ଆଜିର ଖାସ ଖବର
Tue. Jul 28th, 2026

ମୋବାଇଲ ଫୋନର ବ୍ୟାପ୍ତି

By Dainikasha Jul11,2024

ଭାରତରେ ୨୦୧୯ ମାର୍ଚ୍ଚ ସୁଦ୍ଧା ୧୧୬ କୋଟି ମୋବାଇଲ ଫୋନ ସିମ ବ୍ୟବହୃତ ହେଉଥିବା ‘ଟେଲକମ ରେଗୁଲେଟରି ଅଫ ଇଣ୍ଡିଆ’ ଦ୍ୱାରା ପ୍ରକାଶିତ ପରିସଂଖ୍ୟାନରୁ ଜଣାଯାଏ । ଏଥି ମଧ୍ୟରେ ଓଡ଼ିଶାରେ ମୋବାଇଲ ଫୋନ ସିମ ସଂଯୋଗ ୩ କୋଟି ୨୬ ଲକ୍ଷ ଅନ୍ତର୍ଭୁକ୍ତ ।

ଆମ ଦେଶରେ ରିଲାଏନ୍ସ ଜିଓ, ଭାରତୀ-ଏୟାରଟେଲ, ଭୋଡ଼ାଫୋନ-ଆଇଡ଼ିଆ, ଭାରତ ସଞ୍ଚାର ନିଗମ ତଥା ମହାନଗର ସଞ୍ଚାର ନିଗମ ଏବଂ ଟାଟା ଟେଲିସର୍ଭିସେସ ପାଞ୍ଚଗୋଟି ୱାଇରଲେସ ବ୍ରଡ଼ବ୍ୟାଣ୍ଡ ସର୍ଭିସ ପ୍ରୋଭାଇଡ଼ର କାର୍ଯ୍ୟରତ । ଏମାନଙ୍କ ମଧ୍ୟରୁ ଭାରତୀ-ଏୟାରଟେଲ ଓ ଭୋଡ଼ାଫୋନ-ଆଇଡ଼ିଆ ପକ୍ଷରୁ ୨୦୧୮ ଅକ୍ଟୋବର ମାସରୁ ନିଷ୍କ୍ରିୟ ଉପଭୋକ୍ତାମାନଙ୍କୁ ନିରୁତ୍ସାହିତ କରିବାଲାଗି ଉଦ୍ୟମ ଆରମ୍ଭ ହୋଇଥିଲା ।

ମୋବାଇଲ ଫୋନଗୁଡ଼ିକରେ ଦୁଇଗୋଟି ସିମ କାର୍ଡ ବ୍ୟବହାରରେ ଦୁଇଗୋଟି ଭିନ୍ନ ସର୍ଭିସ ପ୍ରୋଭାଇଡ଼ରଙ୍କ ସେବା ଗ୍ରହଣ କରିବା ସୁବିଧା ହେତୁ ଅନେକ ଉପଭୋକ୍ତା ଗୋଟିଏ ସିମ କେବଳ ଇନ-କମିଙ୍ଗ କଲ ନିମନ୍ତେ ଉଦ୍ଦିଷ୍ଟ ରଖୁଥିବା ଦେଖାଯାଏ । ଗ୍ରାହକମାନେ ସାଧାରଣତଃ ମାଗଣା କଲ ଯୋଗାଉଥିବା ନେଟୱାର୍କ ତଥା ଆପ ବ୍ୟବହାରରେ ଅଭ୍ୟସ୍ତ ହୋଇପଡୁଛନ୍ତି । ଫଳରେ ନିଷ୍କ୍ରିୟ ରହୁଥିବା ସିମର ସର୍ଭିସ ପ୍ରୋଭାଇଡ଼ର ବ୍ୟାବସାୟିକସ୍ତରରେ ଆବଶ୍ୟକୀୟ ଆୟ ସଂଗ୍ରହ କରିପାରୁ ନଥିବା ସ୍ଥଳେ ସଂଖ୍ୟାଧିକ ସିମ ବ୍ୟବହାର ହେତୁ ନେଟୱାର୍କ ଜାମର ଶୀକାର ହୋଇଥାଏ ।

