ଆଜିର ଖାସ ଖବର
Sat. May 30th, 2026

ସମ୍ପାଦକୀୟ ନୀତି ସଂସ୍କାର

By Dainikasha Jul12,2024

ଯେଉଁ ଗଣମାଧ୍ୟମ ସମୀକ୍ଷକମାନେ ଭାରତୀୟ ପରିବେଶରେ କୌଣସି ସମ୍ୱାଦପତ୍ରର ପତନ ନୀରିକ୍ଷଣ କରିବା ସୁଯୋଗ ପାଇଛନ୍ତି, ସେମାନଙ୍କ ଅନୁଭୂତିରେ ବିପଦ ସମ୍ମୁଖୀନ ସମ୍ୱାଦପତ୍ରର ଅବସ୍ଥା ମଝି ସମୁଦ୍ରରେ ବୁଡ଼ି ଯାଉଥିବା ଜାହାଜ ସଦୃଶ୍ୟ । ଏହି ପରିପ୍ରେକ୍ଷୀରେ ସମସ୍ତ ସୂତ୍ରରୁ ସହାୟତା ହଠାତ ଉଭେଇଯାଏ । ଜାହାଜର ନାବିକଗଣ ନିଜ ଆଶ୍ରୟସ୍ଥଳୀକୁ ପ୍ରତିକୂଳ ପରିବେଶକୁ ଠେଲି ଦେବାରେ ପ୍ରତ୍ୟେକେ ଊଣା-ଅଧିକେ ଦାୟୀ ରହିଥିବା ହେତୁ ଜାହାଜକୁ ବୁଡିଯିବାରୁ ଉଦ୍ଧାର କରିବାରେ ବିଶେଷ କିଛି କରିପାରନ୍ତି ନାହିଁ ।

ଅବଶ୍ୟ କପ୍ତାନଙ୍କ ପକ୍ଷରୁ ପ୍ରଚଳିତ ପରିଚାଳନା ନୀତିର ବ୍ୟାପକ ପରିବର୍ତ୍ତନ ଯଦି ଯୁକ୍ତିଯୁକ୍ତ-ସର୍ବସମ୍ମତ୍ତ-ସ୍ୱଚ୍ଛ ପଦକ୍ଷେପମାନ ଗ୍ରହଣ କରାଯାଏ, ତେବେ ସୁରକ୍ଷାର ଆଶା ସଞ୍ଚାର ହୋଇଥାଏ । ପାରିପାର୍ଶ୍ୱିକ କାରଣଗୁଡ଼ିକ ବିପଦ ଆଣି ଦେଇଥିବା ସ୍ଥଳେ ତାହାର ମୁକାବିଲା ନିମନ୍ତେ ଯୋଜନାବଦ୍ଧ ଉଦ୍ୟମ ଅନ୍ତତଃପକ୍ଷେ କେତେକାଂଶରେ ଯେ ନିଶ୍ଚିତ ଭାବେ ଫଳପ୍ରଦ ହୋଇଥାଏ, ଏଥିରେ ସନ୍ଦେହ ନାହିଁ ।

