ଆଜିର ଖାସ ଖବର
Sat. May 30th, 2026

ଚଳଚିତ୍ର ପ୍ରେକ୍ଷାଳୟ ଅଭାବ

By Dainikasha Jul11,2024

ଭାରତୀୟ ଚଳଚ଼ିତ୍ର ଶିଳ୍ପର ଅଭିବୃଦ୍ଧିହାର ନୈରାଶ୍ୟଜନକ । ଆନ୍ତର୍ଜାତିକସ୍ତରରେ ବାର୍ଷିକଭିତ୍ତିରେ ଭାରତ ସର୍ବାଧିକ ଚଳଚ଼ିତ୍ର ନିର୍ମାତା ମାନ୍ୟତାପ୍ରାପ୍ତ ହୋଇଥିଲେ ହେଁ ଦେଶ ମଧ୍ୟରେ ପ୍ରେକ୍ଷାଳୟ ଅଭାବ ଚଳଚ଼ିତ୍ରଶିଳ୍ପର ବ୍ୟାପ୍ତିକୁ ସଂକୁଚ଼ିତ କରିଚ଼ାଲିଛି ବୋଲି କହିବାକୁ ହେବ । ସୀମିତ ସଂଖ୍ୟକ ପ୍ରେକ୍ଷାଳୟ କାରଣରୁ ଚଳଚ଼ିତ୍ର ଦର୍ଶକସଂଖ୍ୟା ବଢ଼ିପାରୁ ନଥିବା ହେତୁ ରାଜସ୍ୱ ଆୟ ବ୍ୟାହତ ହେଉଛି ।

ପ୍ରେକ୍ଷାଳୟ ନିର୍ମାଣ ଓ ଚଳଚ଼ିତ୍ର ପ୍ରଦର୍ଶନ ଘରୋଇ ଉଦ୍ୟୋଗ ଦ୍ୱାରା ପରିଚ଼ାଳିତ ହୋଇଥାଏ । ସ୍ୱାଧୀନୋତ୍ତର ଭାରତରେ ପ୍ରେକ୍ଷାଳୟ ସଂଖ୍ୟା ଓ ଚଳଚ଼ିତ୍ରଶିଳ୍ପ କ୍ରମାଗତ ଭାବେ ବୃଦ୍ଧିପାଇ ଚାଲିଥିଲା । ତେବେ ଅଷ୍ଟମଦଶକ ପ୍ରାରମ୍ଭରୁ ଟେଲିଭିଜନର ପ୍ରସାରପରେ ଉଭୟ ପ୍ରେକ୍ଷାଳୟ ସଂଖ୍ୟା ଓ ଚଳଚ଼ିତ୍ର ଶିଳ୍ପ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥିଲା ।

ଅନ୍ୟାନ୍ୟ କାରଣ ମଧ୍ୟରେ ଆଧୁନିକ ବୈଷୟିକ ପଦ୍ଧତି ଉପଯୋଗ, ପୁରୁଣା କୋଠାବାଡ଼ି ତଥା ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଅଭାବ ଓ ଚଳଚ଼ିତ୍ର ପ୍ରଦର୍ଶନ ବ୍ୟବସାୟରେ ପୁଞ୍ଜିବିନିଯୋଗ ତୁଳନାରେ ଲାଭ ହ୍ରାସକୁ ଚ଼ିହ୍ନଟ କରାଯାଇପାରେ । ସର୍ବୋପରି ପ୍ରେକ୍ଷାଳୟଗୁଡ଼ିକରେ ସଂଖ୍ୟାଧିକ ଦର୍ଶକ ଏକତ୍ରୀତ ହେଉଥିବା ତଥା ଅତୀତରେ ଅଗ୍ନିକାଣ୍ଡ ଭଳି କେତେକ ଦୁର୍ଘଟଣାଜନିତ କାରଣରୁ ନୂତନ ପ୍ରେକ୍ଷାଳୟ ନିର୍ମାଣ କ୍ଷେତ୍ରରେ ବିଭିନ୍ନ ସରକାରୀ କଟକଣା ଏହି ବ୍ୟବସାୟ ପରିଧିକୁ ନୂତନ ବ୍ୟବସାୟୀଙ୍କୁ ଆକୃଷ୍ଟ କରୁନଥିବା ଅନ୍ୟତମ ବାଧକ ସାଜିଛି ।

