ଆଜିର ଖାସ ଖବର
Sat. Sep 12th, 2026

ଶହେ କୋଟି ସ୍ମାର୍ଟଫୋନ

By Dainikasha Jul11,2024

ଭାରତରେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକରେ ଇଣ୍ଟରନେଟ ଓ ସ୍ମାର୍ଟଫୋନ ବ୍ୟବହାର କ୍ରମୋନ୍ନତି ତୃତୀୟ ଦଶକ ପ୍ରଥମାର୍ଦ୍ଧରେ ପ୍ରଖର ହେବା ତଥ୍ୟାଭିଜ୍ଞମାନେ ଆକଳନ କରିଆସିଛନ୍ତି । କୁହାଯାଉଛି ମହାମାରୀରେ ଦୂରାବସ୍ଥାନ ନୀତି ଭର୍ଚୁଆଲ ସଂସ୍କୃତିକୁ ସୁଦୃଢ କରିବା ସହ ପରିବର୍ତ୍ତନର ଅବଧି ହ୍ରାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଫେବୃୟାରୀ ୨୦୨୨ରେ ପ୍ରକାଶିତ ‘ଇନ-ମୋବି ମୋବାଇଲ ମାର୍କେଟିଂ ହେଣ୍ଡବୁକ’ରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୮୧ କୋଟି ହିସାବ କରାଯାଇଛି ।

ବିଶ୍ୱରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରୁ ୧୭ ପ୍ରତିଶତ ଭାରତୀୟ । ଦେଶରେ ୨୦୨୧ରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୧୧.୫ ପ୍ରତିଶତ ବୃଦ୍ଧି ପାଇଥିଲା ଏବଂ ଗ୍ରାମାଞ୍ଚଳରେ ୩୨ ପ୍ରତିଶତ ଇଣ୍ଟରନେଟ ସଂଯୁକ୍ତ ହୋଇପାରିଛନ୍ତି । ଠିକ ସେହି ସମୟରେ ବାଣିଜ୍ୟ ବ୍ୟବସାୟ ଗବେଷଣା ପ୍ରତିଷ୍ଠାନ ‘ଡ଼ିଲୋଟେ’ ପ୍ରକାଶିତ ବିବରଣୀରେ ଭାରତରେ ୨୦୨୧ରେ ଶହେ କୋଡ଼ିଏ କୋଟି ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରେ ୭୫ କୋଟି ସ୍ମାର୍ଟଫୋନ ବ୍ୟବହାରକାରୀ ଅନ୍ତର୍ଭୁକ୍ତ ଥିବା ପ୍ରକାଶ ପାଇଥିଲା । ପରବର୍ତ୍ତୀ ପାଞ୍ଚ ବର୍ଷ, ଅର୍ଥାତ ୨୦୨୬ ସୁଦ୍ଧା ଦେଶରେ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ଶହେ କୋଟିରେ ପହଞ୍ଚିବ ।

‘ଡିଲୋଟେ’ର ‘୨୦୨୨ ଗ୍ଳୋବାଲ ଟିଏମଟି (ଟେକନୋଲଜି, ମିଡ଼ିଆ ଏଣ୍ଡ ଏଣ୍ଟରନେଟମେଣ୍ଟ, ଟେଲକମ)’ ରିପୋର୍ଟରେ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ୨୦୨୧ରୁ ୨୬ ମଧ୍ୟରେ ବ୍ୟାପକ ବୃଦ୍ଧି ଆକଳନ କରାଯାଇଛି । ସହରାଞ୍ଚଳରେ ସ୍ମାର୍ଟଫୋନ ବ୍ୟବହାର ଅଭିବୃଦ୍ଧି ୨.୫ ପ୍ରତିଶତ ରହିବା ସ୍ଥଳେ ଗ୍ରାମାଞ୍ଚଳରେ ୬ ପ୍ରତିଶତ ଛୁଇଁବ । ଭାରତରେ ସ୍ମାର୍ଟଫୋନ ନିର୍ମାଣ ବୃଦ୍ଧି ପାଇଚାଲିଛି ଏବଂ ୨୦୨୬ ସୁଦ୍ଧା ଆନ୍ତର୍ଜାତିକସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିବ ।

