ଗଣମାଧ୍ୟମରେ ‘ଓଟିଟି’ ବା ‘ଓଭର-ଦି-ଟପ’ ଇଣ୍ଟରନେଟ ମାଧ୍ୟମରେ ଭିଡ଼ିଓ ପ୍ରସାରଣକୁ ବୁଝାଇଥାଏ । ପାରମ୍ପରିକଭାବେ ଟେଲିଭିଜନ କାର୍ଯ୍ୟକ୍ରମ କ୍ଷେତ୍ରୀୟ, ଉପଗ୍ରହ କିମ୍ୱା କେବଲ ଯୋଗେ ପ୍ରସାରିତ ହେଉଥିବା ସ୍ଥଳେ ‘ଓଟିଟି’ ମଞ୍ଚରେ ବିନା ମଧ୍ୟସ୍ଥିତିରେ ମୁଖ୍ୟ ସୂତ୍ରଠାରୁ ସିଧାସଳଖ ଉପଭୋକ୍ତାଙ୍କଠାରେ ଇଣ୍ଟରନେଟ ସଂଯୁକ୍ତିରେ କାର୍ଯ୍ୟକ୍ରମ ଉପଲବ୍ଧ ହୋଇପାରେ । ‘ଓଟିଟି’ କୁ ‘ଭିଡ଼ିଓ ଷ୍ଟ୍ରୀମିଂ’ ମଧ୍ୟ କୁହାଯାଏ । ଏହା ଦେୟମୁକ୍ତ କିମ୍ୱା ଦେୟଯୁକ୍ତ ।‘ଓଟିଟି’ ପରିବେଶରେ ଉପଭୋକ୍ତା ନିଜ ରୁଚିମତେ ‘ଭିଡ଼ିଓ ଅନ ଡିମାଣ୍ଡ’ର ସୁବିଧା ଉପଭୋଗ କରେ । ଅର୍ଥାତ କୌଣସି କାର୍ଯ୍ୟକ୍ରମ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରସାରିତ ହୋଇଥିଲେ ହେଁ ଉପଭୋକ୍ତା ଚାହିଁବା ମାତ୍ରେ ସେହି କାର୍ଯ୍ୟକ୍ରମ ପ୍ରଦର୍ଶନର ବ୍ୟବସ୍ଥା ପାଇପାରେ । ପାରମ୍ପରିକ ଟେଲିଭିଜନ ପ୍ରସାରଣରେ ସେଭଳି ସୁଯୋଗ ଦୁର୍ଲଭ ।
ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତ ସହ ତାଳ ଦେଇ ଭାରତରେ ମଧ୍ୟ ‘ଓଟିଟି’ ମଞ୍ଚ ପ୍ରସାର ବୃଦ୍ଧି ପାଇବାରେ ଲାଗିଛି । ବୋଷ୍ଟନ କନସଲଟିଂ ଗୃପର ହିସାବ ଅନୁଯାୟୀ ୨୦୧୯ ମଧ୍ୟଭାଗ ସୁଦ୍ଧା ଦେଶରେ ପ୍ରାୟ ୩୦ କୋଟି ମାସିକ ସକ୍ରିୟ ‘ଓଟିଟି’ ଦର୍ଶକ ସୃଷ୍ଟି ହୋଇଛନ୍ତି । ସେମାନେ ମାସିକ ଅନ୍ତତଃ ଥରେ ‘ଓଟିଟି’ ମଞ୍ଚ ପରିଦର୍ଶନ କରିଥାନ୍ତି । ସେଥିମଧ୍ୟରୁ ଦୁଇରୁ ଅଢ଼େଇ କୋଟି ଦର୍ଶକ ଦୈନିକ ‘ଓଟିଟି’ ମଞ୍ଚରେ ଉପସ୍ଥିତ ରହିଥାନ୍ତି । ସମଗ୍ର ‘ଓଟିଟି’ ଦର୍ଶକ ମଣ୍ଡଳୀର ୧୮ ପ୍ରତିଶତ ପ୍ରସାରଣ ଦେୟ ବା ଗ୍ରହକ ଚାନ୍ଦା ପ୍ରଦାନ କରିଥାନ୍ତି ।