ଏକ ଅନୁଶୀଳନ ଅନୁଯାୟୀ ଚଳଚ଼ିତ୍ର ପ୍ରଦର୍ଶନ ନିମନ୍ତେ ଆମଦେଶରେ ପ୍ରତିବର୍ଷ ୧୫୦ରୁ ୨୦୦ ନୂତନ ମଲଟିପ୍ଳକ୍ସ ପର୍ଦ୍ଦା ଯୋଡୁଥିବାବେଳେ ୩୦୦ ରୁ ୪୦୦ ପୁରାତନ ଏକକ ପର୍ଦ୍ଦାବିଶିଷ୍ଟ ପ୍ରେକ୍ଷାଳୟ ବନ୍ଦ ହେବାରେ ଲାଗିଛି । ଆମ ପଡ଼ୋଶୀରାଷ୍ଟ୍ର ଚ଼ୀନରେ ବିଗତ କିଛି ବର୍ଷ ମଧ୍ୟରେ ସରକାରୀ ପ୍ରୋତ୍ସାହନ ହେତୁ ପ୍ରେକ୍ଷାଳୟ ବୃଦ୍ଧିକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସଂଭବପର ହୋଇପାରିଛି । ଭାରତରେ ୧୩୪ କୋଟି ଜନସଂଖ୍ୟା ନିମନ୍ତେ ୯,୦୦୦ ପ୍ରେକ୍ଷାଳୟ ଥିବାବେଳେ ଚ଼ୀନରେ ୧୩୮ କୋଟି ଜନସଂଖ୍ୟା ନିମନ୍ତେ ୪୦,୦୦୦ ପ୍ରେକ୍ଷାଳୟ ଉପଲବ୍ଧ । ସେହିପରି ଆମଦେଶରେ ୧,୫୪,୦୦୦ ଜନସଂଖ୍ୟା ପାଇଁ ଗୋଟିଏ ପ୍ରେକ୍ଷାଳୟ ଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ୭,୯୫୦ ଜନସଂଖ୍ୟା ପାଇଁ ଗୋଟିଏ ପ୍ରେକ୍ଷାଳୟ ରହିଥିବା ହିସାବ କରାଯାଇଥାଏ ।

ବିଗତ ୨୦୧୧ ମସିହାବେଳକୁ ଚ଼ୀନରେ ପ୍ରେକ୍ଷାଳୟ ପରିସ୍ଥିତି ସମକାଳୀନ ଭାରତୀୟ ସ୍ଥିତିର ସମତୁଲ ଥିଲା । କିନ୍ତୁ ପ୍ରେକ୍ଷାଳୟ ଅଭିବୃଦ୍ଧିଲାଗି ସରକାରୀସ୍ତରରେ ପୁଞ୍ଜିଲଗାଣ ନିଷ୍ପତ୍ତି ନିଆଯିବାପରେ ମାତ୍ର ପାଞ୍ଚବର୍ଷ ମଧ୍ୟରେ ପରିସ୍ଥିତି ବଦଳିଗଲା । ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ନୀତିଶ ତିୱାରୀଙ୍କ ହିନ୍ଦି ଚଳଚ଼ିତ୍ର ‘ଦବଙ୍ଗ’ ପ୍ରଥମ ପର୍ଯ୍ୟାୟରେ ଭାରତରେ ପ୍ରାୟ ୬ କୋଟି ଲୋକ ଦେଖିଥିବା ତଥା ୬୦୦ କୋଟି ଟଙ୍କା ରାଜସ୍ୱ ଆଦାୟ କରିଥିବାବେଳେ ଚ଼ୀନରେ ୨୦୧୭ ମେ ମାସ ପ୍ରଥମ ସପ୍ତାହ ମୁକ୍ତିଲାଭ କରି ପ୍ରଥମ ଦୁଇମାସ ମଧ୍ୟରେ ୪୬ କୋଟି ଲୋକ ଦେଖିଥିବା ତଥା ୧,୨୨୫ କୋଟି ଟଙ୍କା ରାଜସ୍ୱ ଆଦାୟ କରାଇଥିବା ତଥ୍ୟ ଚ଼ୀନରେ ଚଳଚ଼ିତ୍ରଶିଳ୍ପ ଅଭିବୃଦ୍ଧିର ସୂଚ଼ନା ଦେଇଥାଏ ।

