଧିରେ ସହାୟକ ହେଉଥିଲେ ହେଁ ଉତ୍କୃଷ୍ଟ କାହାଣୀ ଓ ନିର୍ମାଣରେ ନିପୂଣତା ମଧ୍ୟ ଆୟବୃଦ୍ଧିର ବାଟ ଓଗାଳୁ ନାହିଁ । ଉଦାହରଣରେ ୨୦୧୯ରେ ଲୋକପ୍ରିୟ ଅଭିନେତା ସଲମନ ଖାନ ଅଭିନୀତ ‘ଦବଙ୍ଗ-୩’ର ଶୁଭମୁକ୍ତିର ପ୍ରଥମ ତିନିଦିନର ବକ୍ସ ଅଫିସ ଆୟ ୩୨ କୋଟି ଥିବା ସ୍ଥଳେ କୌଣସି ଲୋକପ୍ରିୟ ଅଭିନେତା ଅଭିନୟ କରିନଥିବା ‘ଚିଚୋର’ର ଆୟ ୬ କୋଟିରେ ସୀମିତ ଥିଲା । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ‘ଦବଙ୍ଗ-୩’ର ମୋଟ ଆୟ ୧୪୦ କୋଟିକୁ ‘ଚିଚୋର’ ଛୁଇଁପାରିଥିଲା ।
ଭାରତରେ ଚଳଚ଼ିତ୍ର ଦର୍ଶକଙ୍କ ସଂଖ୍ୟା ବୃଦ୍ଧିର ଅନ୍ୟତମ କାରଣ ରୂପେ ଏକାଧିକ ଭାରତୀୟ ଭାଷାରେ ଚଳଚ଼ିତ୍ର ନିର୍ମାଣକୁ ଚ଼ିହ୍ନଟ କରାଯାଇଥାଏ । ହିନ୍ଦିରୁ ତାମିଲ, ତେଲୁଗୁ ଭଳି ଭାରତୀୟଭାଷାକୁ, ବିଭିନ୍ନ ଭାରତୀୟ ଭାଷାରୁ ହିନ୍ଦି ତଥା ଇଂଲିଶରୁ ହିନ୍ଦି ଓ ଅନ୍ୟାନ୍ୟ ଭାଷାରେ ଚଳଚ଼ିତ୍ର ଡବିଂ ହୋଇ ପ୍ରଦର୍ଶନ ଅଧିକ ଦର୍ଶକମାନଙ୍କୁ ଆକୃଷ୍ଟ କରୁଥିବା କୁହାଯାଏ । ୨୦୧୯ରେ ବକ୍ସ ଅଫିସ ଆୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ‘ଏଭେଞ୍ଜର୍ସ : ଏଣ୍ଡ ଗେମ’ର ୪୦ ରୁ ୪୫ ପ୍ରତିଶତ ଆୟ ହିନ୍ଦି, ତାମିଲ ଓ ତେଲୁଗୁ ଭାଷାରେ ପ୍ରଦର୍ଶନରୁ ମିଳିଥିବା ଜଣାଯାଏ । ଏହି ବର୍ଷ ବକ୍ସ ଅଫିସରେ ପ୍ରଥମ ଦଶ ସ୍ଥାନ ଅଧିକାର କରିଥିବା ସମସ୍ତ ଚଳଚ଼ିତ୍ର ଏକାଧିକ ଭାଷାରେ ପ୍ରେକ୍ଷାୟଳୟଗୁଡ଼ିକରେ ପ୍ରଦର୍ଶିତ ହୋଇଥିଲା ।
ଅନଲାଇନ ଟିକଟ ବୁକିଂ ପ୍ଳାଟଫରମ ‘ବୁକ-ମାଇ-ସୋ’ ପକ୍ଷରୁ ୨୦୧୯ରେ ସଂପୃକ୍ତ ମଞ୍ଚରେ ବିକ୍ରୀ ହୋଇଥିବା ଚଳଚ଼ିତ୍ର ପ୍ରେକ୍ଷାଳୟ ଟିକଟ ସଂପର୍କୀତ ତଥ୍ୟାବଳୀ ବିଶ୍ଳେଷଣ କରାଯାଇ ‘ସୋ-ଅଫ-ଦି-ଇଅର ୨୦୧୯’ ପ୍ରକାଶିତ ହୋଇଥିଲା । ସାରା ଭାରତରେ ବିଭିନ୍ନ ଭାଷାରେ ୧୮୮୦ ଗୋଟି ଚଳଚ଼ିତ୍ର ନିମନ୍ତେ ବିକ୍ରୀ ଟିକଟ ମଧ୍ୟରେ ହଲିଉଡ଼ ଚଳଚ଼ିତ୍ର ‘ଏଭେଞ୍ଜର୍ସ : ଏଣ୍ଡ ଗେମ’ ପ୍ରଥମ ସ୍ଥାନ କରିଥିଲା । ତା’ପରକୁ ପ୍ରଥମ ୧୦ ଗୋଟି ଚଳଚ଼ିତ୍ର ମଧ୍ୟରେ କ୍ରମାନ୍ୱୟରେ ‘ଉରି’, ‘କବୀର ଖାନ’, ‘ସାହେ’, ‘ୱାର’, ‘ଦି ଲାୟନ କିଙ୍ଗ’, ‘ମିଶନ ମଙ୍ଗଳ’, ‘ଶିମ୍ୱା’, ‘ଗଲି ବଏ’ ଓ ‘ଚିଚୋର’ ସ୍ଥାନ ପାଇଥିବା ଜଣାଯାଏ ।