ଏଭଳି ଅସୁବିଧାକୁ ଏଡ଼ାଇବା ନିମନ୍ତେ ଭାରତୀ-ଏୟାରଟେଲ ଓ ଭୋଡ଼ାଫୋନ-ଆଇଡ଼ିଆ ପକ୍ଷରୁ ସିମ ବ୍ୟବହାର ପାଇଁ ସର୍ବନିମ୍ନ ଦେୟ ବଢ଼ାଇବା ଫଳରେ ଦୁଇଗୋଟି ସିମ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ମଧ୍ୟରୁ ଏକାଂଶ ନେଟୱାର୍କ ପରିତ୍ୟାଗ କରିଥିଲେ । ଫଳରେ ଉପଭୋକ୍ତାଙ୍କ ସଂଖ୍ୟା କମି ଆସିଥିବା ଲକ୍ଷ୍ୟ କରାଯାଇଥିଲା ।

ହିସାବ ଅନୁଯାୟୀ ମୋଟ ମୋବାଇଲ ଫୋନ ଉପଭୋକ୍ତା ସଂଖ୍ୟା ୨୦୧୯ ଫେବୃୟାରୀ ମାସରେ ୧୧୮ କୋଟି ଥିବା ସ୍ଥଳେ ମାର୍ଚ୍ଚ ମାସରେ ୧୧୬ କୋଟିକୁ ଖସି ଆସିଛି । ପ୍ରାୟ ଦୁଇ କୋଟି କୋଡ଼ିଏ ଲକ୍ଷ ଉପଭୋକ୍ତା ସିମ କାର୍ଡକୁ ଦେୟ ଦାଖଲ କରି ଏକ୍ଟିଭ କରିନଥିଲେ । ଏଥି ମଧ୍ୟରେ ଭାରତୀ-ଏୟାରଟେଲର ଏକ କୋଟି ୫୧ ଲକ୍ଷ ଓ ଭୋଡ଼ାଫୋନ-ଆଇଡ଼ିଆର ଏକ କୋଟି ୪୫ ଲକ୍ଷ ଉପଭୋକ୍ତା ଅନ୍ତର୍ଭୁକ୍ତ ।

ଏଥିପୂର୍ବରୁ ୨୦୧୭ ଡ଼ିସେମ୍ୱରରେ ଅନୀଲ ଆମ୍ୱାନୀ ପରିଚ଼ାଳିତ ରିଲାଏନ୍ସ କମ୍ୟୁନିକେସନ୍ସ ପକ୍ଷରୁ ବ୍ୟବସାୟ ବନ୍ଦ ଫଳରେ ଏକ କୋଟି ୫୫ ଲକ୍ଷ ଉପଭୋକ୍ତା ବାଧ୍ୟବାଧକତାରେ ସିମ ବନ୍ଦ କିମ୍ୱା ଅନ୍ୟ ନେଟୱାର୍କକୁ ସିମ ବଦଳ କରିଥିଲେ । ସେହିପରି ଏୟାରସେଲ ସଂସ୍ଥା ଦେବାଳିଆ ଘୋଷଣା ପରେ ସାତକୋଟି ୪୦ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଥିଲେ ।

ଓଡ଼ିଶା ୨୦୧୯ ମାର୍ଚ୍ଚ ମାସର ସର୍ବଭାରତୀୟ ମୋବାଇଲ ଗ୍ରାହକ ଅପସାରଣ ପ୍ରକ୍ରିୟାରେ ୮ ଲକ୍ଷ ୨୮ ହଜାର ଉପଭୋକ୍ତା ହରାଇଥିବା ହିସାବରୁ ଜଣାଯାଏ । ଏଥି ମଧ୍ୟରେ ଭାରତୀ ଏୟାରଟେଲର ୫ ଲକ୍ଷ ୩୫ ହଜାର ୮୧୮ ଜଣ ଓ ଭୋଡ଼ାଫୋନ-ଆଇଡ଼ିଆର ୨ ଲକ୍ଷ ୯୬ ହଜାର ୬୬୧ ଜଣ ଗ୍ରାହକ ଅନ୍ତର୍ଭୁକ୍ତ ।

