ଆଜିର ଖାସ ଖବର
Tue. May 26th, 2026

ସାମ୍ୱାଦିକଙ୍କ ନୋବଲ ପୁରସ୍କାର ଅଭିଭାଷଣ

By Dainikasha Jul12,2024

ନୋବଲ ଶାନ୍ତି ପୁରସ୍କାର ୨୦୨୧ ବିଜୟୀ ଦୁଇ ସାମ୍ୱାଦିକ ଋଷର ଦିମିତ୍ରୀ ମୁରାତୋଭ ଓ ଫିଲିପାଇନ୍ସର ମାରିଆ ରେସା ଆନୁଷ୍ଠାନିକଭାବେ ନରୱେର ଓସଲୋ ସିଟିହଲରେ ୧୦ ଡ଼ିସେମ୍ୱର ୨୦୨୧ରେ ପୁରସ୍କାର ଗ୍ରହଣ କରିଥିଲେ । ସାଧାରଣରେ ନୋବଲ ପୁରସ୍କାର ଗ୍ରହଣ ଅବସରରେ ବିଜୟୀମାନେ ପୁରସ୍କାର ଗ୍ରହଣ ଅଭିଭାଷଣ ‘ଏକ୍ସସେପ୍ଟଣ୍ଟେସ ସ୍ପିଚ’ ପ୍ରଦାନ କରିଥାନ୍ତି । ଏହାକୁ ନୋବଲ ପୁରସ୍କାର ଅଭିଭାଷଣ ‘ନୋବଲ ପ୍ରାଇଜ ଲେକଚ଼ର’ କୁହାଯାଏ । ଏହି ଅଭିଭାଷଣଗୁଡ଼ିକ ସଂପୃକ୍ତ ବିଷୟରେ ସମକାଳୀନ ସାମାଜିକ ବ୍ୟବସ୍ଥାର ପ୍ରତିଫଳନ ବୋଲି ବିଚାର କରାଯାଏ ।

ବିଶ୍ୱବ୍ୟାପୀ ସାମ୍ୱାଦିକତା ବ୍ୟାପକ ପରିବର୍ତ୍ତନର ମୋଡ଼ରେ ପହଞ୍ଚିଥିବା ସମୟରେ ଋଷ ଓ ଫିଲିପାଇନ୍ସର ଦୁଇ ସାମ୍ୱାଦିକ ନୋବଲ ଶାନ୍ତି ପୁରସ୍କାର ପାଇଛନ୍ତି । ସ୍ୱାଭାବିକ ଭାବେ ସେମାନଙ୍କ ପୁରସ୍କାର ଅଭିଭାଷଣରେ ସାଂପ୍ରତିକ ପ୍ରେକ୍ଷାପଟ୍ଟରେ ସାମ୍ୱାଦିକତାର ଭୂମିକା ବର୍ଣ୍ଣିତ । ଏହି ଦୁଇ ଅଭିଭାଷଣ ଅନୁଶୀଳନରେ ଗଣମାଧ୍ୟମ-କେନ୍ଦ୍ରୀକ ସାମାଜିକ ବ୍ୟବସ୍ଥାରେ ନିକଟ ଅତୀତ ଓ ସମ୍ଭାବ୍ୟ ଭବିଷ୍ୟତର ଚ଼ିତ୍ର ସଂପର୍କରେ ସ୍ପଷ୍ଟ ସୂଚନା ମିଳିଥାଏ ।

ଦିମିତ୍ରୀ ମୁରାତୋଭ ନିଜ ଅଭିଭାଷଣରେ ମୁଖ୍ୟତଃ ବିଶ୍ୱବ୍ୟାପୀ ରାଜନୈତିକସ୍ତରରେ ଏକଛତ୍ରବାଦ ମୁଣ୍ଡ ଟେକୁଥିବା ହେତୁ ଉଦବେଗ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଏଣିକି ରାଷ୍ଟ୍ରୀୟ ବିକାଶ ନିମନ୍ତେ ସ୍ୱାଧୀନତା ଓ ମାନବାଧିକାର ବଦଳରେ ବୈଷୟିକ ପ୍ରଗତି ଓ ହିଂସାକୁ ଗୁରୁତ୍ୱ ପ୍ରଦାନ କରାଯାଉଛି । ଯୁଦ୍ଧଖୋର ମନୋଭାବର ବ୍ୟାପକ ପ୍ରଚାର ଫଳରେ ଜନସାଧାରଣ କ୍ରମଶଃ ଯୁଦ୍ଧକୁ ଏକ ସ୍ୱାଭାବିକ ପ୍ରକ୍ରିୟାଭାବେ ଗ୍ରହଣ କରିନେବାକୁ ବସିଲେଣି । ଏତାଦୃଶ ମତବାଦର ପ୍ରଚାର ଓ ପ୍ରସାରରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଏହି ଅବକ୍ଷୟମୁଖୀ ସାମାଜିକ ବ୍ୟବସ୍ଥା ସଜାଡ଼ିବାରେ ସାମ୍ୱାଦିକତାର ଭୂମିକା ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।