ପ୍ରେକ୍ଷାଳୟରେ ଚଳଚ଼ିତ୍ର ଦେଖିବା ନିମନ୍ତେ ଅନଲାଇନ ଟିକଟ ବୁକିଂ ପ୍ଳାଟଫରମ ବ୍ୟବହାର ମୁଖ୍ୟତଃ ସହରାଞ୍ଚଳର ଶିକ୍ଷିତ ଯୁବବର୍ଗଙ୍କ ମଧ୍ୟରେ ଲୋକପ୍ରିୟ । ‘ସୋ-ଅଫ-ଦି-ଇଅର ୨୦୧୯’ର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟରେ ୨୦୧୮ ତୁଳନାରେ ୨୦୧୯ରେ ଇଂଲିଶ ଚଳଚ଼ିତ୍ର ବୁକିଂ ୫୬ ପ୍ରତିଶତ ବଢ଼ିଥିବା ଅନ୍ୟତମ । ସାମଗ୍ରୀକଭାବେ ଅଗ୍ରୀମ ଟିକଟ ବୁକିଂ ୧୧ ପ୍ରତିଶତ ବଢ଼ିଥିବା ତଥା ଥରେକେ ଜଣେ ଗ୍ରାହକ ହାରାହାରି ୨.୬ ଗୋଟି ଟିକଟ କିଣିଥିବା ପ୍ରକାଶ । ହାଇଦରାବାଦରେ ଅଧିକ ଉପଭୋକ୍ତା ଚଳଚ଼ିତ୍ର ଟିକଟ କିଣିଥିବା ସ୍ଥଳେ ତା’ପରକୁ ମୁମ୍ୱାଇ ଓ ବେଙ୍ଗାଲୁରୁର ସ୍ଥାନ ।
ଭାରତୀୟ ଚଳଚ଼ିତ୍ର ଶିଳ୍ପର ଆୟ ବୃଦ୍ଧିରେ ମଲଟିପ୍ଳେକ୍ସ ପ୍ରେକ୍ଷାଳୟ ସଂଖ୍ୟା ବୃଦ୍ଧି ସାଙ୍ଗକୁ ବୈଦେଶିକ ବଜାର ପ୍ରମୁଖ ଯୋଗଦାନ ରହୁଛି । ଇଂଲିଶ, ସ୍ପାନିଶ, ଫ୍ରେଞ୍ଚ, ଆରବୀ ଭଳି ଭାଷାରେ ସବଟାଇଟଲ ଯୋଗ ପରେ ଭାରତୀୟ ଚଳଚ଼ିତ୍ରଗୁଡ଼ିକ ବୈଦେଶିକ ବଜାରରେ ଉଭୟ ପ୍ରେକ୍ଷାଳୟ ପ୍ରଦର୍ଶନ ଓ ଟେଲିଭିଜନ ପ୍ରସାରଣ ନିମନ୍ତେ ପ୍ରସ୍ତୁତ ହୋଇପାରୁଛି । ଭାରତୀୟ ଜନଜୀବନ ଓ ସଂସ୍କୃତି ପ୍ରଚାର ଏବଂ ସୃଜନ ପରିଚିତିରେ ବିଭିନ୍ନ ଷ୍ଟ୍ରୀମିଂ ମଞ୍ଚ ନିମନ୍ତେ ପ୍ରସ୍ତୁତ ମୌଳିକ ଚଳଚ଼ିତ୍ରଗୁଡ଼ିକ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।
ଅନ୍ୟାନ୍ୟ ଭାରତୀୟ ଭାଷା ସମୂହ ମଧ୍ୟରେ ମାଳାୟଳମ ଚଳଚ଼ିତ୍ର ମୌଳିକତା ପରିପ୍ରକାଶ ଦୌଡ଼ରେ ୨୦୧୯ରେ ଆଗରେ ରହିଥିବା ଦେଖାଯାଏ । ବିଶ୍ୱବ୍ୟାପୀ ସ୍ମାର୍ଟଫୋନର ବ୍ୟାପ୍ତି ଫଳରେ ଭିଡ଼ିଓ ଗୁରୁତ୍ୱଲାଭ କରିଥିବା ସ୍ଥଳେ ସେଭଳି ମଞ୍ଚରେ ଚଳଚ଼ିତ୍ର ପ୍ରଦର୍ଶନ ପ୍ରାଥମିକତା ଦାବୀ କରିବା ଆଶା କରାଯାଏ । ଏହି ଧାରା ଭାରତୀୟ ଚଳଚ଼ିତ୍ର ଶିଳ୍ପ ବିକାଶକୁ ଉତ୍ସାହିତ କରିବା ନିଶ୍ଚିତ । ସର୍ବୋପରି ଭାରତୀୟ ଚଳଚ଼ିତ୍ର ଶିଳ୍ପରେ ଗୁଣବତ୍ତା ବିକାଶ ନିମନ୍ତେ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି ବୋଲି କହିବାକୁ ହେବ ।
