ସମକାଳରେ ପ୍ରତିବର୍ଷ ପ୍ରାୟ ପଚ଼ାଶ ସରିକି ସାମ୍ୱାଦିକ ବୃତ୍ତିଭିତ୍ତିକ କାରଣରୁ ହତ୍ୟାର ଶୀକାର ହୋଇଥାନ୍ତି । ସମଗ୍ରବିଶ୍ୱରେ ୨୦୧୬ରେ ୫୦ ଜଣ, ୨୦୧୭ରେ ୪୭ ଜଣ ଓ ୨୦୧୮ରେ ୫୩ ଜଣ ସାମ୍ୱାଦିକ ମୃତ୍ୟୁମୁଖରେ ପଡିଥିବା ‘କମିଟି-ଟୁ-ପ୍ରୋଟେକ୍ଟ-ଜର୍ଣ୍ଣାଲିଷ୍ଟ’ ଦ୍ୱାରା ପ୍ରକାଶିତ ପରିସଂଖ୍ୟାନରୁ ଜଣାଯାଏ । ଏହି ସଂଗଠନ ଦ୍ୱାରା ୧୯୯୨ରୁ ନିୟମିତଭାବେ ସାମ୍ୱାଦିକମାନଙ୍କୁ ଆକ୍ରମଣ ଓ ତଦ୍ୱାରା ମୃତ୍ୟୁର ବିବରଣୀ ଲିପିବଦ୍ଧ କରାଯାଇଛି । ବାର୍ଷିକଭିତ୍ତିରେ ପରିସଂଖ୍ୟାନ ପ୍ରତି ଡ଼ିସେମ୍ୱର ମାସରେ ପ୍ରକାଶିତ ହୋଇଥାଏ ।
ଆନ୍ତର୍ଜାତିକସ୍ତରରେ ୨୦୧୮ରେ ସାମ୍ୱାଦିକଙ୍କୁ ହତ୍ୟାର ତାଲିକାରେ ଯୁକ୍ତରାଷ୍ଟ୍ର ଆମେରିକାର ‘ୱାଶିଂଟନ ପୋଷ୍ଟ’ର ସ୍ତମ୍ଭକାର ଜମାଲ ଖାସୋଗୀଙ୍କୁ ଇସ୍ତାନବୁଲସ୍ଥିତ ସାଉଦୀ ଆରବ ଦୂତାବାସରେ ହତ୍ୟା ସମେତ ଅନ୍ୟ କେତେଗୋଟି ଜଘନ୍ୟ ହିଂସାକାଣ୍ଡର ବିବରଣୀ ସନ୍ନିବଶିତ ହୋଇଛି ।
ଯୁକ୍ତରାଷ୍ଟ୍ର ଆମେରିକାର ମେରିଲ୍ୟାଣ୍ଡରେ ୨୦୧୮ ଜୁନ ମାସରେ ଜଣେ ବ୍ୟକ୍ତି ‘କ୍ୟାପିଟାଲ ଗେଜେଟ’ ନାମକ ଏକ ସମ୍ୱାଦପତ୍ର କାର୍ଯ୍ୟାଳୟରେ ପଶି ଆଖିବୁଜା ଗୁଳି ଚ଼ାଳନା କରିବା ଫଳରେ ଚାରିଜଣ ସାମ୍ୱାଦିକଙ୍କ ସମେତ ଜଣେ କର୍ମଚ଼ାରୀ ମୃତ୍ୟୁବରଣ କରିଥିଲେ । କୁହାଯାଉଛି ଯେ ହତ୍ୟାକାରୀଜଣକ ଉକ୍ତ ସମ୍ୱାଦପତ୍ର ବିରୁଦ୍ଧରେ ୨୦୧୨ରେ ମାନହାନୀ ମକଦ୍ଦମା ଦାୟର କରି ହାରି ଯାଇଥିଲେ । ସେ ପ୍ରତିଶୋଧ ପରାୟଣ ହୋଇ ହତ୍ୟାକାଣ୍ଡ ଘଟାଇଲେ ।