ସତ୍ୟ ଓ ଅସତ୍ୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ସମକାଳୀନ ସାମ୍ୱାଦିକତାର ମୂଳ ଲକ୍ଷ୍ୟ ‘ମିସନ’ ହେବା ଉଚ଼ିତ । ଆଧୁନିକ ତଥ୍ୟଭିତ୍ତିକ ସାମ୍ୱାଦିକତା ‘ଡ଼ାଟା ଜର୍ଣ୍ଣାଲିଜମ’ ପ୍ରଚଳନରେ ଉଦୀୟମାନ ସାମ୍ୱାଦିକମାନେ ସତ୍ୟ ଉଦଘାଟନ ନିମନ୍ତେ ପରିସଂଖ୍ୟାନର ସାହାଯ୍ୟ ଗ୍ରହଣ କରୁଛନ୍ତି । ଉଦାହରଣରେ ବେଲାଋଷରେ ଶାରଣାର୍ଥୀ ସମସ୍ୟାର ସତ୍ୟାସତ୍ୟ ପ୍ରତିପାଦନ ନିମନ୍ତେ କିଛି ସାମ୍ୱାଦିକ ସ୍ୱାଭାବିକ ସମୟରେ କେତେ ଗୋଟି ବିମାନ ଉଡ଼ାଣରେ ମଧ୍ୟ ପ୍ରାଚ଼୍ୟରୁ କେତେ ସଂଖ୍ୟକ ଯାତ୍ରୀ ବେଲାଋଷକୁ ଆସୁଥିଲେ ଏବଂ ସଂଘର୍ଷପୂର୍ଣ୍ଣ ସମୟସୀମାରେ ବିମାନ ଉଡ଼ାଣ ଓ ଯାତ୍ରୀ ସଂଖ୍ୟାର ତୁଳନାତ୍ମକ ବିବରଣୀ ପ୍ରଦାନ କରୁଥିବା ଦର୍ଶାଇଥିଲେ । ଏହି ଭଳି କ୍ଷେତ୍ରରେ ପରିସଂଖ୍ୟାନ ହିଁ ସତ୍ୟତା ପରିପ୍ରକାଶ କରିଥାଏ ।