ସମକାଳରେ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନରେ ବିପର୍ଯ୍ୟସ୍ତ ଅବସ୍ଥା ନିମନ୍ତେ ସମ୍ପାଦକୀୟ ଓ ବ୍ୟାବସାୟିକ ନୀତି ଉଭୟ ଦାୟୀ । ବଜାରରେ ବିଜ୍ଞାପନ ବ୍ୟୟ ହ୍ରାସ, ଦେଶରେ ଆର୍ଥିକ ମାନ୍ଦାବସ୍ଥାଜନିତ ପାରିବାରିକ ଖର୍ଚ୍ଚକାଟ ଓ ସମ୍ୱାଦପତ୍ରର ମୂଲ୍ୟ ବୃଦ୍ଧି କାରଣରୁ ଗ୍ରାହକ ହାନୀ କିମ୍ୱା ପ୍ରତିଯୋଗୀ ସମ୍ୱାଦ ମଞ୍ଚଗୁଡ଼ିକର ବୈଷୟିକ ଆଧିପତ୍ୟକୁ ନିୟନ୍ତ୍ରଣ କରିବା କ୍ଷମତା ସମ୍ୱାଦପତ୍ରର ନଥାଏ । କୌଣସି ସମ୍ୱାଦପତ୍ର ନିଜର ଆକାର, ଇତିହାସ ଓ ପ୍ରତିପତ୍ତି ହେତୁ ଏଭଳି ସମସ୍ୟାଗୁଡ଼ିକ ଦ୍ୱାରା ଯେ କ୍ଷତିଗ୍ରସ୍ତ ହେବ ନାହିଁ, ତାହା ବିଚାର କରିବା ଭୂଲ । ଏହି ତତ୍ତ୍ୱ ପ୍ରାଚୁର୍ଯ୍ୟକାଳରେ ଅଦୃଶ୍ୟବୋଧ ହେଉଥିବା ବେଳେ ଅଭାବ ସମୟରେ ଗୋଟି ଗୋଟି କରି ଗଣିହୁଏ । ଅବସ୍ଥା ସୁଧାରିବା ଉଦ୍ୟମରେ ପ୍ରାଥମିକଭାବେ ସମ୍ୱାଦପତ୍ରଗୁଡ଼ିକର ନିଜସ୍ୱ ସମ୍ପାଦକୀୟ ନୀତିର ସଂସ୍କାର ଅବ୍ୟବସ୍ଥାର ବିଷଚ଼କ୍ର ସଜାଡ଼ିବାରେ ସମର୍ଥ ହୋଇପାରେ ବୋଲି ବିଶ୍ୱାସ କରାଯାଏ ।

ଆଧୁନିକ ଯୁଗରେ ସମ୍ୱାଦମଞ୍ଚଗୁଡ଼ିକୁ ଗଣତନ୍ତ୍ର ସୁରକ୍ଷାର ପ୍ରମୁଖ ଆୟୂଧ ବିବେଚ଼ନା କରାଯାଉଥିବା ହେତୁ ପ୍ରତ୍ୟେକ ସମ୍ପାଦପତ୍ରର ସମ୍ପାଦକୀୟ ନୀତି ନିର୍ଦ୍ଧାରଣ ଗଣତାନ୍ତ୍ରିକ ପଦ୍ଧତିରେ ସମାହିତ ହେବା ଯୁକ୍ତିଯୁକ୍ତ । ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକରେ ଉଭୟ ସମ୍ପାଦନା, ବ୍ୟବସାୟ ଓ ବୈଷୟିକ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ବ୍ରିଟେନର ‘ଦି ଗାର୍ଡିଆନ’ ସମ୍ୱାଦପତ୍ରର ମୁଖ୍ୟ-ସମ୍ପାଦକଙ୍କୁ ସମ୍ୱାଦ ସଂସ୍ଥାରେ କାର୍ଯ୍ୟରତ ଏକ ହଜାର କର୍ମଚାରୀ ଭୋଟ ଦେଇ ନିର୍ବାଚ଼ିତ କରିଥାନ୍ତି । ଏହି ସମ୍ୱାଦପତ୍ର ୨୦୨୧ ମେ’ ପ୍ରଥମ ସପ୍ତାହରେ ଦୁଇଶତ ଜନ୍ମବାର୍ଷିକୀ ପାଳନ କରିଛି ଏବଂ ଏହାର ଗ୍ରାହକ ଚାନ୍ଦା ତଥା ବଦାନ୍ୟତା ଆୟ ବିଜ୍ଞାପନ ଆୟଠାରୁ ଅଧିକ । ଏତାଦୃଶ ଜୀବନ୍ତ ଉଦାହରଣରୁ ଅତ୍ୟାଧୁନିକ ସମ୍ୱାଦପତ୍ର ଅର୍ଥନୀତି ସଂପର୍କୀତ ବହୁକଥା ଆମର ଶିଖିବାର ରହିଛି ।