ସୋଲଭାକିଆଠାରେ ଜଣେ ୨୭ ବର୍ଷ ବୟସ୍କ ସାମ୍ୱାଦିକଙ୍କୁ ତାଙ୍କରି ବାନ୍ଧବୀଙ୍କ ସାମନାରେ ଫେବୃୟାରୀ ମାସରେ ଗୁଳି କରାଯାଇଥିଲା । ମାଲଟାର ଜଣେ ମହିଳା ସାମ୍ୱାଦିକଙ୍କ କାରରେ ଅକ୍ଟୋବର ମାସରେ ବୋମା ଖଞ୍ଜି ବିସ୍ପୋରଣରେ ଉଡ଼ାଇ ଦିଆଯାଇଥିଲା । ସେହି ଅକ୍ଟୋବର ମାସରେ ବୁଲଗେରିଆରେ ଅନ୍ୟ ଜଣେ ମହିଳା ସାଂବାଦିକଙ୍କୁ ଧର୍ଷଣ କରି ହତ୍ୟା କରାଯାଇଥିଲା ।
ମେକ୍ସିକୋରେ ଚ଼ାରିଜଣ ଓ ବ୍ରାଜିଲରେ ଦୁଇଜଣ ସାମ୍ୱାଦିକ ୨୦୧୮ ହତ୍ୟାର ସମ୍ମୁଖୀନ ହୋଇଥିଲେ । ଆଫଗାନସ୍ଥାନରେ ୧୩ ଜଣ ସାମ୍ୱାଦିକ ହିଂସାକାଣ୍ଡରେ ପ୍ରାଣ ହରାଇଥିଲେ ।
କମିଟି-ଟୁ-ପ୍ରୋଟେକ୍ଟ-ଜର୍ଣ୍ଣାଲିଷ୍ଟ ଦ୍ୱାରା ପ୍ରସ୍ତୁତ ତାଲିକାରେ ଉଲ୍ଲେଖ କରାଯାଉଥିବା ସାମ୍ୱାଦିକମାନଙ୍କୁ ହତ୍ୟା କେତେକ କ୍ଷେତ୍ରରେ ସ୍ଥାନୀୟ ପ୍ରଶାସନଦ୍ୱାରା ଗୃହୀତ ହୋଇ ନଥାଏ । ସାମ୍ୱାଦିକମାନେ ସାମ୍ୱାଦିକତା ବୃତ୍ତି ଭିନ୍ନ ଅନ୍ୟାନ୍ୟ କ୍ଷେତ୍ରରେ ବିବାଦ ହେତୁ ଆକ୍ରମଣର ସମ୍ମୁଖୀନ ହୋଇଥାନ୍ତି ବୋଲି ଯୁକ୍ତି ବଢ଼ାଯାଇଥାଏ । ତେବେ ପ୍ରତ୍ୟେକଟି ସାମ୍ୱାଦିକଙ୍କ ମୃତ୍ୟୁ ଘଟଣା କେତେଦୂର ସେମାନଙ୍କ ବୃତ୍ତିଗତ ଜୀବନଦ୍ୱାରା ପ୍ରଭାବିତ ସେଦିଗରେ ପୁଙ୍ଖାନୁପୁଙ୍ଖ କମିଟି ଦ୍ୱାରା ମନୋନୀତ ସଦସ୍ୟମାନେ ତଦନ୍ତ କରିଥାନ୍ତି ।
ଗଣମାଧ୍ୟମରେ କାରିଗରୀ କୌଶଳ ବିକାଶ କାରଣରୁ ବହୁସଂଖ୍ୟକ ସାଧାରଣ ନାଗରିକ ସାମ୍ୱାଦିକତାର ପରିଧିରେ ପହଞ୍ଚୁଥିବା ହେତୁ କ୍ରମଶଃ ପ୍ରକାଶନକୁ ନେଇ ଅସହିଷ୍ଣୁତା ତଥା ତଦ୍ଜନିତ ହିଂସା ବୃଦ୍ଧି ପାଇବା ଆଶଙ୍କା କରାଯାଉଥିବା ସର୍ବଶେଷ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।ଆନ୍ତର୍ଜାତିକସ୍ତର କ୍ରମବର୍ଦ୍ଧିଷ୍ଣୁ ସାମ୍ୱାଦିକଙ୍କ ବିରୋଧରେ ହିଂସାର ପ୍ରତିରୋଧ କରିବା ନିମନ୍ତେ କୌଣସି ରାଷ୍ଟ୍ରପକ୍ଷରୁ ବାସ୍ତବକ୍ଷେତ୍ରରେ ଦୃଷ୍ଟିଆକର୍ଷଣକାରୀ ପଦକ୍ଷେପ ଗ୍ରହଣ କରାଯାଉନଥିବା ହେତୁ ଉଦ୍ବେଗ ପ୍ରକାଶ ପାଇଛି ।