ଟେଲିଯୋଗାଯୋଗ ବିଶାରଦମାନେ ନିଷ୍କ୍ରିୟ ସିମଗୁଡ଼ିକୁ ସେବାମୁକ୍ତ କରିବା ପ୍ରକ୍ରିୟା ଦ୍ୱାରା ବ୍ୟାବସାୟିକଭାବେ  ସଂପୃକ୍ତ କମ୍ପାନୀଗୁଡ଼ିକ ଲାଭବାନ ହେବେ ବୋଲି ବିଚ଼ାର କରିଥାନ୍ତି । ଗ୍ରାହକ ପିଚ୍ଛା ରିଚ଼ାର୍ଜ ଦେୟ କିପରି ବୃଦ୍ଧି ପାଇବ ଟେଲିଯୋଗାଯୋଗ କମ୍ପାନୀମାନେ ସେହି ଦିଗରେ ତତ୍ପରତା ପ୍ରକାଶ କରୁଛନ୍ତି । ରିଲାଏନ୍ସ ଜିଓ ପକ୍ଷରୁ ସୀମିତ ଖର୍ଚ୍ଚରେ ଅସୀମିତ ଭଏସ କଲ ଓ ପର୍ଯ୍ୟାପ୍ତ ଏସଏମଏସ ସାଙ୍ଗକୁ ଟେଲିଭିଜନ, ସିନେମା ପ୍ରଦର୍ଶନ ପତ୍ରପତ୍ରିକା ପାଠ ଭଳି ସୁବିଧା ସୁଯୋଗ ଅନ୍ୟାନ୍ୟ ନେଟୱାର୍କ ତୁଳନାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସର୍ବଭାରତୀୟସ୍ତରରେ ରିଲାଏନ୍ସ ଜିଓର ମୋଟ ଉପଭୋକ୍ତା ସଂଖ୍ୟା ୩୦ କୋଟି ୬୭ ଲକ୍ଷରେ ପହଞ୍ଚିଲାଣି । ୨୦୧୯ ମାର୍ଚ୍ଚ ମାସରେ ଭାରତୀ-ଏୟାରଟେଲ ଓ ଭୋଡ଼ାଫୋନ-ଆଇଡ଼ିଆର ଉପଭୋକ୍ତା ସଂଖ୍ୟା କମିଥିବା ସ୍ଥଳେ ମୁକେଶ ଆମ୍ୱାନୀ ପରିଚ଼ାଳିତ ରିଲାଏନ୍ସ ଜିଓ ମଞ୍ଚରେ ୯୪ ଲକ୍ଷ ୯୦ ହଜାର ନୂତନ ଗ୍ରାହକ ଯୋଗ ଦେଇଛନ୍ତି ।

ଓଡ଼ିଶାରେ ମୋବାଇଲ ଫୋନ ସେବା କ୍ଷେତ୍ରରେ ବିଏସଏନଏଲର ଆଦର ମୂଳରୁ ରହି ଆସିଛି । ସର୍ବଭାରତୀୟସ୍ତରରେ ମୋଟ ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରେ ମାତ୍ର ୧୦.୨୬ ପ୍ରତିଶତ ବିଏସଏନଏଲ ଓ ଓମଟିଏନଟିଏଲର ଗ୍ରାହକ । ଏହି ସଂଖ୍ୟା ୧୨ କୋଟି ୯ ଲକ୍ଷରେ ସୀମିତ । ବିଏସଏନଏଲର ଆସାମରେ ଗ୍ରାହକ ସଂଖ୍ୟାରେ ବୃଦ୍ଧି ସ୍ଥଳେ ବିହାରରେ ସର୍ବାଧିକ ଗ୍ରାହକ ହ୍ରାସ ୨୦୧୯ ମାର୍ଚ୍ଚ ମାସରେ ହିସାବ କରାଯାଇଛି ।