ଏହି ସମୟସୀମାରେ ଟେଲକମ କ୍ଷେତ୍ରରେ ୫ଜି ବୈଷୟିକ କୌଶଳ ପ୍ରଚଳନ ଯୋଗାଯୋଗ ପରିବେଶକୁ ପରବର୍ତ୍ତୀ ପର୍ଯ୍ୟାୟ ‘ନେକ୍ସଟ ଫେଜ’କୁ ଉନ୍ନୀତ କରିବ । ଫିନଲ୍ୟାଣ୍ଡର ମୋବାଇଲ ନିର୍ମାତା ‘ନୋକିଆ’ ପକ୍ଷରୁ ପ୍ରକାଶିତ ବିବରଣୀରେ ୨୦୨୫-୨୬ ସୁଦ୍ଧା ଭାରତରେ ୩୫ ରୁ ୪୦ କୋଟି ସ୍ମାର୍ଟଫୋନ ଉପଭୋକ୍ତା ୫ଜି ନେଟୱାର୍କରେ ସାମିଲ ହେବା ଆକଳନ କରାଯାଇଛି । ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜୁନ-ଜୁଲାଇ ୨୦୨୨ରେ ୫ଜି ସ୍ପେକ୍ଟ୍ରମ ନିଲାମ ଓ ଆବଣ୍ଟନ ସରିଲେ ୨୦୨୨ ଦ୍ୱିତୀୟାର୍ଦ୍ଧରୁ ୫ଜି ସେବା ଅନ୍ତତଃପକ୍ଷେ ଶହେଗୋଟି ସହରରେ ଆରମ୍ଭ ହେବ । କ୍ରମଶଃ ୨୦୨୩ରୁ ୨୦୨୫ ମଧ୍ୟରେ ଦେଶବ୍ୟାପୀ ଉପଲବ୍ଧ ହେବା ସମ୍ଭବ ।

ଭାରତରେ ୫ଜି ପ୍ରଚଳନ କାଳରେ ସ୍ୱତନ୍ତ୍ର ରାଷ୍ଟ୍ରଭିତ୍ତିକ ଟେକନୋଲଜି ‘୫ଜି-ଆଇ’ ବ୍ୟବହାର ନିମନ୍ତେ ପ୍ରସ୍ତାବ ରହିଥିଲା । ତେବେ ସ୍ୱତନ୍ତ୍ର ଟେକନୋଲଜି ଯୋଗୁଁ ଆନ୍ତର୍ଜାତିକସ୍ତରରେ ବ୍ୟବହୃତ ଟେକନୋଲଜିରୁ ଦୂରେଇ ରହିବା ବିପଦ ଟାଳିବା ନିମନ୍ତେ ଏହି ନୀତିକୁ ପ୍ରତ୍ୟାହାର କରିନିଆଯାଇଛି । ଏକ ପକ୍ଷରେ କେବଳ ଭାରତ ନିମନ୍ତେ ସ୍ୱତନ୍ତ୍ର ବୈଷୟିକ କୌଶଳ ଉପଯୋଗ ହେଲେ ଏଠାକାର ଉପଭୋକ୍ତାମାନେ ବିଦେଶ ଯାତ୍ରା ଅବସରରେ ନିଜ ସ୍ମାର୍ଟଫୋନରେ ରୋମିଂ ସୁବିଧା ଉପଭୋଗ କରିବାରେ ପ୍ରତିବନ୍ଧକ ସୃଷ୍ଟି ହେବା ସ୍ଥଳେ କେବଳ ଭାରତରେ ଉପଭୋକ୍ତାଙ୍କ ନିମନ୍ତେ ସ୍ମାର୍ଟଫୋନ ନିର୍ମାଣରେ ସ୍ୱତନ୍ତ୍ର ଚ଼ିପ ଆବଶ୍ୟକ ପଡ଼ିଲେ ଖର୍ଚ୍ଚ ବହୁଳ ହୋଇପଡ଼ିବ । ସେହିପରି ଆନ୍ତର୍ଜାତିକ ମାନଦଣ୍ଡରୁ ଦୂରେଇ ରହିଲେ ଭାରତରେ ସ୍ମାର୍ଟଫୋନ ନିର୍ମାଣ ଓ ରପ୍ତାନୀ ମଧ୍ୟ ବାଧା ପାଇବ ।