ରାଷ୍ଟ୍ରୀୟ ସ୍ୱାଭିମାନରେ ଉଦବୁଦ୍ଧ କରି ନାଗରିକମାନଙ୍କୁ ଦେଶ ପାଇଁ ପ୍ରାଣବଳୀ ଦେବା ନିମନ୍ତେ ଉତ୍ସାହିତ କରାଯାଉଛି । କିନ୍ତୁ ରାଷ୍ଟ୍ର ପାଇଁ ବଞ୍ଚିବାଲାଗି ପ୍ରୋତ୍ସାହନ କ୍ରମଶଃ ଉଭେଇ ଯିବାକୁ ବସିଲାଣି । ଦିମିତ୍ରୀ ମୁରାତୋଭ ଅନୁସନ୍ଧାନମୂଳକ ସାମ୍ୱାଦିକତା ସତ୍ୟ ଉଦଘାଟନ କରୁଥିବା ଦର୍ଶାଇଥିଲେ । ବୃତ୍ତିଧାରୀ ସାମ୍ୱାଦିକମାନଙ୍କୁ ପ୍ରଭାବିତ କରିବା ତଥା ଚ଼ପାଇ ଦେବା ଉଦ୍ୟମର ଘୋର ନିନ୍ଦା କରିଥିଲେ । ସାମ୍ୱାଦିକମାନେ ହିଂସାର ଶିକାର ହୋଇ ଅକାଳରେ ମୃତ୍ୟୁମୁଖରେ ନପଡ଼ି ପ୍ରାକୃତିକଭାବେ ବୃଦ୍ଧାବସ୍ଥା ଯାଏଁ ଜୀବିତ ରହିବା ନିମନ୍ତେ ପରିବେଶ ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ମାରିଆ ରେସା ନିଜ ଅଭିଭାଷଣରେ ସମକାଳୀନ ବିଶ୍ୱ ସମ୍ୱାଦ ସରବରାହରେ ହାତଗଣତି ସୋସିଆଲ ମିଡ଼ିଆ ବୈଷୟିକ ପ୍ରତିଷ୍ଠାନର ଆଧିପତ୍ୟକୁ ସମାଲୋଚ଼ନା କରିଥିଲେ । ଏହି ମଞ୍ଚଗୁଡ଼ିକ ଅସତ୍ୟ, କ୍ରୋଧ ଓ ଘୃଣା ପ୍ରସାରରେ ସହାୟକ ହେଉଥିବା ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ ତଥ୍ୟ ସତ୍ୟ ଉନ୍ମୋଚ଼ିତ କରେ ଏବଂ ସତ୍ୟ ବିଶ୍ୱାସ ଜନ୍ମାଇଥାଏ । ବିଶ୍ୱାସ ବ୍ୟତିରେକେ ଗଣତନ୍ତ୍ର ଅସଂଭବ । ସାମ୍ୱାଦିକତା ତଥ୍ୟ, ସତ୍ୟ ଓ ବିଶ୍ୱାସ ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିଥାଏ । ସାଂପ୍ରତିକ ପରିପ୍ରେକ୍ଷୀରେ ସ୍ୱାଧୀନ ସାମ୍ୱାଦିକତାକୁ ପ୍ରୋତ୍ସାହିତ କରିବା ସମୟର ଆହ୍ୱାନ ।

ସେ ଦର୍ଶାଇଥିଲେ ଯେ ସୋସିଆଲ ମିଡ଼ିଆର ବ୍ୟାପକ ପ୍ରସାର ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହରେ ବ୍ୟବହୃତ ହେଉଛି । ଏହି ତଥ୍ୟାବଳୀ ବ୍ୟାବସାୟିକ ଓ ରାଜନୀତିକ ସ୍ୱାର୍ଥ ସିଦ୍ଧିରେ ଉପଯୋଗ କରାଯାଉଛି । ସମୟକ୍ରମେ ଏହି ତଥ୍ୟଭିତ୍ତିକ ପୁଞ୍ଜିବାଦ ‘ସରଭିଲାନ୍ସ କ୍ୟାପିଟାଲିଜମ’ ପାରମ୍ପରିକ ବ୍ୟବସାୟ ଓ ରାଜନୀତିକ ଢ଼ାଞ୍ଚାର ମୂଳୋତ୍ପାଟନ କରିବା ସନ୍ଦେହ ଅସମୀଚୀନ ନୁହେଁ ।