ଭାରତରେ ୨୦୧୯ ଆରମ୍ଭ ସୁଦ୍ଧା ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୫୦ କୋଟି ଟପିଥିବା ସ୍ଥଳେ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ୪୭ କୋଟି ଟପିଛି । ବାର୍ଷିକଭିତ୍ତିରେ ପ୍ରାୟ ୧୩ ପ୍ରତିଶତ ଅଭିବୃଦ୍ଧିରେ ୨୦୨୨ ବେଳକୁ ଦେଶରେ ୮୫ କୋଟି ସ୍ମାର୍ଟଫୋନ ବ୍ୟବହୃତ ହେବା ଆକଳନ କରାଯାଉଛି । ଏଠାକାର ନୂଆ ଇଣ୍ଟରନେଟ ଉପଭୋକ୍ତାମାନେ ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ବ୍ରାଉଜିଂ କରୁଥିବା ହେତୁ ମନୋରଞ୍ଜନ କ୍ଷେତ୍ରରେ ‘ଓଟିଟି’ ମଞ୍ଚର ବ୍ୟାପକ ପ୍ରସାର ଆଶା କରାଯାଏ । ‘ପ୍ରାଇସ ୱାଟରହାଉସ କୁପର’ଙ୍କ ଅନୁଶୀଳନରେ ୨୦୨୨ ସୁଦ୍ଧା ବିଶ୍ୱର ପ୍ରଥମ ଦଶ ଗୋଟି ‘ଓଟିଟି’ ବଜାରରେ ଭାରତ ସ୍ଥାନ ପାଇବ ଏବଂ ଏହାର ବାର୍ଷିକ କାରବାର ୫,୩୬୩ କୋଟି ଟଙ୍କାରେ ପହଞ୍ଚିବ ।
ଦେଶରେ ୩୨ ଗୋଟି ‘ଓଟିଟି’ ମଞ୍ଚ କାର୍ଯ୍ୟକ୍ରମ ପ୍ରସାରଣରେ ସଂପୃକ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଲୋକପ୍ରିୟ ଛଅଗୋଟି ମଞ୍ଚ ମଧ୍ୟରେ ନେଟଫ୍ଳିକ୍ସ, ଆମେଜନ ପ୍ରାଇମ, ହଟଷ୍ଟାର, ଜୀ୫, ସୋନୀ ଓ ଭୂତ୍ ଅନ୍ତର୍ଭୁକ୍ତ । ଆନ୍ତର୍ଜାତିକସ୍ତରରେ ଅଗ୍ରଣୀ ନେଟଫ୍ଳିକ୍ସ ସଂପୂର୍ଣ୍ଣ ଦେୟଯୁକ୍ତ ପ୍ରସାରଣ । ‘ଓଟିଟି’ ମଞ୍ଚଗୁଡ଼ିକ ମଧ୍ୟରୁ କେତେଗୋଟି ସଂପୂର୍ଣ୍ଣ ଦେୟଯୁକ୍ତ ହୋଇଥିବା ସ୍ଥଳେ ଅନ୍ୟ କେତେଗୋଟି ସଂପୂର୍ଣ୍ଣ ମାଗଣା କିମ୍ୱା ଆଂଶିକ ଭାବେ ଦେୟଯୁକ୍ତ ଓ ଦେୟମୁକ୍ତ । ଦେୟମୁକ୍ତ ମଞ୍ଚଗୁଡ଼ିକ ବିଜ୍ଞାପନ ଉପରେ ନିର୍ଭରଶୀଳ । ହିସାବ ଅନୁଯାୟୀ ୨୦୧୯ ମଧ୍ୟଭାଗ ସୁଦ୍ଧା ‘ଓଟିଟି’ ପ୍ରସାରଣର ୮୨ ପ୍ରତିଶତ ଆୟ ବିଜ୍ଞାପନଭିତ୍ତିକ ଥିବା ସ୍ଥଳେ ୧୮ ପ୍ରତିଶତ ଆୟ ଗ୍ରାହକ ଚ଼ାନ୍ଦାରୁ ମିଳିଥାଏ । ତେବେ ଭବିଷ୍ୟତରେ ଗ୍ରାହକ ଚାନ୍ଦା ଆୟ ବୃଦ୍ଧି ପାଇ ୨୦୨୨ ବେଳକୁ ୩୨ ପ୍ରତିଶତରେ ପହଞ୍ଚିବା ଆଶା କରାଯାଉଛି ।
‘ଓଟିଟି’ ମଞ୍ଚ ପ୍ରତି ଦର୍ଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଅଗ୍ରଣୀ ମଞ୍ଚଗୁଡ଼ିକ ମୌଳିକ କାର୍ଯ୍ୟକ୍ରମ ପ୍ରସ୍ତୁତିକୁ ପ୍ରାଧାନ୍ୟ ଦେଉଛନ୍ତି । ନେଟଫ୍ଳିକ୍ସ ବହୁ ରାଷ୍ଟ୍ରରେ ପ୍ରସାରଣରେ ସଂପୃକ୍ତ ଥିବା ହେତୁ ଆନ୍ତର୍ଜାତିକସ୍ତରର କାର୍ଯ୍ୟକ୍ରମ ସହ ସ୍ଥାନୀୟ କାର୍ଯ୍ୟକ୍ରମ ଓ ନିଜସ୍ୱ ପ୍ରସ୍ତୁତ ମୌଳିକ କାର୍ଯ୍ୟକ୍ରମର ସମିଶ୍ରଣ କରିଥାଏ । ଜୀ୫ ମଞ୍ଚରେ ୧୨ ଗୋଟି ଭାରତୀୟ ଭାଷାରେ ପ୍ରସ୍ତୁତ କାର୍ଯ୍ୟକ୍ରମ ସ୍ଥାନିତ । ‘ଭାୟକମ ୧୮’ର ‘ଓଟିଟି’ ମଞ୍ଚ ‘ଭୂତ’ରେ ୩୦ ହଜାର ଘଣ୍ଟାର ଆଞ୍ଚଳିକ ଭାଷାର କାର୍ଯ୍ୟକ୍ରମ ଉପଲବ୍ଧ । ମୋଟ ଉପରେ ୨୦୧୯ ସୁଦ୍ଧା ‘ଓଟିଟି’ ମଞ୍ଚଗୁଡ଼ିକ ମୌଳିକ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ ଭାରତୀୟ ଆଞ୍ଚଳିକ ଭାଷାରେ ସୃଜନ ବିସ୍ତୃତି ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।
ଗଣମାଧ୍ୟମ ସମୀକ୍ଷକଙ୍କ ଦୃଷ୍ଟିରେ ଭାରତରେ ‘ଓଟିଟି’ର ଭବିଷ୍ୟତ ସୁଦୃଢ଼ । ମୁଖ୍ୟତଃ ସ୍ମାର୍ଟ ଫୋନ ସଂଖ୍ୟା ବୃଦ୍ଧି ପାଉଥିବା, ଉପଭୋକ୍ତାମାନେ ବ୍ୟବହାରରେ ଅଧିକରୁ ଅଧିକ ସମୟ ବିନିଯୋଗ ଏବଂ ମୋବାଇଲ ପର୍ଦ୍ଦାରେ ଭିଡ଼ିଓ ପ୍ରଦର୍ଶନ ଅଗ୍ରାଧିକାର ଦାବୀ କରୁଥିବା ହେତୁ ‘ଓଟିଟି’ ଦର୍ଶକମାନଙ୍କୁ ପ୍ରଭାବିତ କରିବା ସୁନିଶ୍ଚିତ । ଏଥିସହ ‘ଭିଡିଓ ଅନ ଡିମାଣ୍ଡ’ ତଥା ପାରମ୍ପରିକ ଟେଲିଭିଜନ କାର୍ଯ୍ୟକ୍ରମଠାରୁ ଭିନ୍ନ ଉପାଦାନ ‘ଓଟିଟି’ ଦର୍ଶକଙ୍କୁ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିବାକୁ ସମର୍ଥ ହୋଇଥାଏ ।