ଯେକୌଣସି ସମ୍ୱାଦ ମଞ୍ଚର ସମ୍ପାଦନା ନୀତି ସଂସ୍କାର ଅବସରରେ ସଂପୃକ୍ତ ସଂସ୍ଥାର ସମସ୍ତ ସମ୍ୱାଦ କର୍ମ୍ମୀଙ୍କ ସହମତି ଅନିର୍ବାଯ୍ୟ । କାରଣ କୌଣସି ପରିବର୍ତ୍ତନ ପ୍ରତି ସେମାନେ ବିମୁଖ ହେଲେ ସେଗୁଡ଼ିକର ପ୍ରୟୋଗ ପ୍ରତି ଉଦାସୀନ ରହିବେ ଏବଂ ପ୍ରତ୍ୟେକ କର୍ମଚାରୀ ସମ୍ୱାଦପତ୍ରର ଅଂଶ ବିଶେଷ ହୋଇଥିବା ହେତୁ ପ୍ରସ୍ତାବିତ ଯୋଜନାର ସଫଳ ରୂପାୟନରେ ଅନ୍ତରାୟ ସୃଷ୍ଟି ହେବ । ତେଣୁ ପ୍ରାଥମିକ ପର୍ଯ୍ୟାୟରେ ଯେତିକି ପ୍ରସ୍ତାବରେ କର୍ମଚାରୀମାନେ ସହମତ ହେବେ, ଅନ୍ତତଃପକ୍ଷେ ସେତିକି ଶତପ୍ରତିଶତ କାର୍ଯ୍ୟକାରୀ ହୋଇପାରିଲେ ସୁଫଳ ମିଳିପାରିବ ।

ପରିଚାଳନା ଶାସ୍ତ୍ର ବିଧିରେ ପ୍ରତ୍ୟେକ ବିଷୟର ଲିଖିତ ଆକାର ପ୍ରତି ଗୁରୁତ୍ୱାରୋପ କରାଯାଉଛି । ଏପରିକି ଜଣେ ଅନ୍ୟ ଜଣକ ପ୍ରତି କ୍ରୋଧାନ୍ୱିତ ହୋଇପଡ଼ିଲେ ମୂଳ ବ୍ୟକ୍ତିଙ୍କୁ କୁହାଯାଉଛି ତୁମେ କେଉଁ ସବୁ ଅବିଗୁଣ ବିରୋଧରେ ପ୍ରତିକ୍ରିୟାଶୀଳ ତାହା ଗୋଟି ଗୋଟି କରି ଲେଖ ଓ ସେସବୁରେ ନିଜେ ପ୍ରଭାବିତ ନହେବାର ବାଟ ଖୋଜ । ମୂହୁର୍ତ୍ତକ ମଧ୍ୟରେ ଉପାୟ ମିଳିଯିବ । କ୍ରୋଧ ପ୍ରକାଶ ବଦଳରେ ଚାତୁର୍ଯ୍ୟ ଉପଯୋଗରେ ନାପସନ୍ଦ ତତ୍ତ୍ୱଠାରୁ ଦୂରେଇ ରୁହ ।

ସମ୍ୱାଦପତ୍ର ଏକ ବଡ଼ ସଂସ୍ଥା । ବହୁ ସଂଖ୍ୟକ କର୍ମଚାରୀ, ବହୁ ସଂଖ୍ୟକ ପାଠକ ଏହାର ଉତ୍ପାଦ ଉପରେ ଦୈନନ୍ଦିନ ବହୁ ସମୟ ବିନିଯୋଗ କରିଥାନ୍ତି । କିନ୍ତୁ ଏହାର କାର୍ଯ୍ୟଶୈଳୀ ସଂପର୍କରେ ଖଣ୍ଡେ କାଗଜ ତୁକୁଡ଼ା ଅଭାବ ! ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଆରମ୍ଭରେ ଏହା ଅନ୍ୟ ଏକ ଆଶ୍ଚର୍ଯ୍ୟ ନୁହ କି ?

ସମ୍ପାଦକୀୟ ନୀତି ସଂସ୍କାର ପ୍ରକ୍ରିୟାରେ, ପ୍ରଥମତଃ, ଆମକୁ ତୁରନ୍ତ ‘ଶୃତି’ ଯୁଗରୁ ‘ସାର୍ବଜନୀନ-ଅନଲାଇନ-ଲିପିବଦ୍ଧ’ ଅବସ୍ଥାକୁ ଉନ୍ନୀତ ହେବାକୁ ପଡ଼ିବ । ସମ୍ପାଦକୀୟ ନୀତି ସମସ୍ତ ସମ୍ୱାଦକର୍ମ୍ମୀଙ୍କ ସହମତିରେ ପ୍ରସ୍ତୁତ ହୋଇ ସାର୍ବଜନୀନ ହେବାପରେ ଏହାର କାର୍ଯ୍ୟକାରିତା ତଥା ଉଲଂଘନ ଅନ୍ତତଃ ମାସିକସ୍ତରରେ ସମୀକ୍ଷାର ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ । ସମୟକ୍ରମେ ଏହାର ସଂଶୋଧନ ଓ ପରିମାର୍ଜନା ପ୍ରତି ଗୁରୁତ୍ୱ ଦିଆଯାଇପାରିଲେ ଏହା ଏକ ଗତିଶୀଳ ଦଲିଲ ‘ଇଭଲଭିଂ ଡ଼କ୍ୟୁମେଣ୍ଟ’ରେ ପରିଣତ ହେବ ।