ସର୍ଜନାତ୍ମକ ଦୃଷ୍ଟିରୁ ବ୍ୟାବସାୟିକ ପୃଷ୍ଠଭୂମିରେ ହଲିଉଡ଼ ପଛକୁ ଭାରତ ଆନ୍ତର୍ଜାତିକକ୍ଷେତ୍ରରେ ନିଜର ଗୁରୁତ୍ୱ ବଜାୟ ରଖିଛି । ବର୍ତ୍ତମାନ ହିଟ ହିନ୍ଦି ଚଳଚ଼ିତ୍ରଗୁଡ଼ିକ ଭାରତ ତୁଳନାରେ ବିଦେଶୀ ବଜାରରେ ଅଧିକ ରାଜସ୍ୱ ଆଦାୟ କରୁଛନ୍ତି । ଉଦାହରଣ ସ୍ୱରୂପ ୨୦୧୬ ମସିହାରେ ପ୍ରଯୋଜିତ ‘ଦବଙ୍ଗ’ର ବ୍ୟାବସାୟିକ ଆୟ ୨୦୧୭ ଜୁନ ମାସ ସୁଦ୍ଧା ପ୍ରାୟ ୨,୦୦୦ କୋଟି ଟଙ୍କା ଆକଳନ କରାଯାଇଥିଲା ।

ଟେଲିଭିଜନ, ଅନ-ଲାଇନ ଷ୍ଟ୍ରୀମିଂ ଓ ମୋବାଇଲ ଫୋନରେ ଚଳଚ଼ିତ୍ର ଉପଭୋଗ କରିବା ଲୋକପ୍ରିୟ ହେବାପରେ ଦର୍ଶକ ପ୍ରେକ୍ଷାଳୟ ଯିବାକୁ ଆଗ୍ରହ ପ୍ରକାଶ କରୁନଥିବା ସମାଲୋଚ଼ନା ସତ୍ତ୍ୱେ ଭାରତୀୟ ଚଳଚ଼ିତ୍ର ଶିଳ୍ପର ୭୫ ପ୍ରତିଶତ ରାଜସ୍ୱ କେବଳ ପ୍ରେକ୍ଷାଳୟ ପ୍ରଦର୍ଶନରୁ ଆଦାୟ ହେଉଥିବା ହିସାବ କରାଯାଇଛି । ଏହି କାରଣରୁ ଦେଶରେ ପ୍ରେକ୍ଷାଳୟ ସଂଖ୍ୟା ବୃଦ୍ଧି ପାଇଲେ ଚଳଚ଼ିତ୍ରଶିଳ୍ପରେ ଉନ୍ନତି ସଂଭବପର ବୋଲି କୁହାଯାଇପାରେ ।

ଚଳଚ଼ିତ୍ରଶିଳ୍ପରେ ବ୍ୟାପକ ନିଯୁକ୍ତି ସୁଯୋଗ ଥିବା ତଥା ଆଞ୍ଚଳିକ ସାଂସ୍କୃତିକ ପ୍ରଚ଼ାର ଓ ପ୍ରସାରରେ ସହାୟତା କରୁଥିବା ହେତୁ ଚଳଚ଼ିତ୍ର ପ୍ରେକ୍ଷାଳୟ ବୃଦ୍ଧି ଅନୁକୁଳ ସରକାରୀ ନୀତିନିର୍ଦ୍ଧାରଣ ଆବଶ୍ୟକ । ସର୍ବୋପରି ସାର୍ବଜନୀନ ମନୋରଞ୍ଜନଲାଗି ଆଧୁନିକ ଚଳଚ଼ିତ୍ର ପ୍ରେକ୍ଷାଳୟ ମଡ଼େଲ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରୁଥିବା ହେତୁ ସାମାଜିକସ୍ତରରେ ଏହାର ଅଭିବୃଦ୍ଧିର ପ୍ରାସଙ୍ଗିକତାକୁ ଏଡ଼ାଇ ଦିଆନଯାଇପାରେ ।      

Related Post