କେନ୍ଦ୍ର ସରକାରଙ୍କ ସମର୍ଥିତ ‘ଟେଲକମ ଷ୍ଟାଣ୍ଡାର୍ଡସ ଡେଭଲାପମେଣ୍ଟ ସୋସାଇଟି ଅଫ ଇଣ୍ଡିଆ’ ପକ୍ଷରୁ ୨୦୨୨ ଜାନୁୟାରୀ ଶେଷ ସପ୍ତାହରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ଆନ୍ତର୍ଜାତିକସ୍ତରରେ ପ୍ରଚଳିତ ‘ଥାର୍ଡ଼-ଜେନେରେସନ ପାର୍ଟନରସିପ ପ୍ରୋଜେକ୍ଟ’ର ନୀତି ଭାରତରେ ପ୍ରଚଳନ କରାଯିବା ନେଇ ‘ଇଣ୍ଟରନେସନାଲ ଟେଲିକମ୍ୟୁନିକେସନ ୟୁନିୟନ’କୁ ଜଣାଇ ଦିଆଯାଇଛି । ସରକାରୀ ନୀତି ସ୍ଥାନୀୟ ସ୍ମାର୍ଟଫୋନ ନିର୍ମାତାମାନଙ୍କୁ ଉତ୍ସାହିତ କରିଛି । ଉଦାହରଣରେ ‘ନୋକିଆ’ ୫ଜି ସ୍ମାର୍ଟଫୋନ ନିର୍ମାଣଲାଗି ୫୦ ଭାଗ ଯନ୍ତ୍ରାଂଶ ଭାରତରେ ତିଆରି ଏବଂ ଉତ୍ପାଦିତ ସାମଗ୍ରୀର ୫୦ ପ୍ରତିଶତ ଆନ୍ତର୍ଜାତିକ ବଜାରରେ ବିକ୍ରୀ ନିମନ୍ତେ ରପ୍ତାନୀ କରିବାଲାଗି ପ୍ରସ୍ତୁତ ଥିବା ଜଣାଯାଏ ।

ସ୍ମାର୍ଟଫୋନ ବ୍ୟବହାର ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପରେ ବ୍ୟାପକ ପରିବର୍ତ୍ତନର ବାହକ ହେବା ନିଶ୍ଚିତ । ଅନୁଶୀଳନ କଲେ ଭାରତରେ ୨୦୧୫ରୁ ୨୦୨୫ ଦଶ ବର୍ଷରେ ପାରମ୍ପରିକ ସମ୍ୱାଦ ମଞ୍ଚଗୁଡ଼ିକ ମଧ୍ୟରୁ ଏକତୃତୀୟାଂଶ ଡିଜିଟାଲ ମଞ୍ଚରେ ବିଲୀନ ହେବା ସଙ୍ଗେ ଅନ୍ୟ ଏକ-ତୃତୀୟାଂଶ ବନ୍ଦ ହୋଇଯିବ । ଅନ୍ୟ ଏକ-ତୃତୀୟାଂଶ ପୂର୍ବପରିଚ଼ିତି ହରାଇ ପାରମ୍ପରିକ ଆଙ୍ଗିକରେ ବ୍ୟାପକ ପରିବର୍ତ୍ତନ ଆଣି ସଙ୍କୁଚିତ ଉପଭୋକ୍ତାଙ୍କ ଉପସ୍ଥିତିରେ ପ୍ରକାଶନ ଜାରି ରଖିବ । ତେବେ ସମଗ୍ର ସମ୍ୱାଦ ମଞ୍ଚ ଯେ ପରିବର୍ତ୍ତନର ଶୀକାର ହେବେ ଏଥିରେ ସନ୍ଦେହ ନାହିଁ ।

ଗଣମାଧ୍ୟମ ଓ ମନୋରଞ୍ଜନ ମଞ୍ଚ ଆହରଣ ନିମନ୍ତେ ସ୍ମାର୍ଟଫୋନ ବ୍ୟବହାର ଉପଭୋକ୍ତାଙ୍କ ଆଚ଼ରଣ ପରିବର୍ତ୍ତନରେ ସର୍ବାପେକ୍ଷା ପ୍ରଭାବଶାଳୀ ବିଚାର କରାଯାଏ । ଭାରତରେ ୨୦୨୧ରୁ ୨୦୨୬ ପାଞ୍ଚ ବର୍ଷ ମଧ୍ୟରେ ବ୍ୟବହୃତ ସ୍ମାର୍ଟଫୋନ ସଂଖ୍ୟା ୭୫ କୋଟିରୁ ଶହେ କୋଟିକୁ ବୃଦ୍ଧି ହେବ । ଏହି ବୃଦ୍ଧି ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଅଢ଼େଇଗୁଣ ଯାଏଁ ଅଧିକ ରହିବା ପୁର୍ବାନୁମାନ କରାଯାଉଥିବା ହେତୁ ଆଞ୍ଚଳିକ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପକୁ ବ୍ୟାପକ ପ୍ରଭାବିତ କରିବା ଆଶା କରାଯାଇପାରେ । ଏହି ଘଟଣାକ୍ରମରେ ଓଡ଼ିଆ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ମଧ୍ୟ ସାମିଲ ହେବା ନିଶ୍ଚିତ ।