ଖ୍ୟାତନାମା ‘ଟାଇମ’ ପତ୍ରିକା ପକ୍ଷରୁ ୨୦୧୮ର ‘ମେନ-ଅଫ-ଦି-ଇଅର’ଭାବେ ଜମାଲ ଖାସୋଗୀଙ୍କୁ ମନୋନୀତ କରାଯାଇଥିଲା । ଜମାଲଙ୍କୁ ହତ୍ୟା ଆନ୍ତର୍ଜାତିକସ୍ତରରେ ବର୍ଷର ଅନ୍ୟତମ ମୁଖ୍ୟ ଘଟଣାକ୍ରମଭାବେ ବିବେଚ଼ିତ ହୋଇଥିବା ଟାଇମ ଉଦାହରଣରୁ ସୁସ୍ପଷ୍ଟ ।
ଜମାଲ ଖାସୋଗୀ ଜଣେ ସାଉଦୀ ଆରବ ନାଗରିକ ଏବଂ ସ୍ଥାନୀୟ ଭାଷାରେ ପ୍ରକାଶିତ ‘ଅଲ-ୱାତନ’ ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକରୂପେ କାର୍ଯ୍ୟକରି ଆସିଥିଲେ । ସାଉଦୀ ରାଜପରିବାରଙ୍କ ସହ ତାଙ୍କରି ଦୀର୍ଘକାଳ ଧରି ସଂପର୍କ ରହିଥିଲା । ଅବଶ୍ୟ ନିଜ ଲେଖାରେ ସାଉଦୀ ବିରୋଧୀ ମନ୍ତବ୍ୟ ପାଇଁ ୨୦୦୩ ଓ ୨୦୧୦ରେ ଦୁଇଥର ସମ୍ପାଦକ ପଦରୁ ବିତାଡ଼ିତ ହୋଇ ପୁନଃ-ସଂସ୍ଥାପିତ ହୋଇଥିଲେ । ନିଜ ସାମ୍ୱାଦିକତା ପାଇଁ ସେ ଗିରଫ ହେବା ଭୟରେ ସେପ୍ଟେମ୍ୱର ୨୦୧୭ରେ ଦେଶଛାଡ଼ି ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀ ୱାଶିଂଟନର ପଡ଼ୋଶୀ ପ୍ରଦେଶ ଭାର୍ଜିନିଆରେ ଆତ୍ମ-ନିର୍ବାସିତ ଜୀବନଯାପନ କରୁଥିଲେ । ୱାଶିଂଟନ ପୋଷ୍ଟରେ ସାମୟିକଭାବେ ତାଙ୍କରି ଏକ ସ୍ତମ୍ଭ ପ୍ରକାଶ ପାଉଥିଲା ।
ଜମାଲ ନିଜ ବାନ୍ଧବୀଙ୍କୁ ବିବାହ କରିବା ନିମନ୍ତେ ଆବଶ୍ୟକୀୟ ନଥିପତ୍ର ସଂଗ୍ରହ କରିବା ଉଦ୍ଦେଶ୍ୟରେ ତୁର୍କୀର ରାଜଧାନୀ ଇସ୍ତାନବୁଲ ସାଉଦୀ ଦୂତାବାସ ସହ ଯୋଗାଯୋଗ ସ୍ଥାପନ କରିଥିଲେ । ପ୍ରଥମଥର ସେପ୍ଟେମ୍ୱର ୨୮ ତାରିଖରେ ଦୂତାବାସ ପରିଦର୍ଶନ ପରେ ପୁଣିଥରେ ଆସି ଦସ୍ତାବିଜ ଗ୍ରହଣ କରିବା ନିମନ୍ତେ କୁହାଯାଇଥିଲା । ଅକ୍ଟୋବର ୨ ତାରିଖ ସକାଳୁ ଟେଲିଫୋନରେ କଥାବାର୍ତ୍ତା କରି ଦୂତାବାସ ପରିଦର୍ଶନ ନିମନ୍ତେ ଅନୁମତି ନେଇଥିଲେ ।