ଭାରତରେ ମୋବାଇଲ ଫୋନ ମଧ୍ୟରେ ସ୍ମାର୍ଟ ଫୋନ ବ୍ୟବହାର ଆନ୍ତର୍ଜାତିକସ୍ତରରେ କମ ରହିଛି । ଯୁକ୍ତରାଷ୍ଟ୍ର ଆମେରିକାର ପିଉ ଗବେଷଣା ସଂସ୍ଥା ପକ୍ଷରୁ ୨୦୧୮ ମେ’ମାସରୁ ଅଗଷ୍ଟ ମାସ ମଧ୍ୟରେ ଭାରତ ସମେତ ୨୭ ଗୋଟି ରାଷ୍ଟ୍ରରେ ପ୍ରାୟ ୩୦ ହଜାର ନାଗରିକଙ୍କ ମଧ୍ୟରେ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା । ସେଥିରୁ ଜଣାଯାଇଥିଲା ଯେ ଦେଶର ୬୪ ପ୍ରତିଶତ ନାଗରିକ ମୋବାଇଲ ଫୋନ ଉପଭୋକ୍ତା ଥିବା ସ୍ଥଳେ ୨୪ ପ୍ରତିଶତ ସ୍ମାର୍ଟଫୋନ ବ୍ୟବହାର କରିଥାନ୍ତି । ବ୍ରାଜିଲ, ମେକ୍ସିକୋ, ଦକ୍ଷିଣ ଆଫ୍ରିକା, ଫିଲିପାଇନ୍ସ ଇଣ୍ଡୋନେସିଆ, କେନିଆ ଓ ନାଇଜେରିଆ ଭଳି ରାଷ୍ଟ୍ର ତୁଳନାରେ ଭାରତରେ ସ୍ମାର୍ଟଫୋନ ଉପଭୋକ୍ତାଙ୍କ ସଂଖ୍ୟା କମ ।

ଆମ ଦେଶରେ ପ୍ରତି ଚ଼ାରିଜଣଙ୍କ ମଧ୍ୟରେ ଜଣେ ସ୍ମାର୍ଟଫୋନ ବ୍ୟବହାର କରୁଥିବାସ୍ଥଳେ ମହିଳା ଓ ଅଳ୍ପଶିକ୍ଷିତଙ୍କ ମଧ୍ୟରେ ସ୍ମାର୍ଟଫୋନ ବ୍ୟବହାର କମ । ଏଠାରେ ସୋସିଆଲ ମିଡ଼ିଆର ବ୍ୟବହାର କମ ଏବଂ ଫେସବୁକ, ଟୁଇଟର, ଇନଷ୍ଟ୍ରାଗ୍ରାମ ଓ ହ୍ୱାଟସଆପ ଭଳି ମଞ୍ଚ ଲୋକପ୍ରିୟ ।

ସେଲ୍ୟୁଲାର ଟେକନୋଲଜିର ପଞ୍ଚମ ପୀଢ଼ି ୫ଜି ୨୦୧୯ ସେପ୍ଟେମ୍ୱର ମଧ୍ୟଭାଗ ସୁଦ୍ଧା ପରୀକ୍ଷାମୂଳକଭାବେ ଭାରତରେ ବ୍ୟବହାର କରାଯିବା ସ୍ଥିରୀକୃତ ହୋଇଥିଲା । ଏହି କାରିଗରୀକୌଶଳ ମୁଖ୍ୟତଃ ଚ଼ାରିଗୋଟି ଦିଗରୁ ୩ଜି ଓ ୪ଜି ତୁଳନାରେ ଉନ୍ନତ । ପ୍ରଥମତଃ ଏଥିରେ ଇଣ୍ଟରନେଟ ବେଗ ଉଭୟ ଅପଲୋଡ଼ ଓ ଡ଼ାଉନଲୋଡ଼ସ୍ତରରେବୃଦ୍ଧିପ୍ରାପ୍ତ ହେବ । ପ୍ରଚଳିତ ୪୫ ଏମବିପିଏସରୁ ଏକ ଜିବିପିଏସ ଅର୍ଥାତ ଶହେଗୁଣ ବେଗ ବଢ଼ିବ । ଦ୍ୱିତୀୟତଃ ଇଣ୍ଟରନେଟ ନେଟୱାର୍କ ବ୍ୟବହାର ବେଳେ ଦେଖାଯାଉଥିବା ସମୟର ତାରତମ୍ୟ ‘ଲେଟେନ୍ସି’ କମିଯିବ । ପ୍ରାୟତଃ ବଫରିଙ୍ଗ ଉଭେଇଯିବ । ଆଦେଶ ଦେବା ମାତ୍ରେ କାର୍ଯ୍ୟ ସଂଭବପର ହୋଇପାରିବ । ତୃତୀୟତଃ ୫ଜିରେ କମ ଶକ୍ତି ଖର୍ଚ୍ଚ ହେବ । ତେଣୁ ଉପକରଣଗୁଡ଼ିକ ଦୀର୍ଘ ସମୟଧରି ବ୍ୟବହାରର କ୍ଷମତା ହାସଲ କରିବ । ଚ଼ତୁର୍ଥତଃ ନେଟୱାର୍କରେ ଦେଖାଦେଉଥିବା ଅସ୍ଥିରତା ଯଥା:ଭିଡ଼, ଦୁର୍ବଳ ସଂଯୋଗ ଇତ୍ୟାଦି ଲୋପ ପାଇବ ।