ସ୍ମାର୍ଟଫୋନର ବ୍ୟବହାର ପାରମ୍ପରିକ ଅଡ଼ିଓ ଓ ଭିଡ଼ିଓ ମନୋରଞ୍ଜନ ଯଥା ସଙ୍ଗୀତ, ଚଳଚିତ୍ର ଓ ଟେଲିଭିଜନ କାର୍ଯ୍ୟକ୍ରମର ସୀମା ଅତିକ୍ରମ କରି ଅନଲାଇନ ଗେମିଂରେ ପହଞ୍ଚିଥିବା ଅନ୍ୟ ଏକ ଚର୍ଚ୍ଚିତ ପ୍ରସଙ୍ଗ । ‘୨୦୨୦ ଇନ-ମୋବି ମୋବାଇଲ ମାର୍କେଟିଂ ହ୍ୟଣ୍ଡବୁକ’ରେ ପ୍ରକାଶିତ ସୂଚନା ଅନୁଯାୟୀ ୨୦୨୧ରେ ଆନ୍ତର୍ଜାତିକସ୍ତରରେ ଗେମିଂ ଆପ ଡ଼ାଉନଲୋଡ଼ ସଂଖ୍ୟାରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଦେଶରେ ଗେମିଂ ଉପଭୋକ୍ତାଙ୍କ ମଧ୍ୟରେ ୪୩ ପ୍ରତିଶତ ମହିଳା । ଯୁବ ସମ୍ପଦାୟର ୯୭ ପ୍ରତିଶତ ସୋସିଆଲ ମିଡ଼ିଆ ଦ୍ୱାରା ପ୍ରଭାବିତ ହୋଇ କିଣାବିକା କରୁଛନ୍ତି ।

ଭବିଷ୍ୟତରେ ଗେମିଂର ଲୋକପ୍ରିୟତାକୁ ଦୃଷ୍ଟି ରଖି ଭାରତରେ ଉଭୟ ସରକାରୀ ଓ ଶିଳ୍ପାନୁଷ୍ଠାନଗୁଡ଼ିକ ପକ୍ଷରୁ ‘ଆନିମେସନ, ଭିଜୁଆଲ ଏଫେକ୍ଟସ, ଗେମିଂ ଏଣ୍ଡ କମିକ୍ସ’ କ୍ଷେତ୍ରରେ ଅନୁକୂଳ ନୀତି ଉପଯୋଗ ନିମନ୍ତେ ପଦକ୍ଷେପମାନ ଗ୍ରହଣ କରାଯାଉଛି । ଗେମିଂ କ୍ଷେତ୍ରରେ ଆନ୍ତର୍ଜାତିକସ୍ତରରେ ଭାରତ ପଛରେ ପଡ଼ିରହିଛି । ୨୦୩୦ ସୁଦ୍ଧା ଏହି ଦିଗରେ ବ୍ୟାପକ ଉନ୍ନତି ନିମନ୍ତେ ଯୋଜନାମାନ ପ୍ରଣୟନ କରାଯାଉଛି । ହିସାବ ଅନୁଯାୟୀ ୨୦୨୨ ସୁଦ୍ଧା ଭାରତରେ ୯୨୦ ଗୋଟି ଗେମିଂ ଷ୍ଟାର୍ଟ-ଅପ ଥିବା ସ୍ଥଳେ ବ୍ରିଟେନରେ ୧,୨୧୬ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ୩,୩୭୪ ଗୋଟି ଗେମିଂ ଷ୍ଟାର୍ଟ-ଅପ କାର୍ଯ୍ୟରତ ଥିଲେ । ଆନ୍ତର୍ଜାତିକ ଗେମିଂ ବଜାରରେ ଭାରତର ଭାଗ ମାତ୍ର ଏକ ପ୍ରତିଶତରେ ସୀମିତ ରହିଥିଲା । ଏହି ଦିଗରେ ପୁଞ୍ଜି ଲଗାଣ, କୁଶଳୀ ଶ୍ରମଶକ୍ତି ସୃଷ୍ଟିକୁ ପ୍ରାଧାନ୍ୟ ଦିଆଯାଉଛି । ଅନଲାଇନ ଗେମିଂ ସ୍ମାର୍ଟଫୋନଭିତ୍ତିକ ଆଙ୍ଗିକରେ ପ୍ରସ୍ତୁତ ହେଉଥିବା ହେତୁ ଭାରତରେ ଗ୍ରାମାଞ୍ଚଳରେ ଏହି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଆଶା କରାଯାଏ । 

Related Post