ଉଭୟ ଦାମିତ୍ରୀ ଓ ମାରିଆ ନିଜ ଅଭିଭାଷଣରେ ବ୍ୟକ୍ତି ସ୍ୱାଧୀନତା ନିମନ୍ତେ ସ୍ୱର ଉତ୍ତୋଳନ କରିଥିବା ଦୁଇ ନୋବଲ ବିଜୟୀଙ୍କୁ ସ୍ମରଣ କରିଥିଲେ । ଦାମିତ୍ରୀ ୧୯୭୫ରେ ନୋବଲ ଶାନ୍ତି ପୁରସ୍କାରପ୍ରାପ୍ତ ପରମାଣୁ ବିଜ୍ଞାନୀ ଆଣ୍ଡ୍ରେଇ ସାକାରୋଭ ଏବଂ ମାରିଆ ୧୯୩୬ରେ ନୋବଲ ଶାନ୍ତି ପୁରସ୍କାର ପ୍ରାପ୍ତ ଜର୍ମାନ ସାମ୍ୱାଦିକ କାର୍ଲ ଭନ ଓସିଇଟିସ୍କିଙ୍କ ଅବଦାନ ଉଲ୍ଲେଖ କରିଥିଲେ । ଏହି ଦୁଇ ନୋବଲ ଶାନ୍ତି ପୁରସ୍କାର ବିଜୟୀ ପୁରସ୍କାର ଗ୍ରହଣ ନିମନ୍ତେ ଓସଲୋ ଯାତ୍ରା କରିବାକୁ ତତ୍କାଳୀନ ଋଷ ଓ ଜର୍ମାନ ପ୍ରଶାସନ ଅନୁମତି ଦେଇ ନଥିଲେ । ମାରିଆ କହିଥିଲେ ଯେ ବର୍ତ୍ତମାନ ଅନ୍ତତଃପକ୍ଷେ ସେମାନଙ୍କୁ ପୁରସ୍କାର ଗ୍ରହଣ ନିମନ୍ତେ ବିଦେଶ ଯାତ୍ରାକୁ ଯେ ଅନୁମତି ଦିଆଯାଇପାରୁଛି, ଏହା ନିଶ୍ଚିତଭାବେ ବ୍ୟକ୍ତି ସ୍ୱାଧୀନତା ଓ ମାନବାଧିକାରର ଉଜ୍ଜଳ ଭବିଷ୍ୟତର ସୂଚନା ଦିଏ ।

ଫିଲିପାଇନ୍ସରେ ସାମ୍ୱାଦିକତା ଅଭିଜ୍ଞତା ବର୍ଣ୍ଣନା କରି ମାରିଆ କହିଥିଲେ ଯେ ବିଗତ ଦୁଇ ବର୍ଷରୁ କମ ସମୟ ମଧ୍ୟରେ ତାଙ୍କରି ବିରୋଧରେ ସରକାରଙ୍କ ପକ୍ଷରୁ ମକଦ୍ଦମାମାନ ରୁଜୁ ହୋଇ ଦଶ ଗୋଟି ଗିରଫ ପରୱାନା ଜାରି କରାଯାଇଛି । ଏଗୁଡ଼ିକ ଦଣ୍ଡରେ ରୂପାନ୍ତରିତ ହେଲେ ସେ ଶହେ ବର୍ଷ ଜେଲ ଭୋଗିବେ । ମାରିଆ ପୁରସ୍କାର ଗ୍ରହଣ ନିମନ୍ତେ ଓସଲୋ ଆସିପାରିବେ କି ନାହିଁ ସେ ସଂପର୍କରେ ଶେଷ ଯାଏଁ ନିଶ୍ଚିତ ନଥିଲେ । ବନ୍ଦୀଶାଳାରେ ବାକୀତକ ଜୀବନ କଟାଇବା ବିପଦ ସଂପର୍କରେ ସେ ସଦାସର୍ବଦା ସନ୍ଦୀହାନ ଅବସ୍ଥାରେ କାଳାତିପାତ କରିଆସୁଛନ୍ତି ।

ଦାମିତ୍ରୀ ଓ ମାରିଆଙ୍କ ନୋବଲ ଶାନ୍ତି ପୁରସ୍କାର ଗ୍ରହଣ ଅଭିଭାଷଣ କିପରି ସମକାଳୀନ ସାମ୍ୱାଦିକତା ଏକଛତ୍ର ରାଜନୀତିକ ମତବାଦ ଓ ପୁଞ୍ଜିବାଦୀ ବୈଷୟିକ ସ୍ଥିତିର ବନ୍ଧନୀରେ ଆବଦ୍ଧ ହୋଇପଡ଼ିଛି ତାହାର ନିଚ୍ଛକ ଚ଼ିତ୍ର ପ୍ରଦାନ କରିଥାଏ । ବିଡ଼ମ୍ୱନାର ବିଷୟ ଏହି ଯେ ସାଧାରଣ ନାଗରିକ ଏତାଦୃଶ ବିପଦ ସଂପର୍କରେ ଅଜ୍ଞ । ସାମାଜିକ ଓ ବୈଷୟିକ ପ୍ରଗତି ସାମ୍ୱାଦିକତାକୁ ସର୍ବୋଚ୍ଚ ବଦଳରେ ସର୍ବନିମ୍ନସ୍ତରକୁ ଠେଲିଦେଉଥିବା ଘଟଣାକ୍ରମ ଅସ୍ୱାଭାବିକ ମନେହୁଏ ।

Related Post