ଦ୍ୱିତୀୟତଃ, ବିଭିନ୍ନ ଐତିହାସିକ କାରଣରୁ ସମ୍ୱାଦ ମଞ୍ଚଗୁଡ଼ିକରେ ସମ୍ପାଦକୀୟ ‘ଏଡ଼ିଟୋରିଆଲ’ ଓ ପ୍ରାୟୋଜିତ ‘ଏଡ଼ଭୋଟୋରିଆଲ’ ଉଭୟ ସମ୍ୱାଦ ପ୍ରକାଶିତ ହୋଇଥାଏ । ଏହି ଦୁଇ ବର୍ଗର ସଂଜ୍ଞା, କାର୍ଯ୍ୟକାରିତା ଓ ଉପାଦେୟତା ତର୍ଜମାକୁ ବାଦ ଦେଲେ, ପ୍ରାୟୋଜିକ ସମ୍ୱାଦ ଅର୍ଥାତ ଅର୍ଥ, କ୍ଷମତା ଓ ଚାପ ବିନିମୟରେ ପ୍ରଚାରଧର୍ମୀ ସମ୍ୱାଦ ପ୍ରକାଶନ ଧାରାକୁ ଅନ୍ତତଃପକ୍ଷେ ଘଡ଼ିସନ୍ଧି ମୂହୁର୍ତ୍ତରେ ଅସ୍ୱୀକାର କିମ୍ୱା ବିରୋଧ ବଦଳରେ ସହବସ୍ଥାନ ପରିବେଶ ସୃଷ୍ଟିରେ କିପରି ସମ୍ୱାଦପତ୍ରର ସ୍ୱାର୍ଥ ସଂରକ୍ଷଣରେ ବିନିଯୋଗ କରାଯାଇପାରିବ ସେ ଦିଗରେ ଧ୍ୟାନ ଦେବାକୁ ପଡ଼ିବ ।

ସମ୍ପାଦକୀୟ ସମ୍ୱାଦ ସହ ପ୍ରାୟୋଜିତ ସମ୍ୱାଦ ଏକତ୍ର ପ୍ରକାଶ ନକରି ପ୍ରାୟୋଜିତ ସମ୍ୱାଦ ନିମନ୍ତେ ସ୍ୱତନ୍ତ୍ର ପୃଷ୍ଠା ନିର୍ଦ୍ଧାରଣ ଏହି ସମସ୍ୟାରୁ ଦୂରେଇ ଯିବାରେ ପ୍ରାଥମିକ ପ୍ରୟାସ ବିଚାର କରାଯାଇପାରେ । ପ୍ରାୟୋଜିତ ସମ୍ୱାଦ ପୃଷ୍ଠା ସଂପର୍କରେ ପାଠକଙ୍କୁ ସୂଚ଼ିତ କରାଯାଇପାରିଲେ ଏହା ସାମ୍ୱାଦିକତା ନୈତିକତାର ବିରୋଧ ହେବ ନାହିଁ । କାରଣ ବିଜ୍ଞାପନ ସମ୍ୱାଦପତ୍ର ପ୍ରକାଶନର ଅଂଶବିଶେଷ ଏବଂ ଏଦିଗରେ ପ୍ରକାଶ୍ୟରେ ସମ୍ପାଦକୀୟ ସେବା ଯୋଗାଣ ଦୋଷାବହ ନୁହେଁ ।