ଜମାଲ ନିଜ ବାନ୍ଧବୀଙ୍କ ସହ ମଧ୍ୟାହ୍ନ ଗୋଟାଏ ବେଳେ ଦୂତାବାସରେ ପହଞ୍ଚି ଗେଟ ବାହାରେ ବାନ୍ଧବୀଙ୍କୁ ନିଜର ମୋବାଇଲ ଫୋନ ଦେଇ ନିଜେ ନ ଫେରିଲେ ତୁର୍କୀ ରାଷ୍ଟ୍ରପତିଙ୍କ ଦପ୍ତରରେ ଅବସ୍ଥାପିତ ତାଙ୍କରି ଜଣେ ବନ୍ଧୁଙ୍କୁ ଯୋଗାଯୋଗ କରିବା ନିମନ୍ତେ ସୂଚ଼ନା ଦେଇ ଦୂତାବାସ ମଧ୍ୟକୁ ପ୍ରବେଶ କରିଥିଲେ ।
ଦୀର୍ଘ ତିନି ଘଣ୍ଟା ଧରି ଖାସୋଗୀ ନଫେରିବାରୁ ବାନ୍ଧବୀ ଦୂତାବାସରେ ଖୋଜିଥିଲେ । ଖାସୋଗୀଙ୍କ ପୂର୍ବପ୍ରଦତ୍ତ ପରାମର୍ଶ ଆଧାରରେ ତାଙ୍କରି ବନ୍ଧୁଙ୍କୁ ଫୋନ ଯୋଗେ ଜଣାଇଥିଲେ । ଦୂତାବାସ କର୍ମଚ଼ାରୀମାନେ ପ୍ରଥମରୁ ହିଁ ଖାସୋଗୀଙ୍କ ସଂପର୍କରେ ପରସ୍ପର ବିରୋଧୀ ସୂଚ଼ନା ଦେବାରେ ଲାଗିଲେ । ଶେଷରେ ଜଣାଗଲା ଯେ ଖାସୋଗୀଙ୍କୁ ସାଉଦୀ ରାଜ ପରିବାର ପକ୍ଷରୁ ବିଧିବଦ୍ଧ ଚ଼କ୍ତାନ୍ତରେ ଦୂତାବାସ କର୍ମଚ଼ାରୀମାନେ ହତ୍ୟା କରିଛନ୍ତି । ଏହି ଘଟଣାର ଦୁଇ ସପ୍ତାହ ପରେ ସାଉଦୀ ପ୍ରଶାସନ ୧୮ ଜଣ କର୍ମଚାରୀଙ୍କୁ ଗିରଫ କରି ପାଞ୍ଚ ଜଣଙ୍କୁ ନିଳମ୍ୱନ କରାଯାଇଥିବା ସୂଚ଼ନା ପ୍ରକାଶିତ ହୋଇଥିଲା ।
ଖାସୋଗୀଙ୍କ ହତ୍ୟା ସାଂବାଦିକଙ୍କ ବିରୋଧରେ ହିଂସାର ଏକ ନଗ୍ନ ଉଦାହରଣ ।ଅଭିବ୍ୟକ୍ତିର ଅଧିକାରକୁ ମାନବାଧିକାରରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଥିବା ସ୍ଥଳେ ବାର୍ଷିକ ଅର୍ଦ୍ଧଶତାଧିକ ସାମ୍ୱାଦିକଙ୍କୁ ହତ୍ୟାର ପରିସଂଖ୍ୟାନ ବାସ୍ତବ କ୍ଷେତ୍ରରେ ବିରୋଧଭାସର ସୂଚ଼ନା ଦେଇଥାଏ ।