ଏହି ନୂତନ କାରିଗରୀ କୌଶଳ ବ୍ୟବହାର କରିବା ନିମନ୍ତେ ମୋବାଇଲ ଫୋନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଦେଶବ୍ୟାପୀ ନିଜର ଭିତ୍ତିଭୂମି ୫ଜି ଉପଯୋଗୀ ଯନ୍ତ୍ରପାତି ସ୍ଥାପନ କରିବା ସଙ୍ଗେ ଉପଭୋକ୍ତାମାନେ ନିଜର ମୋବାଇଲ ସିମ ଓ ଫୋନ ମଧ୍ୟ ବଦଳାଇବା ଆବଶ୍ୟକ । ଏହି କାରଣରୁ ଭାରତରେ ୫ଜି ଟେଲିଯୋଗାଯୋଗ ସେବା ଆରମ୍ଭ ହେବା ଦୁଇତିନି ବର୍ଷ ପରେ ହିଁ କ୍ରମଶଃ ଦେଶବ୍ୟାପୀ ଉପଲବ୍ଧ ହେବ ଏବଂ ଜନସାଧାରଣରେ ବ୍ୟବହାରଯୋଗ୍ୟ ହେବା ନିଶ୍ଚିତ । ଏହି ପରିପ୍ରେକ୍ଷୀରେ ସମସ୍ତ ମୋବାଇଲ ଫୋନ ଉପଭୋକ୍ତା ପ୍ରଥମେ ୪ଜି ଏଲଟିଇ ସେବା ଅନ୍ତର୍ଭୁକ୍ତ ହେବା ପରେ ୫ଜି ବ୍ୟବହାର ପାଇଁ ପ୍ରସ୍ତୁତ ହେବେ ବୋଲି ବିଶେଷଜ୍ଞମାନେ ଆଶା କରିଥାନ୍ତି । ଆମ ଦେଶରେ ସମସୁଙ୍ଗ, ୱାନ-ପ୍ଳସ, ଜିଓମି ଓ ମୋଟରଲା ଭଳି ଫୋନସେଟ ନିର୍ମାତାମାନେ ୫ଜି ବ୍ୟବହାରଯୋଗ୍ୟ ହେଣ୍ଡସେଟ ୨୦୨୦ ସୁଦ୍ଧା ବଜାରକୁ ଛାଡ଼ିବେ ବୋଲି ଘୋଷଣା କରିସାରିଲେଣି ।

ଭାରତରେ ମୋବାଇଲ ଫୋନ ବ୍ୟବହାର ସାମାଜିକସ୍ତରରେ ପ୍ରଭାବ ବିସ୍ତାର କରିସାରିଥିବା ସ୍ଥଳେ ଏହାର ସମ୍ଭାବ୍ୟ ବ୍ୟାପ୍ତି ଓ ନୂତନ କାରିଗରୀକୌଶଳ ଉପଯୋଗ ପୁଣି ଏକ ନୂତନ ସମୀକରଣ କରିବା ସୁନିଶ୍ଚିତ । 

Related Post