ପ୍ରତ୍ୟେକ ପ୍ରାୟୋଜିତ ସମ୍ୱାଦ ଦେୟଯୁକ୍ତ ହେବା ଏବଂ ସମ୍ୱାଦପତ୍ର ପକ୍ଷରୁ ରସିଦ ଦେଇ ଅର୍ଥ ଗ୍ରହଣ କରାଯିବା ଉଚ଼ିତ । ବିଜ୍ଞାପନ ଆୟ ହ୍ରାସ କାଳରେ ପ୍ରାୟୋଜିତ ସମ୍ୱାଦ ପ୍ରକାଶନ ସଂସ୍ଥାର ଆୟ ପର୍ଯ୍ୟାୟଭୁକ୍ତ ହେଲେ ଏକ ବିକଳ୍ପ ସୂତ୍ର ରୂପେ ବିକଶିତ ହୋଇପାରିବ ।

ତୃତୀୟତଃ, ପ୍ରେସ ବିଜ୍ଞପ୍ତି-ଆଶ୍ରିତ ସାମ୍ୱାଦିକତାକୁ ନିରୁତ୍ସାହିତ କଲେ ଯାଇ ସମ୍ୱାଦପତ୍ରରେ ମୌଳିକତା ପରିସ୍ଫୁଟିତ ହେବ । ସମ୍ୱାଦିକମାନେ ପ୍ରେସ ବିଜ୍ଞପ୍ତିଗୁଡ଼ିକୁ ସମ୍ୱାଦର ଉତ୍ସ ଭାବେ ଗ୍ରହଣ କରିପାରନ୍ତି, କିନ୍ତୁ ସାମାନ୍ୟ ସଂଶୋଧନ କରି ପ୍ରକାଶନରୁ ବିରତ ରହିଲେ ଯାଇ ନିଜ ସମ୍ୱାଦପତ୍ର ପୃଷ୍ଠାରେ ବିକଳ୍ପ ସମ୍ୱାଦ ପ୍ରକାଶନ ନିମନ୍ତେ ସୁଯୋଗ ସୃଷ୍ଟି କରିପାରିବେ ।

ସେହିପରି ଯାହା ଘଟିଛି ତାହା ସମ୍ୱାଦ । ଯାହା ଘଟିବାକୁ ଯାଉଛି ତାହା ସବୁ ସମୟରେ ସମ୍ୱାଦ ନହୋଇ ପାରେ । ଜନଜୀବନକୁ ପ୍ରଭାବିତ କରୁଥିବା ଭବିଷ୍ୟତ ଯୋଜନାଗୁଡ଼ିକ କାଁ ଭାଁ ସମ୍ୱାଦ ରୂପେ ଗ୍ରହଣ କରାଯାଇପାରେ । ପ୍ରେସ ବିଜ୍ଞପ୍ତି-ଆଶ୍ରିତ ସମ୍ୱାଦଗୁଡ଼ିକ ପ୍ରାୟୋଜିତ ସମ୍ୱାଦ ରୂପେ ପ୍ରକାଶନ ନିମନ୍ତେ ସମ୍ୱାଦ ସୂତ୍ରଗୁଡ଼ିକୁ ପ୍ରରୋଚ଼ିତ କଲେ ସମ୍ୱାଦପତ୍ରର ଆୟବୃଦ୍ଧିରେ ସହାୟକ ହେବ ।

ଚ଼ତୁର୍ଥତଃ, ଜନଜୀବନର ସମସ୍ୟାଗୁଡ଼ିକୁ ଚ଼ିହ୍ନଟ କରି କ୍ରମାଗତଭାବେ ଗୋଟିଏ ପରେ ଗୋଟିଏ ସଂପର୍କରେ ଆଲୋକପାତ, ଚର୍ଚ୍ଚା ଓ ସମାଧାନ ନିମନ୍ତେ ସୁଯୋଗ ସୃଷ୍ଟି ସମ୍ୱାଦମଞ୍ଚଗୁଡ଼ିକର ମୌଳିକ ଧର୍ମ । ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ସମ୍ୱାଦପତ୍ରର ମୁଦ୍ରିତ ପୃଷ୍ଠାର ସ୍ଥାୟିତ୍ୱ କାରଣରୁ ସରକାରୀ  ଓ ବେସରକାରୀ ଉଭୟ ସ୍ତରରେ ଚାପ ପ୍ରୟୋଗ ନିମନ୍ତେ ଅନ୍ୟାନ୍ୟ ମଞ୍ଚଗୁଡ଼ିକ ତୁଳନାରେ ପ୍ରଭାବଶାଳୀ ପ୍ରମାଣିତ । ଏହି ବିଭବକୁ ଉପଯୋଗ କରି ସାମାଜିକସ୍ତରରେ ନିଜର ପ୍ରଭୁତ୍ୱ ବିସ୍ତାର କରିବା ନିମନ୍ତେ ସମ୍ୱାଦପତ୍ରଗୁଡ଼ିକ ପକ୍ଷେ ପ୍ରଶସ୍ତ ସୁଯୋଗ ରହିଥାଏ । ସମ୍ୱାଦମଞ୍ଚଗୁଡ଼ିକ ବିଶ୍ୱସନୀୟତା ହରାଉଥିବା ଅବସରରେ ଏ ଦିଗରେ ଯୋଜନାବଦ୍ଧ ଭାବେ ସମ୍ପାଦକୀୟ ନୀତି ସଂସ୍କାର ସୁଫଳ ପ୍ରଦାନ କରିବ ।