‘ଓଟିଟି’ ମଞ୍ଚରେ ବିଭିନ୍ନ ରୁଚି ସମ୍ପନ୍ନ ଦର୍ଶକଙ୍କ ନିମନ୍ତେ ଭିନ୍ନ ଭିନ୍ନ ପ୍ୟାକେଜ ପ୍ରସ୍ତୁତି ସଂଭବପର । ଉଦାହରଣରେ କେହି ଦର୍ଶକ ବିଜ୍ଞାନ ସଂପର୍କରେ କିମ୍ୱା ଅନ୍ୟ କେହି ଫୁଟବଲ ଖେଳ ସଂପର୍କରେ ଅହୋରାତ୍ର କାର୍ଯ୍ୟକ୍ରମ ଖୋଜିଲେ ପାଇପାରିବ । ସେହିକାରଣରୁ ଭବିଷ୍ୟତରେ ଯଦି ‘ଓଟିଟି’ ମଞ୍ଚ କେବଳ ଦେୟଯୁକ୍ତ ବ୍ୟାବସାୟିକ ମଡ଼େଲରେ ସମର୍ଥ ହୁଏ ତେବେ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଗୁଣାତ୍ମକ ବିକାଶ ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ ରହିବ ।
ନେଟଫ୍ଳିକ୍ସ ଓ ଆମେଜନ ପ୍ରାଇମ ‘ଓଟିଟି’ ମଞ୍ଚ କେବଳ ଗ୍ରାହକମାନଙ୍କ ନିମନ୍ତେ ଉପଲବ୍ଧ ଥିବା ସ୍ଥଳେ ହଟଷ୍ଟାର, ଜୀ୫, ସୋନୀ ଓ ଭୂତ ମଞ୍ଚର କେତେକ କାର୍ଯ୍ୟକ୍ରମ ମାଗଣା ଓ ଅନ୍ୟ କେତେକ ଦେୟଯୁକ୍ତ । ବିନା ଶୁଳ୍କରେ ପ୍ରଦର୍ଶିତ ମଞ୍ଚଗୁଡ଼ିକ ବିଜ୍ଞାପନ ରାଜସ୍ୱରେ ନିର୍ଭରଣଶୀଳ ଥିଲେ ହେଁ ୨୦୧୯ ସୁଦ୍ଧା ‘ଓଟିଟି’ ମଞ୍ଚଗୁଡ଼ିକରେ ଅଧିକ ସଂଖ୍ୟକ ଦର୍ଶକ ଦୈନିକଭିତ୍ତିରେ ଉପସ୍ଥିତ ନ ରହୁଥିବା କାରଣରୁ ବିଜ୍ଞାପନ ଦାତାମାନେ ଅପେକ୍ଷାକୃତ ଗହଳଚହଳ ସୋସିଆଲ ମିଡିଆ ମଞ୍ଚ ଫେସବୁକ ଓ ଗୁଗୁଲରେ ବିଜ୍ଞାପନ ପ୍ରଦର୍ଶନ ଲାଗି ଗୁରୁତ୍ୱ ପ୍ରଦାନ କରିଥାନ୍ତି । ଭାରତରେ ସାଧାରଣରେ ଦର୍ଶକଙ୍କ ମୋଟ ଗଣମାଧ୍ୟମ ସଂପୃକ୍ତିର ମାତ୍ର ୧୬ ପ୍ରତିଶତ ସମୟ ଡିଜିଟାଲ ମଞ୍ଚରେ ଅତିବାହିତ ହୋଇଥାଏ । ଅବଶ୍ୟ ଯୁବ ସମ୍ପ୍ରଦାୟରେ ଏହି ସୀମା ୨୫ ପ୍ରତିଶତ ଯାଏଁ ବୃଦ୍ଧି ପାଉଥିବା ହିସାବ କରାଯାଏ । ଏତାଦୃଶ ପରିବେଶରେ ‘ଓଟିଟି’ ମଞ୍ଚଗୁଡ଼ିକ ବ୍ୟବସାୟ ସମ୍ଭାଳିବା ନିମନ୍ତେ ଅଧିକ ଗ୍ରାହକ ସୃଷ୍ଟି ବ୍ୟତୀତ ଅନ୍ୟ ପନ୍ଥା ନାହିଁ ।
ଭାରତୀୟ ବଜାରରେ କେବଲ ଟେଲିଭିଜନ ଗ୍ରାହକ ଚାନ୍ଦାର ଦୁଇ ତିନି ଗୁଣ ‘ଓଟିଟି’ ଗ୍ରାହକ ଚାନ୍ଦା । ଉଦାହରଣରେ ନେଟଫ୍ଳିକ୍ସର ଟେଲିଭିଜନ, ଡେସ୍କଟପ କମ୍ପ୍ୟୁଟର, ଲ୍ୟାପଟପ ଓ ମୋବାଇଲ ବ୍ୟବହାରରେ ମାସିକ ଗ୍ରାହକ ଚାନ୍ଦା ୪୯୯ ରୁ ୭୯୯ ଟଙ୍କା ରହିଛି । ଆମ ଦେଶରେ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ତଥା ଆନ୍ତର୍ଜାତିକସ୍ତରରେ ଅନ୍ୟାନ୍ୟ ଦେଶ ତୁଳନାରେ ଇଣ୍ଟରନେଟର ବ୍ୟବହାର ସ୍ମାର୍ଟଫୋନ ଯୋଗେ ଅଧିକ ଥିବା କାରଣରୁ ଭାରତୀୟ ପରିବେଶରେ ସ୍ମାର୍ଟଫୋନ ବ୍ୟବହାରକାରୀ ଗ୍ରାହକ ସଂଖ୍ୟା ବୃଦ୍ଧି ପାଇଁ ‘ଓଟିଟି’ ପ୍ରାୟୋଜକମାନେ ଯୋଜନା ପ୍ରସ୍ତୁତ କରୁଛନ୍ତି । ନେଟଫ୍ଳିକ୍ସ ପକ୍ଷରୁ ୨୦୧୯ ଜୁଲାଇ ମାସରେ କେବଳ ମୋବାଇଲ ପର୍ଦ୍ଦାରେ କାର୍ଯ୍ୟକ୍ରମ ଆହରଣ ଲାଗି ମାସିକ ୧୯୯ ଟଙ୍କା ଗ୍ରାହକ ଚାନ୍ଦା ନିର୍ଦ୍ଧାରଣ କରାଯାଇଥିଲା । ଭାରତରେ ଟେନଫ୍ଳିକ୍ସର ଗ୍ରାହକ ସଂଖ୍ୟା ୨୦୧୯ ମଧ୍ୟଭାଗ ସୁଦ୍ଧା ମାତ୍ର ତେର ଲକ୍ଷ ଥିବା ସ୍ଥଳେ ସଂସ୍ଥାର ପ୍ରତିଷ୍ଠାତା ଅଧ୍ୟକ୍ଷ ରିଡ଼ ହେଷ୍ଟିଙ୍ଗସ ଭବିଷ୍ୟତରେ ଭାରତରୁ ଅଧିକ ସଂଖ୍ୟକ ଗ୍ରାହକ ବୃଦ୍ଧି କରିବା ନିମନ୍ତେ ଯୋଜନା ରଖିଛନ୍ତି । ଏଭଳି ପରିବେଶ ଭାରତରେ ଭିଡ଼ିଓ ପ୍ରସାରଣରେ ‘ଓଟିଟି’ ଏକ ବିକଳ୍ପ ମଞ୍ଚରୂପେ ଗଢ଼ି ଉଠୁଥିବା ସ୍ୱଷ୍ଟ ସୂଚନା ମିଳିଥାଏ ।