ଏକ ପକ୍ଷରେ ସାର୍ବଜନୀନ ସମସ୍ୟାବଳୀ ଚର୍ଚ୍ଚାରେ ପାଠକ ସଂଖ୍ୟା ବୃଦ୍ଧି ଆଶା କରାଯାଉଥିବା ସ୍ଥଳେ ଅପରପକ୍ଷେ ବ୍ୟକ୍ତିବିଶେଷ କିମ୍ୱା ଗୋଷ୍ଠୀକେନ୍ଦ୍ରୀକ ସମସ୍ୟାବଳୀ ସଂପର୍କରେ ଆଲୋକପାତ କରିବା ନିମନ୍ତେ ମଧ୍ୟ ସୁଯୋଗ ସୃଷ୍ଟି କରାଯାଇପାରେ । କେତେକ କ୍ଷେତ୍ରରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ୱାର୍ଥ ସୁରକ୍ଷା ନିମନ୍ତେ ଜନସଚ଼େତନ ଓ ପ୍ରଶାସନିକ ଚାପ ସୃଷ୍ଟି ଲାଗି ସର୍ବସାଧାରଣରେ ସମସ୍ୟା ପ୍ରକାଶନ ଆବଶ୍ୟକ ପଡ଼ିଥାଏ । ପ୍ରଚଳିତ ବ୍ୟବସ୍ଥାରେ ନାଗରିକମାନେ ଏହି ସୁବିଧା ସହଜରେ ଖୋଜି ପାଆନ୍ତି ନାହିଁ ।

ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ଏହି ଦିଗରେ ଦେୟଯୁକ୍ତ ସମ୍ପାଦକୀୟ ସେବା ଯୋଗାଇ ପ୍ରାୟୋଜିତ ସମ୍ୱାଦ ଆକାରରେ ସମସ୍ୟା ପ୍ରକାଶନ ଆଗ୍ରହୀ ନାଗରିକଙ୍କ ଦାବୀ ଉପସ୍ଥାପନ ସୁଯୋଗ ସୃଷ୍ଟି ଓ ସମ୍ୱାଦ ସଂସ୍ଥାର ଆୟବୃଦ୍ଧି ଉଭୟ ଦିଗରୁ ହିତକର ସାବ୍ୟସ୍ତ ହେବ । ବ୍ୟକ୍ତିଗତ କିମ୍ୱା ଗୋଷ୍ଠୀଗତ ସମସ୍ୟା ଯୁକ୍ତିଯୁକ୍ତ ଥିଲେ, ସମ୍ୱାଦପତ୍ର ସହ ଆର୍ଥିକ କାରବାରରେ ସ୍ୱଚ୍ଛତା ରହିଲେ ଏବଂ ପାଠକମାନଙ୍କୁ ଏହା ପ୍ରାୟୋଜିତ ସମ୍ୱାଦ ବୋଲି ସୂଚାଇ ଦିଆଯାଇପାରିଲେ ସାମ୍ୱାଦିକତା ନୈତିକତା ଉଲଂଘନ କରିବ ନାହିଁ । ପରନ୍ତୁ ଗଣତାନ୍ତ୍ରିକ ପଦ୍ଧତିରେ ସର୍ବସାଧାରଣରେ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଶାଣିତ କରିବ ।

ପଞ୍ଚମତଃ, ମୁଦ୍ରିତ ସମ୍ୱାଦପତ୍ରରେ ସମ୍ପାଦକୀୟ ଓ ପ୍ରାୟୋଜିତ ସମ୍ୱାଦର ସ୍ୱଚ୍ଛ ବର୍ଗୀକରଣ ଏବଂ ଏ ଦିଗରେ ସମ୍ପାଦକୀୟ ନୀତିର କଠୋର ଅନୁପାଳନ ଗ୍ରାହକ ଚାନ୍ଦା ଓ ବିଜ୍ଞାପନ ରାଜସ୍ୱ ବୃଦ୍ଧିରେ ପର୍ଯ୍ୟବସିତ ହେବା ହିସାବ କରାଯାଇପାରେ । ଯେଉଁ ସମ୍ୱାଦ ସାର୍ବଜନୀନ ହିତରେ ଲାଗେ ତାହା ସମ୍ପାଦକୀୟ ଓ ଯେଉଁ ସମ୍ୱାଦ ସଂପୃକ୍ତ ସୂତ୍ରର ସ୍ୱାର୍ଥସାଧନରେ ଲକ୍ଷ୍ୟବଦ୍ଧ ତାହା ବିଜ୍ଞାପନ । ବ୍ୟବହାରଯୋଗ୍ୟ ସମ୍ୱାଦ ପ୍ରକାଶନରେ ଅଧିକ ଗ୍ରାହକ ସୃଷ୍ଟି ଫଳରେ ଗ୍ରାହକ ଚାନ୍ଦା ଆୟ ଏବଂ ପ୍ରଚାରଧର୍ମୀ ସମ୍ୱାଦ ପ୍ରକାଶନରେ ସମ୍ୱାଦ ମଞ୍ଚର ବିଜ୍ଞାପନ ରାଜସ୍ୱ ବୃଦ୍ଧିରେ ସହାୟକ ହୋଇଥାଏ ।

ଏଥିରେ ଅସ୍ୱଚ୍ଛଭାବେ ବୁଝାମଣା ହେଲେ ନା ଉପରୋକ୍ତ ନା ସମ୍ୱାଦପତ୍ର, କେବଳ ତୃତୀୟପକ୍ଷ ଲାଭବାନ ହୋଇଥାନ୍ତି । ଏହା ସର୍ବଜନବିଦିତ ହେଲେ ହେଁ ଦୀର୍ଘ ଉଦାସୀନତା କାରଣରୁ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ବଡଧରଣର ରାଜସ୍ୱ ହରାଉଛନ୍ତି ବୋଲି ମାନିନେବାକୁ ପଡ଼ିବ । ସମ୍ପାଦକୀୟ ନୀତି ସଂସ୍କାର ଏହାର ପ୍ରତିକାର ଦିଗରେ ଏକ ବଳିଷ୍ଠ ପଦକ୍ଷେପ ହେବ ବୋଲି ବିଶ୍ୱାସ ।

ମହାମାରୀ-ପର ଗଣମାଧ୍ୟମ ପରିବେଶରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକର ଆୟ ବୃଦ୍ଧି ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ସମସ୍ୟା । ବିଭିନ୍ନ କାରଣରୁ ଦୁଇ ଶହ ବର୍ଷ ଧରି ପ୍ରଚଳିତ ବିଜ୍ଞାପନ ଆଶ୍ରିତ ମଡ଼େଲ ଭୁଷୁଡ଼ି ପଡ଼ିବା ଅବସ୍ଥାରେ ବିକଳ୍ପ ବ୍ୟାବସାୟିକ ମଡ଼େଲ ଖୋଜା ପଡ଼ିଛି । ସମ୍ୱାଦ ମଞ୍ଚଗୁଡ଼ିକ ପରିଚାଳନାଗତ ସମକାଳୀନ ସ୍ଥିତାବସ୍ଥା ବିଚାରକୁ ନେଲେ ବ୍ୟାବସାୟିକ-ବିଜ୍ଞାପନ ହ୍ରାସରେ ସାମାଜିକ-ବିଜ୍ଞାପନ ଆୟ ପ୍ରତି ଯତ୍ନବାନ ହେବା ଏକ ସମାଧାନର ପନ୍ଥାଭାବେ ବିଚାର କରାଯାଇପାରେ । 

Related Post